Unknown

 

 

 

 

 

 

 

 

 

୯୮ତମ ସଂଖ୍ୟା କୋଣାର୍କ ୧୯୯୫

ଓଡ଼ିଆ ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଆ ସାହିତ୍ୟ ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ସମ୍ପାଦନା ମଣ୍ଡଳୀ

ଶ୍ରୀ ଚିତ୍ତରଞ୍ଜନ ଦାସ

ଶ୍ରୀ ରାଜକିଶୋର ମିଶ୍ର

ସଚିବ

 

ଶ୍ରୀ କିଶୋରୀଚରଣ ଦାସ

ସଭାପତି

 

ପ୍ରକାଶନ ସହଯୋଗୀ

ଶ୍ରୀ ମହେନ୍ଦ୍ର କୁମାର ଛୁଆଳସିଂହ

ଶ୍ରୀମତୀ ଅନସୂୟା ଦେବୀ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

ଫୋନ୍‍-୪୩୧୮୪୦

 

ପ୍ରଚ୍ଛଦ : ଶ୍ରୀ ସୌରୀନ୍ଦ୍ର କୁମାର ଉଦ୍‍ଗାତା ‘ଋତମ୍‍’

 

ମୁଦ୍ରାକର :

ସପ୍ତର୍ଷି ପ୍ରିଣ୍ଟର୍ସ, କଟକ-୧୦

 

ସର୍ବାଧିକାର ଏକାଡେମୀ କର୍ତ୍ତୃକ ସଂରକ୍ଷିତ ।

ପ୍ରକାଶିତ ସାମଗ୍ରୀର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ

ତଥା ଓଡ଼ିଆ ସାହିତ୍ୟ ଏକାଡେମୀର ଅନୁମତି ସାପେକ୍ଷ ।

ରଚନାଗୁଡ଼ିକରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ସୂଚୀପତ୍ର

୧.

ଶିଶୁସାହିତ୍ୟର ଔଚିତ୍ୟ

ଶ୍ରୀ ଚିତ୍ତରଞ୍ଜନ ଦାସ

୨.

ଓଡ଼ିଆ ଶିଶୁନାଟକର ରୂପରେଖ

ଡକ୍‍ଟର ସୁରେଶ ଚନ୍ଦ୍ର କର

୩.

ଓଡ଼ିଆ ମୌଖିକ ଶିଶୁଗୀତରେ ଜହ୍ନମାମୁଁ

ଶ୍ରୀ ବସନ୍ତ କିଶୋର ସାହୁ

୪.

ଶିଶୁ-ସାହିତ୍ୟ ପ୍ରସଙ୍ଗରେ : ଆଜିର

ପିଲାଙ୍କ ପାଇଁ ଲେଖିବା କିପରି

ଡକ୍‍ଟର ମନୀନ୍ଦ୍ର ମହାନ୍ତି

୫.

ଓଡ଼ିଆ ଶିଶୁ କବିତା : ସୃଷ୍ଟି ଓ ବିକାଶର

ବୈଚିତ୍ର୍ୟମୟ ଧାରା

ଶ୍ରୀ ସୁନାମଣି ରାଉତ

୬.

ଶିଶୁର ବ୍ୟକ୍ତିତ୍ୱ ଓ ଶୈଶବର ପ୍ରାଧାନ୍ୟ

ଶ୍ରୀ ଲାବଣ୍ୟ ଚନ୍ଦ୍ର ସାହୁ

୭.

ଆମ ପିଲାଙ୍କ ପାଇଁ ନାଟକ କାହିଁ ?

ଡକ୍‍ଟର କୃତ୍ତିବାସ ନାୟକ

୮.

ଓଡ଼ିଶା ଶିଶୁସାହିତ୍ୟ : ଗବେଷଣା ଓ ଅଧ୍ୟୟନ

ଡକ୍‍ଟର ଜଗନ୍ନାଥ ମହାନ୍ତି

୯.

ଓଡ଼ିଶା ଶିଶୁସାହିତ୍ୟ ଓ କାନ୍ତକବି ଲକ୍ଷ୍ମୀକାନ୍ତ

ଡକ୍‍ଟର ପ୍ରସନ୍ନ କୁମାର ସ୍ୱାଇଁ

୧୦.

ଶିଶୁ ସାହିତ୍ୟିକ ଚକ୍ରଧର ମହାପାତ୍ର

ଶ୍ରୀ ଭାସ୍କର ଚନ୍ଦ୍ର ଖଟାଇ

୧୧.

ଶିଶୁସାହିତ୍ୟିକ ଗୋଦାବରୀଶ

ମହାପାତ୍ର : ଏକ ଅଧ୍ୟୟନ

ଡକ୍‍ଟର ତୀର୍ଥାନନ୍ଦ ମିଶ୍ର

୧୨.

ରାମକୃଷ୍ଣ ନନ୍ଦ : ଏକକ

ସାରସ୍ୱତ ପ୍ରତିଶୃତି

ଡକ୍‍ଟର ବାବାଜୀ ଚରଣ ପଟ୍ଟନାୟକ

୧୩.

ଓଡ଼ିଶା ଶିଶୁସାହିତ୍ୟକୁ ପଣ୍ଡିତ

ଉପେନ୍ଦ୍ର ତ୍ରିପାଠୀଙ୍କ ଦାନ

ଡକ୍‍ଟର ସୁରେନ୍ଦ୍ର କୁମାର ମହାରଣା

୧୪.

ଏକାଡେମୀ ସମାଚାର

 

୧୫.

ଆମର ନିବନ୍ଧକାର

 

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୧୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦/- ରହିବ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ସାହିତ୍ୟିକଙ୍କ ସହ ସାକ୍ଷାତକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟି କୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ । ସମାଲୋଚନା ପାଇଁ ଦୁଇଖଣ୍ଡ ପୁସ୍ତକ ସମ୍ପାଦକଙ୍କ ନିକଟକୁ ପ୍ରେରିତ ହେବା ଉଚିତ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍‍ସ କିମ୍ୱା କାର୍ବନ କପି ପଠାଇବେ ନାହିଁ । ଫୁଲସ୍କେପ ଅଧା କାଗଜର ଏକ ଚତୁର୍ଥାଂଶ ହାଂସିୟା ରହିଥିବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

ସଂପାଦକୀୟ

କୋଣାର୍କର ଏହି ସଂଖ୍ୟାଟି ଶିଶୁ-ସାହିତ୍ୟର ଆଲୋଚନା ପ୍ରତି ସମର୍ପିତ । ସନ୍ନିବେଶିତ ତେରଗୋଟି ପ୍ରବନ୍ଧରେ ଆମେ ଆପାତତଃ ଶିଶୁସାହିତ୍ୟର ରଚନାତ୍ମକ ଦିଗର ବିଚାର, ଗଦ୍ୟ ପଦ୍ୟ ଏବଂ ନାଟକ ରଚନାର ଧାରା, ଶିଶୁସାହିତ୍ୟର ସ୍ରଷ୍ଟାମାନଙ୍କ ଭୂମିକା ଏବଂ ଦାୟିତ୍ୱ ଆଦି ସହିତ ସାହିତ୍ୟର ସର୍ଜନା କ୍ଷେତ୍ରକୁ ସାର୍ଥକ କରିଥିବା କତିପୟ ସ୍ରଷ୍ଟାଙ୍କର ବ୍ୟକ୍ତିତ୍ୱ ଓ କୃତିର ଆଲୋଚନା କରିବାର ପ୍ରୟାସ କରିଛୁ । ଏତେ କଥା ପାଇଁ କୋଣାର୍କର ସୀମିତ କଳେବର ପର୍ଯ୍ୟାପ୍ତ ନୁହେଁ । ତେବେ ମଧ୍ୟ ଗୁଣ୍ଡୁଚି ମୂଷାର ପ୍ରଚେଷ୍ଟାଭଳି ଏହାର ମଧ୍ୟ କିଛି ଭୂମିକା ଅବଶ୍ୟ ରହିଛି ।

 

ଶିଶୁ-ସାହିତ୍ୟର ରଚନା କ୍ଷେତ୍ର ଯେଭଳି ମହତ୍ୱପୂର୍ଣ୍ଣ, ସେଭଳି ଦାୟିତ୍ୱପୂର୍ଣ୍ଣ ମଧ୍ୟ । ଶିଶୁମାନଙ୍କପାଇଁ ବୟସ୍କ ଲେଖକମାନଙ୍କଦ୍ୱାରା ରଚିତ ସାହିତ୍ୟକୁ ଶିଶୁସାହିତ୍ୟ ବୋଲି ଅଭିହିତ କରାଯାଇଛି । ଥୋକାଏ କହନ୍ତି ମଧ୍ୟ ଯେ ଶିଶୁମାନଙ୍କଦ୍ୱାରା ରଚିତ ସାହିତ୍ୟ ଶିଶୁସାହିତ୍ୟ । ଏହା ଭୁଲ । ଶିଶୁମାନଙ୍କର ଜ୍ଞାନବୃଦ୍ଧି ନିମନ୍ତେ, ଚରିତ୍ର ଗଠନ, ସମର୍ଥ ଓ ଆଦର୍ଶ ନାଗରିକ, ସ୍ୱାବଲମ୍ବୀ, ସାହସୀ, ଅନ୍ୱେଷୀ ଆଦିଆଦି ଅନେକ ଭାବରେ, ଶିଶୁକୁ ଗଢ଼ିତୋଳିବାର ଭୂମିକା ଶିଶୁସାହିତ୍ୟର । ଏ ଦିଗରେ ପାରିପାର୍ଶ୍ୱିକ ଅନେକ କିଛିର ଅବଦାନ ମଧ୍ୟ ରହିଛି । ଜ୍ଞାନ, ଅନୁଭୂତି, ଶିଶୁ ମାନସକୁ ଭଲକରି ବୁଝୁଥିବା ପ୍ରବୀଣମାନେ ଶିଶୁମାନଙ୍କ ପାଇଁ ସେସବୁ ଲେଖିଥାନ୍ତି । ବର୍ତ୍ତମାନର ଶିଶୁକୁ ମନୋରଞ୍ଜକ ଢଙ୍ଗରେ ଶିକ୍ଷିତ କରି ସବୁଦିଗରୁ ଉତ୍ତମ କରି ଗଢ଼ି ତୋଳିବାର ଦାୟିତ୍ୱ ଶିଶୁ-ସାହିତ୍ୟିକଙ୍କର । ଏହା ଏକ ସହଜସାଧ୍ୟ ବ୍ୟାପାର କଦାପି ନୁହେଁ ।

 

କେଉଁ ଅକଳ୍ପନୀୟ ଅତୀତରେ ହୁଏତ କେଉଁ ସ୍ନେହଶୀଳା ମାତା ଅର୍ଥରହିତ ଶବ୍ଦ, ଅର୍ଥହୀନ ଭାବ, ଅଶୃଙ୍ଖଳିତ ପଦବିନ୍ୟାସ ଅଥଚ ଅପୂର୍ବ ଛନ୍ଦ ଓ ଧ୍ୱନିରେ ଗାଇ ଆପଣାର ଅଝଟ ସନ୍ତାନକୁ ବୁଝେଇ ଦେଇଥିବା, ଖୁଏଇ ଶୁଏଇ ଦେଇଥିବା ସେଠି ଭାବର ଅର୍ଥର କୌଣସି ଭୂମିକା ନାହିଁ । ପଦ୍ମତୋଳାରେ ସାପ ମୋହିତ ହେଲାଭଳି, ତୋଡ଼ୀରେ ହରିଣୀ, ଜୟଜୟନ୍ତୀରେ ଗାଈ ଆଦିଆଦି ଧ୍ୱନିମୁଗ୍‌ଧ ପଶୁପକ୍ଷୀଙ୍କ ଭଳି ଭାବଗ୍ରହଣର କ୍ଷମତା ରହିତ ଅବୋଧ ଶିଶୁଟି ମଧ୍ୟ ସମ୍ମୋହିତ ହୋଇଥିବ । ସେଭଳି ବହୁ ମାତୃ ରଚିତ ସ୍ୱତଃସ୍ଫୁର୍ତ୍ତ ସାର୍ଥକ ସଂଗୀତ କୋଉ ଅନ୍ତହୀନ ଆକାଶରେ ଲୀନ ହୋଇ, ଭାଷା, ଅଞ୍ଚଳ, ଋତୁ, ପରିବେଶ, ସାମାଜିକ ସ୍ଥିତି, ଆଦି ଭେଦରେ ବଦଳି ବଦଳି, ବିଶ୍ୱସାହିତ୍ୟରେ ଯାହା କିଛି ବି ସଂଗୃହୀତ ଲିପିବଦ୍ଧ ହୋଇଛି, ଏଯାବତ୍ କେତେ ବିଶ୍ୱ-ଭାରତୀର ସମର୍ଥ ସ୍ରଷ୍ଟାଙ୍କର ରଚନାକୁ ପ୍ରଭାବିତ କରି ନାନାବାୟା ଗୀତ, ଲୋରୀ, ନର୍ସରୀ ରାଇମ ଆଦି ନାଆଁରେ ଧ୍ୱନିତ ହୋଇଛି । ଏହା ହୁଏତ ଶିଶୁସାହିତ୍ୟର ପଦ୍ୟ ରଚନା କ୍ଷେତ୍ରରେ ଆଦିପର୍ବ । ଓଡ଼ିଆ ସାହିତ୍ୟର ସଂଚୟନ କ୍ଷେତ୍ରରେ ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାଶଙ୍କର (ପଲ୍ଲୀଗୀତ ସଂଚୟନ) ଭୂମିକା ଅପ୍ରତିଦ୍ୱନ୍ଦ୍ୱୀ ।

 

ସେହିଭଳି କୌଣସି ଆଈମା କି ଜେଜେବାପା ନାତିନାତୁଣୀଙ୍କୁ ଗପ ଶୁଣେଇ ସେମାନଙ୍କ ମଧ୍ୟରେ କୌତୁହଳ, ଜିଜ୍ଞାସା, ଉତ୍‌କଣ୍ଠା, ଏକାଗ୍ରତା ବିଶ୍ୱାସ ବଢ଼େଇଥିବେ ଓ ଗଳ୍ପକଥନ ମାଧ୍ୟମରେ ଗଦ୍ୟରଚନାର ନିହ ପଡ଼ିଥିବ ।

 

ଓଡ଼ିଆ ସାହିତ୍ୟରେ ଶିଶୁ-ସାହିତ୍ୟର ରଚନା ପ୍ରକ୍ରିୟାର ଉନ୍ମେଷ ଘଟିଛି ମଧୁସୂଦନ ରାଓଙ୍କର ପଢ଼ା ବହି ଲେଖା ଓ ଶିଶୁ ଉପଯୋଗୀ ଅନ୍ୟାନ୍ୟ ରଚନାରୁ । ପରେ ସେ ତାଙ୍କର ଶିକ୍ଷାଗୁରୁ କବି ରାଧାନାଥଙ୍କର ମାର୍ଗଦର୍ଶନ ଫଳରେ ଓ ଉଭୟଙ୍କର ମିଳିତ ଉଦ୍ୟମରେ ରଚିତ ପ୍ରଥମପାଠ ଓ ତାଙ୍କର ବର୍ଣ୍ଣବୋଧ । ବର୍ଣ୍ଣବୋଧ ଉଭୟ ଗଦ୍ୟ ଏବଂ ପଦ୍ୟଭାଗରେ କେବଳ ମାତ୍ର ବର୍ଣ୍ଣଶିକ୍ଷା ନୁହେଁ, ଈଶ୍ୱର ଆକାଶ-ସୂର୍ଯ୍ୟ-ଚନ୍ଦ୍ର-ତାରା, ସକାଳ-ସଞ୍ଜ, ଦିନରାତି, ୠତୁ, ସ୍ୱାସ୍ଥ୍ୟରକ୍ଷାର ନିୟମ; ଏବଂ ରଚନାର ମନୋହରୀତା-ସ୍ୱରୂପ ପ୍ରହେଳିକା ଏବଂ ପରେ ପଞ୍ଚତନ୍ତ୍ର, ଇସପ୍‌ଫେବଲ ପର୍ଯ୍ୟାୟର ପଶୁପକ୍ଷୀ ଚରିତ୍ର ଆଧାରର ମନୋରଞ୍ଜକ ରଚନାର ଏକ ଅନବଦ୍ୟ ସୃଷ୍ଟି । ପଛକୁ ପଛ ବ୍ୟାସକବି ଫକୀର ମୋହନ, ଚନ୍ଦ୍ରମୋହନ ମହାରଣା, ଗୋପାଳ ପ୍ରହରାଜ, ନନ୍ଦକିଶୋର ବଳ; ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, କୁନ୍ତଳା କୁମାରୀ, କାଳୀଚରଣ ପଟ୍ଟନାୟକ, ଉପେନ୍ଦ୍ର ତ୍ରିପାଠୀ, ଉଦୟନାଥ ଷଡ଼ଙ୍ଗୀ, ଗୋଦାବରୀଶ ମହାପାତ୍ର, କୁଞ୍ଜବିହାରୀ ଦାଶ, ଚକ୍ରଧର ମହାପାତ୍ର, ପଦ୍ମଚରଣ ପଟ୍ଟନାୟକ, ବୀରକିଶୋର ଦାସ, ରାମକୃଷ୍ଣ ନନ୍ଦ ଆଦି ମନୀଷୀଙ୍କର ରଚନାରେ ଓଡ଼ିଆ ଶିଶୁସାହିତ୍ୟ ପୁଷ୍ଟ, ପଲ୍ଲବିତ ଓ ପୁଷ୍ପିତ ହେଲା । ପ୍ରଭାତ, ପଞ୍ଚାମୃତ, ଜହ୍ନମାମୁଁ, ମୋ’ଦେଶ, ସଂସାର ପ୍ରଭୃତି ଅତ୍ୟନ୍ତ ସାର୍ଥକ ପତ୍ରିକା ପ୍ରକାଶିତ ହେଲା ତଥା ଖବରକାଗଜ ଓ ସାହିତ୍ୟ ପତ୍ରିକାର ଶିଶୁଉପଯୋଗୀ ସ୍ତମ୍ଭଗୁଡ଼ିକ ମଧ୍ୟ ରହିଲା । ଏ ଧାରା ଅତୁଟ ରହିଛି । ହୁଏତ ସେହି ଆଲୋକଦର୍ଶୀ ପ୍ରକାଶନ ଏବଂ ସେହି ମହାପୁରୁଷମାନେ ନାହାନ୍ତି, ତଥାପି ତାଙ୍କର ଅବିଦ୍ୟମାନତାରେ ସୃଜନର ନିରନ୍ତରତା ରହିଛି ଓ ସମକାଳୀନ ସ୍ରଷ୍ଟାମାନେ କେବଳ ମାତ୍ର ରଚନା ନୁହେଁ ଆଲୋଚନା ପରୀକ୍ଷା ନିରୀକ୍ଷାଦି ସହିତ ପ୍ରତିବଦ୍ଧ ନିଷ୍ଠାରେ ସଂଶ୍ଲିଷ୍ଟ ହୋଇ ରହିଛନ୍ତି । ଓଡ଼ିଆ କଥା ସାହିତ୍ୟର ଦୁଇଜଣ ମହାରଥୀ ଶ୍ରୀ ମନୋଜ ଦାସ, ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଏବଂ ସମକାଳୀନ କବିତାରେ ଏକ ମଧୁର ଉଦାତ୍ତ ସ୍ୱର ଡକ୍ଟର ପ୍ରସନ୍ନକୁମାର ମିଶ୍ର, ଏମାନଙ୍କୁ ବହୁକ୍ଷେତ୍ରରୁ ସ୍ୱୀକୃତି ମିଳିଛି । ମୋ ଜାଣିବାରେ ଶ୍ରୀ ରମେଶ ପତ୍ରୀ, ଶ୍ରୀ ଦାଶ ବେନହୁର ବହୁ ସାର୍ଥକ ସିଦ୍ଧିର ଅଧିକାରୀ । ମୋର ଅଜ୍ଞତାଲାଗି ଅନେକ ନାମୋଲ୍ଲେଖ କରିପାରୁ ନାହିଁ । ତେବେ ଗୋଟାଏ କଥା ମନୋଜବାବୁ ଓ ଶାନ୍ତନୁବାବୁଙ୍କ ଶିଶୁସାହିତ୍ୟ । ମୋ ବିଚାରରେ ଜଣେ ଅଦ୍ଭୁତ କଳ୍ପନାକୁ (Fantasy) ଅପୂର୍ବ ଯଥାର୍ଥତା (Reality) ପ୍ରଦାନ କରୁଥିବାବେଳେ ଜଣେ ସଂପୂର୍ଣ୍ଣ ବୈଜ୍ଞାନିକ ସୈଦ୍ଧାନ୍ତିକ ଯଥାର୍ଥତାକୁ ଫାଣ୍ଟାସୀର ରୁପପ୍ରଦାନ କରିବାର ଅପୂର୍ବ ବିନ୍ଧାଣୀ, ଉଭୟର ଲକ୍ଷ୍ୟ ଆପାତତଃ ଏକ । ଏସବୁ ସହିତ ଅନେକ ନବୀନ ରଚନା ମଧ୍ୟ ଦେଖିବାକୁ ମିଳୁଛି ଯାହା ଏଯାବତ ପଞ୍ଚତନ୍ତ୍ରର ସରହଦ ଟପି ନାହିଁ ।

 

X X X ପ୍ରାୟ ଦେଢ଼ହଜାର ବର୍ଷଧରି ବିଷ୍ଣୁଶର୍ମାଙ୍କର ପଞ୍ଚତନ୍ତ୍ର ଭବ୍ୟସମ୍ଭର୍ବରେ ପୃଥିବୀ ଭ୍ରମଣ କରୁଛି । କାରଣ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଅନେକ ପୂର୍ବରୁ କେଜାଣି କେଉଁ ଅଜ୍ଞାତ କାଳରେ ପଞ୍ଚତନ୍ତ୍ରର ମୂଳରଚନା କେଉଁଠାରେ ବିଲୁପ୍ତ ହୋଇଯାଇଛି । ତେବେ ତାର ଅବଶେଷ ଭାବରେ ଯାହା ମିଳିଛି ତାହା ଆନୁମାନିକ ଖ୍ରୀ. ପୂ. ୨୦୦ରେ କାଶ୍ମୀରୀ ରଚନା ତନ୍ତ୍ରାଖ୍ୟାୟିକା ଏବଂ ୫୭୦ ଖ୍ରୀଷ୍ଟାବ୍ଦର ପହ୍ଲବୀ ଅନୁବାଦର ମୂଳଲୁପ୍ତ ଉତ୍ତର-ପଶ୍ଚିମ ଭାରତୀୟ ପାଠ । ଏଇ ଅନୁବାଦଟି ମଧ୍ୟ ଲୁପ୍ତ ମାତ୍ର ତାର ଭିତ୍ତିରେ ଅଷ୍ଟମ ଶତାବ୍ଦୀରେ ହୋଇଥିବା ସୀରିୟ ଅନୁବାଦ ‘କଲିଲଗ ଓୟା ଦିମନଗ’ (କରକଟ ଓ ଦମନକ) ଏବଂ ଆରବୀ ଅନୁବାଦ ‘କଲିଲା ଓୟା ଦିମକା’ ଉପଲବ୍‌ଧ । ଏହାର ପରେ ପରେ ଗ୍ରୀକ୍, ଇଟାଲୀୟ, ଜର୍ମାନ୍, ଲାଟିନ, ପ୍ରେଂଞ୍ଚ, ଇଂରାଜୀ, ସ୍ପେନ ପ୍ରଭୃତି ୟୁରୋପୀୟ ଭାଷାରେ ଅନୁଦିତ ହୋଇଛି, ଏପରିକି ହିବ୍ରୂରେ (ବିସ୍ତୃତ ବିବରଣୀ ନିମନ୍ତେ History of Indian Literature Vol III part I Winternitz) ଦ୍ରଷ୍ଟବ୍ୟ । ବୃହତକଥାର ଅନ୍ତର୍ଭୁକ୍ତ ପ୍ରାଚୀନ ପଞ୍ଚତନ୍ତ୍ରର କିୟଦଂଶ ଲୁପ୍ତ କିନ୍ତୁ ବୃହତ୍ କଥାମଞ୍ଜରୀରେ ଓ କଥାସରିତ ସାଗର (ଶ୍ଲୋକାକାର)ରେ ରକ୍ଷିତ । ଏତଦ୍‌ବ୍ୟତୀତ ଦକ୍ଷିଣ ଭାରତୀୟ ସଂକ୍ଷିପ୍ତ ପଞ୍ଚତନ୍ତ୍ର ଏବଂ ନେପାଳୀ ପଞ୍ଚତନ୍ତ୍ର ଶ୍ଲୋକସଂଗ୍ରହ ମଧ୍ୟ ଉପଲବ୍‌ଧ ।

 

ଏହି ମୂଳଗୁଡ଼ିକରୁ ବଂଶବିସ୍ତାର କରି ବିଶ୍ୱର ଆପାତତଃ ପଚାଶଟି ଭାଷାରେ ଏବଂ ତାର ପ୍ରାୟ ଦୁଇଶହ ପାଠାନ୍ତରର ସୂଚନା ଦେଇଛନ୍ତି ମନୀଷୀ Hertel । ପଞ୍ଚତନ୍ତ୍ରୀୟ ଗବେଷଣା କ୍ଷେତ୍ରରେ ଏହାଙ୍କର ସ୍ଥାନ ପଣ୍ଡିତ Benefeyଙ୍କର ଠିକ୍ ପରେ ପରେ । ପୂର୍ବ ଆଫ୍ରିକୀୟ ଅଧିବାସୀମାନଙ୍କ ମଧ୍ୟରେ ‘ଅକର୍ଣ୍ଣ ହୃଦୟ,’ ‘ଲମ୍ବକର୍ଣ୍ଣ’ ‘କାଳ-ପେଚକ’ ଓ ‘ବାନର ମକର’ ଗଳ୍ପ ବେଶ୍ ପ୍ରଚଳିତ । ପଞ୍ଚତନ୍ତ୍ରର ଜର୍ମାନୀ ଅନୁବାଦକ Woeffଙ୍କ ମତରେ ବାଇବେଲର ପ୍ରଭାବର ବ୍ୟାପକତା ବିଚାରରେ ପଞ୍ଚତନ୍ତ୍ରର ସ୍ଥାନ ଦ୍ୱିତୀୟ ।

 

ପଣ୍ଡିତବର୍ଗଙ୍କର ଅନୁମାନ ଯେ ନବମରୁ ଏକାଦଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ସଂଭବତଃ କୌଣସି ଜୈନ ମୁନିଙ୍କଦ୍ୱାରା ବର୍ତ୍ତମାନ ପ୍ରଚଳିତ ପଞ୍ଚତନ୍ତ୍ର ରୂପପ୍ରାପ୍ତ ହୋଇଛି, ୧୧୬୬ଖ୍ରୀଷ୍ଟାବ୍ଦରେ ଲିଖିତ ଜୈନ ସାଧୁ ପୂର୍ଣ୍ଣଚନ୍ଦ୍ର ସୂରିଙ୍କର ପଞ୍ଚାଖ୍ୟାନକ ହେଉଛି ତା’ର ଅଳଂକୃତ ରୂପ । ପ୍ରାଚୀନ ଓ ଆଧୁନିକ ଗୁଜରାଟୀ ମରାଠୀ ବ୍ରଜଭାଷା, ତାମିଳ ବଙ୍ଗଳା ଆଦି ଭାରତୀୟ ଭାଷାରେ ଏହା ଅନୂଦିତ ବା ପୁନଃକଥିତ ହୋଇଛି ଏବଂ ନାବାଳକ ସାବାଳକ ଉଭୟ ସାହିତ୍ୟ କ୍ଷେତ୍ରକୁ ସୁଦୀର୍ଘକାଳରୁ ପଞ୍ଚତନ୍ତ୍ର ପ୍ରଭାବିତ କରି ଆସିଛି ।

 

ବିଷ୍ଣୁଶର୍ମା ବୋଲି ସତରେ କେହିଥିଲେ ବା ନଥିଲେ ସେ ପ୍ରଶ୍ନର କୌଣସି ଉତ୍ତର ମିଳେ ନାହିଁ । ଏହା ମଧ୍ୟ ଠିକ୍ ଯେ ପଞ୍ଚତନ୍ତ୍ର ତାଙ୍କର ସଂପୂର୍ଣ୍ଣ ସର୍ଜନା ନୁହଁ, ଅନେକ ଗଳ୍ପର ଆଦି ନିବାସ ଜାତକ ଏବଂ ତାର ପୂର୍ବ-ସମକାଳୀନ ଲୋକକଥା । ଯେଭଳି ବକଜାତକର ୩୮ତମ ଗଳ୍ପଟି ମିତ୍ରଭେଦର ପ୍ରଥମ ଗଳ୍ପ । ବାନରେନ୍ଦ୍ର ଜାତକ ୯୭ ତମ ଗଳ୍ପଟି ଲବ୍‌ଧ ପ୍ରମାଣର ମୂଳଗଳ୍ପ । କଟବାଣିଜ ଜାତକର ୯୮ ମିତ୍ରଭେଦର ୧୯ତମ ଗଳ୍ପ ଧର୍ମବୁଦ୍ଦିପାପବୁଦ୍ଧି, ମିତଚିନ୍ତି ଜାତକ ୧୧୪ ଅନାଗତ ବିଧାତା, (୧୪ତମ ଗଳ୍ପ) କାଳଜାତକ ୧୪୦ ଅପରୀକ୍ଷିତକାରକର ୯/ ସଞ୍ଜୀବ ଜାତକ ୧୫୦-ତାର ୩ । ତ୍ରିପର୍ଯସ୍ତ ଜାତକ ୧୬ ମିତ୍ରପ୍ରାପ୍ତିର ଶେଷ ଘଟଣା ଆଦି ଆଦି । ଅନ୍ୟତମ ବିଶ୍ୱପ୍ରସିଦ୍ଧ ରଚନା ଏସପ୍‍ଫେବଲସ୍ । ମନୁଷ୍ୟ ଓ ପଶୁପକ୍ଷୀ ତାର ପାତ୍ରପାତ୍ରୀ । ଏହା ସହିତ ନାରାୟଣଙ୍କର ହିତୋପଦେଶ, ସୋମଦେବଙ୍କର କଥାସରିତ ସାଗର, ଗୁଣାଢ଼୍ୟଙ୍କର ବୃହତ୍ କଥା, ଶିବଦାସଙ୍କର ବେତାଳ ପଞ୍ଚବିଂଶତି, ସିଂହାସନ ଦ୍ୱାତ୍ରିଂଶକା, (ଭୋଜରାଜଙ୍କର ସିଂହାସନାରୋହଣ) ଚିନ୍ତାମଣି ଭଟ୍ଟଙ୍କର ଶୁକସପ୍ତତି ଅଛି । ଏସବୁ ଗ୍ରନ୍ଥରେ ସନ୍ନିବେଶିତ ପ୍ରତ୍ୟେକ ଗଳ୍ପକୁ ଶିଶୁ ଉପଯୋଗୀ ବୋଲି ଆଦୌ କୁହାଯାଇ ପାରିବ ନାହିଁ । ଏମାନଙ୍କୁ ଅଧିକ ପରିମାଣରେ ନୀତିଶାସ୍ତ୍ର ବୋଲି କୁହାଯିବା ଉଚିତ ହେବ । କ୍ଲିଷ୍ଟ ସମାସ ଯୁକ୍ତ ଭାଷା (କେତେକ କ୍ଷେତ୍ରରେ) ଓ କ୍ଷେତ୍ରବିଶେଷରେ ବୟସ୍କ ଜନୋଚିତ ଭାବ ହେତୁ ଏହାର (ବିଶେଷତଃ ପଞ୍ଚତନ୍ତ୍ର ଓ ହିତୋପଦେଶର) ସରଳ ସହଜ ରୀତିରେ ପୁନର୍କଥନ ଆବଶ୍ୟକ । ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ଶତପଥୀଙ୍କର ଜାତକ-ଗଳ୍ପମାନଙ୍କର ଅନୁବାଦ-ସଂକଳନ ଏକ ଅପ୍ରତିମ ସାର୍ଥକ ଅବଦାନ । ଶିଶୁ ଉପଯୋଗୀ ବହୁ ଉପାଦାନ ଥିଲେ ହେଁ, ଏହାର ଉନ୍ନତତର ଭାଷା ଶିଶୁ ବୋଧଗମ୍ୟ ହେବା ସହଜ ନୁହେଁ ।

 

ପଞ୍ଚତନ୍ତ୍ରର ଯାତ୍ରା ଏଇନେ ବି ଅବ୍ୟାହତ ରହିଛି । ଛୋଟଛୋଟ ପିଲାଙ୍କ ବହି ଭାବରେ, ଚିତ୍ରକଥା ଛଳରେ ଅନ୍ତତଃ ସବୁ ଭାରତୀୟ ଭାଷାରେ ବାହାରୁଛି । ମୂଳ ରଚନାର ଭାଷା ମୋଟେ ସରଳ ନୁହେଁ । ସ୍ଥଳବିଶେଷରେ ଏଭଳି କ୍ଲିଷ୍ଟ ଏବଂ ସମାସ ଭାରରେ ଲଦି ହୋଇଛି ଯେ ବୟସ୍କ ପାଠକଙ୍କର ବୋଧଗମ୍ୟ ହେବା ମଧ୍ୟ କଠିଣ । ତେଣୁ ତାହା କୁଶଳୀ ହାତରେ ପୁନଃକଥିତ, ପୁନଲଖିତ ହେବା ଆବଶ୍ୟକ; ମାତ୍ର ଅନୁବାଦ ନୁହେଁ ।

 

ବିଷ୍ଣୁଶର୍ମାଙ୍କର କଥନାନୁସାରେ ଏହା ଏକ ନୀତିଶାସ୍ତ୍ର ଏବଂ ସେ ଅଶିତୀପର ବୃଦ୍ଧବୟସରେ ପ୍ରତିଜ୍ଞା କରୁଛନ୍ତି ଯେ ରାଜାଙ୍କର ତିନୋଟି ଯାକ ବିଦ୍ୟାବିମୁଖ ପୁତ୍ରଙ୍କୁ ଛଅମାସ ମଧ୍ୟରେ ପାରଙ୍ଗମ କରିଦେବେ । ସୁନିବଦ୍ଧିତ ପଞ୍ଚତନ୍ତ୍ରମର ମିତ୍ରଭେଦ, ମିତ୍ରପ୍ରାପ୍ତି, କାକୋଲୁକୀୟ, ଲବ୍‌ଧପ୍ରଣାମ, ଅପରୀକ୍ଷିତ କାରକରେ ସଂଯୋଜିତ ଗଳ୍ପଗୁଡ଼ିକରେ କେଉଁଭଳି ମିତ୍ରମିତ୍ର ଭିତରେ ଭେଦ ସଂଘଟିତ ହୋଇଥାଏ, ମିତ୍ରପ୍ରାପ୍ତିର ଉପାୟ ପାରସ୍ପରିକ ସଦ୍‌ଭାବନା ସହଯୋଗ ସହାବସ୍ଥାନ ଆଦି, ଲାଭପରେ ପୁନଶ୍ଚ ହରେଇ ବସିବା, ଚିରଶତ୍ରୁ ହୋଇ ରହିଥିବା, ଲୋଭ, ଦ୍ୱେଷ, ଈର୍ଷା, ମିଥ୍ୟା କଥନାଦିର ଦୁଷ୍ପରିଣାମ ଆଦି ଦିଗରେ ସତର୍କ ସଚେତନତା–ଏପରି ଭାବରେ ସେମାନଙ୍କୁ ନୀତିବନ୍ତ କରି ରାଜଜନୋଚିତ ସମର୍ଥତା ପ୍ରଦାନ କରିଥିବା ଏହି ଗଳ୍ପଗୁଡ଼ିକ ଏତେକାଳପରେ ମଧ୍ୟ ସବୁ ବୟସ ଓ ଶ୍ରେଣୀର ପାଠକଙ୍କର ପ୍ରିୟ । ତାର କଥାଭାଗ ଯେତେ ମନୋରଞ୍ଜକ ଏବଂ କଥାଦର୍ଶବ୍ୟଞ୍ଜକ ତାର ପଦ୍ୟଭାଗ ସେଭଳି ନୀତିନିର୍ଦେଶକ ।

 

ତେବେ ସଂପ୍ରତି କାଳ ବଦଳି ଯାଇଛି । ଶାସନର ଧାରା ସମାଜର ରୀତି ଓ ଚଳନୀ ବଦଳି ଯାଇଛି, ଧର୍ମର ଆଚରଣ ଓ ବ୍ୟବସ୍ଥା ବଦଳି ଯାଇଛି, ଚେତନା ଏକ ନିର୍ଦ୍ଦିଷ୍ଟ ସୀମାରେ ସୀମାବଦ୍ଧ ହୋଇନାହିଁ, ବିଶ୍ୱତୋମୁଖୀ ହୋଇଛି, ପୃଥିବୀ ସଂକୁଚିତ ହୋଇଛି ଜନବହୁଳତା ଲାଗି, ବିଜ୍ଞାନ ଯେଉଁପରି ସୁଫଳ ଦେଇଛି ସେଇଭଳି ଆଶଂକିତ କରିରଖିଛି । ପଶୁପକ୍ଷୀ ସହିତ, ପ୍ରକୃତି ସହିତ ମନୁଷ୍ୟର ମିତ୍ରତା ଦୁର୍ଲଭ । ମଣିଷ ମଣିଷ ଯଦି ପାରସ୍ପରିକ ମିତ୍ରତା ସୁତ୍ରରେ ବାନ୍ଧିହୋଇ ରହିନାହିଁ, ମଣିଷେତର ଜଗତ ଓ ପ୍ରକୃତି ସହିତ ସଂବନ୍ଧ ମିତ୍ରତାପୂର୍ଣ୍ଣ ହେବ କିଭଳି ?

 

ଗୋଟିଏ କାଳ ଆସିଛି ଯେତେବେଳେ ଶିଶୁମାନଙ୍କ ଭିତରେ ପଠନାଗ୍ରହ ନାହିଁ । ନାନା ଅପର ମନୋରଞ୍ଜନର ବ୍ୟବସ୍ଥା ଭିତରେ ସେଭଳି ଏକ ଅନୁରାଗ ଏପରିକି ବୟସ୍କଙ୍କ ମଧ୍ୟରେ ବି ସୀମିତ । ଏହା ଏକ ଶୁଭସଂକେତ ଆଦୌ ନୁହେଁ । ହୋଇପାରେ ଆସନ୍ତାକାଲି ଆମ ଆଗରେ ପୂର୍ଣ୍ଣତଃ ଏକ ପଠନ ଅନାଗ୍ରହୀ ସମାଜ ଥିବ । ଲେଖକ ସମୁଦାୟର ଏ ସ୍ଥିତିରେ କର୍ତ୍ତବ୍ୟ କଣ ? ସେଦିନ ‘ଶିଶୁଲେଖା’ର ବାର୍ଷିକୋତ୍ସବରେ ବିଚାର ଉପସ୍ଥାପିତ ହେଲା ଓଡ଼ିଶାର ପ୍ରାୟ ପଚାଶହଜାର ପ୍ରାଇମେରୀ ବିଦ୍ୟାଳୟକୁ ଶିକ୍ଷାବିଭାଗରୁ ସଦସ୍ୟତାପାଇଁ ନିର୍ଦ୍ଦେଶ ଗଲେ ‘ଶିଶୁଲେଖା’ର ରୂପ ଓ ଗୁଣ ବଦଳିଯିବ । ତାହା ବି ହେଉନାହିଁ ଉଦାସୀନତା ଲାଗି । ଟି. ଭି. ଆଗରେ ବସି ସେମାନଙ୍କ ଆଖି ଆଗରେ ପଠନ ଅଧ୍ୟୟନ ବିମୁଖ ସନ୍ତାନମାନଙ୍କ ଲାଗି ଖଣ୍ଡିଏ ଭଲ ବହି ବା ପତ୍ରିକାଟିଏ ଯୋଗେଇ ଦେବାର ବେଳନାଇଁ ପିତାମାତାଙ୍କର....ଏମିତି କେତେଜଣ...କେବଳ ଶିଶୁସାହିତ୍ୟର ଲେଖକର ଏହା କର୍ତ୍ତବ୍ୟ ନୁହେଁ ଅନେକଙ୍କର....। ପୁରାଣ କିମ୍ବଦନ୍ତୀ, ଇତିହାସ, ଆଞ୍ଚଳିକ, ରୀତିନୀତି, ପର୍ବ, ପୁରାଣ ଇତିହାସ ପୁରୁଷଙ୍କର ଜୀବନାଦର୍ଶ, ସବୁକିଛି, ପୃଥିବୀର କୋଣ ଅନୁକୋଣ, ପଶୁପକ୍ଷୀ ପ୍ରକୃତି ଏମାନେ ରହିବେ....ତେବେ ରହିବେ କେମିତି ? ଆଲୋଚନା ହେଉ, ବିଧାନ ହେଉ...ସୁଖର କଥା ପ୍ରଫେସର ଡକ୍ଟର ଜଗନ୍ନାଥ ମହାନ୍ତି, ଡକ୍ଟର ମନୀନ୍ଦ୍ର ମହାନ୍ତି, ଡକ୍ଟର କୃତ୍ତିବାସ ନାୟକ, ଡକ୍ଟର ସ୍ନେହ ମୋହିନୀଶ୍, ଡକ୍ଟର ମହେଶ୍ୱର ମହାନ୍ତି, ଡକ୍ଟର ଦିଗରାଜ ବ୍ରହ୍ମା ପ୍ରଭୃତି ବହୁଦିଗରୁ ଗବେଷଣା କରିଛନ୍ତି, ଅନେକେ କରୁଛନ୍ତି ଓ କରୁଥିବେ ମଧ୍ୟ । ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୫୮ ମସିହାରୁ ଶିଶୁସାହିତ୍ୟ ରଚନା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ କୋଡ଼ିଏ ଜଣ ଲେଖକ ଲେଖିକାଙ୍କୁ ପୁରସ୍କୃତ କରି ସମ୍ମାନିତ କରି ସାରିଛନ୍ତି । ତଥାପି ମଧ୍ୟ ଅନେକ କିଛି ଖାଲି ଖାଲି ଲାଗୁଛି....ଯାହା ହୋଇଛି, ହେଉଛି ପର୍ଯ୍ୟାପ୍ତ ନୁହେଁ ଭଳି ମନେ ହେଉଛି...ଭବିଷ୍ୟତକୁ ଦେଖିଲେ କେମିତି କେଜାଣି ଭୟ ସଂଚାର ହେଉଛି......

 

ଶ୍ରୀନିବାସ ଉଦ୍‌ଗାତା

***

 

ଶିଶୁସାହିତ୍ୟର ଔଚିତ୍ୟ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ଅଶିଶୁମାନେ ଶିଶୁମାନଙ୍କ ନିମନ୍ତେ ସାହିତ୍ୟ ବୋଲି ଯାହା କିଛିକୁ ରାନ୍ଧି ଥୋଇଦିଅନ୍ତି, ପାରମ୍ପରିକ ସଂଜ୍ଞାନିରୁପଣର ଭୋଳରେ ଆମେ ତାକୁ ଶିଶୁସାହିତ୍ୟ ବୋଲି ବୁଝିଥାଉ ଓ କହିଥାଉ । ଅଶିଶୁମାନଙ୍କର କାମ ଚଳିବାପାଇଁ ଏତିକି ସଂଜ୍ଞା ଯେ ବେଶ୍ ଚଳିଯାଏ, ଏଥିରେ କୌଣସି ସନ୍ଦେହ ନାହିଁ । ଶିଶୁମାନେ ସାହିତ୍ୟ ବୋଲି ଯାହା ଲେଖନ୍ତେ, ଯଥାର୍ଥତଃ ତାହାକୁ ହିଁ ଶିଶୁସାହିତ୍ୟ ବୋଲି କୁହାଯାଆନ୍ତା ବୋଲି ଶ୍ରୀ ପ୍ରମଥ ଚୌଧୁରୀ ଏକଦା ଯାହା ଲେଖିଥିଲେ, ସେଥିରେ ତଥାପି ବହୁତ ସତ୍ୟ ନିହିତ ହୋଇ ରହିଛି । ଆମ ସମାଜରେ ଗୋଟିଏ ଶିଶୁ ସତକୁ ସତ ତା’ ସାହିତ୍ୟ ବୋଲି କ’ଣ ସବୁ ପଢ଼ିବାକୁ ଇଚ୍ଛା କରୁଛି, ସେହି ସମାଜର ଅଶିଶୁମାନେ ନିଜେ ବାନ୍ଧି ହୋଇଥିବା ସଂସ୍କାରଗୁଡ଼ାକଦ୍ୱାରା ପରିଚାଳିତ ହୋଇ ତାହାର ନିରୁପଣ କରିଥାନ୍ତି । ସମାଜର ଅଧିକାଂଶ ବୟସ୍କ ପ୍ରୟୋଜନର ବଶବର୍ତ୍ତୀ ହୋଇ ଅନେକ ସମୟରେ ସଂସ୍କାରଗୁଡ଼ିକୁ ହିଁ ସତ୍ୟ ବୋଲି ଗ୍ରହଣ କରି ନେଇଥାଆନ୍ତି । ସେମାନେ ଯେତିକି ଭିତରେ ରହିଥାନ୍ତି ଓ ଆତଯାତ ହେଉଥାନ୍ତି, ତାହାକୁ ହିଁ ସତେ ଅବା ସନାତନ ବୋଲି ବୁଝନ୍ତି । ତଦ୍ଦ୍ୱାରା ‘ସନାତନ’ ଶବ୍ଦଟିର ପରିଧିଟିକୁ ଭାରି ଅଶୁଦ୍ଧ କରିପକାନ୍ତି ।

 

ଭାରତୀୟ ସମାଜରେ ଆମର ମାପକାଠିଗୁଡ଼ିକ ଅନୁସାରେ ଶିଶୁ କିଏ, ଯାହାପାଇଁକି ଶିଶୁସାହିତ୍ୟ ଲେଖାଯିବ ? ଭାରତବର୍ଷର ସାମାଜିକ ସଂସ୍କୃତିରେ ସେହି ଆବହମାନ କାଳରୁ ହିଁ ଅସମାନ ମଣିଷମାନଙ୍କ ଭିତରେ ଏକ ଅସ୍ୱାସ୍ଥ୍ୟକର ଦଉଡ଼ ଲାଗି ରହିଆସିଛି ଓ କାଳେକାଳେ ଅଧିକ ପ୍ରବଳ ଓ ଅଧିକ ବଳଶାଳୀମାନେ ହିଁ ସେହି ଦଉଡ଼ଗୁଡ଼ିକର ନିୟମାବଳୀକୁ ନିର୍ଦ୍ଧାରଣ କରି ଦେଇଛନ୍ତି । ଅର୍ଥାତ୍, ଯୁଗେଯୁଗେ ସେହିମାନେ ହିଁ ସବୁ ଦଉଡ଼ରେ ଜିତିଛନ୍ତି ଏବଂ ସେହି ଜିତିବାକୁ ଭଗବାନଙ୍କର କୃପା ବୋଲି କହିଛନ୍ତି । ସେହି ଜିତିବାବାଲାଙ୍କୁ ଆଖି ଆଗରେ ରଖି ପଣ୍ଡିତମାନେ ଶାସ୍ତ୍ର ଲେଖିଛନ୍ତି, ଭାଟମାନେ ଶ୍ଲୋକାବୃତ୍ତି କରିଛନ୍ତି ଏବଂ ବିଷ୍ଣୁଶର୍ମାମାନେ କାହାଣୀ ଶୁଣାଇଛନ୍ତି । ନୈତିକତା ଓ ମୂଲ୍ୟବୋଧ ପ୍ରଭୃତିର ଅଭିଧାନ ଏବଂ ବ୍ୟାକରଣଗୁଡ଼ିକ ମଧ୍ୟ ନ୍ୟାୟତଃ ସେହି ହିସାବରେ, ବେହିସାବରେ ତିଆରି କରାଯାଇଛି । ସେହି ବେହିସାବର ବେଭାର ଆମ ଦେଶରେ ଓ ଆମ ସମାଜରେ ଅଳ୍ପବହୁତେ ଏବେ ମଧ୍ୟ ଚାଲିଛି । ବହୁବିଧ ଅବଜ୍ଞା ଓ ଉପେକ୍ଷାକୁ ଏକ ପଳାୟନଧର୍ମୀ ଓ ପରାଜୟବାଦୀ ସମାଜନୀତି ପ୍ରାୟ ଅବଶ୍ୟମ୍ଭାବୀ ବୋଲି ମାନିନେଇଛି ।

 

ଏକ ନିର୍ଦ୍ଦିଷ୍ଟ ବୟସର ବନ୍ଧନୀକୁ ସାଧାରଣତଃ ଆମ ସମାଜରେ ବାଲ୍ୟବସ୍ଥା ବୋଲି ଧରାଯାଏ । ଶିଶୁସାହିତ୍ୟର ଯାବତୀୟ ଆଲୋଚନାରେ ଆମେ ହୁଏତ ଆହୁରି କିଛି ହ୍ରସ୍କ କରିଆଣି ସେହିସବୁ ବୟସକୁ ଶିଶୁକାଳ ବୋଲି କହିବା, ଯେତେବେଳେ କି ପିଲାଟିଏ ତା’ ସ୍କୁଲକୁ ଯାଉଥାଏ । ଭାରତବର୍ଷରେ ଅଧେ ପିଲାଙ୍କର ଜୀବନରେ ଯେତେବେଳେ ସେହି ବୟସଟି ଆସେ, ସେତେବେଳେ ସେମାନେ ଈଶ୍ୱରଦତ୍ତ କିମ୍ବା ପ୍ରକୃତିନିର୍ଦ୍ଦିଷ୍ଟ ଆଦୌ କୌଣସି କାରଣରୁ ନୁହେଁ, ବିରାଟ ସାମାଜିକ ଅନ୍ୟାୟଗୁଡ଼ିକର କାରଣରୁ ସତକୁ ସତ କୌଣସି ସ୍କୁଲକୁ ଯାଇ ପାରନ୍ତି ନାହିଁ । ଏହି ଶିଶୁମାନେ ମଧ୍ୟ ବଡ଼ ହୁଅନ୍ତି, ବୟସ୍କ ହୋଇ ଆମ ସମାଜର ଚାଲିବାରେ ଭୁମିକାମାନେ ଗ୍ରହଣ କରନ୍ତି । ଭାରତବର୍ଷର ଶିଶୁସାହିତ୍ୟ ସମ୍ଭବତଃ ଅଡ଼ୁଆରେ ପଡ଼ିବନାହିଁ ବୋଲି ସେହି କିସମର ପିଲାମାନଙ୍କର କଥା ଏପର୍ଯ୍ୟନ୍ତ ନିଜ ବିଚାରର ପରିଧି ମଧ୍ୟକୁ ନେଇ ନାହିଁ । ଅନେକ ସମୟରେ ଦୁଷ୍ଟଙ୍କ ପରି କହିବାକୁ ଇଚ୍ଛା ହୁଏ ଯେ, ଶିଶୁମାନଙ୍କୁ ଲକ୍ଷ୍ୟ ରଖି ସାହିତ୍ୟ ଲେଖୁଥିବା ବଡ଼ମାନେ ଭାରତବର୍ଷରେ ଏକାନ୍ତ ଭାବବିହ୍ୱଳ କୌଣସି ପ୍ରୟୋଜନରେ ଅଥବା ଆକର୍ଷଣରେ ପଡ଼ି ସାହିତ୍ୟ ଭିତରୁ ହିଁ ଶିଶୁ ପାଖକୁ ଆସନ୍ତି, ଆଗ ଶିଶୁମାନଙ୍କ ଭିତରେ ଅବଗାହି ଅର୍ଥାତ୍ ଯେକୌଣସି ଶିଶୁଭିତରେ ଅସଲ ଶିଶୁଟିକୁ ଛୁଇଁ ମୋଟେ ସାହିତ୍ୟ ଭିତରକୁ ଯାଆନ୍ତି ନାହିଁ । ଯେକୌଣସି ଘରେ ମାଆଟିଏ ତା’ର ଅନେକ ଶିଶୁଙ୍କ ଭିତରୁ ପ୍ରାୟ ଧର୍ମତଃ ଆଗ ତା’ର ଧଡ଼ିଆ ରୋଗିଣା ଏବଂ ଭୋକିଲା ଶିଶୁମାନଙ୍କୁ ଦେଖେ । ଆଗ ସେମାନଙ୍କର ଶୁଶ୍ରୂଷା କରି ତା’ପରେ ଯାଇ ଅନ୍ୟମାନଙ୍କ ପାଖକୁ ଯାଏ । ଭାରତବର୍ଷ ନାମକ ଘରେ ଶିଶୁସାହିତ୍ୟ ଲେଖୁଥିବା ବିଭୁତିମାନେ ଆଗ ଏହି କାଟର ପିଲାମାନଙ୍କୁ ଏଡ଼ିଦେଇ ବାକିମାନଙ୍କ ପାଇଁ ଶିଶୁସାହିତ୍ୟ ନାମକ ଖେଳନାମାନ ଯୋଗାଇ ଦେବାକୁ କିପରି ମନ କରନ୍ତି କେଜାଣି ? ଏବଂ, ସତକଥା କହିଲେ ସତକୁ ସତ ଆଗ ଶିଶୁମାନଙ୍କୁ ଦେଖି ତା’ପରେ ସେମାନଙ୍କ ଲାଗି ସାହିତ୍ୟ ଲେଖୁଥିବା ଜଣେ ଲେଖକ ପ୍ରକୃତରେ ମାଆଟିଏ ନହୋଇ ଆଉ କ’ଣ ହୋଇପାରିବ ?

 

ଆମ ସମାଜରେ ଯେଉଁ ପିଲାମାନେ ପାଠ ପଢ଼ିବାଲାଗି ବିଦ୍ୟାଳୟକୁ ଆସୁନାହାନ୍ତି, ସେମାନଙ୍କର ଜୀବନ ଯେ ବୃଥା ହୋଇ ଯାଉଛି, ସେକଥା ଆଦୌ ନୁହେଁ । ସେମାନେ ଜୀବନରୁ ଶିକ୍ଷାଲାଭ କରୁଛନ୍ତି । ସେମାନଙ୍କ ଭିତରେ ହୁଏତ ଆତ୍ମବିଶ୍ୱାସ ଏବଂ ଆତ୍ମୀୟତାଭାବ ଅଧିକତର ପରିମାଣରେ ରହିଛି । ଏମାନେ ବଡ଼ ହୋଇ ଗେହ୍ଲା ପାଠପଢ଼ି, ଗେହ୍ଲା ସାହିତ୍ୟକୁ ଉପଭୋଗ କରି ବଡ଼ ହୋଇଥିବା ଅନ୍ୟମାନଙ୍କଠାରୁ ହୁଏତ କମ୍ ଅସାଧୁ ହେଉଛନ୍ତି । ପାଠୁଆମାନେ ଯେତେ ଯେତେ ଅପକର୍ମକୁ ସାହସ କରୁଛନ୍ତି, ଏମାନେ ହୁଏତ ସେତେଯାଏ ସାହସ କରୁନାହାନ୍ତି । ଦରିଦ୍ର ଭାରତବର୍ଷରେ ଏହିମାନଙ୍କର ସଂଖ୍ୟା ଅଧିକ ହୋଇ ରହିଛି ବୋଲି ସମ୍ଭବତଃ ଭାରତବର୍ଷ ତିଷ୍ଠି ରହିଛି । ଆମ ଦେଶର ଶିଶୁସାହିତ୍ୟ ଏମାନଙ୍କ ଲାଗି ମଧ୍ୟ ଆପଣାକୁ ନିୟୋଜିତ କରିପାରିବାର ଉପାୟ ବାହାର କରିବା ତ ବହୁତ ଦୂରର କଥା, ଆମ ଶିଶୁସାହିତ୍ୟକମାନେ ପିଲାଙ୍କ ସକାଶେ ସାହିତ୍ୟ ଲେଖିବା ସମୟରେ ଏମାନଙ୍କ କଥାକୁ ହୁଏତ ମୋଟେ ଭାବିଛନ୍ତି କି ? ଆମ ପାଠ ପଢ଼ୁଥିବା ପିଲାମାନେ ଅନ୍ତତଃ ସେମାନଙ୍କ ପାଇଁ ଲେଖା ହେଉଥିବା ସାହିତ୍ୟର ମାଧ୍ୟମରେ ସେହି ଅନ୍ୟ ପିଲାଙ୍କ ବିଷୟରେ ସଚେତନ ହୁଅନ୍ତୁ, ସେମାନଙ୍କର ଭାଗ୍ୟ ସହିତ ନିଜ ଭାଗ୍ୟକୁ ସାମିଲ୍ କରି ଚିନ୍ତା କରିପାରନ୍ତୁ, ଏବଂ ତଦ୍ୱାରା ଆଗାମୀ କାଲିର ଭାରତବର୍ଷକୁ ସେମାନେ ଏକ ଅନ୍ୟଭଳି ମାନବସ୍ୱୀକୃତିର ପରିଧି ଭିତରେ ଦେଖି ଶିଖନ୍ତୁ, ଆମର ଚଳନ୍ତି ଶିଶୁଲେଖାମାନ ଏଯାଏ ବି ତେଣେ ମନଦେଇ ପାରିନାହିଁ । ତେଣୁ ଶିଶୁସାହିତ୍ୟ ଏଠି ଅନେକତଃ ଥୋକେ ବିଶେଷ ପିଲାଙ୍କର ବସ୍ତୁତଃ ଉପଭୋଗ ପ୍ରଧାନ ଏକ ବଣଭୋଜୀ ପରି ହୋଇ ରହିଛି ।

 

ତେଣୁ, ଶିଶୁସାହିତ୍ୟ ଅଧିକତର ପରିମାଣରେ ଭୁଲାଇ ନେଉଛି, ରସାଉଛି, ମଜ୍ଜାଇ ରଖୁଛି, ସତେଅବା ଏକ ବିନୋଦନ ସାମଗ୍ରୀ ପରି କାର୍ଯ୍ୟ କରୁଛି । ସାହିତ୍ୟ ବିନୋଦନର ଏକ ସାମଗ୍ରୀରେ ପରିଣତ ହୋଇ ରହିଲେ ଆମ ସମସ୍ତଙ୍କ ଭିତରେ ରହିଥିବା ମନୁଷ୍ୟାତ୍ମାଟିର ଯେଉଁ କ୍ଷତି ହୁଏ, ଶିଶୁସାହିତ୍ୟରେ ମଧ୍ୟ ଅନୁରୂପ କିଛି ଘଟୁଛି କି ନାହିଁ, ତାହାର ଏକ ଆକଳନ ହୋଇ ପାରନ୍ତା । ବିଲୁଆ, ବେଙ୍ଗ, ହାତୀ, କୋକିଶିଆଳି, ବାଘମାମୁଁ ଏବଂ କଜଳପାତୀମାନେ ଆମ ଶିଶୁସାହିତ୍ୟରେ କାହିଁକି ଏଡ଼େ ଅଳିଅଳ ଭାବରେ ପାତ୍ରପାତ୍ରୀରୂପେ ଥାନ ମାଡ଼ି ବସୁଛନ୍ତି, ସେହି ପ୍ରସଙ୍ଗଟିର ମଧ୍ୟ ଅନୁସନ୍ଧାନ ହୋଇପାରନ୍ତା । ପୁରାଣମାନଙ୍କରୁ ତ୍ୟାଗ, ଦାନ, ମିତ୍ରତା ଓ ମହନୀୟତାର ମଡ଼େଲ୍‍ଗୁଡ଼ିକୁ ଆଣି ପିଲାଙ୍କୁ ସତେଅବା ସେମାନଙ୍କର ବର୍ତ୍ତମାନଟି ବିଷୟରେ ଭାରି ବଧିରା କରି ଦିଆଯାଉଛି । ବର୍ତ୍ତମାନ ବିଷୟରେ ମନୁଷ୍ୟର ଚିତ୍ତକୁ ଯଥାସମ୍ଭବ ଅଧିକ ସଂବେଦନଶୀଳ କରାଇବାର ପ୍ରୟାସ କରିବା ହୁଏତ ଯେକୌଣସି ସୁସ୍ଥ ସାହିତ୍ୟର ଅଭିପ୍ରାୟ ହୋଇ ରହନ୍ତା । ଆମ ତଥାକଥିତ ଶିଶୁସାହିତ୍ୟ ମଧ୍ୟ ସେଥିରୁ ମୋଟେ ବାଦ୍ ହୋଇ ରହନ୍ତା ନାହିଁ । ବର୍ତ୍ତମାନ ବିଷୟରେ ସଂବେଦନଶୀଳ ହୋଇ ନପାରିଲେ ଆମେ ଭବିଷ୍ୟତଟାକୁ ମଧ୍ୟ କଦାପି ନିଜ ଭିତରେ ସୁସ୍ଥଭାବରେ ଅନୁଭବ କରି ପାରିବା ନାହିଁ । ଭବିଷ୍ୟତର ଗଠନ ଅର୍ଥାତ୍ ଆବଶ୍ୟକ ବିଘଟନ ତଥା ପୁନର୍ଗଠନରେ ଯଥାର୍ଥ ଅନୁରାଗ ସହିତ ଭାଗ ନେଇ ପାରିବା ସକାଶେ ନିଜର ଏକ ଦାୟିତ୍ୱ ରହିଛି ବୋଲି ହୃଦୟଙ୍ଗମ କରିବା ତ ଆହୁରି ଅଧିକ ଦୁରର କଥା । ମଜା କଥା ଓ ମଜା ଗୀତଦ୍ୱାରା ପିଲାମାନଙ୍କର ମିଜାଜଟାକୁ ବହଲାଇ ରଖିବା ଯଦି ବୟସ୍କ ଶିଶୁସାହିତ୍ୟ ଲେଖମାନଙ୍କର ଅଭ୍ୟାସ ହୋଇ ରହିଯିବେ, ତେବେ ଆମ ପିଲାଏ ସତେଅବା ଅଫିମ ଖାଇ ଏକାବେଳକେ ସମ୍ବେଦନାଶୂନ୍ୟ ହୋଇ ରହିଯିବେ । ଆମ ଏବର ସାହିତ୍ୟ ପାଠକମାନଙ୍କୁ ଯେପରି ମୁଖ୍ୟତଃ ଏକ ଆତ୍ମକାମୀ ଓ ଆତ୍ମରତି ଦାୟିତ୍ୱହୀନତାର କ୍ରୋଡ଼ରେ ନେଇ ଶୁଆଇ ପକାଉଛି, ଉପସ୍ଥିତ ଆହ୍ୱାନଗୁଡ଼ିକ ବିଷୟରେ ଅନ୍ୟମନସ୍କ କରି ରଖୁଛି, ଆମ ଶିଶୁସାହିତ୍ୟ ପିଲାମାନଙ୍କର ଗ୍ରହଣଦ୍ୱାରାଗୁଡ଼ିକୁ ମଧ୍ୟ ସେହିପରି କିଳି ରଖିବ ।

 

ଗୋଟିଏ ଶିଶୁଲାଗି ସତକୁ ସତ ଅସଲ ଆହ୍ୱାନଗୁଡ଼ିକ କହିଲେ ଆମେ କେଉଁସବୁ କଥାକୁ ବୁଝିବା ? ଶିଶୁଟିଏ ଭିତରେ ପୂର୍ଣ୍ଣ ମଣିଷଟିଏ ହେବାର ସମ୍ଭାବନାମାନ ଭର୍ତ୍ତିହୋଇ ରହିଛି । ବଡ଼ହୋଇ ଚତୁର୍ଦ୍ଦିଗର ପୃଥିବୀଟିକୁ ଅଧିକରୁ ଅଧିକ ଗବାକ୍ଷ ଦେଇ ଦେଖିବାର ସମ୍ଭାବନା ସେହି ପୃଥିବୀଟିକୁ ଅଗ୍ରସର କରାଇ ନେଇ ପାରିବା ନିମନ୍ତେ ନିଜକୁ ଅଧିକରୁ ଅଧିକ ସମର୍ଥ କରାଇ ତେବାର ସମ୍ଭାବନା, ପୃଥିବୀ ବା ମୋର ସମାଜ ପାଖରୁ ମୁଁ ଯେତେ ପାଉଛି, ତା’ଠାରୁ ଯଥାସମ୍ଭବ ଅଧିକ ପରିମାଣରେ ଓ ଅଧିକ ଗୁଣାତ୍ମକ ଭାବରେ ତାକୁ ଦେଇ ପାରିବାର ଇଚ୍ଛାଗୁଡ଼ିକୁ ବିକଶିତ କରାଇ ଆଣିବାର ସମ୍ଭାବନା ଇତ୍ୟାଦି ଇତ୍ୟାଦି । ପୃଥିବୀଠାରୁ ଦୁହିଁନେବାଠାରୁ ପୃଥିବୀକୁ ଅଧିକ ଦେବା-ସଚରାଚର ତାହାକୁହିଁ ଯଥାର୍ଥ ସଂସ୍କୃତିସମ୍ପନ୍ନତା ବୋଲି କୁହାଯିବା ଉଚିତ, ଯଥାର୍ଥ ଶ୍ରଦ୍ଧାବୋଲି କୁହାଯିବା ଉଚିତ । ଆମ ସଂସାରରେ ଏବେ ବହି ବଢ଼ୁଛି, ବିଜ୍ଞାନ ବଢ଼ୁଛି, ଧନସମ୍ପଦ କୁଢ଼ କୁଢ଼ ହୋଇ ବଢ଼ୁଛି, ତଥାପି ଏଠୁ ଭଲ ପାଇବା କମିଯାଉଛି କାହିଁକି, ସାଙ୍ଗେ କରିବାର, ମିତ ବସିବାର ଏତେ ଏତେ ସରଞ୍ଜାମ ଓ ସାଧନ ବଢ଼ୁଥିବା ସଙ୍ଗେ ସଙ୍ଗେ ଏଠି କବିମାନଙ୍କ ସମେତ ସାଧାରଣ ଅନ୍ୟ ସମସ୍ତେ ନିଃସଙ୍ଗ ଓ ଉଦାସୀନ ହୋଇ ଯାଉଛନ୍ତି, ଆମ ପିଲାଏ ଭଲ ହେବା ପର୍ଯ୍ୟନ୍ତ ଆମଠାରୁ ଏତେ ଏତେ ଉପଦେଶ ଶୁଣୁଥିଲେ ମଧ୍ୟ ତଥାପି ବଡ଼ ହୋଇ ଠିକ୍ ଅଛନ୍ତି କିନ୍ତୁ କର୍କଶ ହୃଦୟ ହେବାକୁ ହିଁ ସବାବଡ଼ ସଫଳତା ବୋଲି ଗ୍ରହଣ କରି ନେଉଛନ୍ତି କାହିଁକି, ଆମ ସାହିତ୍ୟ ଭିତରେ କ’ଣ ସେ ବିଷୟରେ ଏକ ବିତର୍କ ଆରମ୍ଭ ହେବା ଉଚିତ ନୁହେଁ ଏବଂ ଶିଶୁସାହିତ୍ୟିକର ମଧ୍ୟ ସେହି ବିତର୍କରେ କ’ଣ ସାମିଲ ହେବା ଉଚିତ ନୁହେଁ କି ? ଆମ ପିଲାମାନେ ଆମଭଳି ନହୋଇ ଅନ୍ୟପ୍ରକାର ହେବାକୁ ସତକୁ ସତ ମନ କଲେ ଯାଇ ପୃଥିବୀର ଏହି ସାଂପ୍ରତିକ ମୋଡ଼ଟା ବଦଳିବ, କପଟ କମିବ, ଅଭିନୟମାନ ଯିବ, ସାହିତ୍ୟର ମାଧ୍ୟମରେ ଏସବୁ କିଭଳି ହେବ, ସାହିତ୍ୟରେ ଶିଶୁମାନଙ୍କ ପାଇଁ ଲେଖୁଥିବା ବଡ଼ମାନେ ମଧ୍ୟ କ୍ରମେ ଏଣିକି ଚିନ୍ତା କରିବା ଉଚିତ ।

 

ଏହି ପିଲାମାନେ ଆମ ହେପାଜତରେ ରହିବେ, ଆମମାନଙ୍କ ପରିବାରରେ ବଢ଼ିବେ, ସ୍କୁଲମାନଙ୍କରେ ଆମେ ବାନ୍ଧି ହୋଇଥିବା ପୁରୁଣା ଧିସାଗୁଡ଼ିକରେ ପାଠ ପଢ଼ିବେ, ନୃଶଂସ ଓ ଉଦାସୀନ ହେବାର ଜୀବାଣୁମାନେ ଏହି ଚାରିପାଖର ହାଉଆ ଭିତରେ ଭର୍ତ୍ତିହୋଇ ରହିଥିବେ, ତଥାପି ଆମେ ସେମାନଙ୍କ ନିମନ୍ତେ ଏପରି ସାହିତ୍ୟ ଯୋଗାଇବାକୁ ସମର୍ଥ ହେବା, ଯାହା ଫଳରେ କି ସେମାନେ ଆଉଭଳି ହେବାକୁ ମନ କରିବେ, ଆଉଭଳି ହେବାକୁ ନିଜ ଭିତରୁ ଶକ୍ତି ପାଇବେ ଏବଂ ଏକାବେଳେକେ ଅନ୍ୟଭଳି ମୁଲ୍ୟମାନେ ସେମାନଙ୍କୁ ଅଧିକ ଆକର୍ଷଣ କରିବେ ଏହା ଆଦୌ ଏକ ସହଜସାଧ୍ୟ କାର୍ଯ୍ୟ ନୁହେଁ । ସେମାନଙ୍କ ସକାଶେ ଆମେ ଲେଖୁଥିବା ସାହିତ୍ୟ ଯଦି ସାହିତ୍ୟ-ଆସ୍ୱାଦନର ଉପର ସ୍ତରଗୁଡ଼ିକୁ ଭେଦି ସତକୁ ସତ ସେମାନଙ୍କର ହୃଦୟଯାଏ ପହଞ୍ଚି ପାରିବ ଓ ସେମାନଙ୍କର real unconsciousକୁ ସ୍ପର୍ଶ କରିପାରିବ, ହୁଏତ ତେବେ ଯାଇହେବ । ତା’ ନହେଲେ ସାହିତ୍ୟ ନାମରେ କହିବା ଯେଉଁସବୁ ତାମସାର ଅବତାରଣା କରି ପ୍ରଧାନତଃ ମିଛ ମିଥ୍‌ଗୁଡ଼ାକର ଗହନରେ ଯେପରି ଲଟରପଟର ହେବାରେ ଲାଗିଛୁ ଏବଂ ସଂସ୍କୃତି ନାମରେ ଗୁଡ଼ାଏ କୃତ୍ରିମତାକୁ କାମୁଡ଼ି, ପଡ଼ି ରହିଛୁ, ଆମ ଶିଶୁସାହିତ୍ୟ ମଧ୍ୟ ସଂପୃକ୍ତ ଶିଶୁମାନଙ୍କୁ ପ୍ରାୟ ତଦ୍‌ବତ୍ ଏକ ବିଡ଼ମ୍ବନା ମଧ୍ୟରେ ଜଳକା ହୋଇ ରହିବାରେ ହିଁ ସାହାଯ୍ୟ କରୁଥିବ ।

 

ଶିଶୁସାହିତ୍ୟର ଗବେଷଣା ଇଚ୍ଛାକଲେ ଏହି ଦିଗରେ ମଧ୍ୟ ଆଗ୍ରହୀ ହୋଇପାରିବ । ଓଡ଼ିଆ ଶିଶୁସାହିତ୍ୟକୁ ଉପଜୀବ୍ୟ କରି ଏବେ ଯେଉଁ କାଁ ଭାଁ ତଥ୍ୟ ବ୍ୟବଚ୍ଛେଦମାନ ହେଉଛି ତାହା ଏପର୍ଯ୍ୟନ୍ତ ତେଣେ ହୁଏତ କୌଣସି ସାହସ କରିନାହିଁ । ଆପଣାର ଔଚିତ୍ୟ ବିଷୟରେ ଆମ ଶିଶୁସାହିତ୍ୟର ମନରେ ହୁଏତ ଏକ ବୃହତ୍ ସଂଶୟ କେଉଁଠି ରହି ତାକୁ ଅବଚେତନ ସ୍ତରରେ ଉତ୍ପୀଡ଼ିତ କରିବାରେ ଲାଗିଛି କି କ’ଣ କେଜାଣି, ବପୁଟାକୁ ଯଥାସମ୍ଭବ ଅଧିକ ଉଦାର ଭାବରେ ବଢ଼ାଇ ଲୋକଗଳ୍ପ, ଲୋକଗୀତ, ଓଷା ଓ ବ୍ରତଗୁଡ଼ିକର କଥାମାନେ ଢଗଢମାଳି ଓ ସମଗୋତ୍ରୀୟ ଆହୁରି କେତେ କ’ଣକୁ ତାହା ନିଜ ଇଲାକାର ଅନ୍ତର୍ଭୁକ୍ତ କରି ଦେଖାଇବାପାଇଁ ଭାରି ଆଗ୍ରହ ହେଉଛି । ପାରିଭାଷିକ ଅଭିଧାଟିଏ ଉଧାର କରି ଆଣି ତାହା ଏହାକୁ ମୌଖିକ ଶିଶୁସାହିତ୍ୟ ବୋଲି କହିଲାଣି । ଉତ୍ସାହଗୁଡ଼ିକୁ ଭାରି ବୁଝିହେଉଛି, ମାତ୍ର ଉତ୍ସାହ ପଛରେ ରହିଥିବା ପଳାୟନକାମୀ ମତଲବଗୁଡ଼ିକୁ ମଧ୍ୟ ବୁଝି ହୋଇ ଯାଉଛି । ଶିଶୁସାହିତ୍ୟର ଉତ୍ସକୁ ଆମେ ଇଚ୍ଛା କଲେ ଏକାବେଳେକେ ହୁଏତ ତ୍ରେତା ଯୁଗଯାଏ ଲମ୍ବାଇ ଦେଇ ପାରିବା ମାତ୍ର ଶିଶୁସାହିତ୍ୟର ସବୁଠାରୁ ବଡ଼ ଅବଲୋକନଗୁଡ଼ି ଭବିଷ୍ୟାନୁରାଗୀ ହୋଇ ରହିଥିବା ଉଚିତ । ଆମ ଆଜିର ଶିଶୁ କାଲି ବଡ଼ ହୋଇ ଆମଠାରୁ ଅଧିକ ସଂପୂର୍ଣ୍ଣ ଭାବରେ ଜୀବନଟିଏ ଗଢ଼ୁ ଓ ଜୀବନଟିଏ ବଞ୍ଚୁବୋଲି ଯଦି ଆମେ ସତକୁ ସତ ମନାସ ରଖିଥାଉ, ଆପଣାର ବିକୃତି ଏବଂ ଅତୃପ୍ତିଗୁଡ଼ାକୁ ହିଁ ଏବର ଆମରି ପରି ସିଏ ସଂସାର ଉପରେ ଲଦିଦେଇ ସମଗ୍ର ଆକାଶଟାକୁ ବିପର୍ଯ୍ୟସ୍ତ କରି ନଦେଉ ବୋଲି ଯଦି ଆମେ ପ୍ରକୃତରେ ଇଚ୍ଛା କରୁଥାଉ, ତେବେ ଆମେ ଆଜି ତାପାଇଁ ଯେଉଁ ସାହିତ୍ୟ ଲେଖିବା ତାହାର ଯାବତୀୟ ଆବେଦନ ହିଁ ସମ୍ପୂର୍ଣ୍ଣଭାବରେ ଏକ ଅନ୍ୟ ଉଚ୍ଚତା ଏବଂ ଅନ୍ୟ ପ୍ରସ୍ଥର ହେବା ଉଚିତ । ଆମ ମୂଳଭୂତ ଅବଲୋକନରେ ଆବଶ୍ୟକ ଏକ ପଙ୍କୋଦ୍ଧାର ହୋଇପାରିଲେ ହୁଏତ ତାହା ସମ୍ଭବ ହୁଅନ୍ତା ।

 

ଆମେ ଶିଶୁମାନଙ୍କ ନିମନ୍ତେ ଏଭଳି ଗପ, ଗୀତ, ନାଟକ, ପ୍ରବନ୍ଧ ଅଥବା ବିଜ୍ଞାନ ଲେଖନ୍ତେ, ଯାହାଦ୍ୱାରା କି ଶିଶୁଟିଏ ଯାହା ଯେଉଁପରି ଯେତିକି ରହିଛି, ସେତିକିକୁ କଦାପି ମାନିନିଅନ୍ତା ନାହିଁ । ସିଏ ଆହୁରି ଅଧିକ ପ୍ରଶ୍ନ ପଚାରନ୍ତା-ନିଜ ଭିତରଟାକୁ ଓ ବାହାରର ଏହି ପୃଥିବୀକୁ ସିଏ ଭଳି ଭଳି ପ୍ରଶ୍ନ ପଚାରି ପାରୁଥାନ୍ତା ଏବଂ ସେହି ପ୍ରଶ୍ନ ପଚାରିବାର ଓ ଉତ୍ତର ପାଇବାର ପ୍ରକ୍ରିୟାଗୁଡ଼ିକଦ୍ୱାରା ଭାରି ସାବଲୀଳ ଭାବରେ ତା’ ଭିତରେ ସତତ ଏକ ଚିଦ୍‌ବିସ୍ତାର ଘଟି ଘଟି ଯାଉଥାନ୍ତା । ସଂସାରରେ କେବଳ ବୋଲି ମନାଇ ନେବାକୁ ଯେ ଗୁରୁଜନମାନଙ୍କର ମୋଟେ ସର୍ଜନା ହୋଇନାହିଁ । ଶିଶୁ ଭିତରେ ସେହି ସଂପ୍ରତ୍ୟୟଟି ବୃଦ୍ଧି ପାଇବାରେ ଲାଗିଥାନ୍ତା । ସେହିଭଳି ଏକ ମୂଳଦୁଆ ଉପରେ ହିଁ ସେ ବୃହତ୍ତର ଜଗତଟିକୁ ମୂଳତଃ ବନ୍ଧୁ ରୁପେ ଅନୁଭବ କରନ୍ତା । ଆଦୌ ସଙ୍କୁଚିତ ହୋଇ ରହନ୍ତା ନାହିଁ । ଗୋଟିଏ ଧର୍ମ, ଗୋଟିଏ ଜାତି, ଗୋଟିଏ ଦେଶ ତଥା ଗୋଟିଏ ପ୍ରକାର ନୈତିକତାର ଚାରି ବାଡ଼ ଭିତରେ ଜନ୍ମିଥିଲେ ମଧ୍ୟ ସେ ଏକ କ୍ରମାରୋହଣ ତଥା କ୍ରମାତିକ୍ରମଣର ପ୍ରକ୍ରିୟାରେ ତା’ ସମ୍ମୁଖରେ ଆସି ଦଣ୍ଡାୟମାନ ହେଉଥିବା ଜାଗତିକ ଆହ୍ୱାନଗୁଡ଼ିକର ଯୋଗ୍ୟ ହୋଇପାରନ୍ତା । ଭୀରୁଟୀଏ ପରି କେବଳ କେତେଟା ଅଳ୍ପତାକୁ ନିଜର ବୋଲି କହନ୍ତା ନାହିଁ । ଆଗାମୀ ଯୁଗକୁ ସେଇ ବିହନର କାମ ଦିଅନ୍ତା । ଆମ ସମାଜର ଔପଚାରିକ ପ୍ରସୀମନମାନେ ତାହାକୁ ଫିସାଦ କରି ନାନାବିଧି ସ୍ଥାନୀୟତା ଓ ତଜ୍ଜନିତ ଉତ୍ତେଜନା ମଧ୍ୟରେ ଛନ୍ଦି ରଖିବାର ପ୍ରୟାସ କରୁଥିଲେ ମଧ୍ୟ ସେ ପ୍ରକୃତରେ ଆଗାମୀ ଭୂମାର ଯୋଗ୍ୟ ହେବାଲାଗି ଅନୁରାଗ ରଖିପାରନ୍ତା । ତେଣୁ ଜଣେ ସାହିତ୍ୟିକ ନିଜେ ପୋଖତ ହୋଇ ସାରିବାପରେ ଯାଇ ଶିଶୁସାହିତ୍ୟରେ ମନ ଦିଅନ୍ତା । ଅର୍ଥାତ୍ ଅତ୍ୟନ୍ତ ହାଲୁକା ହୋଇ ଅତ୍ୟନ୍ତ ସହଜ ଭାଷାରେ ଗଭୀରତମ ସତ୍ୟଗୁଡ଼ିକର ପରିବେଷଣ କରିପାରନ୍ତା । ମୋ’ର ଲେଖାଗୁଡ଼ିକର ମାଧ୍ୟମରେ ମୋ’ ଆଖିରେ ନବୀନ ଦିଶୁଥିବା ମୋର ପାଠକଟିଏ ସେଇଥିରୁ ଆଖି ପାଇ ମୋତେ ଟପିଯାଇ ପାରୁଛି, ମୋ’ ଲେଖାର ଶିଖରଟି ଉପରକୁ ଆସି ସିଏ ବୃହତ୍ତର ଆହୁରି ଅନ୍ୟ ଶିଖରଗୁଡ଼ିକ ଲାଗି ସ୍ୱତଃ ଏକ ଆକର୍ଷଣ ଅନୁଭବ କରୁଛି, ଜଣେ ଶିଶୁସାହିତ୍ୟିକ ନିମନ୍ତେ ତାହାଠାରୁ ବଳି ଶ୍ରେୟ ପ୍ରକୃତରେ ଆଉ କ’ଣ ହୋଇପାରେ ।

 

ବୟସ୍କମାନଙ୍କର ଭଗବାନଙ୍କ ପାଖରେ ବସ୍ତୁତଃ ଅତ୍ୟନ୍ତ କୃତଜ୍ଞ ହୋଇ ରହିବା ଉଚିତ ଯେ, ସେମାନେ ତଥାପି ଜୀବନାଗ୍ରହୀ କରି ରଖିବାଲାଗି ଏହି ପୃଥିବୀରେ ଶିଶୁମାନେ ରହିଛନ୍ତି । ହୁଏତ ସେହି କାରଣରୁ ହିଁ ଏହି ପୃଥିବୀ ମୋଟେ ବୁଢ଼ା ହେଉନାହିଁ, ଆଦର୍ଶମାନେ କେବେ ବୁଢ଼ା ହେଉନାହାନ୍ତି ଓ ପୁରୁଣା ଆଦର୍ଶମାନଙ୍କର ଶୁଖିଲା କାଠଗଡ଼ରେ ତଥାପି ନୂଆ ପତ୍ରମାନେ ସମ୍ଭବ ହୋଇ ପାରୁଛନ୍ତି । ସ୍ୱୟଂ ଭଗବାନ ସାଙ୍ଗରେ ବାଟ ଚାଲୁଥିବାପରି ଅନୁଭବ ହେଉଛି । ଠିକ୍ ଏହି କାରଣରୁ ବାପା ମାଆମାନେ ବି ନିଜେ ପିଲାଙ୍କ ପାଖରେ କୃତଜ୍ଞ ହୋଇ ରହୁଥାନ୍ତେ, ଶିକ୍ଷାର୍ଥୀମାନଙ୍କ ପାଖରେ ଶିକ୍ଷକମାନେ ମଧ୍ୟ କୃତଜ୍ଞ ହୋଇ ରହୁଥାନ୍ତେ । ସେପରି ହେଉଥିଲେ ଆମ ପରିବାରମାନେ ବି ଅନ୍ୟପ୍ରକାରର ହୋଇଥାନ୍ତେ ଓ ଶିକ୍ଷାଳୟମାନେ ମଧ୍ୟ ବଡ଼ ଓ ସାନ ସମସ୍ତଙ୍କୁ ଅନ୍ୟପ୍ରକାର ପ୍ରେରଣା ଯୋଗାଇ ଦେଇ ପାରୁଥାନ୍ତେ, ଶିଶୁସାହିତ୍ୟିକ ଏହି କଥାଟିକୁ ବୁଝୁ ଏବଂ, ଏହିପରି ବୁଝି ସେ ନିଜ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଶିଶୁଟିକୁ କଧ୍ୟ ଆବିଷ୍କାର କରି ଶିଖୁ । ନିଜ କାଳଟିରେ ସେହି ସେହି ଶିଶୁଟିକୁ ଯେତିକି ଆଖିରେ ଚିହ୍ନି ପାରିଥିଲା ବା ଯେତିକି ଆଖିରେ ଚିହ୍ନିବାର ପରିବେଶ ପାଇଥିଲା, ଏବେ ନିଜର ସାହିତ୍ୟ ମାଧ୍ୟମରେ ସେ ଏବର ଶିଶୁମାନଙ୍କର ଆଖିକୁ, ଆଗ୍ରହକୁ ଏବଂ ସାହିତ୍ୟକୁ ଆହୁରି ଅନେକଗୁଣ ଅଧିକ ଦୂରକୁ ସଂପ୍ରସାରିତ କରିନେବାର ପ୍ରୟାସ କରୁ । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଏଥିପାଇଁ ଆମକୁ ଏକାବେଳେକେ ଏକ ଅନ୍ୟ ଭାଷା ଏବଂ ଅନ୍ୟ ବ୍ୟଞ୍ଜନାର ଅନୁସନ୍ଧାନ କରିବାକୁ ପଡ଼ିବ, ଆମ ଶିଶୁପାଠକ ଓ ଆମ ଭିତରେ ଏକାବେଳେକେ ଏକ ଅନ୍ୟ ଉଚ୍ଚତାର rapport ସୃଷ୍ଟି କରିବାକୁ ହେବ ।

 

ବୟସ୍କମାନେ ଜଣେ ଶିଶୁକୁ ଦେଖିବାର ବି କେତେଭଳି ଦୃଷ୍ଟିକୋଣ ରହିଛି । ସେହି ତାଲିକାରେ ଇଂରେଜୀ କବି ଓ୍ୱାର୍ଡ଼ସ୍‌ଓ୍ୱର୍ଥ ରହିଛନ୍ତି, ଆମ ଏହି ଶତାବ୍ଦୀର ଫ୍ରଏଡ଼୍ ବି ରହିଛନ୍ତି । କେଉଁ ଦୃଷ୍ଟିଟି ଠିକ୍ ଓ କେଉଁ ଦୃଷ୍ଟିଟି ଠିକ୍ ନୁହେଁ, ଆମେ ତାହାର ମୀମାଂସା କରି ବସିବାର ଜଙ୍ଗଲ ଭିତରେ ମୋଟେ ପଶିବା ନାହିଁ । ହୁଏତ ସେଗୁଡ଼ିକ ସବୁଯାକ ଏକାବେଳକେ ଠିକ୍ ଓ ଏକାବେଳକେ ଅଠିକ୍ । ହାତୀକୁ ଦେଖୁଥିବା ଅନ୍ଧମାନେ ଯାହା ଦେଖୁଥିଲେ, ତାହାକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହି ଦେଖୁଥିଲେ । ତଥାପି ସମ୍ପୂର୍ଣ୍ଣ ହାତୀଟିକୁ ଦେଖି ପାରୁନଥିଲେ । ଇଏ ହେଉଛି ସେହିଭଳି ଗୋଟିଏ କଥା । ମାତ୍ର, ଏଇଟି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏକ ସତ୍ୟ କଥା ଯେ, ଆମେ ନିଜେ ଯେତିକି, ଆମର ଯାବତୀୟ ଦେଖିବାଟା ମଧ୍ୟ ତାହାରିଦ୍ୱାରା ଅବଶ୍ୟ ପ୍ରସୀମିତ ଏବଂ ଖଣ୍ଡିତ ହୋଇ ରହିବ । ଆମେ ସ୍ୱୟଂ ବାଟ ଚାଲୁଥିଲେ ଓ ଶିଖର ଉଠୁଥିଲେ ଆମ ଦେଖିବାର ଦୈର୍ଘ୍ୟ ପ୍ରସ୍ଥଗୁଡ଼ିକ ମଧ୍ୟ ଅଧିକରୁ ଅଧିକ ସମଗ୍ର ହେବାରେ ଲାଗିଥିବ । ତେଣୁ, ଆମେ ବିଷ୍ଣୁଶର୍ମାଙ୍କର ଅନୁସରଣ କରିବା ନାହିଁ, ମୋଟେ କାହାରି ଅନୁସରଣ କରିବା ନାହିଁ । ତଥାପି ଆମ ଦେଖିବାର ସାମର୍ଥ୍ୟ ତଥା ପ୍ରସ୍ଥଗୁଡ଼ିକୁ ସତତ ସମ୍ପ୍ରସାରିତ କରିବାରେ ଲାଗିଥିବା ସାନ ଓ ସ୍ଥାନୀୟ ଭାବପ୍ରବଣତା ଗୁଡ଼ିକୁ ଅତିକ୍ରମ କରିଯାଇ ପାରୁଥିବା । ତେବେ, ଏବର ଶିଶୁମାନଙ୍କୁ ସେମାନଙ୍କ ଭବିଷ୍ୟଟିର ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସମଗ୍ର ଭାବରେ ଦେଖିବାକୁ ସମର୍ଥ ହେବା ଏବଂ, ସେଇଥିରୁ ଶିଶୁସାହିତ୍ୟ ଲେଖିବାର ମୁଳ ପ୍ରେରଣାଗୁଡ଼ିକୁ ଲାଭ କରିପାରିବା । ଏକ ସାମନ୍ତବାଦୀ ସମାଜର ଜଣେ ବୟସ୍କ ଲେଖକ ପାଇଁ ଏହା ମୋଟେ ସହଜସାଧ୍ୟ ହେବ ନାହିଁ । ନିଜ ପିଲାଦିନେ ସେତେବେଳର ବୟସ୍କମାନଙ୍କର ଅନୁଗ୍ରହରୁ ଗିଳିଥିବା ଅନେକ ତାତ୍କାଳିକତାରୁ ନିଜକୁ ମୁକ୍ତ କରି ଆଣିଲେ ଯାଇ ସିଏ ସେକଥା କରିପାରିବ । ମାତ୍ର, ଏକାନ୍ତ ଭାବପ୍ରବଣ ହୋଇ ପିଲାମାନଙ୍କ ପାଇଁ ସାହିତ୍ୟ ଲେଖିବାର ସରାଗରେ ସତେଅବା କୌଣସି ଜାଲ ଭିତରକୁ ଡେଇଁ ପଡ଼ିବା ଯେତିକି ସହଜ, ଆପଣାର ପୂର୍ବଗ୍ରହ ଗୁଡ଼ିକରୁ ନିଜକୁ ମୁକ୍ତ କରି ଆଣିବାପାଇଁ ରାଜି ହେବା ହୁଏତ ସେତିକି କଷ୍ଟକର ।

 

ଓଡ଼ିଆ ଶିଶୁସାହିତ୍ୟର ପରିମାଣ ଏବେ ହୁ ହୁ ହୋଇ ବଢ଼ୁଛି । ତାହା ଆହୁରି ବଢ଼ୁ ମାତ୍ର ଓଡ଼ିଆ ଶିଶୁସାହିତ୍ୟର କ୍ଷେତ୍ରରେ ଏକ ନିରନ୍ତର dialogueର ମଧ୍ୟ ଆରମ୍ଭ ହେଉ । ଯେଉଁମାନେ ସତ୍ୟକୁ ପାଇଗଲେଣି ବୋଲି ଦମ୍ଭ ଧରି ବସିଥାନ୍ତି, ସେମାନେ ଆଦୌ କୌଣସି dialogueକୁ ସହଜରେ ମଙ୍ଗନ୍ତି ନାହିଁ । କେବଳ ଶିଶୁସାହିତ୍ୟ ନୁହେଁ, ଯେକୌଣସି ସାହିତ୍ୟଲାଗି ମଧ୍ୟ ସେମାନେ ପ୍ରମାଦ ପରି ହୋଇ ରହିଥାନ୍ତି । ଶିଶୁସାହିତ୍ୟିକମାନେ ଏକାଠି ବସନ୍ତୁ, ପରସ୍ପରର ଲେଖାଗୁଡ଼ିକୁ ଭିତ୍ତି କରି ଆଲୋଚନା ହେଉ । ସେମାନେ ପରସ୍ପରକୁ ସହି ଜାଣନ୍ତୁ । ପରସ୍ପରର ପ୍ରତିଦ୍ୱନ୍ଦୀ ହିସାବରେ ନୁହେଁ, ପରସ୍ପରର ସତୀର୍ଥ ରୂପେ ଏକତ୍ର ଆଲୋଚନା ହେଉ । ପୂଜ୍ୟ ପୂଜା, ଅଭିନନ୍ଦନ, ଅଭିନୟ କମ୍ ହେଉ । ଆତ୍ମଆସ୍ଫାଳନ ଏବଂ ପରଧିକ୍‌କାର ମୋଟେ ନହେଉ । ତେବେଯାଇ ସେମାନେ ପରସ୍ପରଦ୍ୱାରା ଉପକୃତ ହୋଇ ପାରିବେ ଏବଂ ତାହା ଫଳରେ ଶିଶୁସାହିତ୍ୟର ବୃତ୍ତଟି ଭିତରେ ମଧ୍ୟ ଆଗକୁ ଦହୁ ପ୍ରସାରଣ ସମ୍ଭବ ହେବ । ସଂପୃକ୍ତ ସମସ୍ତଙ୍କର ଅଭିବୃଦ୍ଧି ହେବ । ଆପେ ପଢ଼ୁଥିବା ଶିଶୁସାହିତ୍ୟର ସମୀକ୍ଷା ଓ ସର୍ବେକ୍ଷଣ ନିମନ୍ତେ ଶିଶୁ ପାଠକମାନେ ମଧ୍ୟ ଏକାଠି ବସନ୍ତୁ । ବୟସ୍କ ଲେଖକମାନେ ସେଠାରେ ଉପସ୍ଥିତ ଅବଶ୍ୟ ରହନ୍ତୁ, ମାତ୍ର ଆଦୌ ମୁହଁ ନଖୋଲନ୍ତୁ । ପିଲାମାନେ ଏକାଠି ବସି ନିଜ ନିଜର ଲେଖାଗୁଡ଼ିକର ମଧ୍ୟ ସମୀକ୍ଷା କରନ୍ତୁ । ଏଥିଲାଗି ଅନୁକୂଳ କର୍ମଶାଳାଗୁଡ଼ିକର ଆୟୋଜନ ହେଉ । ବୟସ୍କ ଲେଖକ ଏବଂ ଶିଶୁ ପାଠକମାନଙ୍କର ତଥା ଏକତ୍ର ବୟସ୍କ, ତରୁଣ ତଥା ଶିଶୁ ଲେଖକମାନଙ୍କର ମଧ୍ୟ ସମୀକ୍ଷା ବୈଠକମାନ ବସୁ । ଆମ ପିଲାମାନଙ୍କୁ ନିଜେ ମନନ କରିବାର ଏବଂ ନିଜେ ମତ ଦେବାର ସ୍ୱାଧୀନତା ଦିଆଯାଉ । ପୃଥିବୀକୁ ଆଗକୁ ଯେଉଁ ଯୁଗଟି ଆସୁଛି, ସେଥିରେ ମଣିଷମାତ୍ରକେ ସମସ୍ତେ ମଣିଷଯୋଗ୍ୟ ସମ୍ମାନର ଅଧିକାରୀ ହେବେ । ପିଲାମାନଙ୍କୁ କଞ୍ଚା ମାଟି ବୋଲି ଧରିନେଇ ଯେଉଁ ଶିଶୁସାହିତ୍ୟ ଲେଖାଯାଏ ଏବଂ ଶିଶୁ ଭିତରେ ପ୍ରଚ୍ଛନ୍ନ ରହିଥିବା ସମ୍ଭାବନାଗୁଡ଼ିକୁ ସମ୍ମାନ ଦେଇ ଯେଉଁ ଶିଶୁସାହିତ୍ୟ ଲେଖାଯାଏ ଉଭୟ ମଧ୍ୟରେ ବହୁ ଅନ୍ତର ସବୁବେଳେ ରହିବହିଁ ରହିବ । ଆମ ଶିଶୁସାହିତ୍ୟ ସେହି ଅନ୍ତରଟିକୁ ହୃଦୟଙ୍ଗମ କରୁ ।

 

ଓଡ଼ିଶାରେ ଯେଉଁମାନେ ଶିଶୁମାନଙ୍କ ପାଇଁ ସାହିତ୍ୟ ଲେଖିବାର ମୂଳଦୁଆଟିକୁ ପକାଇଛନ୍ତି, ଆମେ ସେମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ଅତିକ୍ରମ ବି କରିଯିବା । ସେହିମାନଙ୍କ ପାଖରେ ମୋଟେ ଲାଖି ରହିଯିବା ନାହିଁ । ସେମାନଙ୍କୁ ଆମ ସମ୍ଭାବ୍ର୍ୟ ଆକାଶର ଚୂଡ଼ାନ୍ତ ଜ୍ୟୋତିଷ୍କ ବୋଲି ଆଦୌ କହିବା ନାହିଁ ଏବଂ ଓଡ଼ିଆ ଶିଶୁସାହିତ୍ୟକୁ ଯେଉଁମାନେ ସମୀକ୍ଷା ଓ ଗବେଷଣାର ପରିସରକୁ ଆଣିଛନ୍ତି, ସେମାନଙ୍କୁ ମଧ୍ୟ ଆମେ ସମ୍ମାନ ଦେବା ଓ ସେମାନଙ୍କର ୠଣକୁ ସ୍ୱୀକାର କରିବା ଏବଂ ସେମାନଙ୍କୁ ଅତିକ୍ରମ ବି କରିଯିବା । ସେମାନଙ୍କ ଭଳି ପଛକୁ କୋରି କୋରି ଶିଶୁସାହିତ୍ୟର ଉତ୍ସଗୁଡ଼ିକୁ ଖୋଜି ଯିବା ନାହିଁ । ଆମେ ଆଗକୁ ଯେ ଆହୁରି ଆଗକୁ ଯିବାଲାଗି ସାହସ କରିବା । ସମଗ୍ର ପୃଥିବୀର ଶିଶୁସାହିତ୍ୟ କ୍ଷେତ୍ରରେ ଆଧୁନିକତମ ପ୍ରବୃତ୍ତିଗୁଡ଼ିକୁ ଅନୁଧ୍ୟାନ କରିବା । ଇଉରୋପ ଓ ଆମେରିକାରେ ପିଲାଙ୍କର ବୟସ ଅନୁସାରେ ବିଜ୍ଞାନସମ୍ମତ ଅନୁମାନଗୁଡ଼ିକର ଭିତ୍ତିରେ ସେମାନଙ୍କ ପାଇଁ ସାହିତ୍ୟ ଲେଖାଯାଏ ଏବଂ ଯାହାକିଛି ଲେଖାଯାଏ, ତାହାକୁ ଦେଶର ସବୁ ପିଲା ପଢ଼ନ୍ତି । ଭାରତବର୍ଷରେ ସବୁ ପିଲା ସିନା ଆମେ ଲେଖୁଥିବା ଶିଶୁସାହିତ୍ୟକୁ ପଢ଼ି ପାରିବେ ନାହିଁ, ମାତ୍ର ସବୁଯାକ ପିଲା ଆମ ଶିଶୁସାହିତ୍ୟର ଲେଖକମାନଙ୍କର ଦିଗ୍‌ବଳୟ ଭିତରେ କାହିଁକି ରହି ପାରିବେ ନାହିଁ ? ବର୍ତ୍ତମାନ ସାମନ୍ତବାଦୀ ଛାଇଗଡ଼ିକ ଆମ ସାମୂହିକ ଜୀବନରେ ଚିରନ୍ତନ ହୋଇ ରହିଥାଉ ବୋଲି ଆମ ଭିତରୁ ଯଦି କେହି ମନ କରୁଥିବ, ତେବେ ହୁଏତ ତାହା ଏକ ଭିନ୍ନ ବ୍ୟାପାର ହିଁ ହେବ । ଏହିପରି ଏକ ବ୍ୟାପାର ଭିତରେ ଗୁରାଇ ତୁରାଇ ହୋଇ ଆମ ଆଧୁନିକ କବିମାନେ କବିତାକୁ ସାମନ୍ତବାଦ ଭିତରେ ବାନ୍ଧି ରଖିଛନ୍ତି । ଅନ୍ତତଃ ଶିଶୁସାହିତ୍ୟର କ୍ଷେତ୍ରରେ ସେହି ଅବିବେକ ଆଦୌ ପ୍ରବେଶ ନକରୁ । ତଦ୍ଦ୍ୱାରା ଲେଖକ ହିସାବରେ ଅନ୍ତତଃ ଆମମାନଙ୍କ ଜୀବନରେ ଏକ ବିମୋଚନ ହୁଏତ ସମ୍ଭବ ହେବ ।

 

ଆମେ ଇଚ୍ଛା କରୁ କି ନକରୁ, ଆମ ପିଲାମାନେ ବଡ଼ ହୋଇ କଦାପି ଆମପରି ହେବେ ନାହିଁ । ସେମାନେ ବଡ଼ ହେଲା ବେଳକୁ ପୃଥିବୀ ଆମର ଏହି ବର୍ତ୍ତମାନର ଭୀରୁ ପୃଥିବୀଟାକୁ ପଛରେ ପକାଇ କେତେ ନା କେତେ ଆଗକୁ ଚାଲି ଯାଇଥିବ । ଭବିଷ୍ୟଟାକୁ ସାହସ କରି ପାରୁଥିବାରୁ ତାହା ଅତୀତଟାକୁ କଦାପି ସୁବର୍ଣ୍ଣଯୁଗ ବୋଲି କହି ସେଇଠି ଖୁଣ୍ଟାବନ୍ଧା ହୋଇ ରହିବ ନାହିଁ । ଆଜିର ଏ ପିଲାମାନଙ୍କୁ ବଡ଼ ହୋଇ ସେହିଭଳି ଏକ ପୃଥିବୀରେ ବାଟ ଚାଲିବା ନିମନ୍ତେ ସେମାନଙ୍କର ମୋହାଚ୍ଛନ୍ନ ବାପାମାଆ ଏବଂ ତାତ୍କାଳିକ ହାଟସ୍ୱାର୍ଥ ଭିତରେ ବନ୍ଧା ହୋଇ ପଡ଼ିଥିବା ଶିକ୍ଷକମାନେ ପିଲାମାନଙ୍କୁ ଯେତେ ସାହାଯ୍ୟ ନ କରିବେ, ଶିଶୁସାହିତ୍ୟିକମାନେ ତାହାର ଅନେକ ଗୁଣ ସାହାଯ୍ୟ କରି ପାରିବେ । ଅଥ, ଚରୈବେତି, ଚରୈବେତି ।।

 

***

 

Unknown

ଓଡ଼ିଆ ଶିଶୁନାଟକର ରୂପରେଖ

ଅଧ୍ୟାପକ ଡକ୍‌ଟର ସୁରେଶଚନ୍ଦ୍ର କର

 

୧ । ଓଡ଼ିଆ ଶିଶୁନାଟକର ପ୍ରାକ୍‌ଭାଷ :

ନାଟକ ହେଉଛି ଦୃଶ୍ୟକାବ୍ୟ । ଏଥିରେ ପାଠକ ଯେପରି ଆନନ୍ଦ ପାଏ, ଦର୍ଶକ ମଧ୍ୟ ସେହିପରି ଆନନ୍ଦ ପାଇଥାଏ । ତେଣୁ କୁହାଯାଇଛି ‘‘କାବ୍ୟେଷୁ ନାଟକମ୍ ରମ୍ୟମ୍ ।’’ ନାଟକ ଏକ ମିଶ୍ର କଳା । (The play is a composit art) ସୁତରାଂ ନାଟକରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବହୁଲୋକ ଓ ବହୁକଥା ସଂପୃକ୍ତ ଥାଏ । ଲେଖକ, ନିର୍ଦ୍ଦେଶକ ଏବଂ ଅଭିନେତା ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ସଙ୍ଗୀତଶିଳ୍ପୀ, ବାଦ୍ୟଶିଳ୍ପୀ ଏବଂ ମଞ୍ଚ ପରିଚାଳକମାନଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ନାଟକର ସଫଳତା ପାଇଁ ସଚେଷ୍ଟ ଥାଆନ୍ତି । ତେଣୁ ନାଟକ ଦର୍ଶକକୁ ଚମୋତ୍‌କୃତ କରେ, ବିମୋହିତ କରେ । ସାଧାରଣ ଦର୍ଶକମାନଙ୍କ ନମନ୍ତେ ଶିଶୁନାଟକଗୁଡ଼ିକର ମୁଲ୍ୟ ଓ ଆବେଦନ ଯେ ଠିକ୍ ଏହାରି ଅନୁରୂପ, ଏ କଥା କହିଲେ ଅସମୀଚୀନ ହେବ ନାହିଁ ।

 

ଶିଶୁନାଟକ କହିଲେ ଆମେ ସାଧାରଣତଃ ଶିଶୁପାଇଁ ରଚିତ ନାଟକକୁ ବୁଝିଥାଉ । ଯେଉଁ ନାଟକ ପାଠ କରି ଶିଶୁ ଆନନ୍ଦ ପାଇବ, ଶିକ୍ଷା ପାଇବ ଏବଂ ଯେଉଁ ନାଟକକୁ ଶିଶୁ ସହଜରେ ଅଭିନୟ କରି ପାରିବ, ତାହାହିଁ ଶିଶୁନାଟକ । ନାଟ୍ୟ ସମାଲୋଚକ ଡଃ ହେମନ୍ତକୁମାର ଦାସଙ୍କ ମତରେ ‘‘ଶିଶୁନାଟକ କହିଲେ, ଯେଉଁ ନାଟକରେ ଶିଶୁ ବା କିଶୋର କେନ୍ଦ୍ରୀୟ ଚରିତ୍ର, ତାକୁହିଁ ମୂଳତଃ ବୁଝାଇଥାଏ । ଅନ୍ୟଥା ଅଧିକାଂଶ ନାଟକରେ ଜଣେ ଅଧେ ଶିଶୁଙ୍କୁ ଯେ ଦେଖିବାକୁ ମିଳେ ନାହିଁ, ଏହା ନୁହେଁ । ସେଭଳି ନାଟକକୁ କିନ୍ତୁ ଶିଶୁନାଟକ ବୋଲି କୁହାଯାଇ ପାରିବ ନାହିଁ ।’’ (୧) ବାସ୍ତବିକ ଶିଶୁ ନାଟକରେ ଶିଶୁହିଁ କେନ୍ଦ୍ର ଚରିତ୍ର ଏବଂ ଅନ୍ୟାନ୍ୟ ଗୌଣ ଚରିତ୍ରଗୁଡ଼ିକ ଏହି କେନ୍ଦ୍ର ଚରିତ୍ରକୁ ନେଇ ଗତିଶୀଳ ।

 

୧.

ଦାସ ଡଃ ହେମନ୍ତ କୁମାର, ‘ଓଡ଼ିଆ ଶିଶୁନାଟକ’ ତମସା ପୂଜାସଂଖ୍ୟା, ୧୯୯୨, ପୃଷ୍ଠା ୧୬୫ ।

 

ଓଡ଼ିଆ ଶିଶୁନାଟକର ପରମ୍ପରାକୁ ବିଚାର କଲେ ଦେଖାଯାଏ ଯେ ଓଡ଼ିଆ ଶିଶୁସାହିତ୍ୟର ପରମ୍ପରା ସହ ଶିଶୁନାଟକର ପରମ୍ପରା ଓତଃପ୍ରୋତ ଭାବରେ ଜଡ଼ିତ । କାରଣ ଓଡ଼ିଆ ଶିଶୁସାହିତ୍ୟର ଆଦ୍ୟ ଉନ୍ମେଷ ଯେପରି ପ୍ରାଚୀନ କାବ୍ୟ କବିତାମାନଙ୍କରେ ଦେଖା ଦେଇଥିଲା, ଓଡ଼ିଆ ଶିଶୁନାଟକର ଆଦ୍ୟ ଉନ୍ମେଷ ସେହିପରି ଆମ ପ୍ରାଚୀନ ଲୀଳା, ସୁଆଙ୍ଗ, ଯାତ୍ରା ଏବଂ ଗୀତିନାଟ୍ୟମାନଙ୍କରେ ପରିଦୃଷ୍ଟ ହେଉଥିଲା । ଓଡ଼ିଆ ସାହିତ୍ୟର ପ୍ରାଚୀନ କାଳରେ ରଚିତ ଏହିପରି କେତେକ ଲୀଳା ଓ ସୁଆଙ୍ଗରେ ଶିଶୁ ଚରିତ୍ର ଓ ଶୈଶବ ଘଟଣାବଳୀ ବର୍ଣ୍ଣିତ ପୁରାଣ କଥାଗୁଡ଼ିକରେ ଆମେ ଶିଶୁନାଟକର ପ୍ରାଥମିକ ଅବସ୍ଥାକୁ ଭେଟିଥାଉ । ଅଧିକନ୍ତୁ ଲୋକନାଟ୍ୟ ପର୍ଯ୍ୟାୟଭୁକ୍ତ ଏକକ ଅଭିନୟ, ସଖିନାଟ ଓ ପିତୁଳାନାଟ ତଥା ପାଲା ଏବଂ ଦାସକାଠିଆ ଗୁଡ଼ିକରେ ମଧ୍ୟ ଓଡ଼ିଆ ଶିଶୁନାଟକର ସ୍ୱରୂପଟି ଆପେ ଆପେ ଚିହ୍ନି ହୋଇଯାଏ ।

 

ବିଂଶ ଶତାବ୍ଦୀରେ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରେ ରଚିତ କେତେକ ଲୀଳା, ସୁଆଙ୍ଗ, ଏବଂ ଫାର୍ସ ଆଦିରେ ଶିଶୁସୁଲଭ ପୌରାଣିକ ଚରିତ୍ର ଓ କାହାଣୀଗୁଡ଼ିକ ଚିତ୍ର ପରିସ୍ଫୁଟ ହୋଇଥିଲା-। ଏସବୁକୁ ଦର୍ଶନ କରି ଯେ ତତ୍କାଳୀନ ଶିଶୁସମାଜ ଉତ୍‌ଫୁଲିତ ହେଉ ନଥିଲା ଏହା ନୁହେଁ, ବରଂ ଲୀଳା ଓ ସୁଆଙ୍ଗମାନଙ୍କରୁ ପରବର୍ତ୍ତୀ କାଳରେ ଶିଶୁନାଟକ ରଚନାର ପ୍ରେରଣା ସୃଷ୍ଟି ହୋଇଥିଲା । ଏହିପରି କେତୋଟି ପ୍ରମୁଖ ପ୍ରାଚୀନ ଶିଶୁସୁଲଭ ଲୀଳା ଓ ସୁଆଙ୍ଗ ହେଲା ବାଳକୃଷ୍ଣ ମହାନ୍ତିଙ୍କ ରଚିତ ‘ସୁଦାମା ଦାରିଦ୍ର୍ୟ ଭଞ୍ଜନ’, ‘ଘଟୋତ୍କଚ’, ଶ୍ୟାମସୁନ୍ଦର ସାହୁଙ୍କ ରଚିତ ‘କୃଷ୍ଣଲୀଳା’, ‘ନନ୍ଦଉତ୍ସବ’, ‘ସୁବଳ ମିଳନ’, ଘନଶ୍ୟାମ ହୋତାଙ୍କ ‘ପରଶୁରାମ’, ‘ଶ୍ରୀରାମ ବିଳାସ’, ସୁବଧଚନ୍ଦ୍ର ଦାସଙ୍କ ‘କର୍ଣ୍ଣାର୍ଜ୍ଜୁନ’, ‘ଦାନବୀର ହରିଶ୍ଚନ୍ଦ୍ର’, ଭଗବାନ ଦାସଙ୍କ ‘ସୁନାହରିଣ’, ହରିଶରଣ ମହାପାତ୍ରଙ୍କ ‘ଧ୍ରୁବ’, ‘ହରିଶ୍ଚନ୍ଦ୍ର’, ‘ସୁଦାମା’ ଇତ୍ୟାଦି ପୌରାଣିକ ଆଖ୍ୟାନମୂଳକ ତଥା ଭକ୍ତି ରସାତ୍ମକ ଗୀତିନାଟ୍ୟ-

 

ଓଡ଼ିଆ ଶିଶୁସାହିତ୍ୟ ଜଗତରେ କେବେଠାରୁ ଯଥାର୍ଥ ଶିଶୁ ଏକାଙ୍କିକା ଓ ନାଟକମାନ ରଚନା କରାଗଲା, ତାହାର ଯଥାଯଥ ଉତ୍ତର ମିଳେ ନାହିଁ । ମାତ୍ର ଏହାର ପ୍ରସାରର କାରଣ ଦର୍ଶାଇବାକୁ ଯାଇ ଡଃ ମନୀନ୍ଦ୍ର ଲେଖିଛନ୍ତି, ‘‘ସ୍ୱାଧୀନତୋତ୍ତର କାଳରେ, ବିଶେଷତଃ ଓଡ଼ିଶାର ପୁରପଲ୍ଲୀ ଅଞ୍ଚଳରେ ବହୁସଂଖ୍ୟକ ଶିକ୍ଷାୟତନ ପ୍ରତିଷ୍ଠିତ ହେବାରୁ ଓଡ଼ିଆ ଶିଶୁ ନାଟ୍ୟକଳାର ଅଭିବୃଦ୍ଧି ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ହେଲା । X X X ବିଭିନ୍ନ ଉତ୍ସବ ବାସରେ ସାଂସ୍କୃତିକ କାର୍ଯ୍ୟକ୍ରମ ବା ମନୋରଞ୍ଜନ ପାଇଁ ବିଦ୍ୟାଳୟମାନଙ୍କରେ ଏହି ଯେଉଁ ପରମ୍ପରା ସୃଷ୍ଟି ହୋଇଗଲା, ତାହାହିଁ ସ୍ୱାଧୀନତା ପରବର୍ତ୍ତୀ ଶିଶୁନାଟ୍ୟକଳାକୁ ନବକଳେବର ପ୍ରଦାନ କରିବା ପାଇଁ କ୍ଷମ ହୋଇ ପାରିଲା ।’’ (୨) ଡଃ ମହାନ୍ତି ଓଡ଼ିଆ ଶିଶୁନାଟକର ପ୍ରସାର ବିଷୟରେ ସୂଚାଇବାକୁ ଯାଇ ସ୍ୱାଧୀନତୋତ୍ତର ବିଦ୍ୟାଳୟମାନଙ୍କରେ ବାର୍ଷିକ ଉତ୍ସବ ଓ ପୁରସ୍କାର ପ୍ରଦାନ ଉତ୍ସବ କଥା ଉଲ୍ଲେଖ କରିଛନ୍ତି । ମାତ୍ର ବ୍ରିଟିଶ ସରକାରଙ୍କ ସମୟରେ ସ୍ୱାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ବହୁ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା । ସହରାଞ୍ଚଳମାନଙ୍କରେ ପ୍ରତିଷ୍ଠିତ ବିଦ୍ୟାଳୟମାନଙ୍କରେ ବାର୍ଷିକ ପାରିତୋଷିକ ସଭା ମଧ୍ୟ ଆୟୋଜିତ ହେଉଥିଲା ଏବଂ ଶିକ୍ଷା ବିଭାଗୀୟ ଉଚ୍ଚ ଇଂରେଜ କର୍ମଚାରୀ ପାରିତୋଷିକ ସଭାରେ ଯୋଗ ଦେଉଥିଲେ । ସଭାରମ୍ଭରେ ମୁଖ୍ୟ ଅତିଥିଙ୍କର ପ୍ରଶସ୍ତିଗାନ ସ୍ୱରୂପ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଉଥିଲା । ତେଣୁ ଶିଶୁନାଟକର ଅୟମାରମ୍ଭ ସ୍ୱାଧୀନତା ଲାଭ ହେବା ପରେ ହୋଇଥିଲା ବୋଲି କହିବା ଅପ୍ରାସଙ୍ଗିକ ମନେହୁଏ । କାରଣ ବିଂଶ ଶତକର ପ୍ରଥମାର୍ଦ୍ଧରେ ମଧ୍ୟ ଶିଶୁନାଟକ ଓ ଏକାଙ୍କିକାମାନ ରଚିତ ହୋଇଥିଲା । ଅତଏବ ସ୍ୱାଧୀନତୋତ୍ତର କାଳରେ ବିଦ୍ୟାଳୟମାନଙ୍କରେ ବିଭିନ୍ନ ଉତ୍ସବାନୁଷ୍ଠାନର ସଂଖ୍ୟାବୃଦ୍ଧି ତଥା କଟକ ଆକାଶବାଣୀ କେନ୍ଦ୍ର ତରଫରୁ ‘ଶିଶୁସଂସାର’ ଓ ‘କିଶୋରଚକ୍ର’ ଆଦି ଶିଶୁ କାର୍ଯ୍ୟକ୍ରମମାନ ପ୍ରସାରଣ କରାଯିବାରୁ ଶିଶୁନାଟକ ଓ ଏକାଙ୍କିକାର ବ୍ୟାପକ ପ୍ରସାର ହୋଇ ପାରିଥିଲା । ଏଥି ପୂର୍ବରୁ ୧୯୨୦ ମସିହାରେ ପ୍ରକାଶ ପାଇଥିବା ‘ପଞ୍ଚାମୃତ’ ଶିଶୁପତ୍ରିକାରେ ଶ୍ରୀ ‘ଅ’ ଛଦ୍ମ ନାମରେ ସମ୍ପାଦକ ଅଗଣି ଦାସ କେତେଗୁଡ଼ିଏ ଶିଶୁ ଏକାଙ୍କିକା ପ୍ରକାଶ କରିଥିଲେ । ଯଥା- (୧) ଛେଳିଆ ରୋଗ, ୨ୟ ବର୍ଷ, ନବମ ସଂଖ୍ୟା, (୨) ‘ବକ କଲା ବୋକା, ୩ୟ ଭାଗ, ୪ର୍ଥ ସଂଖ୍ୟା, (୩) ‘ମୋ ବଂଶୀ ବାଜିଲା’ ୩ୟ ଭାଗ, ୫ମ ସଂଖ୍ୟା, (୪) ‘କୃପଣ ଧନ’ ୩ୟ ଭାଗ, ୧୦ମ ସଂଖ୍ୟା ଏବଂ (୫) ‘ତିନି ପୁରୁଷ ବସି ଖାଉଥିବେ’ ୩ୟ ଭାଗ, ୧୨ଶ ସଂଖ୍ୟା ଇତ୍ୟାଦି । ସେହିପରି ୧୯୩୨ ମସିହାରେ ପ୍ରକାଶିତ ‘ଜହ୍ନମାମୁଁ’ ଶିଶୁ ପତ୍ରିକାର ପ୍ରଥମ ବର୍ଷ, ନବମ ଖଣ୍ଡରେ ସଂପାଦକ ବାଳକୃଷ୍ଣ କରଙ୍କ ରଚିତ ‘ଶିବାଜୀଙ୍କ ଅଦ୍ଭୁତ କୌଶଳ’ ଶିଶୁ ଏକାଙ୍କିକା ପ୍ରକାଶିତ ହୋଇଥିଲା ।

 

୨.

ମହାନ୍ତି ଡଃ ମନୀନ୍ଦ୍ର, ‘ଓଡ଼ିଆ ଶିଶୁନାଟ୍ୟକଳା’, ଶିଶୁସାହିତ୍ୟ ସ୍ମରଣିକା, ତୃତୀୟ ରାଜ୍ୟସ୍ତରୀୟ ଶିଶୁସାହିତ୍ୟିକ ସମ୍ମିଳନୀ କଟକ, ପୃଷ୍ଠା ୧୫ ।

 

୨ । ଆଧୁନିକ ଓଡ଼ିଆ ଶିଶୁନାଟକ: ଏକ ବିଶ୍ଲେଷଣ :

ଓଡ଼ିଆ ଶିଶୁସାହିତ୍ୟ ଜଗତରେ ପୂର୍ଣ୍ଣାଙ୍ଗ ଶିଶୁନାଟକ ଭାବରେ ଅତ୍ୟନ୍ତ ସଫଳତା ଲାଭ କରିଥିଲା ନାଟ୍ୟକାର ଆନନ୍ଦ ଶଙ୍କର ଦାସଙ୍କର ‘ବୁଲୁ ଓସ୍ତାତ୍’ (୧୯୫୮) ନାମକ ଏକ ଶିଶୁନାଟକ-। ଏହା ପ୍ରାୟ ଚାରିଶହ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଭିନ୍ନ ଭିନ୍ନ ସମୟ ଅଭିନୀତ ହୋଇ ସଫଳତା ଲାଭ କରିଥିଲା । ଚଳିତ ଶତକର ଷାଠିଏ ଦଶକରେ ରଚିତ ଏହି ନାଟକଟି ଓଡ଼ିଶାର ପୁରପଲ୍ଲୀରେ ମଧ୍ୟ ଚହଳ ସୃଷ୍ଟି କରିପାରି ଥିଲା ଓ ପୁରୀର ସଙ୍ଗୀତ ପରିଷଦର ଶିଶୁନାଟକ ପ୍ରତିଯୋଗିତା (୧୯୫୮)ର ପ୍ରଥମ ପୁରସ୍କାର ଲାଭ କରିଥିଲା । ନାଟକ ‘ବୁଲୁ ଓସ୍ତାତ’ ସମ୍ପର୍କରେ ମତ ପ୍ରଦାନ କରି ଡଃ ହେମନ୍ତ କୁମାର ଦାସ ଦେଖିଛନ୍ତି, ‘‘ନାଟ୍ୟକାର ଆନନ୍ଦଶଙ୍କର କିଶୋର ମନସ୍ତତ୍ତ୍ୱକୁ କେନ୍ଦ୍ର କରି ‘ବୁଲୁ ଓସ୍ତାତ’ ନାମକ ଖଣ୍ଡିଏ ପୂର୍ଣ୍ଣାଙ୍ଗ ନାଟକ ଲେଖିଛନ୍ତି । ଏହା ଏହି ଧରଣର ପ୍ରଥମ ଏବଂ ଏକମାତ୍ର ଉଦ୍ୟମ ଏଥିରେ ଗୋଟିଏ କିଶୋରର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଏବଂ ଏହା ସେ ସମୟରେ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା । (୩)

 

୩.

ଦାସ ଡଃ ହେମନ୍ତ କୁମାର, ‘ଓଡ଼ିଆ ଶିଶୁନାଟକ’, ‘ତମସା’ ପୂଜାସଂଖ୍ୟା, ୧୯୯୨, ପୃ-୧୬୮ ।

 

ସେହିପରି ନାଟ୍ୟକାର ଆନନ୍ଦ ଶଙ୍କରଙ୍କ ରଚିତ ଅନ୍ୟ ଏକ ସଫଳ ଶିଶୁନାଟକ ହେଲା ‘ମଣିକାଞ୍ଚନ’ । ମଣିକାଞ୍ଚନ ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୫୯ ମସିହାରେ । ପୁନଶ୍ଚ ନୂତନ ମୁଦ୍ରଣ ରୂପେ ଏହା ୧୯୯୩ ମସିହାରେ ଆତ୍ମପ୍ରକାଶ କରିଛି । ନାଟ୍ୟକାର ଉକ୍ତ ଶିଶୁନାଟକରେ ମହାମାନବ ମହାତ୍ମା ଗାନ୍ଧିଙ୍କର ଛୁଆଁ ଅଛୁଆଁ ଭେଦଭାବ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ ‘ହରିଜନ’ ଆନ୍ଦୋଳନକୁ ଦୃଢ଼ ସମର୍ଥନ କରି ଅଛନ୍ତି ।

 

ଏହି ନାଟକଟି ସମୁଦାୟ ସାତୋଟି ଦୃଶ୍ୟରେ ସଜ୍ଜିତ ହୋଇଛି । ପାତ୍ର ପାତ୍ରୀଙ୍କ ମଧ୍ୟରେ ଅଛନ୍ତି ବାବୁଲା, ଗୁନୁ, ଘନିଆ, ପରୀ, ପାର୍ଥ, ବୁଲୁ, ଅରୁଣ, ଭୀମା, କୁନା, ସାଗର, ପ୍ରତାପ, ଡାକ୍ତର ଆଦି ବାରୋଟି ଚରିତ୍ର । ଏମାନଙ୍କ ମଧ୍ୟରେ କେବଳ ଘନିଆ, ପ୍ରତାପ ଓ ଡାକ୍ତର ହେଉଛନ୍ତି ବୟସ୍କ ଚରିତ୍ର ଓ ଅନ୍ୟମାନେ ହେଉଛନ୍ତି ଶିଶୁ ଚରିତ୍ର । ବାସ୍ତବରେ କହିବାକୁ ଗଲେ ଏମାନେ ସମସ୍ତେ ପ୍ରାୟ ସମବୟସ୍କ ଓ ସହପାଠୀ । ସୁତରାଂ ମୂଖ୍ୟତଃ ମୂଖ୍ୟତଃ ଶିଶୁମାନଙ୍କ ମନରୁ ଛୁଆଁ ଅଛୁଆଁର ଭେଦଭାବ ଦୂର କରିବାକୁ ନାଟ୍ୟକାର ଉକ୍ତ ଶିଶୁନାଟକରେ ପ୍ରଚେଷ୍ଟା କରି ସଫଳ ହୋଇ ଅଛନ୍ତି ।

 

ପ୍ରତାପବାବୁ ସବର୍ଣ୍ଣ, ଉଚ୍ଚ ବଂଶଜ । ଅର୍ଥ ଅଛି, ପ୍ରତିପତ୍ତି ମଧ୍ୟ ଅଛି । ବାବୁଲା ଓ ପରୀ ତାଙ୍କର ପୁତ୍ର କକ୍ୟା । ଘନିଆ ଜନୈକ ହରିଜନ । ଗୁନା ତା’ର ଏକମାତ୍ର ପୁତ୍ର । ବାବୁଲା ଓ ଗୁନା ପିଲାଦିନର ସାଙ୍ଗ । ଏକା ଶ୍ରେଣୀରେ ପଢ଼ନ୍ତି । ଦୁହିଁଙ୍କ ମଧ୍ୟରେ ଅବାଧ ମିଳାମିଶା । ସତେଯେପରି ଏକ ଏବଂ ଅଭିନ୍ନ । କେହି କାହାକୁ ନ ଦେଖିଲେ ଦଣ୍ଡେମାତ୍ର ରହିପାରନ୍ତି ନାହିଁ । ପରନ୍ତୁ ପ୍ରତାପବାବୁ ଏ ମହାମିଳନରେ ବ୍ୟାହତ ସୃଷ୍ଟି କରିଛନ୍ତି । ବାବୁଲାର ଜନ୍ମଦିନରେ ସେ ଗୁନାକୁ ନିମନ୍ତ୍ରଣ ନ କରିବାକୁ ବାବୁଲାକୁ ତାଗିଦ୍ କରିଛନ୍ତି । ଘନିଆକୁ ଡାକି ଧମକ ଦେଇଛନ୍ତି । ମାତ୍ର ବାବୁଲା ଗୁନାକୁ ଆମନ୍ତ୍ରଣ କରିଛି । ଯଥାସମୟରେ ଗୁନା ସ୍ନେହ ଓ ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ ଏକ ଫୁଲହାର ଧରି ଜନ୍ମଦିନ ଉତ୍ସବରେ ଉପସ୍ଥିତ ହୋଇଛି ବାବୁଲାର ଗଳାରେ ଲମ୍ବାଇ ଦେବାକୁ । ମାତ୍ର ଏଥିରେ ବାଧା ଦେଇଛି ବାବୁଲାର ସାନ ଭଉଣୀ ପରୀ । ତା’ର ସାଥିମାନେ ମଧ୍ୟ ଗୁନାକୁ ଥଟ୍ଟା କରିଛନ୍ତି । ପରୀ ଗୁନାଠାରୁ ଫୁଲହାର ଛଡ଼ାଇ ନେଇ ଛିଣ୍ଡାଇ ଦେଇଛି । ମାତ୍ର ବାବୁଲା ଏହା ଜାଣିବା ପରେ ନିଜର ସୁନାଚେନ୍‌କୁ ଗୁନା ଗଳାରେ ଲମ୍ବାଇ ଦେଇ ବନ୍ଧୁର ଅପମାନର ଉପଶମ କରାଇଛି । ମାତ୍ର ଏ କଥା ପ୍ରତାପ ବାବୁ ଜଣିବା ପରେ ଗୁନାକୁ ଚୋରି କେଶ୍‌ରେ ପକାଇବାକୁ ଘନିଆକୁ ଧମକାଇଛନ୍ତି । ନିଜ ପୁଅକୁ ଆକଟ କରି ରଖିବାକୁ ସେ ଘନିଆକୁ ପରାମର୍ଶ ଦେଇଛନ୍ତି-। ଫଳରେ ଗୁନା ଆଉ ବାବୁଲା ସହ ସାକ୍ଷାତ କରିପାରି ନାହିଁ ।

 

ଗୁନାକୁ ଝୁରି ଝୁରି ବାବୁଲାକୁ ଜ୍ୱର ହୋଇ ଯାଇଛି । ତା’ର ମାନସିକ ବିକୃତି ଘଟିଛି । ଡାକ୍ତରବାବୁଙ୍କ ପରାମର୍ଶରେ ନିଜେ ପ୍ରତାପବାବୁ ଗୁନାର ଘରକୁ ଯାଇ ଖୁସାମତ କରି ଗୁନାକୁ ଡ଼ାକି ଆଣିଛନ୍ତି । ଗୁନାକୁ ଦେଖିବା ପରେ ବାବୁଲା ଆଶ୍ୱସ୍ତ ହୋଇଛି ଓ ତା’ର ଜ୍ୱର କ୍ରମଶଃ ସୁସ୍ଥ ହୋଇଛି-। ଫଳରେ ପ୍ରତାପବାବୁ ନିଜର ଭୁଲ ବୁଝି ପାରିଛନ୍ତି ଓ ଗୁନାକୁ ମଧ୍ୟ ନିଜ ପୁତ୍ର ପରି ସ୍ନେହ ଆଦର କରିଛନ୍ତି । ଏହିଭଳି ପରିବେଶରେ ନାଟକର ସମାପ୍ତି ଘଟିବା ସଙ୍ଗେ ସଙ୍ଗେ ‘ହରିଜନ’ ଆନ୍ଦୋଳନର ସ୍ୱପ୍ନ ସାର୍ଥକ ହୋଇଛି ।

 

ନାଟ୍ୟକାର ଉଦୟନାଥ ମିଶ୍ରଙ୍କ ରଚିତ ‘ପଶୁ ଦରବାର’ ଏକ ଅତ୍ୟନ୍ତ ସଫଳ ଶିଶୁନାଟକ-। ଏହା ପଶୁପକ୍ଷୀମାନଙ୍କ କାହାଣୀକୁ ନେଇ ରଚିତ । ସିଂହ, ବାଘ, ଭାଲୁ, ହାତୀ, ମାଙ୍କଡ଼, ଠେକୁଆ, ଗଧ, ବିଲୁଆ ଆଦି ଏହି ନାଟକର ଚରିତ୍ର । ଏକ ଲୋକକଥାକୁ ଆଧାର କରି ଏହାର କାହାଣୀ ଗତିଶୀଳ । ୧୯୭୭ ମିହାରେ ଏହା ଦ୍ୱିତୀୟ ମୁଦ୍ରଣ ରୂପେ ପ୍ରକାଶିତ ଓ ଶିଶୁସାହିତ୍ୟ ସମିତିଦ୍ୱାରା ପୁରସ୍କୃତ ହୋଇଛି ।

 

ଶିଶୁମାନେ ପଶୁପକ୍ଷୀ ତଥା ବଣ ଜଙ୍ଗଲର ପରିବେଶକୁ ଖୁବ୍ ଭଲ ପାଆନ୍ତି । ‘ପଶୁ ଦରବାର’ ନାଟକର କାହାଣୀ, ପରିବେଶ ଓ ଚରିତ୍ର ସମସ୍ତ ଏହି ଅରଣ୍ୟ ଜଗତର ହୋଇଥିବାରୁ ଏହା ଶିଶୁ ଚିତ୍ତବୃତ୍ତିକୁ ଅଧିକ ସ୍ପର୍ଶ କରି ପାରିଛି ।

 

କୌଣସି ଏକ ଜଙ୍ଗଲର ସିଂହ ବୃଦ୍ଧ ହୋଇଯିବାରୁ ଆଉ ପଶୁ ଶିକାର କରିପାରି ନାହିଁ । ତେଣୁ ବାଘ ଓ ବିଲୁଆକୁ ହାତକରି ସେ ଏକ ଯୋଜନା ପ୍ରସ୍ତୁତ କରିଛି । ବଣର ସମସ୍ତ ଜୀବଜନ୍ତୁଙ୍କୁ ଡକାଇ ସେ ଏକ ଦରବାର କରିଛି । ସେଠାରେ ନିଜକୁ ସେ ‘ପଶୁରାଜ’ ଉପାଧିରେ ଭୂଷିତ କରିବା କଥା ଘୋଷଣା କରିଛି । ବଣର ରାଜା ଭାବରେ ସେ ପ୍ରତ୍ୟହ ଗୋଟିଏ ମାତ୍ର ପଶୁକୁ ଭକ୍ଷଣ କରିବାକୁ ଦାବି କରିବାରୁ ସମସ୍ତ ତୃଣଭୋଜି ପଶୁମାନେ ଏକତ୍ରିତ ହୋଇ ଏହାର ବିରୋଧ କରିଛନ୍ତି । ହାତୀ, ହରିଣ, ଠେକୁଆ ଆଦି ଯୁଦ୍ଧ କରି ବାଘ, ସିଂହ ଓ ବିଲୁଆଙ୍କୁ ପରାସ୍ତ କରି ଦେଇଛନ୍ତି । ଫଳରେ ସିଂହ ଓ ବାଘର ସମସ୍ତ ଫିକର ଫସର ଫାଟି ଯାଇଛି । ଦୁଇଦିନର କ୍ଷୁଧା ମେଣ୍ଟାଇବାକୁ ସେମାନେ ବାଧ୍ୟ ହୋଇ ନିଜର ଆଜ୍ଞାବହ ବିଲୁଆ ଉପରକୁ ଝାମ୍ପ ଦେଇଛନ୍ତି । ଚତୁର ବିଲୁଆ ବିଚରା ମନ୍ଦବୁଦ୍ଧି କରି ନିରୀହ ପଶୁମାନଙ୍କୁ ବଧ କରିବାକୁ ଯୋଜନା କରିଥିଲା । ଅଥଚ ନିଜେ ସେହି ଫିକରର ପ୍ରଥମ ଶିକାର ହୋଇ ସେ ପ୍ରାଣବଳୀ ଦେଲା । ଏହା ଶିଶୁମାନଙ୍କୁ ନୀତିଶିକ୍ଷା ଓ ଆନନ୍ଦ ଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଏକତା ଓ ମୈତ୍ରୀ ମନ୍ତ୍ରରେ ଦୀକ୍ଷିତ କରିବାକୁ ଅନେକ ପ୍ରେରଣା ଯୋଗାଇ ପାରିଛି ।

 

ଚଳିତ ଶତକର ସତୁରି ଦଶକର ଅନ୍ୟ କେତୋଟି ପୂର୍ଣ୍ଣାଙ୍ଗ ଶିଶୁନାଟକ ହେଉଛି ଭୁବନେଶ୍ୱର ମହାପାତ୍ରଙ୍କ ରଚିତ ‘ସାଉଁଟା ଫୁଲ’ ‘ମୁଁ ବଡ଼ ହେବି’, ବାସୁଦେବ ପାଠୀଙ୍କ ‘ଅବୁଝା’ (୧୯୬୫), ‘ଚପଳ’ (୧୯୬୬) ମାଧବ ମିଶ୍ରଙ୍କ ‘ବାଲିଯାତ’, ବାଞ୍ଛାନିଧି ରାଉତରାୟଙ୍କ ‘କୁମ୍ଭାର ଚକ’ ଏବଂ କାର୍ତ୍ତିକଚନ୍ଦ୍ର ରଥଙ୍କ ‘ଚଇତି ଘୋଡ଼ା’ ଉଦୟନାଥ ମିଶ୍ରଙ୍କ ‘ପଶୁ ଦରବାର’ ଇତ୍ୟାଦି । ଏତଦ୍ ଭିନ୍ନ ‘ପଥଭିକାରୀ’, ‘ଆନନ୍ଦ’ ଇତ୍ୟାଦି ଅନ୍ୟ କେତୋଟି ଶିଶୁନାଟକ ମଧ୍ୟ ଏହି କାଳରେ ପ୍ରକାଶିତ ହୋଇଥିବାର ଜଣାଯାଏ । ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ‘ଅଙ୍କୁର’, ‘ମାଷ୍ଟ୍ରେ’ ‘ବୈତରଣୀ ମେସ୍’ ଇତ୍ୟାଦି ଶିଶୁନାଟକ ମଧ୍ୟ ଏହି ସମୟର ରଚନା ।

 

ନାଟ୍ୟକାର ବୈକୁଣ୍ଠନାଥ ମହାନ୍ତିଙ୍କ ପ୍ରଣୀତ ଶିଶୁନାଟକ ‘ଅଜବ ଦେଶ’ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହୋଇଥିଲା । ପରେ ୧୯୬୪ ମସିହା ବେଳକୁ ଏହା ଧାରାବାହିକ ଭାବରେ ‘ମନପବନ’ ଶିଶୁ ପତ୍ରିକାର କେତୋଟି ସଂଖ୍ୟାରେ ପ୍ରକାଶିତ ହେବା ପରେ ୧୯୬୮ ମସିହାରେ ପ୍ରଥମ ସଂସ୍କରଣ ରୂପେ ଆତ୍ମପ୍ରକାଶ କରିଥିଲା । ୧୯୮୭ ମସିହାରେ ଏହାର ଦ୍ୱିତୀୟ ମୁଦ୍ରଣ ପ୍ରକାଶିତ ହୋଇଅଛି । ଏହା ସେ କାଳରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ସଫଳତାର ସହ ମଞ୍ଚସ୍ଥ ହୋଇ ଛାତ୍ରଛାତ୍ରୀମାନଙ୍କର ମନୋରଞ୍ଜନ କରି ପାରିଥିଲା । ଏହା ମୁଖ୍ୟତଃ ଏକ କିଶୋର ନାଟକ ହେଲେ ମଧ୍ୟ ହାସ୍ୟରସ ପରିବେଷଣ ଏହାର ମୁଖ୍ୟ ଆବେଦନ ହୋଇଥିବାରୁ ଶିଶୁମାନେ ଏହି ନାଟକଟିରୁ ପ୍ରଚୁର ଆମୋଦ ଲାଭ କରି ପାରିଥିଲେ । ଏକ ଲୋକଗଳ୍ପକୁ କେନ୍ଦ୍ରକରି ‘ଅଜବ ଦେଶ’ ଶିଶୁ ନାଟକର ପରିକଳ୍ପନା ଏବଂ ରାଜା, ମନ୍ତ୍ରୀ ଓ ସାଧବ ଆଦି ଚରିତ୍ରକୁ ନେଇ ଏହାର କାହାଣୀ ଗତିଶୀଳ । ପ୍ରସନ୍ନକୁମାର ରଥ ଦୁଇଖଣ୍ଡ ପୂର୍ଣ୍ଣାଙ୍ଗ ଶିଶୁନାଟିକାର ସ୍ରଷ୍ଟା । ତାଙ୍କ ରଚିତ ‘ବନ୍ୟା ଓ ଯୁଗାନ୍ତର’ (୧୯୭୮) ଏବଂ ‘ସାଙ୍ଗ ହେବୁନିନା’ (୧୯୮୦) ନାମକ ଦୁଇଟି ନାଟକ ସଫଳ ଶିଶୁନାଟକ ଭାବେ ଓଡ଼ିଆ ଶିଶୁସାହିତ୍ୟ ଜଗତରେ ବେଶ ପରିଚିତ ଲାଭ କରିପାରିଛି ।

 

‘ବନ୍ୟା ଓ ଯୁଗାନ୍ତର’ ୧୯୭୭ ମସିହାରେ ପୁରୀଠାରେ ଅନୁଷ୍ଠିତ ନିଖିଳ ଉତ୍କଳ ଶିଶୁନାଟକ ଉତ୍ସବରେ ଅଷ୍ଟମ ବାର୍ଷିକ ସମାରୋହରେ ଅଭିନୀତ ହୋଇ ପ୍ରଥମ ପୁରସ୍କାର ଲାଭ କରିପାରିଥିଲା । କହିବା ବାହୁଲ୍ୟ ଯେ ଏଇଟି ଥିଲା ନାଟ୍ୟକାର ପ୍ରସନ୍ନ ବାବୁଙ୍କର ସର୍ବପ୍ରଥମ ନାଟକ । ଏଥିରେ ବଞ୍ଚିବାପାଇଁ ଏବଂ ଭଲ ମଣିଷ ହେବାପାଇଁ କିଶୋରମାନଙ୍କର ଜୀବନ ସଂଗ୍ରାମକୁ ନାଟ୍ୟକାର ମନୋଜ୍ଞ ଭାବରେ ଚିତ୍ରଣ କରିପାରିଛନ୍ତି । ସେହିପରି ‘ସାଙ୍ଗ ହେବୁନି ନା’ ମଧ୍ୟ ପୁରୀଠାରେ ଅନୁଷ୍ଠିତ ନବମ ଶିଶୁନାଟକ ଉତ୍ସବରେ ପୁରସ୍କୃତ ହୋଇଥିବାର ଜଣାଯାଏ । ଉକ୍ତ ନାଟକରେ ପ୍ରକାଶିତ ନାଟ୍ୟକାରଙ୍କ ମୁଖବନ୍ଧରୁ ସୂଚନା ମିଳେ ଯେ ପକ୍ଷୀରାଜ ନାମକ ଶିଶୁପତ୍ରିକାରେ ରଘୁଆ ନାମରେ ଯେଉଁ ଶିଶୁଗଳ୍ପ ସେ ପ୍ରକାଶ କରିଥିଲେ ‘ସାଙ୍ଗ ହେବୁନିନା’ ହେଉଛି ତାହାରି ସଫଳ ନାଟ୍ୟରୂପ ଏବଂ ଏଇଥି ପାଇଁ ଏହା ଶ୍ରେଷ୍ଠ ପ୍ରଯୋଜନା, ଶ୍ରେଷ୍ଠ ନିର୍ଦ୍ଦେଶନା ଏବଂ ଶ୍ରେଷ୍ଠ ଅଭିନେତାର ପୁରସ୍କାର ଲାଭକରି ପାରିଥିଲା । ମୋଟ ଉପରେ ନାଟକଟିରେ ଧନୀ ଓ ନିର୍ଦ୍ଧନ ମଧ୍ୟରେ ଥିବା ବୈଷମ୍ୟକୁ ଦୁର କରିବା ନିମନ୍ତେ ଧନୀ ଘରର ଝିଅମିଲ ଏବଂ ଗରୀବ ରଘୁଆର ପୁଅ ଶଙ୍କରଙ୍କର ବଂଧୁତ୍ୱ ଏବଂ ସଂଗ୍ରାମ ମନୋଜ୍ଞ ଭାବରେ ଚିତ୍ରିତ ହୋଇଅଛି ।

 

ବନବୀର (୧୯୬୮) ନାଟ୍ୟକାର ନାରାୟଣ ପ୍ରସାଦ ଦାଶଙ୍କର ଏକ ଐତିହାସିକ ଶିଶୁନାଟକ । ଏଥିରେ ମିବାରର ରାଣା ସଂଗ୍ରାମ ସିଂହଙ୍କ ଜୀବନ କାହାଣୀ ବର୍ଣ୍ଣିତ । ଧ୍ୟାଇ ପାନ୍ନାଙ୍କର ଆତ୍ମୋତ୍ସର୍ଗ, ସ୍ୱାର୍ଥତ୍ୟାଗ ତଥା ରାଜାନୁଗତ୍ୟର କାହାଣୀକୁ ଅତ୍ୟନ୍ତ ସଫଳତାର ସହ ନାଟ୍ୟକାର ପିଲାମାନଙ୍କ ନିମନ୍ତେ ପରିବେଷଣ କରିଅଛନ୍ତି । ଅନୁରୂପ ଭାବରେ ନାଟ୍ୟକାର ଭୁବନେଶ୍ୱର ମିଶ୍ର ମଧ୍ୟ ଏଥି ପୂର୍ବରୁ ପିଲାମାନଙ୍କ ନିମନ୍ତେ ‘ପାନ୍ନା’ (୧୯୫୯) ନାମକ ଅନ୍ୟ ଏକ ଶିଶୁନାଟକ ରଚନା କରିଅଛନ୍ତି । ‘ପାନ୍ନା’ ଏବଂ ‘ବନବୀର’ ଉଭୟର କାହାଣୀ ଏକ ଏବଂ ଅଭିନ୍ନ । ପ୍ରକାଶଭଙ୍ଗୀ ଓ ସଂଳାପ ସଂଯୋଜନର ବୈଷମ୍ୟ କେବଳ ଯାହା ନାଟକ ଦୁଇଟିର ମୌଳିକ ପାର୍ଥକ୍ୟ ଭାବେ ଲକ୍ଷ୍ୟଣୀୟ । ମାତ୍ର ଭୁବନେଶ୍ୱର ମିଶ୍ରଙ୍କ ଶିଶୁନାଟକର ମୌଳିକତା ‘ପାନ୍ନା’ ଏବଂ ବୀର ଅଭିମନ୍ୟୁ (୧୯୫୭) ନାମକ ନାଟକ ଦୁଇଟିରୁ ପ୍ରତିପାଦିତ ହୋଇଥାଏ ।

 

ଡଃ ଗୋପାଳଚନ୍ଦ୍ର ମିଶ୍ରଙ୍କ ରଚିତ ‘ସଂଶୋଧନ’ (୧୯୬୦) ଏକ ପୂର୍ଣ୍ଣାଙ୍ଗ ଶିଶୁନାଟକ । ନାଟ୍ୟକାର ଡଃ ମିଶ୍ର ଏହାକୁ ଏକାଙ୍କିକା ଭାବେ ଚିତ୍ରଣ କରିଥିଲେ ମଧ୍ୟ ଏହାର କଳେବର ଏବଂ ପ୍ରକାଶଭଙ୍ଗୀରୁ ଏହା ଏକ ଶିଶୁନାଟକର ମର୍ଯ୍ୟାଦା ଦାବି କରିଥାଏ । ଅବଶ୍ୟ ଏହାର କାହାଣୀ ଶିକ୍ଷାମୂଳକ ଏବଂ ଅପେକ୍ଷାକୃତ ବୟସ୍କ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ନାଟକଟି ରଚିତ । ମୋଟ ଷାଠିଏ ପୃଷ୍ଠା ମଧ୍ୟରେ ମୁଦ୍ରିତ ଏହି ନାଟକଟିରେ ପାତ୍ରପାତ୍ରୀଙ୍କ ସଂଖ୍ୟା ଦଶ ଏବଂ ଏମାନଙ୍କ ମଧ୍ୟରୁ ଛଅଜଣ ହେଉଛନ୍ତି କୌଣସି ଏକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଗୋଟିଏ ଶ୍ରେଣୀର ପଢ଼ାସାଥୀ । ସାତଟି ଦୃଶ୍ୟରେ ବିଭକ୍ତ ଏହି ଶିଶୁ ନାଟକର ଆରମ୍ଭ ହୋଇଛି ଶ୍ରେଣୀଗୃହର ଅଧ୍ୟାପନା କାର୍ଯ୍ୟରୁ । ପ୍ରଧାନଶିକ୍ଷକ ଶ୍ରେଣୀରେ ଅଧ୍ୟାପନା କରିବା ଅବକାଶରେ ପିଲାମାନଙ୍କୁ ମଝିରେ ମଝିରେ କରିଥିବା ପ୍ରଶ୍ନ ଓ ପିଲାମାନଙ୍କର ଭୁଲ ଉତ୍ତର ପ୍ରଦାନରୁ ଶ୍ରେଣୀରେ ସେମାନଙ୍କର ଅନ୍ୟମନସ୍କତା ପ୍ରମାଣିତ ହୋଇଛି ଓ ଏହାକୁ କେନ୍ଦ୍ରକରି ଗଢ଼ିଉଠିଛି ନାଟକର କଥାବସ୍ତୁ । ଛାତ୍ରମାନଙ୍କର କର୍ତ୍ତବ୍ୟବୋଧ ଓ ଆଦର୍ଶ ଛାତ୍ରଜୀବନ ହିଁ ହେଉଛି ‘ସଂଶୋଧନ’ ନାଟକର ମୁଖ୍ୟ ଆବେଦନ ।

 

‘ସେନାପତି’ ନାଟ୍ୟକାର ଯୁଗଳ କିଶୋର ସାହୁଙ୍କ ରଚିତ ଏକ ପୂର୍ଣ୍ଣାଙ୍ଗ ଶିଶୁନାଟକ । ଏହାର ପ୍ରଥମ ମୁଦ୍ରଣ ପ୍ରକାଶିତ ହୋଇଛି ୧୯୭୦ ମସିହାରେ । ଦୁଇଟି ଅଙ୍କରେ ବିଭକ୍ତ ଏହି ନାଟକରେ ମୋଟ ପୃଷ୍ଠା ସଂଖ୍ୟା ଅନେଶ୍ୱତ । ୧୩ଜଣ ପାତ୍ର ଏବଂ ୪ଜଣ ପାତ୍ରିଙ୍କୁ ନେଇ ନାଟକର କାହାଣୀ ଗତିଶୀଳ ।

 

‘ସେନାପତି’ ନାଟକଟି ନାଟ୍ୟକାରଙ୍କ ନିଜସ୍ୱ ଅନୁଭୂତିର କାହାଣୀ । ସପ୍ତମ ଶ୍ରେଣୀର ଛାତ୍ର ଥିବାବେଳେ ଶ୍ରେଣୀ ଗୃହରେ ଘଟିଥିବା ଏକ ଅଭୁଲା ସ୍ମୃତିର ନାଟ୍ୟରୂପ ହେଉଛି ‘ସେନାପତି’ ଶିଶୁନାଟକ । ନାଟ୍ୟକାର ସେନାପତି ନାଟକର ବିଷୟବସ୍ତୁ ସମ୍ପର୍କରେ ସୂଚନା ପ୍ରଦାନ କରି ଲେଖିଛନ୍ତି, ‘‘ଆଜିର ଛାତ୍ର ବିଶୃଙ୍ଖଳା ତଥା ଏକ ଶିକ୍ଷାଗତ ସମସ୍ୟାକୁ ନେଇ ସେନାପତି ସାମାଜିକ ନାଟକଟି ଲିଖିତ । ଆଶା ଓ ବିଶ୍ୱାସ ସମସ୍ତ ଶିକ୍ଷାନୁଷ୍ଠାନରେ ଏହା ଅଭିନୀତ ହୋଇ ଦର୍ଶକମାନଙ୍କୁ ମୁଗ୍‌ଧ କରିବା ସଙ୍ଗେ ସଙ୍ଗେ ଅଧୁନାତନ ସମସ୍ୟାର ସମାଧାନ ଦିଗରେ ଆଲୋକପାତ କରିବ ।’’-(୪)

 

୪.

ସାହୁ, ଯୁଗଳକିଶୋର, ‘ସେନାପତି’, ଇଉନାଇଟେଡ଼୍ ବୁକ୍‌ହାଉସ, ୧୯୭୦, ମୁଖବନ୍ଧ, ପୃଷ୍ଠା-୪ ।

 

ସେନାପତି ନାଟକଟିକୁ ଆତ୍ମିକ ଦୃଷ୍ଟିରୁ ଶିଶୁନାଟକ କୁହାଯାଇ ନପାରିଲେ ମଧ୍ୟ ଏଥିରେ ଥିବା ଶିଶୁଛାତ୍ରମାନଙ୍କ ଚରିତ୍ର ଶିକ୍ଷାୟତନର ପରିବେଶ, ଶିକ୍ଷା ସମସ୍ୟା ତଥା ବା ଛାତ୍ରମାନଙ୍କ ଅଭିନୟ ଉପଯୋଗିତାକୁ ଦୃଷ୍ଟି ସମ୍ମୁଖରେ ରଖି ଏଠାରେ ଏହି ନାଟକଟିର ଆଲୋଚନା କରାଯାଇଅଛି ।

 

‘ପରିବର୍ତ୍ତନ’ (୧୯୮୦) ନାଟ୍ୟକାର ରବୀନ୍ଦ୍ରନାଥ ସାହୁଙ୍କର ରଚିତ ଅନ୍ୟ ଏକ ଶିଶୁନାଟକ । ୧୯୭୮ ମସିହାରେ ଓଡ଼ିଶା ସଙ୍ଗୀତ ପରିଷଦ, ପୁରୀ ତରଫରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶିଶୁନାଟକ ପ୍ରତିଯୋଗିତାରେ ଏହି ନାଟକଟି ଶ୍ରେଷ୍ଠ ପ୍ରଯୋଜନା ପୁରଷ୍କାର ଲାଭ କରିଥିବା କଥା ଏଥିରେ ସୂଚିତ ହୋଇଅଛି । ଏକ ବିଦ୍ୟାଳୟର ୧୩/୧୪ବର୍ଷର ଛାତ୍ରଛାତ୍ରୀ ଏବଂ ବୃଦ୍ଧ ଶିକ୍ଷକଙ୍କୁ ମୁଖ୍ୟ ଚରିତ୍ରରୂପେ ଗ୍ରହଣ କରାଯାଇ ‘ପରିବର୍ତ୍ତନ’ ଶିଶୁନାଟକର ପରିକଳ୍ପନା କରାଯାଇଅଛି । ସାତଜଣ ଛାତ୍ର, ଜଣେ ଶିକ୍ଷକ, ଜଣେ ଭଦ୍ରବ୍ୟକ୍ତି ଏବଂ ଜଣେ ବୃଦ୍ଧ ହେଉଛନ୍ତି ନାଟକଟିର ଚରିତ୍ର । ଏହାର କଥାବସ୍ତୁର ସୂଚନା ପ୍ରଦାନକରି ନାଟକରେ ପତ୍ରସ୍ଥ ଏକ ପତ୍ରରେ ଦର୍ଶାଯାଇଛି, ‘‘ବିଶେଷତଃ ଏକ ପୌରାଣିକ ଉପାଖ୍ୟାନର କ୍ରୋଡ଼ ଦୃଶ୍ୟ ମଧ୍ୟରେ ପ୍ରାଚୀନ ଗୁରୁକୂଳ ଶିକ୍ଷାର ଯେଉଁ ମହତ୍ୱ ପ୍ରକଟିତ କରାଯାଇଛି, ତାହା ଶିଶୁମନରେ ଭାରତୀୟ ପରମ୍ପରା ଅଧ୍ୟୟନ ପ୍ରତି ନିଶ୍ଚୟ ଆଗ୍ରହ ସୃଷ୍ଟି କରିବ ।’’ (୫) ମୋଟ ଉପରେ ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଉପରେ ଅସନ୍ତୁଷ୍ଟ ଏକ ପିତୃମାତୃହୀନ ବାଳକର ଅସନ୍ତୋଷ ତଥା ବିଦ୍ରୋହ ଏବଂ ପରିଶେଷରେ ତା’ର ସମାଧାନହିଁ ‘ପରିବର୍ତ୍ତନ’ ନାଟକର ଚମତ୍କାର ମନସ୍ତତ୍ତ୍ୱ ।

 

୫.

ପାଠୀ, ଅଧ୍ୟାପକ ବସୁଦେବ, ‘ପରିବର୍ତ୍ତନ’ ଓଡ଼ିଶା ବୁକ୍‌ଷ୍ଟୋର, ୧୯୮୦, ମୁଖବନ୍ଧ, ପୃଷ୍ଠା-୪-

 

‘ଶିଶୁସୂର୍ଯ୍ୟ’ (୧୯୮୧) ଶ୍ରୀ ଗୋପୀନଥ ମହାପାତ୍ରଙ୍କ ରଚିତ ଏକ ପୂର୍ଣ୍ଣାଙ୍ଗ ଶିଶୁନାଟକ । ଏହି ନାଟକଟି ଦୁଇଅଙ୍କ ବିଶିଷ୍ଟ ଏବଂ ପ୍ରତ୍ୟେକ ଅଙ୍କରେ ୫ରୁ ୭ଟି ଦୃଶ୍ୟ ସଂଯୋଜିତ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ନିମନ୍ତେ ସଂଗ୍ରାମକୁ ବାଛି ନେଇଥିବା ଏକ କିଶୋରର ଜୀବନ କାହାଣୀ ଏଥିରେ ଚିତ୍ରିତ । ନାଟକର ସମଗ୍ର କାହାଣୀର କେନ୍ଦ୍ରବିନ୍ଦୁ ‘ଦିବାକର’ ନାମକ ଜନୈକ କିଶୋର । ଦାରିଦ୍ର୍ୟ ମିଥ୍ୟା ଅପବାଦ, ଲାଞ୍ଛନା ଏବଂ କଷଣରେ ଜର୍ଜ୍ଜରିତ ଦିବାକରର ସଂଘର୍ଷ ଏବଂ ଅନାବିଳ ବନ୍ଧୁତ୍ୱହିଁ ଉକ୍ତ ନାଟକଟିର ମୁଖ୍ୟ ପ୍ରତିପାଦିତ ବିଷୟବସ୍ତୁ, ଯାହା ଶିଶୁମନରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇଥାଏ ।

 

ପ୍ରଭାତର ଜୟଯାତ୍ରା (୧୯୯୦) ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଏକ କ୍ଷୁଦ୍ର ଶିଶୁନାଟକ । ଏଥିରେ ସାଂପ୍ରତିକ ପୃଥିବୀର ଯୁଦ୍ଧ ବିଭୀଷିକା, ପରିବେଶ ସଚେତନତା ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ରୂପ ପାଇଛି । ‘ପ୍ରଭାତ’ ନାମକ ଜନୈକ ଶିଶୁ କିପରି ଯୁଦ୍ଧର ଆତଙ୍କିତ ହୋଇ ଘାସ, ଫୁଲ, ଗଛ, ସାଗର, ସୂର୍ଯ୍ୟ ଆଦି ପ୍ରକୃତି ସହିତ ମିଳିତ ହୋଇ ଯୁଦ୍ଧମୁକ୍ତ ଓ ପ୍ରଦୂଷଣମୁକ୍ତ ନୂତନ ପୃଥିବୀର ନିର୍ମାଣରେ ଆଗକୁ ବାହାରି ପାରିଛି, ତାହାହିଁ ଶିଶୁନାଟକଟିରେ ବର୍ଣ୍ଣିତ ହୋଇଛି ।

 

‘ପଶୁଦରବାର’ ଓ ‘ନବଜୱାନ’ ଶିଶୁ ଏକାଙ୍କିକାର ରଚୟିତା ଉଦୟନାଥ ମିଶ୍ର । ସଂପ୍ରତି ଦୁଇଖଣ୍ଡ ଶିଶୁନାଟକର ରଚନା କରିଅଛନ୍ତି । ୧୯୯୧ ମସିହାରେ ବିଦ୍ୟାପୁରୀ ସୌଜନ୍ୟରୁ ପ୍ରକାଶ ପାଇଥିବା ତାଙ୍କର ଏହି ଦୁଇଟି ପୂର୍ଣ୍ଣାଙ୍ଗ ଶିଶୁନାଟକ ହେଲା ‘ମନୁଆ ମନୁ’ ଓ ‘ଓଲଟ ପାଲଟ’ ।

 

‘ମନୁଆ ମନୁ’ ଏକ ଅଙ୍କ ବିଶିଷ୍ଟ ଗୋଟିଏ ପୂର୍ଣ୍ଣାଙ୍ଗ ଶିଶୁନାଟକ । ଏଥିରେ ମୋଟ ନଅଟି ଚରିତ୍ରର ସମାବେଶ ଘଟିଅଛି । ସେଥିମଧ୍ୟରୁ ଶିଶୁ ଚରିତ୍ର ହେଉଛି ମାତ୍ର ଗୋଟିଏ । ‘ମନୁ’ ନାମକ ଶିଶୁଟିର ପରିବେଶକୁ ଓ ପରିବାରକୁ କେନ୍ଦ୍ରକରି ନାଟକଟି ରଚିତ ହୋଇଛି । ଏହାର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇ ପ୍ରକାଶକ ଲେଖିଛନ୍ତି, ‘‘ପିଲାଟିବେଳୁ ସେମାନଙ୍କ ମନରେ ପ୍ରାକୃତିକ ସୌନ୍ଦର୍ଯ୍ୟପ୍ରତି କିପରି ଆଗ୍ରହ ଜନ୍ମିବ ସେ ଦିଗରେ ଲେଖକ ଯତ୍ନଶୀଳ ହୋଇଛନ୍ତି ।’’ (୬) ନାଟକର ଚରିତ୍ରମାନେ ଯଥା-ମନୁ, ବାବାଜୀ, ହରିଆ, ଚେନାଚୁରବାଲା, କଣ୍ଢେଇ ବିକାଳୀ; କୋଳିବାଲୀ ଆଦି ନାମମାନଙ୍କରୁ ଶିଶୁର ଆଗ୍ରହ ଓ ପସନ୍ଦ ଆଦି ବିଷୟ ସମ୍ପର୍କରେ ସୂଚନା ମିଳୁଅଛି । ମୋଟ ଉପରେ ‘ମନୁଆ ମନୁ’ ନାଟକଟିକୁ ଶିଶୁମାନେ ପଲ୍ଲୀ ଜୀବନର ଚିତ୍ର ତଥା ପରିବେଶ ଓ ସାମାଜିକ ଇତିହାସର ପରିଚୟ ପାଇପାରିବେ ଯାହା ଟିକି ସାହେବ ‘ମନୁ’ ତା’ର ବାବା ଓ ମା’ ଏବଂ ବୃଦ୍ଧ ଚାକର ହରିଆ ଚରିତ୍ର ମଧ୍ୟରେ ନିକ୍ଷୁଣଭାବରେ ଫୁଟି ଉଠିଛି ।

 

୬.

ମିଶ୍ର, ଉଦୟନାଥ, ‘ମନୁଆମନୁ’, ବିଦ୍ୟାପୁରୀ, ମୂଖବନ୍ଧ, ପୃଷ୍ଠା-୨ ।

 

‘ଓଲଟ ପାଲଟ’ ଶିଶୁନାଟକ ଏକ ଶିକ୍ଷାୟତନର କାହାଣୀକୁ ଭିତ୍ତିକରି ରଚିତ । ଏହା ପିଲାମାନଙ୍କପାଇଁ ସମ୍ପୂର୍ଣ୍ଣ ହାସ୍ୟରସାତ୍ମକ ଓ ମନୋରଞ୍ଜନାତ୍ମକ ପୁର୍ଣ୍ଣାଙ୍ଗ ନାଟକ । ନାଟକର ଚରିତ୍ରମାନେ ହେଲେ ଗୋଟିଏ ମାଇନର ସ୍କୁଲରେ କେତୋଟି ଛାତ୍ରୀ, ତିନିଜଣ ଶିକ୍ଷୟିତ୍ରୀ ଏବଂ ଜଣେ ବୃଦ୍ଧଧ୍ୟାୟୀ । କାହାଣୀଟି ମାତ୍ର ଗୋଟିଏ ଦିନର ଘଟଣାକୁ କେନ୍ଦ୍ରକରି ବର୍ଣ୍ଣିତ । ଶିଶୁର ଚପଳତା ଓ ଶିଶୁସୁଲଭ ଦୁଷ୍ଟାମୀ ମୁଖ୍ୟତଃ ଏହି ନାଟକରେ ବର୍ଣ୍ଣିତ ହୋଇଛି । ପରନ୍ତୁ ପ୍ରଧାନ ଶିକ୍ଷୟତ୍ରୀଙ୍କର କଠୋର ଶୃଙ୍ଖଳା, ଛାତ୍ରଛାତ୍ରୀଙ୍କର ଦାୟିତ୍ୱରେ ଥିବା ଏବଂ ବିଦ୍ୟାଳୟରେ ମହିଳା ପିଅନଭାବେ କାର୍ଯ୍ୟରତ ଚମ୍ପି ମା’ର ପିଲାମାନଙ୍କ ପ୍ରତି ଥିବା ଅନାବିଳ ମାତୃସ୍ନେହ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ ନାଟକଟିରେ ବର୍ଣ୍ଣନା କରାଯାଇଛି ।

 

ବିଦ୍ୟାଳୟର ଦୁଇଜଣ ଛାତ୍ରୀ ବାଳଚପଳତା ବଶତଃ ସେଦିନ ବିଦ୍ୟାଳୟ ଛୁଟିବୋଲି ଚମ୍ପିମା’କୁ କହିବାରୁ ଚମ୍ପିମା’ ସ୍କୁଲରେ ଛୁଟି ଘଣ୍ଟା ବାଡ଼େଇ ଦେବାରୁ ପିଲାମାନେ ଯିଏ ଯୁଆଡ଼େ ଚାଲିଯାଇଛନ୍ତି । ପରେ ଶିକ୍ଷୟତ୍ରୀମାନେ ଆସି ବିଦ୍ୟାଳୟରେ ପିଲାମାନଙ୍କୁ ନଦେଖି ଚମ୍ପିମା’କୁ ପଚାରିବାରୁ ସମସ୍ତ ରହସ୍ୟ ଉଦ୍‌ଘାଟିତ ହୋଇଛି । ଏହି ରହସ୍ୟ ମଧ୍ୟରେ ରହିଛି କେତେଜଣ ଛାତ୍ରୀଙ୍କର ଚପଳତା ଏବଂ ଚମ୍ପା ମା’ର ସ୍ୱଭାବସୁଲଭ ସରଳତା ଯାହା ହାସ୍ୟରସାତ୍ମକ ଭଙ୍ଗୀରେ ଉଦ୍‌ଘାଟିତ ହୋଇଛି ।

 

‘ଢେଲା ପଥର’ ଶ୍ରୀମତୀ ତନୟା ଦାସ ଗୋସ୍ୱାମୀଙ୍କ ରଚିତ ଏକ ଶିକ୍ଷଣୀୟ ତଥା ହାସ୍ୟରସାତ୍ମକ ଶିଶୁନାଟକ । ୧୯୯୨ ମସିହାରେ ଏହା ପ୍ରକାଶ ପାଇଥିଲେ ମଧ୍ୟ ୧୯୯୧ ମମସିହାରେ ଏହି ନାଟକଟି ରଚିତ ହୋଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଅନୁଷ୍ଠିତ ପ୍ରଥମ ଶିଶୁନାଟକ ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ଏବଂ ପ୍ରଥମ ପୁରସ୍କାର ମଧ୍ୟ ଲାଭ କରିଥିଲା ।

 

‘ଢେଲା ପଥର’ ଶିଶୁନାଟକ ହେଲେ ମଧ୍ୟ ଏହାର ବାର୍ତ୍ତା ଶିଶୁ ଓ ବୟସ୍କ ଉଭୟଙ୍କ ପ୍ରତି ପ୍ରଜୁଯ୍ୟ । ପରନ୍ତୁ ଏହି ନାଟକର ଇଙ୍ଗୀତଧର୍ମୀ ସଂଳାପ ଏବଂ ଅନ୍ତର୍ମୂଖୀ ଭାଷା ଅଧିକତର ବୟସ୍କମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ଲେଖିକାଙ୍କର ବକ୍ତବ୍ୟ ଏ ସମ୍ପର୍କରେ ପ୍ରଣିଧାନଯୋଗ୍ୟ–‘‘ଆଜିର ସମାଜରେ କେହି କାହାରି କଥା ମନଦେଇ ଶୁଣିବାକୁ ପ୍ରସ୍ତତ ନୁହନ୍ତି । ଯାହା ଫଳରେ ସାମାନ୍ୟ କଥାକୁ ନେଇ ମତଭେଦ ହୋଇ ହିଂସାକାଣ୍ଡ ଘଟିଥାଏ । ସେହି ହିଂସାକାଣ୍ଡ ସମୟରେ ଯେଉଁ ‘ଢେଲା ପଥର’ ବ୍ୟବହାର ହୋଇ ଅନେକଙ୍କ କ୍ଷତି କରନ୍ତି, ଆଜି ସେଇମାନଙ୍କୁ ଏ ନାଟକରେ ହାଜର କରାଯାଇଛି ।’’ (୭)

 

୭.

ଗୋସ୍ୱାମୀ, ତନୟା ଦାସ, ‘ଢେଲାପଥର’, କଟକ ଟ୍ରେଡ଼ିଂ କମ୍ପାନୀ, ୧୯୯୨, ପୃଷ୍ଠା-‘ଖ’

 

ନାଟକ ‘ଢେଲାପଥର’ର ଅନେକ ଚରିତ୍ର ପ୍ରତୀକାତ୍ମକ ଏବଂ ଦ୍ୱିଅର୍ଥ ବୋଧକ । ଢେଲା ଆଉ ପଥର ସର୍ବଦା ହିଂସାକାଣ୍ଡରେ ସଂପୃକ୍ତ ଥିବା ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରି ମଣିଷ ଉପରେ ସମସ୍ତ ଦୋଷ ଲଦି ଦେବାକୁ ତତ୍ପର । ସାଧୁ ବାବାଜୀ ଚରିତ୍ର ଧର୍ମ ଓ ସହିଷ୍ଣୁତାର, ସର୍ଦ୍ଦାର ଚରିତ୍ରଟି ପ୍ରତିହିଂସା ଏବଂ ସ୍ୱ ଅହଂର, ବୁଦ୍ଧିବାନ ଚରିତ୍ରଟି ସ୍ୱାର୍ଥ ଏବଂ ସ୍ୱାର୍ଥତ୍ୟାଗର ପ୍ରତିଧ୍ୱନିତ୍ୱ କଲାବେଳେ ଶିଶୁଚରିତ୍ର କୁଳମଣି ଦୟା ଏବଂ କରୁଣାର ମୂର୍ତ୍ତିମନ୍ତ ପ୍ରତିନିଧିଭାବେ ଦଣ୍ଡାୟମାନ ହୋଇଥାଏ ।

 

ନାଟକ ‘ଢେଲାପଥର’ର ବିଷୟ ବିନ୍ୟାସ ଶିଶୁବୋଧ ନହେଲେ ମଧ୍ୟ ଏଥିରେ ଥିବା ଦୁଇ ଦୟନୀୟ ଚରିତ୍ର ଢେଲା ଆଉ ପଥରଙ୍କର ବିକଳ, ଟିକିବେଙ୍ଗର କାରୁଣ୍ୟ, ସାପର ଆତ୍ମସମର୍ପଣ ଏବଂ ଗୋଟିଏ ବେଙ୍ଗଛୁଆକୁ କେନ୍ଦ୍ରକରି ତିନି ଶିଶୁ, ବନ୍ଧୁଙ୍କର କଳହ ଏବଂ କଳହର ଅବସାନ ପାଇଁ ଢେଲାପଥରର ସଦ୍‌ବ୍ୟବହାର ଆଦି ବିଷୟବସ୍ତୁ ଶିଶୁର ଅଙ୍ଗେ ନିଭା ଘଟଣା ହୋଇଥିବାରୁ ଏହା ଶିଶୁକୁ ଯଥେଷ୍ଟ ଆନନ୍ଦ ଦେଇପାରିଛି । ମୁଖ୍ୟତଃ ଶିଶୁ ଚରିତ୍ରମାନଙ୍କର ଅଭିନୟରେ ପ୍ରାଧାନ୍ୟ ହେତୁ ଏହା ଏକ ଶ୍ରେଷ୍ଠ ଶିଶୁନାଟକର ଗୌରବ ଲାଭକରି ପାରିଛି ।

 

୩-ଶେଷକଥା :

ପୂର୍ବରୁ ସୂଚୀତ ହୋଇଛି ଯେ ଓଡ଼ିଆ ଶିଶୁନାଟକର ପ୍ରକାର ଭେଦ ଏବଂ ଏହାର ଆତ୍ମିକ ବିଚାର ଉକ୍ତ ପ୍ରବନ୍ଧରେ ବିଚାର୍ଯ୍ୟ ନୁହେଁ । ତଥାପି ଯଥାର୍ଥ ଶିଶୁନାଟକ ସଂଜ୍ଞା ନିରୁପଣ କରାଯାଇ ପାରିଲେ ଓଡ଼ିଆ ଶିଶୁନାଟକରେ ଅଦ୍ୟାବଧି ପ୍ରକାଶିତ ହୋଇଥିବା ନାଟକଗୁଡ଼ିକର ସ୍ୱରୁପକୁ ଚିହ୍ନିବାରେ ଅସୁବିଧା ହେବ ନାହିଁ ।

 

ଶିଶୁର ସଂଜ୍ଞା ଏବଂ ଶୈଶବ ଅବସ୍ଥାର ବୟସ ସୀମା ନିର୍ଦ୍ଧାରଣବେଳେ ଏହାର ସର୍ବୋଚ୍ଚ ସୀମା ୧୬ବର୍ଷ ଯାଏ ପରିବ୍ୟାପ୍ତ ଥିବାରୁ ଓଡ଼ିଆ ଶିଶୁନାଟକ ପର୍ଯ୍ୟାୟରେ ଆଲୋଚିତ ସମସ୍ତ ନାଟକକୁ ଶିଶୁନାଟକ ପର୍ଯ୍ୟାୟଭୁକ୍ତ କରାଯାଇ ପାରିବ । ୧୬ବର୍ଷ ବୟସର ପିଲା ମହାବିଦ୍ୟାଳୟରେ ଅଧ୍ୟୟନ କରିବାର ଯୋଗ୍ୟତା ହାସଲ କରିପାରୁଥିବାରୁ ତା’ର ମାନସିକସ୍ଥିତି ଓ ବୌଦ୍ଧିକ ବିକାଶକୁ ସନ୍ଦେହ କରାଯାଇ ନପାରେ । ସୁତରାଂ ଯେଉଁ ଭାବ, ଭାଷା ଏବଂ ବିଷୟ ବିନ୍ୟାସକୁ ନେଇ ଉପରୋକ୍ତ ଆଲୋଚିତ ନାଟକଗୁଡ଼ିକ ରଚନା କରାଯାଇଛି, ସେଗୁଡ଼ିକୁ ପଢ଼ି ଆନନ୍ଦ ପାଇବାରେ ଏବଂ ଦର୍ଶକଭାବରେ ସେ ସମସ୍ତ ନାଟକକୁ ଦର୍ଶନକରି ତା’ର ଭାବ ଗ୍ରହଣ କରିବାରେ ଆଜିର ଶିଶୁସମାଜ ଅସମର୍ଥ ନୁହେଁ ।

 

ଅଥଚ ସଫଳ ଶିଶୁସାହିତ୍ୟ ପରି ସଫଳ ଶିଶୁନାଟକର ସଂଜ୍ଞା ନିର୍ଭର କରେ ଏହାର ଆଙ୍ଗିକ ଓ ଆତ୍ମିକ ସାଜସଜା ଉପରେ । ପୁଣି ବୟସ ଭେଦରେ ପିଲାମାନଙ୍କୁ ଶିଶୁ ଓ କିଶୋର ଭାବରେ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଉଥିବାରୁ ଶିଶୁମାନଙ୍କ ନିମନ୍ତେ ରଚିତ ନାଟକ ଯେ ଅତ୍ୟନ୍ତ ସରଳ, ସାବଲୀଳ ଏବଂ ଶିଶୁର ପ୍ରିୟ ବିଷୟବସ୍ତୁକୁ ଆଧାର କରି ରଚନା କରାଯିବା ଆବଶ୍ୟକ, ଏହା କହିବା ଅନାବଶ୍ୟକ । ତିନିରୁ ସାତ ବର୍ଷର ଶିଶୁ ମୁଖ୍ୟତଃ ପଶୁପକ୍ଷୀ, ଜୀବଜନ୍ତୁ ଆଦି ବିଷୟରେ ଗପ, ଗୀତ ଶୁଣିବାକୁ ଆଗ୍ରହ ପ୍ରକାଶ କରିଥାଏ । ତେଣୁ ତା’ପାଇଁ ରଚିତ ନାଟକଗୁଡ଼ିକ ଯଥାସମ୍ଭବ କ୍ଷୁଦ୍ର ଏବଂ ପଶୁପକ୍ଷୀ ବିଷୟକ ହେବା ଉଚିତ । ଅତଏବ ଶିଶୁପାଇଁ ନାଟକ ଅପେକ୍ଷା ଏକାଙ୍କିକାଗୁଡ଼ିକ ଅଧିକ ଉପଯୋଗୀ ଏବଂ ଏହା ଅନ୍ତତଃପକ୍ଷେ ଚାରି ପାଞ୍ଚୋଟି ଦୃଶ୍ୟରେ ସୀମିତରହି ଅଧଘଣ୍ଟା ମଧ୍ୟରେ ଅଭିନୀତ ହେବା ଆବଶ୍ୟକ । ପଶୁପକ୍ଷୀ ବହୁଳ ଏହି ଏକାଙ୍କିକାମାନଙ୍କରୁ ଶିଶୁକାହାଣୀ ଶୁଣିବା ସହିତ ସଙ୍ଗୀତର ଆନନ୍ଦ ପାଇ ପାରିଲେ ଏହା ଆହୁରି ଅଧିକ ସଫଳ ହୋଇଥାଏ । ବିଭିନ୍ନ ପ୍ରକାର ପଶୁପକ୍ଷୀମାନଙ୍କର ବେଶପୋଷାକ ଓ ମୁଖା ଆଦି ଅଭିନୟରେ ପ୍ରଦର୍ଶିତ ହେବାଦ୍ୱାରା ଦୂରରେ ରହି ମଧ୍ୟ ବଣ ଜଙ୍ଗଲ ଜୀବଜନ୍ତୁଙ୍କ ସହ ସେ ପରିଚିତ ହୋଇପାରେ । କାରଣ ଶିଶୁମାନଙ୍କ ନିକଟରେ ଜୀବନର ନେତିବାଦୀ ଦିଗଟିକୁ ଯେତେ କମ ଉଦ୍‌ଘାଟନ କରାଯାଏ, ତାହା ସେତେ ଭଲ । କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ରଚନାରେ ଏଥିରେ ପରିମାଣ ବରଂ ବଢ଼ାଇ ଦିଆଯାଇ ପାରେ । x x ଆନନ୍ଦ ଦାନ ସହିତ ଉତ୍ସାହ, ଜ୍ଞାନ ତଥା ନୀତିବୋଧର ବିକାଶ ନିମନ୍ତେ ଶିଶୁସାହିତ୍ୟର ପରିକଳ୍ପନା । ନାଟକ ଯେହେତୁ ଏକ ଦୃଶ୍ୟମାନ ସାହିତ୍ୟ ଏହା ପୂର୍ବୋକ୍ତ ଭୂମିକାକୁ ବେଶ ଭଲ ଭାବରେ ତୁଲାଇ ପାରିବ । ଏଥିପାଇଁ ସରଳ ଏବଂ ସୁବୋଧ୍ୟ ଭାଷା, ସୁଶ୍ରାବ୍ୟ ସଙ୍ଗୀତ ଏବଂ ସୁପରିକଳ୍ପିତ ନୃତ୍ୟ ଇତ୍ୟାଦିର ସାହାଯ୍ୟ ମଧ୍ୟ ନିଆଯାଇ ପାରେ ।’’ (୮)

 

୮.

ଦାସ, ଡଃ ହେମନ୍ତକୁମାର, ‘ଓଡ଼ିଆ ଶିଶୁନାଟକ’, ‘ତମସା’, ଅକ୍ଟୋବର ୧୯୯୨, ପୃଷ୍ଠା-୧୭୨ ।

 

ଓଡ଼ିଆ ଶିଶୁନାଟକର ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ ନିମନ୍ତେ ଯଥାଯଥ ଉଦ୍ୟମ ଏଯାଏ ହୋଇପାରି ନାହିଁ । ନାଟକର ପ୍ରଚାର ଓ ପ୍ରସାର ସୁଗମିତ ହୋଇଥାଏ ରଙ୍ଗମଞ୍ଚ ମାଧ୍ୟମରେ । ଦୁଃଖର କଥା ଯେ ଆମ ଶିଶୁନାଟକ ମଞ୍ଚସ୍ଥଳୀ ଆଜିଯାଏ ସେହି ବିଦ୍ୟାଳୟର ପ୍ରାଙ୍ଗଣରେ ହିଁ ରହି ଆସିଛି । ଯେ ପର୍ଯ୍ୟନ୍ତ ଶିଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଶିଶୁ ରଙ୍ଗମଞ୍ଚ (Children’s Little Theater) ନିର୍ମିତ ନ ହୋଇଛି ଏବଂ ଯେ ପର୍ଯ୍ୟନ୍ତ ଓଡ଼ିଆ ନାଟ୍ୟ ଜଗତର ନାଟ୍ୟଗୁରୁମାନେ ଶିଶୁନାଟକର ରଚନା ଦିଗରେ ମନୋନିବେଶ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଓଡ଼ିଆ ଶିଶୁନାଟକର ଗୁଣାତ୍ମକ ବିକାଶ ସାଧିତ ହୋଇପାରିବ ନାହିଁ ।

 

ସଂପ୍ରତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ୧୯୯୧ ମସିହାଠାରୁ ‘ଶିଶୁନାଟକ’ ଉତ୍ସବ ଆୟୋଜନ କରିବାର ଦାୟିତ୍ୱ ଗ୍ରହଣ କରିଛି । ଏଥି ପୂର୍ବରୁ ପୁରୀର ଓଡ଼ିଆ ସଙ୍ଗୀତ ପରିଷଦ ତରଫରୁ ପ୍ରତିବର୍ଷ ଶିଶୁନାଟକ ପ୍ରତିଯୋଗିତା କରାଯାଉଥିଲା । ୧୯୮୬ ମସିହାରୁ ଭୁବନେଶ୍ୱରର ସୌଖୀନ ନାଟ୍ୟସଂସ୍ଥା ‘ଶତାବ୍ଦୀର କଳାକାର’ ନିୟମିତ ଭାବେ ଶିଶୁନାଟକ ସପ୍ତାହ ପାଳନ କରି ଆସୁଛି । ଯଦ୍ୱାରା ଓଡ଼ିଆ ଶିଶୁନାଟକ ରଚନା କ୍ଷେତ୍ରରେ କିଛିଟା ସଫଳତା ମିଳିପାରିଛି । ସର୍ବୋପରି ଆକାଶବାଣୀ, ଦୂରଦର୍ଶନ ଏବଂ ଅନ୍ୟ କେତୋଟି ବେସରକାରୀ ଶିଶୁ-କିଶୋର ଅନୁଷ୍ଠାନମାନ ଶିଶୁନାଟକର ପ୍ରଚାର ଓ ପ୍ରସାର ଦିଗରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଅଛନ୍ତି, ତାହା ବାସ୍ତବିକ ସ୍ୱାଗତଯୋଗ୍ୟ ତଥା ଓଡ଼ିଆ ଶିଶୁନାଟକର ଭବିଷ୍ୟତ ପ୍ରତି ଏକ ଶୁଭସଙ୍କେତ ପରି ମନେହୁଏ ।

 

 

ସଂପାଦକ, ‘ତମସା’

F/21, ବାଦାମବାଡ଼ି ନୂଆ କଲୋନୀ,

କଟକ-୭୫୩୦୧୨

 

***

 

ଓଡ଼ିଆ ମୌଖୀକ ଶିଶୁଗୀତରେ-ଜହ୍ନମାମୁଁ

ଶ୍ରୀ ବସନ୍ତ କିଶୋର ସାହୁ

 

ସୌରମଣ୍ଡଳର ସମସ୍ତ ଗ୍ରହ-ଉପଗ୍ରହ ଓ ନକ୍ଷତ୍ର ମଧ୍ୟରୁ ‘ଜହ୍ନ’ ବା ଚନ୍ଦ୍ର ସହିତ ଆମ ସମସ୍ତଙ୍କର ପରିଚୟ ସବୁଠାରୁ ସର୍ବାଧିକ । ଏହି ଜହ୍ନକୁ ଆମେ ଜହ୍ନମାମୁଁ ବୋଲି କହିଥାଉ । ଜହ୍ନକୁ ମାମୁଁ କହିବା ଅନ୍ତରାଳରେ, ଏକ ପୌରାଣିକ କିମ୍ବଦନ୍ତୀ ନିହିତ ଅଛି । ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ବାହାରି ଥିବାରୁ ଆମେ ସମସ୍ତେ ତାଙ୍କୁ ମା’ ବୋଲି ସ୍ୱୀକାର କରୁ । ପୁଣି, ସେଇ ସମୁଦ୍ରମନ୍ଥନରୁ ‘ଚନ୍ଦ୍ର’ ମଧ୍ୟ ବାହାରିଥିଲେ-ସେଇ ଦୃଷ୍ଟିକୋଣରୁ ମା’ ଲକ୍ଷ୍ମୀଙ୍କ ଭାଇ ଭାବରେ ଆମେ ସମସ୍ତେ ଜହ୍ନକୁ ଜହ୍ନମାମୁଁ ବୋଲି କହିଥାଉ ।

 

‘ଜହ୍ନ’ ସୌନ୍ଦର୍ଯ୍ୟର ପ୍ରତୀକ । ଜହ୍ନର କୋମଳ-ଚିତ୍ତ ଆକର୍ଷକ ଜ୍ୟୋତ୍ସା-କିରଣରେ ମୁଗ୍‌ଧ ହୋଇ ବିଭିନ୍ନ ଦେଶର ସାହିତ୍ୟିକମାନେ ବିଭିନ୍ନ ସମୟରେ ଜହ୍ନର ଭୁରି ଭୁରି ପ୍ରଶଂସା କରି ନିଜର ରଚନାକୁ ସମୃଦ୍ଧ କରି ଯାଇଛନ୍ତି । ଏଥିପାଇଁ ବିଭିନ୍ନ ଦେଶରେ ସାହିତ୍ୟରେ ଜହ୍ନର ଆଦର ଭିନ୍ନ ଭିନ୍ନ ପ୍ରକାରେ ପ୍ରକଟିତ ହୋଇଛି । ବୈଦିକ ପୁରାଣରେ ଜହ୍ନକୁ ଦେବତା ରୂପରେ ବର୍ଣ୍ଣନା କରାଯାଇଛି । ‘‘ବୈଦିକ ତଥା ପୁରାଣ ପରମ୍ପରାରେ ଏହି ଦେବତାଙ୍କ ଭାବମୂର୍ତ୍ତି ହେଉଛି; ସେ ଶୁକ୍ଳାମ୍ବରଧର, ଉଜ୍ଜ୍ୱଳ ଶୁକ୍ଲବର୍ଣ୍ଣ, ଓଷଧି, ଅମୃତ, ସୋମଲତା ଓ ସୋମରସ ପ୍ରଭୃତିର ଅଧିଦେବତା-। (୧)

 

୧.

ଜହ୍ନ, ଜହ୍ନରାତି ଓ ଜହ୍ନରାତି : ଓଡ଼ିଆ କାବ୍ୟ ପରମ୍ପରାରେ-ଅଭିନ୍ନ ସାହୁ, ଝଙ୍କାର ଅକ୍ଟୋବର-୧୯୮୧ ।

 

ଓଡ଼ିଆ ଲୋକଗୀତରେ ‘ଜହ୍ନ’ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । କୁଆଁର-ପୁନେଇଁ, ଦୋଳପୁନେଇଁ, ପୁଷ ପୁନେଇଁରେ ପାଳିତ ହେଉଥିବା ପର୍ବପର୍ବାଣୀ ସହିତ ଜହ୍ନର ସମ୍ପର୍କ ଖୁବ୍ ନିବିଡ଼ । ଓଡ଼ିଆ ଲୋକଗୀତ ପରମ୍ପରାରେ କୁମାରୀମାନେ ଜହ୍ନ ଓ ଜହ୍ନରାତିକୁ ଗୀତିମୁଖର ଛନ୍ଦରେ ପରିପ୍ରକାଶ କରି, ଆତ୍ମବିଭୋର ହୋଇ ଉଠିଥାନ୍ତି । ଏହି ଆତ୍ମବିଭୋରତା ମଧ୍ୟରେ, ପ୍ରେମିକ-ପ୍ରେମିକାଙ୍କ ଲଜ୍ଜା, ଆବେଗ ଉତ୍କଣ୍ଠା ଓ ବିରହ-ମିଳନର ଚିତ୍ର ପ୍ରକାଶିତ ହୋଇଥାଏ । ମାତ୍ର, ଆମ ଆଲୋଚନାର ବିଷୟ ପରିସର ହେଲା-ଓଡ଼ିଆ ମୌଖିକ ଶିଶୁଗୀତରେ ଜହ୍ନମାମୁଁର ସ୍ୱରୁପ କିପରି ପ୍ରକଟିତ ହୋଇଛି, ତାହାହିଁ ଆଲୋଚନା କରିବା ।

 

ଓଡ଼ିଆ ମୌଖିକ ଶିଶୁଗୀତ ହେଉଛି, ଓଡ଼ିଆ ଲୋକଗୀତର ଏକ ଅଂଶବିଶେଷ । ଅର୍ଥାତ୍ ଲୋକଗୀତ ମଧ୍ୟରୁ ଯେଉଁ ଅଂଶଗୁଡ଼ିକ ଶିଶୁମାନଙ୍କପାଇଁ ଉଦ୍ଦିଷ୍ଟ, ଆମେ ସାଧାରଣତଃ ସେଇ ଗୀତଗୁଡ଼ିକୁ ଶିଶୁଗୀତ ପର୍ଯ୍ୟାୟଭୁକ୍ତ କରିଥାଉ । ଶିଶୁଗୀତ ପର୍ଯ୍ୟାୟରେ ଆମେ ନାନାବାୟାଗୀତ, ଖେଳଗୀତ, ନାଁ ଦିଆ ତଥା ପର୍ବପର୍ବାଣୀ ଆଦି ଗୀତରେ ଜହ୍ନମାମୁଁର ଚିତ୍ର କିପରି ପ୍ରକଟିତ ହୋଇଛି ତାହାହିଁ ଅନୁଧ୍ୟାନର ବିଷୟ ।

 

କ) ନାନାବାୟା-ଗୀତ (Nursery Rhyme)ରେ ଜହ୍ନମାମୁଁ–

ଶିଶୁକୁ ଶାନ୍ତ କରିବାର ଗୀତ ପୃଥିବୀର ସର୍ବତ୍ର ଅଛି । ଏହାକୁ ଆମେ ନାନାବାୟାଗୀତ କହିଥାଉ ।’’ ଶିଶୁ ଯେତେବେଳେ କଥା କହି ଶିଖି ନଥାଏ ବା ମନର ଭାବକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବାକୁ ଅକ୍ଷମ ଥାଏ, ସେତେବେଳେ କାନ୍ଦିକରି ସାଧାରଣତଃ ତା ମନର ଭାବ ପ୍ରକାଶ କରେ । x x x ତେଣୁ, ଅଧିକାଂଶ ନାନାବାୟା-ଗୀତ ଅଶାନ୍ତ ଶିଶୁକୁ ବୁଝାଇ ଶାନ୍ତ କରିବା ଉଦ୍ଦେଶ୍ୟରେ ରଚିତ ।’’ (୨) ଶିଶୁର ଜନନୀହିଁ ଏହି ନାନାବାୟା ଗୀତଗୁଡ଼ିକୁ ରଚନା କରିଥାନ୍ତି । ଶିଶୁର ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଶିଶୁସାହିତ୍ୟ ବିଶେଷଜ୍ଞମାନେ, ନାନାବାୟାଗୀତ ନିମ୍ନ ବିଭାଗୀକରଣ କରିଛନ୍ତି । ଯଥା-

 

୧ - ଗେଲକରିବା, ଝୁଲାଇବା ଓ ନଚାଇବା ଗୀତ

୨ - କାନ୍ଦୁଥିଲେ ବୁଝାଇବା ଗୀତ

୩ - ଖୁଆଇବା ଗୀତ ଓ

୪ - ଶୁଆଇବା ଗୀତ

 

ଏହି ସମସ୍ତ ନାନାବାୟା ଗୀତରେ ଜହ୍ନମାମୁଁର ସ୍ୱରୂପ କିପରି ପ୍ରକଟିତ ହୋଇଛି, ତାହା ଆସନ୍ତୁ ଏବେ ଆଲୋଚନା କରିବା ।

 

୨.

ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ-ରାମକୃଷ୍ଣ ନନ୍ଦ (ପୂର୍ବଭାସ) ପୃ-୩

 

କାନ୍ଦୁଥିଲେ ବୁଝାଇବା ଗୀତରେ ଜହ୍ନମାମୁଁ :

ଶିଶୁମାନଙ୍କ ନିକଟରେ ଜହ୍ନମାମୁଁର ଆଦର ସବୁଠାରୁ ଅଧିକ । ତେଣୁ, ଶିଶୁ କୌଣସି କାରଣରୁ ଯେତେବେଳେ ଅଝଟ ହୋଇ କାନ୍ଦେ, ତା’ର ମାଆ ତାକୁ କୋଳରେ ବସାଇ ଆକାଶର ଜହ୍ନକୁ ଦେଖାଇ ଗାଏ–

 

ଆ ଜହ୍ନମାମୁଁ ସରଗଶଶୀ

ମୋ କୁନା ସାଥିରେ ଖେଳିବୁ ବସି ।

ପାଟଖଦୀ ଖଣ୍ଡେ ଆଣିବୁ ଯେବେ,

କୁନା ସାଥିରେ ତୁ ଖେଳିବୁ ତେବେ ।

ଖଣ୍ଡିଏ ଦେଲେ ରୁଷିବ,

ଦି ଖଣ୍ଡ ଦେଲେ କିରି କିରି ହୋଇ ହସିବ । (୩)

 

୩.

ତତ୍ରୈବ-ପୃ-୨୩

 

ଏହି ଗୀତରେ ଜହ୍ନମାମୁଁକୁ ମାମୁଁ ବୋଲି ସମ୍ବୋଧନ କରାଯାଇଥିଲେ ହେଁ, ପିଲାର ଖେଳ ସାଥି ଭାବେ ଜହ୍ନର ଚିତ୍ର ପ୍ରତିଫଳିତ ହୋଇଛି । ଶିଶୁତ ଅବୁଝା–ସେ ମା’ର ସୁଲଳିତ କଣ୍ଠରୁ ଝରିଆସୁଥିବା ସୁମଧୁର ଗୀତର ସାଙ୍ଗିତିକତାରେ ମୁଗ୍‌ଧ ହୋଇଯାଏ–ତା’ର ମନ ଅତୀନ୍ଦ୍ରିୟ ଜଗତକୁ ଚାଲିଯାଏ–ଆଉ ତା’ର କାନ୍ଦ ଆପେ ଆପେ ବନ୍ଦ ହୋଇଯାଏ । ଏପରି ଅନେକ ନାନାବାୟା ଗୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ । ଅନ୍ୟ ଏକ ନାନାବାୟା ଗୀତ ହେଲା-

 

ଆ’ ଜହ୍ନମାମୁଁ ସରଗଶଶୀ,

ମୋ କାହ୍ନୁ ହାତରେ ପଡ଼ରେ ଖସି ।

ରଖିଛି ତୋ ପାଇଁ ରେଶମୀ ଛତା,

ମୁଣ୍ଡକୁ ପଗଡ଼ି, ପାଦକୁ ଯୋତା ।

ଶୁଆ ଥଣ୍ଟ ପରି ନାଲିଆ ଜାମା,

ଆଣି ତୋ ପାଖରେ କରିବି ଜମା ।

x      x      x

ତୋତେ ଦେଖି କାହ୍ନୁ ହୋଇବ ଖୁସି

ଦୁଧ ଭାତ ଦେବ ଖାଇବୁ ବସି । (୪)

 

୪.

ତତ୍ରୈବ-ପୃ-୨୨

 

ମାଆର ଏହି ନାନାବାୟାଗୀତ ଅଝଟ ଶିଶୁକୁ ବୋଧ କରିବାପାଇଁ ଉଦ୍ଦିଷ୍ଟ । ଅବୋଧ ଶିଶୁ ଭଲମନ୍ଦ-ସମ୍ଭବ ଅସମ୍ଭବ କ’ଣ ବୁଝେନାହିଁ । ସବୁ ଅସମ୍ଭବ ତା ନାମରେ ସମ୍ଭବ ବୋଲି ପ୍ରତୀୟମାନ ହୁଏ । ମା’ଠାରୁ ନାନାବାୟାଗୀତ ଶୁଣି, ସେ ଭାବେ ସତେ ଯେମିତି ଜହ୍ନମାମୁଁ ତା ସହିତ ଶିଶୁ ଏକାଠି ବସି ଦୁଧଭାତ ଖାଇବ । ଜହ୍ନମାମୁଁ ସହିତ ଶିଶୁ ଏକାଠି ବସି ଦୁଧଭାତ ଖାଇବାର କଳ୍ପନା ବିଚ୍ଛିନ୍ନାଞ୍ଚଳ ମେଦିନପୁରରେ ପ୍ରଚଳିତ ନାନାବାୟାଗୀତରେ ମଧ୍ୟ ପ୍ରକାଶିତ ହୋଇଛି-

 

‘‘ଆସ ଜହ୍ନମାମୁଁ ଶରଦଶଶୀ,

ଆମ କାହ୍ନୁ ହାତରେ ପଡ଼ରେ ଖସି ।

ଦୁଧଭାତ ସର ଅନେକ ଦବା,

ସନ୍ତୋଷକରି ଘରକୁ ନବା । (୫)

(ମେଦିନପୁର)

 

୫.

ପଲ୍ଲୀଗୀତ ସଞ୍ଚୟନ-ତୃତୀୟଭାଗ-କୁଞ୍ଜବିହାରୀ ଦାଶ-ପୃ-୨୧୧ ।

 

କେବଳ ବିଚ୍ଛିନ୍ନାଞ୍ଚଳରେ ନୁହେଁ–ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ ଏହିପରି ଗୀତ ପ୍ରଚଳିତ । ଓଡ଼ିଆ ଭାଷାର ପ୍ରଧାନ ଉପଭାଷା ସମ୍ବଲପୁରୀ ଭାଷାରେ ମଧ୍ୟ ଜହ୍ନମାମୁଙ୍କୁ ନେଇ ନାନାବାୟାଗୀତମାନ ପ୍ରଚଳିତ–

 

ଆବୁ ଆବୁରେ ଜହ୍ନମାମୁଁ ଶରଦଶଶୀ

ଆମର ବୁଆର ହାତେ ପଡ଼ିବୁ ଖସି

କାଉ ଘର ଯିବୁରେ ଧନ ମୋର

ନିଜଘର ଯିବୁ

ବଢ଼େ କାଁଦ୍‌ରି ଧନ୍‌ ଆହୋ

ବଢ଼େ କାଁଦ୍‌ରି ହଣ୍ଡା ଆରେ । (୬)

(ବରଗଡ଼, ସମ୍ବଲପୁର)

 

୬.

ପଶ୍ଚିମ ଓଡ଼ିଶାର ମୌଖିକ ଶିଶୁଗୀତ : ଏକ ପରିକ୍ରମା-ଡ: ମନୀନ୍ଦ୍ର ମହାନ୍ତି-ସପ୍ତର୍ଷି-ଜାନୁଆରୀ-୭୭-ପୃ-୨୩ ।

 

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ମାତୃଭାଷା ବଙ୍ଗଳାରେ ମଧ୍ୟ ଏହିପରି ନାନାବାୟାଗୀତ ପ୍ରଚଳିତ-

 

ଆଏ ଆଏ ଜହ୍ନମାମୁଁ, ଦୁଧଭାତ ଖାଏ,

କୋଟିର ବାପାଲେ ଟିକ୍ ଦିଏ ଯାଏ । (୭)

 

ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ଜହ୍ନମାମୁଁକୁ ନେଇ ନାନାବାୟାଗୀତ କେବଳ ଓଡ଼ିଶାରେ ନୁହେଁ, ଭାରତରେ ସର୍ବତ୍ର ପ୍ରଚଳିତ ।

 

୭.

ଓଡ଼ିଆ ଶିଶୁସାହିତ୍ୟର ଉନ୍ମେଷ ଓ ବିକାଶ-ଡ ମନୀନ୍ଦ୍ର ମହାନ୍ତିଙ୍କ ଅପ୍ରକାଶିତ ଥେସିସରୁ ସଂଗୃହୀତ ।

 

ଖୁଆଇବାବେଳେ ଗୀତରେ ଜହ୍ନମାମୁଁ :

ଶିଶୁମାନେ ଖେଳିଲାବେଳେ, ଭୋକଶୋଷ ସବୁକିଛି ଭୁଲିଯାଆନ୍ତି । ଖାଇବାକୁ ଡାକିଲେ ଖାଆନ୍ତି ନାହିଁ । ମା’ ଶିଶୁର ମନକୁ ଖେଳରୁ, ଖାଇବା ପ୍ରତି ଆକୃଷ୍ଟ କରିବାପାଇଁ ଜହ୍ନମାମୁଁକୁ ଦେଖାଇ ଗାଇଥାଏ-

 

ଆସରେ ଜହ୍ନମାମୁ ଶରଗଶଶୀ

ମୋ କାହ୍ନୁ ହାତରେ ପଡରେ ଖସି,

ଲୁଚି ଲୁଚି ଯାଉଛୁ ମେଘରେ ମିଶି,

ପୁଣି ଦେଖା ଦେଉଛୁ ତୁ ହସି ହସିରେ ସରଗଶଶୀ ।

ଖାଉ ନାହିଁ ମୋ କୁନା ବସିଛି ରୁଷି,

କ୍ଷୀର ଲବଣୀ ସର ହୋଇବ ବାସିରେ ସରଗଶଶୀ । (୮)

ପାରଳାଖେମୁଣ୍ଡି

 

୮.

ଓଡ଼ିଆ ଶିଶୁ ସଙ୍ଗୀତ ସଂକଳନ-ରାମକୃଷ୍ଣ ନନ୍ଦ-ପୃ-୩୧

 

ପୁଣି, ଅନ୍ୟତ୍ର ଜହ୍ନମାମୁଁ ପ୍ରତି ଶିଶୁର ମନକୁ ଅଧିକ ଆକୃଷ୍ଟ କରିବା ପାଇଁ ସେ କିପରି ଖଜା ମିଠାଇ ରଖିଛି ଜହ୍ନମାମୁଁକୁ ଦେବାପାଇଁ ତାହା ପ୍ରକଟିତ ହୋଇଛି ।

 

‘ଆ ଜହ୍ନମାମୁଁ ଶରଦଶଶୀ,

ମୋ କୁନା ହାତରେ ପଡ଼ରେ ଖସି

ସଜାଇଛି କୁନା ଖଜା ମିଠାଇ

ଦେବ ସେ ତୁମକୁ ଖାଇବା ପାଇଁ । (୯)

 

ଶିଶୁ ସଜୀବ ନିର୍ଜୀବ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିପାରେ ନାହିଁ । ଜହ୍ନମାମୁଁ ଯେ ତା ନିଜ ମାମୁଁପରି ଜଣେ ମାମୁଁ, ଏହା ସେ ସମ୍ପୂର୍ଣ୍ଣ ଧରିନେଇଥାଏ । ମାଆ, ପୁଅକୁ ଜହ୍ନମାମୁକୁ ଦେଖାଇ ଦେଲାବେଳେ, ତା ନିଜ ବାପଘର କଥା (ଶିଶୁର ମାମୁଘର) ମନେ ପଡ଼ିଯାଏ । ଆତ୍ମବିଭୋର ଓ ପ୍ରଗଳଭ ହୋଇ ସେ ନିଜ ଘରକଥା ସ୍ମୃତିଚାରଣ କରୁ କରୁ ଗାଇ ଉଠେ-

 

‘‘ଆରେ ଜହ୍ନମାମୁ ତୁ ଥିଲୁ କାହିଁ

ଦିନବେଳେ କିମ୍ପା ଦିଶିଲୁ ନାହିଁ ?

ମୋର ମାମୁଁଘର ବହୁତ ଦୂର,

ମାମୁ ମାଇଁଙ୍କର ବଡ଼ ଆଦର ।

ପାଚିଲା କଦଳୀ, ପାଚିଲା ଆତ

ଛେନା, ଗୁଡ଼, ଦୁଧ, ତବତ ଭାତ ।

ଖାଇବାକୁ ମାଇଁ ଦିଅନ୍ତି ମୋତେ

ମା’ପରି ସେନହ କରନ୍ତି କେତେ । (୧୦)

 

୧୦.

ଓଡ଼ିଆ ଶିଶୁ-ସାହିତ୍ୟର ଉନ୍ମେଷ ଓ ବିକାଶ-: ମନୀନ୍ଦ୍ର ମହାନ୍ତିଙ୍କ ଅପ୍ରକାଶିତ ଥେସିସ୍‌ରୁ ।

 

ପୁଅକୁ ଜହ୍ନମାମୁଁ ଦେଖାଉ ଦେଖାଉ, ମା’ ମଧ୍ୟ ଶିଶୁପରି ଜୀବନ ମୃତ୍ୟୁ ଓ ସଜୀବ ନିର୍ଜୀବର ପାର୍ଥକ୍ୟକୁ ଭୁଲିଯାଏ । ମାଆ ଜହ୍ନମାମୁଁ ନିକଟରେ ଅଭିମାନ କରି ଗାଇଛି-

 

ଯଦି ହୋଇଥିବ କାହ୍ନୁ ତୋ ଭଣଜା,

କେବେ ଦେଇଛୁ ହାତରେ ଖଜା ।

ଦବା ନବା ପଣ ତେଣିକି ଥାଉ,

ମୋ କାହ୍ନୁ ସଙ୍ଗତେ ତୋ ଦିନ ଯାଉ । (୧୧)

(ଆସିକା)

 

୧୧.

ତତ୍ରୈବ ।

 

ଏହି ଭାବଧାରା ନେଇ ଅନ୍ୟ ଏକ ଗୀତ ମଧ୍ୟ ଓଡ଼ିଶାର ଅନ୍ୟ ଅଞ୍ଚଳରେ ପ୍ରଚଳିତ-

 

ଆ ଜହ୍ନମାମୁଁ ଶରଦଶଶୀ

ମୋ କାହ୍ନୁ ହାତରେ ପଅଡ଼ ଖସି ।

ସରଗରୁ ଆସି ମଞ୍ଚରେ ବଅ

ତୋ ସାଙ୍ଗେ ଖେଳିବ ମୋ କାହ୍ନୁ ପୁଅ । (୧୨)

 

୧୨.

ପଲ୍ଲୀଗୀତ ସଞ୍ଚୟନ-ଡଃ କୁଞ୍ଜବିହାରୀ ଦାଶ, ପୃ-୩୪୪ ।

 

ଶୁଆଇବା ଗୀତରେ ଜହ୍ନମାମୁଁ:

ଶିଶୁର ମନ ଭିତରେ ତା ମାମୁଁପ୍ରତି ଯେତିକି ସମ୍ମାନ ଓ ଭକ୍ତି କରେ ସେତିକି ଭୟ ବି କରେ । ଶିଶୁ ନିଜ ମାମୁଁକୁ ଯେତିକି ସମ୍ମାନ ଦେଖାଏ ଜହ୍ନମାମୁଁକୁ ବି ସେତିକି ସମ୍ମାନ ଦିଏ । ସେଥିପାଇଁ ଶିଶୁକୁ ଶୋଇ ପକାଇବା ପାଇଁ ମାଆ ସୁଲଳିତ କଣ୍ଠରେ ଗାଇଥାଏ-

 

ଶୋଇପଡ଼ କୁନା ଶୋଇପଡ଼ ତୁରେ କହିଛନ୍ତି ଜହ୍ନମାମୁଁ,

ମୋ ହଳଦିଗଣ୍ଠି ଶୋଇ ପଡ଼ିବରେ ଉଠିଲେ ଖାଇବୁ ଜାମୁ । (୧୩)

 

୧୩.

ଓଡ଼ିଆ ଶିଶୁ ସଙ୍ଗୀତ ସଂକଳନ-ରାମକୃଷ୍ଣ ନନ୍ଦ (ପୂର୍ବଭାଷ) ପୃ-୧୨ ।

 

ଖ) ନାଁ ଦିଆ (Riddle)ରେ ଜନ୍ମମାମୁଁ :

ମୌଖିକ ଶିଶୁଗୀତରେ ନାଁ ଦିଅର ଭୂମିକା ଗୁରତ୍ୱପୂର୍ଣ୍ଣ–ଏହି ନାଁ ଦିଆଦ୍ୱାରା ଶିଶୁର ବୁଦ୍ଧି ପରୀକ୍ଷା କରାଯାଏ । ପ୍ରଶ୍ନକର୍ତ୍ତା ଗୀତ ମାଧ୍ୟମରେ ପ୍ରଶ୍ନ ପଚାରେ ଓ ଉତ୍ତରଦାତା ସଂକ୍ଷପରେ ତାର ଉତ୍ତର ପ୍ରଦାନ କରିଥାଏ । ଜହ୍ନମାମୁଁକୁ ନେଇ ଅନେକ ନାଁଦିଆ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ । ଯଥା :

 

ଧାନ ଆଣିଲି ଆଣ୍ଠିଏ

ପିଠା କଲି ଷାଠିଏ

ଖାଇଲି ଚଉଦ ଦିନ

ଆଉ ରହିଲା ଗୋଟିଏ । (୧୪)

(ପୂର୍ଣ୍ଣିମାଚନ୍ଦ୍ର)

 

ପୁଣି, ଜହ୍ନ ଓ ତାରାକୁ ନେଇ ଅନ୍ୟତ୍ର ଏକ ନାଁ ଦିଆ ପ୍ରଚଳିତ –

 

ଏ ଗଛ ନଣ୍ଡା ସେ ଗଛ ନଣ୍ଡା

ମଝିରେ ବସିଛି ମଦନ ପଣ୍ଡା

ମଦନ ପଣ୍ଡାର ଜମି ବାଟିଏ

ମୂଲିଆ ପଡ଼ିଛନ୍ତି ଶହେଷାଠିଏ

ରାତି ପାଇବାକୁ ନାହିଁ ଗୋଟିଏ । (୧୫)

(ଜହ୍ନ ଓ ତାରା)

 

ଅମାବାସ୍ୟା ପରଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଜହ୍ନର ଆକାର ବୃଦ୍ଧି ଘଟେ ଓ ପୁଣି ପୂର୍ଣିମୀ ପରଠାରୁ ଏହାର ଆକାର କ୍ଷୟ ହୁଏ । ଏହାକୁ ଲକ୍ଷ୍ୟ ରଖି ଏକ ନାଁ ଦିଆରେ କୁହାଯାଇଛି –

 

କେଉଁମାନ ଦୁଇଥର ଜନମ ହୁଅନ୍ତି

ସେଥିପାଇଁ ସେମାନଙ୍କୁ ଦ୍ୱିଜ ଯେ କହନ୍ତି ।(୧୬)

 

ଚନ୍ଦ୍ରଗ୍ରହଣ ହେଲେ ଚନ୍ଦ୍ର କିଛି ସମୟ ପାଇଁ ଆଦୌ ଦୃଶ୍ୟମାନ ହୁଏ ନାହିଁ । ଏହି କଥା ମଧ୍ୟ ନାଁ ଦିଆରୁ ବାଦ୍‌ ଦିଆଯାଇ ନାହିଁ –

 

ଘୋର ଅନ୍ଧାର ସାରା ନିଶି

ପୂର୍ଣ୍ଣମୀ ଦିନ ଏକାଦଶୀ । (୧୭)

 

ସେଇ ଚନ୍ଦ୍ରଗ୍ରହଣର ଚିତ୍ର ପୁଣି ଅନ୍ୟ ଭାବରେ, ଅନ୍ୟ ଏକ ନାଁ । ଦିଆରେ ନିମ୍ନ ପ୍ରକାରେ ପ୍ରକାଶିତ ହୋଇଛି ।

 

ଶୁଣଗୋ ସଖୀ ରାଇଜ ଭାବ,

ହାତୀ ଗିଳିଗଲା ନଅଶ ନାଗ

ଶାବଳ ଗିଳିଲା ହାତୀକି

ଘୋଡ଼ା ମଲା ବୋଲି ସିପେହୀ କାନ୍ଦୁଛି

ନିଶାପ ହୋଇବ ରାତିକି । (୧୮)

(ଚନ୍ଦଗ୍ରହଣ) (ସାକ୍ଷୀଗୋପାଳ)

 

୧୪.

ଲୋକବାଣୀ ସଞ୍ଚୟନ (ତୃତୀୟ ଭାଗ) - ଡଃ କୁଞ୍ଜବିହାରୀ ଦାଶ, ପୃ - ୩୬୪ ।

୧୫.

ଲୋକବାଣୀ ସଞ୍ଚୟନ ( ପ୍ରଥମ ଭାଗ ) ଡଃ କୁଞ୍ଜବିହାରୀ ଦାଶ, ପୃ - ୨୮୭ ।

୧୬.

ପିଲାଙ୍କ ଢଗଢମାଳି - ପୂର୍ଣ୍ଣଚନ୍ଦ୍ର ଓଝା , ପୃ - ୫ ।

୧୭.

ଅହିୟାସ ହାଇସ୍କୁଲ ମାଗାଜିନ୍‌ - ସଂ କବିତା ଶତବଥୀ, ପୃ -୫୧ ।

 

କେବଳ ଓଡ଼ିଆ ଭାଷାର ନାଁ ଦିଆରେ ଜହ୍ନମାମୁଁର ସ୍ୱରୂପ ପ୍ରକାଶ ପାଇନାହିଁ–ଓଡ଼ିଶାରେ ପ୍ରଚଳିତ ଅନ୍ୟାନ୍ୟ ଆଦିବାସୀମାନଙ୍କ ଭାଷାରେ ପ୍ରଚଳିତ ନାଁ ଦିଆରେ ମଧ୍ୟ ଜହ୍ନମାମୁଁର ଚିତ୍ର ପ୍ରକାଶିତ ହୋଇଛି । ବାଥୁଡ଼ିମାନଙ୍କ ଭାଷାରେ ଏହା ନିମ୍ନ ପ୍ରକାରେ ପ୍ରକାଶିତ ହୋଇଛି-

 

ଗାଈ ଥିଲ୍‌ ଥିଲ୍ ଦୁଧଟି ମିଠା,

ଷୋଳଶ ଗୋପିଜୀ ଗୋଟିଏ ପିଠା । (୧୯)

( ଜହ୍ନ ଓ ତାରା)

 

କୁର୍ମାଲୀ ଭାଷାର ନାଁ । ଦିଆରେ ମଧ୍ୟ ଜହ୍ନମାମୁଁର ଚିତ୍ର ପ୍ରକାଶିତ ହୋଇଛି –

 

ସୁମରା ମରିୟେଁ ଆଛେ

କାନ୍ଦିବାର ଲକ୍‌ ନାୟ । (୨୦)

ଚନ୍ଦ୍ର

 

ଏହାର ଅର୍ଥ ହେଲା–

ମରି ରହିଛି ଉଜ୍ଜ୍ୱଳ ସୁନ୍ଦର ମଡ଼ା

କାନ୍ଦିବାର ଲୋକ ନାହିଁ, ପାହିଁ ଶବଦ ସାଡ଼ା ।

 

(ଗ) ଖେଳଗୀତରେ ଜହ୍ନମାମୁଁ: (Play song)

ଆକାଶରେ ଜହ୍ନ ଉଠିଲେ, ପୃଥିବୀ ସାରା ତୋଫା ଆଲୁଅରେ, ଉଦ୍‌ଭାସିତ ହୋଇଉଠେ-। ରାତିବି ଦିନପରି ଉଜ୍ଜ୍ୱଳ ଦେଖାଯାଏ । ଜହ୍ନରାତି ହେଲେ ପିଲାମାନଙ୍କ ମନ ଆନନ୍ଦରେ ଉଲ୍ଲସିତ ହୋଇଉଠେ । ସେମାନେ ଗାଆଁ ଦାଣ୍ଡରେ ନାନା ଖେଳ ଖେଳିବାକୁ ବାହାରି ପଡ଼ନ୍ତି । ପିଲାମାନଙ୍କ ଲୁଚକାଳି, ବୋହୂଚୋରୀ ଆଦି ଖେଳରେ ଗାଆଁ ଦାଣ୍ଡ ଗହଳି ଚହଳିରେ ଫାଟିପଡ଼େ–କେବଳ ଯେ ପିଲାମାନେ ଖାଲି ଖେଳନ୍ତି, ତାହା ନୁହେଁ–ଖେଳୁ ଖେଳୁ ସେମାନେ ଅନେକ ଗୀତ ଗାଆନ୍ତି । ସେଇ ଗୀତ ମଧ୍ୟରୁ ଜହ୍ନକୁ ଦେଖି ଗାଉଥିବା ଏକ ଗୀତ ହେଲା–

 

ଜହ୍ନର ଜହ୍ନ ତୁ ନିର୍ମଳ ଜହ୍ନ      ନିର୍ମଳ ଜହ୍ନ

ସଙ୍ଗେ ଖେଳିବାକୁ ବହୁତ ମନ      ବହୁତ ମନ ।

କେତେ ଖେଳୁଚୁ ତୁ ଘାଟିଆ ଭାଇ      ଘାଟିଆ ଭାଇ

ଘାଟ ପାରିକର ଗଉଡ଼ ସାହି      ଗଉଡ଼ ସାହି । (୨୧)

- ଜହ୍ନରେ ଜହ୍ନ ( କୁଜଙ୍ଗ, କଟକ)

 

ସଂସ୍କୃତ ସାହିତ୍ୟରେ ମଧ ଏହିପରି ଖେଳଗୀତ ପ୍ରଚଳିତ –

 

ଚନ୍ଦ୍ରମାମ ଚନ୍ଦ୍ରମାମ            ସମୀପ କୁରୁବାସଂ

ଦର୍ଶୟମେ ରଜନୀଦିବଂ      ତବ ମୁଧୁର ବେଶମ

ଗଗନ ତଳେ ରଜନୀ କାଳେ      ତାରାଭିଃ ସହ ଗୋପନ ଖେଳେ,

ନୟସି ସଦା ସମୟ ଚୟଂ      ପ୍ରକାଶ୍ୟ ମନ୍ଦ ହାସଂ । (୨୨)

 

୧୮.

ଓଡ଼ିଆ ଶିଣୁସାହିତ୍ୟର ଉନ୍ମେଷ ଓ ବିକାଶ - ଡଃ ମନୀନ୍ଦ୍ର ମହାନ୍ତିଙ୍କ ଅପ୍ରକାଶିତ ଥେସିସରୁ ।

୧୯.

ନିରଞ୍ଜନ ବେହେରାଙ୍କଠାରୁ ସଂଗୃହୀତ ( ନଛିପୁରିଆ, ମୟୂରଭଞ୍ଜ)

୨୦.

ଲକ୍ଷ୍ମଣ ମହାନ୍ତି ( ଚିତ୍ରଡ଼ା)ଙ୍କଠାରୁ ସଗୃହୀତ ।

୨୧.

ପଲ୍ଲୀଗୀତ ସଞ୍ଚୟନ ( ତୃତୀୟ ଖଣ୍ଡ) - ଡଃ କୁଞ୍ଜବିହାରୀ ଦାସ, ପୃ - ୩୯ ।

 

ଦୋଳିଗୀତରେ ଜହ୍ନମାମୁଁ :

ଦୋଳିଖେଳ ପିଲାମାନଙ୍କର ଅତି ଆପଣାର ଖେଳ । ଏହି ଦୋଳି ଖେଳିଲାବେଳେ ସେମାନେ ନାନା ପ୍ରକାର ଗୀତମାନ ଗାଇଥାନ୍ତି । ଏହି ଗୀତଗୁଡ଼ିକରେ ମଧ୍ୟ ଜହ୍ନମାମୁଁର ଚିତ୍ର ପ୍ରତିଫଳିତ ହୋଇଛି । ଯଥା -

 

ଚନ୍ଦ୍ର ଉଏଁ ଘନଘନ

ଯେମିତିକା ବହେ ଥଣ୍ଡା ପବନ

ସେଭଳି ଆମ୍ଭର ମନ (୨୩)

(ଚକ୍ରଧରପୁର)

 

ସ୍ଥଳ ବିଶେଷରେ ଏହି ଦୋଳିଗୀତ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପ୍ରଚଳିତ । ଯେମିତି କେନ୍ଦୁଝରରେ –

 

ଉଷୁନା ଧାନ ଗଉଣୀ

ଚନ୍ଦ୍ରମା ପିଠିରେ ନୀଳ ବଦନୀ

ଦିଶୁଛନ୍‌ ଭାଇଭଉଣୀ

ବଉଳରେ ଦିଶୁଛନ୍‌ ଭାଇଭଉଣୀ ।(୨୪)

 

କୁଆଁରପୁନେଇଁ ଗୀତରେ ଜହ୍ନମାମୁଁ :

କୁଆଁର ପୁନେଈଁ ଓଷା କୁମାରୀମାନେ ଓଡ଼ିଶାର ସର୍ବତ୍ର ପାଳନ କରନ୍ତି । ପୂର୍ଣ୍ଣମୀ ଦିନ ଜହ୍ନ ଉଠିବା ସମୟରେ ଜହ୍ନ ଉଦ୍ଦେଶ୍ୟରେ ଭୋଗ ଲଗାନ୍ତି ଓ ସେଇ ଭୋଗକୁ ଜହ୍ନ ଉପରକୁ ଫୋପାଡ଼ନ୍ତି । କେତେକ ଅଞ୍ଚଳରେ ଝିଅମାନେ ପରସ୍ପର ମଧ୍ୟରେ ବନ୍ଧୁ ଭାବକୁ ଉଜ୍ଜୀବିତ ରଖିବାକୁ–ଭୋଗ ପରସ୍ପର ପାଟିରେ ଦେଇ ଚାନ୍ଦ ବସନ୍ତି । କଟକ, ଗଞ୍ଜାମ ଅଞ୍ଚଳରେ ଝିଅମାନେ ଜହ୍ନ ଉପରକୁ ଭୋଗ ପକାଇଲାବେଳେ ଗାଆନ୍ତି -

 

କୁଆଁର ପୁନେଇଁ ଜହ୍ନଗୋ ସଙ୍ଗାତେ

ଲିଆ ଖାଇବାକୁ ମନକି ସଙ୍ଗାତେ

ସମସ୍ତେ ପିନ୍ଧିଲେ ପାଟପତନୀ

ମତେ କଲେ ହିନୀମାନକି ସଙ୍ଗାତେ (୨୫)

 

ପୁଣି, ପୁଚିଖେଳ ଝିଅମାନଙ୍କର ଅତି ଆଦରରେ ଖେଳ । କୁଆଁର ପୁନେଇ ମଲ୍ଲୀଫୁଲିଆ ଜହ୍ନ ଆଲୁଅରେ ଗାଁର କିଶୋରୀଗଣ ଗାଆଁ ଦାଣ୍ଡରେ ପୁଚି ଖେଳୁ ଖେଳୁ ଗାଆନ୍ତି -

 

କୁଆଁର ପୁନେଇ ଜହ୍ନଗୋ ଫୁଲ ବଉଳବେଣୀ

କୁମାରୀ ଝିଅଙ୍କ ଅପୂର୍ବ ଆନନ୍ଦ

ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ । (୨୬)

 

୨୨.

ତତ୍ରୈବ - ପୃ - ୧୮୭ ।

୨୩.

ତତ୍ରୈବ - ପୃ- ୧୯୯ ।

୨୪.

ପଲ୍ଲୀଗୀତ ସଞ୍ଚୟନ ( ତୃତୀୟ ଭାଗ ) ଡଃ କୁଞ୍ଜବିହାରୀ ଦାସ, ପୃ -୩୪୭ ।

୨୫.

ଓଡ଼ିଆ ଶିଶୁସାହିତ୍ୟର ଉନ୍ମେଷ ଓ ବିକାଶ - ଡଃ ମନୀନ୍ଦ୍ର ମହାନ୍ତିଙ୍କ ଅପ୍ରକାଶିତ ଥେସିସରୁ ।

 

ଜହ୍ନମାମୁଁଙ୍କୁ ନେଇ ଶିଶୁ-ବିଶ୍ୱାସ :

ନାନାବାୟାଗୀତ, ନାଁ । ଦିଆ ଓ ଖାଳଗୀତ ମଧ୍ୟରେ ଜହ୍ନମାମୁଁକୁ ନେଇ କତୋଟି ଶିଶୁ-ବିଶ୍ୱାସ, ଶିଶୁ ମହଲରେ ପ୍ରଚଳିତ ହୋଇ ଆଦର ଲାଭ କରିଛି–ଏହି ବିଶ୍ୱାସର ଅନ୍ତରାଳରେ ଅବଶ୍ୟ ଶିଶୁ ସହଜରେ ବିଶ୍ୱାସ କରିଯିବା ଶକ୍ତି ନିହିତ ଅଛି । ଜହ୍ନକୁ ନେଇ ଯେଉଁ ଶିଶୁ-ବିଶ୍ୱାସ ଓଡ଼ିଶାରେ ପ୍ରଚଳିତ, ସେସବୁ ନିମ୍ନର ପ୍ରଦତ୍ତ ହେଲା –

 

୧.

ସମଗ୍ର ଓଡ଼ିଶାରେ ଶିଶୁମାନେ ବିଶ୍ୱାସ କରନ୍ତି ଯେ ନିଜ ମାମୁଁପରି ଜହ୍ନ ହେଉଛି ରକ୍ତମାଂସଧାରୀ ଆତଯାତ ହେଉଥିବା ଏକ ଜୀବନ୍ତ ମାମୁଁ ।

୨.

ଶିଶୁମାନେ ବିଶ୍ୱାସ କରନ୍ତି ଯେ ଆମେ ଦିନରେ ଚେଇଁ ଯେପରି ରାତିରେ ଶୋଉ–ସେହିପରି ଜହ୍ନମାମୁଁ ଦିନରେ ଶୋଇ ରାତିରେ ଜାଗ୍ରତ ହୁଏ ।

୩.

କେତେକ ଅଞ୍ଚଳରେ ଜହ୍ନମାମୁଁ ଦେହରେ ଏକ ଜୀବନ୍ତ ଠେକୁଆ ବସବାସ କରୁଛି ବୋଲି ଶିଶୁମାନେ ବିଶ୍ୱାସ କରନ୍ତି ।

୪.

ଜହ୍ନମାମୁଁକୁ ଚନ୍ଦ୍ରଗ୍ରହଣବେଳେ ରାହୁ ନାମକ ରାକ୍ଷସ ଗିଳିଦିଏ ବୋଲି ଶିଶୁ ବିଶ୍ୱାସ ରହିଛି-

୫.

କୋରାପୁଟର ଶିଶୁମାନେ ବିଶ୍ୱାସ କରନ୍ତି ଯେ–ଜହ୍ନମାମୁଁ ହେଉଛନ୍ତି ଆକାଶରେ ରାଜା । ଆଉ ତାରାମାନେ ତାଙ୍କର ପ୍ରଜା ।

୬.

କଟକରେ ଏକ ଶିଶୁ-ବିଶ୍ୱାସ ପ୍ରଚଳିତ ଯେ-ଜହ୍ନମାମୁଁ ବଡ଼ ଦୟାଳୁ-ସେ କାହାକୁ କଷ୍ଟ ଦେବାକୁ ଚାହାନ୍ତି ନାହିଁ-ସେଥିପାଇଁ ସୂର୍ଯ୍ୟଙ୍କ କିରଣ ପରି ଚନ୍ଦ୍ରକିରଣ ଟାଣ ନୁହେଁ ।

 

ଶେଷରେ ଏତିକି କୁହାଯାଇ ପାରେ ଯେ–ଜହ୍ନ ବିଦଗ୍‌ଧ ସାହିତ୍ୟରେ ଶୃଙ୍ଗାର ରସ ମଣ୍ଡିତ–ଉଦ୍ଦୀପନ ବିଭାବ ରୂପେ ନାୟକ ନାୟିକାଙ୍କ ଶୃଙ୍ଗାରୀ ଚେତନାକୁ ଜାଗରଣ କରୁଥିବାବେଳେ–ମୌଖିକ ଶିଶୁ-ସାହିତ୍ୟରେ ସେଇ ଜହ୍ନମାମୁଁ ହେଉଛି ବାତ୍ସଲ୍ୟରସ ମଣ୍ଡିତ । ସ୍ନେହ କରୁଣା ଓ ବନ୍ଧୁ ଭାବକୁ ଏହା ଜାଗରିତ କରାଏ । ଏହାହିଁ ଓଡ଼ିଆ ମୌଖିକ ଶିଶୁଗୀତର ଏକ ବଡ଼ ବୈଶିଷ୍ଟ୍ୟ ।

 

ଓଡ଼ିଆ ମୌଖକ ଶିଶୁ ଗୀତରେ ସୌରମଣ୍ଡଳର ଅନ୍ୟ ଗ୍ରହ-ଉପଗ୍ରହକୁ ନେଇ ସେତେ ଗୀତ ଦେଖାଯାଏ ନାହିଁ–କିନ୍ତୁ ଜହ୍ନମାମୁଁଙ୍କୁ ନେଇ ରଚିତ ଗୀତର ସଂଖ୍ୟା ସ୍ୱଳ୍ପ ହେଲେହେଁ, ଗୁଣାତ୍ମକମାନ ଦୃଷ୍ଟିରୁ ଏହା ଖୁବ୍‌ ଉନ୍ନତ ଓ ଭାବରହିତ । କାରଣ ଶିଶୁକୁ ଭୁଲାଇବା ପାଇଁ ଜହ୍ନମାମୁଁଠାରୁ ଆଉ କିଛି ଆକର୍ଷଣୀୟ ପଦାର୍ଥ ନାହିଁ । ଶିଶୁ ମନରେ ପିଲାଟିବେଳୁ ‘ଜହ୍ନ’ ଯେଉଁ ଆସ୍ଥାନ ଜମାଇ ବସିଥାଏ, ତାହା ତାର ପରବର୍ତ୍ତୀ ଜୀବନରେ ମଧ୍ୟ ଅଭୁଲା ଗାର ହୋଇ ରହିଯାଏ-। ଏଥିପାଇଁ ମୌଖିକ ଶିଶୁଗୀତର ପ୍ରଭାବ ଲିଖିତ ଶିଶୁଗୀତ ଉପରେ ବେଶୀ ପରିମାଣରେ ପଡ଼ିଯାଏ । ମାତ୍ର ଆଧୁନିକ ଯାନ୍ତ୍ରିକ ସଭ୍ୟତାର ପ୍ରଭାବରେ ମଣିଷ ମନରୁ ସୌନ୍ଦର୍ଯ୍ୟବୋଧ ଆସ୍ତେ ଆସ୍ତେ ଲୋପ ପାଇଯାଉଛି । ଆଜି ଆଧୁନିକା ଜନନୀ ମନରେ ଆଉ ଜହ୍ନମାମୁଁ ପ୍ରତି ଆକର୍ଷଣ ଦେଖାଯାଉ ନାହିଁ କି ସେ ଆଉ ଜହ୍ନକୁ ନେଇ ନାନାବାୟାଗୀତ ଗାଉ ନାହିଁ–ତେଣୁ ଦିନେ ଯେ ଶିଶୁର ମନରୁ ଜହ୍ନମାମୁଁ ପ୍ରତି ମଧ୍ୟ ଆଦର ଲୋପ ପାଇଯିବ–ସେ ସମୟ ଆଉ ବେଶୀ ଡେରି ନୁହେଁ । ମଣିଷ ଜହ୍ନରେ ପାଦ ପକାଇବା ପରେ ଶିଶୁ ମନରୁ ଆସ୍ତେ ଆସ୍ତେ ଜହ୍ନ ପ୍ରତି ଅନ୍ୟ ବିଶ୍ୱାସ ପ୍ରକାଶ ପାଇଛି । ସେଥିପାଇଁ ଜହ୍ନକୁ ନେଇ ପ୍ରଚଳିତ ମୌଖିକ ଶିଶୁଗୀତଗୁଡ଼ିକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଧିକରୁ ଅଧିକ ମାତ୍ରାରେ ସଂଗ୍ରହ କରି, ସଂରକ୍ଷଣ ଓ ପ୍ରକାଶର ଆବଶ୍ୟକତା ରହିଛି । ଏଥିପାଇଁ ସମସ୍ତେ ଆଜିଠାରୁ ସଚେତନ ହେବା ଆବଶ୍ୟକ ।

 

* ଗତ ୧୦ ।୧୧ ।୯୦ ରେ All india Juvenite Literary Conference ଓ ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ( RIOCL) ତରଫରୁ ଭବାନୀପାଟଣାଠାରେ ଆୟୋଜିତ ଆଲୋଚନା ଚକ୍ରରେ ପ୍ରବନ୍ଧଟି ପଠିତ ଓ ଆଲୋଚିତ ।

 

 

ଏରୋନଟିକସ୍ କଲେଜ

ସୁନାବେଡ଼ା - ୩

 

***

 

ଶିଶୁସାହିତ୍ୟ ପ୍ରସଙ୍ଗରେ : ଆଜିର ପିଲାଙ୍କ ପାଇଁ ଲେଖିବା କିପରି ?

ଡକ୍‌ଟର ମନୀନ୍ଦ୍ର ମହାନ୍ତି

 

ପ୍ରଥମରୁ କହି ରଖିବା ଉଚିତ ଯେ ‘ଶିଶୁ ମନୋଜଗତ’ର ଗତି ପ୍ରକୃତି ସହିତ ‘ଶିଶୁସାହିତ୍ୟ‘ ବା ‘ପିଲାଙ୍କ ସାହିତ୍ୟ’ ଓତପ୍ରୋତ ଭାବରେ ଜଡ଼ିତ । ଅନ୍ୟ ଭାଷାରେ, ‘ଶିଶୁ ମନୋଜଗତ’ର ପରିଣତ ହିଁ ‘ଶିଶୁ-ସାହିତ୍ୟ’ । ଏଣୁ ‘ଶିଶୁ-ସାହିତ୍ୟ’ ‘ବିଦଗ୍‌ଧ ସାହିତ୍ୟ’ ପରି ସାହିତ୍ୟ ପଦବାଚ୍ୟ ହେଲେ ମଧ୍ୟ ଏଥିରେ ଥିବା ଯେଉଁ ପ୍ରୟୋଗାତ୍ମକ ଦିଗଟି ରହିଛି, ତାହାହିଁ ଏହାକୁ ଅଧିକ ପରିମାଣରେ ବିଜ୍ଞାନର ନିକଟବର୍ତ୍ତୀ କରିଥାଏ । ଅର୍ଥାତ୍‌ ପିଲାଙ୍କ ସାହିତ୍ୟ ମଧ୍ୟରେ ଏକ ବୈଜ୍ଞାନିକ ମୂଲ୍ୟବୋଧ ରହିଛି । ଅତଏବ ଏହାକୁ ‘କଳା’ (Art ) ଓ ବିଜ୍ଞାନ (Science)ର ଏକ ମିଶ୍ରରୂପେ କହିଲେ ଅତ୍ୟୁକ୍ତ ହେବ ନାହିଁ ।

 

‘ଶିଶୁ-ସାହିତ୍ୟ’ର ଏହି ପ୍ରୟୋଗାତ୍ମକ ଦିଗଟି ଥିବାରୁ ଏବଂ ଏହି ଶିଶୁମାନଙ୍କ ମନରେ କିପରି ପ୍ରଭାବ ପକାଉଛି ଓ ତା’ର ପରିଣତି ସମାଜ ପ୍ରତି କିପରି ? ଏସବୁ ଜାଣିବା ପାଇଁ ଲେଖକ ସତତ ବ୍ୟାକୁଳ ହୋଇ ଉଠିବା ସ୍ୱାଭାବିକ । କାରଣ, ଶିଶୁ-ସାହିତ୍ୟକଙ୍କର ସେହି ଲେଖନୀ ଚାଳନା ମଧ୍ୟରେ ଗୋଟିଏ ଜୀବନ ତଥା ଗୋଟିଏ ଜାତିର ଭବିଷ୍ୟତ କିପରି ରୂପ ପାଇବ ସେହି ଦାୟିତ୍ୱବୋଧରୁ ଆଜିର ପିଲାମାନଙ୍କ ପାଇଁ ସେ କିପରି ଓ କଅଣ ଲେଖିବେ ? ସେହି କଥା ଚିନ୍ତା କରି ବସନ୍ତି । ବର୍ତ୍ତମାନ ଏହି କଥାଟିକୁ ବିଚାର କରାଯାଉ ।

 

ସାଧାରଣତଃ, ପିଲାଟି ତିନିଗୋଟି ପରିବେଶ ମଧ୍ୟରେ ବଢ଼ିଥାଆନ୍ତି । ପ୍ରଥମତଃ ପାରିବାରିକ ପରିବେଶ, ପରିବାର ମଧ୍ୟରେ ମା, ବାପା, ଭାଇ, ଭଉଣୀ, ଦାଦା, ଖୁଡ଼ି, ଜେଜେ, ଜେଜେମା ଆଦି ପରିବେଶରେ ପିଲାଟି ବଢ଼ିଥାଏ । ଦ୍ୱିତୀୟତଃ ପରିବାରରୁ ସେ ବାହାରିଗଲେ ସେ ଯେଉଁ ସାଙ୍ଗ ସାଥୀମାନଙ୍କ ସହିତ ମିଶେ, କଥାବାର୍ତ୍ତା କରି ଖେଳେ–ତାହାହିଁ ସାଥୀମହଲ ପରିବେଶ ଏବଂ ତୃତୀୟତଃ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ସହପାଠୀମାନଙ୍କ ସଂସ୍ପର୍ଶରେ ଆସେ–ଅର୍ଥାତ, ବିଦ୍ୟାଳୟ ପରିବେଶ–ତିନିଗୋଟି ପରିବେଶ ମଧ୍ୟରୁ ପଲ୍ଲୀ ବା ଆଦିବାସୀ ଓ ହରିଜନ ଅଞ୍ଚଳରେ କେତେକ ପିଲା କେବଳ ପରିବାର ଓ ସାଥୀମହଲ ପରିବେଶ ମଧ୍ୟରେ ବଢ଼ିଥାନ୍ତି । ବିଦ୍ୟାଳୟ ପରିବେଶର ସଂସ୍ପର୍ଶରେ ଆସିନଥାନ୍ତି । ପୁଣି ସହରାଞ୍ଚଳରେ ପିଲାମାନେ ଏହି ପରିବାର, ସାଥୀ ମହଲ ଓ ବିଦ୍ୟାଳୟ ପରିବେଶ ସହିତ ଅନ୍ୟ ଏକ ପରିବେଶ ସହିତ ସଂପୃକ୍ତ ହୋଇ ଯାଆନ୍ତି । ତାହା ହେଲା-ବିଭିନ୍ନ ଅନୁଷ୍ଠାନ ସହିତ ସମ୍ପର୍କ । ଏହି ଅନୁଷ୍ଠାନ କେତେବେଳେ ‘ପାଠାଗାର’ ବା ‘କ୍ଳବ’ ହୋଇପାରେ, କେତେବେଳେ ସଙ୍ଗୀତ, ନାଟକ ଅନୁଷ୍ଠାନ ହୋଇପାରେ । କେତେବେଳେ ଶିଶୁ-ଅନୁଷ୍ଠାନ ହୋଇପାରେ ଏବଂ କେତେବେଳେ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ହୋଇପାରେ ।

 

ପିଲାମାନଙ୍କ ପକ୍ଷରେ ଏହି ଚାରିଗୋଟି ପରିବେଶ ମଧ୍ୟରୁ କେବଳ ‘ସାଥୀମହଲ’ ପରିବେଶ ‘ଅନୁଷ୍ଠାନ’ ପରିବେଶ ଏହି ଦୁଇଗୋଟି ପରିବେଶ ମଧ୍ୟରେ ପିଲାଟି ଅଧିକ ସ୍ୱାଧୀନ, ସ୍ୱଚ୍ଛଳ, ସକ୍ରୀୟ ହୋଇ ପଡ଼େ । କାରଣ, ଏଥିରେ ସେ ଏକ ବୃହତ୍ତର ପରିସର ପାଇଥାଏ ଏବଂ ସେ ମୁକ୍ତ ହୋଇଥାଏ । ତେଣୁ ତା’ର ସ୍ୱାଧୀନ ବ୍ୟକ୍ତିତ୍ୱର ସୁରଭି କ୍ରମେ ମହକି ଉଠେ । ତା’ ମଧ୍ୟରେ ଥିବା ‘ସୃଜନଶୀଳ’ ଶକ୍ତି ପ୍ରକାଶ ପାଇବା ପାଇଁ ଏକ ସୁଯୋଗ ପାଇଥାଏ ।

 

ଛୋଟ ଛୋଟ ପିଲାମାନଙ୍କପାଇଁ ଶିଶୁ ସାହିତ୍ୟିକ ପରିବାର ଓ ସାଥୀମହଲ ପରିବେଶକୁ ଅଧିକ ଗରୁତ୍ୱ ଦିଅନ୍ତି । ସେମାନେ ଯାହା ଲେଖନ୍ତି, ଏଥିରେ ପରିବାରର ସଦସ୍ୟ ବା ପରିବାରର ବିଭିନ୍ନ ଘଟଣା ଏବଂ ସାଥୀ ମହଲରେ ବିଭିନ୍ନ ଚରିତ୍ର ଓ ଘଟଣାକୁ ଲେଖନୀରେ ରୂପ ଦେଇଥାନ୍ତି, କାରଣ, ସେମାନେ ଜାଣିଥାନ୍ତି ଯେ ଏହି ଦୁଇଗୋଟି ପରିବେଶ ମଧ୍ୟରେ ପିଲାଟି ସୁପରିଚିତ ହେତୁ, ସେହି ପରିବେଶରୁ ଚରିତ୍ର ଓ ଘଟଣା ଚୟନ କଲେ ତାହା ସେମାନଙ୍କ ପକ୍ଷରେ ଯେପରି ହୃଦ୍ୟହେବ, ସେହିପରି ମଧ୍ୟ ଆକର୍ଷଣୀୟ ହୋଇ ପାରିବ ।

 

ମାତ୍ର ନଅବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କପାଇଁ ଶିଶୁ-ସାହିତ୍ୟିକ ‘ସାଥୀ ମହଲ’ ଓ ‘ଅନୁଷ୍ଠାନ’ ପରିବେଶକୁ କେନ୍ଦ୍ରକରି ଚରିତ୍ର ଓ ଘଟଣା ଚୟନ ଅଧିକ ପରିମାଣରେ କରିଥାନ୍ତି । କାରଣ, ଏହି ଦୁଇଗୋଟୀ ପରିବେଶରେ ବଡ଼ ପିଲାମାନେ ଖୁବ୍‌ ସ୍ୱାଧିନ ଥାନ୍ତି ଓ ନିଜର ରୁଚି ଓ ପସନ୍ଦ ଅନୁସାରେ ନିଜକୁ ପରିଚାଳିତ କରିପାରନ୍ତି । ସୁତରାଂ, ପିଲାମାନଙ୍କପାଇଁ ଲେଖିଲାବେଳେ ଆଜିର ଶିଶୁ-ସାହିତ୍ୟିକମାନଙ୍କ ପ୍ରଥମେ ଏହି ପିଲାମାନଙ୍କ ସହିତ ମିଶିବା ନିହାତି ଆବଶ୍ୟକ । ସେମାନଙ୍କ ମନର ଗତି, ସେମାନଙ୍କ ମନୋଭାବ, ଧାରଣା, ଇଚ୍ଛା, ପସନ୍ଦ ଆଦି ଜାଣିବା ଆବଶ୍ୟକ । ସେମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି–? କେଉଁ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେ ସବୁକୁ ଶିଶୁ-ସାହିତ୍ୟିକ ପ୍ରଥମେ ଠାବ କରିବା ଅତ୍ୟାବଶ୍ୟକ । ଆଉ, ଏସବୁ କେବଳ ପଢ଼ାପଢ଼ି କରି, ମନେ ମନେ ଭାବି ନିରୋଳାରେ ବସି ପିଲାମାନଙ୍କପାଇଁ ଲେଖିଦେଲେ ହେବ ନାହିଁ । Demand ଏବଂ Supply ରୀତିରେ ଶିଶୁ-ସାହିତ୍ୟିକ ପିଲାମାନଙ୍କୁ ଯୋଗାଇବା, ଅନୁଧ୍ୟାନ କରିବା ଆବଶ୍ୟକ, ପିଲାଙ୍କୁ ଛୋଟ ଛୋଟ ପ୍ରଶ୍ନ ପଚାରି ସେମାନଙ୍କର ଧାରଣା (Conception) ପ୍ରସଙ୍ଗର ନିଜେ ପରିଚିତ ହେବା ଆବଶ୍ୟକ । କାରଣ, ସେହିମାନଙ୍କ ‘ଧାରଣା’ କୁ ଆଧାର କରି ଶିଶୁ-ସାହିତ୍ୟିକ ତାଙ୍କର ଶିଶୁରଚନାର ସୌଧ ନିର୍ମାଣ କରିଥାନ୍ତି ।

 

ବିଭିନ୍ନ ବୟସର ପିଲାମାନଙ୍କ ମାନସିକ ଆବଶ୍ୟକତାକୁ ଚକ୍ଷୁ ସମ୍ମୁଖରେ ରଖି ଶିଶୁ ସାହିତ୍ୟିକ ତାଙ୍କ ଲେଖନୀ ଚଳାଇଥାନ୍ତି । ଏଥିପାଇଁ ତାଙ୍କର ‘ଅଭିଜ୍ଞତା’ ଏ ଦିଗରେ ତାଙ୍କୁ ତତ୍ପର କରାଇଥାଏ ।

 

ଆଜିର ପିଲା ଆଉ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ହୋଇ ରହିନାହିଁ । ସେ ଏକ ଜାତୀୟ କିମ୍ବା ଅନ୍ତର୍ଦେଶୀୟ ବ୍ୟକ୍ତିରେ ପରିଣତ ହୋଇ ଯାଇଛି । ଗଣମାଧ୍ୟମ ଓ ଯାନବାହାନର ସୁପ୍ରଚଳନ ମଧ୍ୟରେ ପୃଥିବୀର ଦୂରତା କ୍ରମେ କମି କମି ଆସୁଥିବାବେଳେ ପିଲାଟି ଆଉ କେତେଦିନ କେବଳ ନିଜ ପାଦତଳର ଭୁଇଁକୁ ଦେଖୁଥିବ ? ତେଣୁ ସେ ଆଜି ଏକ ଅନ୍ତର୍ଦେଶୀୟ ମଣିଷରେ ପରିଣତ ହୋଇଛି । ସେଥିପାଇଁ ଆଜିର ଶିଶୁସାହିତ୍ୟିକ ତାଙ୍କୁ ବିଭିନ୍ନ ରାଜ୍ୟ ଓ ଦେଶ ସହିତ ସେ ଦେଶର ଅଧିବାସୀ, ତାଙ୍କର ଚଳଣି, ସଂସ୍କୃତି ଆଦି ପରିଚିତ କରାଇହେବାର ଆବଶ୍ୟକତା ରହିଛି । ଏହା କେବଳ ଗଳ୍ପ, ଜୀବନୀ, ଭ୍ରମଣ କାହାଣୀ, ଗୀତ ମଧ୍ୟରେ ନୁହେଁ, ବିଭିନ୍ନ ବୟସର ପିଲାମାନଙ୍କପାଇଁ ସଚିତ୍ର ‘ଜ୍ଞାନମଣ୍ଡଳ’ (Encyclopaedia children) ପ୍ରଣୟନ କରିବାର ମଧ୍ୟ ଆବଶ୍ୟକତା ରହିଛି । ବିଭିନ୍ନ ଅଞ୍ଚଳର ଲୋକଜୀବନ ସହିତ କେବଳ ପରିଚିତ ନୁହେଁ, ସେମାନଙ୍କ ସହିତ ଆନ୍ତରିକତା ସୃଷ୍ଟିପାଇଁ ଏକ ପରିବେଶ ଏହି ପୁସ୍ତକ ମାଧ୍ୟମରେ ସମ୍ଭବ ହୋଇଥାଏ । ଏହାକୁ ‘ଜାତୀୟ ସଂହତି’ ବୋଲି ନାମକରଣ କରାଯାଇପାରେ ।

 

ମଣିଷର ଦୁଇଟି ‘ବୃତ୍ତି’ ରହିଛି । ଯଥା-ହୃଦୟବୃତ୍ତି ଓ ଜ୍ଞାନବୃତ୍ତି । ଏବର ମଣିଷ ମଧ୍ୟରେ ଥିବା ଜ୍ଞାନବୃତ୍ତି କ୍ରମେ ବିକଶିତ ରୂପେ ଗ୍ରହଣ କରୁଛି । ତେଣୁ, ସେ ବିଭିନ୍ନ କଥା ଜାଣିବାପାଇଁ ସତତ ଆଗ୍ରହ ପ୍ରକାଶ କରୁଛି । ଉପଗ୍ରହ ମାଧ୍ୟମରେ ବିଭିନ୍ନ ଚାନେଲ ଏବେ ଯେଉଁ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନ ପାଉଛି, ସେଥିରେ ତଥ୍ୟ (Information )କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଣୁ ଶିଶୁସାହିତ୍ୟିକମାନେ ବିଭିନ୍ନ ତଥ୍ୟ-ସମ୍ବଳିତ ପୁସ୍ତକ (Inforational Book) ମାନଚିତ୍ର ସହ ମଧ୍ୟ ରଚନା କରିବା ଆବଶ୍ୟକ ହୋଇପଡ଼ିଛି । ଏହି ତଥ୍ୟ ସମ୍ବଳିତ ପୁସ୍ତକର ଏକ ସଂକ୍ଷିପ୍ତ ରୂପ ‘କୁଇଜ୍’ ପୁସ୍ତକର ଚାହିଦା ଖୁବ୍‌ ଅଧିକ ପରିମାଣରେ ବଢ଼ିଯାଇଛି । ଏହିସବୁ ପୁସ୍ତକ ଶିଶୁର ଜିଜ୍ଞାସା ପ୍ରବୃତ୍ତିକୁ ଶାନ୍ତ କରିବା ସଙ୍ଗେ ସଙ୍ଗେ ‘ଜ୍ଞାନବୃତ୍ତି’ର ପରିପୁଷ୍ଟି ସାଧନ କରିଥାଏ ।

 

ଏବେ ପିଲାମାନେ କାରିଗରୀ କୌଶଳ ଶିକ୍ଷାପାଇଁ ମଧ୍ୟ ପୁସ୍ତକର ସାହାଯ୍ୟ ନେଲେଣି । ମହମବତୀ କିପରି ତିଆରି କରିବ କାଗଜର ଖେଳନା କିପରି ତିଆରି କରିବ, ଏହିପରି କାରିଗରୀ କୌଶଳ ଶିକ୍ଷାଥିବା ପୁସ୍ତକର ଚାହିଦା ବଢ଼ିବାରେ ଲାଗିଛି । ଏଥିପାଇଁ ଶିଶୁ-ସାହିତ୍ୟିକମାନେ ଏବେ ଚିନ୍ତା କରିବା ପାଇଁ ସମୟ ଆସିଛି ।

 

ନିଜ ଶରୀରର ବିଭିନ୍ନ ଯନ୍ତ୍ର ଓ ସ୍ୱାସ୍ଥ୍ୟ ସମ୍ପର୍କରେ ପିଲାମାନେ ଜାଣିବାକୁ ଭାରି ଆଗ୍ରହ ପ୍ରକାଶ କରିଥାନ୍ତି । ଖାଦ୍ୟ କିପରି ହଜମ ହୁଏ, ରକ୍ତ କିପରି ସଞ୍ଚାଳିତ ହୁଏ, ନିଃଶ୍ୱାସ ପ୍ରଶ୍ୱାସ କିପରି ନେଉଁ ? ଖାଦ୍ୟର ସାର ଅଂଶ କିପରି ରକ୍ତରେ ମିଶେ ? ଇତ୍ୟାଦି ପ୍ରସଂଗରେ ଶିଶୁ-ସାହିତ୍ୟିକମାନେ ରଚନା କରିବାର ଆବଶ୍ୟକତା ରହିଛି ।

 

ଆଜିର ପିଲାମାନେ ବିଜ୍ଞାନ ମୂଳକ ଶିଶୁରଚନା ପଢ଼ିବାକୁ ଆଗ୍ରହ ଦେଖାଇଥାନ୍ତି । ବିଜ୍ଞାନର ନୂତନ ଉଦ୍ଭାବନ ଏବଂ ଏହି ଉଦ୍ଭାବନ ମୂଳରେ ବିଭିନ୍ନ ଘଟଣା ପିଲାମନରେ ନୂତନ କିଛି ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଥାଏ ।

 

ବିଭିନ୍ନ ସର୍ବେକ୍ଷଣରୁ ଜଣାଯାଏ ଯେ, ପିଲାମାନଙ୍କ ପାଇଁ ଯେଉଁସବୁ ରଚନା କରାଯାଏ, ତନ୍ମଧ୍ୟରୁ ଗଳ୍ପକୁ ପିଲାମାନେ ସବୁଠାରୁ ଅଧିକ ପସନ୍ଦ କରନ୍ତି ବୋଲି ଜଣାଯାଏ । ପୁନଶ୍ଚ, କାହାଣୀଧର୍ମୀ ଶୈଳୀ, ପ୍ରଶ୍ନୋତ୍ତର ଶୈଳୀ ଏବଂ ପ୍ରବନ୍ଧଶୈଳୀ ମଧ୍ୟରୁ କାହାଣୀଧର୍ମୀ ଶୈଳୀକୁ ପିଲାମାନେ ଅଧିକ ପସନ୍ଦ କରିଥାନ୍ତି ।

 

ଆଜିର ପିଲାମାନଙ୍କୁ ରଚନା ମଧ୍ୟରେ ଉପଦେଶ ବା ନୀତିଶିକ୍ଷା ପ୍ରତ୍ୟକ୍ଷ ଭାବରେ ଦେଲେ ଏଥିରେ ସେମାନେ ଭଲଭାବରେ ରସଗ୍ରହଣ କରିପାରନ୍ତି ନାହିଁ । କାରଣ, ସେମାନେ ଜାଣିପାରନ୍ତି ଯେ, ଶିଶୁ ସାହିତ୍ୟିକ ସେମାନଙ୍କୁ କେବଳ ଉପଦେଶ ଦେବାପାଇଁ ଏହି ଗଳ୍ପ ବା ଗୀତ ଲେଖିଛନ୍ତି । ସେମାନଙ୍କ ମନ ବହଲାଇବା ପାଇଁ ବା ମନୋରଞ୍ଜନ ପାଇଁ ଲେଖି ନାହାନ୍ତି । ଏପରି ଏକ ଭାବନା ସେମାନଙ୍କ ମନକୁ ଆସିଲେ ସେହି ଗଳ୍ପ ବା ଗୀତ ତା’ର ସମସ୍ତ ଆକର୍ଷଣ ହରାଇ ବସେ । ଏହି ଦିଗଟି ପ୍ରତି ଆଜିର ଶିଶୁସାହିତ୍ୟିକ ସତର୍କ ରହିବା ନିହାତି ଆବଶ୍ୟକ ।

 

ଆଜିର ଛୋଟ ପିଲାଙ୍କ ପାଇଁ ‘ନାନାବାୟାଗୀତ’ ( Nursery Rhyme)ର ଆଗ୍ରହ ରହିଛି । ପରୀ କାହାଣୀ ସହିତ ରାଜା-ରାଣୀ ଗଳ୍ପ ମଧ୍ୟ ପିଲାଙ୍କର ପ୍ରିୟ ହୋଇ ରହିଛି । ଏହା ତାଙ୍କର ଶିଶୁ ସୁଲଭ କଳ୍ପନା ପ୍ରାବଲ୍ୟକୁ ଉଜ୍ଜୀବିତ କରିଥାଏ । ଏଣୁ ପରୀ କାହାଣୀକୁ ତଥାପି ଏଡ଼ାଇ ଦେଇ ହେବ ବା କିପରି ?

 

ଶିଶୁ ପୁସ୍ତକରେ ଚିତ୍ରକୁ ଆଜିର ପିଲାମାନେ ଅଧିକ ଗୁରୁତ୍ୱ ଦିଅନ୍ତି । ତେଣୁ ଶିଶୁ-ସାହିତ୍ୟିକମାନେ ଏହି ଦିଗରେ ସଚେତନ ହେବ ନିହାତି ଦରକାର । ଯଦିଓ ଶିଶୁ-ସାହିତ୍ୟିକମାନେ ଚିତ୍ରକର ହେବାକୁ ବାଧ୍ୟ ନୁହନ୍ତି, ତଥାପି, ଶିଶୁ-ସାହିତ୍ୟିକ ଲେଖାର କେଉଁ କେଉଁ ସ୍ଥାନରେ ଓ କେଉଁ ମୁଦ୍ରାରେ କିପରି ଚିତ୍ର ଦିଆଯିବ, ତା’ର ସୂଚନା ଲେଖାର ବାମ ପାଖରେ ଥିବା ମାର୍ଜିନ୍‌ରେ ଦିଆଯିବ ଆବଶ୍ୟକ ।

 

ଛୋଟ ଛୋଟ ପିଲାମାନେ କାର୍ଟୁନଚିତ୍ର ଓ କମିକସ୍‌ ବହି ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଆଜିର ପିଲାମାନେ ଏଥିପ୍ରତି କିପରି ଆକୃଷ୍ଟ୍ର ହୋଇଥାନ୍ତି, ତାହା ବୁକ୍‌ଷ୍ଟଲ୍‌ରେ ଏସବୁର ବିକ୍ରୟ ଦେଖିଲେ ଏହାର ପ୍ରମାଣ ମିଳେ ।

 

ଅକ୍ଷର ଶିକ୍ଷା ଜାଣିନଥିବା ପିଲାମାନଙ୍କ ପାଇଁ ମଧ୍ୟ ଶିଶୁ-ସାହିତ୍ୟିକମାନେ ଚିନ୍ତା କରିବା ଉଚିତ । ସେମାନଙ୍କ ପାଇଁ ଧ୍ୱନି ମାଧ୍ୟମରେ କିଛି ସୃଷ୍ଟି କରିବା ଆବଶ୍ୟକ । ଏହି ଦିଗରେ ‘ଆକାଶବାଣୀ’ର ଶିଶୁ କାର୍ଯ୍ୟକ୍ରମ ଅଥବା ଟେପ୍‌ରେକର୍ଡ଼ ବା ଆକାଶବାଣୀ କାର୍ଯ୍ୟକ୍ରମଦ୍ୱାରା ଉପକୃତ ହୋଇପାରନ୍ତି । ସୁତରାଂ, ଏହି କ୍ଷେତ୍ରରେ ବହୁ ସଂଖ୍ୟକ ଶିଶୁ ଏକ ସମୟରେ ଉପକୃତ ହୋଇପାରନ୍ତି ।

 

ପୁନଶ୍ଚ ‘ଦୂରଦର୍ଶନ’ରେ ଉଭୟ ‘ଧ୍ୱନି’ ଓ ‘ଦୃଶ୍ୟ’ ମାଧ୍ୟମରେ ଶିଶୁ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାରୁ ସର୍ବାପେକ୍ଷା ଅଧିକ ସଂଖ୍ୟକ ଶିଶୁ ଏହାଦ୍ୱାରା ଉପକୃତ ହୋଇ ପାରନ୍ତି । ଉଭୟ ଚକ୍ଷୁଥିବା ଓ ଚକ୍ଷୁହୀନ ଶିଶୁ ଏଥିରେ ଉପକୃତ ହେବା ସହିତ ଅକ୍ଷର ଶିକ୍ଷା ପାଇନଥିବା ଶିଶୁମାନେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରି ପାରନ୍ତି । ପୁନଶ୍ଚ ବହି ପଢ଼ିବାଠାରୁ ‘ଦୂରଦର୍ଶନ’ରେ ପରିବେଷଣଗତ କଳା ନିହିତ ଥିବାରୁ ଏହାକୁ ପ୍ରତ୍ୟକ୍ଷ ଭାବରେ ଗ୍ରହଣ କରିବାକୁ ଖୁବ୍‌ ସହଜ ମଧ୍ୟ ହୋଇଥାଏ । ଏହି ‘ଦୂରଦର୍ଶନ’ ଏବଂ ‘ଆକାଶବାଣୀ’ରେ ଶିଶୁ କାର୍ଯ୍ୟକ୍ରମ ପାଇଁ ରଚନା ପ୍ରଣାଳୀରେ ଏକ ବିଶେଷ ପ୍ରକାର ‘ଶୈଳୀ’ ବା ‘ପ୍ରଣାଳୀ’ ବ୍ୟବହାର କରାଯାଇଥାଏ । ଏହି ପ୍ରଣାଳୀ ପ୍ରତି ଶିଶୁ-ସାହିତ୍ୟିକମାନେ ସୁପରିଚିତ ହେବା ଆବଶ୍ୟକ । ଏଥିପାଇଁ ପ୍ରାରମ୍ଭିକ ତାଲିମ ଅଥବା କର୍ମଶାଳାମାନଙ୍କରେ ଯୋଗଦେବା ଆବଶ୍ୟକ । ପୁଣି, ବିଭିନ୍ନ ବୟସର ପିଲାଙ୍କ ପାଇଁ ବିଷୟବସ୍ତୁ ସହିତ ଶୈଳୀ, ଭାଷା ଓ ଶବ୍ଦଚୟନ ଆଦି ନିର୍ଭର କରିଥାଏ । ତେଣୁ ଆଜି ଶିଶୁ-ସାହିତ୍ୟିକମାନଙ୍କୁ ଅତି ଗୁରୁତର ଭାବରେ ଏସବୁ ପ୍ରତି ଲକ୍ଷ୍ୟ ଦେବା ଆବଶ୍ୟକ । ଅଭିଜ୍ଞତା, ଅନୁଭୁତି ଏବଂ ବିଭିନ୍ନ ବୟସର ପିଲାମାନେ ଭାଷା ଗ୍ରହଣର ଧାରଣା ଥିଲେ ପିଲାମାନଙ୍କ ପାଇଁ ଲେଖିବା ଅପେକ୍ଷାକୃତ ସହଜ ହୋଇଥାଏ । ତେଣୁ ଏହି ଦିଗଟି ପ୍ରତି ଆଜିର ଶିଶୁ-ସାହିତ୍ୟିକମାନେ ଗୁରୁତ୍ୱ ଆରୋପ କରିବା ଆବଶ୍ୟକ ।

 

ଆଜିର ଶିଶୁ-ସାହିତ୍ୟିକଙ୍କୁ ଲକ୍ଷ୍ୟ କରିବାକୁ ହେବ ଯେ ତାଙ୍କ ରଚନା କେବଳ ପିଲାମାନଙ୍କର ମନୋରଞ୍ଜନ ହେଲେ ହେବ ନାହିଁ, ପିଲାମାନଙ୍କର ଜ୍ଞାନବର୍ଦ୍ଧକ ହେବା ମଧ୍ୟ ବାଞ୍ଛନୀୟ । ପୁନଶ୍ଚ ଏହି ରଚନା ପଢ଼ି, ଶୁଣି ବା ଦେଖିସାରିବା ପରେ ପିଲାମାନଙ୍କରେ ଥିବା ‘ସୃଜନଶୀଳ’ ଶକ୍ତିର ଅଭିବୃଦ୍ଧି ସାଧିତ ହେବା ଆବଶ୍ୟକ । ଏହା ଯଦି ତା’ର ସୃଜନଶୀଳତାକୁ ସ୍ପର୍ଶ ନକଲା, ତେବେ ତାହା ଲକ୍ଷ୍ୟ ଭ୍ରଷ୍ଟ ହେଲା ବୋଲି କହିବାକୁ ହେବ ।

 

ପୁନଶ୍ଚ ରଚନାଟି ପଢ଼ି, ଶୁଣି ବା ଦେଖି ସାରିବା ପରେ ତା’ର ‘ବ୍ୟକ୍ତିତ୍ୱ’ର ବିକାଶ ଦିଗରେ ଏକ ଛାପ ପଡ଼ିବା ଆବଶ୍ୟକ । ତାହା ନହେଲେ ଏହାର ଭୂମିକା ରହିବ ନାହିଁ । ଶିଶୁ ମନରେ ନୈତିକ ଦୃଢ଼ ମନୋବଳ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଜୀବନ ବା ସତ୍‌ପଥ ପ୍ରତି ଏକ ଆଗ୍ରହ ସୃଷ୍ଟି ବାଞ୍ଛନୀୟ ।

 

ବିଷୟବସ୍ତୁରେ ଯଦି ‘ଯୁକ୍ତିସଂଗତା’ ନଥିବ, ତେବେ ତାହା ପିଲାମାନଙ୍କୁ ଆକର୍ଷଣ ତ କରିବ ନାହିଁ, ଅଧିକନ୍ତୁ, ଏଥିପ୍ରତି ଏକ ବ୍ୟଙ୍ଗ, ବିଦ୍ରୂପ ଭାବ ସୃଷ୍ଟି ହୋଇପାରେ । ପରିଣାମରେ ତା’ର ଠିକ୍‌ ବିପରୀତ ଫଳ ଫଳିପାରେ । ସୁତଂରା ବିଷୟବସ୍ତୁରେ ଆରମ୍ଭ, ମଧ୍ୟ ଓ ପ୍ରାନ୍ତ ଭାଗରେ ଏହି ଯୁକ୍ତିସିଦ୍ଧତା ରହବା ଏକାନ୍ତ ବାଞ୍ଛନୀୟ । ଏହି ଯୁକ୍ତିସଂଗତା ଆଦିର ସାମାଜିକ ପରିବେଶ ମଧ୍ୟରେ ପରିବର୍ଦ୍ଧିତ ହେବା ଆବଶ୍ୟକ । ଆଦର୍ଶର ଦ୍ୱାହୀଦେଇ କେବଳ ସେହି ପ୍ରକାର କାହାଣୀ ବା ଗୀତ ସୃଷ୍ଟି କଲେ ଯେ ତାହା ଆଜିର ପିଲାମାନଙ୍କୁ ସ୍ଫର୍ଶ କରିବ, ତାହା ନୁହେଁ, ବରଂ ତା’ ମନରେ ଥିବା ବିଭିନ୍ନ ପ୍ରଶ୍ନ ସମାଧାନ କରିବା ଦିଗରେ ଆଜିର ଶିଶୁ-ସାହିତ୍ୟ ସହଯୋଗ କରିବା ଏକାନ୍ତ ଆବଶ୍ୟକ ।

 

ସର୍ବୋପରି ଆଜିର ଶିଶୁ-ସାହିତ୍ୟିକ ପ୍ରଥମତଃ ସେହି ପିଲାମାନଙ୍କୁ ଆନ୍ତରିକ ଭାବରେ ସ୍ନେହ କରିବା ଆବଶ୍ୟକ । ଏପରି ହେଲେ, ସେ ତାଙ୍କର ଭୂମିକା ପ୍ରତି ଆପେ ଆପେ ସତର୍କ ହୋଇ ପାରିବେ ଏବଂ ଏକ ଆଦର୍ଶ ଶିଶୁ-ସାହିତ୍ୟିକ ପରମ୍ପରା ସୃଷ୍ଟି କରିବା ଦିଗରେ ସହାୟକ ହୋଇ ପାରିବେ ।

 

 

ମୁଖ୍ୟ ଅଧ୍ୟାପକ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ଚନ୍ଦ୍ରଶେଖର ମହାବିଦ୍ୟାଳୟ, କେନ୍ଦୁଝର

 

***

 

ଓଡ଼ିଆ ଶିଶୁକବିତା : ସୃଷ୍ଟି ବିକାଶର ବୈଚିତ୍ର୍ୟମୟ ଧାରା

ଅଧ୍ୟାପକ ସୁନାମଣି ରାଉତ

 

ଶିଶୁକବିତାର ଆଦିପର୍ବ

ବିକାଶୋନ୍ମୁଖ ଓଡ଼ିଆ ଶିଶୁସାହିତ୍ୟରେ ଗଳ୍ପ, ବିଜ୍ଞାନକଥା, ନାଟକ, ଭ୍ରମଣକାହାଣୀ, କାର୍ଟୁନ ଇତ୍ୟାଦି ବିଷୟପରି କବିତା ଏକ ପ୍ରଭାବଶାଳୀ ବିଭବ । ଅଝଟ ଶିଶୁକୁ ଖୁଆଇ ଦେବାପାଇଁ ଅଥବା ଶୁଆଇ ଦେବାପାଇଁ ଓଡ଼ିଆ ଘରର ମାଆ ଅଥବା ବୁଢ଼ୀମା’ମାନେ ଯେଉଁ ଢଗ ଢମାଳୀ ବା ଗୀତଗୁଡ଼ିକର ଆଶ୍ରୟ ନେଇଥାନ୍ତି, ତାହା ହେଉଛି ଆମ ଶିଶୁକବିତାର ପୃଷ୍ଠଭୂମି । ଅଲରା ଓ ଅର୍ଥବିହୀନ ପଦଗୁଡ଼ିକୁ ମନଭୁଲାଣିଆ ସ୍ୱରରେ ଶୁଣିଶୁଣି କେତେବେଳେ ଶିଶୁର ଆଖିପତା ମୁଦିହୋଇ ଆସେତ, ପୁଣି କେତେବେଳେ ଅଜାଣତରେ ପିଇଦେଇଥାଏ ବୋତେଲ କ୍ଷୀଁର । ସଂଜବେଳେ ଆଈମା’ଠାରୁ ବୁଢ଼ୀ ଅସୁରୁଣୀକଥା, ଦୁଇସଙ୍ଗାତ, ରାଜାପୁଅ ମନ୍ତ୍ରୀପୁଅ କାହାଣୀ ‘କଲୁରୀବେଣ୍ଟକଥା’ ଶୁଣିବାକୁ ଆମ ପିଲାଏ ଯେତିକ ଆଗ୍ରହ ପ୍ରକାଶ କରନ୍ତି, ତା’ଠାରୁ ବରଂ ଅଧିକ ଆଗ୍ରହ ପ୍ରକାଶ କରନ୍ତି ସେଇ ଗପ ସହିତ ଯୋଡ଼ି ହୋଇଥିବା ଗୀତ ପଦେ ପଦେ ଶୁଣିବାକୁ । ସେଥିଲାଗି ‘କଲୁରୀବେଣ୍ଟ କଥା’ କହୁକହୁ ଆଈବୁଢ଼ୀ ପଦିଟିଏ ଯୋଡ଼ିଦିଏ–

 

‘‘ଦେ’ କମାର ଦେ ଦାଆ

କାଟେ ଘାସ

ଖାଉ କାଳୀଗାଈ ଦେଉ ଦୁଧ

ଖାଉ ମିରିଗ ଦେଉ ଶିଙ୍ଗ

ଖୋଳେ ମାଟି

ଗଢ଼ୁ କୁମ୍ଭାର କଳସୀ ଗୋଟି

କାଢ଼େ ପାଣି, ଧୁଏ ଥଣ୍ଟ

ଧାଇଁ ଧାଇଁ ଖାଏ କଲୁରୀବେଣ୍ଟ ।’’

 

ଏ ଗୀତଟି ମଧ୍ୟ ବଂଗଳା ଶିଶୁ-ସାହିତ୍ୟରେ ପରିଦୃଷ୍ଟ ହୁଏ । ତାହା ହେଉଛି –

 

‘ଦେ’ କମାର ଦେ କାସ୍ତେ, କାଟିବ ଘାସ ଖାବେ ଗରୁ

ଦେବେ ଦୁଧ ଖାବେ ହରିଣ, ଦେବେ ଶିଙ୍‌ ତୁଲବେ ମାଟି

ଦେବେ କୁମାରକେ ଗଡ଼କେ ଟାଟି, ଗଂଗାଦେବେ ଜଲ ଫଟିକ

କଦମଗାଛେ ବମେ ଖାବେ, ଗଡ଼ୁଇ ମଛେର ମୁଠି ।

 

ଶିଶୁ ଏହିପରି ସରଳ, ସହଜ ଗୀତରୁ ବେଶ୍‌ ଭଲପାଏ । ଆଈବୁଢ଼ୀର ଏଇସବୁ ମନଗଢ଼ା କଥା, କାହାଣୀ, ଓ କବିତା ହେଉଛି ଆମ ଶିଶୁସାହିତ୍ୟର ମୂଳଉତ୍ସ । ଓଡ଼ିଆ ଲୋକ ସାହିତ୍ୟରେ ସେଥିପାଇଁ ‘ଗାଁ ପିଲାଙ୍କ ଗୀତ’କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ସାନ ପିଲାଏ ମନକୁ ମନ ଗୁଣୁଗୁଣୁ ହୋଇ ଗୀତ ବୋଲିବାର ଅନେକ ଲକ୍ଷ୍ୟ କରିଥିବେ । ଖେଳବେଳରେ ଗୋଟିଏ କଥାକୁ ଗୀତ ଆକାରରେ ଦୋହରେଇ ଦୋହରେଇ ଖେଳିବା ସାଧାରଣତଃ ପିଲାମାନଙ୍କ ଅଭ୍ୟାସ-। ସାଙ୍ଗସାଥୀମାନଙ୍କ ସହ ଥଟ୍ଟା ହେବାବେଳେ ବା ଚିଡ଼ାଇବାବେଳେ ପିଲାମାନେ ଗୀତର ଆଶ୍ରା ନେବା କଥା ଅନେକ ଶୁଣିଥିବେ–

 

‘‘ନଣ୍ଡା ମୁଣ୍ଡିଆ ଖଇର କୁଣ୍ଡିଆ

ମକାବାଡ଼ିରେ ବସା

ଧାଇଁ ପଡ଼ହୋ ଦଉଡ଼ି ଆସ

କାଉ ନେଇଗଲା ମୂଷା ।’’

 

ଖେଳିବାବେଳେ ମଧ୍ୟ ପିଲାମାନେ ଗୀତ ଗାଇ ଗାଇ ଖେଳିବାର ଦେଖାଯାଏ । ଆଙ୍ଗୁଠି ଉପରେ ଆଙ୍ଗୁଠିରଖି ଖେଳ ଚାଲିଥାଏ–

 

‘‘ଇଚିଡ଼ି ମିଚିଡ଼ି ଧାଇଁ ଚିଡ଼ି ଚିଡ଼ି

ଧରଗୋ ମା’ କାନ ଦିଓଟି x x x

କଇଁଚି କାକୁଡ଼ି ନଳିତା ପିତା

ଛ’ ବୋହୂଙ୍କର ଛ’ ଦୁହିତା

ସାତ ଗଲେ ଉତ୍ତର, ଡେଇଁପଡ଼ିଲା ପିତ୍ତଳ

ପିତ୍ତଳ ଖଣ୍ଡିକ ହଜିଲା, ନାକ ଟାଉଁଟାଉଁ ବାଜିଲା

ବଳଦର ବିନ୍ଧାଣୀ, କୁକୁରର କାମୁଡ଼ା

ଛିଣ୍ଡ୍‌ କାକୁଡ଼ି ଛିଣ୍ଡ୍‌ ..... ।’’ ଇତ୍ୟାଦି ।

 

ପିଲାମାନଙ୍କ ଖେଳ ଗୀତ ପରି ମା’ ଅଥବା ବୁଢ଼ୀମା’ମାନେ ପିଲାମାନଙ୍କୁ ବୋଧ କରିବାପାଇଁ ବହୁ ନିରର୍ଥକ ଶବ୍ଦ ସମ୍ବଳିତ ଗୀତର ଆଶ୍ରୟ ଦେଇଥାନ୍ତି । କଅଁଳ ଶିଶୁକୁ ହଳଦୀ ଲଗେଇ ଦଉଦଉ ଅଥବା ଖୁଆଇଦେବାବେଳେ ଆଈମା’ମାନେ ଗୀତ ବୋଲନ୍ତି –

 

‘‘ବାଇଆ ମା’ ଯେ ନଖାଏ କୁଣ୍ଡା

ପୁଅ ବେଇଅଛି ନଙ୍ଗ ମୁଣ୍ଡା

ପୁଅକୁ ଶ୍ୱାଇଲା ହିଡ଼ ମୁଣ୍ଡରେ

ପିମ୍ପୁଡ଼ି ଖାଇଲା ନାଇ ମୁଣ୍ଡାରେ । ’’ ଇତ୍ୟାଦି ... ।

 

ପ୍ରାକ୍‌ ଉନବିଂଶ ଶତାବ୍ଦୀରେ ରଚିତ ପ୍ରାଚୀନ ଓଡ଼ିଆ ଓ ସଂସ୍କୃତ ସାହିତ୍ୟରେ କେତେକ ଶିଶୁଗୀତିକା ପରିଦୃଷ୍ଟ ହେଲେ ମଧ୍ୟ ତାହା ଯଥାର୍ଥ ଶିଶୁ-ସାହିତ୍ୟ ପଦବାଚ୍ୟ ହୁଏ ନାହିଁ । ବର୍ଣ୍ଣ ପରିଚୟ ପରେ ଓଡ଼ିଆରେ ପିଲାମାନଙ୍କପାଇଁ ଚଉତିଶା, ବୋଲି ଓ କୋଇଲି ଆଦି କବିତାକୁ ପାଠ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କପାଇଁ ମୁଖ୍ୟତଃ ବଳରାମଦାସଙ୍କ ‘କମଳଲୋଚନ ଚଉତିଶା’ ମାର୍କଣ୍ଡ ଦାସଙ୍କ ‘କେଶବକୋଇଲି’, ଭକ୍ତଚରଣଙ୍କ ‘ମନବୋଧ ଚଉତିଶା, ‘କଳାକଳେବର ଚଉତିଶା ଦନେଇ ଦାସଙ୍କ ‘ଗୋପୀଭାଷା’ ଜଗନ୍ନାଥଦାସଙ୍କ ‘ଭାଗବତ’, ଦୀନକୃଷ୍ଣଙ୍କ ‘ପ୍ରସ୍ତାବସିଂଧୁ’ ଏବଂ ପରବର୍ତ୍ତୀ ଶ୍ରେଣୀମାନଙ୍କରେ ଛାନ୍ଦଗୀତ ବା ‘ମଥୁରାମଙ୍ଗଳ’, ‘ବିଦଗ୍‌ଧ ଚିନ୍ତାମଣି’ ଆଦି ପୁସ୍ତକ ଶିଶୁଶିକ୍ଷାପାଇଁ ଉଦ୍ଦିଷ୍ଟ ଥିଲା । ପ୍ରାଚୀନ ଶିଶୁଶିକ୍ଷା ପଦ୍ଧକ ମୁଖ୍ୟତଃ ପଦ୍ୟଧର୍ମୀ ହୋଇପଡ଼ିଥିଲା । ଏପରିକି ପାଟୀଗଣିତର ସୁତ୍ର, ପ୍ରଶ୍ନ-ଉତ୍ତର ଗୁଡ଼ିକ ମଧ୍ୟ ପଦ୍ୟାକାରରେ ରଚିତ ହୋଇଥିଲା –

 

‘‘ନଅଶ’ ନଉ, ଶୂନ ନେଇଗଲା ଡାମରା କାଉ

ରହିଲା କେତେ ଗଲା କେତେ ...... ’’ ଇତ୍ୟାଦି ।

 

ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ରଚିତ ବ୍ରଜନାଥ ବଡ଼ଜେନାଙ୍କ ‘ଚତୁର ବିନୋଦ’ରେ Parable ବା କାହାଣୀଗୁଡ଼ିକ ସଂଯୋଜିତ ହୋଇଥିଲେ ମଧ୍ୟ ସେଥିରେ ପଦ୍ୟର ବହୁଳତା ପରିଲକ୍ଷିତ ହୁଏ –

 

‘‘ଦଉଡ଼ିରେ ବାନ୍ଧିଦେବି କଉଡ଼ିର ମାଳା

ଗେଣ୍ଡାର ସୁନ୍ଦର ନୋଥ ନାକେ ଦେବି ବାଳା ।

ଖପରା ପଦକ ଚକି ମୂର୍ତ୍ତିକାର ବାଳା

ବଡ଼ ବଡ଼ ଗରଗଡ଼ ହାର ଦେବି ଗଳା ।

ନେତ୍ରେ ଗେରୁ ଗୋଳିଦେବି ରାତ୍ରିଚର ମୁଖି

ଜୁଣକାଟି ବାସ ବୁଣି ପିନ୍ଧାଇବି ସଖି ।’’

 

ଏଇସବୁ ଶିଶୁକବିତାଗୁଡ଼ିକ ନିରର୍ଥକ ଭାବ ଯୋଜନା ମଧ୍ୟରେ ସୃଷ୍ଟି ହୋଇଥିଲେ ମଧ୍ୟ ଶିଶୁର ସରଳ ପ୍ରାଣରେ ଗଭୀର ରେଖାପାତ କରିଛି । ମା’ କୋଳରେ ଗୀତ ଶୁଣୁଶୁଣୁ ତା’ ଆଖିରେ ନିଦ ଭରି ଯାଇଛି ତ, ପୁଣି ଗାଁ ଦାଣ୍ଡରେ ଗୀତ ବୋଲି ନାଚିନାଚି ସେ ଧଇଁଧଇଁ ହୋଇ ପଡ଼ିଛି । ତେଣୁ ଆଦିପର୍ବର ଶିଶୁକବିତା ଗୁଡ଼ିକୁ କେହି କେହି ନିରର୍ଥକ କହିଲେ ବି ସେସବୁ ଯେ ଶିଶୁପ୍ରାଣର ଅନ୍ତଃ ଭଛୁଳା ଫଲ୍‌ଗୁଧାରା–ଏହା ସ୍ୱୀକାର କରିବାକୁ ହେବ ।

 

ଶିଶୁକବିତାର ମଧ୍ୟପର୍ବ ।।

ଇଂରାଜୀ ଶିକ୍ଷା ଓ ସଭ୍ୟତାର ପ୍ରଭାବରେ ଆମର ପ୍ରାଚୀନ ଶିଶୁଶିକ୍ଷା ପଦ୍ଧତି ପରବର୍ତ୍ତିତ ହେଲା । ଚାଟଶାଳୀ ପରିବର୍ତ୍ତେ ନିଚ୍ଚ ପ୍ରାଥମକି ଓ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା ହେବା ଫଳରେ ନୂତନ ପ୍ରଣାଳୀରେ ଶିକ୍ଷାଦାନ ଆରମ୍ଭ ହେଲା । ୧୮୨୨ ମସିହାରେ ଓଡ଼ିଶାରେ ଆଧୁନିକ ଶିକ୍ଷା ପଦ୍ଧତି ପ୍ରଚଳିତ ହେବାଠାରୁ ଶିଶୁସାହିତ୍ୟ ସୃଷ୍ଟିରେ ଏକ ନୂତନ ଯୁଗର ଅଭ୍ୟୁଦୟ ହେଲା ବୋଲି କହିଲେ ଭୁଲ ହେବ ନାହିଁ ।

 

୧୮୬୮ର ୧୮୭୦ ମସିହା ମଧ୍ୟରେ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନର ପ୍ରତିବାଦ ସ୍ୱରୂପ ରାଧାନାଥ, ଫକୀରମୋନ, ମଧୁସୂଦନ ଓ ଗୋବିନ୍ଦରଥ ପ୍ରମୁଖ ସାହିତ୍ୟିକ ଓଡ଼ିଆରେ ଶିଶୁ ଉପଯୋଗୀ ପାଠ୍ୟ ପୁସ୍ତକମାନ ରଚନା କରିଥିଲେ । ଶିଶୁମାନଙ୍କ ବର୍ଣ୍ଣଶିକ୍ଷାପାଇଁ ରାଧାନାଥ ଅଳ୍ପ କେତୋଟି ପୁସ୍ତକ ରଚନା କରିଥିବାବେଳେ ଫକୀରମୋହନ, ମଧୁସୂଦନ ଓ ଗୋବିନ୍ଦରଥ ପ୍ରମୁଖ ସ୍ରଷ୍ଟା ଏ ଦିଗରେ ଦୃଢ଼ ପଦକ୍ଷେପ ନେଇଥିଲେ । ବିଧିବଦ୍ଧଭାବେ ଫକୀରମୋହନ ଶିଶୁସାହିତ୍ୟ ରଚନା କରିନଥିଲେ ମଧ୍ୟ ତାଙ୍କର ‘ପୁଷ୍ପଗୁଚ୍ଛ’ କବିତା ସଂଗ୍ରହସ୍ଥ ‘କୋଇଲିନାନୀ’, ‘ବେଙ୍ଗଗାଇ’, ଡାହାଣୀଆଲୁଅ’, ‘ଶଂଖୀବିରାଡ଼ି’, ‘ବଣିଚଢ଼େଇ’, ‘ସାହାଡ଼ାଗଛ’, ‘ଭୁଆ ବିରାଡ଼ି’, ‘କାଳିଆ କୁକୁର’, ପ୍ରଭୃତି କବିତା ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ ସାର୍ଥକ ଶିଶୁକବିତା ରୂପେ ପରିଗଣିତ ହୋଇଥାଏ । ଗୋବିନ୍ଦରଥଙ୍କ ଉଦ୍ୟମ ଏ ଦିଗରେ ଅତ୍ୟନ୍ତ ପ୍ରଶଂସନୀୟ ।

 

ଆଧୁନିକ ଓଡ଼ିଆ ଶିଶୁସାହିତ୍ୟର ଜନକଭାବରେ ମଧୁସୂଦନ ରାଓ ଆମର ପ୍ରାତଃ ସ୍ମରଣୀୟ । ୧୮୯୫ ମସିହାରେ ପ୍ରକାଶିତ ତାଙ୍କର ବର୍ଣ୍ଣବୋଧ ଏବେ ଆମ ପିଲାମାନଙ୍କୁ ଅକ୍ଷରଶିକ୍ଷାଠାରୁ ଆରମ୍ଭକରି ବହୁ ହିତକଥା ଓ ନୀତିକଥା ସମ୍ପର୍କରେ ସୂଚନା ଦେଉଛି । କ୍ଷୁଦ୍ର ପରିସର ମଧ୍ୟରେ ସାଂଗୀତିକ କଲ୍ଲୋଳ ସୃଷ୍ଟିକରି ‘ବର୍ଣ୍ଣବୋଧ’ର କବିତାଗୁଡ଼ିକ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇ ପାରିଛି –

 

‘ଗାଈ ବାଛୁରୀ ଆସ ଆସ । ଖାଇବ ଯେତେ ଦୁବଘାସ

ମୋର ପାଖରେ ହୁଅ ଛିଡ଼ା । ଖାଇବ ପରା ଘାସ ବିଡ଼ା ।

 

ଅନେକ ଯୁକ୍ତି କରନ୍ତି ଯେ, ମଧୁସୂଦନ ତାଙ୍କ କବିତାରେ କେତେକ ସ୍ଥଳରେ ପିଲାମାନଙ୍କ ମନରେ ଭୟସୃଷ୍ଟି କରିଛନ୍ତି, ଏଇ ଯେମିତି –

 

‘ଅରଣା ମଇଁଷି ରହିଛି ଅନାଇ

ମଇଁଷିର ପାଖ ନଯାଅ ଦନାଇ ।’

 

ଏଇ ପଙ୍‌କ୍ତିରେ ମଧୁସୂଦନ ପିଲାମାନଙ୍କ ମନରେ ଭୟସୃଷ୍ଟି କରିଛନ୍ତି ବୋଲି ଅନେକ ଯୁକ୍ତି କରନ୍ତି । ମାତ୍ର କଥାଟିକୁ ଟିକିଏ ଭିନ୍ନ ଭାବରେ ଦେଖିଲେ ଜଣାଯାଏ, ବାପାମା’ ଅଥବା ଗୁରୁଜନମାନେ ପିଲାମାନଙ୍କୁ ଯେପରି ଉପଦେଶ ଛଳରେ ନିଆଁ ପାଣିରେ ନ ଖେଳିବାକୁ. କାମୁଡ଼ା କୁକୁର ସଙ୍ଗେ ନ ଲାଗିବାକୁ ତାଗିଦ୍‌ କରିଥାନ୍ତି; ମଧୁସୂଦନ ସେହିପରି ପିଲାମାନଙ୍କୁ ଅରଣା ମଇଁଷି ନଯିବା ପାଇଁ ଉପଦେଶ ଦେଇଛନ୍ତି । କେବଳ ଉପଦେଶ ନୁହେଁ; ପିଲାମାନଙ୍କ ମନରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପିପାସା ଓ ବିଭୁବୋଧ ସୃଷ୍ଟି କରି ସେମାନଙ୍କୁ ସୁନାଗରିକ କରି ଗଢ଼ିବାର ପ୍ରୟାସ କରିଛନ୍ତି ସେ । ମଧୁସୂଦନଙ୍କ ଶିଶୁ କବିତାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ସାଂଗୀତିକତା ମଧ୍ୟରେ ଉପଧା ମିଳନ । ପଦ ସାଙ୍ଗରେ ପଦଟିଏ ଯୋଡ଼ିଦେଲେ ଯେ ତାହା ସାର୍ଥକ କବିତାଟିଏ ହୋଇଯିବ ତା’ ନୁହେଁ ; ପିଲାମାନଙ୍କ ମନକୁ ଛୁଇଁଲା ଭଳି ଶବ୍ଦ ସଂଯୋଜନା ଗୋଟିଏ ସାର୍ଥକ ଶିଶୁକବିତାର ଲକ୍ଷଣ ।

 

ତୁ, ତୁ, ତୁ ଡାକିଲି ମୁହିଁ, ଦଉଡ଼ି ଆସିଲୁ କୁକର ତୁହି ।

ଆଉଁସି ଦେବିରେ ଦେହ ତୋହର, ଖାଇବାକୁ ଦେବି ଭାତ ମୋହର ।’’

 

ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଗୋପାଳଚନ୍ଦ୍ର ପ୍ରହରାଜ, ପଲ୍ଲୀକବି ନନ୍ଦକିଶୋର ଏବଂ ବାଳକୃଷ୍ଣ କର ପ୍ରମୁଖ ସାହିତ୍ୟିକ ଓଡ଼ିଆ ଶିଶୁକବିତାକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିଲେ । ୰ ପ୍ରହରାଜଙ୍କ ‘ଧୋରେ ବାଇଆ ଧୋ’ କିବତା ପୁସ୍ତକଟି ଶିଶୁମାନଙ୍କ ପାଇଁ ବେଶ୍‌ ଉପାଦେୟ ସୃଷ୍ଟି । ୧୯୧୫ ମସିହାରେ ନନ୍ଦକିଶୋରଙ୍କ ‘ନାନାବାୟା ଗୀତ’ ବା ‘ଶିଶୁରଞ୍ଜକ ଗୀତିକା’ ଶିଶୁକବିତାର ବିକାଶ ପଥକୁ ଆହୁରି ପ୍ରସାରିତ କରିଥିଲା । ତାଙ୍କ କବିତାରେ ମଧୁସୂଦନଙ୍କ କବିତା ପରି ସୁନ୍ଦର ସାଂଗୀତିକତା ଓ ପଦଲାଲିତ୍ୟ ଅନୁଭୂତ ହୋଇଥାଏ –

 

‘‘ଡାମରାକାଉରେ ଡାମରା କାଉ

ଉଚ୍ଚ ପରବତେ ବୋବାଉ ଥାଉ

ଉଚ୍ଚ ପରବତ କୁଞ୍ଚୁକୁଞ୍ଚିଆ

ତହିଁରେ ବସିଛି ତିନି ମିଞ୍ଜିଆ ।’ ଇତ୍ୟାଦି

 

ଓଡ଼ିଆ ଘରର ମା’ ଓ ବୁଢ଼ୀମା’ମାନେ ଯେଉଁସବୁ ଗୀତର ଆଶ୍ରୟ ନେଇଥାନ୍ତି, ସେଥିରୁ ଅଧିକାଂଶ ହେଉଛି ଏଇ ନନ୍ଦକିଶୋରଙ୍କ ସୃଷ୍ଟି ।

 

୧୯୨୫ ମସିହାବେଳକୁ ପାଠ୍ୟପୁସ୍ତକ ଆକାରରେ ଶିଶୁମାନଙ୍କ ପାଇଁ ବିଭିନ୍ନ ପୁସ୍ତକ ପ୍ରକାଶ ପାଇଲା । ଏଗୁଡ଼ିକ ମଧ୍ୟରେ ମୃତ୍ୟୁଞ୍ଜୟ ରଥଙ୍କ ‘ରସାବଳୀ’, ମଧୁସୂଦନଙ୍କ ‘ସଚିତ୍ର ବାଳ ମହାଭାରତ’, ପଦ୍ମଚରଣଙ୍କ ‘ସୁନାର ଦେଶ’, ନୀଳକଣ୍ଠଙ୍କ ‘ମହାଭାରତ’ ‘ପିଲାଙ୍କ ରାମାୟଣ’, ବାଳକୃଷ୍ଣ କରଙ୍କ ‘ଫୁଲ ଚାଙ୍ଗୁଡ଼ି’, ‘ସପନପୁରୀ’, ଚନ୍ଦ୍ରଶେଖର ନନ୍ଦଙ୍କ ‘ନୂଆ ଶିଶୁସଙ୍ଗୀତ’, ଜାନକୀନାଥ ରାଉତରାୟ ମହାପାତ୍ରଙ୍କ ‘ପୁଷ୍ପାଞ୍ଜଳୀ’, ବାଳକୃଷ୍ଣ ପଟ୍ଟନାୟକଙ୍କ ‘ଚାରୁ ଲବଙ୍ଗଲତା’, ‘ଫୁଲବଉଳବେଣୀ’, କାଳିଚରଣ ପଟ୍ଟନାୟକଙ୍କ ‘କଳାହାଣ୍ଡିଆ ମେଘ’, ହରେକୃଷ୍ଣ ଦାସଙ୍କ ‘ଶିଶୁରଞ୍ଜକ ଗୀତିକା’, ବ୍ରହ୍ମାନନ୍ଦ ମଣିଚରଣ ମହାପାତ୍ରଙ୍କ ‘ନୂତନ ଶିଶୁଖେଳ ଗୀତ’, ମୁନ୍‌ସି ଜାନ୍‌ସାହାଙ୍କ ‘ଶୈଶବ ଗୀତିକା’ ପ୍ରଭୃତି ପୁସ୍ତକ ଓଡ଼ିଆ ଶିଶୁସାହିତ୍ୟ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଲା । ୧୯୩୦ ମସିହା ପର୍ଯ୍ୟନ୍ତ ଓଡ଼ିଆ ଶିଶୁକୁ ପଦ୍ୟ ଆକାରରେ ଶିକ୍ଷା ଦିଆଯାଉଥିଲା । ନାରୀକବି କୁନ୍ତଳାକୁମାରୀ, କାନ୍ତକବି ଲକ୍ଷ୍ମୀକାନ୍ତ, ଚିନ୍ତାମଣି ଆଚାର୍ଯ୍ୟ, ପଣ୍ଡିତ ଗୋଦାବରୀଶ, ଅଗଣି ଦାସ, ବାଳକୃଷ୍ଣ କର ପ୍ରମୁଖ ସାହିତ୍ୟିକ ଏ ସମୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ଆମ ଶିଶୁକବିତାର ମଧ୍ୟପର୍ବ ସୁନ୍ଦର ଶବ୍ଦଗୁମ୍ଫନ ଓ ସାବଲୀଳା ସାଙ୍ଗୀତିକତା ମଧ୍ୟରେ ଗଢ଼ି ଉଠିଥିଲେ ବି ସେଥିରେ ଶିଶୁର ମାନସିକ ଓ ନୈତିକ ଚେତନାର ଅଭିବୃଦ୍ଧି ପାଇଁ ଭରି ରହିଥିଲା ଅନେକା ଖୋରାକ, ଯାହା ସଂପ୍ରତି ଶିଶୁକବିତାର ଗତି ଓ ପ୍ରଗତିକୁ ବହୁ ଭାବରେ ପରିପୁଷ୍ଟ୍ର କରିଛି ବୋଲି କହିବାକୁ ହେବ ।

 

ଶିଶୁକବିତାର ସାଂପ୍ରତିକ ପର୍ବ :

ଏହି ପ୍ରସଙ୍ଗରେ ମୁଖ୍ୟତଃ ତିନିଗୋଟି ବିଷୟ ଦୃଷ୍ଟିପାତ କରାଯାଉଛି । ତାହା ହେଲା - ୧) ଶିଶୁକବିତା ସୃଷ୍ଟିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ୨) ଶିଶୁକବିତାର ରଚନା କୌଶଳ ଏବଂ ୩) ଶିଶୁ ମନରେ ଏହି କବିତା ସବୁର ପ୍ରଭାବ । ପର୍ଯ୍ୟାୟକ୍ରମେ ଏସବୁର ଆଲୋଚନା କରାଯାଇଛି –

 

୧.

ଶିଶୁକବିତା ସୃଷ୍ଟିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ : ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ କବିତା ଯେଭଳି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଶିଶୁସାହିତ୍ୟର ସୃଷ୍ଟି ସମ୍ଭାର ଭିତରେ ଶିଶୁକବିତାର ଆବଶ୍ୟକତା ସେହିପରି ଅପରିହାର୍ଯ୍ୟ । ଓଡ଼ିଆ ଲୋକ-ସାହିତ୍ୟକୁ ପର୍ଯ୍ୟାୟଲୋଚନା କଲେ ଜଣାଯାଏ, ଲୋକଗୀତିକା ହେଉଛି ଏହାର ପ୍ରାଣ । ଏ ପରିପ୍ରେକ୍ଷୀର ସଂପ୍ରତି ଶିଶୁର ମନସ୍ତତ୍ତ୍ୱ, ଶିଶୁସାହିତ୍ୟର ବିକାଶ ଓ ସାମାଜିକ ଆବଶ୍ୟକତା ଦୃଷ୍ଟିରୁ ଶିଶୁକବିତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

 

ସମ୍ପ୍ରତି ଆମ ଦେଶର ଅର୍ଦ୍ଧାଧିକ ଶିଶୁ ଅଶିକ୍ଷା, ଅନାହାର, ରୋଗ ଓ ଯନ୍ତ୍ରଣା ଭିତରେ ଛଟପଟ ହେଉଛନ୍ତି । ବାଟ ପାଖରେ, ରେଳ ଷ୍ଟେସନରେ, ହୋଟେଲମାନଙ୍କରେ, ନର୍ଦ୍ଦମା ତଳେ ଯେଉଁମାନଙ୍କୁ ନୁଖୁରା, ଲଙ୍ଗଳା, ଧଡ଼ିଆ ହୋଇ ବୁଲୁଥିବାର ଦେଖିବାକୁ ମିଳେ; ସେଇମାନେ ହିଁ ଦେଶର ଭବିଷ୍ୟତ–ଏ ଜାତିର କର୍ଣ୍ଣଧାର । ସେମାନଙ୍କ ବହୁବିଧ ସମସ୍ୟା ଓ ତା’ର ପ୍ରତିକାର ପାଇଁ ଆଜିର ଶିଶୁକବିତା ତତ୍ପର ହୋଇ ଉଠିଛି । ସେମାନଙ୍କ ପ୍ରତି ସମ୍ବେଦନଶୀଳ ଦରଦୀ ଭାବ ସୃଷ୍ଟି କରିବାରେ ଆମ ଶିଶୁକବିତା କଣ୍ଠିତ ହୋଇନାହିଁ । ଏକା ସାଙ୍ଗରେ ପଢ଼ୁଥିବା ଦୁଇଜଣ ପିଲାଙ୍କ ଭିତରୁ ଗରିବ ଘରର ପିଲାଟି ତା’ମା’କୁ ପଚାରିଛି –

 

‘‘ବାବୁଲା ପଢ଼େ ଆମ ସାଥିରେ କହ ମାଆ !

କେଉଁଠୁ ଆଣେ ଏତେ ପୋଷାକ ନୂଆ ନୂଆ ?

ବଢ଼ିଆ ଜୋତା ଜାମା କାମିଜ ଭଳି ଭଳି

କଲମ ଚକ ଚକ୍‌ ସୁନାଠୁ ଦିଶେ ବଳି ।

ଫୁଟିଛି କଣ୍ଟା ମୋର ଏଇ ଯେ ପାଦତଳେ

ଛୋଟେଇ ଚାଲୁଅଛି ନଦେଉ ଜୋତା ହଳେ ।

ପୁରୁଣା ଜାମା ମୋର ହେଲାଣି ସାତ ସିଆଁ

ଖଣ୍ଡିଏ ନୁଆ କିଣି ଦେଉନୁ ମତେ କିଆଁ ?’’

(‘କାହିଁକି ?–ରାମକୃଷ୍ଣ ନନ୍ଦ)

 

ଗରିବ ପିଲାଟିର ଦୁଃଖ ଦେଖି ବଡ଼ଲୋକ ପିଲା ମନରେ ଯେଉଁ ଦରଦ ସୃଷ୍ଟି ହୋଇଛି ତା’ର ପ୍ରତିଛବି ବହନ କରିଛି ଆମ ଶିଶୁ କବିତା –

 

‘‘ମା’ଲୋ ମା’ ଲେଖୁଚି ଚିଠି ତୁମରି ଟିକି ସୁନା

ମୋଅର ଗୋଟିଏ ରହିଛି ସାଥୀ ନାଆଁଟି ତା’ର କୁନା ।

ଜୋତା ନାହିଁକି ନାହିଁ ତା’ ଛତା ବହୁତ ଦୂରେ ଘର

ବରଷା ଦିନେ ହୁଏ ସେ ଓଦା ହେବ ନାହିଁକି ଜର ।

ଛତାଟି ମୋର ଦେଇଛି ତାକୁ ତା’ମନ କଥା ଜାଣି

ଭିଜିବ ନାହିଁ ବାଟରେ ଆଉ ବରଷୁ ଯେତେ ପାଣି ।

(ଟିକିର ଚିଠି-ଉଦୟନାଥ ଷଡ଼ଙ୍ଗୀ)

 

ଏହି ପରିବର୍ତ୍ତିତ ପରିସ୍ଥିତିରେ ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ହେଉଛି ଶିଶୁକବିତାର ମୁଖ୍ୟ ଆଭିମୁଖ୍ୟ । ପିଲାମାନଙ୍କ ମନରେ ବନ୍ଧୁପ୍ରେମ, ସହନଶୀଳତା, ପରୋପକାର, ସମ୍ପତି ସେବା ଓ ସହାନଭୂତି ସୃଷ୍ଟି କରି ସେମାନଙ୍କୁ ସୁନାଗରିକ କରି ଗଢ଼ିବା ହେଉଛି ଶିଶୁକବିତାର ଲକ୍ଷ୍ୟ । ସେମାନଙ୍କ ମଧ୍ୟରେ ରହିଥିବା ସମସ୍ୟା ସହ ସେମାନଙ୍କୁ ପରିଚିତ କରାଇବା ହେଉଛି ଶିଶୁକବିତାର ଉଦ୍ଦେଶ୍ୟ –

 

‘ଆମରି ଗାଁର ଗରିବ ପିଲାଟି ପିତିଆ ପାଢ଼ୀ

ଓଳିଏ ଖାଇଲେ ଆରଓଳି କିଆଁ ଉପାସ ପେଟରେ ରହୁଛି ପଡ଼ି

ତୁମପରି କିଆଁ ଜୋତା ମୋଜା ପିନ୍ଧି ଚାହାଳୀକୁ ଯାଇ

ପାଠ ଦି’ ଅକ୍ଷର ପାରୁନି ପଢ଼ି ?’’

(ଶିଶୁଲେଖା-୨ୟବର୍ଷ, ୬ଷ୍ଠ ସଂଖ୍ୟା-୧୯୭୮)

 

ଏତଦ୍‍ବ୍ୟତୀତ ବିଜ୍ଞାନ ସହ ପିଲାମାନଙ୍କୁ ପରିଚିତ କରାଇ ସେମାନଙ୍କ ସରଳ, ସୂକ୍ଷ୍ମ ମନରେ ଜିଜ୍ଞାସା ଓ ଅନୁସନ୍ଧିତ୍ସା ସୃଷ୍ଟି କରିବାରେ ସଂପ୍ରତି ଶିଶୁକବିତା ନୂତନ ଦିଗନ୍ତ ସୃଷ୍ଟି କରିଛି ବୋଲି କହିବାକୁ ହେବ ।

 

୨.

ଶିଶୁ କବିତାର ରଚନା କୌଶଳ : ଏଣୁ ତେଣୁ ପଦଯୋଡ଼ି ସହଜ ସରଳ ଭାଷାରେ କବିତାଟିଏ ଲେଖିଦେଲେ ଯେ ତାହା ଶିଶୁକବିତାଟିଏ ହୋଇଯିବ–ଏହା ଭାବିବା ଠିକ୍‌ ନୁହେଁ । କବିତାଟି ଯେପରି ଶିଶୁ ମନଛୁଆଁ ହୋଇ ପାରିବ ଏବଂ ତାହା ସେମାନଙ୍କ ଚରିତ୍ର ଗଠନରେ ସହାୟକ ହେବ ସେଥପ୍ରତି ଧ୍ୟାନ ଦିଆଯିବା ଉଚିତ । ଗୋଟି ସାର୍ଥକ ଶିଶୁକବିତା ଲେଖିବାକୁ ହେଲେ ଲେଖକକୁ ମୁଖ୍ୟତଃ ତିନୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ । ତାହା ହେଉଛି କ) ଶିଶୁ ମନଲାଖି ବିଷୟ ନିର୍ବାଚନ ଖ) ଶିଶୁର ମନସ୍ତତ୍ତ୍ୱ ସହ ଲେଖକର ଅନୁପ୍ରବେଶ ଏବଂ ଗ) ସୁନ୍ଦର ସାବଲୀଳା ଶବ୍ଦମୁମ୍ଫନ ଓ ପଦ ସଂଯୋଜନା ।

 

ପ୍ରଥମତଃ ଶିଶୁ ମନଲାଖି ବିଷୟ ନିର୍ବାଚନ ପ୍ରସଙ୍ଗ ନିଆଯାଉ । ପିଲାମାନଙ୍କ ମନ ପବନଠାରୁ ଆହୁରି ଚଳଚଞ୍ଚଳ । କେତେବେଳେ କେଉଁ କଥା ସେମାନଙ୍କ ମନକୁ ଆସି ପୁଣି ଚାଲିଯାଏ ତା’ର ହିସାବ ନାହିଁ । ସେମାନଙ୍କ ସରଳ ମନରେ ରେଖାପାତ କଲାଭଳି ବିଷୟଟି ବାଛିବା ହେଉଛି ଲେଖକର ଦାୟିତ୍ୱ । ବିଭିନ୍ନ ହସକଥା, ମଜା ପ୍ରସଙ୍ଗ, ବୈଜ୍ଞାନିକ ସୃଷ୍ଟି କୌଶଳ, ଇତ୍ୟାଦିକୁ ନେଇ ଶିଶୁକବିତାଟିଏ ରଚନା କରିବା ସହିତ ଶିଶୁମାନଙ୍କ ଅସଜଡ଼ା ଚିନ୍ତା, ସେମାନଙ୍କ ବହୁବିଧ ସମସ୍ୟାକୁ ମଧ୍ୟ କବିତାରେ ପ୍ରକାଶ କରାଯାଇ ପାରେ ।

 

ଦ୍ୱିତୀୟତଃ ଶିଶୁର ମନସ୍ତତ୍ତ୍ୱ ସହ ଲେଖକର ଅନୁପ୍ରବେଶ ଏକାନ୍ତ ଆବଶ୍ୟକ । ପିଲାମାନଙ୍କୁ ଆମେ ଯେଉଁ ପରିମାଣରେ ସରଳ ଭାବିଥାଉ ପ୍ରକୃତରେ ସେମାନେ ସେତେ ପରିମାଣରେ ସରଳ ନୁହନ୍ତି । ଅନେକ ଲକ୍ଷ୍ୟ କରିଥିବେ କେତେକ ସ୍ଥଳରେ ବଡ଼ମାନେ ଯାହା କରିପାରନ୍ତି ନାହିଁ ତାହା ପିଲାମାନଙ୍କଦ୍ୱାରା ସମ୍ଭବ ହୋଇଥାଏ । ସେମାନଙ୍କ ଚିନ୍ତା ଭିତରେ ସମାଜର ବହୁ ସମସ୍ୟା ଉଙ୍କିମାରି ପୁଣି ଛପି ଯାଉଥାଏ । ଅନେକ ଲକ୍ଷ୍ୟ କରିଥିବେ ପିଲାମାନେ କେତେ, ଉଦ୍ଭଟ ପ୍ରଶ୍ନସବୁ ପଚାରି ବାପା ମା’ ଅଥବା ଗୁରୁଜନମାନଙ୍କୁ ବିରକ୍ତ କରି ଦିଅନ୍ତି । ସୂର୍ଯ୍ୟ କାହିଁକି ଉଠୁଛି ? ପବନ କେମିତି ବହୁଛି ? ଚଢ଼େଇ କିପରି ଉଡ଼ୁଛି ? ଇତ୍ୟାଦି ପ୍ରଶ୍ନରେ ତା’ର ସରଳ ମନ ରୁଦ୍ଧ ହୋଇଯାଏ । ସେ ତାର ସାଙ୍ଗସାଥୀ ଅଥବା ତା’ର ମା’କୁ ପଚାରି ବୁଝେ–

 

‘‘ସୂରୁଯ କିଆଁ ସକାଳ ସଞ୍ଜେ ଦିଶଇ ଲାଲ୍‌ କେଡ଼େ

ମଝି ଆକାଶେ ବୁଲିଲେ ପୁଣି ଜାତିରେ ଫାଟି ପଡ଼େ ।

ଜହ୍ନମାମୁଁର ଗୋଳିଆ ମୁହଁ ବହଳ ରୂପା ହସ

କେତୋଟି ଦିନ ଝଲସି ଉଠି ହୁଅଇ କିଆଁ ଶେଷ ।

ପବନ କିଆଁ ତୋଫାନ ହୁଏ ବହଇ ପୁଣି ଧୀର

ବିଲରେ କିଆଁ ଫସଲ ଧରେ କ୍ଷୀର ?’’

(କହଲୋ ବୋଉ-ନିତ୍ୟାନନ୍ଦ ମିଶ୍ର)

 

ତୃତୀୟତଃ ସୁନ୍ଦର ସାବଲୀଳ ଶବ୍ଦଗୁମ୍ପନ ଓ ପଦ ସଂଯୋଜନା ହେଉଛି ସାର୍ଥକ ଶିଶୁକବିତାର ଅନ୍ୟତମ ଲକ୍ଷଣ । ଲୁଗା ଦୋକାନର ଜାତି ଜାତିକା ଲୁଗା ଭିତରୁ ଆମେ ଯେମିତି ମନ ପସନ୍ଦର ଲୁଗାଟି କିଣିଥାଉ, ସେମିତି ଲେଖକର ଜ୍ଞାତ - ଶବ୍ଦଭଣ୍ଡାର ମଧ୍ୟରୁ ଉପଯୁକ୍ତ ଶବ୍ଦଚୟନ ହିଁ ସାର୍ଥକ କବିତା ରଚନାରେ ସହାୟକ ହୋଇଥାଏ । ଉପଧା ମିଳନରେ ରଚିତ ପଦଗୁଡ଼ିକ ପିଲାମାନଙ୍କ ମନରେ ଅଧିକ ରେଖାପାତ କରିଥାଏ –

 

‘‘ଗପୁଡ଼ି ମାଇଁଲୋ ଧପୁଡ଼ି ମାଇଁ

ବୁଜୁଳି ପକାଇ ଯାଉଛୁ କାଇଁ ।

ବଣରୁ କୋଳି ମୁଁ ଆଣିଛି ଖୋଜି

ଆ’ରେ ଗୁଣ୍ଡୁଚି କରିବା ଭୋଜି ।’’

(ଗପୁଡ଼ି ମାଇଁଲୋ-ଅନନ୍ତ ପଟ୍ଟନାୟକ)

x      x      x

ଆଉ ଦିନେ ସଞ୍ଜବେଳେ ବସି ଆଈ ବୁଢ଼ୀ

ନାତିମେଳେ ରୁଡ଼ୁମୁଡ଼ୁ କରୁଥିଲା ମୁଡ଼ି ।

ନାତିଏ ବୋଇଲେ ଆଈ ପଶୁପକ୍ଷୀର ଗପ

ନ କହିଲେ ଆଜି ତୋର ଚିରିଦବୁ ସପ ।

(ପିଲାଙ୍କ ପଶୁପକ୍ଷୀ ପୁରାଣ-ଉପେନ୍ଦ୍ର ତ୍ରିପାଠୀ)

 

ଏହିପରି ବହୁ ଉଦାହରଣ ଆମ ଶିଶୁ କବିତାରେ ଭରପୁର ହୋଇ ରହିଛି । ସୁନ୍ଦର ଓ ସାବଲୀଳ ଶବ୍ଦ ସଂଯୋଜନା ହେଉଛି ଶିଶୁ କବିତା ସୃଷ୍ଟିର ଏକ ଅପରିହାର୍ଯ୍ୟ ଆବଶ୍ୟକତା ।

 

୩.

ଶିଶୁ ମନରେ ଏହି କବିତା ସବୁର ପ୍ରଭାବ : ସାର୍ଥକ କବିତାଟିଏ ଲେଖିଦେଲେ ଲେଖକର ଦାୟିତ୍ୱ ସରିଗଲା ବୋଲି ଭାବିବା ଠିକ ନୁହେଁ । କବିତାଟି ଲେଖକ ପାଖରେ ଯେତେ ସାର୍ଥକ ଓ ମୂଲ୍ୟବାନ ମନେହେଲେ ବି ତାହା ଯଦି ଶିଶୁ ମନରେ କୌଣସି ରେଖାପାତ କରି ନପାରିଲା, ତେବେ ସେ କବିତାର କୌଣସି ମୂଲ୍ୟ ନାହିଁ ବୋଲି ବୁଝିବାକୁ ହେବ । କାରଣ ଶିଶୁକବିତା କେବଳ ଶିଶୁ ଲେଖକ ଅନ୍ତରର ନୁହେଁ, ତାହା ଶିଶୁ ପ୍ରାଣର ଅନ୍ତଃଉଛୁଳା ଫଲ୍‌ଗୁ-। ଏଥିରେ ରହିଛି ଶିଶୁର ଚରିତ୍ର ଗଠନ ଓ ମାନସିକ ବିକାଶ ଭାବାବେଗ ପାଇଁ ଉପଯୁକ୍ତ ଖୋରାକ । କବିତାଟି ପଢ଼ି ସାରିବା ପରେ ଶିଶୁ ତହିଁରୁ କେତେଦୁର ଉପକୃତ ହେଲା, ତାହା ଲକ୍ଷ୍ୟ କରିବା ଉଚିତ । ଏଠାରେ ଗୋଟିଏ ଉଦାହରଣ ନିଆଯାଉ –

 

‘‘ଟିକିଏ ହସ ମୁହଁରେ ଫୁଟି ମନର ବ୍ୟଥା ନିଅଇ ହରି

ଟିକିଏ ବିଷ ଦେହରେ ପଶି ଯାତନା କେତେ ଦିଅଇ ଭରି ।

ଟିକିଏ କଥା ପାଇଁକି ସିନା ଦେଶ ଦେଶକେ ଲାଗଇ କଳି

ଟିକିଏ ନିଆଁ ଉଡ଼ିବ ଯେବେ ମହାନଗରୀ ଉଠିବ ଜଳି । ’’

(ସହଜେ କିଏ ପରତେ ଯିବ ? - ରାମକୃଷ୍ଣ ନନ୍ଦ)

 

ଏଠାରେ ଶିଶୁ ଅନୁଭବ କରିବ ଯେ, ‘ହସ’ ମଣିଷର ଦୁଃଖ ଦୂର କରେ, ‘ବିଷ’ ଦେହରେ ଦୁଃଖ ଭରିଦିଏ, ‘କଥା’ ପାଇଁ ବେଳେବେଳେ କଳି ଲାଗିଯାଏ, ପୁଣି ‘ନିଆଁ’ ଲାଗି ମହାନଗରୀ ପୋଡ଼ି ହୋଇଯାଏ । ତେଣୁ ‘ବିଷ’, ‘କଥା’, ଓ ‘ନିଆଁ’ ସତର୍କ ହୋଇ ସର୍ବଦା ହସରେ ହସରେ ସମୟ କଟାଇ ଦେବାକୁ ଏ କବିତାଟି ପ୍ରେରଣା ଦେଇଥାଏ । ସେହିପରି ଅନ୍ୟ ଏକ କବିତା –

 

‘‘ଝଡ଼ି ବରଷାରେ ଥରି ଥରି, କୋହଲା ପାଗକୁ ଡରି ଡରି ।

ଝିଙ୍କଟିଏ ଥରେ ଯାଉଥିଲା, ଆଶରା ଟିକିଏ ଚାହୁଁଥିଲା ।

ବାଟରେ ଦେଖିଲା ଗାତଟିଏ, ତା’ ଭିତରେ ଥିଲା ସାପଟିଏ ।

ଝିଙ୍କକୁ ଆଦରେ ଡାକି ନେଇ, ଆପଣା ଘରେ ସେ ଥାନ ଦେଇ ।

ଖୁଆଇ ପିଆଇ କଲା ତାଜା, ଗାତଟା ଉଷୁମ ବଡ଼ ମଜା ।

ତାଜା ହୋଇ ଝିଙ୍କ ଗାତସାରା, ଆରାମେ ମାରିଲା ପଇଁତରା ।

(ଛବି କହୁଛି କଥା-ମହେଶ୍ୱର ମହାନ୍ତି)

 

ଏ କବିତାଟି ପିଲାମାନଙ୍କ ମନରେ ଅନ୍ୟ ପ୍ରତି ଦରଦ ଭାବ ସୃଷ୍ଟି କରିଥାଏ । ପରେ ଯଦିଓ ନିଜର ସରଳତା ପାଇଁ ସାପଟି ଅସୁବିଧାରେ ପଡ଼ିଛି ଓ ଝିଙ୍କଟି ବିଶ୍ୱାସଘାତକ ହୋଇଛି, ତଥାପି ପିଲାମାନଙ୍କ ମନରେ ଭଲମନ୍ଦର ଚେତନା ଓ ସହାନୁଭୂତି ସୃଷ୍ଟିରେ ଏହା ସମର୍ଥ ହୋଇଛି ବୋଲି କହିବାକୁ ହେବ ।

 

ଏତଦ୍‍ବ୍ୟତୀତ ସଂପ୍ରତି ଶିଶୁକବିତାରେ ମଧ୍ୟ ପ୍ରାଚୀନ କବିତା ଭଳି ନିରର୍ଥକ ଶବ୍ଦ ଓ ଭାବର ସମନ୍ୱୟ ସଙ୍ଗଠିତ ହୋଇଛି । ଏହାର ନୂତନ ଶୈଳୀ ଓ ଛନ୍ଦ ଶିଶୁ ପ୍ରାଣରେ ସୃଷ୍ଟି କରିଛି ଅନେକ ଆନନ୍ଦ । ଏ କ୍ଷେତ୍ରରେ ମନୋରମା ମହାପାତ୍ର., ଡଃ ପ୍ରସନ୍ନକୁମାର ମିଶ୍ର, ଦାଶ ବେନହୁର ଓ ସ୍ନେହଲତା ମହାନ୍ତି ପ୍ରମୁଖ ସ୍ରଷ୍ଟା ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏଠାରେ ତାହାର କେତୋଟି ଉଦାହରଣ ନିଆଯାଉ –

 

‘‘ଉଲୁରୁ ଉଲୁରୁ ବାଈ

ନିଆଁ ପୁଳା ପୁଳା ପାଣିରେ ଛାଇ

ପବନ ମାରୁଛି ହାଇ ।

ଟୁପୁରୁ ଟୁପୁରୁ ପାଣି

ଚାଲି ଥିରି ଥିରି କାଦୁଅ ବାଟ

ଗେଣ୍ଡାକୁ କୋଚିଆ ଘଣି ।’’

(କୁନାପାଇଁ ଅନାବନା ଗୀତ-ଦାଶ ବେନହୁର)

 

‘‘ଅଗଡ଼, ବଗଡ଼, ଝାଇଁକି ଝଟା

ମାଡ଼ି ମାଡ଼ି ଯାଏ କଖାରୁ ଲଟା ।

କଖାରୁ ପାଇଁକି ପାଳର ଶିକା

ଗାଆଁକୁ ଆସିଛି ଖେଳନା ବିକା ।

ଖେଳନାକୁ କିଣି ପଇସା ପକା

ତାଙ୍କ ଘର ପୁଅ ନାକ ସୋଡ଼କା ।’’

(ଶିଶୁଗୀତିକା-ସ୍ନେହଲତା ମହାନ୍ତି)

x      x      x

‘‘ସୁନୁସୁନିଆ ନବଘନିଆ

ନବଘନିଆର ମୁଣ୍ଡରେ ଚିତା

ବାବୁଲା ଆମର ଜଗତଜିତା ।’’

(ବାବୁଲା ହୋଇବ ଜଗତଜିତା-ଇଂ ବିଷ୍ଣୁ ସାହୁ)

 

ଏହିପରି ରାଶି ରାଶି ଉଦାହରଣ ସଂପ୍ରତି ଓଡ଼ିଆ ଶିଶୁକବିତାରେ ଭରପୂର ହୋଇ ରହିଛି-। ସୀମିତ ପରିସର ମଧ୍ୟରେ ବହୁ ପ୍ରବୀଣ ଓ ନୂତନ ସ୍ରଷ୍ଟାଙ୍କୁ ଆଲୋଚନା ପରିସରଭୁକ୍ତ କରି ନହେଲେ ମଧ୍ୟ ମଞ୍ଚସ୍ଥ ନାଟକରେ ପରଦା ଅନ୍ତରାଳର ନିର୍ଦ୍ଦେଶକ ଓ ସହକର୍ମୀଙ୍କ ଅବଦାନ ପରି ଶିଶୁକବିତାର ବିକାଶ କ୍ଷେତ୍ରରେ ସେଇ ପ୍ରତିଭାଧର ସ୍ରଷ୍ଟାଗଣଙ୍କ ଅବଦାନକୁ ଅସ୍ୱୀକାର କରି ହେବ ନାହିଁ ।

 

ଏବଂ ଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ସଂପ୍ରତି ଶିଶୁକବିତା ସମାଜର ବହୁବିଧ ସମସ୍ୟାକୁ ଉଦ୍‌ଘାଟନ କରି ଶିଶୁ ମନରେ ତା’ର ପ୍ରତିଫଳନ ସୃଷ୍ଟି କରିଛି ଏବଂ ତା’ର ସମାଧାନ ପାଇଁ ଯତ୍ନବାନ ହୋଇଛି । ପାରମ୍ପରିକ ରଚନାଶୈଳୀ ଏବଂ ପୁରାତନ ଭାବଧାରାକୁ ବଦଳାଇ ଏବର ଶିଶୁକବିତା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ଶିଶୁର ମାନସିକ ଓ ଚାରିତ୍ରିକ ବିକାଶ ଦିଗରେ ଯେଉଁ ଦୃଢ଼ ପଦକ୍ଷେପ ନେଇଛି ତାହା ଅତ୍ୟନ୍ତ ଆନନ୍ଦର ବିଷୟ । ଗୋଟିଏ ଦୁର୍ନୀତିମୁକ୍ତ, ଶୋଷଣହୀନ, ସୁସ୍ଥ ସମାଜ ଗଠନ କରିବାର ଚିନ୍ତାସମ୍ପ୍ରତି ଶିଶୁକବିତାରେ ନୁତନ ମୋଡ଼ ସୃଷ୍ଟି କରିଛି ବୋଲି କହିଲେ ଅତୃକ୍ତ ତେଣୁ ଆମ ଶିଶୁମାନଙ୍କ ପୃଥିବୀକୁ ଆମ ପୃଥିବୀଠାରୁ ସମ୍ପୂର୍ଣ୍ଣ ନୂଆ ରୂପରେ ଗଢ଼ିବାର ପ୍ରଚେଷ୍ଟା ଯେଉଁ ସାହିତ୍ୟ ଭିତରେ ଆତ୍ମଗୋପନ କରି ରହିଛିଁ: ସେଇ ଶିଶୁସାହିତ୍ୟର ବିକାଶ ଓ ପ୍ରସାର ପାଇଁ ପ୍ରତ୍ୟେକ ଥରୁଟିଏ ଚିନ୍ତା କରନ୍ତୁ !!

 

 

ରାଜା ବଗିଚା,

କଟକ - ୭୫୩୦୦୯

 

***

 

Unknown

ଶିଶୁର ବ୍ୟକ୍ତିତ୍ୱ ଓ ଶୈଶବର ପ୍ରାଧାନ୍ୟ

ଶ୍ରୀ ଲାବଣ୍ୟଚନ୍ଦ୍ର ସାହୁ

 

ସୃଷ୍ଟିର ଅମୃତମୟ ଉତ୍ସ ଶିଶୁ ହିଁ ପ୍ରକୃଷ୍ଟ ମାନବ ସମ୍ବଳ । ସେହିମାନେ ହିଁ ପ୍ରାଣୋମୟ ଜାତୀୟ ସମ୍ପଦ । (୧) ମୌଳିକ ରୂପରେ ରାଷ୍ଟ୍ରର ଆତ୍ମା । ଦେଶ ଓ ଜାତିର ସ୍ଥାୟୀ ସମ୍ପତ୍ତି । ଆମର ଐତିହ୍ୟ, ସଭ୍ୟତା, ସଂସ୍କୃତି ଓ ପରମ୍ପରାର ସଂରକ୍ଷକ । କେବଳ ସ୍ୱପ୍ନ, କଳ୍ପନା ଅଥବା ଅଭିଳାଷ ନୁହନ୍ତି, ନୂତନ ପୀଢ଼ିର ବିନ୍ଧାଣି । ଆମ ନିତ୍ୟ ପ୍ରବୃତ୍ତି ବର୍ତ୍ତମାନର ଦୀପ୍ତିମାନ୍ ଦିକ୍‌ସ୍ତମ୍ଭ । (୨)

 

୧.

ଆନ୍ତର୍ଜାତିକ ଶିଶୁ ସମ୍ବତ୍ସର ଉପଲକ୍ଷେ ୧୯୭୯ରେ ଓ୍ୟାଲଡ୍‍ହିମ୍‌ଙ୍କ ବାର୍ତ୍ତା ହେଲା–‘‘Rich or poor, we regard our children as our most precious resources; for our children belong to the future.’’ (ଓଡ଼ିଆ ଶିଶୁ-ସାହିତ୍ୟ : ଶିଶୁ-ସାହିତ୍ୟ ସମସ୍ୟା ଓ ସମାଧାନ (ପୃ-୨୧) ପଟ୍ଟନାୟକ ପଠାଣି ଓଡ଼ିଶା ବୁକ୍ ଷ୍ଟୋର, ୧୯୮୭)

 

 

୨.

ଭଲ ଭାବରେ ଦେଖିବାକୁ ଗଲେ ଶିଶୁପରି ପୁରାତନ ଆଉ କିଛି ନାହିଁ । ଦେଶ-କାଳ-ଶିକ୍ଷା ଓ ପ୍ରଥା ଅନୁସାରେ ବୟସ୍କ ମନୁଷ୍ୟର କେବଳ ପରିବର୍ତ୍ତନ ହୋଇଛି; କିନ୍ତୁ ଶିଶୁ ସହସ୍ର ବର୍ଷ ପୂର୍ବରୁ ଯେପରି ଥିଲା, ଆଜି ମଧ୍ୟ ସେହିପରି ରହିଛି, ସେହି ଅପରିବର୍ତ୍ତନୀୟ ପୁରାତନ ।’

 

ନିବନ୍ଧ ମାଳା (୨ୟ ଖଣ୍ଡ) ‘ପିଲା ଭୁଲାଣିଆ ଢଗଢମାଳି’ ରଚନା : ରବିନ୍ଦ୍ରନାଥ ଠାକୁର, ଅନୁବାଦ : ବେହେରା ଚିନ୍ତାମଣି, ଗ୍ରନ୍ଥମନ୍ଦିର, କଟକ-୨ ପ୍ରଥମ ପ୍ରକାଶ- ୧୯୭୭ ।

 

ଶିଶୁର ଶରୀର ଓ ଆତ୍ମା ନିଷ୍ପାପ...ମନ ସରଳ । ତାହାର ଆଚରଣ ମୌଳିକ ରୂପରେ ସ୍ୱଚ୍ଛ । ସ୍ୱଭାବ ନମନୀୟ ଓ କମନୀୟ । ମନୁସ୍ମୃତି (୨୩୯)ରେ ଯଥାର୍ଥରେ କୁହାଯାଇଛି....‘‘ବାଳାଦପି ସୁଭାଷିତମ୍‌’’ ଅର୍ଥାତ୍ ଶିଶୁର କୋମଳ ଓ ମଧୁର ବଚନ ସମସ୍ତଙ୍କର ଅନୁଧ୍ୟେୟ ଅଟେ । ଶୈଶବର କ୍ଷୁଦ୍ର ଶିଶୁ ବୟଃକ୍ରମେ ମହାମହିମମୟ ବୁଦ୍ଧ, ଯୀଶୁ, ପାଲଟି ଯାଏ । ଭକ୍ତକବି ମଧୁସୂଦନ ରାଓ ଶିଶୁ ସୃଷ୍ଟିର ମହାନୀୟତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । (୩)

 

‘‘ପୃଥିବୀ ନରନାରୀ ପୁଣ୍ୟ ଆଦରଣ

ଶିକ୍ଷାକର ଶିଶୁରୂପ ବରଦ ଆଶୀଷୁ ।’’

 

୩.

‘ନବଜାତ ଶିଶୁ ଦର୍ଶନରେ’ (ବସନ୍ତଗାଥା : ମଧୁସୂଦନ ରାଓ ଗ୍ରନ୍ଥାବଳୀ)

 

ଜନ୍ ମିଲ୍‌ଟନଙ୍କ ଭାଷାରେ ‘‘Child shows the man, as moring shows the day.’’ ଜନ୍ ରସ୍କିନ୍‌ଙ୍କ ମତରେ ‘‘Give a little love to a child and you get a great deal back.’’ ଖଲିଲ୍ ଗିବ୍ରାନ୍ କହନ୍ତି, ‘‘you children are not your children, They are the children of life longing for it self, They do not come for you, they come through you.’’

 

‘‘ଯୁକ୍ତିଯୁକ୍ତଂ ପ୍ରଗୃହୀୟାଦ୍ ବାଳାର୍ଦପଃ ବିଚକ୍ଷଣଃ (ସୁକ୍ତି ସୁଧାକର), ‘‘ବାଳାର୍ଦପ୍ୟର୍ଥଦାଢଂ ଶୃଣୁୟାତ୍‌(ଚାଣକ୍ୟ)’’ ନୀତିବାଣୀ ଶିଶୁ ବ୍ୟକ୍ତିତ୍ୱର ମହତ୍ତ୍ୱ ପ୍ରକଟିତ କରି ପାରିଛି ।

 

କେବଳ ଉତ୍ତରସୁରୀ, ଦାର୍ଶନିକ ବା ପ୍ରବକ୍ତା ନୁହନ୍ତି ଆଧୁନିକ ଯୁଗରେ କବିଗଣ ମଧ୍ୟ ଶିଶୁର ମହତ୍ତ୍ୱକୁ ବିଶ୍ଳେଷକରି ମାନ୍ୟତା ପ୍ରଦାନ କରିଛନ୍ତି । କବି ରାଜେନ୍ଦ୍ରକିଶୋର ପଣ୍ଡାଙ୍କ ‘ଶିଶୁ’ (ଶୈଳକଳ୍ପ) କବିତାରେ ଶିଶୁର ଜୀବନ ଜିଜ୍ଞାସା ଓ ଅମୃତ ଦୃଷ୍ଟିର ସଠିକ୍ ରୂପାୟନ ଘଟିଛି –

 

‘‘ସୃଷ୍ଟିଭରା ନିରୀହତାକୁ ବିଞ୍ଚିଦିଏ,

ବ୍ୟାପ୍ତ ନୀଳିମାର ବିଶାଳତାରେ । * * ।

ବିନ୍ଦୁ ଭିତରେ ନିହିତ ବିଚିତ୍ର ମହାଭାରତ ଚମତ୍କାରିତା ।’’

 

ପୁଣି -‘‘ତୁ ଈଶ୍ୱରଠୁଁ ବଡ଼ । କାରଣ–

ତୁ ଇମିତି ଈଶ୍ୱରଟିଏ ଯିଏ ସଚେତନ ନୁହେଁ

ଅସତ୍ୟ-ଅଶିବ-ଅସୁନ୍ଦର ଆଉ ଦୁଃଖ ସୃଜି ପାରିବାରେ

ଆପଣା କ୍ଷମତାର । ତୁ ଇମିତି ଈଶ୍ୱରଟିଏ

ଯିଏ ମୋଟେଇ ସଚେତନ ନୁହେଁ, ଆପଣା ଐଶ୍ୱରିକତାର ।’’

 

ଆମର ବେଦ ପୁରାଣରେ ପ୍ରତିପାଦିତ ପାରିବାରିକ ଜୀବନ ପ୍ରତି ଦୃକ୍‌ପାତ କଲେ ଜଣାଯାଏ ଯେ, ଉପଯୁକ୍ତ ସନ୍ତାନଟିଏ ପ୍ରାପ୍ତି ପାଇଁ ରାଜନ୍ୟବର୍ଗଠାରୁ ଆରମ୍ଭ କରି ଋଷି ଦମ୍ପତି ପର୍ଯ୍ୟନ୍ତ ସମସ୍ତଙ୍କୁ କଠିନ ତପଶ୍ଚର୍ଯ୍ୟ (ବ୍ରତ- ଉପବାସ-ଯଜ୍ଞ-ଧ୍ୟାନ-ଧାରଣା) ଓ ଶରୀର ସାଧନା କରିବାକୁ ପଡ଼ୁଥିଲା । ମାତାର ଶରୀରରେ ଭ୍ରୁଣ ସଂସ୍ଥାନ ପୁର୍ବରୁ ଉଭୟ ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କୁ ଆତ୍ମ ଓ ଶରୀର ଶୁଦ୍ଧିର କଠିନ ସାଧନା କରିବାକୁ ପଡ଼ୁଥିଲା । ମହର୍ଷି ବ୍ୟାସଙ୍କ ପ୍ରତିପାଦତ ଷୋଡ଼ଶ ବୈଦିକ ସଂସ୍କାର ମଧ୍ୟରୁ (୧) ଗର୍ଭାଧାନ (୨) ପୁଂସବନ (୩) ସୀମାନ୍ତୋଽନ୍ମୟନ ଏହି ତିନୋଟି ସଂସ୍କାର କ୍ରିୟା (୪) ଭ୍ରୁଣ ସଂସ୍ଥାପନର ପୂର୍ବବସ୍ଥାରେ ତଥା ସଂସ୍ଥାପିତ ଭ୍ରୁଣର ସୁରକ୍ଷା ଓ ପରିପୁଷ୍ଟ ନିମିତ୍ତ ଅଭିପ୍ରେତ ଥିଲା । ବିଶୃଦ୍ଧ ଶରୀରରୁ ଅମୃତ ସନ୍ତାନର ଉଭବ ହୋଇଥାଏ । ବିଶୁଦ୍ଧ ଅନ୍ତଃକରଣରୁ ଶୁଦ୍ଧ, ସାତ୍ତ୍ୱିକଧର୍ମୀ ସଂଯମ ମନର ସୃଷ୍ଟି ହୋଇଥାଏ । ଏଣୁ ବୈଦିକ ସଂସ୍କୃତରେ ବିବାହ କେବଳ ସଂଭୋଗ ସୁଖ ପାଇଁ ନୁହେଁ, ପରନ୍ତୁ ଯୋଗ୍ୟ ଉତ୍ତର ଦାୟଦ ପ୍ରାପ୍ତି ନିପିତ୍ତ ଅଭିପ୍ରେତ ଥିଲା ।

 

୪.

‘ସଂସ୍କାର ସେ ଆତ୍ମା, ଅନ୍ତକରଣ ଶୁଦ୍ଧ ହୋତା ହୈ । * * ।

ବିଧିପୂର୍ବକ ସଂସ୍କାର ସେ ଯୁକ୍ତ ଗର୍ଭାଧାନ୍‌ ସେ ଅଛୀ ଔର୍‌

ସୁଯୋଗ୍ୟ ସନ୍ତାନ ଉତ୍ପତ୍ତି ହୋତା ହୈ ।* ।

(‘ସଂସ୍କାର’ କଲ୍ୟାଣ ପୁରାଣାଙ୍କ : ୬୩ଶ ବର୍ଷ ୧୯୮୯, ଗୀତା ପ୍ରେସ୍‌ ଗୋରଖପୁର)

 

ଏବେ ଶୈଶବାବସ୍ଥା ସମ୍ବନ୍ଧରେ କିଞ୍ଚିତ୍ ଆଲୋଚନା କରାଯାଉ । ବ୍ୟକ୍ତି ଜୀବନର ଆଦ୍ୟ ସୋପାନ ହେଲା- ‘ଶୈଶବାବସ୍ଥା’ । ଏହିଠାରୁ ହିଁ ଶିଶୁର ଗଠନପୁର୍ବ ଆରମ୍ଭ ହୁଏ । ଶୈଶବର ରଙ୍ଗ ମଞ୍ଚରେ ଶିଶୁ ନିଜ ଜୀବନ ନାଟିକା ଅଭ୍ୟାସ କରିଥାଏ । ଉପଯୁକ୍ତ ନିର୍ଦ୍ଦେଶନା, ଦିଗ୍‌ଦର୍ଶନ ପାଇଲେ ତଥା ନିତ୍ୟାଭ୍ୟାସ, ଉଦ୍‌ଯୋଗ, ତଥା ଭ୍ରମ-ପ୍ରସାଦର ବାରମ୍ବାର ସଂଶୋଧନ ଫଳରେ ପରବର୍ତ୍ତୀ କାଳରେ ଧୁରୀଣ ତଥା ସୁଦକ୍ଷ କଳାକାର ଭାବରେ ନିଜକୁ ପରିଚିତ କରାଇଥାଏ ।

 

ପରବର୍ତ୍ତୀ କାଳରେ ମହାତ୍ମା, ରାଷ୍ଟ୍ରନାୟକ, ନିପୁଣ କଳାକାର, ଅଥବା କୁଖ୍ୟାତ ଡକାୟତ, ଖୁଣୀ ଆସାମୀ ପାଲଟିଥିବା ବ୍ୟକ୍ତି; ନିଜ ଶୈଶବର ସ୍ମୃତି ଚାରଣ କରି ଆନନ୍ଦିତ ଅଥବା ଆତଙ୍କିତ ହୋଇଥାଆନ୍ତି । କାରଣ ଭବିଷ୍ୟତରେ ଡାଳପତ୍ର ମେଲି ସୁଦୃଶ୍ୟ ହେବାକୁ ଯାଉଥିବା ବୃକ୍ଷଟିର ଚେର ଶୈଶବ ଭୁଗର୍ଭରେ ହିଁ ଲୁକ୍‌କାୟିତ ଥାଏ । ବିଶିଷ୍ଟ ମନୋବିଶ୍ଳେଷକ ଫ୍ରଏଡ୍‍ ୟଙ୍ଗ୍ ଆଡଲର୍‌ ଏହି ଶୈଶବାବସ୍ଥା ଉପରେ ଗୁରୁତ୍ୱ ସ୍ଥାପନ କରିଛନ୍ତି ।

 

ସମଗ୍ର ବିଶ୍ୱ ସାହିତ୍ୟକୁ ପର୍ଯ୍ୟାଲୋଚନା କଲେ ଏହା ସ୍ପଷ୍ଟ ହୋଇଯାଏ ଯେ, ପ୍ରାରମ୍ଭରୁ ଶିଶୁ ବ୍ୟକ୍ତିତ୍ୱର ସ୍ୱୀକୃତ ନିମିତ୍ତ ସ୍ୱତନ୍ତ୍ର ଭାବରେ କିଛି କରାଯାଇ ପାରିନାହିଁ । ବରଂ କହିବାକୁ ଗଲେ ଶିଶୁ ବ୍ୟକ୍ତିସତ୍ତାର ସ୍ୱାତନ୍ତ୍ର ପ୍ରତି ଏକ ପ୍ରକାର ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି କୁହାଯାଇ ପାରେ । ସେମାନଙ୍କର ବ୍ୟକ୍ତିତ୍ୱକୁ ସ୍ୱୀକୃତ ପ୍ରଦାନ କରିବା ପରିବର୍ତ୍ତେ ଏକଦା ସେମାନଙ୍କର ବିଚାରତା, ଉତ୍ସୃକତା, ଆଚରଣ, ଆବେଦନକୁ ପାପ ପ୍ରବୃତ୍ତି ଭାବି ଦମିତ କରି ରଖାଯାଉଥିଲା । ଆହୁରି ମଧ୍ୟ ଜଣାଯାଉଛି ଯେ, ଏପରିକି ଅଷ୍ଟାଦଶ ଶତାବ୍ଦୀର ତୃତୀୟ ଦଶକ ପର୍ଯ୍ୟନ୍ତ ସର୍ବୋଚ୍ଚ ସଭ୍ୟରାଷ୍ଟ୍ର ଇଉରୋପୀୟ ବଜାରମାନଙ୍କରେ ଶିଶୁମାନଙ୍କ ମନୋରଞ୍ଜନ ନିମିତ୍ତ କୌଣସି ଖେଳନା ସାମଗ୍ରୀ ବିକ୍ରି ଦୋକାନ ମଧ୍ୟ ନଥିଲା କିମ୍ବା ଶିଶୁ ଉପଯୋଗୀ ତଥା ଶିଶୁ ବ୍ୟକ୍ତିତ୍ୱକୁ ପରିପୁଷ୍ଟ କଲାଭଳି କିଛି ନିର୍ଦ୍ଦିଷ୍ଟ ପୁସ୍ତକ ଓ ପତ୍ରିକା ଛପାଯାଇ ନଥିଲା । (୫)

 

୫.

ସାଂପ୍ରତିକ କାଳର ଶିଶୁ ଓ ଶିଶୁସାହିତ୍ୟ (ପୃ-୩୭)

(ଶିଶୁସାହିତ୍ୟ ସମସ୍ୟା ଓ ତାହାର ସମାଧାନ) ମହାନ୍ତି ଡଃ ମହେଶ୍ୱର,

ପ୍ରକାଶକ : ଓଡ଼ିଶା ବୁକ୍ ଷ୍ଟୋର, କଟକ-୨ ।

 

ସାନ ସାନ ପିଲାମାନଙ୍କୁ ବଡ଼ମାନଙ୍କ ପୋଷାକରେ ସଜାଇଲା ଭଳି, ଭାରତୀୟ ବିଦଗ୍‌ଧ ସାହିତ୍ୟରେ କ୍ୱଚିତ୍‌ ଶୈଶବ ଚେତନାର ଚିତ୍ର ଦୃଷ୍ଟିଗୋଚର ହୋଇଥାଏ । ଏହା ଶିଶୁ ଉପଯୋଗୀ ନହେଲେ ବି ଶିଶୁମାନଙ୍କ ନିମିତ୍ତ ଉଦ୍ଧିଷ୍ଟ ଥିଲା ।

 

ଆଜିର ଶିଶୁ ବ୍ୟକ୍ତିତ୍ୱର ଅନୁଶୀଳନ, ତାହାର ମନସ୍ତତ୍ତ୍ୱ ଅଧ୍ୟୟନ, ଏପରିକି ଶିଶୁ ସମ୍ପର୍କିତ ବିଷୟ ଚୟନ, ଶିଶୁ ବିକାଶ ମୂଳକ ବିଭିନ୍ନ ଆଭିମୁଖ୍ୟ ଓ ଯୋଜନ, କେବଳ ପରବର୍ତ୍ତୀକାଳୀନ ବର୍ଦ୍ଧିଷ୍ଣୁ ଚିନ୍ତାଧାରାର ପରିପ୍ରକାଶ ଅଟେ । ଏଣୁ ନିଃସନ୍ଦେହରେ ବିଂଶ ଶତାବ୍ଦୀକୁ ହିଁ ଶିଶୁ ଶତାବ୍ଦୀ ଭାବରେ ଅଭିହିତ କରାଯାଇ ପାରେ । ୧୯୦୯ରେ ଆମେରିକା ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟଙ୍କର ‘‘White House Conference on children youth’, ୧୯୬୦ରେ ଏହି ସମ୍ମିଳନୀରେ ସୁବର୍ଣ୍ଣ ଜୟନ୍ତୀ ପାଳନ, ୧୯୨୪ରେ Geneva Declaration of the Rights of the child’ ଜାତିସଂଘର ‘Universal Children’s day’ର ଘୋଷଣା, ୧୯୫୯ରେ ଜାତିସଂଘ ସାଧାରଣ ପରିଷଦରେ ‘Declaration of Rights of Child’ ତଥା ୧୯୭୯ ମସିହାଟି ‘ଆନ୍ତର୍ଜାତିକ ଶିଶୁ ସମ୍ୱତ୍ସର’ ଭାବରେ ପାଳନ; ଶିଶୁର ବ୍ୟକ୍ତିତ୍ୱକୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ତାହାର ସ୍ୱତନ୍ତ୍ର ବ୍ୟକ୍ତିସତ୍ତାର ସ୍ୱୀକୃତିକୁ ଦୃଢ଼ ଭାବରେ ସାବ୍ୟସ୍ତ କରି ପାରିଛି ।

 

ଆଜିର ଶିଶୁ ଆଉ କ୍ଷୁଦ୍ରାକାର ମଣିଷ ହୋଇ ରହି ନାହିଁ । ନିଜର ଚିନ୍ତା, ଚେତନା, ରୁଚି, ଆଗ୍ରହରେ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରି ପାରୁଥିବାରୁ ତାକୁ ଏକ ସ୍ୱତନ୍ତ୍ର-ବିକାଶଶୀଳ ବ୍ୟକ୍ତିତ୍ୱର ଏକକ ଭାବରେ ବିଚାର କରାଯାଇ ପାରିଛି । ଶିଶୁ ଯେ ଏକ ଯନ୍ତ୍ରଚାଳିତ କଣ୍ଢେଇ ଓ ଜଣକ ମୁହଁରୁ କିଛି ଶୁଣି କେବଳ ସମତାଳିକ ଉଚ୍ଚାରଣ କରିବ, ଏହି ପ୍ରକାର ବିଚାରଧାରାର ଗୁରୁତ୍ୱ ହ୍ରାସ ପାଇଲାଣି । (୬)

 

୬.

The new born child is no longer regarder as a piece of wax upon which imperessions are to be made X Far form being a gramphone record, whose function is simply to record and to reproduce what is recorded. The child is an internal combustion engine, capable of spontaneous activity (Childhood and Adolescene by J.A Hadfield, penguine books-1978, p- 28)

 

ବିଜ୍ଞାନ କ୍ଷିପ୍ର ଅଗ୍ରଗତି ସାଙ୍ଗକୁ ଦୂରଦର୍ଶନ, ତଥା ଆକାଶବାଣୀର ନିୟମିତ କାର୍ଯକ୍ରମ ଆଜିର ଶିଶୁର କଳ୍ପନା ଓ ଭାବପ୍ରବଣତାକୁ ବିପୁଳ ଭାବରେ ଅନୁପ୍ରାଣିତ ତଥା ତ୍ୱରାନ୍ୱିତ କରିପାରିଛି । ‘ଶିଶୁ, ଅଜ୍ଞାନ ଓ ଅବୋଧ ଅଟେ ଓ ବୟସ୍କମାନେ ନିଜର ଇଚ୍ଛା ଓ ରୁଚି, ବିଚାରବୋଧ ଯଦୃଚ୍ଛା ସେମାନଙ୍କ ଉପରେ ଲଦିଦେବେ’, ଏପରି ବିଚାରଧାରାକୁ ଅବକ୍ଷୟ ଘଟିଲାଣି । (୭) ଶିଶୁମାନଙ୍କ ଉପରେ ବୟସ୍କମାନଙ୍କର ଇଚ୍ଛାକୁ ଜୋର ଜବରଦସ୍ତ ଲଦି ଦେବାର ପ୍ରୟାସ ସମ୍ପ୍ରତି ଭିନ୍ନ ମୋଡ଼ ନେଲାଣି । ଏହାର ପ୍ରମୁଖ କାରଣ ହେଲା ଶିଶୁ ମନସ୍ତତ୍ତ୍ୱର ବିଶ୍ଳେଷଣ ପରେ ତାହାର ବ୍ୟକ୍ତିତ୍ୱକୁ ସ୍ୱୀକୃତି ଦେବା ମୁଳରେ ଥିବା ଆଗ୍ରହ ଓ ସଦିଚ୍ଛା । ଆର୍ଷବାକ୍ୟ ‘ନ ପ୍ରବୁଦ୍ଧତ୍ୱଂ ଗୁଣହେତୁ’ ଅର୍ଥାତ କେବଳ ବୟସରେ ବଡ଼ ହୋଇଗଲେ କେହି ଗୁଣବାନ୍‌ ହୋଇଯାଏ ନାହିଁ, ଏହା ବୟସ୍କମାନଙ୍କର ବୃଥା ଅହମିକାକୁ ପ୍ରତ୍ୟାଖ୍ୟାନ କରିଛି ।

 

୭.

The adult is Omniscient, Omnipresent, just, and good, the scurce of the uniformities of nature and of the laws of morality.

 

(The moral Judgement of child by Jean Piaget, Penguine Books 1977, p-363)

 

 

ଏହା ସତ୍ୟ ଯେ କିଏ କାହାକୁ ପଢ଼ାଏ ନାହିଁ । କେବଳ ତାହାଠାରେ ସନ୍ନିହିତ ମୌଳିକ ଚେତନାର ଉନ୍ମୋଚନ ଓ ବିକାଶ ଦିଗରେ ସହାୟକ ହୋଇଥାଏ । ଏଣୁ ଯଥାର୍ଥରେ କୁହାଯାଇଛି, ‘‘You cannot teach a man anything but you can help him to discover within himself,’’ ଏହି ପରିପ୍ରେକ୍ଷୀରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଅଭିମତ ଅନୁଧ୍ୟେୟ ।

 

‘‘ଶିକ୍ଷାମେଁ ମେରା ତାତ୍ପର୍ଯ୍ୟ ୟହ ହୈ କୀ ବାଲ୍‌କ ଔର୍‌ ମନୁଷ୍ୟକେ ଶରୀର ମନ ଔର ଆତ୍ମାମେଁ ଯୋ କୁଚ୍ଛ୍ ଶ୍ରେଷ୍ଠ ହୈ ଉସ୍‌କା ପୂରୀ ତରହ ପ୍ରସ୍ଫୁଟନ ହୋନା ଚାହିୟେ । ସାକ୍ଷରତା ଶିକ୍ଷାକା ନ ଅନ୍ତିମ୍ ଉଦ୍ଦେଶ୍ୟ ହୈ ଔର୍‌ ନ ପ୍ରାରମ୍ଭିକ୍‌ । ୟହ କେବଲ୍ ଏକ୍‌ ସାଧନ ହୈ । (୮)

 

୮.

କଲ୍ୟାଣ ଶିକ୍ଷକଙ୍କ ପୃ-୩୮୫ : ଗୀତା ପ୍ରେସ ଗୋରଖପୁର ।

 

ପରିଶେଷରେ ଶିଶୁ ବ୍ୟକ୍ତିତ୍ୱର ପ୍ରାଧାନ୍ୟ ସମ୍ପର୍କରେ ଲେବାନନ୍‌ କବି ଖଲିଲ୍‌ ଜିବ୍ରାନ୍‌ଙ୍କର ବିଚାର ସଂଶ୍ଳେଷଣର କୀୟଦଂଶ ଉଦ୍ଧାର କରାଗଲା–

 

‘‘You may give them your love, but not your thought, for they have their own thought. You may house their bodies, but not their souls; for their souls dwell in the house of tomorrow, which you connot visit even in dream.’’

 

ତେବେ ଶିଶୁ ବ୍ୟକ୍ତିତ୍ୱ ଆଜି ସ୍ୱୀକୃତ । ପିଲାମାନେ କିପରି ସୁସ୍ଥ ଓ ସ୍ୱାଧୀନ ଗରିମାମୟ ବାତାବରଣ ମଧ୍ୟରେ ଗଢ଼ି ଉଠିବେ ସେଥିପାଇଁ ସୁଯୋଗ ସୁବିଧା ଯୋଗାଇ ଦେବାକୁ ଭାରତର ସମ୍ବିଧାନରେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । (୯)

 

୯.

ଭାଗ-୪, ରାଜ୍ୟନୀତିର ନିର୍ଦ୍ଦେଶକ ତତ୍ତ୍ୱ ୩୯ (୮) ଭାରତ ସମ୍ୱିଧାନ : ଭାରତ ସରକାରଙ୍କ ତରଫରୁ ଓଡ଼ିଶା ସରକାରଙ୍କଦ୍ୱାରା ମୃଦ୍ରିତ ଓ ପ୍ରକାଶିତ ।

 

ସହାୟକ ଗ୍ରନ୍ଥସୂଚୀ :

Children’s Literature of Orissa, by Mohanty Dr. Jagannath Published by Orissa Sahitya Akademi, lst Published-1993.

‘‘ଶିଶୁସାହିତ୍ୟ ସଂକଳନ ଅବସରରେ’, ସଂପାଦକ : ଓଡ଼ିଶା ସାହିତ୍ୟ ଏକାଡେମୀ, ଦାସ୍‌ ରାଇଚରଣ (ଓଡ଼ିଶା ଶିଶୁସାହିତ୍ୟ ସଂକଳନ) ।

ଓଡ଼ିଶା ଶିଶୁସାହିତ୍ୟ : ଉନ୍ମେଷ ଓ ବିକାଶ- ମହାନ୍ତି ଡଃ ମନୀନ୍ଦ୍ର ।

ଶିଶୁ ମନର ପରିଚୟ : କାନୁନ୍‌ଗୋ ଡଃ ରବୀନ୍ଦ୍ରନାଥ, ମିଶ୍ର ଶ୍ରୀମତୀ ପ୍ରତିମା, ପ୍ରକାଶକ : ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା-ଭୁବନେଶ୍ୱର ।

ସାଂପ୍ରତିକ ଓଡ଼ିଆ ଶିଶୁସାହିତ୍ୟ, ପ୍ରକାଶକ : ଶିଶୁସାହିତ୍ୟ ଏକାଡେମୀ, ଓଡ଼ିଶା, ଭୁବନେଶ୍ୱର ।

 

 

ଆସିଷ୍ଟାଣ୍ଡ ମ୍ୟାନେଜର

ତାଳଚେର ଥର୍ମାଲ ପାଓ୍ୱାର ଷ୍ଟେସନ

ଅନୁଗୁଳ-୭୫୯୧୦୧

 

 

***

 

ଆମ ପିଲାଙ୍କ ପାଇଁ ନାଟକ କାହିଁ ?

ଡକ୍‌ଟର କୃତ୍ତିବାସ ନାୟକ

 

ନାଟକର ସରସତ୍ୱ ଏବଂ ଶ୍ରେଷ୍ଠତ୍ୱକୁ ସ୍ୱୀକାର କରି କୁହାଯାଇଛି–‘କାବ୍ୟେଷୁ ନାଟକଂ ରମ୍ୟମ୍’ । କାରଣ ସାହିତ୍ୟ ଭଣ୍ଡାରର ନାଟକ ହେଉଛି, ସର୍ବୋତ୍କୃଷ୍ଟ ମଣିଟିଏ । ଏହା ଏକ ମାତ୍ର ଦର୍ଶନଯୋଗ୍ୟ କଳା ତଥା ପ୍ରୟୋଗାତ୍ମକ କଳା ଅଟେ । କବିତା, ଗଳ୍ପ ବା ଉପନ୍ୟାସ ଲେଖା ସରିଗଲେ, ସ୍ରଷ୍ଟାର ଦାୟିତ୍ୱ ଶେଷ ହୋଇଯାଏ; କିନ୍ତୁ ନାଟକର ରଚନା ଶେଷରେ ନାଟ୍ୟକାରର ଦାୟିତ୍ୱ ବଢ଼ିଯାଏ । କାରଣ ରଙ୍ଗମଞ୍ଚ ଉପରେ ଏହାର ସଫଳତା ନିର୍ଭର କରିଥାଏ । ମଞ୍ଚ, ଆଲୋକ, ପୋଷାକ, ଅଭିନୟ ପାଇଁ ଉପଯୁକ୍ତ ଅଭିନେତା-ଅଭିନେତ୍ରୀ ଏବଂ ଅନନ୍ୟ ଆନୁଷଙ୍ଗିକ ଜିନିଷର ସହଜ ଉପଲବ୍‌ଧକୁ ମଧ୍ୟ ନାଟ୍ୟକାରକୁ ଆଖି ଆଗରେ ରଖିବାକୁ ପଡ଼ିଥାଏ । ଶେଷରେ ଦର୍ଶକମାନଙ୍କର ରୁଚି ଏବଂ ନିର୍ଦ୍ଧିଷ୍ଟ ସମୟସୀମା ପ୍ରତି ତାକୁ ସଚେତନ ରହିବାକୁ ପଡ଼େ । ତେଣୁ ଜଣେ ଭଲ ନାଟ୍ୟକାରଙ୍କୁ ବହୁ ନୀତି-ନିୟମ ଏବଂ ଶୃଙ୍ଖଳା ମଧ୍ୟଦେଇ ଗତି କରିବାକୁ ପଡ଼ିଥାଏ । ଆବଶ୍ୟକ ଚରିତ୍ର ମୁହଁରେ ଉପଯୁକ୍ତ ସଂଳାପ ଏବଂ ସମୟ ଉପଯୋଗୀ କାହାଣୀ ହେଉଛି, ନାଟକ ସଫଳତାର ଅସଲ ଚାବିକାଠି । ତେଣୁ ଏହି ତିନୋଟି ଦିଗପ୍ରତି ଯେଉଁ ନାଟ୍ୟକାରମାନେ ଯେତେ ସଚେତନ, ତାଙ୍କର ସୃଷ୍ଟି ସେତେ ପରିମାଣରେ ସଫଳତା ହାସଲ କରିଥାଏ ।

 

ନାଟକର ରସ ଆସ୍ୱାଦନ ପାଇଁ ଲୋଳିତଚର୍ମା ବୃଦ୍ଧଠାରୁ ଆରମ୍ଭ କରି କୋମଳମତି ଶିଶୁମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟାକୁଳ ହୋଇ ଉଠନ୍ତି । ଏହି ନାଟ୍ୟସାହିତ୍ୟ ବା ନାଟ୍ୟକଳାର ରସ ଆସ୍ୱାଦନ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ । ଯେହେତୁ ଏହା ଦର୍ଶନୀୟ ବା ଦୃଶ୍ୟକାବ୍ୟ, ଶିକ୍ଷା ଓ ବୟସ ନିର୍ବିଶେଷରେ ସମସ୍ତେ ଏହାକୁ ଉପଭୋଗ କରିବାର ସୁଯୋଗ ଲାଭକରି ଥାଆନ୍ତି । କେବଳ ସେତିକି ନୁହେଁ, ନାଟକ ଯେଉଁ ପରିମାଣରେ ଦର୍ଶକ ହୃଦୟରେ ଛାପ ପକାଇଥାଏ, ଅନ୍ୟ କୌଣସି ମାଧ୍ୟମ ସେତିକି ତୀବ୍ର ପ୍ରଭାବ ପକାଇ ପାରେ ନାହିଁ । ତେଣୁ ସମାଜ ଗଠନ ଓ ସମାଜର ପରିବର୍ତ୍ତନ ପାଇଁ ନାଟକର ଭୂମିକା ଯୁଗେ ଯୁଗେ ରହି ଆସିଛି ।

 

ଆମ ଦେଶରେ ପିଲାମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ନାଟ୍ୟଶାଳା ବା ମଞ୍ଚ ନାହିଁ । ସେମାନେ ବାପା-ମାଆ ଏବଂ ମୁରବୀମାନଙ୍କ ସହିତ ମିଶି ବୟଃପ୍ରାପ୍ତମାନଙ୍କ ପାଇଁ ପରିବେଷଣ କରାଯାଉଥିବା ବିଭିନ୍ନ ନାଟକ/ନାଟିକାଗୁଡ଼ିକୁ ଉପଭୋଗ କରିଥାଆନ୍ତି । ଏଥିପାଇଁ ଯେଉଁ କେତୋଟି କାରଣ ଅଛି, ତା’ମଧ୍ୟରୁ ମୁଖ୍ୟ କାରଣ ହେଲା; ଅନେକ ଦିନ ପର୍ଯ୍ୟନ୍ତ ଆମ ଦେଶର ବିଦ୍ୱାନ ନାଗରିକ ତଥା ସମାଜପତିମାନେ ପିଲାମାନଙ୍କ ରୁଚି ଓ ପିଲାଙ୍କ ମନୋରଞ୍ଜନ ପାଇଁ ସଚେତନ ନଥିଲେ । ସେମାନଙ୍କର ଧାରଣା ଥିଲା, ପିଲାମାନେ ହେଉଛନ୍ତି, ବୟଃପ୍ରାପ୍ତମାନଙ୍କର ଏକ କ୍ଷୁଦ୍ର ସଂସ୍କରଣ । ସେମାନେ ବଡ଼ମାନଙ୍କୁ ଅନୁକରଣ କରିବେ । ତାଙ୍କର ବଳ-ବୟସ ହୋଇଗଲେ, ସେମାନେ ବି ଖଟିବେ, ରୋଜଗାର କରି ଶିଖିବେ । ପିଲାଛୁଆ ଜନ୍ମଦେଇ, ଶେଷରେ ତାଙ୍କରି ପରି ବୁଢ଼ା-ବୁଢ଼ୀ ହୋଇ ମଶାଣିକୁ ଯିବେ।

 

ଆଜିର ଶିଶୁ କାଲି ଏ’ ଜାତିର କର୍ଣ୍ଣଧାର ହେବ । ଏଇ ଧୂଳି ଧୂଷରିତ ପିଲାମାନଙ୍କର ମସ୍ତିଷ୍କରେ ମହାକାଶ ବିଜ୍ଞାନର ସୂକ୍ଷ୍ମଜ୍ଞାନ ଭରି ରହିଛି, ତାଙ୍କରି ଭିତରେ ଭବିଷ୍ୟତର ମହାତ୍ମାଗାନ୍ଧୀ, ବୁଦ୍ଧ, ଶାସ୍ତ୍ରୀଜୀ ଏବଂ ଅରବିନ୍ଦଙ୍କ ଭଳି ମହାମନୀଷୀ ଅଛନ୍ତି; ଏ କଥାକୁ କେହି ବିଶ୍ୱାସ କରିପାରୁ ନଥିଲେ । ତେଣୁ ପିଲାମାନଙ୍କପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆବଶ୍ୟକତାକୁ ସେମାନେ ଅନୁଭବ କରିପାରୁ ନଥିଲେ । କାଳକ୍ରମେ ଆଧୁନିକ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ପିଲାଙ୍କ ରୁଚି ଓ ମନସ୍ତତ୍ତ୍ୱକୁ ନେଇ ସ୍ୱତନ୍ତ୍ର ସାହିତ୍ୟ ସୃଷ୍ଟି କରାଗଲା । ପିଲାଙ୍କପାଇଁ ସ୍ୱତନ୍ତ୍ର ନାଟକ/ନାଟିକା ପରିବେଷଣ ସମ୍ଭବ ହେଲା ।

 

୧୯୪୮ ମସିହାରେ ଅନ୍ତର୍ଜାତୀୟ ଥିଏଟର ସଂସ୍ଥାନ ପ୍ରତିଷ୍ଠିତ ହେଲା । ଏହି ସଂସ୍ଥାନର ଏକ ବୈଠକରେ ପିଲାଙ୍କ ମନୋରଞ୍ଜନ ପାଇଁ’ ସ୍ୱତନ୍ତ୍ର ଥିଏଟର ଗଠନପାଇଁ ପ୍ରସ୍ତାବ ଆସିଥିଲା । ସର୍ବସମ୍ମତି କ୍ରମେ ୧୯୫୯ ମସିହାରେ ଏହି ପ୍ରସ୍ତାବ ଗ୍ରହଣ କରି ନିଆଗଲା । ଏହାପରେ ଇଂଲଣ୍ଡର ବ୍ରିଟିସ୍ ଚିଲଡ୍ରେନ୍‌ସ୍ ଥିଏଟର ଆସୋସିଏସନ୍‌ର ପ୍ରତିଷ୍ଠା ହେଲା । ତେବେ ବିଶ୍ୱର ସର୍ବପ୍ରଥମ ଶିଶୁ ଥିଏଟର ପ୍ରତିଷ୍ଠା ଲାଭକଲା ଲଣ୍ଡନରେ । ପରେ ପରେ ଯୁକ୍ତରାଷ୍ଟ୍ର ଆମେରିକା, ହଲାଣ୍ଡ, ପଶ୍ଚିମ ଜର୍ମାନୀ, କାନାଡ଼ା, ଫ୍ରାନ୍‌ସ, ଚିକୋସ୍ଳୋଭିକିଆ ଏବଂ ପୋଲାଣ୍ଡ ଭଳି ଆଉ କେତୋଟି ବିକଶିତ ରାଷ୍ଟ୍ର ବିଭିନ୍ନ ଚିନ୍ତାଧାରା ଓ ଲକ୍ଷ୍ୟନେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ନାଟ୍ୟଶାଳାମାନ ପ୍ରତିଷ୍ଠା କରିଥିଲେ । କେତେକ ରାଷ୍ଟ୍ର ଏହି ନାଟ୍ୟଶାଳା ମାଧ୍ୟମରେ ନାଟ୍ୟ ପ୍ରଦର୍ଶନ କରୁଥିଲେ । ଅନ୍ୟ କେତେକ ନାଟ୍ୟଶାଳାକୁ ସେମାନେ ଏକ ଭଲ ବ୍ୟବସାୟ କେନ୍ଦ୍ର ମନେ କରୁଥିଲେ ।

 

୧୯୫୨ ମସିହାରେ ୟୁନେସ୍କୋ ତରଫରୁ ଏକ ଅନ୍ତର୍ଜାତୀୟ ନାଟ୍ୟଶାଳା ପରିଷଦର ବୈଠକ ପ୍ୟାରିସ୍‌ଠାରେ ଆହୁତ ହୋଇଥିଲା । ଏଥିରେ ବିଶ୍ୱର ଶିଶୁନାଟ୍ୟ ବିଶେଷଜ୍ଞମାନେ ଗଭୀରଭାବେ ଆଲୋଚନା କଲେ । ପିଲାମାନଙ୍କୁ ନେଇ ଯେଉଁମାନେ ବ୍ୟବସାୟ ସୂତ୍ରରେ ଥିଏଟର କରୁଥିଲେ ସେମାନଙ୍କୁ ଏହି ବୈଠକରେ ନିନ୍ଦା କରାଗଲା । ଶେଷରେ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଗଲା ଯେ, ପିଲାମାନଙ୍କୁ ନେଇ ଉଚ୍ଚକୋଟୀର ତଥା ଉପଭୋଗ୍ୟ ନାଟକ ପ୍ରସ୍ତୁତ କରାଯିବ । ଯାହାଦ୍ୱାରା ପିଲାମାନଙ୍କର ମାନସିକ ବିକାଶ ସମ୍ଭବ ହୋଇପାରିବ । ଫଳରେ ପିଲାଙ୍କ ନାଟ୍ୟଶାଳାଗୁଡ଼ିକ କ୍ରମେ ଉନ୍ନତି କରିଚାଲିଛି । ନୂତନ ଶୈଳୀରେ ବିଭିନ୍ନ ପରୀକ୍ଷାମୁଳକ ପିଲାଙ୍କ ନାଟକ ପରିବେଷିତ ହୋଇ ଆସୁଛି ।

 

ସଂପ୍ରତି ଭାରତରେ ପିଲାଙ୍କ ନାଟ୍ୟ ଆନ୍ଦୋଳନ ଆରମ୍ଭ ହୋଇଛି । ଏ’ଦିଗରେ କଲିକତାସ୍ଥିତ ଚିଲ୍‌ଡ୍ରେନ୍‌ସ ଲିଟିଲ୍ ଥିଏଟର ଏବଂ ୟୁଥ୍ ପପେଟ୍ ଥିଏଟର ଭୂମିକା ଉଲ୍ଲେଖନୀୟ । ଏହି ଅନୁଷ୍ଠାନ ତରଫରୁ କେତେକ ନାଟ୍ୟବିଶେଷଜ୍ଞ ପିଲାମାନଙ୍କୁ ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ଭାବରେ ଶିକ୍ଷା ପ୍ରଦାନ କରିଥାନ୍ତି । ସେହିପରି ରଙ୍ଗମଞ୍ଚର ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁରମାସେଠ୍ ପାଞ୍ଚବର୍ଷ ବୟସରୁ ଚଉଦବର୍ଷ ବୟସର ପିଲାମାନଙ୍କୁ ନେଇ ଇଣ୍ଡିଆନ୍‌ ନ୍ୟାସନାଲ ଥିଏଟର ନାମକ ନାଟ୍ୟଶାଳାରେ ନାଟକ ଅଭିନୟ ଶିକ୍ଷାଦାନ କରୁଛନ୍ତି । ବିଭିନ୍ନ ଅଞ୍ଚଳର ଲୋକକଥା, ପରୀକାହାଣୀର ନାଟ୍ୟରୂପକୁ ଛୋଟ ଛୋଟ ପିଲାମାନେ ପରିବେଷଣ କରି ନୂତନ ପିଢ଼ିର କଳାକାର ସୃଷ୍ଟି କରିଚାଲିଛନ୍ତି ।

 

ଆମ ଓଡ଼ିଶାର ଏଭଳି କୌଣସି ନାଟ୍ୟଶାଳା ନାହିଁ, ଯେଉଁଠି ସ୍ୱତନ୍ତ୍ରଭାବେ ପିଲାମାନଙ୍କୁ ନାଟକର କଳା ବା ଅଭିନୟ ଶିକ୍ଷା ଦିଆଯାଏ । ବରଂ ଏକାଂକିକା ପ୍ରସ୍ତୁତି ଓ ପରିବେଷଣ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ନାଟ୍ୟ ଅନୁଷ୍ଠାନରେ ଯଥେଷ୍ଟ ସୁଯୋଗ ସୁବିଧାମାନ ରହିଛି ।

 

ପ୍ରକୃତରେ କହିବାକୁ ଗଲେ, ସ୍ୱାଧୀନତାର ପରବର୍ତ୍ତୀ କାଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲା, ଫଳରେ ପିଲାଙ୍କପାଇଁ ଯାହା କିଛି ସ୍ୱତନ୍ତ୍ରଭାବେ ରଚିତ ହେବା କଥା, ଯାହା ପରିବେଷଣ ହେବା ଉଚିତ, ସେଥିପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ସମ୍ଭବପର ହେଲା । ଶିକ୍ଷାନୁଷ୍ଠାନମାନଙ୍କର ବାର୍ଷିକ ଉତ୍ସବ, ଜାତୀୟ ଦିବସ, ଶିଶୁଦିବସ, ଗଣେଷପୂଜା ଓ ସରସ୍ୱତୀପୂଜା ଅବସରରେ ପିଲାମାନଙ୍କପାଇଁ ସ୍ୱତନ୍ତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ପରିବେଷଣର ଆବଶ୍ୟକତା ଦେଖାଦେଲା । କାଳକ୍ରମେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷଣ ଏକ ପରମ୍ପରାରେ ପରିଣତ ହେବାରୁ ଓଡ଼ିଶାରେ ପିଲାଙ୍କ ନାଟକ ଓ ଏକାଙ୍କିକୀ ପ୍ରଭୃତିର ଦ୍ରୁତ ପ୍ରସାର ହେଲା ।

 

ପରବର୍ତ୍ତୀ କାଳରେ ଆଉ କେତୋଟି ବେସରକାରୀ ନାଟ୍ୟସଂସ୍ଥା ଏବଂ ସରକାରୀ ସାହାଯ୍ୟପ୍ରାପ୍ତ କଳା ଅନୁଷ୍ଠାନ ଗଠିତ ହେଲା । ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଶିଶୁରାଇଜ, ମୀନାମଣ୍ଡଳୀ, କଳାବିକାଶକେନ୍ଦ୍ର, ଶିଶୁମଞ୍ଜରୀ, କଳାଭବନ, କଳାପରିଷଦ, ସଙ୍ଗୀତ ପରିଷଦ, ନାଟ୍ୟ ନିକେତନ ପ୍ରମୁଖ ପିଲାଙ୍କପାଇଁ ସ୍ୱତନ୍ତ୍ର ନାଟକ, ଏକାଙ୍କିକା ଏବଂ ଗୀତିନାଟ୍ୟମାନ ପରିବେଷଣ କରି ଓଡ଼ିଆ ଶିଶୁନାଟ୍ୟ କଳାକୁ ସମୃଦ୍ଧ କରିଛନ୍ତି ।

 

ପିଲାଙ୍କ ନାଟକ/ଏକାଙ୍କିକା ଓ ଗୀତନାଟ୍ୟ ପ୍ରଭୃତିର ବିକାଶ ଘଟାଇବା ଦିଗରେ ଆକାଶବାଣୀ ଓ ଦୂରଦର୍ଶନର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି । ଓଡ଼ିଶାରେ ପ୍ରଥମ ଆକାଶବାଣୀକେନ୍ଦ୍ର କଟକଠାରେ ୧୯୪୮ ମସିହା ଜାନୁୟାରୀ ମାସ ୨୮ ତାରିଖ ସଂଧ୍ୟା ୬-୩୦ ମିନିଟରେ ଉନ୍ମୋଚିତ ହେଲା । ତତ୍‌କାଳୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହାତାବ ଏବଂ ରାଜ୍ୟପାଳଙ୍କ ଭାଷଣ ପରେ କିଛିକ୍ଷଣପାଇଁ ସଂଗୀତ ପରିବେଷିତ ହୋଇଥିଲା । ତା’ ପରେ ପରେ ପ୍ରଥମ କାର୍ଯ୍ୟକ୍ରମ ଭାବରେ ପିଲାଙ୍କ ଉଦ୍ଦେଶ୍ୟରେ ୰ଚକ୍ରଧର ମହାପାତ୍ରଙ୍କ ରଚିତ ହାସ୍ୟରସାତ୍ମକ ନାଟିକା ‘ପୁରୋହିତଙ୍କ ମାନ୍ୟ’ ପ୍ରଚାର କରାଯାଇଥିଲା । ଏହା ଥିଲା ଆକାଶବାଣୀ କଟକ କେନ୍ଦ୍ରର ସର୍ବପ୍ରଥମ ନିର୍ଦ୍ଦିଷ୍ଟ ଶ୍ରୋତାଙ୍କ କାର୍ଯ୍ୟକ୍ରମ (Special Audience Programme)ଏହି ନାଟିକାଟିକୁ ସରସ ସୁନ୍ଦର ଏବଂ ଜୀବନ୍ତ କରିବା ପାଇଁ ବେତାର ଶିଳ୍ପୀମାନେ ଯଥାସାଧ୍ୟ ଚେଷ୍ଟା କରିଥିଲେ । ସେଥିରେ ଯତୀନ୍‌ ଦାସ, ଚନ୍ଦ୍ରଶେଖର ମିଶ୍ର, ବୈକୁଣ୍ଠନାଥ ମହାନ୍ତି, ଉଦୟନାଥ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 

ଆକାଶବାଣୀ କଟକକେନ୍ଦ୍ର ପୂର୍ଣ୍ଣାଙ୍କକେନ୍ଦ୍ରରେ ପରିଣତ ହେବାପାରେ ଏହାର ଶିଶୁବିଭାଗ ‘ଶିଶୁସଂସାର’, କିଶୋରଚକ୍ର, ଚକାଚକାଭଉଁରୀ, କାର୍ଯ୍ୟକ୍ରମ ଏବଂ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ରାଶି ରାଶି ନାଟକ, ଗୀତିନାଟ୍ୟ ଓ ରୂପକ ପରିବେଷଣ କରି ଓଡ଼ିଆ ପିଲାଙ୍କର ଅଶେଷ କଲ୍ୟାଣ ସାଧନ କରି ପାରିଛି । ସେଗୁଡ଼ିକ ମଧ୍ୟରୁ କଳାଭବନର ପ୍ରତିଷ୍ଠାତା ସଙ୍ଗୀତ ଗୁରୁ ଦୟାନିଧି ଦାସଙ୍କ ଶିଶୁସୁଆଙ୍ଗଗୁଡ଼ିକ ଅନେକଥର ଆକାଶବାଣୀର ଶିଶୁବିଭାଗରେ ପ୍ରଚାରିତ ହୋଇଛି । ସୁଧାକର ଦାସଙ୍କ ନୃତ୍ୟନାଟିକା ବିଚିତ୍ର ଏବଂ ‘ଗଣନାଥଙ୍କ କଟକ ଭ୍ରମଣ’ ପାଲା ଶ୍ରେଣୀୟ ନାଟକ ଶ୍ରୀମତି ସୁଲୋଚନା ମହାନ୍ତିଙ୍କ ‘ଯାହାପାଇଁ ଯାହା କରିଛି ଦଇବ’ ଏବଂ ଆହୁରୀ କେତୋଟି ନାଟକ ଏ’ଦିଗରେ ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ସଦୃଶ । ବିଭିନ୍ନ ଶିଶୁଶ୍ରୋତା ମଣ୍ଡଳୀ ଗଠନ ହେବା ଫଳରେ ବିଭିନ୍ନ ବେତାର କ୍ଳବର ପିଲାମାନେ ଅସଂଖ୍ୟ ନାଟକ-ନାଟିକା, ରୂପକ ପରିବେଶଣ କରି ଓଡ଼ିଆ ଶିଶୁନାଟ୍ୟକଳାର ବିକାଶ ଦିଗରେ ସହାୟତା କରିଛନ୍ତି ।

 

ସେହିପରି ସମ୍ବଲପୁର ଓ ଜୟପୁରଠାରେ ଅନ୍ୟ ଦୁଇଟି ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ତାଙ୍କର କାର୍ଯ୍ୟକ୍ରମ ‘ଇଟିକିଲି ମିଟିକିଲି’, କିଶୋର ସଂସାର, ଅଙ୍କୁର, ଟିକିରାଇଜ, କିଶୋର ଭାରତୀ, ଫୁଲଚାଙ୍ଗୁଡ଼ି କାର୍ଯ୍ୟକ୍ରମ ମାଧ୍ୟମରେ ଶତାଧିକ ନାଟକ, ନାଟିକା, ରୁପକ, ଗୀତନାଟ୍ୟଗୁଡ଼ିକ ପରିବେଷିତ କରି ଚାଲିଛନ୍ତି । ନିକଟ ଅତୀତରେ କେନ୍ଦୁଝର, ବାରିପଦା, ବ୍ରହ୍ମପୁର, ବଲାଙ୍ଗୀର ଏବଂ ଭବାନୀପାଟଣାଠାରେ ପ୍ରତିଷ୍ଠିତ ନୂଆ ଆକାଶବାଣୀ କେନ୍ଦ୍ର ସେମାନଙ୍କ ଶିଶୁ ଓ କିଶୋର ବିଭାଗରେ ଅସଂଖ୍ୟ ପିଲାଙ୍କ ନାଟକ ଗୀତିନାଟ୍ୟ ପରିବେଷଣ କରୁଛନ୍ତି । ଏହି କେନ୍ଦ୍ରଦ୍ୱାରା ସ୍ଥାନୀୟ ଲେଖକ, କଳାକାରମାନେ ଅଧିକରୁ ଅଧିକ ପିଲାଙ୍କ ନାଟକ ପ୍ରତି ଆକୃଷ୍ଟ ତଥା ଉତ୍ସାହିତ ହେଉଛନ୍ତି । ପ୍ରତି ବର୍ଷ ଶିଶୁଦିବସ ଉପଲକ୍ଷେ ସ୍ୱତନ୍ତ୍ର ବିଚିତ୍ରା କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶିଶୁ ରଙ୍ଗମଞ୍ଚର ଆୟୋଜନ କରାଯାଉଛି ।

 

ଦୁରଦର୍ଶନ ମାଧ୍ୟମରେ ଯେଉଁ ସବୁ ନାଟକ ପରିବେଷଣ କରାଯାଉଛି, ତା’ର ସଂଖ୍ୟା ଅତ୍ୟନ୍ତ ନଗଣ୍ୟ । ତଥାପି ଏହା ଭବିଷ୍ୟତରେ ଆଶା ପୁରଣ କରିପାରିବ ଏ’ ବିଶ୍ୱାସ ଅଛି ।

 

ପିଲାଙ୍କ ନାଟକକୁ ଲୋକପ୍ରିୟ କରାଇବା ଦିଗରେ ଶିଶୁନାଟକ-ପ୍ରତିଯୋଗିତା ହେଉଛି, ସର୍ବଶ୍ରେଷ୍ଠ ମାଧ୍ୟମ । ଓଡ଼ିଶା ସଙ୍ଗୀତ ପରିଷଦ ପୁରୀ ଆନୁକୁଲ୍ୟରେ ନିଖିଳ ଉତ୍କଳ ଶିଶୁନାଟକ ଉତ୍ସବ ଏବଂ ଶିଶୁମେଳାର ଭୁମିକା ଏ’ ଦିଗରେ ବିଚାର୍ଯ୍ୟ । ରାଉଲକେଲାର ନାଟ୍ୟସଂସ୍ଥା ‘ମହୁମାଛି’ ବିଗତ ପାଞ୍ଚବର୍ଷ ମଧ୍ୟରେ ଶିଶୁନାଟକ ପ୍ରତିଯୋଗିତା କରାଇ ପିଲାଙ୍କ ନାଟକର ଅଭିବୃଦ୍ଧିରେ ସହାୟକ ହୋଇଛି । ଶତାବ୍ଦୀର କଳାକାର ଭୁବନେଶ୍ୱରଠାରେ ନଅଟି ଶୀଶୁନାଟକ ପ୍ରତିଯୋଗିତାର ଆୟୋଜନ କରି ଅସଂଖ୍ୟ ନାଟକ ସୃଷ୍ଟିର କାରଣ ହୋଇଛି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏ’ ଦିଗରେ ଅନେକ କିଛି କାର୍ଯ୍ୟ କରି ପାରନ୍ତି ।

 

ଆମ ଓଡ଼ିଶାରେ ଯେଉଁ କେତେଜଣ ଶିଶୁସାହିତ୍ୟିକ ପିଲାଙ୍କ ନାଟକ, ଏକାଙ୍କିକା ରଚନାରେ କଲମ ଚଳାଇ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ରାମପ୍ରସାଦ ମହାନ୍ତି, (ଟୋକେଇ) ପ୍ରାଣବନ୍ଧୁ କର (ପେଟୁ), ମହାପାତ୍ର ନୀଳମଣି ସାହୁ (ବିହଙ୍ଗ ବିପ୍ଳବ) ଡକ୍ଟର ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ସିଂ (ମନହୀରା) ନଦିୟା ବିହାରୀ ମହାନ୍ତି (ବେଲୁନ୍‌ବାଲା, ଠେକୁ ମହାରାଜା, ଡଃ ବାଙ୍କୁଟିକୁ ) କୁଳମଣି ଦାସ (କଣ୍ଢେଇ ବାହାଘର) ସୁଧାକର ଦାସ (ଚାତୁରୀ, ଧ୍ରୁବ) ଅଧ୍ୟାପକ ବିଶ୍ୱରଞ୍ଜନ (ଛାଇ ଆଲୁଅ) ପ୍ରସନ୍ନ କୁମାର ମିଶ୍ର (ଯେଉଁମାନେ ପ୍ରଧାନମନ୍ତ୍ରୀ ହେବେ) ଆନନ୍ଦ ଶଙ୍କର ଦାସ (ବୁଲୁଓସ୍ତାତ୍‌) ଗୋପାଳ ଛୋଟରାୟ (ନଟଖଟ ନାଟକ) ଅଶୋକ ଦାଶ (କୁନି ଏକାଙ୍କିକାମାଳା) ଗୋପୀନାଥ ମହାପାତ୍ର (ଶିଶୁସୂର୍ଯ୍ୟ) ରବିନ୍ଦ୍ରନାଥ ସାହୁ (ପରିବର୍ତ୍ତନ) ବୈକୁଣ୍ଠନାଥ ମହାନ୍ତି (ଅଜବ୍ ଦେଶ) ଦ୍ରୌପଦୀ ମିଶ୍ର (ହଜୁରଙ୍କଶାସ୍ତି) ଡଃ କୃତ୍ତିବାସ ନାୟକ (ବଣମୁଲକର ବିଚାର, ତାମାଦୋରା)ଙ୍କ ନାଟ୍ୟକୃତି ବିଚାର୍ଯ୍ୟ ।

 

ପିଲାଙ୍କ ନାଟକ ହେଉ ବା ବିଦଗ୍‌ଧ ନାଟକ ହେଉ, ସାଧାରଣତଃ ନାଟକକୁ ଦୁଇଭାଗରେ ହିଁ ବିଭକ୍ତ କରାଯାଏ । ଯଥା-ପଠନ ଭିତ୍ତିକ ନାଟକ ଏବଂ ଅଭିନୟ ଭିତ୍ତିକ ନାଟକ । ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ବିଶେଷ ଦିବସମାନଙ୍କରେ ଅସଂଖ୍ୟ ନୂତନ ନାଟକ ପରିବେଷିତ ହେଉଥିବାର ଲକ୍ଷ୍ୟ କରାଯାଏ । ବିଦ୍ୟାଳୟରେ ଶିକ୍ଷକମାନେ ଏଭଳି ନାଟକ ରଚନା କରି ପିଲାମାନଙ୍କ ମାଧ୍ୟମରେ ନାଟ୍ୟକଳାରୁ ପ୍ରୋତ୍ସାହିତ କରାଇଥାନ୍ତି । ଏଗୁଡ଼ିକ ମୁଖ୍ୟତଃ ପୌରାଣିକ ଏବଂ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥାଏ ।

 

ନିକଟ ଅତୀତରେ ଆକାଶବାଣୀର ଅଭିନବ ଧାରାବାହିକ ବିଜ୍ଞାନ କାର୍ଯ୍ୟକ୍ରମ ବିଜ୍ଞାନଧାରା କଥାଟିଏ କହୁଁ, ମାନବର କ୍ରଶବିକାଶ ମାଧ୍ୟମରେ ଅସଂଖ୍ୟ ନୂତନ ବିଷୟବସ୍ତୁ ପିଲାଙ୍କ ନାଟକ ଓ ରୂପକ ମାଧ୍ୟମରେ ପରିବେଷିତ ହୋଇ ଓଡ଼ିଆ ଶିଶୁନାଟକ ଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଜ୍ଞାନଭିତ୍ତିକ ବିଷୟବସ୍ତୁର ଅବଲମ୍ବନରେ ନାଟକ ରଚନା କରି ପିଲାମାନଙ୍କୁ ବିଜ୍ଞାନ ମନସ୍କ କରିବା ହେଉଛି, ସାଂପ୍ରତିକ କାଳର ଏକ ଆବଶ୍ୟକତା । ଓଡ଼ିଆ ସାହିତ୍ୟର ଏହି ବିଭାଗଟି ଅତ୍ୟନ୍ତ ଦୁର୍ବଳ ତଥା ଅବହେଳିତ ।

 

ସାମାଜିକ ମୂଲ୍ୟବୋଧ ଆଧାରିତ କାହାଣୀ ସମ୍ବଳିତ ପିଲାଙ୍କ ନାଟକ ପିଲାଙ୍କ ଚରିତ୍ର ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନାଟକ ଯେହେତୁ ଏକ ଦୃଶ୍ୟମାନ ସାହିତ୍ୟ, ଏହାର ପ୍ରଭାବ ଅତ୍ୟନ୍ତ ସୁଦୂର ପ୍ରସାରୀ, ତେଣୁ ଏହି ଜାତୀୟ ନାଟକ ଅଧିକ ରଚିତ ତଥା ପରିବେଷିତ ହେବା ଉଚିତ ।

 

ବ୍ୟାବସାୟିକ ଦୃଷ୍ଟିକୋଣରୁ ପିଲାଙ୍କ ନାଟକ ପୁସ୍ତକ ପ୍ରକାଶନ ଲାଭଦାୟକ ହେଉ ନଥିବାରୁ ଓଡ଼ିଶାର ପୁସ୍ତକ ପ୍ରକାଶନ ଲାଭଦାୟକ ହେଉ ନଥିବାରୁ ଓଡ଼ିଶାର ପ୍ରକାଶକମାନେ ଏ’ ଦିଗରେ ମନ ବଳାନ୍ତି ନାହିଁ । ଫଳରେ ଏହି ଧରଣର ପୁସ୍ତକ ଦୋକାନ ବଜାରରେ ମିଳେ ନାହିଁ । ପ୍ରୟୋଜନକୁ ଦୃଷ୍ଟିରେ ରଖି ଯେଉଁମାନେ ନାଟକ ରଚନା କରନ୍ତି, ତାହା ଥରେ ଦୁଇଥର ପରିବେଷିତ ହେଲା ପରେ କୀଟଦଷ୍ଟ ହୁଏ ।

 

ଦୁଃଖ ଓ ପରିତାପର କଥା, ସରକାର ପ୍ରୋତ୍ସାହନର ଅଭାବ, ଅଭିଭାବକମାନଙ୍କର ଅଜ୍ଞତା ଓ ସଚେତନତାର ଅଭାବ ପିଲାଙ୍କ ନାଟକର ଅଭିବୃଦ୍ଧିର ଅନ୍ତରାୟ ସୃଷ୍ଟି କରୁଛି । ସମୟ ଆସିଛି, ନୂତନ ବିଷୟବସ୍ତୁ, ବିଜ୍ଞାନ ଭିତ୍ତିକ କାହାଣୀ ଓ ପିଲାଙ୍କ ସମସ୍ୟାକୁ ନେଇ ଆମକୁ ଅଧିକରୁ ଅଧିକ ପିଲାଙ୍କ ନାଟକ ରଚନା କରିବାକୁ ହେବ । ଫଳରେ ଅବହେଳିତ ଏହି ଶିଶୁନାଟ୍ୟକଳ । ତାର ଉପଯୁକ୍ତ ମର୍ଯ୍ୟାଦା ଲାଭ କରିପାରିବ ।

 

ସହାୟକ ଗ୍ରନ୍ଥ :

୧)

ଓଡ଼ିଶା ଶିଶୁସାହିତ୍ୟ ସଂକଳନ; ଓଡ଼ିଶା ସାହିତ୍ୟ ଏକାଡେମୀ, ସଂପାଦନା : ରାମକୃଷ୍ଣ ନନ୍ଦ-

୨)

ସାହିତ୍ୟର ସମ୍ବିଧାନ–ଡକ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତି ।

୩)

ରାଜ୍ୟସ୍ତରୀୟ ଶିଶୁସାହିତ୍ୟିକ ସମ୍ମିଳନୀ (୧୯୮୨) ସ୍ମରଣିକା । ଓଡ଼ିଶା ଶିଶୁନାଟ୍ୟକଳା–ରଚନା-ଡଃ ମନୀନ୍ଦ୍ର ମହାନ୍ତି।

୪)

ଓଡ଼ିଆ ବେତାର ନାଟକ–ଡକ୍ଟର ଜୟନ୍ତ ଦାସ ।

୫)

ହିନ୍ଦୀ ବାଲ୍‌ ସାହିତ୍ୟ : ଏକ ଅଧ୍ୟୟନ–ଡକ୍ଟର ହରିକୃଷ୍ଣ ଦେବସରେ ।

୬)

ତମସା (୪ର୍ଥ ବର୍ଷ, ୩ୟସଂଖ୍ୟା-୧୯୯୨) ଓଡ଼ିଆ ଶିଶୁନାଟକ, - ଡକ୍ଟର ହେମନ୍ତ କୁମାର ଦାସ ।

୭)

ଉତ୍ସବ-୯୧ ପ୍ରକାଶକ-କଖଗ, ସମ୍ୱଲପୁର-ପିଲାଙ୍କପାଇଁ ନାଟକ ରଚନା- ଡକ୍ଟର କୃତ୍ତିବାସ ନାୟକ ।

 

 

କାର୍ଯ୍ୟକ୍ରମ ନିଷ୍ପାଦକ,

ଆକାଶବାଣୀ, କେନ୍ଦୁଝର-୭୫୮୦୦୧

 

***

 

ଓଡ଼ିଆ ଶିଶୁସାହିତ୍ୟ : ଗବେଷଣା ଓ ଅଧ୍ୟୟନ

ଡକ୍‌ଟର ଜଗନ୍ନାଥ ମହାନ୍ତି

 

ଉପକ୍ରମ : ଗବେଷଣା ଓ ସାହିତ୍ୟ:

ଜ୍ଞାନର ବିକାଶ ଓ ସତ୍ୟର ସନ୍ଧାନ ହିଁ ଗବେଷଣାର ମୁଖ୍ୟ କାର୍ଯ୍ୟ ଓ ଆଭିମୁଖ୍ୟ । ଗବେଷଣା ତେଣୁ ଏକ ଅନନ୍ତ ଓ ଅବିରତ ପ୍ରକିୟା (Process) । ଜ୍ଞାନର ଯେମିତି ଆଦି ନାହିଁ କିମ୍ବା ଅନ୍ତ ନାହିଁ, ସେହିପରି କୌଣସି ବିଷୟରେ ଚୂଡ଼ାନ୍ତ ସତ୍ୟରେ ଉପନୀତି ହେବା ସହଜସାଧ୍ୟ ନୁହେଁ । ଜ୍ଞାନର ଦିଗ୍‍ବଳୟ ଯେମିତି ସୁଦୂରପ୍ରସାରୀ, ସତ୍ୟର ସନ୍ଧାନ ସେମିତି ମନୁଷ୍ୟ ସମାଜର ଏକ ଚିରନ୍ତନ ପ୍ରଚେଷ୍ଟା । ଗବେଷଣା ମାଧ୍ୟମରେ ନୂତନ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଏ ଏବଂ ମୂଲ୍ୟାୟନ ତଥା ସମୀକ୍ଷା କରାଯାଇ ସତ୍ୟାସତ୍ୟ ନିରୁପଣ କରାଯାଏ । ଫଳତଃ ପୁରାତନ ତଥ୍ୟ ଓ ଗତାନୂଗତିକ ଧାରଣାରେ ପରିବର୍ତ୍ତନ ଘଟେ ଏବଂ ନୂତନ ଚିନ୍ତାଧାରା ଓ ଦର୍ଶନ ଜନ୍ମନିଏ-। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ମୁଖତଃ ମୌଳିକ (Fundamental) ଓ ପ୍ରଯୋଗାତ୍ମକ (Applied) ଗବେଷଣା କରାଯାଇଥାଏ । ଏହିପରି ଗବେଷଣା କାର୍ଯ୍ୟ ଯୋଗୁଁ ସାହିତ୍ୟ, ବିଜ୍ଞାନ, କଳା, ସାମାଜିକ ଶିକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ନୂତନ ଜ୍ଞାନ, କୌଶଳ, ପଦ୍ଧତି ଓ ପ୍ରକ୍ରିୟାର ସନ୍ଧାନ ମିଳିଥାଏ । ସ୍ଥୂଳତଃ, ପ୍ରାୟ ସମସ୍ତ ଆବିଷ୍କାର ଓ ଉଦ୍ଭାବନ ହିଁ ବିଭିନ୍ନ ପ୍ରକାର ଗବେଷଣାରୁ ଉଦ୍ଭବ ହୋଇଥାଏ ।

 

ଓଡ଼ିଆ ଶିଶୁସାହିତ୍ୟରେ ଗବେଷଣା :

ଶିଶୁସାହିତ୍ୟରେ ଯମ୍ୟକ୍‌ ଓ ସୁସଂଗଠିତ ଗବେଷଣାର ଆବଶ୍ୟକତା ଯଥେଷ୍ଟ ରହିଛି । କାରଣ ତାହା ଏକ ଗଠନଶୀଳ ଓ ବର୍ଦ୍ଧିଷ୍ଣୁ ବୟସଗୋଷ୍ଠୀ (age-group)ର ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାକୁ ନିର୍ଭୁଲ, ସାର୍ଥକ ଓ ଉପଯୁକ୍ତ ଭାବରେ ରଚନା ଓ ପ୍ରକାଶ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ସେଥିପାଇଁ ଗବେଷଣା ଓ ଅଧ୍ୟୟନ ଏକାନ୍ତ ଆବଶ୍ୟକ । ଶିଶୁସାହିତ୍ୟର ଯଥାର୍ଥ ସଂଜ୍ଞା ଓ ପରିସର ନିରୁପଣ କରିବା, ବିଭିନ୍ନ ବୟସଗୋଷ୍ଠୀ ପାଇଁ କେଉଁ ରୁଚି ଓ କି କି ଆବଶ୍ୟକତାର ପୁସ୍ତକ ରଚନା କରିବାକୁ ହେବ, ସେମାନଙ୍କର ଶବ୍ଦଭଣ୍ଡାର (Vocabulary) ଓ ଧାରଣା (Concept)ର ସ୍ୱର କେତେ, ସେମାନଙ୍କୁ ବାଞ୍ଛିତ ମୂଲ୍ୟବୋଧଗୁଡ଼ିକର ଶିକ୍ଷା କିପରି ଦେବାକୁ ହେବ ଇତ୍ୟାଦି ଉଭୟ ତାତ୍ତ୍ୱିକ (Theortical) ଓ ପରୀକ୍ଷା ମୂଳକ (Practical/Experimental) ଗବେଷଣା ମାଧ୍ୟମରେ ସ୍ଥିର କରିବା ଉଚିତ-। କାଳକ୍ରମେ; ଶିଶୁସାହିତ୍ୟର ବିକାଶ କିପରି ଓ କେଉଁ କେଉଁ ଉପାଦାନ ଓ ପରିବେଶକୁ ନେଇ ଘଟିଛି, ତାକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ କରିବାକୁ ଐତିହାସିକ ଗବେଷଣା ସାହାଯ୍ୟ ନେବାକୁ ହୋଇଥାଏ । ସେମିତି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଶିଶୁସାହିତ୍ୟ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଥିଲେ, ସେହି କାର୍ଯ୍ୟ କେତେଦୁର ଓ କେଉଁ କେଉଁ ବିଭାଗରେ ବିଶେଷ ପ୍ରଭାବ ବିସ୍ତାର କରିଛି, ସେଥିରେ କି କି ମୌଳିକତା ଓ ସ୍ୱାତନ୍ତ୍ର୍ୟ ରହିଛି, ସେଗୁଡ଼ିକ ମଧ୍ୟ ବିଧିବଦ୍ଧ ଭାବରେ ଅଧ୍ୟୟନ କରାଯିବା ଉଚିତ । ବିଭିନ୍ନ ସାହିତ୍ୟିକ ଭାବଧାରା (Thoughts) ଓ ବାଦ (Isms) ଶିଶୁସାହିତ୍ୟର ଆଙ୍ଗିକ ଓ ଆତ୍ମିକ ବିଭାବରେ କି କି ପ୍ରଭାବ ପକାଇଛି, ତାର ସମୀକ୍ଷା ଓ ଅନୁଶୀଳନ ମଧ୍ୟ ଆବଶ୍ୟକ । ଏହିପରି ବୈଜ୍ଞାନିକ ଓ ବିଷୟନିଷ୍ଠ (objective) ତଥ୍ୟ ସଂଗ୍ରହଠାରୁ ତାର ବିଶ୍ଳେଷଣ (Analysis) କରିବାଯାଏ, ପୁଣି ସେଗୁଡ଼ିକର ଯଥାଯଥ ଭାବରେ ବ୍ୟାଖ୍ୟା (Interpretation) ଓ ବିବରଣୀ ପ୍ରସ୍ତୁତି (Reporting) ହେଉଛି, ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ କାର୍ଯ୍ୟ । ଗବେଷଣା ଓ ଅଧ୍ୟୟନ ଫଳରେ ହିଁ ଶିଶୁସାହିତ୍ୟର ଗତିଧାରା ସମୁଚିତ ଭାବରେ ତ୍ୱରାନ୍ୱିତ ଓ ବାଞ୍ଛନୀୟ ଦିଗାନୁସାରୀ ହୋଇ ପାରିବ ।

 

ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ଗବେଷଣାର ବିଶେଷ ଅଭାବ ଅନୁଭୂତ ହେଉଛି । ସାହିତ୍ୟର ଦିଗ୍‌ଗଜମାନେ ଓଡ଼ିଆ ଶିଶୁସାହିତ୍ୟର ଅସ୍ତିତ୍ୱ, ସ୍ୱାତନ୍ତ୍ର୍ୟ ଓ ସ୍ୱକୀୟତା ସମ୍ପର୍କରେ ସନ୍ଦୀହାନ ଥିଲାବେଳେ, ଏ ଦିଗରେ ଗବେଷଣା ଓ ଅଧ୍ୟୟନ କରିବା ବା କରାଇବା ଥିଲା ସୁଦୂର ପରାହତ । ଏବେ ଏହି ଚିନ୍ତାଧାରାରେ କିଛି ପରିବର୍ତ୍ତନ ଘଟିଥିଲେ ହେଁ ଆଶାନୂରୁପ ହୋଇନାହିଁ ଏବଂ ଯୁଗ ଯୁଗ ଧରି ରହିଥିବା ସ୍ଥାଣୂତ୍ୱ, ଅଜ୍ଞତା ଓ ଉଦାସୀନତାର ଅବସାନ ଘଟିନାହିଁ । ସରକାରୀ ଓ ଆନୁଷ୍ଠାନିକ ସ୍ତରରେ ତ ଶିଶୁସାହିତ୍ୟ ଗବେଷଣା ଆଦୌ ହୋଇ ନାହିଁ । ବ୍ୟକ୍ତିଗତ ଭାବରେ ଯେଉଁ କେତେଜଣ ଗବେଷକ ଏ ଦିଗରେ ପଦକ୍ଷେପ ନେଇଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ମନୀନ୍ଦ୍ର ମହାନ୍ତି, ଡଃ ସ୍ନେହ ମହାପାତ୍ର, ଡଃ ଦିଗରାଜ ବ୍ରହ୍ମା, ଡଃ ମହେଶ୍ୱର ମହାନ୍ତି, ଡଃ କୃତ୍ତିବାସ ନାୟକ, ଡଃ ବସନ୍ତ କିଶୋର ସାହୁ ଓ ଡଃ ସୁରେଶଚନ୍ଦ୍ର କରଙ୍କ ନାମ ଉଲ୍ଲେଖଯୋଗ୍ୟ । ଏମାନେ ବିଶ୍ୱବିଦ୍ୟାଳୟର ଉଚ୍ଚତର ଡିଗ୍ରୀ (Ph. D) ଲାଭ ପାଇଁ ନିଜ ନିଜ ଆଗ୍ରହ ଓ ଅଭିଜ୍ଞତା ଦୃଷ୍ଟିରୁ ଗବେଷଣା ପ୍ରକଳ୍ପମାନ ସଂପାଦନ କରି ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏମାନଙ୍କର ସାଫଲ୍ୟ ଓ କୃତିତ୍ୱ ବ୍ୟକ୍ତିଗତ ହେଲେହେଁ ଶିଶୁସାହିତ୍ୟର ବିକାଶପାଇଁ ଏଗୁଡ଼ିକର ଅବଦାନ ବିଶେଷ ସ୍ମରଣୀୟ ।

 

ଓଡ଼ିଆ ଶିଶୁସାହିତ୍ୟରେ ଅଧ୍ୟୟନ :

ଡଃ ମନୀନ୍ଦ୍ର ମହାନ୍ତି ଓଡ଼ିଆ ଶିଶୁସାହିତ୍ୟ ଗବେଷଣା କ୍ଷେତ୍ରରେ ଅଗ୍ରଣୀ ଏବଂ ୧୯୭୭ ମସିହାରେ ଏହି କାର୍ଯ୍ୟଟି ପୂର୍ଣ୍ଣାଙ୍ଗ ହୋଇଥିଲେ ହେଁ ତାର କେତେବର୍ଷ ପୂର୍ବରୁ ତାଙ୍କ ସ୍ୱପ୍ନ ଓ ସାଧନା ଆରମ୍ଭ ହୋଇଥିଲା । ସେ ନିଜେ ଏ ସମ୍ପର୍କରେ କହିଛନ୍ତି, ‘‘୧୯୭୨ ମସିହାରେ ଯେତେବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗରେ Junior Research Fellow ପାଇଁ ବିଜ୍ଞାପନ ପ୍ରକାଶ ପାଇଲା, ସେତେବେଳେ ମୁଁ ଆବେଦନ କଲି ଓ ଫେଲୋସିପ ପାଇଲି ମଧ୍ୟ । ମୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗରେ ଦ୍ୱିତୀୟ ଗବେଷକ । ଆବେଦନ କଲାବେଳେ ଓଡ଼ିଆ ଶିଶୁସାହିତ୍ୟ ବିଷୟ ରଖିଥିଲି । ସେତେବେଳେ ମୋର ଅନ୍ୟତମ ଗୁରୁଦେବ ଡଃ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ରଚିତ ‘‘ଓଡ଼ିଆ ଶିଶୁସାହିତ୍ୟ (ଆଧୁନିକ ଓଡ଼ିଆ ସାହିତ୍ୟ)’’ ଆଲୋଚନା ପ୍ରଥମେ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଅନ୍ଧାରରେ ଲହୁଡ଼ି ପାଇଲା ପରି ସେହି ଶିଶୁସାହିତ୍ୟ ବିଷୟକୁ ଜାବୁଡ଼ି ଧରିଲି ଆଉ ଛାଡ଼ିଲି ନାହିଁ । (ବାଇଶ ପାହାଚ, ଓଡ଼ିଆ ଶିଶୁସାହିତ୍ୟ; ଊନ୍ମେଷ ଓ ବିକାଶ, ୧୯୯୨) ।

 

ଡକ୍ଟର ମହାନ୍ତି ୧୯୭୭ ମସିହାରେ ‘‘ଓଡ଼ିଆ ଶିଶୁସାହିତ୍ୟ : ଊନ୍ମେଷ ଓ ବିକାଶ’’ ଶୀର୍ଷକ ସନ୍ଦର୍ଭ ରଚନା କରି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପି.ଏଇଚ. ଡି. ଡିଗ୍ରୀ ଲାଭ କରିଥିଲେ । ଏହି ଗବେଷଣାରେ ସେ ୧୯୪୭ ପର୍ଯ୍ୟନ୍ତ ଓଡ଼ିଆ ଶିଶୁସାହିତ୍ୟର ବିକାଶ-ଇତିହାସ ପ୍ରଦାନ କରିଛନ୍ତି । ଏଥିରେ ସେ ବିଷୟବସ୍ତୁ, ଶୈଳୀ, ମନସ୍ତାତ୍ତ୍ୱିକ ଓ ସମାଜତାତ୍ତ୍ୱିକ ପୃଷ୍ଠଭୂମି ଇତ୍ୟାଦିର ପର୍ଯ୍ୟାଲୋଚନା କରିଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ଶିଶୁସାହିତ୍ୟ ଉପରେ ସେ ମଧ୍ୟ ଏକଶହ ପୃଷ୍ଠାର ବିବରଣୀ ଦେଇଛନ୍ତି । ଡକ୍ଟର ମହାନ୍ତିଙ୍କ ପରେ ଡକ୍ଟର ସ୍ନେହ ମହାପାତ୍ର ମଧ୍ୟପ୍ରଦେଶର ରାୟପୁର ବିଶ୍ୱବିଦ୍ୟାଳୟରୁ ‘‘ହିନ୍ଦୀ ଓ ଓଡ଼ିଆ ଶିଶୁସାହିତ୍ୟର ଏକ ତୁଳନାତ୍ମକ ଅଧ୍ୟୟନ’’ କରି ପି. ଏଇଚ ଡି ଡିଗ୍ରୀ ଲାଭ କରିଥିଲେ ।

 

ଡକ୍ଟର ଦିଗରାଜ ବ୍ରହ୍ମା ‘‘ଶିଶୁସାହିତ୍ୟର ଶୈକ୍ଷିକ ମହତ୍ତ୍ୱ’’ (Educational Implication of Children’s Literature) ଶୀର୍ଷକ ପ୍ରକଳ୍ପ ଉପରେ ଗବେଷଣା କରିଛନ୍ତି । ୧୯୮୫ ମସିହାରେ ସେ ତାଙ୍କ ସନ୍ଦର୍ଭ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟଙ୍କଠାରୁ ପି. ଏଇଚ ଡି ଡିଗ୍ରୀ ଲାଭ କରିଥିଲେ । ତାଙ୍କ ଗବେଷଣାର ବିଶିଷ୍ଟ ଉପଲବ୍‌ଧିମାନ ହେଲା ଯେ ସର୍ବାଧିକ ଛାତ୍ରଛାତ୍ରୀ ବିଜ୍ଞାନ ଭିତ୍ତିକ ବିଷୟବସ୍ତୁରେ ବିଶେଷ ଆଗ୍ରହୀ ଏବଂ ଦୁଃଖ ଦୁର୍ଘଟଣା ଆଦିରେ ବୀତସ୍ପୃହ । ସଂଖ୍ୟାଧିକ ଛାତ୍ରଛାତ୍ରୀ ଗଳ୍ପ ପୁସ୍ତକକୁ ପସନ୍ଦ କରିଥିଲେ ଏବଂ କ୍ରମାନ୍ୱୟରେ କବିତା, ଏକାଙ୍କିକା, ଚିତ୍ରଗଳ୍ପ, ଉପନ୍ୟାସ ଆଦିକୁ ଆଦର କରିଥିଲେ । ପୁସ୍ତକ ନିର୍ବାଚନ ଓ ପାଠ କରିବାରେ ସଂଖ୍ୟାଗରିଷ୍ଠ ଛାତ୍ରଛାତ୍ରୀ ସେମାନଙ୍କର ଗୁରୁଜନ ଓ ଶିକ୍ଷକଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ । ଯେଉଁ ଲେଖକ ଓ କବିଙ୍କ ଲେଖା ପାଠ୍ୟପୁସ୍ତକରେ ସ୍ଥାନିତ ସେହିମାନେ ଶିକ୍ଷାର୍ଥୀଗଣଙ୍କ ପାଖରେ ଅଧିକ ପରିଚିତ । ସର୍ବାଧିକ ଦୟନୀୟ ତଥ୍ୟ ତାଙ୍କ ଅଧ୍ୟୟନରୁ ସ୍ପଷ୍ଟ ହେଲା ଯେ ପ୍ରାଥମିକ ବିଦ୍ୟାଳୟରେ ଜଣପିଛା ଛାତ୍ର ଛାତ୍ରୀ ୦.୬୨ରୁ ଆରମ୍ଭ କରି ୧୬ ଖଣ୍ଡ ପର୍ଯ୍ୟନ୍ତ ପୁସ୍ତକ ପାଠ କରିଥିଲେ । ପୁଣି ସେହି ପିଲାମାନଙ୍କର ମୁଣ୍ଡପିଛା ପୁସ୍ତକ କ୍ରୟରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୨୯ ପଇସା ଏବଂ ଶତକଡ଼ା ୫୨ ବିଦ୍ୟାଳୟରେ ଶିଶୁପୁସ୍ତକ କ୍ରୟ କରିବା ପାଇଁ ଆଦୌ ସମ୍ବଳ ନଥିଲା-। ଶୈକ୍ଷିକ ସଫଳତା ଉପରେ ଶିଶୁସାହିତ୍ୟର ଯଥେଷ୍ଟ ପ୍ରଭାବ ରହିଥିଲା ବୋଲି ଅଧିକାଂଶ ଶିକ୍ଷକ ମତ ଦେଇଥିଲେ ।

 

ଡକ୍ଟର ମହେଶ୍ୱର ମହାନ୍ତି ‘‘ଓଡ଼ିଆ ଶିଶୁସାହିତ୍ୟର ସାମାଜିକ ପୃଷ୍ଠଭୂମି’’ ସମ୍ପର୍କରେ ଏକ ଗଭୀର ଅଧ୍ୟୟନ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୮୯ ମସିହାରେ ପି. ଏଇଚ ଡି ଉପାଧି ଲାଭ କରିଛନ୍ତି । ଶିଶୁର ଶାରୀରିକ ଓ ମାନସିକ ବିକାଶ ଦିଗରେ ସମାଜର ଭୂମିକା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ପ୍ରତିବେଶୀ ଅସମୀୟା ଓ ବଙ୍ଗଳା ଶିଶୁସାହିତ୍ୟର ବିଶେଷ ଅଗ୍ରଗତି ବିଷୟରେ ସମ୍ୟକ୍‌ ସୂଚନା ଦେଇଛନ୍ତି । ଓଡ଼ିଆ ଶିଶୁସାହିତ୍ୟର ଆଦ୍ୟଝଙ୍କାର କିପରି ଲୋକଗୀତ ଓ ଗଳ୍ପରେ ଝଙ୍କୃତ ହୋଇଛି, ଆଲୋଚନା କରି ଡକ୍‌ଟର ମହାନ୍ତି ୧୯ଶ ଶତାବ୍ଦୀର ନବଜାଗରଣ, ପାଠ୍ୟପୁସ୍ତକ ଆନ୍ଦୋଳନ ଓ ଆଧୁନିକ ଓଡ଼ିଆ ଶିଶୁସାହିତ୍ୟରେ ପ୍ରାଣ ପ୍ରତିଷ୍ଠା ବିଷୟରେ ଆଲୋଚନା କରିଛନ୍ତି । ଯୁଗସ୍ରଷ୍ଟା ମଧୁସୂଦନଙ୍କ ସାଧନାରେ ନୀତିମୂଳକ ଓ ଧର୍ମଭିତ୍ତିକ ଶିଶୁସାହିତ୍ୟର ବିକାଶ ଘଟିବା ଓ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଓଡ଼ିଆ ଶିଶୁସାହିତ୍ୟର ସ୍ୱାତନ୍ତ୍ର୍ୟ କିପରି ବିଭିନ୍ନ ଦିଗରେ ପ୍ରଦର୍ଶିତ ହୋଇଥିଲା, ତା’ର ସମ୍ୟକ୍‌ ଆଲୋଚନା କରାଯାଇଛି । ଉପସଂହାରରେ ଗବେଷକ ଭାରତୀୟ ଶିଶୁସାହିତ୍ୟର ଉତ୍ତରଣ ସହିତ ଓଡ଼ିଆ ଶିଶୁସାହିତ୍ୟର ସ୍ୱାଧୀନତା ପରବର୍ତ୍ତୀ କାଳରେ କିପରି ଅଗ୍ରଗତି ଘଟିଛି ଏବଂ ପ୍ରଦୂଷିତ ସମାଜଦ୍ୱାରା ଏହି ସାହିତ୍ୟ କିପରି ପ୍ରଭାବିତ ହୋଇଛି, ତାର ବିଚାର କରିଛନ୍ତି । ପରିଶିଷ୍ଟରେ ଗବେଷକ କେତେକ ଦୁର୍ଲ୍ଲଭ ପାଠ୍ୟପୁସ୍ତକ, ପତ୍ର-ପତ୍ରିକାର ସୂଚନା ଦେଇ ଧନ୍ୟବାଦାର୍ହ ହୋଇଛନ୍ତି ।

 

ଡକ୍ଟର କୃତ୍ତିବାସ ନାୟକଙ୍କ ସନ୍ଦର୍ଭ (୧୯୯୨) ‘‘ଓଡ଼ିଆ ଶିଶୁଗଳ୍ପର ସ୍ୱରୂପ ଓ ବିକାଶ’’ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପି. ଏଇଚ୍‌ ଡି ଉପାଧି ନିମନ୍ତେ ପ୍ରସ୍ତୁତ ହୋଇ ଲକ୍ଷ୍ୟ ସ୍ଥଳରେ ଗବେଷକଙ୍କୁ ପହଞ୍ଚାଇ ପାରିଛି । ଏଥିରେ ଗବେଷକ ଶିଶୁଗଳ୍ପର ସୃଷ୍ଟି, ସଂଜ୍ଞା, ବିଷୟବସ୍ତୁ, ଚରିତ୍ର ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଶିଶୁଗଳ୍ପ ସହିତ ଶିଶୁ ମନସ୍ତତ୍ତ୍ୱର ସମ୍ବନ୍ଧ ଦେଖାଇ ସେ ଓଡ଼ିଆ ଶିଶୁସାହିତ୍ୟର ବିକାଶଧାରା ଦେଖାଇଛନ୍ତି । ଡକ୍‌ଟର ନାୟକ ଓଡ଼ିଆ ଶିଶୁଗଳ୍ପର ପ୍ରକାରଭେଦ ଓ ଶିଶୁଗଳ୍ପର ବିକାଶ-ପଥରେ ପତ୍ରପତ୍ରିକାର ଅବଦାନ ବର୍ଣ୍ଣନା କରିଛନ୍ତି-। ଉପସଂହାରରେ ଶିଶୁଗଳ୍ପର ଚିରନ୍ତନ ମୂଲ୍ୟବୋଧ, ପ୍ରାଚୀନ ଓ ଆଧୁନିକ ଶିଶୁଗଳ୍ପର ଏକ ତୁଳାନାତ୍ମକ ମୂଲ୍ୟାୟନ ସ୍ଥାନିତ ହୋଇଛି ।

 

ଡକ୍ଟର ବସନ୍ତ କିଶୋର ସାହୁ (୧୯୯୨) ଓଡ଼ିଆ ମୌଖିକ ଶିଶୁସାହିତ୍ୟ ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ପି: ଏଇଚ ଡି ଡିଗ୍ରୀ ଲାଭ କରିଛନ୍ତି । ଗବେଷକ ପ୍ରଥମେ ଶିଶୁସାହିତ୍ୟର ପରିଚୟ, ପ୍ରକାରଭେଦ ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରି ଓଡ଼ିଆ ମୌଖିକ ଶିଶୁସାହିତ୍ୟର ଘନିଷ୍ଠ ସମ୍ପର୍କ ଓ ଲିଖିତ ଶିଶୁସାହିତ୍ୟ ଉପରେ ଏହାର ପ୍ରଭାବ ମଧ୍ୟ ବର୍ଣ୍ଣିତ ହୋଇଛି । ମୌଖିକ ଶିଶୁସାହିତ୍ୟରେ ତତ୍କାଳୀନ ସମାଜର ଚିତ୍ର କିପରି ପ୍ରତିଫଳିତ ହୋଇଛି ଡକ୍‌ଟର ସାହୁ, ଦୃଷ୍ଟାନ୍ତମାନ ଦେଇ ଆଲୋଚନା କରିଛନ୍ତି ଏବଂ ଉପସଂହାରରେ ସମଗ୍ର ସନ୍ଦର୍ଭର ଏକ ବିହଙ୍ଗାବଲୋକନ କରିଛନ୍ତି ।

 

ଡକ୍ଟର ସୁରେଶଚନ୍ଦ୍ର କର (୧୯୯୩) ‘‘ଓଡ଼ିଆ ଶିଶୁସାହିତ୍ୟକୁ ଉଦୟନାଥ ଷଡ଼ଙ୍ଗୀଙ୍କ ଅବଦାନ’’ ସଂମ୍ପର୍କରେ ନିବନ୍ଧ ରଚନା କରି ଉତ୍କଳ ବିଶ୍ୱବିଦ୍ୟାଳୟଙ୍କଦ୍ୱାରା ପି: ଏଇଚ ଡି ପ୍ରାପ୍ତ ହୋଇଛନ୍ତି । ଶିଶୁ ସହିତ ସମାଜ ଓ ସାହିତ୍ୟର ନିଗୂଢ଼ ସମ୍ପର୍କ, ଶିଶୁସାହିତ୍ୟର ସଂଜ୍ଞା ଓ ସ୍ୱରୂପ ନିରୂପଣ କରିବା ସଙ୍ଗେ ସଙ୍ଗେ ତାର କ୍ରମବିକାଶ ରାଜ୍ୟ ଓ ଜାତୀୟ ସ୍ତରରେ ଆଲୋଚନା କରିଛନ୍ତି । ଶିକ୍ଷାବିସ୍ତାର ସହିତ ଶିଶୁସାହିତ୍ୟର ଘନିଷ୍ଠ ସମ୍ବନ୍ଧ ଦେଖାଇ ସେ ସ୍ରଷ୍ଟା ଉଦୟନାଥ ଷଡ଼ଙ୍ଗୀଙ୍କ ଜୀବନୀ ଓ ଜୀବିକା ସହିତ ତାଙ୍କ ଶିଶୁସାହିତ୍ୟ ସାଧନାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି । ଶିଶୁସାହିତ୍ୟରେ ଉଦୟନାଥଙ୍କ ଦୃଷ୍ଟି ଓ ଦର୍ଶନ ବିଷୟ କିପରି ପ୍ରକାଶିତ ହୋଇଛି, ଗବେଷକ ସ୍ପଷ୍ଟରୂପେ ଦେଖାଇଛନ୍ତି ଏବଂ ତାଙ୍କ ଶିଳ୍ପକଳା ବା ରୀତିର ଏକ ଉଜ୍ଜ୍ୱଳ ଆକଳନ କରିଛନ୍ତି । ଉପସଂହାରରେ ଡକ୍ଟର କର ଉଦୟନାଥଙ୍କ ସମଗ୍ର ଶିଶୁସାହିତ୍ୟର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରି ତାଙ୍କର ଅବଦାନ ସମ୍ପର୍କରେ ସମ୍ୟକ ଆଲୋଚନା କରିଛନ୍ତି ।

 

ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ସନ୍ଦର୍ଭ ୧୯୯୨-୯୩ ମସିହାରେ ଆତ୍ମପ୍ରକାଶ କଲା ଏବଂ ଡକ୍ଟର ବ୍ରହ୍ମାଙ୍କ ଇଂରେଜିରେ ଲିଖିତ ସନ୍ଦର୍ଭ ୧୯୮୯ରେ ପ୍ରକାଶିତ ହୋଇଛି । ଡକ୍ଟର ମହାପାତ୍ରଙ୍କ ସନ୍ଦର୍ଭ ହିନ୍ଦିରେ ରଚିତ ହୋଇଛି, ମାତ୍ର ପ୍ରକାଶିତ ହେବାର ସୂଚନା ମିଳିନାହିଁ । ଅନ୍ୟମାନଙ୍କର ଗବେଷଣା ସନ୍ଦର୍ଭ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, ମାତ୍ର କେତୋଟି ନିକଟ ଭବିଷ୍ୟତରେ ଆତ୍ମପ୍ରକାଶ କରିବାର ଆଶା ରହିଛି । ଡକ୍ଟର ମନୀନ୍ଦ୍ର ମହାନ୍ତି ଶିଶୁସାହିତ୍ୟ ରଚନାରେ ଶିଶୁ-ମନୋବିଜ୍ଞାନର ଓ ଡକ୍ଟର ମହେଶ୍ୱର ମହାନ୍ତି ସାମାଜିକ ଭିତ୍ତିଭୂମିର ଭୂମିକା, ଡକ୍ଟର ବ୍ରହ୍ମା ଶୈକ୍ଷିକ ତାତ୍ପର୍ଯ୍ୟ ଓ ଡକ୍ଟର ସାହୁ ମୌଖିକ ଶିଶୁସାହିତ୍ୟର ଗୁରୁତ୍ୱ ସମ୍ୟକ୍‍ରୂପେ ଆଲୋଚନା କରିଛନ୍ତି । ଡକ୍ଟର ନାୟକ ଶିଶୁଗଳ୍ପର ବିଶେଷ ଅନୁଧ୍ୟାନ କଲାବେଳେ ଡକ୍ଟର କର ଅନ୍ୟତମ ଶିଶୁସାହିତ୍ୟ ସ୍ରଷ୍ଟା ଉଦୟନାଥଙ୍କ ସାରସ୍ୱତ ସାଧନା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।

 

ପି: ଏଇଚ. ଡି ଉପାଧିପ୍ରାପ୍ତ ନିମନ୍ତେ ଯେଉଁମାନେ ଗବେଷଣା ସନ୍ଦର୍ଭମାନ ଲେଖିଛନ୍ତି, ସେମାନଙ୍କ ବ୍ୟତୀତ ଆଉ କେତେଜଣ ଏକାକୀ କିମ୍ୱା ସେମାନଙ୍କ ମଧ୍ୟରୁ କାହା ସହିତ ନିଜର ବୌଦ୍ଧିକ ଜିଜ୍ଞାସା ଚରିତାର୍ଥ କରିବାକୁ କେତେକ ଅନୁଧ୍ୟାନ କରିଛନ୍ତି । ଓଡ଼ିଆ ଶିଶୁସାହିତ୍ୟର ବିକାଶ ସେମାନଙ୍କର ଦୂରନ୍ତ ଲକ୍ଷ୍ୟ । ସତ୍ୟର ସନ୍ଧାନ ପାଇଁ ସେଗୁଡ଼ିକ କ୍ଷଣିକ ଆଲୋକ ହେଲେବି ତାର ଗୁରୁତ୍ୱକୁ ଅସ୍ୱୀକାର କରିହେବ ନାହିଁ ।

 

୧୯୮୨ ମସିହାରେ ଏହି ଲେଖକ ଡକ୍ଟର ବ୍ରହ୍ମାଙ୍କ ସହିତ ‘‘ଓଡ଼ିଶାରେ ପିଲାମାନଙ୍କର ପଠନସ୍ପୃହା’’ ଉପରେ ଏକ ଅଧ୍ୟୟନ କରିଥିଲେ । ଏଥିରୁ ସ୍ପଷ୍ଟ ହେଲା ଯେ ଓଡ଼ିଆ ଛାତ୍ରଛାତ୍ରୀଗଣ ବିଭିନ୍ନ ଶୈଳୀ ମଧ୍ୟରୁ କବିତାକୁ ସର୍ବାଧିକ ଏବଂ ତା ପଛକୁ କଥାକୁ ବେଶୀ ପାଠ କରିବାକୁ ଚାହାନ୍ତି-। ସେମାନେ ବିଜ୍ଞାନ, ପୁରାଣ, ଲୋକକଥା ଓ ପରିକଥାକୁ ସୁଖ ପା’ନ୍ତି । ମାତ୍ର ସ୍ୱାଧୀନ ଭାବରେ ଗଳ୍ପ ଉପନ୍ୟାସ ପାଠ କରିବାକୁ ଖୁବ ପସନ୍ଦ କରନ୍ତି । ବଡ଼ ଅକ୍ଷରରେ ସୁମୁଦ୍ରିତ ଓ ମାନ୍ଦ୍ରଜରୁ ପ୍ରକାଶିତ ‘‘ଜହ୍ନମାମୁ’’ ଏବଂ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରକାଶିତ ‘‘ଶିଶୁଲେଖା’’, ତା ପଛକୁ ଛାତ୍ରସାଥୀପ୍ରେସରୁ ପ୍ରକାଶିତ ‘‘ମନପବନ’’, ପତ୍ରିକା ଅଧିକ ପାଠ କରିଥାନ୍ତି ।

 

ପୁଣି ଏହି ଲେଖକଦ୍ୱୟ (୧୯୮୬) ‘‘ଓଡ଼ିଶାର ଶିଶୁସାହିତ୍ୟ ପତ୍ରିକାର ସମୀକ୍ଷା’’ ଶୀର୍ଷକ ଏକ ଅଧ୍ୟୟନ କରିଥିଲେ । ପତ୍ରିକାଗୁଡ଼ିକର ସାଂପ୍ରତିକ ଅବସ୍ଥା ସଂପର୍କରେ ଏହି ଅନୁଧ୍ୟାନ ସଂପାଦନ କରି ସେଗୁଡ଼ିକର ମାନ (Standard) ଓ ଲୋକପ୍ରିୟତା ବଢ଼ିବ, ସେଦିଗରେ ପରାମର୍ଶ ଦେଇଥିଲେ । ଏହି ଅଧ୍ୟୟନରେ ପ୍ରଧାନ ଉପଲବ୍‌ଧିଗୁଡ଼ିକ ହେଲା ଅଧିକାଂଶ ପତ୍ରିକା ମାସିକୀ ଓ ସେମାନଙ୍କର ପ୍ରତିଖଣ୍ଡର ମୂଲ୍ୟ ଟ୧-୨୫ ପଇସାରୁ ୨ଟଙ୍କା ହୋଇଛି । ୧୫୦୦ ରୁ ୨୦୦୦ ସଂଖ୍ୟାରେ ଏଗୁଡ଼ିକ ଛପାଯାଏ ଏବଂ ବଞ୍ଚିଥିବା ପତ୍ରିକାଗୁଡ଼ିକ ମଧ୍ୟରୁ ସବୁଠୁଁ ଅଧିକକାଳ ବଞ୍ଚିଥିବା କାଳ ହେଲା ୩୫ ବର୍ଷ । ଏହି ପତ୍ରିକାଗୁଡ଼ିକର ଅଧିକାଂଶ ଲେଖା ବିଜ୍ଞାନ, ମନୋରଜ୍ଞନ,ଶିକ୍ଷା ଓ ତଥ୍ୟମୂଳକ ଏବଂ ଏଗୁଡ଼ିକ ସଂପାଦନାରେ ବା ଲେଖା ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ନୀତି ବା ଆଭିମୁଖ୍ୟ ନଥିଲା । ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ପ୍ରକାଶିତ ‘‘ଶିଶୁଲେଖା’’ ବ୍ୟତୀତ ଅନ୍ୟଗୁଡ଼ିକର କେବଳ ଧଳାକଳା ଛବି ସେଥିରେ ପ୍ରକାଶିତ ହେଉଥିଲା । ଏଗୁଡ଼ିକ ମଧ୍ୟରୁ କୌଣସି ପତ୍ରିକା ପ୍ରକାଶିତ ଲେଖାପାଇଁ ପାରିଶ୍ରମିକ ଦେଉନଥିଲାବେଳେ କେବଳ ‘‘ଶିଶୁଲେଖା’’ ପ୍ରତିଲେଖା ପିଛା ୨୦ ଟଙ୍କାରୁ ୫୦ ଟଙ୍କା ଦେଉଥିଲା । କେତେକ ପତ୍ରିକାର ସଂପାଦକ ତଥା ପରିଚାଳନା ସମୟ ସମୟରେ ଲେଖକମାନଙ୍କୁ ସମ୍ୱର୍ଦ୍ଧନା ତଥା ଉପାୟନ ପ୍ରଦାନ କରୁଥିଲେ ।

 

ଶ୍ରୀ ବଂଶୀଧର ସାହୁ (୧୯୮୮) ‘‘ଶିଶୁସାହିତ୍ୟ ପ୍ରତି ପିତାମାତାଙ୍କର ଦୃଷ୍ଟିଭଙ୍ଗୀ ଓ ପିଲାମାନଙ୍କ ମଧ୍ୟରେ ପଠନାଭ୍ୟାସ’’ ଶୀର୍ଷକ ଏକ ଅଧ୍ୟୟନ ସମ୍ପାଦନ କରିଥିଲେ । ଶିଶୁ ଓ କିଶୋରମାନଙ୍କର ଶିଶୁସାହିତ୍ୟ ପଠନ ପ୍ରତି ଅଭିଭାବକମାନଙ୍କର ଦୃଷ୍ଟିଭଙ୍ଗୀ ଏବଂ ଏହି ଅଭ୍ୟାସ ଗଠନରେ ସେମାନଙ୍କର ସହଯୋଗ କେତେ ଜାଣିବା, ଉକ୍ତ ଅନୁଧ୍ୟାନର ଅଭିମୁଖ୍ୟ ଥିଲା । ଭୁବନେଶ୍ୱର ଓ ଦିଲ୍ଲୀରେ ରହୁଥିବା ପିତାମାତା ଓ ଛାତ୍ରଛାତ୍ରୀମାନଙ୍କଠାରୁ ଆବଶ୍ୟକ ପରିସଂଖ୍ୟାନ ସଂଗୃହୀତ ହୋଇଥିଲା ଓ ଉକ୍ତ ସର୍ବେକ୍ଷଣର ମୂଖ୍ୟ ଉପଲବ୍‌ଧି ଗୁଡ଼ିକ ହେଲା- ଦିଲ୍ଲୀରେ ଶତକଡ଼ା ୯୪ ଓ ଭୁବନେଶ୍ୱରରେ ଶତକଡ଼ା ୮୮ ଅଭିଭାବକ ଚାହାନ୍ତି ଯେ ସେମାନଙ୍କର ପିଲାମାନେ ପାଠ୍ୟପୁସ୍ତକ ବ୍ୟତୀତ ଶିଶୁ ପତ୍ରପତ୍ରିକା ଓ ପୁସ୍ତକ ପାଠ କରନ୍ତୁ । ଦିଲ୍ଲୀରେ ୪୬-୬% ଭୁବନେଶ୍ୱରରେ ୬୧-୩% ପିତାମାତା ଭାବନ୍ତି ଯେ ଏସବୁର ଅଧ୍ୟୟନ ପିଲାମାନଙ୍କର ଜ୍ଞାନ ଓ ବୁଦ୍ଧିରେ ସହାୟକ ହେବ । ଦିଲ୍ଲୀର ୯୫-୭ % ଓ ଭୁବନେଶ୍ୱରର ୯୦-୯% ପିତାମାତା ସେମାନଙ୍କର ପିଲାମାନଙ୍କୁ ପତ୍ରପତ୍ରିକା ଓ ପୁସ୍ତକ ଯୋଗାଉଥିଲେ । ପୁଣି ମଜାର କଥା ଏହି ଯେ ଦିଲ୍ଲୀର ୭୬-୫% ଓ ଭୁବନେଶ୍ୱରର ୨୯-୬% ପିତାମାତାଙ୍କ ମତରେ ସେମାନେ ପିଲାଙ୍କୁ ଚିତ୍ରକଥା (comic) ପାଠ କରିବାକୁ ଦିଆଯାଏ । ଭୁବନେଶ୍ୱରର ୭୨-୭% ଓ ଦିଲ୍ଲୀର ୪୨-୮% ପିତାମାତା ପାଠ୍ୟପୁସ୍ତକ ଆଦି ପଠନ ସାମଗ୍ରୀ ଯୋଗାଉଥିଲେ । ଦିଲ୍ଲୀର ପିଲାମାନେ ପାଠାଗାରରେ ଶିଶୁସାହିତ୍ୟ ପୁସ୍ତକଗୁଡ଼ିକ ପାଠ କରୁଥିଲେ ।

 

ଏହି ଲେଖକ ପୁଣି ୧୯୮୬ରେ ‘‘ଓଡ଼ିଆ ଶିଶୁସାହିତ୍ୟ ପତ୍ରିକାଗୁଡ଼ିକର ସର୍ବେକ୍ଷଣ’’, ଶୀର୍ଷକ ଏକ ଅଧ୍ୟୟନ ସଂପାଦନ କରିଥିଲେ ଶିଶୁସାହିତ୍ୟ ପତ୍ରିକାଗୁଡ଼ିକର ଉନ୍ମେଷ ଓ ବିକାଶର ଧାରା ଓ ଜିଲାଜିଲା (ଅବିଭକ୍ତ) ମଧ୍ୟରେ କି କି ପାର୍ଥକ୍ୟ ପରିଲକ୍ଷିତ ହୋଇଛି, ସେସବୁର ସୂଚନା ଦେବା ଏହି ଅଧ୍ୟୟନର ଲକ୍ଷ୍ୟ ଥିଲା । ମୋଟ ୧୮୬ଟି ପତ୍ରିକା ସମ୍ପର୍କରେ ତଥ୍ୟ ସଂଗୃହୀତ ହୋଇଥିଲା ଏବଂ ସେଥିରୁ ମିଳିଥିବା ପ୍ରଧାନ ଉପଲବ୍‌ଧିଗୁଡ଼ିକ ହେଲା ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ମାତ୍ର ଗୋଟିଏ ଲେଖା ଶିଶୁସାହିତ୍ୟ ପତ୍ରିକା ଆତ୍ମପ୍ରକାଶ କରିଥିଲା । ତୃତୀୟ ଓ ଚତୁର୍ଥ ଦଶନ୍ଧିରେ କୌଣସି ପତ୍ରିକା ପ୍ରକାଶିତ ହୋଇନଥିଲା । ପଞ୍ଚମ, ଷଷ୍ଠ ଓ ସପ୍ତମ ଦଶକରେ ପାଞ୍ଚୋଟି ଲେଖା ପତ୍ରିକା ପ୍ରକାଶିତ ହୋଇଥଲା । ଅଷ୍ଟମ ଦଶନ୍ଧିରେ ସର୍ବାଧିକ ୮୪ଟି ଶିଶୁ ପତ୍ରିକା ପ୍ରକାଶ ପାଇଥିଲା । ନବମ ଦଶନ୍ଧିର ମଧ୍ୟଭାଗ ଅର୍ଥାତ ୧୯୮୪ ମସିହା ସୁଦ୍ଧା ଏହି ପତ୍ରିକା ମୋଟ ସଂଖ୍ୟା ପ୍ରାୟ ୧୦୦ରେ ପହଞ୍ଚିବାର ସମ୍ଭାବନା ଥିଲା । କଟକ ଜିଲ୍ଲାରେ ସର୍ବାଧିକ ୮୫ଟି ଓ ତାପରେ ପୁରୀ ଜିଲ୍ଲାରେ ୩୪ଟି, ବାଲେଶ୍ୱର ଜିଲ୍ଲାରେ ୧୦ଟି, ଗଞ୍ଜାମ ତଥା କୋରାପୁଟ ଜିଲ୍ଲାରେ ଗୋଟିଏ ଲେଖାଁ ପତ୍ରିକା ପ୍ରକାଶିତ ହୋଇଥିଲା । କଳାହାଣ୍ଡିରେ ମାତ୍ର ଏକମାତ୍ର ପତ୍ରିକା ପ୍ରକାଶିତ ଓ ବୌଦ-ଫୁଲବାଣୀରେ କୌଣସି ପତ୍ରିକା ପ୍ରକାଶିତ ହୋଇନଥିଲା । ଓଡ଼ିଶା ବାହାରେ ଦୁଇଟି ପତ୍ରିକା (ମାନ୍ଦ୍ରାଜରୁ ‘ଜହ୍ନମାମୁଁ’’ ଓ ପଣ୍ଡିଚେରୀରୁ ‘‘ନବପ୍ରକାଶ’’) ପ୍ରକାଶିତ ହେଉଥିଲା । ଶଂସିତ ପତ୍ରିକାଗୁଡ଼ିକ ମଧ୍ୟରୁ ଶତକଡ଼ା ୮୦ ଭାଗର ପ୍ରକାଶନ ବନ୍ଦ ହୋଇଯାଇଥିଲା ବା ସାମୟିକ ଭାବରେ ପ୍ରକାଶିତ ହେଉଥିଲା । ବାକୀ ୨୦ ଭାଗ ପତ୍ରିକା କଟକ ଓ ପୁରୀ ଜିଲ୍ଲାରେ ଆତ୍ମପ୍ରକାଶ କରୁଥିଲା ।

 

ସଂପ୍ରତି କେତେକ ଗବେଷକ ଶିଶୁସାହିତ୍ୟରେ ଉଚ୍ଚତମ ଡିଗ୍ରୀ (ଡି.ଲିଟ୍) ବା ଉପାଧି ପାଇଁ ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରେ ଡକ୍ଟର ଭାଗବତ ପ୍ରସାଦ ଲେଙ୍କା, ଡକ୍ଟର ଅଶୋକ କୁମାର ହୋତା, ଡଃ କୃତ୍ତିବାସ ନାୟକ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ଆନୁଷ୍ଠାନିକ ଭାବରେ ଓଡ଼ିଶା ଶିଶୁସାହିତ୍ୟ ଗବେଷଣା ପରିଷଦ, ଶିଶୁସାହିତ୍ୟ ଏକାଡେମୀ, ଓଡ଼ିଶା ଗବେଷଣା ପରିଷଦ ଆଦି ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନ କରୁଛନ୍ତି ଏବଂ ଗବେଷଣାରତ ବ୍ୟକ୍ତିଗଣଙ୍କୁ ସହଯୋଗ କରୁଛନ୍ତି । ମାତ୍ର ଏ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଓଡ଼ିଆ ଶିଶୁସାହିତ୍ୟରେ ସେମାନଙ୍କର ଅବଦାନ ଆଶାନୁରୂପ ନୁହେଁ ।

 

ସାଂପ୍ରତିକ ସମସ୍ୟା ଓ ଅଭାବ ଅସୁବିଧା :

ଗବେଷଣା ଓ ଅଧ୍ୟୟନ ପାଇଁ ଯେଉଁପରି ଏକାଗ୍ରତା, ସାଧନା ଓ ନିଷ୍ଠା ଆବଶ୍ୟକ ଆଜିକାଲି ଯୁବ ଗବେଷକମାନଙ୍କ ମଧ୍ୟରେ ତାହା ପରିଦୃଷ୍ଟ ହେଉ ନାହିଁ । ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଡିଗ୍ରୀଲାଭ କରିବାକୁ ଏକମାତ୍ର ଧ୍ୟେୟ ମନେକରି ଗବେଷଣା କରିବାରେ ପୁରୁଷାର୍ଥ ମିଳିପାରେ, ମାତ୍ର ବାଞ୍ଛିତ ଲକ୍ଷ୍ୟଗୁଡ଼ିକ ପୂରଣ ହୋଇପାରେ ନାହିଁ କିମ୍ୱା ସାହିତ୍ୟର ବହୁମୁଖୀ ବିକାଶ ଘଟି ନଥାଏ । ଦ୍ୱିତୀୟତଃ ଶିଶୁସାହିତ୍ୟ ପରି ସମ୍ଭାବନାପୂର୍ଣ୍ଣ ଓ ସମ୍ୱେଦନଶୀଳ (Sensitive) କ୍ଷେତ୍ରରେ ଗବେଷକମାନେ ଯେପରି ଯତ୍ନଶୀଳ ଓ କଷ୍ଟସହିଷ୍ଣୁ ହେବା କଥା ତାହା ପରିଲକ୍ଷିତ ହେଉ ନାହିଁ । ଅନାୟସରେ ସମ୍ମାନ ଓ ସ୍ୱୀକୃତି ଲାଭ କରିବା ଅନେକଙ୍କର ଆଦର୍ଶ ଓ କାର୍ଯ୍ୟଧାରା ହୋଇଛି । ତୃତୀୟତଃ ରାଜ୍ୟ ଓ କେନ୍ଦ୍ର ସରକାର, ବିଶ୍ୱବିଦ୍ୟାଳୟ ଓ ବୌଦ୍ଧିକ ସଂସ୍ଥାମାନଙ୍କ ତରଫରୁ ଏ ପ୍ରକାର ଗବେଷଣା ପାଇଁ ଯେପରି ସାହାଯ୍ୟ ଓ ପୃଷ୍ଠପୋଷକତା ଦେବା ଦରକାର, ତାର ଅଭାବ ରହିଛି ।

 

ଚତୁର୍ଥତଃ, ଗବେଷଣା ବିଶେଷତଃ ଐତିହାସିକ ଅଧ୍ୟୟନ କ୍ଷେତ୍ରରେ ଗ୍ରନ୍ଥାଗାର, ଅଭିଲେଖାଗାର ଇତ୍ୟାଦିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେସବୁ ସଂସ୍ଥାଗୁଡ଼ିକରେ ସଂଗୃହୀତ ପୁସ୍ତକ, ପତ୍ରପତ୍ରିକା, ନଥିପତ୍ର ଇତ୍ୟାଦିରୁ ବହୁ ଜ୍ଞାତବ୍ୟ ତଥ୍ୟ ମିଳିଥାଏ । ପୂର୍ଣ୍ଣାଙ୍ଗ ଗବେଷଣାପାଇଁ ଅନ୍ୟତ୍ର ସେସବୁ ତଥ୍ୟ ପାଇବା ସମ୍ଭବ ନୁହେଁ । ମାତ୍ର ଅନେକ ଗ୍ରନ୍ଥାଗାର ଶିଶୁସାହିତ୍ୟ କ୍ଷେତ୍ରରେ ଆନୁଷାଙ୍ଗିକ ରେକର୍ଡ଼ ପତ୍ରପତ୍ରିକା, ପୁସ୍ତକ ଆଦି ସଂଗ୍ରହ ଓ ସଂରକ୍ଷଣ କରିବା ପରିଦୃଷ୍ଟ ହେଉ ନାହିଁ । ବହୁ ଗ୍ରନ୍ଥାଗାର ଶିଶୁସାହିତ୍ୟକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇ ନାହିଁ କିମ୍ୱା ସେହି ପର୍ଯ୍ୟାୟର ବହିପତ୍ର ଆଦୌ କିଣୁ ନାହିଁ, ଏହା ନିତାନ୍ତ ପରିତାପର ବିଷୟ । ପଞ୍ଚମତଃ ଏହି ସବୁ ଅନୁଷ୍ଠାନ ଗବେଷକମାନଙ୍କୁ ଏଠାରେ ଥିବା ପ୍ରାଚୀନ ନଥିପତ୍ର, ପୁସ୍ତକ ପୁସ୍ତକାଦିର ସଦୁପଯୋଗ କରିବା ପାଇଁ ଆଶାନୁରୁପ ଭାବରେ ସୁଯୋଗ ଓ ସ୍ୱାଧୀନତା ଦେଉନାହିଁ । ଡକ୍ଟର କର (୧୯୯୪ପୃ.୬-୩) ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘‘ଦୈନିକ ସମାଜ ଏକ ବହୁ ପୁରାତନ ସାରସ୍ୱତ ଅନୁଷ୍ଠାନ । ସେଠାରେ ବହୁ ତଥ୍ୟାବଳୀ ଥିବାର ଅନୁମାନ କରାଯାଏ । ଅଥଚ ଏକ ସାର୍ବଜାନୀନ ସଂସ୍ଥା ହୋଇଥିଲେ ମଧ୍ୟ ସମାଜର ପାଠାଗାର ସାଧାରଣ ପାଠକ, ଏପରିକି ଗବେଷକମାନଙ୍କ ନିମନ୍ତେ ମଧ୍ୟ ନିଷେଧ ।’’ ଗବେଷଣା କାର୍ଯ୍ୟ ପାଇଁ ଯେଉଁ ମୁକ୍ତମନ, ଐକାନ୍ତିକ ନିଷ୍ଠା ଓ ଉଦାରତାର ଆବଶ୍ୟକତା ରହିଛି, ଆମ ରାଜ୍ୟରେ ତାର ବିଶେଷ ଅଭାବ ହୋଇଥାଏ ।

 

ଉପସଂହାର

ଶିଶୁସାହିତ୍ୟ ଏକ ପ୍ରତିଶ୍ରୁତିମୟ (Emerging) ଓ ସମ୍ଭାବପାପୁର୍ଣ୍ଣ (Prospective) ବିଭାଗ । ଏହା ଆମ ଦେଶରେ ବିଶେଷତଃ ଆମ ରାଜ୍ୟରେ ଏକ ବିଧିବଦ୍ଧ ଓ ବିଜ୍ଞାନସମ୍ମତ ଆସନ ଲାଭ କରିପାରି ନାହିଁ । ଏହା ସାହିତ୍ୟରଥୀମାନଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ୍‌ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଦ୍ୱାରା ଅବହେଳିତ, ଅବିଚାରିତ ଓ ଅନୁଦାରତାର ଶିକାର ହୋଇଛି । ସାହିତ୍ୟର ସର୍ବାଙ୍ଗୀନ ସମୃଦ୍ଧି ଓ ଆଗାମୀ ଯୁଗର ଭାବୀ ନାଗରିକ ତଥା ଶିଶୁ ସମାଜର ସୁଖାଶାନ୍ତି ଓ ସ୍ୱାସ୍ଥ୍ୟପାଇଁ ଶିଶୁସାହିତ୍ୟ କ୍ଷେତ୍ରରେ ପ୍ରଭୃତ ଗବେଷଣା ଏକାନ୍ତ ଆବଶ୍ୟକ ।

 

ଆଧୁନିକ ଶିଶୁସାହିତ୍ୟ ପୁଣି ଏକ ମାଧ୍ୟମ ଯଥା ମୁଦ୍ରଣ ମଧ୍ୟରେ ସୀମାବଦ୍ଧ ନୁହେଁ । ଏହା ବହୁ ମାଧ୍ୟମ-ରେଡ଼ିଓ, ଟେଲିଭିଜନ, କମ୍ପ୍ୟୁଟର ଆଦିରେ ସମ୍ପ୍ରସାରିତ ଓ ସଂପ୍ରକାଶିତ । ସେହିପରି ଶିଶୁସାହିତ୍ୟ କେବଳ ସାହିତ୍ୟ ବା ଇତିହାସ, ମନୋବିଜ୍ଞାନ ବା ସମାଜ ବିଜ୍ଞାନ ମଧ୍ୟରେ ସୀମିତ ନୁହେଁ, ଏହାର ପରିସର ବହୁ ବ୍ୟାପକ (Comprehensive) ଓ ବହୁ ବିଷୟକ (Multidisciplinary) । ସୁତରାଂ ଶିଶୁସାହିତ୍ୟରେ ଗବେଷଣା ଓ ଅଧ୍ୟୟନକୁ ସାର୍ଥକ ଓ ସଫଳତା କରିବା ପାଇଁ ଏହାର କର୍ମଧାରା ତଥା ପଦ୍ଧତି ବହୁ ମାଧ୍ୟମୀୟ ଓ ବହୁ ବିଷୟକ ହେବା ନିତାନ୍ତ ଦରକାର ।

 

ଅତୀତର ସଂସ୍କୃତି ଶିଶୁସାହିତ୍ୟର ଭିତ୍ତିଭୂମି ହେଲେହେଁ ସାଂପ୍ରତିକ ସମସ୍ୟାଗୁଡ଼ିକର ସୁସମାଧାନରେ ଏହାର ସାହାଯ୍ୟ ଓ ଯୋଗଦାନ ରହିଥାଏ । ଅନାଗତ ଭବିଷ୍ୟତର ସୁନାଗରିକ ଓ ଭାବୀ ବଂଶଧରମାନଙ୍କ ଆଶା, ଆକାଙ୍‌କ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ସେଥିଯୋଗୁଁ ଶିଶୁସାହିତ୍ୟର ଗବେଷଣାରେ ସମ୍ୟକ୍‌ ଦୂରଦୃଷ୍ଟି, ଗଭୀର ଅନ୍ତର୍ଦୃଷ୍ଟି, ଆକଳନ (Forecasting) ଓ ଅବଧାରଣା (conceptionalisation Visulisation) ଏକାନ୍ତ ଆବଶ୍ୟକ । ଏ ଦିଗରେ ଆମର ସାରସ୍ୱତ ସାଧନା ଚିତ୍ରକର, ଶିକ୍ଷକ, ଓ ଗବେଷକମାନେ ସଚେତନ ଓ ସଚେଷ୍ଟ ହୁଅନ୍ତୁ, ଏହା ଆଶା ଓ ବିଶ୍ୱାସ ।

 

ସହାୟକ ପୁସ୍ତକ ଓ ପତ୍ରିକା :

ମହାନ୍ତି, ମନୀନ୍ଦ୍ର.

ଓଡ଼ିଆ ଶିଶୁସାହିତ୍ୟ : ଉନ୍ମେଷ ଓ ବିକାଶ ମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମୃତି-ନ୍ୟାସ, ଭୁବନେଶ୍ୱର, ୧୯୯୨ ।

ବ୍ରହ୍ମା, ଦିଗରାଜ.

Childrens Literature and Education in India, Deep & Deep Pulibataions, New Delhi 1989.

ମହାନ୍ତି, ମହେଶ୍ୱର.

ଓଡ଼ିଆ ଶିଶୁସାହିତ୍ୟର ସାମାଜିକ ପୃଷ୍ଠଭୂମି ଏକ ଅଧ୍ୟୟନ ପି. ଏଇଚି. ଡି ନିବନ୍ଧ, ଉତ୍କଳ ବିଦ୍ୟାଳୟ, ୧୯୮୯ ।

ନାୟକ, କୃତ୍ତିବାସ,.

ଓଡ଼ିଆ ଶିଶୁଗଳ୍ପର ସ୍ୱରୂପ ଓ ବିକାଶ, ପି ଏଇଚ ଡି ସନ୍ଦର୍ଭ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ୧୯୯୨ ।

ସାହୁ, ବସନ୍ତକି

ଓଡ଼ିଆ ମୌଖିକ ଶିଶୁସାହିତ୍ୟ, ପି ଏଇଚ ଡି ସନ୍ଦର୍ଭ ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୯୨ ।

କର, ସୁରେଶ ଚନ୍ଦ୍ର

ତମସା ଶିଶୁସାହିତ୍ୟ କର୍ମଶାଳା ବିଶେଷାଙ୍କ, ବାଦାମବାଡ଼ି ନୂଆକଲୋନୀ, କଟକ, ୧୯୯୨ ।

କର, ସୁରେନ୍ଦ୍ର ଚନ୍ଦ୍ର

ଓଡ଼ିଆ ଶିଶୁସାହିତ୍ୟକୁ ଉଦୟନାଥ ଷଡ଼ଙ୍ଗୀଙ୍କ ଅବଦାନ, ପି. ଏଇଚ ଡି ସନ୍ଦର୍ଭ, ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୯୩ ।

ମହାନ୍ତି, ଜଗନ୍ନାଥ ଓ

“Reading Intercots of children in Orissa”

ବ୍ରହ୍ମା ଦିଗରାଜ

Writer and Illustrator, Aw/c, Delhi,

ବ୍ରହ୍ମା ଦିଗରାଜ

“An Appraisal of children’s Journals in Orissa “Writer & Illustrator, AW/C, Delhi, 1984.

ମହାନ୍ତି ଜଗନ୍ନାଥ

“A Survey of Children’s Journal, in Oriya “Writer & Illustrator AW/C, Delhi, 1986.

ମହାନ୍ତି ଜଗନ୍ନାଥ.

“Research in Oriya Children’s Literature” Sishuvarti, Balasore, July-sept-1989.

ମହାନ୍ତି ଜଗନ୍ନାଥ

‘‘ଉଦୟନାଥ ଷଡ଼ଙ୍ଗୀ ଓ ରାମକୃଷ୍ଣ ନନ୍ଦଙ୍କର ଓଡ଼ିଆ ଶିଶୁକିଶୋର ସାହିତ୍ୟକୁ ଅବଦାନ’’ କୋଣାର୍କ, ଅକ୍ଟୋବର ୧୯୯୩ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ।

ମହାନ୍ତି ଜଗନ୍ନାଥ

‘‘ଓଡ଼ିଆ ଶିଶୁସାହିତ୍ୟରେ ଗବେଷଣା ଓ ଅନୁଧ୍ୟାନ’’ ଝଙ୍କାର, ଜୁନ୍‌, ୧୯୯୨, କଟକ ।

ମହାନ୍ତି ଜଗନ୍ନାଥ

Children's Literature of Orissa, Orissa Sahitya Akademi, 1993.

ସାହୁ ବଂଶୀଧର

“A Study of Parental View towards children’s Literature and Practices of in Forstering Reading Habit in their children” SCERT, 1986.

 

 

୨୯୩୫, ଗୌରୀନଗର,

ଭୁବନେଶ୍ୱର-୭୫୧୦୦୨

 

***

 

ଓଡ଼ିଆ ଶିଶୁସାହିତ୍ୟ ଓ କାନ୍ତକବି ଲକ୍ଷୀକାନ୍ତ

ଡକ୍‌ଟର ପ୍ରସନ୍ନ କୁମାର ସ୍ୱାଇଁ

 

ସାହିତ୍ୟର ଅନ୍ୟାନ୍ୟ ବିଭାଗ ମଧ୍ୟରେ ଶିଶୁସାହିତ୍ୟ ପ୍ରଧାନ । ଏହାର ସୃଷ୍ଟି ସମଗ୍ର ଭାରତୀୟ ସାହିତ୍ୟରେ ଊନବିଂଶ ଶତକର ମଧ୍ୟଭାଗରେ । ଓଡ଼ିଆଭାଷାରେ ୧୮୫୦ ମସିହା ପରେ ପରେ ଓଡ଼ିଆ ପାଠ୍ୟ ପୁସ୍ତକ ରଚନା ଓ ଭାଷା ଆନ୍ଦୋଳନ ମଧ୍ୟଦେଇ ଏହାର ସୃଷ୍ଟି ଓ ବିକାଶ । ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଶିଶୁହିଁ ଦେଶ ଓ ଜାତିର ଭବିଷ୍ୟତ । ତେଣୁ ପ୍ରତ୍ୟେକ ଦେଶରେ ଓ ପ୍ରତ୍ୟେକ ଭାଷାରେ ସାଂପ୍ରତିକ କାଳରେ ଶିଶୁମାନଙ୍କ ପ୍ରତି ସଚେତନ ହୋଇ ସାହିତ୍ୟିକମାନେ ଶିଶୁ ଚରିତ୍ରକୁ ଉନ୍ନତ ଓ ମାର୍ଜିତ କରିବା ସହିତ ତାଙ୍କ ଅନ୍ତଶ୍ଚେତନାକୁ ରୁଚିସମ୍ପନ୍ନ ଓ ଶାଣିତ କରିବାପାଇଁ ପ୍ରୟାସୀ ହୋଇ ଶିଶୁସାହିତ୍ୟ ରଚନାରେ ବ୍ରତୀ ହୋଇଛନ୍ତି । ଓଡ଼ିଆ ସାହିତ୍ୟ ଜଗତରେ ଆଧୁନିକ କାଳରେ ଏହି ଉଦ୍ଦେଶ୍ୟରେ ରାଧାନାଥ, ମଧୁସୂଦନ, ଫକୀରମୋହନ ପ୍ରମୁଖ ରଚନା କରିଛନ୍ତି ରାଶି ରାଶି ଶିଶୁ ଉପଯୋଗୀ ପାଠ୍ୟ ପୁସ୍ତକ । ଏହି ସମୟରେ ଓଡ଼ିଶାରେ ମୁଦ୍ରଣଯନ୍ତ୍ରର ପ୍ରସାର, ଶିଶୁ ଉପଯୋଗୀ ପତ୍ରିକାର ପ୍ରକାଶନ ଓ ବିଦ୍ୟାଳୟ ସ୍ଥାପନ ଓଡ଼ିଆ ଶିଶୁସାହିତ୍ୟର ବିକାଶ ଦିଗରେ ବହୁଭାବରେ ସହାୟକ ହୋଇଛି ।

 

ଶିଶୁ ମନରେ ଅଫୁରନ୍ତ ଆନନ୍ଦ ଦେବା ଓ ଶିଶୁର କଳ୍ପନା ଶକ୍ତିକୁ ବୃଦ୍ଧି କରିବା ଶିଶୁସାହିତ୍ୟର ମୁଖ୍ୟ ଲକ୍ଷ୍ୟ । ମାତ୍ର ଆଧୁନିକ ଯୁଗର ପ୍ରାରମ୍ଭରେ ରାଧାନାଥ-ମଧୁସୂଦନ-ଫକୀରମୋହନ ପ୍ରମୁଖ ଶିଶୁ ସାହିତ୍ୟିକମାନେ ଯେଉଁ ଶିଶୁସାହିତ୍ୟ ସୃଷ୍ଟି କରିଥିଲେ ତାହା ଥିଲା ମୁଖ୍ୟତଃ ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ । ଏହିସବୁ ପୁସ୍ତକଗୁଡ଼ିକ ଥିଲା ବୁଦ୍ଧିଦୀପ୍ତ ଓ ଯୁକ୍ତି ରସାଣିତ । ପୁନଶ୍ଚ ତାହା ମାନବିକ ଅବବୋଧ ଓ ଆଧ୍ୟତ୍ମିକ ଚିନ୍ତା ଚେତନାରେ ପୂର୍ଣ୍ଣ ଥିଲା । ତେଣୁ ଶିଶୁ ମନକୁ ତାହା ଠିକ୍‌ଭାବେ ସ୍ପର୍ଶ କରିପାରୁ ନଥିଲା । ଏହି ଅସୁବିଧା ହୃଦୟଙ୍ଗମ କରିଥିଲେ ପରବର୍ତ୍ତୀ କାଳରେ କାନ୍ତକବି ଲକ୍ଷ୍ମୀକାନ୍ତ । ସୁତରାଂ ଶିଶୁସାହିତ୍ୟର ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସେ ଶିଶୁମାନଙ୍କ ପାଇଁ ରଚନା କରିଥିଲେ ରାଶି ରାଶି ଶିଶୁସାହିତ୍ୟ, ଯାହା ମଧ୍ୟରେ ଶିଶୁର କୌତୁକ ଓ କଳ୍ପନାଶକ୍ତି ଜାଗ୍ରତ ହେବାପାଇଁ ରହିଛି ଅଭିନବ ଅନୁପନ୍ଥା ।

 

ବିଂଶ ଶତକର ପ୍ରଥମାର୍ଦ୍ଧରେ ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ କାନ୍ତକବି ଲକ୍ଷ୍ମୀକାନ୍ତ ଏକ ସ୍ମରଣୀୟ ପ୍ରତିଭା । ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ସୁଖ୍ୟାତି ରହିଥିଲେ ମଧ୍ୟ ଓଡ଼ିଆ ଶିଶୁସାହିତ୍ୟ ମନ୍ଦିରର ସେ ହେଉଛନ୍ତି ଜଣେ ପଥିକୃତ ଶିଳ୍ପୀ ଓ ଯଥାର୍ଥ ବିନ୍ଧାଣୀ । ଊନବିଂଶ ଶତକର ଶେଷପାଦରେ ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ଯେଉଁ ପରମ୍ପରା ପ୍ରତିଷ୍ଠିତ ହୋଇଥିଲା, କାନ୍ତକବି ଲକ୍ଷ୍ମୀକାନ୍ତ ତାହାର ପୃଷ୍ଠପୀଠିକା ଉପରେ ଦଣ୍ଡାୟମାନ ହୋଇ ବିଂଶ ଶତକର ତୃତୀୟ ଦଶକ ବେଳକୁ ରାଶି ରାଶି ଶିଶୁସାହିତ୍ୟ ସୃଷ୍ଟି କରି ଓଡ଼ିଆ ଶିଶୁସାହିତ୍ୟର ନବ ଦିଗନ୍ତ ଉନ୍ମୋଚନ କରିଥିଲେ ଓ ଓଡ଼ିଆ ଶିଶୁସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲେ । ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ନୂତନ ଆଲୋଡ଼ନ ଆଣିବାରେ ତାଙ୍କର ଭୂମିକା ଥିଲା ଅତୀବ ଗୁରୁତ୍ୱପୂର୍ଣ୍ଣ ।

 

କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ନିଷ୍ପାପ ଶିଶୁମାନଙ୍କ ସହିତ କ୍ଷୀର ନୀର ସମ୍ପର୍କ ଥିଲା । ଶିଶୁପ୍ରାଣ କାନ୍ତ, କୋମଳ, କମନୀୟ ତଥା ଅନାବିଳ, ହୋଇଥିବାରୁ ସେ ଶିଶୁମାନଙ୍କୁ ଅତ୍ୟନ୍ତ ସ୍ନେହ ଓ ଶ୍ରଦ୍ଧା କରୁଥିଲେ ଏବଂ ସେଥି ନିମନ୍ତେ ସେ ଶିଶୁମାନଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ି ତାଙ୍କରି ଉଦ୍ଦେଶ୍ୟରେ ସାହିତ୍ୟ ରଚନା କରିବାକୁ ପ୍ରୟାସୀ ହୋଇଥିଲେ । ସରଳ ଶିଶୁମାନଙ୍କୁ ଦେଶର ଇତିହାସ, ପୁରାଣ, କିମ୍ବଦନ୍ତୀ, ଲୋକକଥା, ପ୍ରାକୃତିକ ଭୂଗୋଳ ପ୍ରଭୃତି ସମ୍ବନ୍ଧରେ ଧାରଣା ଦେବାପାଇଁ, ଗୁରୁମାନଙ୍କ ପ୍ରତି ଶିଶୁ ହୃଦୟରେ ଭକ୍ତିରସର ପ୍ଳାବନ ସୃଷ୍ଟିକରିବାପାଇଁ ତଥା ଜୀବଜନ୍ତୁମାନଙ୍କ ପ୍ରତି ସେମାନଙ୍କର ସଶ୍ରଦ୍ଧଭାବ ବୃଦ୍ଧି କରିବା ପାଇଁ କାନ୍ତକବି ବହୁ ଗଳ୍ପ, କବିତା, ବୋଲି ପ୍ରଭୃତି ରଚନା କରିଥିଲେ । ତେଣୁ ଶିଶୁମାନଙ୍କ ପ୍ରତି କବିଙ୍କର ଅନାବିଳ ସ୍ନେହ ଓ ଗଭୀର ମମତ୍ୱବୋଧରୁ ତାଙ୍କ ଶିଶୁସାହିତ୍ୟର ସୃଷ୍ଟି । ଶିଶୁମାନେ ସାହିତ୍ୟ ମାଧ୍ୟମରେ ଆନନ୍ଦ ଅନୁଭବ କରନ୍ତୁ, ସାହିତ୍ୟ ଶିଶୁମାନଙ୍କର ମନୋରଞ୍ଜନର ସାମଗ୍ରୀ ହେଉ, ଏହା ଥିଲା କାନ୍ତକବି ଳକ୍ଷ୍ମୀକାନ୍ତଙ୍କର ଶିଶୁସାହିତ୍ୟ ସୃଷ୍ଟି ମୂଳର ମୌଳିକ ଚିନ୍ତାଧାରା । ତେଣୁ ଶିଶୁସାହିତ୍ୟ ସୃଷ୍ଟିପାଇଁ ତାଙ୍କ ହୃଦୟରେ ପ୍ରବଳ ଆଗ୍ରହ ଦେଖାଯାଇଥିଲା । ସାହିତ୍ୟ ସୃଷ୍ଟିର ନିଶା ଯେତେବେଳେ ତାଙ୍କ ମୁଣ୍ଡକୁ ଉଠି ଯାଉଥିଲା, ସେତେବେଳେ ସେ ସଂସାରର ମୋହମାୟାରୁ ବିଚ୍ଛିନ୍ନ ହୋଇ ପଡ଼ୁଥିଲେ, ଉଦାସୀନ ଓ ଆତ୍ମବିସ୍ମୃତ ହୋଇ ପଡ଼ୁଥିଲେ । ସେ ପୁଣି ଅତୀତକୁ ଭୁଲି ଯାଉଥିଲେ ଓ ଭବିଷ୍ୟତପାଇଁ ଆଶଙ୍କା ପ୍ରକାଶ କରୁନଥିଲେ । (୧) ଏତିକିବେଳେ ତାଙ୍କ ମନଟା ପହଁରି ବୁଲୁଥିଲା ଶିଶୁମାନଙ୍କ ମନମନ୍ଦିର ମଧ୍ୟରେ ଏବଂ ସେତେବେଳେ ସେ ଶିଶୁମାନଙ୍କ ପରି ଚିରନ୍ତନ ଆନନ୍ଦ ଅନୁଭବ କରୁଥିଲେ ।

 

୧.

ଶ୍ରୀ ବିଜୟାନନ୍ଦ ସିଂହ (ସଂ) ମୁଁ କାହିଁକି ଲେଖେ, ପୃ-୧୨

 

କାନ୍ତକବି ଲକ୍ଷ୍ମୀକାନ୍ତ ଭଲଭାବେ ହୃଦୟଙ୍ଗମ କରିଥିଲେ, ଯଦି ଶିଶୁ-ଉପଯୋଗୀ ସାହିତ୍ୟ ଓଡ଼ିଆ ଭାଷାରେ ସୃଷ୍ଟି ନହେବ, ତେବେ ଉତ୍କଳୀୟ ଶିଶୁମାନଙ୍କର ମାନସିକ ବିକାଶ ସାଧିତ ହୋଇପାରିବ ନାହିଁ । ଫଳତଃ ଏ ଦେଶର ବଂଶଧର ତଥା ଭବିଷ୍ୟତ ନାଗରିକ ଶିଶୁପ୍ରାଣ ବିପଥଗାମୀ ହୋଇ ଆସନ୍ତାକାଲି ସୃଷ୍ଟି କରିବ ଚରମ ବିଶୃଙ୍ଖଳା । ତା’ର ଭବିଷ୍ୟତ ଘୋର ଅନ୍ଧକାରମୟ ହୋଇପଡ଼ିବ । ତେଣୁ ଏ ଦେଶର ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ତାଙ୍କ ଚରିତ୍ରଗଠନ ନିମିତ୍ତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ବହୁ କାନ୍ତକୋମଳ ପଦାବଳୀ ରଚନା କରିଥିଲେ ।

 

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ରଚିତ ଶିଶୁସାହିତ୍ୟ ମୁଖ୍ୟତଃ ଗଦ୍ୟ ଓ ପଦ୍ୟ ଭାବରେ ବିଭକ୍ତ । ତାଙ୍କ ରଚିତ ଶିଶୁ ଉପଯୋଗୀ ଗଦ୍ୟ ସାହିତ୍ୟ ମଧ୍ୟରେ ‘ପିଲାଙ୍କ କଥା’ ,‘ପାଠମାଳା’, ‘ସାହିତ୍ୟ ସୁଧାକର’ ପ୍ରଭୃତି ପ୍ରଧାନ । ‘ପିଲାଙ୍କ କଥା ଅନ୍ତର୍ଭୁକ୍ତ ଏକଲବ୍ୟ, ଧ୍ରୁବ, ଉପମନ୍ୟୁ ଓ ଆରୁଣି, ଲବକୁଶ, ପ୍ରହ୍ଲାଦ, ରୋହିତ, ବୃଷକେତୁ ପ୍ରଭୃତି ପୁରାଣର ଗଳ୍ପଗୁଡ଼ିକ ହେଉଛି ୧୯୩୦ ମସିହା ପୂର୍ବର ରଚନା । ‘ପିଲାଙ୍କ କଥା’ ପୁସ୍ତକର ମୁଖବନ୍ଧରେ ନିବେଦନ ପ୍ରସଙ୍ଗରେ ସେ ଉଲ୍ଲେଖ କରିଛନ୍ତି–‘‘ପିଲାମାନେ ସାଧାରଣତଃ ଅନୁକରଣପ୍ରିୟ । ସେମାନଙ୍କ ପକ୍ଷରେ ଜ୍ୱଳନ୍ତ ଆଦର୍ଶକୁ ଅନୁକରଣ କରିବା ଯେପରି ସହଜ, ସ୍ୱାଭାବିକ ଓ ଆନନ୍ଦକର,-ନୀରସ, କଠୋର, ଉପଦେଶ ତଦ୍ରୁପ ବିରକ୍ତିଜନକ । ସେଥିପାଇଁ ଭବିଷ୍ୟତ ଜାତି ଓ ସମାଜର ମୂଳବୀଜ ଆମ ପିଲାଙ୍କ ଆଖି ଆଗରେ ତାଙ୍କରି ଭଳି କେତେଗୁଡ଼ିଏ ଆଦର୍ଶ ଚରିତ୍ର ପିଲାଙ୍କର ଜୀବନ କାହାଣୀ ସହଜ ଭାଷା ଓ ସରଳ ଗଳ୍ପ ଛଳରେ ଉପସ୍ଥାପିତ କରିବାକୁ ମୁଁ ଚେଷ୍ଟା କରିଅଛି । ମୋର ଯାଇ କେତେଦୂର ସଫଳ ହୋଇଅଛି ତାହାର ବିଚାର ସୁଧୀବର୍ଗ ଉପରେ ଓ ମୋର ଆଶା ପୂରଣର ଭାର ଭଗବାନଙ୍କ ଉପରେ ଅର୍ପଣ କଲି ।’ ଏକଲବ୍ୟ, ଧ୍ରୁବ ପ୍ରଭୃତି ହେଉଛନ୍ତି ଭାରତୀୟ ପୁରାଣ ଚରିତ୍ର । ଏହି ଚରିତ୍ରମାନେ ଶୈଶବ କାଳରେ ଯେଉଁ ଆଦର୍ଶ ପ୍ରତିଷ୍ଠା କରି ଯାଇଛନ୍ତି ତା’ର ତୁଳନା ନାହିଁ । ତେଣୁ କାନ୍ତକବି ପୁରାଣର ସେହି ଅନତିକ୍ରମ୍ୟ ଚରିତ୍ରମାନଙ୍କୁ ଆଣି ଉତ୍କଳୀୟ ଛାତ୍ର ସମାଜ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏକଲବ୍ୟ ଜଣେ ଅଚ୍ଛବ ବାଳକ ହୋଇଥିଲେ ମଧ୍ୟ ନିଜର ଧୀଶକ୍ତି ବଳରେ କିପରି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମଧ୍ୟ ବଳିଯାଇଛି ଓ ଯଥାର୍ଥ ଶିଷ୍ୟଭାବରେ ନିଜ ହସ୍ତର ବୃଦ୍ଧାଙ୍ଗୁଳି ଚ୍ଛେଦନ କରି ଦ୍ରୋଣାଚାର୍ଯ୍ୟଙ୍କୁ ଦକ୍ଷିଣା ଦେଇଛି- ତାହା ବିଶ୍ୱବିଦିତ । ଏହି ପ୍ରସଙ୍ଗ କାନ୍ତକବି ‘ଏକଲବ୍ୟ’ ବିଷୟରେ ପ୍ରକଟିତ କରିଛନ୍ତି ।

 

ଅନୁରୂପ ଭାବେ ଧ୍ରୁବ ହେଉଛି ପୁରାଣ ଯୁଗର ଏକ ଆଦର୍ଶ ବାଳକ । ସେ ସତ୍ୟଯୁଗର ରାଜା ଉତ୍ତାନପାଦ ଓ ରାଣୀ ସୁନୀତିଙ୍କର ପୁତ୍ର । ମାତ୍ର ନିଜର ବିମାତା ସୁରୁଚିଙ୍କପାଇଁ ସେ ଶୈଶବକାଳରୁ ପିତୃସ୍ନେହରୁ ବଞ୍ଚିତ ହୋଇଥିଲା । ଏପରିକି ପିତାଙ୍କ କୋଳରେ ବସିବାର ସୌଭାଗ୍ୟ ତାକୁ ମିଳିନଥିଲା । ଧ୍ରୁବ ଶିଶୁପୁତ୍ର । ତା ଆଖିରେ ଭବିଷ୍ୟତ ପାଇଁ ଆଖି ଓ ସ୍ୱପ୍ନ । ମାତ୍ର ନିଜର ବିମାତା ସୁରୁଚିଙ୍କର ନିର୍ଦ୍ଦେଶ-ଧ୍ରୁବ ଉତ୍ତାନପାଦଙ୍କ କୋଳରେ ବସିପାରିବ ନାହିଁ । ଧ୍ରୁବର ପିଲାମନ । ସେ ସୁନା-ରୂପା ପ୍ରଭୃତି ଐଶ୍ୱର୍ଯ୍ୟ ଚାହିଁନଥିଲା । ଅଷ୍ଟନିଧି ଅଣିମାଦି ରାଜସମ୍ପଦ ଆଶା କରିନଥିଲା । ସେ ମାଗୁନଥିଲା ହୀରା-ଲୀଳା-ମୋତି-ମାଣିକ । ତା’ର କଅଁଳ ହୃଦୟରେ ଏହି ନିରାଶ ଭାବ ଗଭୀର କ୍ଷତ ସୃଷ୍ଟି କରିଥିଲା । ତେଣୁ ସେହି ଜିଦ୍‌ରେ ନିଜେ ଦୃଢ଼ ପ୍ରତିଜ୍ଞାରେ ଅଟଳ ରହି ତପସ୍ୟା କରିଥିଲା ଓ ନିଜ ମାତା ସୁନୀତି ଦେବୀଙ୍କୁ କହିଥିଲା-‘ମୁଁ ଇମିତି ଥାନରେ ବସିବି ଯେଉଁଠି କେହି କେବେ ବସି ନଥିବେ କି ବସି ନପାରିବେ ।’ ଏହାପରେ ସେ ତପସ୍ୟା ଆରମ୍ଭ କରିଦେଲା । ହରି ତା ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ ବର ଦେଲେ । ତା’ର ସ୍ଥାନ ରହିଲା ସବୁରି ଉପରେ । ସେ ଧ୍ରୁବଲୋକ ଭୋଗ କଲା । ତେଣୁ କାନ୍ତକବି ଧ୍ରୁବ ପରି ନୀତିନିଷ୍ଠ ଚରିତ୍ରକୁ ଶିଶୁମାନଙ୍କୁ ସମ୍ମୁଖରେ ଆଣି ଉପସ୍ଥାପନ କରିଛନ୍ତି । ଧ୍ରୁବ ଯେପରି ସମସ୍ୟାରେ ବ୍ରତୀ ହୋଇ ଅସମ୍ଭବକୁ ସମ୍ଭବ କରିପାରିଲା ଉତ୍କଳୀୟ ଶିଶୁସମାଜ ସେହିପରି ନିଜ କର୍ମପଥରେ ଏକାଗ୍ର ଚିତ୍ତ ହୋଇ ସହଜରେ ଅସାଧ୍ୟ ସାଧନ କରିପାରିବେ ବୋଲି କବି ଆଶାବାଦୀ ହୋଇଛନ୍ତି ।

 

ଉପମନ୍ୟୁ ଓ ଆରୁଣି ହେଉଛନ୍ତି ପ୍ରାଚୀନ ଭାରତୀୟ ଗୁରୁ ଶିଷ୍ୟ ପରମ୍ପରାରେ ଏକ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ଉଭୟ ନିଜ ନିଜର ସିଦ୍ଧି ଓ ସାଧନାରେ ସ୍ୱୟଂସଂପୂର୍ଣ୍ଣ । ଗୁରୁ ବାକ୍ୟ ପାଳନରେ ସେମାନେ ନିଜକୁ ସମ୍ପୂର୍ଣ୍ଣଭାବେ ଉତ୍ସର୍ଗ କରିଦେଉଥିଲେ । ଏପରିକି ନିଜର ଶରୀରକୁ ସମ୍ପୂର୍ଣ୍ଣରପେ ଦାନ କରିବାକୁ ମଧ୍ୟ ସେମାନେ କୁଣ୍ଠାବୋଧ କରୁନଥିଲେ । ତେଣୁ କାନ୍ତକବି ଭାରତୀୟ ଶିଶୁ, ବିଶେଷ କରି ଉତ୍କଳୀୟ ଶିଶୁମାନଙ୍କୁ ଉପମନ୍ୟୁ ଓ ଆରୁଣି ପରି ହେବାକୁ ଉତ୍ସାହ ଦେଇଛନ୍ତି ।

 

‘ପାଠମାଳା’ ପର୍ଯ୍ୟାୟରେ କାନ୍ତକବି ଶିଶୁମାନଙ୍କୁ ଓଡ଼ିଶାର ପ୍ରାକୃତିକ ଭୂଗୋଳ, ଇତିହାସ, ଉତ୍କଳୀୟ ସଂସ୍କୃତି, ସଭ୍ୟତା, ପରମ୍ପରା ତଥା ଭାରତର ବିଭିନ୍ନ ଐତିହାସିକ ସ୍ଥାନ ସହିତ ଉତ୍କଳର ବିଶିଷ୍ଟ ବ୍ୟକ୍ତି ଓ ବ୍ୟକ୍ତିତ୍ୱ ସହିତ ପରିଚିତ କରାଇଦେଇଛନ୍ତି । ପୁନଶ୍ଚ ଶିଶୁ ପ୍ରାଣକୁ ଅଧିକ ଆକୃଷ୍ଟ କରିବା ପାଇଁ ତାଙ୍କ ବୋଧଗମ୍ୟ ଭାଷାରେ ସରଳ ଭାବରେ ପଶୁ ପକ୍ଷୀଙ୍କ କାହାଣୀ କହିଛନ୍ତି । ପାଠଶାଳାର ଏକଠାରୁ ଅଣତିରିଶ ପର୍ଯ୍ୟନ୍ତ ପାଠ ଶିଶୁମାନଙ୍କର ଯୁକ୍ତାକ୍ଷର ଶିକ୍ଷାପାଇଁ ଅଭିପ୍ରେତ । କାନ୍ତକବି ମଧୁବର୍ଣ୍ଣବୋଧ ପରି ଶିଶୁପ୍ରାଣକୁ ଓଡ଼ିଆ ଅକ୍ଷର ଓ ଓଡ଼ିଆ ବର୍ଣ୍ଣମାଳା ସହିତ ପରିଚିତ କରାଇ ତାଙ୍କ ହୃଦୟରେ ଉତ୍କଳୀୟ ଭାବନା ସ୍ପଷ୍ଟ କରିବାପାଇଁ ଏହି ବ୍ୟବସ୍ଥା ପାଠମାଳାର ଆଦ୍ୟପର୍ବରେ ଗ୍ରହଣ କରିଛନ୍ତି । ସରଳ ଶିଶୁମାନଙ୍କୁ ଓଡ଼ିଆ ଯୁକ୍ତାକ୍ଷର ପ୍ରତ୍ୟକ୍ଷଭାବେ ଶିକ୍ଷା ନଦେଇ ବିଭିନ୍ନ ଗଳ୍ପ ଛଳରେ ସଂଯୁକ୍ତ ବର୍ଣ୍ଣ ଶିକ୍ଷା ଦେଇଛନ୍ତି । ପୁଣି ଓଡ଼ିଶାରେ ପ୍ରଚଳିତ ମାସ, ପକ୍ଷ ପ୍ରଭୃତି ସହିତ ମଧ୍ୟ ଏହି ପାଠମାଳା ମଧ୍ୟରେ ଶିଶୁମାନଙ୍କୁ ପରିଚିତ କରାଇଛନ୍ତି ।

 

ଶିଶୁମାନଙ୍କୁ ଦିଗମାନଙ୍କ ସହିତ ପରିଚିତ କରାଇ ଦେଇ କାନ୍ତକବି ଉଲ୍ଲେଖ କରିଛନ୍ତି–‘‘ସୂର୍ଯ୍ୟ ଯେଉଁଆଡ଼ୁ ହୁଅନ୍ତି ସେହିଆଡ଼କୁ ପୂର୍ବଦିଗ କୁହାଯାଏ । ପୂର୍ବ ଦିଗକୁ ମୁହଁ କରି ଠିଆହେଲେ ପଛପାଖ ଯେଉଁ ଆଡ଼କୁ ରହେ ତାହା ପଶ୍ଚିମ ଦିଗ । ଡାହାଣ ହାତ ଆଡ଼ ଦକ୍ଷିଣ ଦିଗ ଓ ବାଁ ହାତ ଆଡ଼ ଉତ୍ତର ଦିଗ । ଶୀତ ଦିନରେ ଉତ୍ତର ଦିଗରୁ ପବନ ବହେ ଓ ପବନ ବଡ଼ ଥଣ୍ଡା । ଖରାଦିନରେ ଦକ୍ଷିଣ ଦିଗରୁ ପବନ ବହେ । ଏହା ଗରମ । ପବନଦ୍ୱାରା ଆମ ଦେଶରେ ବର୍ଷା ହୁଏ-।’’ (୨)

 

୨.

କାନ୍ତସାହିତ୍ୟମାଳା (୧୯୬୪) ଦ୍ୱିତୀୟ ଖଣ୍ଡ, ପୃ-୬୭୦ ।

 

‘ପାଠମାଳା’ ଅନ୍ତର୍ଗତ ବହୁ ରଚନା ମୟୁରଭଞ୍ଜର ବିଭିନ୍ନ ଘଟଣା ଉପରେ ଆଧାରିତ । ମୟୂରଭଞ୍ଜର ଖିଚିଙ୍ଗ ଏକ ଶାକ୍ତ ପୀଠଭାବେ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧ । ଏହି ଅଞ୍ଚଳ ଛଉନୃତ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ । ଦୁର୍ଗାପୂଜାରେ ଖିଚିଙ୍ଗର କିଚକେଶ୍ୱରୀ ଠାକୁରାଣୀଙ୍କ ନିକଟରେ ଗୋଟିଏ ବଡ଼ ମେଳା ହୁଏ ଓ ବହୁ ଜନସମାଗମ ହୁଏ । ଏ ଘଟଣାକୁ ଉତ୍କଳୀୟ ଶିଶୁମାନଙ୍କ ସମ୍ମୁଖରେ ପ୍ରକାଶ କଲାବେଳେ କାନ୍ତକବି ଶିଶୁପ୍ରାଣଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରି ଉତ୍କଳୀୟ ପର୍ବପର୍ବାଣି ସହିତ ଏକାକାର ହେବାପାଇଁ ପ୍ରେରଣା ଦେଇଛନ୍ତି । ଶିଶୁମାନଙ୍କୁ ବାରିପଦା ସହର ସମ୍ବନ୍ଧରେ ସମ୍ୟକ ସୂଚନା ଦେବାକୁ ଯାଇ ସେ ଗୋପାଳ, ଗୋବିନ୍ଦ ପରି ଦୁଇ ଶିଶୁଙ୍କର କଥୋପକଥନ ମଧ୍ୟରେ ବାରିପଦାର ଅବସ୍ଥିତ, ସଂସ୍କୃତି, ସଭ୍ୟତା, ରାଜା ପ୍ରଭୃତି ସମ୍ପର୍କରେ ବିଭିନ୍ନ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଛନ୍ତି, ଯାହା ଶିଶୁପ୍ରାଣଙ୍କୁ ସ୍ପର୍ଶ କରିଛି । ଏହି କ୍ରମରେ ସେ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେବ, ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେବ ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ କଥା ଉଲ୍ଲେଖ କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ରାଜ୍ୟ ସେତେବେଳେ ଓଡ଼ିଶାର ସବୁଠାରୁ ବଡ଼ ରାଜ୍ୟ ହେଲେ ମଧ୍ୟ ସେଥିପାଇଁ ରାଜା ଗର୍ବ ଅନୁଭବ କରୁନଥିଲେ । ପ୍ରଜାମାନଙ୍କର ସୁଖ ସୁବିଧା ଦେଖିବା ତାଙ୍କର ଥିଲା ମୁଖ୍ୟ ଧର୍ମ । ସମଗ୍ର ମୟୁରଭଞ୍ଜର ଉନ୍ନତି ତାଙ୍କ ସମୟରେ ହିଁ ସମ୍ଭବ ହୋଇଥିଲା । ଉଚ୍ଚ ନୀଚ ମଧ୍ୟରେ ତାଙ୍କର ଆଦୌ ପ୍ରଭେଦ ନଥିଲା । ଉଚ୍ଚ ହେଲେ ମଧ୍ୟ ଯାହା ତାଙ୍କର କର୍ତ୍ତବ୍ୟ ତାହା ସେ କରିବାକୁ କୁଣ୍ଠା ପ୍ରକାଶ କରୁନଥିଲେ । ‘‘ଦିନେ ସେ ହାବୁଡ଼ା ଷ୍ଟେସନରେ ଟିକଟ୍ କିଣିବା ସକାଶେ ଏକୁଟିଆ ଠିଆ ହୋଇଥିଲେ । ଜଣେ ଭଦ୍ରଲୋକ ତାଙ୍କୁ ଦେଖି ପଚାରିଲେ, ମହାରାଜ, ଆପଣ ଯେ ନିଜେ ଆସି ଟିକଟ ଘରେ । ଆପଣଙ୍କ ଲୋକମାନେ କାହାନ୍ତି କି ? ସେ ତାଙ୍କୁ ହସି ହସି କହିଲେ ‘‘ଆପଣଙ୍କର ଲୋକ ତ ଆପଣଙ୍କ ସଙ୍ଗରେ ନାହାନ୍ତି । ଆପଣ କିପରି ଟିକଟ୍‌ କିଣିବାକୁ ଆସିଛନ୍ତି ?’’ (୩) ଏଥିରୁ ମହାରାଜାଙ୍କର ସାଧୁତା ଓ ସଚ୍ଚୋଟତା ସହଜରେ ଅନୁଭବ କରାଯାଇଥାଏ । ତେଣୁ କାନ୍ତକବି ଶିଶୁମାନଙ୍କୁ ଯିଏ ଯେତେ ଧନୀ ପରିବାରରେ ଜନ୍ମ ହୋଇଥାଉନା କାହିଁକି ସମସ୍ତଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ପରି ନୀତିନିଷ୍ଠ ଓ କର୍ତ୍ତବ୍ୟ ପରାୟଣ ହେବାକୁ ପ୍ରେରଣା ଦେଇଛନ୍ତି । ପୁନଶ୍ଚ ଏହି ‘ପାଠମାଳା’ ପୁସ୍ତକ ମଧ୍ୟରେ ପିଲାମାନଙ୍କୁ ଲୁହା ସହିତ ପରିଚିତ କରାଇ ଦେବାକୁ ଯାଇ ସେ ଜାମସେଦଜୀ ଟାଟାଙ୍କ କଥା ଉଲ୍ଲେଖ କରିଛନ୍ତି । ଗମନାଗମନ ପାଇଁ ରେଳଗାଡ଼ି ଆମର କିପରି ପ୍ରଭୂତ ଉପକାର କରିପାରିଛି ତାହା ରେଳଗାଡ଼ି ପ୍ରବନ୍ଧ ମଧ୍ୟରେ ସେ ଉଲ୍ଲେଖ କରିଛନ୍ତି । ମଧୁବାରିଷ୍ଟର ଉତ୍କଳୀୟ ଶିଶୁମାନଙ୍କର ଯଥାର୍ଥ ଆଦର୍ଶ । ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବାରେ ତାଙ୍କର ଦାନ ଅତୁଳନୀୟ, ସେ ଯୁଗପୁରୁଷ ନିଜ ବୁଦ୍ଧି ଓ ଧୀଶକ୍ତି ବଳରେ କଟକଠାରେ ତାରକସୀ ଶିଳ୍ପ କାରଖାନା ସହିତ ଚମଡ଼ା କାରଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ । ଏଥିରେ ସେ କୁଶଳୀ କାରିଗର ସୃଷ୍ଟିକରି ଉତ୍କଳୀୟ ଶିଳ୍ପ, କଳା ଓ ଭାସ୍କର୍ଯ୍ୟକୁ ବିଶ୍ୱବିଜିତ କରିଥିଲେ । ତାଙ୍କର ଯଶ ଦେଖି ସରକାର ତାଙ୍କୁ ମନ୍ତ୍ରୀ ପଦରେ ଭୂଷିତ କରାଇଥିଲେ । ତାଙ୍କର ମୃତ୍ୟୁରେ ଆବାଳ ବୃଦ୍ଧ ବନିତା କାନ୍ଦି ଉଠିଥିଲେ । ତେଣୁ କାନ୍ତକବି ମଧୂସୂଦନଙ୍କ କଥା ଉଲ୍ଲେଖ କରି ପ୍ରତ୍ୟେକ ଉତ୍କଳୀୟ ଶିଶୁଙ୍କ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଜଣାଇଛନ୍ତି ।

 

୩.

କାନ୍ତସାହିତ୍ୟମାଳା (୧୯୬୪) ଦ୍ୱିତୀୟଖଣ୍ଡ, ପୃ-୬୭୮ ।

 

‘ସାହିତ୍ୟ ସୁଧାକର’ କାନ୍ତକବି ଲକ୍ଷ୍ମୀକାନ୍ତ ପିଲାମାନଙ୍କ ପାଠ୍ୟ ପୁସ୍ତକ ଉଦ୍ଦେଶ୍ୟରେ ରଚନା କରିଥିଲେ । ପିଲାମାନଙ୍କ ପାଠ୍ୟପୁସ୍ତକ ପାଇଁ ସାଧାରଣତଃ ଶିକ୍ଷଣୀୟ ବିଷୟସବୁ ରହିବା ଆବଶ୍ୟକ ବୋଲି ଅନୁଭବ କରି ସେ ‘ସାହିତ୍ୟ ସୁଧାକର’ ପୁସ୍ତକର ପ୍ରଥମ ପୃଷ୍ଠାରେ ଉତ୍କଳ ସହିତ ଶିଶୁମାନଙ୍କୁ ପରିଚିତ କରାଇ ଦେଇଛନ୍ତି । ଶିଶୁର ସରଳ ହୃଦୟରେ ଉତ୍କଳକୁ ଓ ଏହାର ସମ୍ପଦରାଶି ତଥା ସୁଷମାକୁ ସ୍ଥାନିତ କରିବା ପାଇଁ ପ୍ରଯତ୍ନ କରି କାନ୍ତକବି ଉଲ୍ଲେଖ କରିଛନ୍ତି-’’ ଉତ୍କଳର ଯେଉଁ ଦିଗକୁ ଯାଅ, ଦେଖିବ, ଉଦାର ପ୍ରକୃତି କିପରି ମୁକ୍ତ ହସ୍ତରେ ଏହି ଶୋଭାରାଶି ବିତରଣ କରୁଅଛନ୍ତି । ସମୁଦ୍ର ବାଲୁକାମୟ ବେଳାଭୂମି ନିଘଞ୍ଚ ଗୁଳ୍‌ମଲତା-ସମାବୃତ ହୋଇ କେଡ଼େ ମନୋହର । x x ଉତ୍କଳର ପର୍ବତଶ୍ରେଣୀରେ ଯେଉଁ କେତେଗୁଡ଼ିଏ ଉଚ୍ଚ ଗିରିଶୃଙ୍ଗ ରହିଅଛି ତନ୍ମଧ୍ୟରେ ମହେନ୍ଦ୍ର, ମାଲ୍ୟଗିରି, ଗନ୍ଧମାର୍ଦନ, କପିଳାସ, ମହାବିନାୟକ, ମେଘାସନ, ସ୍ୱର୍ଣ୍ଣଚୂଡ଼ ପ୍ରଭୃତି ପ୍ରଦାନ । ଏହାଛଡ଼ା ଉଦୟଗିରି, ଖଣ୍ଡଗିରି, ଧଉଳି, ଲଳିତଗିରି ପ୍ରଭୃତି ସୁବିଖ୍ୟାତ । ଏହିସବୁ ପର୍ବତ ସୌନ୍ଦର୍ଯ୍ୟଗାରିମାରେ ଅତୁଳନୀୟ କହିଲେ ଚଳେ ।’’ (୪) ‘ସୂର୍ଯ୍ୟମନ୍ଦିର’ ମଧ୍ୟରେ କାନ୍ତକବି ପିଲାମାନଙ୍କୁ ଭାରତୀୟସୂର୍ଯ୍ୟ ପୂଜାର ବିଧିବିଧାନ ସହିତ ପରିଚିତ କରାଇ କୋଣାର୍କଠାରେ କିପରି ସୂର୍ଯ୍ୟମନ୍ଦିର ନିର୍ମିତ ହେଲା ତାହାର କିମ୍ବଦନ୍ତୀ କହିଛନ୍ତି । ସମଗ୍ର ଭାରତ ବର୍ଷରେ ପ୍ରାଚୀନ କାଳରେ ବିଦ୍ୟାର୍ଜନ କ୍ଷେତ୍ରଭାବେ ମଗଧ ରାଜ୍ୟର ନାଳନ୍ଦା ଖ୍ୟାତିଲାଭ କରିଥିଲା । ଏଠାରେ ସାହିତ୍ୟ, ଦର୍ଶନ, ବିଜ୍ଞାନ ସହିତ ନାନାପ୍ରକାର କଳା ଶିକ୍ଷା ଦିଆଯାଉଥିଲା । ଖ୍ରୀଷ୍ଟ୍ରୀୟ ସପ୍ତମ ଶତାବ୍ଦୀରେ ପରିବ୍ରାଜକ ଇ-ସୀନ୍‌ ଓ ହୁଏନ୍‌ସାଂ ଚୀନ ଦେଶରୁ ଆସି ଏଠାରେ ବିଦ୍ୟାଶିକ୍ଷା ଲାଭ କରିବା ନିମିତ୍ତ ବହୁଦିନ ଅବସ୍ଥାନ କରିଥିଲେ ଓ ନାଳନ୍ଦାର ପ୍ରଧାନ ଅଧ୍ୟାପକ ଶୀଳଭଦ୍ରଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ନାଳନ୍ଦାରେ ଶିକ୍ଷା ମନ୍ଦିର ଥିଲା ପ୍ରାୟ ଏକଶତ । ପ୍ରତି ମନ୍ଦିର ମଧ୍ୟରେ ଜଣେ ଜଣେ ଅଧ୍ୟାପକ ଏକଶତ ଛାତ୍ରଙ୍କୁ ବିଦ୍ୟାଦାନ କରୁଥିଲେ । ଦଶ ସହସ୍ର ଶିକ୍ଷାର୍ଥୀଙ୍କ ବାସ ସକାଶେ ନବତଳ ବିଶିଷ୍ଟ ଚାରିଗୋଟି ବୃହତ୍‌ ପ୍ରାସାଦ ନିର୍ମିତ ହୋଇଥିଲା । (୫) ଏହି ପ୍ରସଙ୍ଗ କବି ‘ପ୍ରାଚୀନ ଭାରତର ବିଦ୍ୟାପୀଠ’ ମଧ୍ୟରେ ଉଲ୍ଲେଖ କରିଛନ୍ତି ।

 

୪.

କାନ୍ତସାହିତ୍ୟ ମାଳା (୧୯୬୪), ଦ୍ୱିତୀୟ ଖଣ୍ଡ, ପୃ-୬୯୩ ।

୫.

କାନ୍ତସାହିତ୍ୟମାଳା (୧୯୬୪), ଦ୍ୱିତୀୟ ଖଣ୍ଡ, ପୃ-୭୦୩ ।

 

ମହାତ୍ମାଗାନ୍ଧୀ ହେଉଛନ୍ତି ଆଧୁନିକ ଭାରତବର୍ଷର ନିର୍ମାତା । ସେ ଆମ ଦେଶର ଯଥାର୍ଥ ଜନକ, ଶିଶୁମାନଙ୍କୁ ସେହି ଜନକଙ୍କ ସହିତ ‘ମହାମାନବ ମୋହନ ଦାସ’ ମଧ୍ୟରେ ପରିଚିତ କରିଦେଇଛନ୍ତି । ତାଙ୍କର ଜନ୍ମଠାରୁ ଆରମ୍ଭ କରି ବିଦ୍ୟାରମ୍ଭ, ବିବାହ, ଦକ୍ଷିଣ ଆଫ୍ରିକାରେ ଆଇନ ବ୍ୟବସାୟ, ସ୍ୱଦେଶରେ ତାଙ୍କ ନେତୃତ୍ୱରେ ସତ୍ୟାଗ୍ରହ ଆନ୍ଦୋଳନ, ୧୯୩୦ ମସିହାରେ ଲବଣ ସତ୍ୟାଗହ, ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ଏବଂ ପରିଶେଷରେ ୧୯୪୮ ମସିହାରେ ତାଙ୍ଗର ଜଣେ ଆତତାୟୀର ଗୁଳିମାଡ଼ରେ ମୃତ୍ୟୁ ଏଥିରେ ବର୍ଣ୍ଣିତ । ଜଣେ ସାଧାରଣ ଶିଶୁ କିପରି କର୍ତ୍ତବ୍ୟପଥରେ ପରିଚାଳିତ ହୋଇ ସମଗ୍ର ଭାରତୀୟମାନଙ୍କୁ ଅନ୍ଧକାର ମଧ୍ୟରେ ଆଲୋକ ଦେଖାଇ ସ୍ୱାଧୀନତା ଆଣିଦେଇ ପାରେ ତା’ର ଦୃଷ୍ଟାନ୍ତ ହେଉଛନ୍ତି ମହାତ୍ମାଗାନ୍ଧୀ । ଏତଦ୍‍ବ୍ୟତୀତ ‘ମହାପ୍ରାଣ ଗୋପବନ୍ଧୁ’, ‘ନେତାଜୀ ସୁଭାଷ’ ପ୍ରଭୃତି ବ୍ୟକ୍ତି ଚରିତ୍ର ମଧ୍ୟରେ ଯେଉଁ ନୀତି ଓ ଆଦର୍ଶ ରହିଥିଲା ତାହା ପ୍ରତ୍ୟେକ ଭାରତୀୟ ଶିଶୁଙ୍କ ମଧ୍ୟରେ ପ୍ରକାଶ ପାଇବାର ଆଶା ପୋଷଣ କରିଛନ୍ତି, ଶିଶୁମାନଙ୍କର ସାଧାରଣଜ୍ଞାନ ବୃଦ୍ଧି କରିବା ପାଇଁ ଲକ୍ଷ୍ମୀକାନ୍ତ ତାଙ୍କୁ ବିଭିନ୍ନ ଶିଶୁଉପଯୋଗୀ ବିଷୟ ମଧ୍ୟରେ ସମଗ୍ର ଭାରତବର୍ଷ ପରିଭ୍ରମଣ କରାଇଛନ୍ତି । ଏସବୁ ବିଷୟ ହୋଇଛି ତାଙ୍କ ନିମିତ୍ତ ଶିକ୍ଷଣୀୟ ଓ ମନୋରମ ।

 

ଶିଶୁକବିତା ମଧ୍ୟରେ କବିଙ୍କର ‘ବାଳ ସାହିତ୍ୟ’ (ପଦ୍ୟଭାଗ), ‘ପାଠମାଳାର ପଦ୍ୟାଂଶ’, ‘କୁମାରୀ’, ‘ଧର୍ମ ସଂଗୀତ’, ‘ସାହିତ୍ୟ ସୁଧାକର’ (ପଦ୍ୟାଂଶ) ‘ବାଳଚର ବୋଲି’ ପ୍ରଭୃତି ପ୍ରଧାନ । ଏହି ପଦ୍ୟ ସାହିତ୍ୟ ମଧ୍ୟରେ କବି ଶିଶୁମନର ଅନ୍ତର୍ବେଦନାକୁ ଗଭୀରତାର ସହିତ ନିରୀକ୍ଷଣ କରିଛନ୍ତି । ଶିଶୁହୃଦୟର ବର୍ଣ୍ଣୋଜ୍ୱଳମୟ ଇନ୍ଦ୍ରଧନୁର ଶୋଭା ତଥା ପ୍ରଭାତର ସ୍ନିଗ୍‌ଧତାରେ ସେ ମୋହିତ ହୋଇଛନ୍ତି । କାନ୍ତକବି ଅନୁଭବ କରିଛନ୍ତି ମାନବ ଜୀବନର ବିଷଜ୍ଜ୍ୱାଳାଶିଶୁ ମନକୁ ସ୍ପର୍ଶ କରେନାହିଁ ବା ତା ହୃଦୟକୁ ଦଗ୍‌ଧ କରେ ନାହିଁ । ତେଣୁ ସବୁଆଡ଼େ ଶିଶୁ ଆନନ୍ଦରେ ଭାସୁଥାଏ । ତା’ର ଚତୁର୍ଦ୍ଦିଗରେ ସେ ସର୍ବଦା ଆନନ୍ଦର ନବ ପୁଲକରେ ଭାସି ଯାଉଥିବା ବନ ପକ୍ଷୀର କାକଳି ଶୁଣେ । ଏହି କ୍ରମରେ ଶିଶୁମନରେ ସୃଷ୍ଟି ହୁଏ ଅସଂଖ୍ୟ ଅସମାହିତ ପ୍ରଶ୍ନାବଳୀ । ତେଣୁ ସେ ନିଜକୁ ନିଜେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ବସେ, ଯେପରି ତା’ର ପ୍ରଶ୍ନର ଶେଷ ନାହିଁ । ଶିଶୁମନରେ ସତତ ଜାଗ୍ରତ ହୁଏ ଅତୃପ୍ତ ଜିଜ୍ଞାସା । ସେ ଶିଶୁ, ତା’ର ମନ ତରଳ ଓ କୋମଳ । ତା ମନରେ ଛନ୍ଦ କି କପଟ ନଥାଏ । ତେଣୁ ସେ ସର୍ବଦା ପ୍ରଫୁଲ୍ଲ, କଥାରେ ତା’ର ଅମୃତର ଆସ୍ୱାଦନ । ମାନବ ଜୀବନର ଏହି ଅବସ୍ଥା ଚିର ସ୍ମରଣୀୟ ଓ ସୃତି ମଧୁର । (୬)

 

୬.

ଶ୍ରୀ ବୈଷ୍ଣବ ଚରଣ ସାମଲ, ସାହିତ୍ୟ ସମ୍ବାଦ, ପୃ-୬୯ ।

 

ଶିଶୁ ଉପଯୋଗୀ ଗଦ୍ୟ ସାହିତ୍ୟ ରଚନା କରିଥିଲେ ମଧ୍ୟ ଶିଶୁ କବିତା ରଚନା କାନ୍ତକବିଙ୍କୁ ଯଥାର୍ଥରେ ଶିଶୁ ସାହିତ୍ୟିକ ଆସନରେ ଆସୀନ କରିଥିଲା । ସରଳ ଓ କୋମଳମତୀ ବାଳକ ବାଳିକାଙ୍କ ଜୀବନକୁ ସରସ ସୁନ୍ଦର କରି ଗଢ଼ିବାପାଇଁ ସେ ତାଙ୍କ ଶିଶୁ କବିତା ମଧ୍ୟରେ ପ୍ରେରଣା ଦେଇଥିଲେ । ତତ୍‌କାଳୀନ ବାଲେଶ୍ୱର ଜିଲ୍ଲା କଲେକ୍ଟରଙ୍କ ପତ୍ନୀ ଶ୍ରୀମତୀ ଜନ୍‌ଷ୍ଟନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ‘କୁମାରୀ’ ଶୀର୍ଷକ କବିତାବଳୀ ୧୯୨୪ ମସିହାରେ ରଚନା କରିଥିଲେ । ‘କୁମାରୀ’ ଅନ୍ତର୍ଗତ କବିତାଗୁଡ଼ିକରେ କବି ମୁଖ୍ୟତଃ ବାଳିକାମାନଙ୍କର ଭବିଷ୍ୟତ ଗ୍ରାର୍ହସ୍ଥ୍ୟ ଜୀବନର ନୀତିବୋଧ, ଆଚାର ବ୍ୟବହାର, ସ୍ୱାସ୍ଥ୍ୟରକ୍ଷା, ପଶୁପାଳନ ପ୍ରଭୃତି ଅନ୍ତର୍ଭୁକ୍ତ କରିଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ ସଂସାରରେ ନାରୀର ସ୍ଥାନ ଖୁବ୍‌ ଉଚ୍ଚରେ । ସେ ଜନନୀ, ଭଗିନୀ, ଜାୟା । ସେ ପୁଣି ଆଦ୍ୟାଶକ୍ତି ଓ ପୁଣ୍ୟମୟୀ ଦେବୀ । ନାରୀ ଜନ୍ମ ପୃଥିବୀରେ ହେୟ, ହୀନ ବା ନଗଣ୍ୟ ନୁହେଁ । ତା’ର ଜନ୍ମ ଜଗତର ମଙ୍ଗଳପାଇଁ । ତେଣୁ କାନ୍ତକବି କୁମାରୀମାନଙ୍କ ହୃଦୟରେ ନିରାଶା ମଧ୍ୟରେ ଆଶାର ଆଲୋକ ଆଣି ଦେଇଛନ୍ତି । କୁମାରୀମାନଙ୍କ ମୁଖରେ ହୀତ କଥାମାନ କୁହାଇ ନାରୀ ଜୀବନକୁ ସାର୍ଥକ କରିଛନ୍ତି ।

 

‘‘ଏ ଗୀତ ଗୁଡ଼ିକ ରତନ ଖଣି,

କୁମାରୀଙ୍କ କଣ୍ଠ ଅମୂଲ୍ୟ ମଣି ।

ଗଳାରେ ପିନ୍ଧିବା କରି ଯତନ,

ନାରୀଙ୍କର ଏହି ଶ୍ରେଷ୍ଠ ଭୁଷଣ ।

ହିତ କଥାମାନ ରହିଛି ଭରି,

ଶିଖିବା ସେସବୁ ଆପେ ଆଚରି ।

ସଂସାରେ ପ୍ରଶଂସା ହୋଇବ ସାର,

ଜଗତେ ମଙ୍ଗଳ ହେବ ଅପାର ।

ସ୍ତିରୀ ଜନ୍ମ ହୀନ ନୁହେଁ ଜଗତେ,

ଏହା ଜାଣି ଚାଲ କର୍ତ୍ତବ୍ୟ ପଥେ ।

ପୁଣ୍ୟମୟ ଅଟେ ନାରୀ ଜୀବନ,

ସେ ଜୀବନ ଏବେ କରିବା ଧନ୍ୟ ।’’ (୭)

 

୭.

କାନ୍ତସାହିତ୍ୟ ମାଳା- (୧୯୬୪), ଦ୍ୱିତୀୟ ଖଣ୍ଡ, ପୃ-୭୯୫ ।

 

‘ଫୁଲଗୀତ’ କବିତାରେ କବି ନାରୀ ଓ କୁମାରୀମାନଙ୍କୁ ପ୍ରସ୍ଫୁଟିତ ଓ ସୁରଭିତ ପୁଷ୍ପଟିଏ ପରି ନିଜ ସୁରଭିରେ ସଂସାରକୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଶିରୀଷ ପୁଷ୍ପପରି କୋମଳମତୀ ହେବାପାଇଁ ସେ ଶିଶୁମାନଙ୍କୁ ଉପଦେଶ ଦେଇଛନ୍ତି; ମାଳତୀ ଫୁଲ ପରି ନିଜ ମାଧୁମାରିରେ ଦୁଃଖୀରଙ୍କିମାନଙ୍କଠାରେ ମନଦେବା ଓ ସେମାନଙ୍କୁ ଭବିଷ୍ୟତ ନାଗରିକ ଭାବେ ଗଢ଼ି ତୋଳିବା ପାଇଁ ସେ ନୀତିବାଣୀ ଶୁଣାଇଛନ୍ତି । (୮)

 

୮.

କାନ୍ତସାହିତ୍ୟମାଳା- (୧୯୬୪), ଦ୍ୱିତୀୟ ଖଣ୍ଡ, ପୃ-୭୦୬ ।

 

‘ଶିଶୁପାଳନ ଗୀତ’ ମଧ୍ୟରେ କବି ଶିଶୁ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ସରଳ କୁମାରୀମାନଙ୍କୁ ଶିଶୁପାଳନ ସମୟରେ ନାନାଦି ବିଧି ବ୍ୟବସ୍ଥା ପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଶିଶୁ ମନରେ ଜଗତ ପ୍ରତି କୌଣସି ଖରାପ ମନୋଭାବ ବା ଉଦାସୀନ ଭାବ ସୃଷ୍ଟି ନକରାଇ କୋମଳ ମନୋଭାବ ସୃଷ୍ଟି କରାଇବା ପାଇଁ କବି କାନ୍ତକବି ମଧୁସୂଦନଙ୍କ ପରି ‘ଈଶ୍ୱରଙ୍କ ଗୀତ’ କବିତା ମଧ୍ୟରେ ପ୍ରଯତ୍ନ କରିଛନ୍ତି । ପୁନଶ୍ଚ ଉପଦେଶ ଛଳରେ କୁମାରୀମାନଙ୍କୁ କର୍ତ୍ତବ୍ୟ ପରାୟଣ ହେବାକୁ ‘ଫୁଲଗୀତ’ କବିତାରେ ସେ ପରାମର୍ଶ ଦେଇଛନ୍ତି । ‘ଭୂଗୋଳ ଗୀତ’, ‘ଗଛଗୀତ’ ପ୍ରଭୃତି କବିତାରେ ଶିଶୁର ଭୂଗୋଳ ଜ୍ଞାନ ଓ ଉଦ୍ଭିଦ ଜଗତ ସମ୍ବନ୍ଧରେ ଜାଣିବା ପାଇଁ କବି ଅତିମାତ୍ରାରେ ବ୍ୟଗ୍ର ହୋଇ ପଡ଼ିଛନ୍ତି । ସେ ପ୍ରକୃତିର ଶୋଭା ବର୍ଣ୍ଣନା ସୂର୍ଯ୍ୟ, ଚନ୍ଦ୍ର ଓ ତାରା, ଇନ୍ଦ୍ରଧନୁ, ନଦୀ ପ୍ରଭୃତି ମାଧ୍ୟମରେ କରିଛନ୍ତି । ପୁଣି ଅରଟ ଗୀତ ମଧ୍ୟରେ ଆତ୍ମନିର୍ଭରଶୀଳ ହେବାପାଇଁ ମାନବ ଶିଶୁଙ୍କୁ ଆହ୍ୱାନ ଶୁଣାଇଛନ୍ତି ।

 

ଶିଶୁମାନେ ସାଧାରଣତଃ କ୍ରୀଡ଼ାପ୍ରିୟ । କ୍ରୀଡ଼ାପ୍ରିୟ ହୋଇଥିବାରୁ ସେମାନେ ନିରୀହ ପଶୁମାନଙ୍କୁ ପାଳନ କରିବାକୁ ସୁଖ ମଣନ୍ତି । ଶୁଆ, ଶାରୀ ପ୍ରଭୃତି ପକ୍ଷୀମାନଙ୍କୁ ପଞ୍ଜୁରୀବଦ୍ଧ କରି ସେହି ପଶୁ ପକ୍ଷୀମାନଙ୍କ ସହିତ ସେମାନେ ଖେଳିବାକୁ ଭଲ ପାଆନ୍ତି । ନିରୀହ ମେଷ ଶ୍ରାବକଟିଏ ପାଳନ କରି ସେମାନେ ଆନନ୍ଦରେ ଅଧିର ହୋଇପଡ଼ନ୍ତି ଓ ନିଜ ବାଡ଼ି ବଗିଚାରେ ଭ୍ରମଣ କରି ପ୍ରଜାପତିର ପାଶ୍ଚାତ୍‌ଧାବନ କରନ୍ତି । ଶିଶୁମାନଙ୍କର ଏହି କ୍ରିୟା କଳାପକୁ ଜଣେ ସଚେତନଶୀଳ ଶିଳ୍ପୀ ଭାବେ କାନ୍ତକବି ଲକ୍ଷ୍ୟ କରିଛନ୍ତି ଓ ଶିଶୁମାନଙ୍କର ଏସବୁ ଗୁଣକୁ ସେ ଭଲଭାବେ ନିରୀକ୍ଷଣ କରିଛନ୍ତି । ଜଣେ ବିଶିଷ୍ଟ ମନୋବିଜ୍ଞାନୀର ଦୃଷ୍ଟିନେଇ ସେ ଶିଶୁ ମନସ୍ତତ୍ତ୍ୱକୁ ପରୀକ୍ଷା କରିଛନ୍ତି । ପୁନଶ୍ଚ ବହୁ ଅଲୋଡ଼ା ଜୀବଙ୍କ ସମ୍ବନ୍ଧରେ ଶିଶୁମାନଙ୍କୁ ତାଙ୍କ ବୋଧଗମ୍ୟ ଭାଷାରେ ଅତି ଚମତ୍କାର ଭାବରେ ବହୁ କଥା କହିଛନ୍ତି । ଜୀବଜନ୍ତୁମାନଙ୍କୁ ପିଲାଙ୍କ ନିକଟକୁ ଆଣି ତାଙ୍କ ସହିତ ସେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଭାଷାରେ- ‘‘ଆମ ପିଲା ନିତି ଯାହାଙ୍କୁ ଦେଖନ୍ତି ବା ଯାହାଙ୍କ ବିଷୟରେ ନିତି ଶୁଣନ୍ତି, ସେପରି ଗୁଡ଼ିଏ ଜୀବଜନ୍ତୁ କଥା ସାନ ପିଲାଙ୍କ ଶୁଣିପାରିବା ଭଳି ସରଳ ଭାଷା ଓ ତାଙ୍କ ମନ ଲାଖିବା ଭଳି ଭାବଭଙ୍ଗୀରେ ଗୀତ କରି ଏଥିରେ ଦିଆଗଲା । ଏହାଦ୍ୱାରା ପିଲାଏ ଯଦି ଖେଳ କୌତୁକ ସାଙ୍ଗରେ କିଛି ହେଲେ ଶିଖି ପାରନ୍ତେ, ତେବେ ଏତକ ଯତ୍ନ ସଫଳ ହେବ । (୯) କାନ୍ତକବିଙ୍କ ଉପର୍ଯ୍ୟୁକ୍ତ ମନୋଭାବର ଫଳଶ୍ରୁତି ହେଉଛି ‘ଜୀବଜନ୍ତୁ ବା ଚିଡ଼ିଆଖାନା’ । ଶିଶୁମାନଙ୍କର ସୁବିଧାରେ ମନେରହିବା ପାଇଁ କାନ୍ତକବି ଏହି ବିଭାଗର ଲେଖାଗୁଡ଼ିକ କବିତାକାରରେ ପ୍ରକାଶ କରିଛନ୍ତି । ଏତଦ୍‌ବ୍ୟତୀତ କାନ୍ତକବି ଏହି ବିଭାଗରେ ଗଧ, ଓଟ, ବିଲୁଆ, ସିଂହ, କୁକୁର, ମାଙ୍କଡ଼, ଛେଳି, ଠେକୁଆ, ହଂସ, ପାରା ପ୍ରଭୃତି କବିତାବଳୀ ମଧ୍ୟରେ ଶିଶୁମାନଙ୍କୁ ବିଭିନ୍ନ ପଶୁପକ୍ଷୀଙ୍କ ସହିତ ପରିଚିତ କରାଇଛନ୍ତି । ଶିଶୁମାନଙ୍କୁ ହସେଇ ରସେଇ ଶିକ୍ଷା ଦେବାଲାଗି ରଙ୍ଗବେରଙ୍ଗ ଛବି ଓ କୌତୁକିଆ ଗୀତରେ ଭରା ‘ଚିଡ଼ିଆଖାନା’ କବିଙ୍କର ହୋଇଛି ଏକ ଅନବଦ୍ୟ ସୃଷ୍ଟି ।

 

କବିଙ୍କର ‘ପାଠମାଳାର ପଦ୍ୟାଂଶ’ ହେଉଛି ଶିଶୁ ଉପଯୋଗୀ ରଚନା । ଏହା ଏକଦା ଶିଶୁମାନଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଥିଲା । ଅତି ସାଧାରଣ କଥାକୁ ପଦ୍ୟାକାରରେ ପ୍ରକାଶ କରି ତାହାକୁ ଦୀର୍ଘ ଦିନଧରି ଶିଶୁମାନଙ୍କ ସ୍ମୃତି ପଟ୍ଟରେ ସାଇତି ରଖିବା କବିଙ୍କର ଏହି ରଚନାର ମୌଳିକ ଲକ୍ଷ୍ୟ ଥିଲା । ଏହି ଉଦ୍ଦେଶ୍ୟରେ ସେ ସାତବାର, ବାରମାସ, ରାତି ପାହିଲା, ସକାଳ, ଆମ ଗାଁ, ଭଞ୍ଜ ଭୁଇଁ, ଜହ୍ନମାମୁଁ ପ୍ରଭୃତି ଷୋହଳଟି କ୍ଷୁଦ୍ର ଗୀତିମାଳା ରଚନା କରିଥିଲେ । ପିଲାମାନଙ୍କୁ ସାତବାର ସହିତ ପରିଚିତ କରିବା ଉଦ୍ଦେଶ୍ୟରେ କବି ସପ୍ତାହର ପ୍ରତ୍ୟେକ ବାର ସହିତ ଉତ୍କଳର ବିଭିନ୍ନ ପର୍ବପର୍ବାଣି ଓ ଓଷାବ୍ରତର ସଂଯୋଜନା କରିଛନ୍ତି । ଓଡ଼ିଶାର ପର୍ବବପର୍ବାଣି ସହିତ ଶିଶୁମାନଙ୍କୁ ସେ ବିଭିନ୍ନ ଗୀତ ମାଧ୍ୟମରେ ସାମିଲ କରିଛନ୍ତି ।

 

ଯଥା :-

ସୋମବାର ଦିନ ଶିବଙ୍କ ଗୀତ,

      ବାରୁଣୀ ଘାଟରେ ଲୋକ ବହୁତ ।

ମଙ୍ଗଳ ବାରରେ ମଙ୍ଗଳା ପୂଜା

      ଚଣ୍ଡୀ ପଢ଼ିବାକୁ ବ୍ରାହ୍ମଣ ଖୋଜା ।

ବୁଧ ସକାଳରେ ସବୁଠୁ ଭଲ

      ଯେଉଁ କାମେ ଯିବ ହେବ ସଫଳ ।

ଗୁରୁବାର ଗୋଟି ଲକ୍ଷ୍ମୀଙ୍କ ଦିନ,

      ଲକ୍ଷ୍ମୀ ପୂଜା କଲେ ବଢ଼ଇ ଧନ ।’’ (୧୦)

 

୯.

କାନ୍ତସାହିତ୍ୟମାଳା (୧୯୬୪) ଦ୍ୱିତୀୟଖଣ୍ଡ, ପୃ-୭୭୭ ।

୧୦.

କାନ୍ତ ସାହିତ୍ୟମାଳା (୧୯୬୪), ଦ୍ୱିତୀୟ ଖଣ୍ଡ, ପୃ-୭୮୯ ।

 

ବାରମାସ ଓ ଛଅ ଋତୁ ସହିତ ଶିଶୁମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ କାନ୍ତକବିଙ୍କ ‘ବାରମାସ’ କବିତାଟି ରଚିତ । ଏହି କବିତାଟିରେ କବି ବାରମାସ, ଛଅ ଋତୁ ତଥା ବିଭିନ୍ନ ମାସର ବିଭିନ୍ନ ଫଳ ସମ୍ପର୍କରେ ସୂଚନା ଦେଇ ତାହାକୁ ସର୍ବାଦୌ ସ୍ମରଣ ରଖିବା ପାଇଁ ଶିଶୁମାନଙ୍କୁ ଉପଦେଶ ଦେଇଛନ୍ତି ।

 

ଜନନୀ ଓ ଜନ୍ମଭୂମି ପ୍ରତି ସମସ୍ତଙ୍କର ସ୍ନେହ, ଭକ୍ତି, ଆନ୍ତରିକତା ଏବଂ ଆକର୍ଷଣ ଭାବ ଥାଏ । ଜନ୍ମମାଟିରେ ପାଦଥାପି ଚାଲିଲାବେଳେ ମନୁଷ୍ୟ ସବୁକିଛି ଭୁଲିଯାଏ, ଭାବ ବିହ୍ୱଳ ଓ ତନ୍ମୟ ହୋଇପଡ଼େ । ବିଶେଷତଃ ପଲ୍ଲୀ ପ୍ରକୃତିର ଶୋଭାରାଶି ମାନବ ହୃଦୟରେ ଅଲୌକିକ ଆନନ୍ଦ ଭରିଦିଏ । ଗ୍ରାମ୍ୟ ବନାନୀର ମୃଦୁମନ୍ଦ ଧ୍ୱନି, କୋକିଳର କୁହୁ କୁହୁ କୁଜନ, ଅଙ୍କାବଙ୍କା ଗ୍ରାମ୍ୟ ନଦୀର କୁଳୁକୁଳୁ ନିନାଦନ, ବନଫୁଲର ସୁରଭିତ ଗନ୍ଧ ଜନମନ ହରଣ କରେ । ଶିଶୁପ୍ରାଣ ପ୍ରକୃତିର ଏହି ଶୋଭାରେ ବିମୋହିତ ହୋଇଯାଏ ଏବଂ ପ୍ରକୃତି ପ୍ରାଣରେ ପ୍ରାଣ ମିଳେଇ ତା ସହିତ ଗୀତ ଗାଏ । ପ୍ରକୃତିର ଏହି ଦୃଶ୍ୟକୁ କବି ‘ଆମ ଗାଁ’ କବିତାରେ ପ୍ରକାଶ କରିଛନ୍ତି ।

 

ଆମ ଗାଆଁ ଆମ ଗାଆଁ ଆମର ଏହି ଗାଆଁ,

ଏମିତି ଗାଆଁ କେଉଁଠି ଅଛି କହିବ ତାହା ନାଁ ।

କେଉଁ ଗାଆଁରେ ଏଭଳି ପଡ଼େ ଚକଚକିଆ ଖରା,

ଏଭଳି ତୋର କେଉଁଠି ଜହ୍ନ ଜୁକୁଜୁକିଆ ତରା ?’’ (୧୧)

 

୧୧.

କାନ୍ତ ସାହିତ୍ୟ ମାଳା (୧୯୬୪) ଦ୍ୱିତୀୟ ଖଣ୍ଡ, ପୃ-୭୯୦ ।

 

ପ୍ରାତଃକାଳ ହେଉଛି ବ୍ରାହ୍ମ ମୁହୂର୍ତ୍ତ । ପ୍ରତ୍ୟୁଷର ନୂତନ ସୂର୍ଯ୍ୟୋଦୟ ଜନମାନସକୁ କର୍ମମୁଖର ହେବା ପାଇଁ ପ୍ରେରଣା ଦିଏ ଓ ତା ମନରେ ନବଚେତନା ସୃଷ୍ଟି କରେ । କବି ପ୍ରଭାତର ଏହି ରୂପ ସଂଦର୍ଶନ ମୁଗ୍‌ଧ ହୋଇ ଶିଶୁମାନଙ୍କୁ ‘ସକାଳ’ କବିତା ମାଧ୍ୟମରେ ନୀତିବାଣୀ ଶୁଣାଇଛନ୍ତି । ସକାଳର କାକରଡ଼ି, ତେଲୀର ଘଣାବୁଲା ଶବ୍ଦ, ଖଳାରେ ପଡ଼ୁଥିବା ବେଙ୍ଗଳାର ଦୃଶ୍ୟ, ନୂଆ ବୋହୂର ବାସି ପାଇଟି ଓ ନଦୀ ଗାଧୁଆ ଚିତ୍ର, କୃଷକର କୃଷିକାର୍ଯ୍ୟ, ଗ୍ରାମ୍ୟ ଚାଟଶାଳୀ ଦୃଶ୍ୟ ବାସ୍ତବରେ ଶିଶୁ ମନରେ ପୁଲକ ସୃଷ୍ଟି କରିଛି । ଧରମା କବିତାରେ କବି ଶିଶୁମାନଙ୍କୁ ବାରବର୍ଷର ବଢ଼େଇ ବାଳକ ‘ଧର୍ମପଦ’ ପରି ଉତ୍ସର୍ଗୀକୃତ ଜୀବନଯାପନ କରିବାକୁ ପ୍ରେରଣା ଦେଇଛନ୍ତି ।

 

ଶିଶୁର ସୁକୋମଳ ପ୍ରାଣରେ ଧର୍ମୀୟ ଭାବନା ଜାଗ୍ରତ କରାଇ ଗୁରୁଜନମାନଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ଭକ୍ତିଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ କବି ଧର୍ମ ସଙ୍ଗୀତ ପୁସ୍ତକ ଅନ୍ତର୍ଗତ ‘ଗୁରୁବନ୍ଦନା’ କବିତାଟି ରଚନା କରିଛନ୍ତି । ଗୁରୁ ଅନ୍ଧକାର ମଧ୍ୟରେ ରହୁଥିବା ଶିଶୁକୁ ଜ୍ଞାନାଲୋକ ପ୍ରଦାନ କରନ୍ତି । ତାହାକୁ ଦିବ୍ୟଜ୍ଞାନ ଦିଅନ୍ତି । ତେଣୁ ପିତାମାତା ଓ ଈଶ୍ୱରଙ୍କ ପରି ଗୁରୁ ମଧ୍ୟ କୃପାମୟ, ମଙ୍ଗଳମୟ ଓ ଦେବୋପମ । ଗୁରୁ ଶିଶୁର ଭାଗ୍ୟ ନିୟନ୍ତା । ସେଥିପାଇଁ ଏହି କବିତାରେ ଲକ୍ଷ୍ମୀକାନ୍ତ ଗୁରୁବନ୍ଦନା କରି ତାଙ୍କ କଣ୍ଠରେ କଣ୍ଠ ମିଳେଇ ଏହି ବନ୍ଦନା ନିମ୍ନଭାବେ ଗାନ କରିଛନ୍ତି :

 

‘‘ଅନ୍ଧକାରେ ବୁଡ଼ି ରହିଥିଲି ମୁଁ ଅଜ୍ଞାନ,

ଦୟାକରି ଗୁରୁ ମୋତେ କଲେ ଜ୍ଞାନ ଦାନ,

ଗୁରୁଦେବ କୃପାମୟ

ଗାଅ ସର୍ବେ ମିଳି ‘ଜୟ ଗୁରୁଙ୍କର ଜୟ’ ।’’ (୧୨)

 

୧୨.

କାନ୍ତ ସାହିତ୍ୟ ମାଳା (୧୯୬୪), ଦ୍ୱିତୀୟ ଖଣ୍ଡ, ପୃ-୮୧୧ ।

 

ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ଉଚ୍ଚ ଓ ମହାନ । ଉଭୟଙ୍କ ଆଶୀର୍ବାଦରେ ମାନବର ଭବିଷ୍ୟତ ମଙ୍ଗଳମୟ ହୁଏ । ଜନନୀ ନିଜ ସ୍ତନର କ୍ଷୀରାମୃତ ଦାନ କରି ଶିଶୁର ପ୍ରାଣରକ୍ଷା କରେ । ଜନନୀର କଲ୍ୟାଣରୁ ଧରାବକ୍ଷରେ ହସର ଫଲ୍‌ଗୁଧାରା ଝରିଯାଏ । ତେଣୁ ଜନନୀ ହେଉଛନ୍ତି ଧରିତ୍ରୀଠାରୁ ଆହୁରି ଉଚ୍ଚ ଓ ମହନୀୟ । ପିତା ହେଉଛନ୍ତି ପ୍ରତ୍ୟକ୍ଷ ଦେବତା । ସେ ପୁଣି ଧର୍ମ, ସ୍ୱର୍ଗ, ତପ ଓ ଜପ । ତାଙ୍କ ନାମୋଚ୍ଚାରଣରେ ସବୁ ପାପ ଦୂରିତ ହୁଏ । ସୁତରାଂ କବି ଉଭୟ ‘ମାତା’ ଓ ‘ପିତା’ କବିତାରେ ପିତାମାତାଙ୍କ ଚରଣାରବିନ୍ଦରେ ଧ୍ୟାନ ପୂର୍ବକ ଶିଶୁମାନଙ୍କୁ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଛନ୍ତି । ଏତଦ୍‌ବ୍ୟତୀତ ଧର୍ମ ସଙ୍ଗୀତରେ ଗ୍ରଥିତ ଭକ୍ତିଭୂଳକ କବିତା ହେଉଛି ‘ତୁମେ ପ୍ରେମମୟ’, ‘ତୁମେ ଆପଣାର’, ‘ତୁମେ ମଙ୍ଗଳମୟ’, ‘ସବୁ ଦେଇଛ’ ପ୍ରଭୃତି-

 

ଓଡ଼ିଆ ଶବ୍ଦମାନଙ୍କରେ ଥିବା ବିଶିଷ୍ଟ ଉଚ୍ଚାରଣ ଯୋଗୁ ଓଡ଼ିଆ ଭାଷାରେ ଶିଶୁବୋଲି ଓ ଓଡ଼ିଆ ସାମରିକ ସଙ୍ଗୀତ ରଚିତ ହୋଇପାରୁ ନାହିଁ ବୋଲି ସେ ସ୍ଥିର କରି ନେଇଥିଲେ । ଫଳତଃ ଓଡ଼ିଆ ଶିଶୁସାହିତ୍ୟରେ ପରୀକ୍ଷା ସ୍ୱରୂପ ସାମରିକ ସଙ୍ଗୀତ, ଡୁହା, ନିନାଦ ପ୍ରଭୃତି ରଚନା କରି ତାହାକୁ ପ୍ରକାଶ କରିଥିଲେ ଓ ତାହା କ୍ରମେ କ୍ରମେ ଓଡ଼ିଆ ଶିଶୁସାହିତ୍ୟରେ ନିଜର ଆସନ ଦୃଢ଼ କରିଥିଲା ।

 

କାନ୍ତକବିଙ୍କ ‘ବାଳଚର ବୋଲି’ ଅନ୍ତର୍ଗତ ନଅଗୋଟି ଶିଶୁ ସଙ୍ଗୀତ ମଧ୍ୟରେ ‘ପ୍ରଣତି ପ୍ରାର୍ଥନା’, ‘‘ଓଡ଼ିଶା ମୋ ଦେଶ’, ‘ମୋ ଦେଶ’, ‘ଗାନ୍ଧୀ’, ‘ଆଗେ ଚାଲ’ ପ୍ରଭୃତି ପ୍ରଧାନ ଥିଲା ଓଡ଼ିଶାର ସ୍କାଉଟ୍‌ ପିଲାମାନଙ୍କ ମଧ୍ୟରେ ଅସୀମ ଶକ୍ତିର ପ୍ରବାହମାନ ଧାରା ସୃଷ୍ଟି କରିବା ପାଇଁ କାନ୍ତକବି ସେମାନଙ୍କ ଅନ୍ତରର ଭାବକୁ ପ୍ରକାଶ କରି ପ୍ରାର୍ଥନା ସଙ୍ଗୀତରେ ଗାଇଥିଲେ –

 

ଆକବର ପରି ଦିଅ ଉଦାରତା,

ଶିବାଜୀଙ୍କ ପରି ସ୍ୱଦେଶ ପ୍ରିୟତା,

ଅର୍ଜ୍ଜୁନ ପରି ଧୈର୍ଯ୍ୟ ଦିଅ ହେ,

କର୍ଣ୍ଣ ସମାନ ଶକ୍ତି,

ଭୀଷ୍ମ ସମାନ ସତ୍ୟ ସାଧନ

ପ୍ରହ୍ଲାଦ ପରି ଭକ୍ତି ।’’ (୧୩)

 

୧୩.

କାନ୍ତ ସାହିତ୍ୟମାଳା (୧୯୬୪) ଦ୍ୱିତୀୟ ଖଣ୍ଡ, ପୃ-୮୨୪ ।

 

‘‘ଓଡ଼ିଶା ମୋ ଦେଶ’ କବିତାରେ କବିଙ୍କର ମାତୃଭୂମି ପ୍ରତି ରହିଛି ଗଭୀର ମମତ୍ୱବୋଧ ଓ ‘ଏକତା’ ମଧ୍ୟରେ କବିଙ୍କର ସମଗ୍ର ଶିଶୁ ସମାଜକୁ ଏକତ୍ରିତ କରିବାର ପ୍ରେରଣା ରହିଛି ।

 

କାନ୍ତକବିଙ୍କ ଶିଶୁସାହିତ୍ୟ ରଚନାର ସମୟ ହେଉଛି ସମଗ୍ର ଭାରତୀୟ ସମାଜ ପାଇଁ ଆତ୍ମଜାଗୃତିର ସମୟ । ଏତିକିବେଳେ ପରାଧୀନ ଭାରତୀୟମାନଙ୍କୁ ବିଶେଷ କରି ଦେଶର ଭବିଷ୍ୟତ ନାଗରିକ ଏହି ଶିଶୁମାନଙ୍କୁ ଦେଶାତ୍ମବୋଧକ କବିତା ଶୁଣାଇ ତାଙ୍କ ମଧ୍ୟରେ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବା ପାଇଁ କାନ୍ତକବି ଲେଖନୀ ଧାରଣ କରିଥିଲେ । ତେଣୁ କାନ୍ତକବିଙ୍କ ଶିଶୁସାହିତ୍ୟ ମଧ୍ୟରେ ରହିଛି ସ୍ୱାଧୀନତା ପାଇଁ ଶୀତଳ ଯୁଦ୍ଧର ଆହ୍ୱାନ ଓ ଗାନ୍ଧୀ ଦର୍ଶନର ବାଣୀମନ୍ତ୍ର ।

 

କାନ୍ତକବି ଶିଶୁ ପ୍ରାଣର ବ୍ୟଥା ଓ ବେଦନା ଖୁବ୍‌ ଭଲ ଭାବରେ ଅନୁଭବ କରିଥିଲେ । ଶିଶୁ ମନସ୍ତତ୍ତ୍ୱକୁ ସେ ଠିକଭାବେ ହୃଦୟଙ୍ଗମ କରିଥିଲେ । ତେଣୁ ତାଙ୍କ ଲେଖନୀରୁ ଯେଉଁ କବିତାର ସ୍ରୋତ ଝରି ଆସୁଥିଲା । ତାହା ଶିଶୁ ଚରିତ୍ର ଗଠନ ନିମିତ୍ତ ଏକାନ୍ତ ଉପଯୋଗୀ ଥିଲା । କାନ୍ତକବିଙ୍କ ଶିଶୁସାହିତ୍ୟର ଭାଷା ଥିଲା ଯଥାର୍ଥରେ ଶିଶୁ ମୁଖର ଭାଷା । ତେଣୁ ଏହା ଶିଶୁମାନଙ୍କର ବୁଝିବା ପାଇଁ ଖୁବ୍‌ ସହଜ ହୋଇ ପାରିଥିଲା ।

 

ପୁନଶ୍ଚ ଶିଶୁମାନଙ୍କର ସଂସାର ସହିତ ପରିଚିତ କରି ସେମାନଙ୍କୁ ସଂସାର ସମ୍ବନ୍ଧରେ ସମ୍ୟକ ଧାରଣା ଦେବାପାଇଁ କାନ୍ତ ସାହିତ୍ୟ ଉଦ୍ଦିଷ୍ଟ ଥିଲା । ଓଡ଼ିଶାର ସାମାଜିକ ଓ ରାଜନୀତିକ ପରମ୍ପରା, ଆର୍ଥିକ ଚେତନା, ଧାର୍ମିକ ଦୃଷ୍ଟିକୋଣ, ସାଂସ୍କୃତିକ ଆବହାଓ୍ୱାର ସରଳୀକୃତ ରୂପେ ସେ ଶିଶୁମାନଙ୍କୁ ସରଳ ପଦାବଳୀ ମାଧ୍ୟମରେ ବୁଝାଇବାକୁ ବହୁ ପ୍ରଯତ୍ନ କରିଥିଲେ ।

 

ତେଣୁ ଆଲୋଚନାରୁ ଜଣାଯାଏ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସାହିତ୍ୟ ସୃଷ୍ଟି କେବଳ ଗଳ୍ପ, ଉପନ୍ୟାସ ବା ନାଟକ ମଧ୍ୟରେ ସୀମିତ ନରହି ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା । ତାଙ୍କଦ୍ୱାରା ଓଡ଼ିଆ ଶିଶୁସାହିତ୍ୟର ଉଭୟ ଆଙ୍ଗିକ ଓ ଆତ୍ମିକ ସୌଷ୍ଠବ ବହୁ ଭାବରେ ବୃଦ୍ଧି ପାଇଥିଲା ।

 

ଅତଏବ କାନ୍ତକବି ସାହିତ୍ୟର ଅନ୍ୟାନ୍ୟ ବିଭାବରେ ଯେପରି ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ସେହିପରି ଅନୁରୂପ ଗୌରବର ଅଧିକାରୀ ହୋଇ ପାରିଛନ୍ତି ।

 

 

ଅଧ୍ୟାପକ,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ଖ୍ରୀଷ୍ଟ ମହାବିଦ୍ୟାଳୟ

କଟକ – ୭୫୩୦୦୮

***

 

ଶିଶୁ ସାହିତ୍ୟିକ ଚକ୍ରଧର ମହାପାତ୍ର

ଶ୍ରୀ ଭାସ୍କରଚନ୍ଦ୍ର ଖଟାଇ

 

ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିନକୁ ଦିନ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ଶିଶୁସାହିତ୍ୟ ଭାଗ୍ୟରେ ଆଶାନୁରୂପ ବିକାଶ ଆଜି ସୁଦ୍ଧା ଘଟିନାହିଁ । ଓଡ଼ିଆ ସାହିତ୍ୟରେ ‘ଶିଶୁସାହିତ୍ୟ’ ବର୍ତ୍ତମାନ ତା’ର କୈଶୋର ଅବସ୍ଥା ଅତିକ୍ରାନ୍ତ କରିଥିଲା ଭଳି ମନେହୁଏ ନାହିଁ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଚେଷ୍ଟାରେ ସଙ୍କଳକ ଶ୍ରୀ ରାମକୃଷ୍ଣ ନନ୍ଦଙ୍କ କୃତି ‘‘ଓଡ଼ିଆ ଶିଶୁସାହିତ୍ୟ ସଂକଳନ କହେ’’–ଶିଶୁସାହିତ୍ୟ ତା’ର ଉନ୍ମେଷ କାଳ (୧୮୭୬-୧୮୯୭), ପ୍ରାଣ ପ୍ରତିଷ୍ଠା–(୧୮୯୮-୧୯୧୯), ଅଭ୍ୟୁଦୟ କାଳ–(୧୯୨୦-୧୯୪୭) ଓ ବିକାଶ ପଥେ ଓଡ଼ିଆ ଶିଶୁସାହିତ୍ୟ–୧୯୪୭ରୁ ଦୋଳପୂର୍ଣ୍ଣିମା ତା ୨୦/୩/୧୯୮୧ରିଖ ମଧ୍ୟରେ ବିଭିନ୍ନ ପଥ ଦେଇ ଗତି କରି ଆସିଛି ।

 

ହେଲେ ଏହାର ଯୌବନ ପ୍ରାପ୍ତିପାଇଁ ନିଶ୍ଚିତ ଭାବେ ଆହୁରି ଅଧିକ ସମୟ ଦରକାର । କାରଣ ପିଲାଙ୍କ ମନ ଛୁଇଁଲାଭଳି ମାର୍ଜିତ ରୁଚିର ମଜାଗୀତ ଏବଂ ହାସ୍ୟରସାତ୍ମକ ଗଳ୍ପର ଅଭାବ ଏବେ ବି ଶିଶୁସାହିତ୍ୟରେ ପରିଲକ୍ଷିତ ହୁଏ । ଜୀବନ ସାହିତ୍ୟ, ବିଜ୍ଞାନ ସମ୍ବନ୍ଧୀୟ ଲେଖା ଏବଂ ନୀତିଶିକ୍ଷାମୂଳକ ଲେଖାଗୁଡ଼ିଏ ଗଳ୍ପଛଳରେ ଲେଖାହେଲେ ତାହା ଶିଶୁମାନଙ୍କଦ୍ୱାରା ବେଶ୍‌ ଗ୍ରହଣୀୟ ହୋଇ ପାରନ୍ତା, କାରଣ ଶିଶୁମାନେ ସାଧାରଣତଃ ଅଧିକ ଗଳ୍ପ ପ୍ରିୟ ଏବଂ ଚିତ୍ର ପ୍ରିୟ ହୋଇଥାଆନ୍ତି । ଗୁଣାତ୍ମକ ଦୃଷ୍ଟିରୁ ବିଚାରଲୋଚନା କଲେ ଓଡ଼ିଆ ଶିଶୁସାହିତ୍ୟ ଯେତେ ବିକାଶ ପଥରେ ଆଗେଇ ଚାଲୁନା କାହିଁକି ଏହାର ଆଙ୍ଗିକ ପରିପାଟୀ ଆଦୌ ସନ୍ତୋଷଜନକ ନୁହେଁ । ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ ପ୍ରଭୃତି ପଡ଼ୋଶୀ ଭାଷାରେ ରଙ୍ଗୀନ୍‌ ଚିତ୍ର ବହୁଳ ଶିଶୁପତ୍ରିକା ଓ ଶିଶୁପୁସ୍ତକର ପ୍ରକାଶ ଓ ପ୍ରସାରଭଳି ଏହା ସେପରି ପାଦ ମିଳାଇ ଆଗେଇ ପାରିନି ।

 

କବି ମଧୁସୂଦନ ଯଥାର୍ଥରେ ଓଡ଼ିଆ ଶିଶୁସାହିତ୍ୟର ଜନକ ଥିଲେ ଏବଂ ତାଙ୍କର ‘ମଧୁସୂଦନ ବର୍ଣ୍ଣବୋଧ’ ସେତେବେଳେ ଘରେ ଘରେ ପିଲାଙ୍କଦ୍ୱାରା ଆଦୃତ ଲାଭ କରିଥିଲା । ତଥାପି ଭାରତ ସରକାରଙ୍କଦ୍ୱାରା ପୁରସ୍କୃତ ଜନୈକ ଶିଶୁ ସାହିତ୍ୟିକଙ୍କ ଅପ୍ରକାଶିତ ହାତ ଲେଖାର ଅଭିମତ ଏ ବିଷୟରେ କୁହେ–‘‘ତାଙ୍କର ପ୍ରଥମ ପୁତ୍ରର ଚତୁର୍ଥ ବର୍ଷ ବୟସ ହେବା ସମୟରେ ସେ ପିଲାଙ୍କ ମନଲାଖି ଅକ୍ଷର ପରିଚୟ ବହିର ଏକାନ୍ତ ଅଭାବ ଅନୁଭବ କଲେ । ବଙ୍ଗଳା ‘‘ହାସିଖୁସି’’, ‘‘ହିଜିବିଜି’’ ପ୍ରଭୃତି ବହିଗୁଡ଼ିକ ପିଲାଟି ଆନନ୍ଦର ସହିତ ପୃଷ୍ଠା ଲେଉଟାଇ ଦେଖେ, କିନ୍ତୁ ଓଡ଼ିଆରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧକୁ ସେ ଦେଖିବାକୁ ଆଗ୍ରହ ପ୍ରକାଶ କରୁନଥାଏ । ତେଣୁ କେହି ଲେଖକ ବଙ୍ଗଳା ହାସିଖୁସି ଭଳିଆ ବହିଖଣ୍ଡେ ଓଡ଼ିଆରେ ଲେଖନ୍ତା-ଏହା ଚିନ୍ତା ତାଙ୍କ ମନରେ ଜାତ ହୋଇଥିଲା ।’’

 

ସପନ ବେଳେ ବେଳେ ସତ ହୋଇଥାଏ । କିନ୍ତୁ ସତ୍ୟ ବର୍ତ୍ତମାନ ସପନ ଭଳି ମନେ ହେଉଛି । ଅଭିମତ ଦେଇଥିବା ଶିଶୁ ସାହିତ୍ୟିକ ସମୟ ସ୍ରୋତରେ ବଣ ମଲ୍ଲୀଭଳି ଅଦିନରେ ଝଡ଼ି ଯାଇଛନ୍ତି । ସୁରଭି ସଦୃଶ ତାଙ୍କର ‘ସାହିତ୍ୟକୃତି’ ଆଜି ଲୋକଲୋଚନର ଅନ୍ତରାଳରେ ରହିଯାଇଛି-। ଚେଷ୍ଟା କଲେ ମଧ୍ୟ ତାହା ପାଇବା ସାଧାରଣଙ୍କ ପକ୍ଷେ ଦୁଷ୍ପ୍ରାପ୍ୟ ହୋଇ ପଡ଼ିଛି ।

 

ଅଭିମତ ପ୍ରଦାନ କରିଥିବା ସେଦିନର ଚିନ୍ତାଶୀଳ ଶିଶୁସାହିତ୍ୟିକ ଜଣକ ହେଉଛନ୍ତି ସ୍ୱର୍ଗତଃ ଚକ୍ରଧର ମହାପାତ୍ର । ‘ଗାଉଁଲି ଗୀତ’ର ସ୍ରଷ୍ଟା କିମ୍ବା ‘କୁନ୍ତଳାକୁମାରୀ ଜୀବନ ଚରିତ’ର ଲେଖକ ଚକ୍ରଧର ମହାପାତ୍ର ନୁହଁନ୍ତି - ଶିଶୁସାହିତ୍ୟିକ ଚକ୍ରଧର ମହାପାତ୍ର ବି:ଏଲ. ।

 

ବିଗତ ୧୮୯୫ ମସିହା ଫେବୃୟାରୀ ମାସ ୪ ତାରିଖରେ ସେ ବାଲେଶ୍ୱର ଜିଲ୍ଲା ସୋରୋଥାନା ଶିରାପୁର ଗ୍ରାମରେ ସ୍ୱର୍ଗତଃ ମଣିଚରଣ ମହାପାତ୍ରଙ୍କ ଔରସରୁ ଜନ୍ମଲାଭ କରିଥିଲେ-। ତାଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା ଗାଁ ଚାଟଶାଳୀରୁ । ତା’ପରେ ୧୯୦୩ ମସିହାରେ ସେ ନିମ୍ନ ପ୍ରାଥମିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ | ନିମ୍ନ ପ୍ରାଥମିକ ଶିକ୍ଷାପରେ ୧୯୦୪ ମସିହାରେ ସେ ଗାଁରୁ ଚାଲି ଆସି ପ୍ରାୟ ଏକବର୍ଷ କଟକରେ ଘରୋଇ ଭାବରେ ପଢ଼ା ଆରମ୍ଭ କରିବାପରେ ୧୯୦୫ ମସିହାରୁ କଟକ ପ୍ୟାରୀମୋହନ ଏକାଡ଼େମୀରେ ନାମ ଲେଖାଇ ସେଠାରୁ ୧୯୧୨ ମସିହାରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍‌ ପାଶ୍‌ କରିଥିଲେ । ସେହି ସମୟ ମଧ୍ୟରେ ୧୯୧୧ ମସିହାରେ କଟକ ନିତ୍ୟାନନ୍ଦ ଟୋଲ୍‌ରୁ ସେ ସଂସ୍କୃତ ବ୍ୟାକରଣ ପରୀକ୍ଷାରେ ପ୍ରଥମସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୧୪ ମସିହାରେ କଟକ ରେଭେନ୍‌ସା କଲେଜରୁ ପ୍ରଥମ ଶ୍ରେଣୀରେ ସେ ଆଇ.ଏ. ପାଶ୍‌ କରିବା ପରେ କଲିକତା ବଙ୍ଗବାସୀ କଲେଜରେ ଅଧ୍ୟୟନ କରି ସେଠାରୁ ୧୯୧୬ ମସିହାରେ ବି.ଏ ଉପାଧି ଲାଭ କରିଥିଲେ । କିନ୍ତୁ “ଓଡ଼ିଆ ଶିଶୁସାହିତ୍ୟ ସଂକଳନ ଶ୍ରୀ ରାମକୃଷ୍ଣ ନନ୍ଦ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ପ୍ରକାଶ ପାଇଥିବା ‘‘ଓଡ଼ିଆ ଶିଶୁସାହିତ୍ୟ ସଂକଳନ’ର ୧୧୨ ପୃଷ୍ଠାରେ ସ୍ୱର୍ଗତଃ ମହାପାତ୍ରଙ୍କର ଜୀବନୀ ସମ୍ବନ୍ଧୀୟ ସୂଚନା ଦେବାକୁ ଯାଇ ଭୁଲ ବଶତଃ ସେ କଟକରୁ ବି.ଏ.! ପାଶ କରିଥିଲେ ବୋଲି ଦର୍ଶାଇଛନ୍ତି । ତାଙ୍କର ବି.ଏ. ଉପାଧି ଲାଭ ପରେ ଉଚ୍ଚଶିକ୍ଷା ଲାଭ କରିବାପାଇଁ ସେ କଲିକତା ପ୍ରେସିଡ଼େନ୍‌ସି କଲେଜରେ ୫ମ ବାର୍ଷିକ ଉଦ୍ଭିଦ ବିଜ୍ଞାନ ଛାତ୍ରରୂପେ ଏବଂ ୟୁନିଭରସିଟି କଲେଜରେ ଆଇନ୍‌ ଛାତ୍ର ରୂପେ ପାଠପଢ଼ା ଆରମ୍ଭ କରିଥିଲେ ।

 

କୌଣସି କାରଣରୁ ତାଙ୍କର ଏମ୍‌.ଏ ପାଠପଢ଼ା ଶେଷ ହୋଇ ନଥିଲେ ମଧ୍ୟ ସେ କଲିକତାରେ ସାଉଥ୍ ସୁବରବାନ୍‌ କଲେଜରେ ସର୍ବପ୍ରଥମେ ୧୯୧୮ ମସିହାରେ ଡେମୋନ୍‍ଷ୍ଟ୍ରେଟର ରୂପେ ନିଯୁକ୍ତି ଲାଭ କରିଥିଲେ । ତାହାପରେ ୧୯୧୯ ମସିହାରେ ସେ ବିହାର ଏବଂ ଓଡ଼ିଶା ସେକ୍ରେଟେରିଏଟର ଅର୍ଥ ବିଭାଗରେ ତୃତୀୟ ଶ୍ରେଣୀ କର୍ମଚାରୀରୂପେ ନିଯୁକ୍ତି ଲାଭକରି ପାଟଣାରେ ରହି ଯିବା ଆସିବା କରୁଥିଲେ । ଏହି ସମୟରେ ସେଠାରୁ ସେ ବି: ଏଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୫ ମସିହାରେ ସେ ପାଟଣାରୁ କଟକ ଆସି କଟକ ସର୍କିଟ କୋର୍ଟରେ ଅନୁବାଦକ (translator) ରୂପେ ନିଯୁକ୍ତି ଲାଭ କଲେ । ତାହାପରେ ୧୯୪୯ ମସିହାରେ ଓଡ଼ିଶା ହାଇକୋର୍ଟରେ ସୁପରିଟେଣ୍ଡେଣ୍ଟ୍ ପଦକୁ ଉନ୍ନୀତ ହେଲେ । ଦକ୍ଷତାର ସହିତ ସେ ଓଡ଼ିଶା ସରକାରଙ୍କ ଅଧୀନରେ ବହୁଦିନ ଚାକିରି କରି ଶେଷରେ ୧୯୫୩ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତଃ ମହାପାତ୍ର ଯେ ଜୀବନରେ ଦିନେ ଶିଶୁ ସାହିତ୍ୟିକ ଭାବେ ପରିଚିତ ହେବେ ଏ କଥା ତାଙ୍କ ସ୍ୱପ୍ନର ବାହାରେ ଥିଲା । କଲିକ୍‌ ରୋଗର ଅସହ୍ୟ ଯନ୍ତ୍ରଣା ଯୋଗୁ ସେ ପ୍ରାୟ ଅଧିକାଂଶ ସମୟ ଦୁଃଖରେ ଭାଙ୍ଗିପଡ଼ୁଥିଲେ । ଅବସର ବିନୋଦନ ଏବଂ ସ୍ୱାସ୍ଥ୍ୟର ଉନ୍ନତିପାଇଁ ସେ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣରେ କାଠଯୋଡ଼ି ନଈକୂଳକୁ ଯାଉଥିଲେ । ଶିଶୁ ମନଲାଖି ଉପଯୁକ୍ତ ସାହିତ୍ୟର ଅଭାବ ଅନୁଭବ କରି ପିଲାଙ୍କ ପାଇଁ ଛୋଟ ଛୋଟ ଗଳ୍ପ ଏବଂ କବିତା ଲେଖିବାରେ ପ୍ରୟାସ ଥିବାରୁ କାଠଯୋଡ଼ିର ନିର୍ଜନ ପ୍ରକୃତି ସାହିତ୍ୟ ସୃଷ୍ଟି କରିବା ପାଇଁ ତାଙ୍କୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା । ଫଳରେ ପରବର୍ତ୍ତୀ ଜୀବନରେ ସେ ଜଣେ ଶିଶୁ ସାହିତ୍ୟିକ ଭାବେ ସାହିତ୍ୟ ଦରବାରରେ ସମ୍ମାନିତ ହେଲେ । ସେହି ସମୟରେ ଆତ୍ମପ୍ରକାଶ କରିଥିବା ସ୍ୱର୍ଗତଃ ବାଳକୃଷ୍ଣ କରଙ୍କ ଶିଶୁସାହିତ୍ୟ ପତ୍ରିକା ‘ଜହ୍ନମାମୁଁ’ରେ ସେ ଧାରାବାହିକ ଭାବରେ ପ୍ରବନ୍ଧ ଓ କବିତାଦି ଲେଖି ପ୍ରକାଶ କରୁଥିଲେ । ଚକ୍ରଧର ବାବୁଙ୍କ ସାହିତ୍ୟ ସର୍ଜନାରେ ସ୍ୱର୍ଗତଃ ରାୟବାହାଦୂର ଚିନ୍ତାମଣି ଆଚାର୍ଯ୍ୟ, ଭିକାରୀ ଚରଣ ପଟ୍ଟନାୟକ ଏବଂ ଗୋପାଳ ଚନ୍ଦ୍ର ପ୍ରହରାଜ ଅତ୍ୟନ୍ତ ପ୍ରୀତ ହୋଇଥିଲେ । ସ୍ୱର୍ଗତଃ ପ୍ରହରାଜଙ୍କ ସାହାଯ୍ୟ, ସହାନୁଭୂତି ଏବଂ ଅଯାଚିତ ପ୍ରେରଣା ଲାଭ କରିବା ଫଳରେ ସ୍ୱର୍ଗତଃ ମହାପାତ୍ରଙ୍କର ପ୍ରଥମ ଶିଶୁ ଲେଖା ପୁସ୍ତକ ‘ହସଖେଳ’ ଜନ୍ମନେଇ ସର୍ବଜନାଦୃତ ହେଲା । ପୁସ୍ତକଟିକୁ ପ୍ରକାଶ କରିଥିଲେ ସୁନାମଧନ୍ୟ ପ୍ରକାଶକ କଟକ ଟ୍ରେଡ଼ିଂ କମ୍ପାନୀ । ପରେ ଶିଶୁ ମନଲାଖି ସାହିତ୍ୟ ସୃଷ୍ଟି ପାଇଁ ସେ ବିଶେଷ ଆଗ୍ରହ ପ୍ରକାଶ କରିଥିବାରୁ ଶିଶୁ କବିତା, ଶିଶୁ ଗଳ୍ପ ଓ ଶିଶୁ ଉପନ୍ୟାସ ଇତ୍ୟାଦି ଲେଖିବାପାଇଁ ବୀଣାପାଣିଙ୍କର ଆଶିଷ ଲାଭ କରିଥିଲେ । ସ୍ୱର୍ଗତଃ ମହାପାତ୍ରଙ୍କ-କଥାଟିଏ କହୁଁ, ‘କଥାଟିଏ ଶୁଣୁ’, ବଉଦ କୋଳେ ଚାନ୍ଦ’, ପେଁ କାଳି, ‘ଟୁଆଁ ଟୁଇଁ’ (ପକ୍ଷୀ ଉପନ୍ୟାସ), ଶିକାର ଗପ, ଗୋଲାପପରୀ ଓ ବାଘମାମୁଁର ଚାଟଶାଳୀ’ ଇତ୍ୟାଦି ପୁସ୍ତକ ଶିଶୁମାନଙ୍କ ମନଗହନରେ ଅପୂର୍ବ ଆନନ୍ଦର ଢେଉ ସୃଷ୍ଟି କରିଥିଲା । ତାଙ୍କ ପ୍ରକାଶିତ ‘ବାଘମାମୁଁ’ର ଚାଟଶାଳୀ’ (୧୯୫୭ ତୃତୀୟ ସଂସ୍କରଣ) ପୁସ୍ତକପାଇଁ ସେ ଭାରତ ସରକାରଙ୍କଦ୍ୱାରା ପୁରସ୍କୃତ ହୋଇଥିଲେ । ପିଲାଙ୍କ ପାଠର ପଥ ସୁଗମପାଇଁ ସେ ପିଲାଙ୍କ ଉଦ୍ଦେଶ୍ୟରେ ସର୍ବପ୍ରଥମେ ଅକ୍ଷର ଶିକ୍ଷା ନିମିତ୍ତ ‘କାର୍ଡ଼’ ଓ ‘ଚାର୍ଟ’ର ବ୍ୟବସ୍ଥା ଆରମ୍ଭ କରିଥିଲେ । ତାଙ୍କ ରଚିତ ‘ଆବୁତାବୁ’, ‘ଖରାମା’, ‘ଧାଇଁଗୁଡ଼ୁଗୁଡ଼ୁ’, ‘ପାନତୁଆନିମିକି’, ‘ଗୁଡ଼ି ଓ କାଞ୍ଜୀ’ ଇତ୍ୟାଦି କବିତା ପିଲାଙ୍କଦ୍ୱାରା ବେଶ ଆଦୃତି ଲାଭ କରିଛି । ଏଗୁଡ଼ିକ ପେଁକାଳୀ’ ନାମକ ଶିଶୁକବିତା ସଂକଳନରେ ସ୍ଥାନ ପାଇଅଛି ।

 

ପିଲାମାନେ ସାଧରଣତଃ ଖେଳପ୍ରିୟ । ସେମାନେ ଭୋକଶୋଷ ଭୁଲି ଟିକିଏ ସୁବିଧା ସୁଯୋଗ ପାଇଲେ ଗାଁ ଦାଣ୍ଡରେ, ଖୋଲା ବାଡ଼ି ବଗିଚାରେ ଏମିତିକି ସହର ବଜାରର କୋଠାଘର ଉପରେ ‘ଅଧିକାଂଶ ସମୟ ଗୁଡ଼ି ଖେଳରେ ମାତିଥାଆନ୍ତି । ବେଳେବେଳେ ଏହି ଗୁଡ଼ି ଖେଳରେ ହିଁ ସେମାନେ ଭୋଳ ହୋଇ କୋଠାବାଡ଼ିରୁ ତଳେ ପଡ଼ି ମୃତ୍ୟୁ ମୁଖର ସମ୍ମୁଖୀନ ହୋଇଥାଆନ୍ତି । ତଥାପି ସେ ଗୁଡ଼ି ଖେଳର ଶେଷ ନାହିଁ । ଗୁଡ଼ି ଓଡ଼ିଶା କିମ୍ୱା ଭାରତରେ ନୁହେଁ ଏହା ଭାରତ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଖେଳ ବ୍ୟତୀତ ଏହା ମାନବ ସଭ୍ୟତାକୁ କିପରି ଅନ୍ୟବାଟେ ସାହାଯ୍ୟ କରୁଛି, ତା’ର ଅତୀତ ଇତିହାସ ମଧ୍ୟ ରହିଛି ।

 

କାଗଜରେ ନାନା ଆକାର ବିଶିଷ୍ଟ ବସ୍ତୁ ନିର୍ମାଣ କରି ସେଥିରେ ସୂତା କିମ୍ୱା ପତଳା ଦଉଡ଼ି ବନ୍ଧାଯାଇ ଗୁଡ଼ି ତିଆରି କରାଯାଇଥାଏ । ଏହା ପକ୍ଷୀ ଓ ମାଛମାନଙ୍କ ଆକାରପରି କିମ୍ବା ତ୍ରିଭୁଜ ବା ଚତୁର୍ଭୁଜ ପରି ତିଆରି ହୋଇଥାଏ । ବେଳେବେଳେ ବାଉଁଶ ପାତିଆଦ୍ୱାରା ବାକ୍‌ସ ପରି କରାଯାଇ ତହିଁରେ ମହମବତୀ ଜଳାଇ ମଧ୍ୟ ଉଡ଼ା ଯାଇଥାଏ । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ନିଉଜଲାଣ୍ଡର ମାଓରିମାନେ ଗୁଡ଼ି ଉଡ଼ାଇବା ରୀତି ପ୍ରବର୍ତ୍ତନ କରିଥିବାର ପ୍ରବାଦ ଅଛି । ମାଓରିମାନଙ୍କର ଏହା ଧର୍ମର ଅଙ୍ଗବିଶେଷ । ଇଉରୋପ ଅପେକ୍ଷା ଏସିଆ ଖଣ୍ଡରେ ଏହି କ୍ରୀଡ଼ାର ପ୍ରାଧାନ୍ୟ ଯଥେଷ୍ଟ ରହିଛି । ଜାପାନରେ ପ୍ରାୟ ୭ଫୁଟ ପର୍ଯ୍ୟନ୍ତ ଲମ୍ୱା ଓ ଚଉଡ଼ାର ଗୁଡ଼ି ଉଡ଼ା ଯାଉଥିବାର ଦେଖାଯାଏ । ଦୁଇଦଳ ଗୁଡ଼ି ଉଡ଼ାଳିଙ୍କ ମଧ୍ୟରେ କିମ୍ୱା ଅଧିକ ଦଳ ଗୁଡ଼ି ଉଡ଼ାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଗୁଡ଼ି କଟାକଟି ହୋଇଥାଏ । ପୂର୍ବ ଏସିଆରେ ଅର୍ଥାତ୍‌ ଚୀନ୍‌, ଜାପାନ, କୋରିଆରେ ଏହା ଅତ୍ୟଧିକ ଜନପ୍ରିୟ ଖେଳ । ସେ ଅଞ୍ଚଳର ଅଧିବାସୀ ଗୁଡ଼ିରେ ବଂଶୀଭଳି ବାଜଣା ଖଞ୍ଜି ଗୁଡ଼ି ଉଡ଼ାଇ ଥାଆନ୍ତି ଏବଂ ଗୁଡ଼ି ଉଡ଼ିଲାବେଳେ ପବନରେ ସେହି ବଂଶୀରୁ ସଙ୍ଗୀତ ସୃଷ୍ଟି ହୁଏ । ଚୀନାମାନେ ପ୍ରାଚୀନ କାଳରେ ବାକ୍‌ସ ଆକାରରେ ଗୁଡ଼ି ତିଆରିକରି ନିଜର ଫାଇଦା ପାଇଁ ଶତ୍ରୁ ରାଜ୍ୟକୁ ତାହା ନିକ୍ଷେପ କରୁଥିଲେ ।

 

୧୮ଶ ଶତାବ୍ଦୀରେ ବୈଜ୍ଞାନିକ ଗବେଷଣା ପାଇଁ ଗୁଡ଼ି ଉଡ଼ା ପ୍ରବର୍ତ୍ତନ କରାଯାଇଥିଲା । ୧୭୫୨ରେ ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ଗୁଡ଼ି ଉଡ଼ାଇ ବାୟୁମଣ୍ଡଳରୁ ବିଦ୍ୟୁତ୍‌ ଶକ୍ତି ଆହରଣ କରିବା ପାଇଁ ସକ୍ଷମ ହୋଇ ପାରିଥିଲେ । ବର୍ତ୍ତମାନ ପାଣି ପାଗ ନକ୍‌ସା ଜାଣିବା ଓ ସାମରିକ ତଥ୍ୟ ସଂଗ୍ରହ କରିବାପାଇଁ ଗୁଡ଼ି ବ୍ୟବହାର କରାଯାଉଛି । ଦ୍ୱିତୀୟ ମହାଯୁଦ୍ଧରେ ବିମାନ ଆକ୍ରମଣରୁ ରକ୍ଷା ପାଇବାପାଇଁ ଯେଉଁ ବେଲୁନ୍‌ ବାରାଜ ବ୍ୟବହୃତ ହୋଇଥିଲା ତାହା ଏହି ଗୁଡ଼ି ଉଡ଼ାର ଏକ ରୂପାନ୍ତର ମାତ୍ର । ଯୁଦ୍ଧ ସମୟରେ ଗୁଡ଼ି ସାହାଯ୍ୟରେ ଶତ୍ରୁ ପକ୍ଷର ଫଟୋ ଇତ୍ୟାଦି ମଧ୍ୟ ନିଆଯାଇଥାଏ ।

 

ଶିଶୁ ସାହିତ୍ୟିକ ଚକ୍ରଧର ମହାପାତ୍ର ଏହି ଗାଁ ମାଟିର ଜଣେ ମଣିଷ ହୋଇଥିବାରୁ ସେ ମଧ୍ୟ ପିଲାଦିନେ ଏହି ଗୁଡ଼ି ଖେଳରୁ ନିଜେ ବଞ୍ଚିତ ହୋଇନଥିଲେ । ଶିଶୁସାହିତ୍ୟିକ ହିସାବରେ ପିଲାମାନଙ୍କର ମନଛୁଇଁଲା ଭଳି ପ୍ରକୃତିକୁ ସାକ୍ଷୀରଖି ସେ ଅନେକ ମନମତାଣିଆ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି । ପ୍ରକୃତି କୋଳରେ ନିଜକୁ ହଜାଇଦେଇ ଅତୀତର ଅନୁଭୂତିକୁ ସ୍ମୃତି ଆକାରରେ ଶିଶୁମନ ନେଇ ଶିଶୁମାନଙ୍କ ଆଗରେ ବର୍ଣ୍ଣନା କରିବାକୁ ଯାଇ ସେ ଅନେକ ଉପାଦେୟ କବିତା ଲେଖିଯାଇଛନ୍ତି ।

 

ସେହି କବିତାମାନଙ୍କ ମଧ୍ୟରୁ ତାଙ୍କର–‘ଆରେ ମୋର ଗୁଡ଼ି’ ଏକ ମନଛୁଆଁ କବିତା । ଗୁଡ଼ି ଉଡ଼ାଇବାବେଳେ ଗୁଡ଼ି ଉଡ଼ାଳିର କୌଶଳ କ୍ରମେ ଗୁଡ଼ିଟି ଆୟତ୍ତ ହୋଇ ଏଣେ ତେଣେ ଉଡ଼ି ବୁଲୁଥାଏ । ଗୁଡ଼ି କିପରି ସୁନ୍ଦର ଭାବରେ ଉଡ଼ି ପାରିବ ସେ କାଇଦା କଟକଣା ସବୁ ଗୁଡ଼ି ଉଡ଼ାଳିଙ୍କୁ ଭଲଭାବେ ଜଣା । କବି ମହାପାତ୍ର ଅଗଣିତ ଗୁଡ଼ି ଉଡ଼ାଳିଙ୍କ ମନର ପ୍ରତିନିଧିତ୍ୱ କରିବାକୁ ଯାଇ ସାଙ୍ଗକୁ ସାଙ୍ଗ ଡାକିଲା ଭଳି ସମ୍ୱୋଧନ କରି ତାକୁ ସୁଲୁସୁଲିଆ ବାଆରେ ଉଡ଼ିଉଡ଼ି ଘୂରି ଘୂରି ଦୋଳି ଖେଳିବାକୁ ଇଙ୍ଗିତ ଦେଇଛନ୍ତି । କେବଳ ସେତିକି ନୁହେଁ ଲୋଟଣି ପାରାପରି ତଳକୁ ଖସି ଉପରକୁ ଉଠିବାପାଇଁ ଏବଂ ଠାରରେ ଗୋପନ କଥା ଜଣାଇଲେ ଗୁଡ଼ି କିପରି ଶୀଘ୍ର ଦିଗ ପରିବର୍ତ୍ତନ କରି କବିଙ୍କ ଇଚ୍ଛାରେ ଉଡ଼ିବୁଲିବ, ସେ ବିଷୟରେ କବି ଲେଖିଛନ୍ତି –

 

‘‘ଆରେ ମୋର ଗୁଡ଼ି

ଯାଉଥା ଉଡ଼ି ଉଡ଼ି

ଯେତେ ଉଡ଼ିବୁ ଲଟାଇ ଧରି

ସୂତାକୁ ଦେବି ଛାଡ଼ି ।

ସୁଲୁ ସୁଲିଆ ବାଆରେ ଭାସି

ଦୋଳି ଖେଳିବୁ ହୋଇଣ ଖୁସି

ଉଡ଼ିବୁ ଘୂରି ଘୂରି;

ଉପରେ ଉଠି ଫର୍‌ ଫର୍‌ ଫର୍

ତଳକୁ ଖସି ସର୍‌ ସର୍‌ ସର୍‌

ଲୋଟଣି ପାରା ପରି

ଥର୍‌ ଥର୍‌ ଥର୍‌ ଥରି ।

ଜଣାଇ ଦେବି ତୋତେ ବାରତା

ଠାରରେ କହି ଗୋପନ କଥା

ସୂତାକୁ ଟାଣି ଟାଣି,

ଯେଉଁ ଦିଗ ମୁଁ ଦେବି ବତାଇ

ସେହି ଦିଗରେ ଉଡ଼ିବୁ ତୁହି

ମୋ କଥାକୁ ମାନି

ନୋହିଲେ ନେବି କାନି ।’’

 

ବିଭିନ୍ନ ରଙ୍ଗରେ ତିଆରି ହୋଇଥିବା ଗୁଡ଼ି ଆକାଶରେ ଉଡ଼ିଲାବେଳେ ସତେ ଯେପରି ମେଘମାଳା ସହିତ ଲୁଚକାଳି ଖେଳିଲା ଭଳି ଦେଖାଯାଆନ୍ତି । କେବଳ ସେତିକି ନୁହେଁ ଚିଲ, ଛଞ୍ଚାଣ, ଚାତକ ଓ ପାରାମାନଙ୍କ ଗୁଡ଼ି ଆକାଶରେ ସେହିମାନଙ୍କ ଗହଣରେ ଫର୍‌ ପର୍‌ ହୋଇ ଦିଗ ପରିବର୍ତ୍ତନ କରି ଉଡ଼ିଲାବେଳେ ଅତ୍ୟନ୍ତ ତୋରା ଦେଖାଯାଏ । ଏହି ସବୁ ଦୃଶ୍ୟକୁ ଦେଖି ଛୋଟ ଛୋଟ ପିଲାମାନେ ତାଙ୍କ ଟିକି ହାତ ବଢ଼ାଇ ସୂତାକୁ ଟାଣି ଗୁଡ଼ିକୁ ଧରିବାପାଇଁ ଅତ୍ୟନ୍ତ ବ୍ୟଗ୍ର ହୋଇ ଉଠିଲାବେଳେ ଗୁଡ଼ି ଆପେ ଆପେ କିପରି ସେମାନଙ୍କ ନିକଟରେ କବିଙ୍କ ଇଙ୍ଗିତରେ ଧରାଦେଇ ସେମାନଙ୍କୁ ଚୁମା ଦେଇଥାଏ । ସେ ବିଷୟରେ କବି ଲେଖିଛନ୍ତି –

 

‘‘ସତରଞ୍ଜିଆ ଦେହଟି ତୋର

ଦିଶିବ ତହୁଁ କେଡ଼େ ସୁନ୍ଦର

ମେଘ ଦେହରେ ମିଶି,

ଟିକି ପିଲାଏ ଆସିବେ ଧାଇଁ

ପିଠି ଉପରେ ବେଣୀ ଝୁଲାଇ

ଘର ଛାତରେ ବସି

ଚାହିଁବେ ତୋତେ ହସି ।

ମୂହଁ ଘୂରାଇ ତଳକୁ ତୁହି

ଆସିବୁ ଚାଣ୍ଡେ ତହୁଁ ଓହ୍ଲାଇ

ଛୁଇଁବୁ ତାଙ୍କ ମଥା,

ଟିକି ହାତକୁ ବଢ଼ାଇ ଦେଇ

ତୋର ଆଡ଼କୁ ପଡ଼ିବେ ଡେଇଁ

ଧରିବା ପାଇଁ ସୂତା

କହିବେ କେତେ କଥା ।

 

ମୁଖ ରୋଚକ, ପାଚକ ଏବଂ ଅଗ୍ନି–ପ୍ରଦୀପକ ଏକ ଉପକାର ତରକାରିକୁ ଆମେ କାଞ୍ଜୀ କହୁ । ଆମ୍ବିଳା ତୋରାଣୀରେ କାଞ୍ଜୀ ରନ୍ଧା ହୋଇଥାଏ । ତୋରାଣୀ ହେଉଛି କାଞ୍ଜୀର ଆଧାର । ଏହା ଓଡ଼ିଶା ଏବଂ ଦକ୍ଷିଣ ଭାରତର ପ୍ରିୟ ଖାଦ୍ୟ । ସଂସ୍କୃତରେ କାଞ୍ଜୀର ୩୧ଟି ନାମ ଅଛି । ଆୟୁର୍ବେଦରେ କାଞ୍ଜୀର ଗୁଣ ସମ୍ବନ୍ଧରେ ଭୁରି ଭୁରି ପ୍ରଶଂସା କରାଯାଇଛି । ପୁରୀ ମଠମାନଙ୍କରେ ଓ ରାଜବୈଦ୍ୟମାନଙ୍କ ଘରେ ଏହି କାଞ୍ଜୀପାଣି ଜୀର୍ଣ୍ଣଜ୍ୱର ଅଜୀର୍ଣ୍ଣଜ୍ଜ୍ୱର ରୋଗୀମାନଙ୍କୁ ମାଗଣାରେ ଦିଆଯାଇଥାଏ । ଅରକ୍ଷିତ ଦାସଙ୍କ ‘ମହୀମଣ୍ଡଳ ଗୀତା’ ବର୍ଣ୍ଣନାନୁଯାୟୀ କଟକ ଜିଳ୍ଲା ଲଳିତ ଗିରିର ବୈଷ୍ଣବପୀଠ ଓଳାଶୁଣି ଗୁମ୍ଫା କାଞ୍ଜୀପାଇଁ ଓଡ଼ିଶା ପ୍ରସିଦ୍ଧ । ଓଡ଼ିଶା ପର୍ବପର୍ବାଣୀର ନିୟମାନୁଯାୟୀ ମାର୍ଗଶିର ମାସ କୃଷ୍ଣ ନବମୀ ତିଥିରେ ଅଁଳା କୋଳି ପଡ଼ିଥିବା କାଞ୍ଜୀର ନୈବେଦ୍ୟ ଦିଆଯାଉଥିବାରୁ ଏହି ଗ୍ରାମ୍ୟ ପର୍ବକୁ କାଞ୍ଜୀଅଁଳା ନବମୀ ବୋଲି କୁହାଯାଇଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ କାଞ୍ଜୀ ଅତୀବ ହିତକାରକ । ଶାସ୍ତ୍ର ବର୍ଣ୍ଣନାନୁଯାୟୀ କାଞ୍ଜୀଭେଦକ, ତୀକ୍ଷ୍‌ଣ, ଉଷ୍ମ , ସ୍ପର୍ଶ ଶୀତଳ, ଶ୍ରମ, କ୍ଳାନ୍ତିଦାୟକ, ଅଗ୍ନୀ ବୃଦ୍ଧିକାରକ ଓ ପିତ୍ତ ଋଚିବସ୍ତି ଶୁଦ୍ଧି-କାରକ ବୋଲି କୁହାଯାଇଛି । ରାଜନିର୍ଘଣ୍ଟ ମତରେ ପୁରାତନ କାଞ୍ଜୀପାଣି ଅଙ୍ଗରେ ମର୍ଦ୍ଦନ କଲେ ବାୟୁ, ଶୋଥ, ପିତ୍ତ, ଜ୍ୱରଦାହା, ମୂର୍ଚ୍ଛା, ଶୂଳ, ଆଧାନ ଓ ବିବନ୍ଧ ଇତ୍ୟାଦି ନଷ୍ଟ ହୋଇଥାଏ ।

 

ଶିଶୁକବି ସ୍ୱର୍ଗତଃ ଚକ୍ରଧର ମହାପାତ୍ର ପଲ୍ଲୀଜୀବନ, ପଲ୍ଲୀସଂସ୍କୃତି ଓ ତା’ର ‘ବାରମାସର ତେରପର୍ବ’ ସହିତ ଓତପ୍ରୋତ ଭାବେ ଜଡ଼ିତ ଥିଲେ । ଗାଁ ଗଣ୍ଡାର ପ୍ରକୃତି କୋଳରେ ବାଲ୍ୟଜୀବନ ତାଙ୍କର ଅତିବାହିତ ହୋଇଥିବାରୁ ଗ୍ରାମୀଣ ପିଠାପଣା, ଖାଦ୍ୟପଦାର୍ଥ ତାଙ୍କୁ ଖୁବ୍‌ ରୁଚିକର ବୋଧ ହେଉଥିଲା । କାଞ୍ଜୀ ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକାରକ ହୋଇଥିବାରୁ କାଞ୍ଜୀକୁ ସେ ଖୁବ୍‌ ଭଲ ପାଉଥିଲେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ତାଙ୍କର ଅନୁଭୂତି ସମ୍ପନ୍ନ ପ୍ରକାଶିତ କବିତା ‘‘କାଞ୍ଜି କଥା’’ ।

 

ଏହି କବିତାରେ ନିଜର ଅନୁଭୂତିକୁ ନାରଦ ଋଷିଙ୍କ ମୁହଁରେ କାଞ୍ଜୀର ପ୍ରଧାନ୍ୟ ସମ୍ପର୍କରେ କାଞ୍ଜୀ ସହିତ କଥୋପକଥନ ମାଧ୍ୟମରେ ଖୁବ୍‌ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

 

ଦୈନିକ ଖାଦ୍ୟରେ ବ୍ୟବହାର କରାଯାଉଥିବା ସାଧାରଣ କାଞ୍ଜୀ ଦୁଇତିନି ଦିନର ବାସି ତୋରାଣୀରେ ପ୍ରସ୍ତୁତ ହୋଇଥାଏ । ବାସି ତୋରାଣୀରେ ବଟା ବା ଗୁଣ୍ଡ ହଳଦୀ ମିଶାଇ ସାରୁନାଡ଼, ଖଟା, ବୋଇତିକଖାରୁ, ମୂଳା, ଅଅଁଳା, ବାଇଗଣ, ଅମୃତଭଣ୍ଡା, ଭେଣ୍ଡି, ବାଉଁଶ କରିଡ଼, ମଞ୍ଜା ଓ ଫୁଟିକାକୁଡ଼ି ଇତ୍ୟାଦି ପକାଇ ଦୀର୍ଘ ସମୟ ନିଆଁରେ ବସାଇ ସିଦ୍ଧ କରାଯାଇଥାଏ । ମୂଳା ପଡ଼ିଥିବା କାଞ୍ଜୀକୁ ମୂଳା କାଞ୍ଜୀ ଏବଂ କରଡ଼ି ପଡ଼ି ତିଆରି ହୋଇଥିବା କାଞ୍ଜୀକୁ କରଡ଼ି କାଞ୍ଜୀ ବୋଲି କୁହାଯାଏ । କାଞ୍ଜୀରେ ଲୁଣ, ଘିଅ ବା ତେଲ, ହାଣ୍ଡିଫୁଟଣା, ଳଙ୍କାମରିଚ, ଜୀରା , ଭୁରୁଶୁଙ୍ଘା ପତ୍ର, ସାବିତ୍ରୀପତ୍ର , ଅଗବଥୁ ପତ୍ର ଏବଂ ରସୁଣ ଛେଚା ଛୁଙ୍କ ଇତ୍ୟାଦି ଚାର୍ଟ ଅନୁସାରେ ଦେଇ ତିଆରି କଲେ ତାହା କିପରି ମଞ୍ଚ ଲୋକଙ୍କ ପାଟିରୁ ଆଦୌ ଛାଡ଼େନି ଏବଂ ସେହି କାଞ୍ଜୀକୁ ମଞ୍ଚଲୋକ ଚାଖିବା ପାଇଁ କିପରି ଅଥୟ ହୋଇ ପଡ଼ନ୍ତି ସେ ବିଷୟରେ କବି ଲେଖିଛନ୍ତି-

 

‘‘ନାରଦ ଋଷି ବୋଇଲେ ହସି,

କାଞ୍ଜୀତୁ ମୋର ବୋଲ କରସି,

ମାଟି କଳସି

ଭିତରେ ବସି

ମଞ୍ଚପୁରେ ଚଳି ଯାଅସି ।

ମଞ୍ଚବାସୀ ତୋ’ ପାଶେ ଆସି

ତୋର ସୁଆଦେ ହୋଇବେ ଖୁସି,

ଟକିବୁ ଯେତେ ବାସିବୁ ସେତେ

ଲୋକେ ତୋ ଗୁଣ ଗାଇବେ ଘୋଷି ।’’

 

କବି ମହାପାତ୍ର ନିଜର ଅନୁଭୂତିକୁ ନାରଦ ଋଷିଙ୍କ ମୁହଁରେ କାଞ୍ଜୀ ସହିତ କଥାବାର୍ତ୍ତା କରିଥିବାରୁ କାଞ୍ଜୀ ଶେଷରେ ନାରଦ ଋଷିଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ତାଙ୍କ କଥାକୁ ଶିରୋଧାର୍ଯ୍ୟ ମଣି କିପରି ମଞ୍ଚପୁରକୁ ଯାଇ ମଞ୍ଚପୁରବାସୀଙ୍କୁ କାଞ୍ଜୀ ଚଖାଇ ବିଶେଷ ସନ୍ତୋଷଲାଭ କରାଇଲା ସେ ବିଷୟରେ କବି ଲେଖିଛନ୍ତି–

 

‘‘କହିଲା କାଞ୍ଜୀ             ଯାଉଛି ଆଜି

ତମ କଥା ମୋ ଶିର ଧାରଯି

ମଞ୍ଚେ ଯାଇ             ଦେଖିବି ତହିଁ

କିଏ ମୋ ପାଇଁ ହୁଅନ୍ତି ହେଜି ।’’

X      X      X

କିଏ ଆଣିଲା             ପଥର ବେଲା

କିଏ ଆଣିଲା ପତର ଠୋଲା

ହାଣ୍ଡି ଚାପୁଲି,             ହାତ ପାପୁଲି

କିଏ ବା ପାଟି ବଢ଼ାଇ ଦେଲା ।

 

ତହୁଁ ସେ କାଞ୍ଜୀ             ଝରିଲା ଧୀରେ

ପିଇଲେ ଲୋକ ଯେତେ ପାରେ

ଗଲା ପିଆସ             ଲଭି ସନ୍ତୋଷ

ହୋଇ ହରଷ ଫେରିଲେ ଘରେ ।’’

 

ସ୍ୱର୍ଗତଃ ଚକ୍ରଧର ମହାପାତ୍ର କେବଳ ଶିଶୁ କବି ନଥିଲେ, ସେ ଶିଶୁମାନଙ୍କ ମନ ଛୁଇଁଲା ଭଳି ଅନେକ ଶିଶୁ ଗପ ଲେଖି ପ୍ରତିଷ୍ଠା ଅର୍ଜନ କରି ଯାଇଛନ୍ତି । ତାଙ୍କ ଶିଶୁଗପ ପୁସ୍ତକରେ ‘ଆମ ଶିକାରୀ’, ‘ସଜବାଜ’, ‘ବାଘ ରାଇଜରେ’, ‘ବାର୍‌ହା ଶିକାର’, ‘ହରଣଖିଆ ସାପ’, ‘ଭାଲୁ ହାବୁଡ଼ରେ’, ‘ଚିତାବାଘ ଶିକାର’, ‘ଅହିରାଜ ଶିକାର’, ‘ହରିଣ ଶିକାର’, ‘ଶୋଭା ପସରା’, ‘ବାଘ ଶିକାର’ , ‘ବିପଦର ଦିନ’ ଓ ‘ଘର ବାହୁଡ଼ା’ ଇତ୍ୟାଦି ୧୩ଟି ଛୋଟ ଛୋଟ ସତ୍ୟଘଟଣା ମୂଳକ ସାହସିକ ଗପ ସ୍ଥାନ ପାଇଛି । କବି ମହାପାତ୍ରଙ୍କ ମତାନୁସାରେ ବହିର ନାମ ‘ଶିକାର ଗପ’ ଏବଂ ଆମ ଶିକାରୀଙ୍କ ଘର ହେଉଛି ଓଡ଼ିଶାରେ । ସେ ସୁନ୍ଦର ବଣରେ ଚାଷ କରିବାକୁ ଯାଇ ବହୁ ବିପଦର ସମ୍ମୁଖୀନ ହୋଇଥିଲେ । ତାଙ୍କ ମୁହଁରୁ ଏବଂ ବ୍ୟକ୍ତିଙ୍କଠାରୁ ଶୁଣିଥିବା ରୋମାଞ୍ଚକର କାହାଣୀଗୁଡ଼ିକ ଗାଳ୍ପିକ ଏଠାରେ ଏକତ୍ର କରି ପରିବେଷଣ କରିଛନ୍ତି ।

 

ଗପ କହିବା ଲୋକ ଏବଂ ଗପ ଶୁଣିବା ଲୋକ ବେଳେ ବେଳେ ନିଶାଖୋର୍‌ଙ୍କ ଭଳି ଗପର ଅସରନ୍ତି କାହାଣୀ ପସରା ଓ ଯାଦୁକରୀ ଶକ୍ତିରେ ଭୋଳ ହୋଇ ନିଜର ଭୋକ ଶୋଷ ମଧ୍ୟ ଭୁଲି ଯାଇଥାଆନ୍ତି । ସେହି ନ୍ୟାୟରେ ଗାଳ୍ପିକ ‘ଶିକାର ବହିର’ ଗପଗୁଡ଼ିକୁ ଅଜାନାତିର ପ୍ରଶ୍ନୋତ୍ତର କଥୋପକଥନ ଛଳରେ ବେଶ୍‌ ମନୋରମ ପରିବେଶ ମଧ୍ୟରେ ସରଳ ଭାବରେ ଉପସ୍ଥାପନ କରିଛନ୍ତି । ସୁତାରାଂ ‘ଶିକାର ଗପ’ରେ ବର୍ଣ୍ଣିତ କାହାଣୀଗୁଡ଼ିକ ଶିଶୁମାନଙ୍କୁ ଏକ ବାସ୍ତବ ଅନୁଭୂତିର ଶିକାର ବର୍ଣ୍ଣନା ଦେଇ ପାରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ପରିବେଶ ସଚେତନ କରାଇବା ସହିତ ସେମାନଙ୍କର ମନୋରଞ୍ଜନ ଓ ଚିତ୍ତବିନୋଦନ ମଧ୍ୟ କରିପାରିଛି । ଏ ଦୃଷ୍ଟିରୁ ସ୍ୱର୍ଗତଃ ମହାପାତ୍ରଙ୍କ ‘ଶିକାର ଗପ’ ଏକ ସାର୍ଥକ ଶିଶୁ କାହାଣୀ ରୂପେ ଆତ୍ମ ପ୍ରକାଶ କରିପାରିଛି ।

 

ଠିକ୍‌ ଅନୁରୂପ ଭାବରେ ତାଙ୍କର ‘କଥାଟିଏ କହୁଁ’ ଶିଶୁକାହାଣୀ ପୁସ୍ତକଟିକୁ ଆଲୋଚନା କରାଯାଇ ପାରେ । ଏହା ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୪୬ ମସିହାରେ । ପ୍ରକାଶକ ଥିଲେ ‘‘ସାରସ୍ୱତ ଭଣ୍ଡାର’ର ସତ୍ତ୍ୱାଧିକାରୀ ଶ୍ରୀଯୁକ୍ତ ଲୋକନାଥ ନନ୍ଦ । ସଂପୃକ୍ତ ପୁସ୍ତକଟିରେ ମୂଷାମୂଷି, ଭୋଜି ମଉଜ, ପାଂପୁଲାର ଶାସ୍ତି, ନୀଳତାରା, ଗୋପଳାର ସଉଦା, ଲେଙ୍ଗଡ଼ା ହେଟା ଶୀର୍ଷକ ଛଅଗୋଟି ଶିଶୁ ମନଲାଖି କହାଣୀ ସ୍ଥାନ ପାଇଛି । ଗାଳ୍ପିକ ଚକ୍ରଧର ବାବୁ ଶିଶୁ ମନସ୍ତତ୍ତ୍ୱକୁ ବୁଝି ଗଳ୍ପଗୁଡ଼ିକରେ କଥୋପକଥନ ମଧ୍ୟରେ ପଦ୍ୟର ବ୍ୟବହାର ମଧ୍ୟ କରିଛନ୍ତି । କାରଣ କାହାଣୀ କହିବା ସମୟରେ ମଝିରେ ମଝିରେ ପଦ୍ୟ ବା ଢଗଢମାଳୀ ଶୁଣିବାକୁ ପିଲାମାନେ ଭଲ ପାଇଥାନ୍ତି । ଏ ଦୃଷ୍ଟିକୁ ମୂଷା-ମୂଷି ଗଳ୍ପରେ ଗାଳ୍ପିକ ମୂଷା ମୁଖରେ ସଂଳାପ ଦେବାକୁ ଯାଇ ପଦ୍ୟର ଆଶ୍ରୟ ନେଇଛନ୍ତି । ମୂଷାଟି ପୋଖରୀକୁ ପାଣି ଆଣିବାକୁ ଯାଇ କହିଛି –

 

‘‘ପୋଖରୀ ପୋଖରୀ ଦେବୁଟି ପାଣି

ପିଇଲେ ବଞ୍ଚିବ ମୋ ମୂଷି ରାଣୀ

ଗଳାରେ ବାଦାମ ଯାଇଛି ଲାଖି

ମୂଷି ବିକଳ ମୁଁ ନପାରେ ଦେଖି ।’’

 

କାହାଣୀ ପଢ଼ିବା ସହ କାହାଣୀ ମଧ୍ୟସ୍ଥ ଏହିପରି ଛୋଟ କବିତାମାନ ଶିଶୁମନକୁ ଗଭୀର ଭାବରେ ରେଖାପାତ କରିଥାଏ । କହିବା ବାହୁଲ୍ୟ ଯେ ସ୍ୱର୍ଗତଃ ମହାପାତ୍ର ତାଙ୍କ ଅଧିକାଂଶ ଗଳ୍ପରେ ଏହି ଶୈଳୀର ପ୍ରୟୋଗରେ ସଫଳକାମୀ ସ୍ରଷ୍ଟା ହୋଇ ପାରିଛନ୍ତି ।

 

ଚକ୍ରଧର ବାବୁଙ୍କ ‘ଗୋଲାପପରୀ’ ଅନ୍ୟ ଏକ ସରଳ ଶିଶୁ କାହାଣୀ ପୁସ୍ତକ । ଏଥିରେ ସର୍ବମୋଟ ପାଞ୍ଚଟି କାହାଣୀ ରହିଛି । କଟକର ସେ କାଳର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ ସଂସ୍ଥା ‘ମହାପ୍ରସାଦ ବ୍ରଦର୍ସ’ ଏହିଟିକୁ ପ୍ରକାଶ କରିଥିଲେ ।

 

ପ୍ରଥମ ସଂସ୍କରଣର ମୂଲ୍ୟ ଥିଲା ମାତ୍ର ଛଅଅଣା । ପୁସ୍ତକଟିରେ ‘ଗୋଲାପ ପରୀ’ ବୁଲାର କୀର୍ତ୍ତି, ବୋକାଛୁଆ, ଚନ୍ଦ୍ରର ହଟହଟା, ହାଡ଼ିଆବୀର ନାମରେ ପାଞ୍ଚଟି କାହାଣୀ ସ୍ଥାନ ପାଇଛି ଏବଂ ପ୍ରଥମ କାହାଣୀ ଗୋଲପପରୀ ନାମରେ ବହିଟିର ନାମକରଣ କରାଯାଇଛି । ଚକ୍ରଧରବାବୁ ସଂପୃକ୍ତକାହାଣୀ ଗୁଡ଼ିକରେ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ଆଦିକୁ ଚରିତ୍ର ମାଧ୍ୟମରେ ଗ୍ରହଣ କରିଛନ୍ତି । ଏପରିକି ଜନ୍ଦା ଓ ପିମ୍ପୁଡ଼ି ଆଦି ମଧ୍ୟ କାହାଣୀର ଚରିତ୍ର ରୂପେ ଦେଖା ଦେଇଛନ୍ତି ପୁରାଣଠାରୁ ଆରମ୍ଭ କରି ଲୋକକାହାଣୀ, ପଶୁପକ୍ଷୀ କାହାଣୀ ତଥା ସାମାଜିକ କଥାବସ୍ତୁକୁ ନେଇ ଉକ୍ତ କାହାଣୀଗୁଡ଼ିକ ରଚିତ ହୋଇଥିବାରୁ କୋମଳମତି ବାଳକ ବାଳିକାମାନଙ୍କୁ ଆକର୍ଷିତ କରିପାରିଛି ।

 

‘ଟୁଆଁ ଟୁଇଁ’ ସ୍ୱର୍ଗତଃ ମହାପାତ୍ରଙ୍କ ଏକ ସାର୍ଥକ ଶିଶୁଗଳ୍ପ ପୁସ୍ତକ । ଏଥିରେ ପ୍ରକାଶିତ କାହାଣୀଗୁଡ଼ିକ ପ୍ରଥମେ ଧାରାବାହିକ ଭାବେ ବାଳକୃଷ୍ଣ କରଙ୍କ ପ୍ରତିଷ୍ଠିତ ଶିଶୁସାହିତ୍ୟ ପତ୍ରିକା ଜହ୍ନମାମୁଁରେ ପ୍ରକାଶିତ ହୋଇଥିଲା । ପ୍ରଥମେ କେବଳ ଟୁଆଁଟୁଇଁ ଗଳ୍ପଟି ଥିଲେ ମଧ୍ୟ ପରବର୍ତ୍ତୀ ସଙ୍କଳନ ୧୯୫୮ରେ ଏଥିରେ ଶୁଆ, ବିଲେଇ, କୁକୁର ପ୍ରଭୃତି ଜୀବଜନ୍ତୁ ବିଷୟକ କେତେକ ଗଳ୍ପ ସ୍ଥାନ ପାଇଥିଲା । ମୋଟାମୋଟି ଭାବରେ ଟୁଆଁଟୁଇଁ ଗଳ୍ପଟିଥିଲା ଏକ ଦୀର୍ଘ ଗଳ୍ପ ଯାହାକୁ କି ଏକ ଶିଶୁ ଉପନ୍ୟାସ ଭାବେ ମଧ୍ୟ ଗ୍ରହଣ କରାଯାଇପାରେ । ସ୍ୱର୍ଗତଃ ମହାପାତ୍ର ପାଠ୍ୟପୁସ୍ତକ ରଚୟିତା ରୂପେ ମଧ୍ୟ ନିଜର ସାଧନାର ପରକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି । ତାଙ୍କର ପାଠ୍ୟପୁସ୍ତକମାନଙ୍କ ମଧ୍ୟରେ ଓଡ଼ିଆ ଅକ୍ଷର ଶିକ୍ଷା ଚାର୍ଟ, ସରସପାଠ, ସରଳ ଓଡ଼ିଆ ପାଠ ଆଦି ପାଠ୍ୟପୁସ୍ତକ ରୂପେ ବହୁକାଳ ପ୍ରଚଳିତ ଥିଲା । ଏହି ପାଠ୍ୟପୁସ୍ତକ ଗୁଡ଼ିକରେ ମଧ୍ୟ ଚକ୍ରଧରଙ୍କ ଅନୁରୂପ ଶିଶୁସାହିତ୍ୟକୃତି ପରିଦୃଷ୍ଟ ହୋଇଥାଏ ।

 

ପ୍ରକାଶକ ତଥା ନିଜ ପରିବାରର ଅସାବଧାନତା ଅଥବା ଅଜ୍ଞତା ହେତୁ ଚକ୍ରଧର ବାବୁଙ୍କର ଅନେକ ଶିଶୁ ପୁସ୍ତକ ବର୍ତ୍ତମାନ ଅପ୍ରାପ୍ୟ । ସୁତରାଂ ଲେଖକଙ୍କର ଶିଶୁସାହିତ୍ୟ ସାଧନାର ଏହା ଏକ ସ୍ଥୂଳ ପରିଚୟ ମାତ୍ର । ତାଙ୍କର ସାମଗ୍ରିକ ସାହିତ୍ୟକୃତିର ଏହା ପୂର୍ଣ୍ଣାଙ୍ଗ ଆଲୋଚନା ନୁହେଁ ବରଂ ଏକ ପ୍ରାଥମିକ ଏବଂ ପ୍ରାରମ୍ଭିକ ସୂଚନା ।

 

***

 

Unknown

ଶିଶୁସାହିତ୍ୟିକ ଗୋଦାବରୀଶ ମହାପାତ୍ର : ଏକ ଅଧ୍ୟୟନ

ଡକ୍‌ଟର ତୀର୍ଥାନନ୍ଦ ମିଶ୍ର

 

।। ଏକ ।।

 

ଶିଶୁର ବୌଦ୍ଧିକ ବିକାଶରେ ଶିଶୁସାହିତ୍ୟ ଅନେକ ଭାବରେ ସହାୟକ ହୋଇଥାଏ । ତାର ଚରିତ୍ର ଗଠନ, ଉନ୍ନତ ଭାବ ଆହରଣ, ଭାଷା ତଥା ପରିବେଶ ସଚେତନତା ଦିଗରେ ଏହି ଶିଶୁସାହିତ୍ୟର ଭୂମିକା ଅନସ୍ୱୀକାର୍ଯ୍ୟ । ଶିଶୁ ମନରେ ପ୍ରତିଫଳିତ ହେଉଥିବା ଅନେକ ଜାଗତିକ ଦୃଶ୍ୟ ତଥା ଉପାଦାନ ଦୀର୍ଘଦିନପାଇଁ ତାର ଚରିତ୍ରକୁ ନିୟନ୍ତ୍ରଣ କରିଥାଏ । ମନୋବିଜ୍ଞାନୀମାନେ ଶିଶୁମାନଙ୍କର ବିକାଶ ପାଇଁ ଯେଉଁ ସମସ୍ତ ଦିଗମାନଙ୍କର ନିର୍ଦ୍ଦେଶ କରିଛନ୍ତି ଏମାନଙ୍କ ମଧ୍ୟରେ ଶିଶୁମାନଙ୍କର ଉତ୍କଣ୍ଠାର ଯଥାର୍ଥ ଓ ସମୟୋଚିତ ପରିପର୍ତ୍ତି ଏକ ଅନ୍ୟତମ ବିଭାବ । ଶିଶୁସାହିତ୍ୟ ଏହି ଦୃଷ୍ଟିକୋଣରୁ ଶିଶୁମାନଙ୍କର ମାନସିକ ତଥା ବୌଦ୍ଧିକ ବିକାଶ ପାଇଁ ଯଥେଷ୍ଟ ସହାୟକ ହୋଇଥାଏ ।

 

ପ୍ରାଚୀନ ତଥା ମଧ୍ୟକାଳୀନ ଓଡ଼ିଆ ସାହିତ୍ୟରେ ଶିଶୁମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କୌଣସି ସାହିତ୍ୟକୃତି ରଚିତ ହୋଇଥିବାର ପରିଲକ୍ଷିତ ହୁଏ ନାହିଁ । ଅତୀତରେ ଶିଶୁମାନଙ୍କର ଅଧ୍ୟୟନପାଇଁ କେବଳ କେତେକ ଚଉତିଶା, କୋଇଲି ଆଦିକୁ ଛାଡ଼ିଦେଲେ ଅନ୍ୟ ପ୍ରାୟ କିଛି ନଥିଲା । ଲୋକଗୀତ ଭାବେ ଗୃହୀତ ହୋଇଥିବା ଲୋରିଧର୍ମୀ କେତେକ ଶିଶୁଗୀତକୁ ଛାଡ଼ିଦେଲେ ଏହି ସମୟରେ ଶିଶୁସାହିତ୍ୟ ସୃଷ୍ଟିପାଇଁ ଏକ ସଚେତନ ଉଦ୍ୟମ ଆରମ୍ଭ ହୋଇନଥିଲା । ଉଦ୍ୟମର ଆଦ୍ୟ ଶଙ୍ଖଧ୍ୱନି ଶୁଭିଥିଲା ଶିକ୍ଷାବିସ୍ତାର କାର୍ଯ୍ୟକ୍ରମ ହୋଇଯିବା ପରେ ପରେ କୋମଳମତି ଶିଶୁମାନଙ୍କପାଇଁ ସାହିତ୍ୟ ସୃଷ୍ଟି କରିବାକୁ ଉନବିଂଶ ଶତାବ୍ଦୀର ଚତୁର୍ଥଦଶକରୁ ଉଦ୍ୟମ ଆରମ୍ଭ ହୋଇଯାଇଥିଲା । ଏହାର ନିଷ୍ଠାପର ସାର୍ଥକ ଥିଲେ ଭକ୍ତକବି ସ୍ୱର୍ଗତଃ ମଧୁସୂଦନ ରାଓ । ମଧୁସୂଦନ ମୁଖ୍ୟତଃ ଥିଲେ ଉତ୍କଳର ପ୍ରଧାନ ଶିକ୍ଷାଗୁରୁ । ଶିକ୍ଷକତା ତାଙ୍କ ଜୀବନର ସର୍ବପ୍ରଧାନ ବ୍ରତ ହୋଇଥିବାରୁ ଏବଂ କୋମଳମତି ଶିଶୁମାନଙ୍କ ପ୍ରତି ତାଙ୍କର ପ୍ରଗାଢ଼ ସ୍ନେହ ଥିବାରୁ ସେ ମୁଖ୍ୟତଃ ଶିଶୁମାନଙ୍କ ପାଇଁ ହିଁ ତାଙ୍କ ସାହିତ୍ୟ ଜୀବନର ଅର୍ଦ୍ଧାଧିକ ସମୟ ଉତ୍ସର୍ଗ କରିଥିଲେ । ଶିଶୁଗୀତ, ଛାନ୍ଦମାଳା ଏବଂ ବାଳରାମାୟଣ ଆଦି ତାଙ୍କର କେତୋଟି ଉଲ୍ଲେଖଯୋଗ୍ୟ ଶିଶୁସାହିତ୍ୟ ସଂକଳନ । କୋମଳମତି ବାଳକ ବାଳିକାମାନଙ୍କ ମନକୁ ଈଶ୍ୱରାଭିମୁଖୀ କରି ଜୀବନର ଶ୍ରେୟମାର୍ଗପ୍ରତି ସେମାନଙ୍କୁ ସଚେତନ କରାଇବା ମଧୁସୂଦନଙ୍କ ସୃଷ୍ଟିର ଅନ୍ତର୍ନିହିତ ବାଣୀ ଥିଲା । ସମସ୍ତ ଜାଗତିକ କର୍ମ ଓ ଜୀବନର ସମସ୍ତ ଅଭୀପ୍‌ସାକୁ ‘ପରମେଶ୍ୱରଙ୍କ ପାଖରେ ପୂର୍ଣ୍ଣ ସମର୍ପଣ କରି ତାଙ୍କୁ ‘ଦିବସରଜନୀ’ ନିଜ ଭିତରେ ଉପଲବ୍‌ଧି କରିବା ମଧୁସୂଦନଙ୍କ ଶିଶୁ କବିତାମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା (୧) । ମଧୁସୂଦନ ଶିଶୁମାନଙ୍କ ପାଇଁ ସାହିତ୍ୟ ରଚନା କରିବାର ଏହି ଯେଉଁ ସଚେତନ ପ୍ରୟାସର ଶୁଭାରମ୍ଭ କରିଦେଲେ ଗୋଦାବରୀଶ ମହାପାତ୍ରଙ୍କ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ତାହା ଅନେକ ଶିଶୁସାହିତ୍ୟିକଙ୍କୁ ଜନ୍ମ ଦେବାପାଇଁ ସକ୍ଷମ ହୋଇପାରିଥିଲା ।

 

୧.

ଯାହା ମୁଁ କରଇ ଯାହା ମୁଁ କହଇ ଯାହା ମୁଁ ଚିନ୍ତଇ ମନେ ।

ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ ।

 

।। ଦୁଇ ।।

 

ଗୋଦାବରୀଶ ମହାପାତ୍ର (ଖ୍ରୀ ୧୮୬୮-୧୯୬୫) ଆଧୁନିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ବିଲକ୍ଷଣ ବ୍ୟକ୍ତିତ୍ୱ । ପୁରୀ ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଶାସନରେ ଆଶ୍ୱିନ କୃଷ୍ଣ ତୃତୀୟାଦିନ ଦୟାନିଧି ମହାପାତ୍ରଙ୍କ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିବା ଏହି ବିସ୍ମୟ ବ୍ୟକ୍ତିତ୍ୱ ସତ୍ୟବାଦୀ ବନ ବିଦ୍ୟାଳୟର ସାରସ୍ୱତ ଦୀକ୍ଷାରେ ଦୀକ୍ଷିତ ହୋଇ ପରବର୍ତ୍ତୀ କାଳରେ ‘ଲୋକମୁଖ’, ‘ପୁରୀବାସ’, ‘ଆଶା’, ‘ସମାଜ’ ତଥା ‘ଉତ୍କଳ ହିତୈଷିଣୀ’ ଆଦି ପତ୍ରପତ୍ରିକାମାନଙ୍କରେ ସାମୟିକ ଭାବରେ ସମ୍ପାଦନା ଓ ସହସମ୍ପାଦନା ଦାୟିତ୍ୱ ନେଇ ୧୯୩୮ ମସିହାରେ ଜନ୍ମଲାଭ କରିଥିବା ଖ୍ୟାତନାମା ଓଡ଼ିଆ ସମାଲୋଚନାମୂଳକ ତଥା ବ୍ୟଙ୍ଗାତ୍ମକ ପତ୍ରିକା ‘ନିଆଁ ଖୁଣ୍ଟା’ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଯଦିଓ ବାହାରକୁ ଗୋଦାବରୀଶଙ୍କ ଲେଖନୀ ସାମାନ୍ୟ ଉଗ୍ରଭଳି ପ୍ରତୀତ ହୁଏ, ମାତ୍ର ଅନ୍ତଃସଲିଳା ଫଲ୍‌ଗୁପରି ଅଭ୍ୟନ୍ତରରେ ସ୍ନିଗ୍‌ଧ ମଧୁର ସୁବାସ ବିତରଣ କରି ଓଡ଼ିଆ ସାରସ୍ୱତପ୍ରେମୀମାନଙ୍କ ସ୍ମୃତିର ଅରଣ୍ୟକୁ ଅନେକ କାଳପାଇଁ ତାହା ନିନ୍ଦିତ କରି ରଖିଥିଲା । କୋମଳମତି ଶିଶୁମାନଙ୍କ ପାଇଁ ତାଙ୍କ ଲେଖନୀ ଥିଲା ଅଜସ୍ରସ୍ରାବୀ । ‘ମୋ ଖେଳ ସାଥି’, ‘ଛବିର କବିତା’, ‘ଦେଶ ବିଦେଶର ଉପକଥା’, ‘ଟିକୀ ମହାଭାରତ’, ‘ଠେକୁଆ ଭାଇ’, ‘କୁନିର ହାତୀ’, ‘କି କଥା’, ‘ଶିଶୁକଥାମାଳା’, ‘ପାଠ ଚୟନ’ ଓ ‘ସହଜପାଠ’ ଆଦି ତାଙ୍କର ସାର୍ଥକ ‘ଶିଶୁସାହିତ୍ୟ ସଂକଳନ’ ଶିଶୁସାହିତ୍ୟର ବିକାଶ ପାଇଁ ୧୯୫୭ ଖ୍ରୀ:ରେ ସେ ‘ଟୁଆଁଟୁଇଁ’ ନାମକ ଏକ ମାସିକ ଶିଶୁସାହିତ୍ୟ ପତ୍ରିକାର ସମ୍ପାଦନା କରିଥିଲେ ।

 

ଗୋଦାବରୀଶଙ୍କ ଶିଶୁସାହିତ୍ୟର ମୁଖ୍ୟ ଆବେଦନ ହେଉଛି ଶିଶୁମନର ଉତ୍କଣ୍ଠା ଓ ତାର କ୍ରମ ପରିଣତିର ସାର୍ଥକ ରୂପ ପ୍ରଦାନ ଏବଂ ଶିଶୁର ମାନସିକ ବିଶ୍ଳେଷଣ । ଗଭୀର ଜୀବନଯନ୍ତ୍ରଣା ରୁକ୍ଷ ଦୈନିନ୍ଦିନ ଜୀବନଚର୍ଯ୍ୟାରୁ ସାମୟିକ ଭାବରେ ମୁକ୍ତି ପାଇବାପାଇଁ ଗୋଦାବରୀଶ ମୁଖ୍ୟତଃ ଶିଶୁସାହିତ୍ୟ ସୃଷ୍ଟି କରିଥିଲେ । ପ୍ରବାହରେ ଅବଗାହନ କଲେ ଯେପରି ପ୍ରବାହ ସମ୍ପର୍କରେ ଅକପଟ ଜ୍ଞାନ ଆହରଣ କରିହୁଏ, ସେହିପରି ପରିଣତ ବୟସରେ ମଧ୍ୟ ଗୋଦାବରୀଶ ଶିଶୁ ଜୀବନର ସରଳତା, ମୁଗ୍‌ଧ ଅନୁଭବ ଭିତରେ ଅବଗାହନ କରି ଆତ୍ମିକ ଆନନ୍ଦ ଉପଭୋଗ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ପାଥେୟ କରି ଶିଶୁସାହିତ୍ୟମାନ ରଚନା କରିଥିଲେ । ତାଙ୍କର ଶିଶୁ କବିତାମାନ ଲକ୍ଷ୍ୟକଲେ ସ୍ପଷ୍ଟହୁଏ, ପ୍ରବୀଣର ବୌଦ୍ଧିକତା ତଥା ପ୍ରଜ୍ଞାର ଓଁ କାର ଧ୍ୱନି ଏଥିରେ ସମ୍ପୂର୍ଣ୍ଣ ନୀରବ ଉଦାହରଣ ସ୍ୱରୂପ ବର୍ଷାର ଶ୍ୟାମଳ ପରିବେଶ ଭିତରେ ପ୍ରବହମାନ ଜଳଧାରା ଶିଶୁକୁ ଭାବୁକ କରିଦିଏ । ମାତ୍ର ଏ ଭାବନାବୋଧ ଗମ୍ଭୀରତା ପ୍ରତିପାଦକ ନୁହେଁ, ଏହା ବିସ୍ମୟ ଉତ୍ପାଦକ ଓ ପ୍ରଶ୍ନବାଚକ । ନିମ୍ନକୁ ତାଳରଖି ଗଡ଼ିଯାଉଥିବା ଜଳଧାରକୁ ଶିଶୁ ପଚାରି ବସେ ସେ ମେଘର ଶୀତଳ କୋଳକୁ ଆସିଲା କେଉଁଠାରୁ ? ପୁଣି ମେଘ ଦେହରୁ ମୁକୁଳି ଆସି ଘର ଚାଳରେ କିଛି ସମୟ ପାଇଁ ଜମାହୋଇ ଓଳି ତଳକୁ ଖସିପଡ଼ି ଯେଉଁ ଏକ ମୁହଁ । ବହି ଚାଲିଛି, ଏହି ଗତି ବେଗରେ କ’ଣ ବିରାମ ନାହିଁ ! ଅନେକ ଆକୁଳ ଆହ୍ୱାନରେ ଶିଶୁଟି ପାଣିକୁ ଟିକେ ରହିଯିବାକୁ କହେ, ତା’ ଛୋଟ କାଗଜ ଡଙ୍ଗାକୁ ସେ ସ୍ରୋତରେ ଭସାଇ ଦେବାପାଇଁ । ଡଙ୍ଗାଟି ସିନା ଭାସି ଭାସି ଯାଏ, ମାତ୍ର ଶିଶୁର କୌତୁହଳ ପ୍ରଶମିତ ହୁଏନା । ପାଣିପ୍ରତି ତାର ଶେଷ ପ୍ରଶ୍ନ ଥାଏ । ଏହି ସୁଦୂର ଯାତ୍ରାପଥର ଶେଷ କେଉଁଠି, କେଉଁଠି ତାର ଆକାଙ୍‌କ୍ଷିତ ଅନ୍ତିମ ଲକ୍ଷ୍ୟସ୍ଥଳ ? (୨)

 

୨.

ପାଣି ଗୋ ପାଣି : ଟୁଆଁଟୁଇଁ ; ମାର୍ଚ୍ଚ ୧୯୬୦-ତୃତୀୟ ବର୍ଷ, ତୃତୀୟସଂଖ୍ୟା ।

 

ମୋ ପାଶେ ଅଛନ୍ତି ଦିବସ ରଜନୀ ମହାପ୍ରଭୁ ପରାତ୍ପର

ଏ କଥା ସୁମରି ହୃଦୟେ ତାହାଙ୍କୁ ପୂଜିବି ମୁଁ ନିରନ୍ତର ।’’

-ମଧୁସୂଦନ ପ୍ରନ୍ଥାବଳୀ : କଟକ ଷ୍ଟୁଡେଣ୍ଟ୍‌ସ ଷ୍ଟୋର-୧୯୭୦,ପୃ-୧ ।

 

ଶିଶୁର ନିତିଦିନିଆ ଦେଖୁଥିବା ଅନେକ ପ୍ରାକୃତିକ ଉପାଦାନକୁ ନେଇ ଗୋଦାବରୀଶ ଚମତ୍କାର ଶିଶୁଗୀତିକା ରଚନା କରିଛନ୍ତି । ସକାଳ ହେବା ପୂର୍ବରୁ ଫୁଲ ବଗିଚାରେ ଫୁଟି ଉଠନ୍ତି ଅନେକ ଫୁଲ । ଫୁଲର ପରାଗ ରେଣୁରେ ପାଗଳ ହୋଇ ଭ୍ରମର ତଥା ପ୍ରଜାପତି ପ୍ରଭୃତି ମଧୁଲୋଭୀ ପତଙ୍ଗମାନେ ଫୁଲ ବଗିଚାର ନୀରବ ପରିବେଶକୁ ଗୁଞ୍ଜରିତ କରିଦିଅନ୍ତି । ଫୁଲ ତୋଳିବାକୁ ଯାଇଥିବା କୁନି କୁନି ପିଲାମାନେ ଏହି ପରାଗଲୁବ୍‌ଧ ପତଙ୍ଗମାନଙ୍କଦ୍ୱାରା ମଧୁର ଯନ୍ତ୍ରଣା ପାଇଥାନ୍ତି । ବନମାଳୀ ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ ଏଇଭଳି ଏକ ଅନାକାଙ୍‌କ୍ଷିତ ଅସୁବିଧାରେ ପଡ଼ିଯାଏ । ପ୍ରଜାପତିମାନେ ବନମାଳୀର କଅଁଳ ମୁହଁକୁ ଫୁଲପରି ଭାବି ତା’ ଦେହରେ ବସି ପଡ଼ିବାକୁ ଲାଗନ୍ତି । ପ୍ରଜାପତିମାନଙ୍କୁ ଆଡ଼େଇ ଆଡ଼େଇ ବନମାଳୀ କ୍ଳାନ୍ତ ହୋଇଯାଏ ଆଉ ଅବସନ୍ନ ହୋଇଯାଏ ତାର ଦୁଇଟି ରଙ୍ଗାପ୍ଳୁତ ହାତ । ମା’ ପାଖରେ ଆସି ସେ ନିଜ ଦୁଃଖ ଜଣାଏ । ମା’ ତାକୁ ସାନ୍ତ୍ୱନା ଦିଅନ୍ତି ପ୍ରଜାପତିର ଏଇ ଭୀତିପ୍ରଦ ଆକ୍ରମଣରେ ତାର ରୂପ ଅଧିକ ପ୍ରୀତିପ୍ରଦ ହୋଇ ପଡ଼ିଛି । ବିଭିନ୍ନ ରଙ୍ଗର ସମ୍ମେଳନରେ ତା’ ମୁହଁ ଗୋଟିଏ ସତେଜ ଫୁଲଭଳି ଦିଶୁଚି ଏବଂ ଗଛରେ ଫୁଟିଥିବା ଅନେକ ସୁବାସିତ ଫୁଲକୁ ତାର ମୁଖଶୋଭା ନିନ୍ଦା କରୁଚି । (୩)

 

୩.

‘କହିଲେରେ ଧନ ଫୁଲପରି । ତୋ ମୁହଁ ଦିଶୁଚି ମୋତେ ଖାଲି ।

 

ଏଇଯେ ଗୋଲାପ ହସି ଫୁଟୁଥାଇ । ତା ତହୁଁ ତୋ ହସ କେତେ ଭଳି ।’

-‘ଫୁଲତୋଳି ଗଲା ବନମାଳୀ’ : ଟୁଆଁଟୁଇଁ, ଜାନୁୟାରୀ ୧୯୬୨ ।

 

ଏଇଭଳି ଅନ୍ୟ ଏକ ପ୍ରାକୃତିକ ଉପାଦାନ, ଯାହା ଗୋଦାବରୀଶଙ୍କ ଲେଖନୀରେ ଏକ କମନୀୟ ରୂପ ଗ୍ରହଣ କରିଛି, ତାହା ହେଉଛି ଘାସ । ଘାସର ଉଦାର ଶ୍ୟାମ ପ୍ରସାରଣଶୀଳତା ଭିତର ଦେଇ କବି ମୁଖ୍ୟତଃ ଏକ ସମର୍ପିତ ପ୍ରାଣ ଶକ୍ତିକୁ ସାମ୍ନା କରିଛନ୍ତି । ଏହାର ସବୁଜ ଗାଲିଚା ଉପରେ ବସିଲେ ସେ କେବେହେଲେ କାହାରିକୁ ଆପତ୍ତି କରେ ନାହିଁ । ‘କାଳିଗାଈ’ ଏହାର କୋମଳ ଅଗ ଅଂଶକୁ ଚୋବେଇ ଦେଲେ ମଧ୍ୟ ତାର ‘ହୀରା ବାଛୁରୀ’ ପାଇଁ ଏଇ ଘାସର ସେମିତି କୌଣସି ବିଦ୍ୱେଷ ନଥାଏ । ପୁଣି ଏହି ଘାସ ଅତି ସାନ ହେଲେ ମଧ୍ୟ ନିଜର ସହନଶୀଳତା, କୋମଳତା ତଥା ସବୁଜିମା ପାଇଁ ଅନ୍ୟମାନଙ୍କର ଅନୁକରଣୀୟ ଉପାଦାନ ହୋଇଥାଏ । (୪) ଘାସକୁ ନେଇ ଗୋଦାବରୀଶଙ୍କ ଏହି ଧରଣର ପରିକଳ୍ପନା ଶିଶୁମନରେ ଭରିଦିଏ ସହନଶୀଳତା ତଥା ଉଦାରତା ଭଳି ଅନେକ ମହନୀୟ ଗୁଣ । ତାକୁ ସଚେତନ କରିଦିଏ ଯେ ଜୀବନର ଏକ ମୁଖ୍ୟ ଆବେଦନ ହେଉଛି ତ୍ୟାଗ । ଭୋଗରେ ନୁହେଁ, ତ୍ୟାଗ ଓ ସହନଶୀଳତା ହିଁ ପାଶବିକତାକୁ ବିନାଶ କରି ମାନବିକତା ଭାବ ସୃଷ୍ଟି କରିଥାଏ ଏବଂ ସକଳ ସାଂସାରିକ କଳୁଷ ଭିତରୁ ଏକ ଦିବ୍ୟ ଚେତନା ହୃଦୟ ଭିତରେ ଦୀପିତ କରିଥାଏ ।

 

୪.

‘ଘାସ ପରି ଆମେ କଅଁଳ ହେବା । ଘାସପରି ଆମେ ନିଜକୁ ଦେବା ।

 

ସହିବା କାକର ବରଷା ଖରା । ବହିବା ଦେଶର ଯେତେକ ଭାରା ।’

-‘ଆମ ପଡ଼ିଆରେ କଅଁଳ ଘାସ’ : ଟୁଆଁଟୁଇଁ, ଜାନୁୟାରୀ ୧୯୫୮ ।

 

।। ତିନି ।।

 

ବିନୋଦ ପ୍ରତି ଶିଶୁର ଆକର୍ଷଣ ଅଧିକ । ଭାବ ପ୍ରବଣତା ଅପେକ୍ଷା ଲଘୁଧର୍ମୀ ଚପଳତା ତାକୁ ବହୁ ପରିମାଣରେ ପ୍ରଭାବିତ କରେ । ବେଳେବେଳେ ଶିଶୁ ନିଜେ ନିଜର ଆନନ୍ଦ ପାଇଁ ବିନୋଦ କରେ ଓ ଅନ୍ୟବେଳେ ସେ ନିଜେ ନିଜର ଅଜ୍ଞାତସାରରେ ବିନୋଦର କାରଣ ହୋଇଯାଏ । ଗୋଦାବରୀଶ ଶିଶୁର ଏହି ବିନୋଦ ଧର୍ମିତାକୁ ବେଶ୍‌ ଉପଲବ୍‌ଧି କରି ପାରିଥିଲେ । ତେଣୁ ତାଙ୍କର ଅଧିକାଂଶ ଶିଶୁଗୀତିକାରେ ଏହି ବିନୋଦ ଧର୍ମିତା ଲକ୍ଷଣୀୟ । ଉଦାହରଣତଃ ଅନେକ, ମାତ୍ର ଗୋଟିଏ ଦୁଇଟିକୁ ଏ କ୍ଷେତ୍ରରେ ପ୍ରଦାନ କରାଯାଇ ପାରେ । କୁନି ଦିନସାରା କାମ କରି କରି ଥକିଯାଏ । ମାତ୍ର ସେ ସମସ୍ତ କାମ କରଣୀୟ ନହେଲେ ମଧ୍ୟ କୁନି ସେଥିରେ ଆତ୍ମପ୍ରସାଦ ଅନୁଭବ କରେ ଏବଂ ଭାବେ ଯଦି କେହି ତା’ କାମକୁ ପସନ୍ଦ କରିବେ ନାହିଁ, ତେବେ ସେ ଆଉ କୌଣସି ଦିନ କିଛି କାମ କରିବ ନାହିଁ । କାମ ଭିତରେ ତାର ଥାଏ ଆଲମିରାର ବହିକୁ ପଦାରେ ଫିଙ୍ଗିବା, ବାପା ଲେଖୁଥିବା ‘ଝର କଲମ’କୁ ଲେଖି ଲେଖି ମୁଣ୍ଡା କରିଦେବା, ଦୁଆତର ସାହିରେ ବିଭିନ୍ନ ଚିତ୍ର କରି ଦୁଆତରେ ପାଣି ଭରିଦେବା, ଚଉକି ଓ ଖଟକୁ ଏକାଠି କରି ଅଠାଦେଇ କାଗଜ ଚାପିଦେବା, ପୁଣି ଛୁରୀ ନପାଇ ପେନ୍‌ସିଲର ମୁନକୁ କାତିରେ କାଟିବା ଆଦି । (୫) ସେହିପରି ଅନ୍ୟ ଉଦାହରଣ ଗୋଟିଏ ହେଉଛି ‘ବୁଢ଼ା’ ନାମକ ପିଲାଟି ହାତୀରେ ବସିବାର କଳ୍ପନା କରି କାଗଜରେ ଏକ ହାତୀ ଆଙ୍କିଦେବା ଆଉ ତା’ର ପିଠିରେ ବସି କଳ୍ପନାରେ କେତେ ରାଇଜ ଘୂରି ଆସିବା । ଅନ୍ୟ ଏକ ଉଦାହରଣ ହେଉଛି ତଳ ଉପର ଭାଇଭଉଣୀ ଦୁଇଟି କୁନା ଓ ମୀନା । ବଡ଼ଭଉଣୀ ମୀନା ଥରେ ଲୁଚାଲୁଚି ଖେଳିବା ପାଇଁ ପରାମର୍ଶ ଦିଏ ଓ ସର୍ତ୍ତ ରହେ ଯେ ଧରା ପଡ଼ିବ, ସେ ମିଠେଇ ଦେବ । ମୀନା ଲୁଚେ, ମାତ୍ର କୁନା ଖୋଜିବ କ’ଣ, ଆଖିବୁଜି ଠିଆ ହୋଇଥାଏ । ସେ କେଉଁଠାରେ ବୋଲି ମୀନା କୁନାକୁ ପଚାରେ । ମାତ୍ର କୁନା କିଛି କହେନା । ମୀନା ପୁଣି କହେ ଯେ ଅଧା ଦେଖାଗଲାଣି । କୁନା ତଥାପି ନଚାହିଁ ମୀନା ପୂରା ଦେଖାଯିବା ପର୍ଯ୍ୟନ୍ତ ଅପେକ୍ଷା କରେ । ଶେଷରେ ମୀନା ବାଧ୍ୟ ହୋଇ କୁନା ପାଖରେ ଆସି ଆପେ ଆପେ ଧରାଦିଏ ଓ ଦୁହେଁ ‘ମିଠେଇ ଭୋଜି’ କରି ଆନନ୍ଦ ହୁଅନ୍ତି । (୬)

 

୫.

‘କୁନିର କାମ’ : ଟୁଆଁଟୁଇଁ, ୧ମ ବର୍ଷ, ୮ମ ସଂଖ୍ୟା, ୧୯୫୭ ।

୬.

‘ଲୁଚକାଳି ଖେଳ’ : ଟୁଆଟୁଇଁ, ଅପ୍ରେଲ ୧୯୬୦ ।

 

ଗୋଦାବରୀଶଙ୍କ ଅନ୍ୟ ଏକ ବିନୋଦ ଧର୍ମୀ ଶିଶୁ କବିତାର କଥାବସ୍ତୁ ହେଉଛି ଦୁଧଟକଳି ବିରାଡ଼ିଟିଏ ଶିକାରେ ଥିବା ଠେକିକୁ କ୍ଷୀର ଦେବାପାଇଁ ଅନୁରୋଧ କରେ । ଠେକି ନିଜ ଅସାମର୍ଥ୍ୟ ପ୍ରକାଶ କରି ଗାଈକୁ କ୍ଷୀର ମାଗିବାକୁ ପରାମର୍ଶ ଦିଏ ପୁଣି ଠେକିର କଥାମାନି ଗାଈ ପାଖକୁ ଯାଏ, ମାତ୍ର ଗାଈ ବାଛୁରୀ ବିନା କ୍ଷୀର ଦେଇପାରିବ ନାହିଁ ବୋଲି ପ୍ରକାଶ କରେ । ପୁଣି ଗଉଡ଼ ବାଛୁରୀ ଆଣି ଗାଈ ଦୁହେଁ । କ୍ଷୀର ଠେକିରେ ଶିକା ଉପରେ ରଖିଦିଏ । ବିରାଡ଼ି ହତାଶ ହୋଇ ଠେକିକୁ ଯେତେବେଳେ କ୍ଷୀର ମାଗେ ସେତେବେଳେ ଉତ୍ତର ପାଏ କୁନା ପିଇସାରିବା ପରେ ତା’ କଥା ବିଚାର କରାଯିବ । (୭) ଅନ୍ୟ ଏକ କବିତାରେ ହରିଆ ନାମକ ଚାଟଶାଳୀରେ ପଢ଼ୁଥିବା ଏକ ବୁଦ୍ଧିହୀନ ପିଲା ଚାଟଶାଳୀରେ ‘ଜୀବେଦୟା’ ଶୀର୍ଷକ ଏକ କବିତା ପଢ଼ିସାରିବା ପରେ ଏହାକୁ କାର୍ଯ୍ୟରେ ପରିଣତ କରିବାକୁ ମନସ୍ଥ କରିଛି । ଦିନେ ସେ ଚାଟଶାଳୀ ଯିବା ବାଟରେ କାହାର ଏକ କାଳିଗାଈକୁ ଦେଖି ତାକୁ ଭୋକ କରୁଚି ବୋଲି ଅନୁଭବ କରି ତାରି ପାଖରେ ‘ଜୀବେଦୟା’ର ପ୍ରୟୋଗ କରିବାକୁ ଚାହିଁଛି ଏବଂ ଶେଷରେ ତା’ ‘ଶିଶୁ କଥାମାଳା’ ବହିକୁ ଖଣ୍ଡଖଣ୍ଡ କରି ଚିରି ଗାଈକୁ ଖାଇବାକୁ ଦେଇଛି । (୮)

 

୭.

‘ଭୋକିଲା ପୁଷି’ : ଟୁଆଁଟୁଇଁ : ଅପ୍ରେଲ ୧୯୫୮ ।

୮.

‘ଟୁଆଟୁଇଁ’ ପ୍ରଥମ ବର୍ଷ-୧୨ଶ ସଂଖ୍ୟା ୧୯୫୮ ।

 

ଶିଶୁମାନଙ୍କ କୋମଳ ମନକୁ ଛୁଇଁଲାଭଳି କବିତା ରଚନା କରିବାରେ ଗୋଦାବରୀଶଙ୍କ ପାରଦର୍ଶିତା ଥିଲା ଅସୀମ । ଏହି ଗୀତିକା ମାନଙ୍କରେ ବର୍ଣ୍ଣନାଧର୍ମିତା ପ୍ରାୟ ନାହିଁ କହିଲେ ଚଳେ । ସରଳ, ନିରାଡ଼ମ୍ୱର ଏବଂ ଅଳଙ୍କାର ହୀନ ଶବ୍ଦ ଚୟନ କରି ଗୋଦାବରୀଶ ନିଜ ଶିଶୁସାହିତ୍ୟର ଅଙ୍ଗ ସୌନ୍ଦର୍ଯ୍ୟ ପରିପୁଷ୍ଟ କରିଛନ୍ତି । ଯଦିଓ ସ୍ଥାନେ ସ୍ଥାନେ ଛନ୍ଦପାତ ପ୍ରତି ତାଙ୍କର ମାତ୍ରାଧିକ୍ୟ ଆସକ୍ତି ପରିଲକ୍ଷିତ ହୁଏ ତଥାପି ସ୍ୱକୀୟ ଲଳିତ ଗୁଣରେ ଏହା ବେଶ୍‌ ହୃଦୟସ୍ପର୍ଶୀ ଏବଂ ସରଳ ଶବ୍ଦସଂଯୋଜନାରେ ଏହା ସର୍ବଜନ ଗ୍ରହଣଶୀଳ । କେବଳ ଶିଶୁମାନଙ୍କ ପାଇଁ ଶିକ୍ଷଣୀୟ ଉପାଦାନର ନିରୁତା ପ୍ରୟୋଗ ଗୋଦାବରୀଶଙ୍କ ଶିଶୁକବିତାମାନଙ୍କରେ ପରିଲକ୍ଷିତ ହୁଏ ନାହିଁ । ବରଂ ଏହି କବିତାମାନଙ୍କରେ ବିନୋଦଧର୍ମିତା ହେଉଛି ମୁଖ୍ୟ ଏବଂ ଏହା ମାଧ୍ୟମରେ ହିଁ ଶିଶୁଙ୍କୁ ପରୋକ୍ଷ ଶିକ୍ଷାଦାନ କରିବାପାଇଁ ଗୋଦାବରୀଶ ଯତ୍ନବାନ ହୋଇଛନ୍ତି । ଆଜୀବନ ସ୍ଥିତାବସ୍ଥାର ଅନ୍ତସାରଶୂନ୍ୟ ବାହ୍ୟ ଚାକଚକ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ପ୍ରବାଦପୁରୁଷ ଗୋଦାବରୀଶ ଯେପରି ଏହି ଶିଶୁ କବିତାମାନଙ୍କରେ ନିଜ ସରଳ ହୃଦୟ ସତ୍ତାକୁ ନିଜେ ଦେଖିବାକୁ ଚେଷ୍ଟା କରିଛନ୍ତି, ନିଜ ଭିତର ମଣିଷଟିର ଶୈଶବଭାବନା ବିଜଡ଼ିତ ଧରାବତରଣ କରାଇଛନ୍ତି ।

 

 

ଦଣ୍ଡୁଆସୀପଡ଼ା, ଆୟତପୁର,

କିଶୋର ନଗର, କଟକ-୭୫୪୧୩୧ ।

 

***

 

ରାମକୃଷ୍ଣ ନନ୍ଦ : ଏକକ ସାରସ୍ୱତ ପ୍ରତିଶ୍ରୁତି

ଡକ୍‌ଟର ବାବାଜୀ ଚରଣ ପଟ୍ଟନାୟକ

 

-୧-

 

ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ବେଳକୁ ଓଡ଼ିଆରେ ବହୁବିଧ ନୂତନ-ରୁଚିର ସାହିତ୍ୟ ସୃଷ୍ଟି ହୋଇଥିଲା । ତନ୍ମଧ୍ୟରେ ଶିଶୁ-ସାହିତ୍ୟ ଅନ୍ୟତମ । ଅବଶ୍ୟ ସେକାଳରେ ଉପଯୁକ୍ତ ସାହିତ୍ୟିକ ବିଭାଗର ସ୍ୱତନ୍ତ୍ର ଅସ୍ତିତ୍ୱ ସ୍ୱୀକୃତ ହୋଇ ନଥିଲା । ତେଣୁ ମଧୁସୂଦନ ରାଓ, ଫକୀରମୋହନ ସେନାପତି, ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି, ଶିଶୁ-ଉପଯୋଗୀ କବିତା, ଗଳ୍ପ ଓ ନୀତିଶିକ୍ଷାଦି ରଚନା କରିଥିଲେ ହେଁ, ସାହିତ୍ୟିକ ଭାବେ ସମ୍ମାନିତ । ବସ୍ତୁତଃ ଶିଶୁ-ସାହିତ୍ୟ ସଂରଚନା ଥିଲା ସେମାନଙ୍କ ସାହିତ୍ୟ ସାଧନାର ଭିନ୍ନ ଏକ ଦିଗ । ଅନ୍ୟଭାବେ କହିଲେ ହେବ; ଆଲୋଚ୍ୟ କାଳର ସାହିତ୍ୟିକ ମାତ୍ରେ ହିଁ ଶିଶୁ-ସାହିତ୍ୟିକ ଥିଲେ । ରାଧାନାଥ ରାୟ ବିଶେଷ କିଛି ଶିଶୁ-ଉପଯୋଗୀ ସାହିତ୍ୟ ରଚନା କରି ନଥିଲେହେଁ, ସେ ଥିଲେ ଶିଶୁ-ସାହିତ୍ୟର ଉତ୍ସାହ ଦାତା । ରାଧାନାଥ-ଫକୀରମୋହନ ଓ ମଧୁସୂଦନଙ୍କ ପ୍ରବର୍ତ୍ତିତ କାବ୍ୟରୁଚି, ପରବର୍ତ୍ତୀ କାଳର ସ୍ରଷ୍ଟାଙ୍କଦ୍ୱାରା ଅନୁସୃତ ହୋଇଛି । ଗୋଟିଏ ଗୋଟିଏ ଭାବାତ୍ମକ ଧାରାର ଅନୁବର୍ତ୍ତନରେ ‘ସତ୍ୟବାଦୀ-ଗୋଷ୍ଠୀ’ ଓ ‘ସବୁଜ ସାହିତ୍ୟ ସମିତି’ର ସାହିତ୍ୟିକ ପ୍ରତିଷ୍ଠା ସ୍ୱୀକୃତ ହୋଇଛି । ଆଙ୍ଗିକ ଅନୁସୃତିର ଫଳ ସ୍ୱରୂପ ସନେଟ ସଂକଳନର ଏକକ ଗ୍ରନ୍ଥମାନ ପ୍ରକାଶ ପାଇଛି । ଏଠାରେ ସ୍ମରଣ ରଖିବାକୁ ହେବ ଯେ, ମଧୁସୂଦନ ରାଓଙ୍କ ସନେଟ ରାଜିର ଏକକ ସଂକଳନ ‘‘ବସନ୍ତ-ଗାଥା’’ (୧୯୦୧)ର ଅନୁସରଣରେ ପାଥେୟ (୧୯୩୨), କ୍ରୁଶ (୧୯୫୭), ପ୍ରଭାତୀ (୧୯୪୩), ପୁରବୀ (୧୯୬୧) ଆଦି ଗ୍ରନ୍ଥମାନ ପ୍ରକାଶ ପାଇଛି । ଜାତୀୟତାବାଦ ଓ ରୋମାଣ୍ଟିକବାଦର ଭୂୟୋବିକାଶ ସଂଘଟିତ ହୋଇଛି, ଯଥାକ୍ରମେ ସତ୍ୟବାଦୀ ଏବଂ ସବୁଜଗୋଷ୍ଠୀର ସାହିତ୍ୟିକଙ୍କ କୃତିରେ । ତେବେ ମଧୁସୂଦନ ଓ ଫକୀରମୋହନ ପ୍ରବର୍ତ୍ତିତ ଶିଶୁ-ସାହିତ୍ୟର ଧାରାନୁସରଣରେ ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି, ଗୋଦାବରୀଶ ମିଶ୍ର, ଗୋଦାବରୀଣ ମହାପାତ୍ର, ନୀଳକଣ୍ଠ ଦାସ, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର କୃତିତ୍ୱ ଉଲ୍ଲେଖଯୋଗ୍ୟ । ଆଲୋଚ୍ୟ କାଳରେ ରେବା ରାୟ ସମ୍ପାଦିତ ‘ପ୍ରଭାତ’ (୧୯୦୯), ଅଗଣି ଦାଶଙ୍କ ‘ପଞ୍ଚାମୃତ’ (୧୯୧୮), ବାଳକୃଷ୍ଣ କରଙ୍କ ସମ୍ପାଦନାରେ ‘ଜହ୍ନମାମୁଁ’ (୧୯୩୦) ଭଳି ନିରୋଳା ଶିଶୁ-ସାହିତ୍ୟ ପତ୍ରିକାର ଆବିର୍ଭାବ ଘଟିଛି । ସେଥିରେ ମଧୁସୂଦନ ରାଓ, ଫକୀରମୋହନ ସେନାପତି, ଶଶିଭୂଷଣ ରାୟ, ଗୋପାଳଚନ୍ଦ୍ର ପ୍ରହରାଜ, ଗୋଦାବରୀଶ ମିଶ୍ର, ରମାରଞ୍ଜନ ମହାନ୍ତି, ପ୍ରାଣକୃଷ୍ଣ ପରିଜା, ରାଧାମୋହନ ଗଡ଼ନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଚିନ୍ତାମଣି ଆଚାର୍ଯ୍ୟଙ୍କ ଲେଖାମାନ ପ୍ରକାଶ ପାଇଛି । ହେଲେ, ଓଡ଼ିଆ ଶିଶୁ-ସାହିତ୍ୟକୁ ନେଇ କୌଣସି ଏକକ ସାହିତ୍ୟିକ ସାଧନା ବା ଏକାନ୍ତଭାବେ ଗୋଷ୍ଠୀବଦ୍ଧ ଉଦ୍ୟମ; ବିଂଶ ଶତକର ତୃତୀୟ-ଦଶନ୍ଧି ପର୍ଯ୍ୟନ୍ତ ହୋଇ ପାରିନାହିଁ, ଠିକ୍‌ ଏହି ସମୟକୁ ଓଡ଼ିଆ ଶିଶୁ-ସାହିତ୍ୟ ରଚନାରେ ବ୍ରତୀ ହୁଅନ୍ତି ରାମକୃଷ୍ଣ ନନ୍ଦ । ଅନ୍ୟ କେତେଜଣଙ୍କ ପରି ତାଙ୍କର ଏକକ ପ୍ରଚେଷ୍ଟା ଓ ପ୍ରତିଶ୍ରୁତିରେ ଓଡ଼ିଆ ଶିଶୁ-ସାହିତ୍ୟର କ୍ରମୋତ୍ତରଣ ପର୍ଯ୍ୟାୟ ଆରମ୍ଭ ହୁଏ । ଏହି ଗୋଟିଏ ବିଭାଗକୁ ପରିପୁଷ୍ଟ ଓ ସ୍ୱକୀୟଦୀପ୍ତ କରିବାରେ ତାଙ୍କର ଆଜୀବନ ସାହିତ୍ୟ-ସାଧନା ଉତ୍ସର୍ଗୀକୃତ । ତାଙ୍କ ସାହିତ୍ୟିକ କୃତିର କୃତିତ୍ୱକୁ; ଜୀବନଧାରା ଓ ସୃଷ୍ଟି ସମ୍ଭାରର ବହୁବିଧତା ଭିତ୍ତିରେ ଆକଳନ କରିହେବ ।

 

।। ୨ ।।

 

ଓଡ଼ିଆ ଶିଶୁସାହିତ୍ୟିକ ଭାବେ ରାମକୃଷ୍ଣ ନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅବିସମ୍ବାଦିତ । କର୍ମମୟ ଜୀବନରେ ଶିକ୍ଷକ-ବୃତ୍ତି, ତାଙ୍କୁ ଶିଶୁ-ଉପଯୋଗୀ ପାଠ୍ୟପୁସ୍ତକ, ପତ୍ର-ପତ୍ରିକା ଓ ଗୀତ-କାହାଣୀ ରଚନାରେ ପ୍ରବୃତ୍ତ କରାଇଛି । ସେ ବୁଝିଥିଲେ; ଶିଶୁ ହେଉଛି ଦେଶର ଭାବୀ ନାଗରିକ । ତା ଭିତରେ ଅନେକ ସମ୍ଭାବନାର ବୀଜ ରହିଛି । ସେସବୁକୁ ଅଙ୍କୁରୋଦ୍‌ଗମ କରାଇବା ପାଇଁ ଉପଯୁକ୍ତ ପରିବେଶ ଓ ପରିସ୍ଥିତି ଲୋଡ଼ା, ତାର ବିକାଶ ପାଇଁ ଉପଯୁକ୍ତ ଖାଦ୍ୟସାର ଜରୁରୀ ଅଟେ-। ତେଣୁ ଶିଶୁର ସଂହତ ଅଭିବର୍ଦ୍ଧନରେ ସାହାଯ୍ୟ କଲାଭଳି ସାରସ୍ୱତ ଖାଦ୍ୟସାର ପ୍ରସ୍ତୁତ କରିଛନ୍ତି ସେ । ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂବାହନରେ ନିଜକୁ ଆଜୀବନ ନିୟୋଜିତ କରି, ସେ ଯଥାର୍ଥ ଅର୍ଥରେ ଶିକ୍ଷକତା କରି ଯାଇଛନ୍ତି । ସାହିତ୍ୟିକକୃତି ଦୃଷ୍ଟିରୁ ସେ ଯେଭଳି ସମ୍ମାନ ପାଇବା କଥା, ସେପରି ପାଇ ପାରିନାହାନ୍ତି । ତା’ର କାରଣ ହେଲା, ‘ପୂର୍ବରୁ ଶିଶୁ-ସାହିତ୍ୟ ଲେଖକମାନଙ୍କୁ ଅନେକ ବିଜ୍ଞ ବ୍ୟକ୍ତି ସାହିତ୍ୟିକ ଗୋଷ୍ଠୀଭୁକ୍ତ କରିବାକୁ କୁଣ୍ଠାବୋଧ କରୁଥିଲେ । X X ଏପରିକି ସରକାର ମଧ୍ୟ ସାହିତ୍ୟିକମାନଙ୍କଠାରୁ ଶିଶୁ-ସାହିତ୍ୟ ସ୍ରଷ୍ଟାଙ୍କୁ ନ୍ୟୂନ ଶ୍ରେଣୀଭୁକ୍ତ କରୁଥିଲେ ।’ (୧) ବଙ୍ଗଳାର ପ୍ରଖ୍ୟାତ ସାହିତ୍ୟିକ ପ୍ରମଥ ଚୌଧୁରୀ ମଧ୍ୟ ଏକଦା ଲେଖିଥିଲେ–‘‘ଆମାର ଦୃଢ଼ ବିଶ୍ୱାସ ଯେ, ଶିଶୁ-ସାହିତ୍ୟ ବଲେ କୋନଓ ପଦାର୍ଥର ଅସ୍ତିତ୍ୱ ନେଇ ଏବଂ ଥାକ୍‌ତେ ପାରେନା । କେନନା ଶିଶୁ-ପଚ୍ଛନ୍ଦ-ସାହିତ୍ୟ ଶିଶୁ ବ୍ୟତୀତ ଅପର କେଓ ରଚନା କର୍‌ତେ ପାରେନା, ଆର ଶିଶୁର ସମାଜେର ଉପର୍‌ ଆର୍‌ ଯେ ଅତ୍ୟାଚାର କରୁନ୍‌ ନା କେନ ସାହିତ୍ୟ ରଚନା କରେନା ।’ (୨) ଉପର୍ଯୁକ୍ତ ଅଭିମତ, ଆଜି ତାର ପ୍ରାସଙ୍ଗିକତା ହରାଇଛି ।

 

୧.

ଷଡ଼ଙ୍ଗୀ, ଉଦୟନାଥ-ଓଡ଼ିଆ ଶିଶୁସାହିତ୍ୟର ସଂଜ୍ଞା, ସ୍ୱରୂପ ଓ ଉନ୍ମେଷ-ଓଡ଼ିଆ ଶିଶୁସାହିତ୍ୟର ଇତିବୃତ୍ତ-ପୃ-୧୫ ।

୨.

ଚୌଧୁରୀ, ପ୍ରମଥ-‘ବୀରବଲେର ହାଲଖାତା’ ।

 

ଏବେ ଶିଶୁସାହିତ୍ୟର ସ୍ୱତନ୍ତ୍ର ଅସ୍ତିତ୍ୱ ସର୍ବଥା ସ୍ୱୀକୃତ । ପୁଣି ସେ ବିଭାବରେ ମସୀ ଚାଳନା କରୁଥିବା ସ୍ରଷ୍ଟା; ବୟସରେ ଶିଶୁ ନୁହେଁ; କିମ୍ୱା ସାହିତ୍ୟିକ ଭାବେ ଅଳ୍ପ ଅଭିଜ୍ଞ ନୁହେଁ । ବରଂ ସେ ସର୍ବବିଧ-ସାହିତ୍ୟିକ ବିଭାଗ ଅବଗାହୀ: ପ୍ରାଜ୍ଞ-ମନୀଷୀ । ଏକଥା କହିବାର ତାତ୍ପର୍ଯ୍ୟ ହେଉଛି; ସାହିତ୍ୟର ସମସ୍ତ ଗୁଣାବଳୀ, ବିଭେଦ ଓ ଭାଷା-ବିନ୍ୟାସ ପଦ୍ଧତିରେ ପାରଦର୍ଶିତା ନଥିଲେ ଶିଶୁ-ସାହିତ୍ୟିକ ହେବା ସମ୍ଭବ ନୁହେଁ । କାରଣ ଶିଶୁ-ସାହିତ୍ୟିକଙ୍କୁ ଏକାଦିକ୍ରମେ ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, କବି ଓ କଥକଙ୍କ କଳା କୌଶଳକୁ ଆୟତ୍ତ କରିବାକୁ ପଡ଼େ । ତେଣୁ ସର୍ବବିଧ ସାହିତ୍ୟିକ ବିଭାଗର କଳା-କୌଶଳର ସମନ୍ୱିତ କଳା ହେଉଛି, ଶିଶୁ-ସାହିତ୍ୟ । ସରଳ ଭାଷା ବିନ୍ୟାସ ହେତୁ ତାହା ସହଜ ବୋଧ୍ୟ । ବୋଧହୁଏ ଏଇଥିପାଇଁ ଅନେକ ଲେଖକ ଅଭିବ୍ୟକ୍ତିଗତ କଳା-କୌଶଳ ପ୍ରତି ଦୃଷ୍ଟି ନଦେଇ, ସରଳ ଭାଷାରେ ଯା’ପାରି ତାହା ଲେଖି ଶିଶୁ-ସାହିତ୍ୟିକ-ତାଲିକାଭୁକ୍ତ ହେବାକୁ ଲାଳସା କରନ୍ତି । ଅବଶ୍ୟ; ଏଭଳି ମନୋଭାବର ଲେଖକଙ୍କ ତାଲିକା, ସାହିତ୍ୟର ସବୁ ବିଭାଗରେ ଅତ୍ୟନ୍ତ ଦୀର୍ଘ । କିନ୍ତୁ ସାହିତ୍ୟିକର ଗୁଣ ନଥାଇ, ବାହ୍ୟଚାତୁରୀ ବଶତଃ ଶିଶୁ-ସାହିତ୍ୟିକ ବୋଲାଇବାର କପଟାଚାରୀ; ଅନ୍ୟାନ୍ୟ ବିଭାଗର ନାମ ବିଜ୍ଞାପନକାରୀ ସାଆନ୍ତିଆଙ୍କଠାରୁ ମାରାତ୍ମକ । କେହି କେବେ ଦାୟରେ ପଡ଼ି ଶିଶୁ-ସାହିତ୍ୟିକ ହୁଏ ନାହିଁ । ବରଂ ଦାୟିତ୍ୱବୋଧ ହେଉଛି ଶିଶୁ-ସାହିତ୍ୟର ପ୍ରସୂତୀ-ଶାଳା । ତହିଁରେ ସାମାନ୍ୟତମ ତ୍ରୁଟି ରହିଲେ, ଜାତି ଓ ଦେଶର ମେରୁଦଣ୍ଡରୂପୀ ଶିଶୁ ସେହି ଭ୍ରାନ୍ତିର ଶିକାର ହେବ । ତାହାଦ୍ୱାରା ଜାତୀୟ ଜୀବନରେ କି କ୍ଷତି ଘଟିବ ତାହା ଅନୁମେୟ ! ଏଭଳି ଜଣେ ଶିଶୁ-ସାହିତ୍ୟିକ ବନିବା ପାଇଁ ବ୍ୟାକୁଳ ଚିତ୍ତ ସଂପାଦକଙ୍କ ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ନନ୍ଦ ଯେଉଁ କଟୂକ୍ତି ପ୍ରଦାନ କରିଥିଲେ, ତାହା ପ୍ରଣିଧାନଯୋଗ୍ୟ-‘‘୧୯୭୮ରେ କଟକରୁ ପ୍ରକାଶିତ ଗୋଟିଏ ଶିଶୁ-ପତ୍ରିକାର ଚାରିପୃଷ୍ଠା ମଧ୍ୟରେ ତିରିଶଟିରୁ ଅଧିକ ଅଶୁଦ୍ଧ ଥିବାର ଦେଖାଗଲା । ସେଥିରୁ କେତୋଟି ମାତ୍ର ପାଠକମାନଙ୍କ ଅବଗତି ପାଇଁ ଏଠାରେ ଦିଆଯାଉଛି । ସରୁ, ପରୀକ୍ଷା, ଦୋଷ, ଘଟଣାରୁ, ଆଜି, କୌତୂହଳୀ, ଶକ୍ତିଶାଳୀ, ଯନ୍ତ୍ର, ସାହାଯ୍ୟରେ, ଗଭୀର, ସ୍ୱାମୀ, ରାଜି, ସ୍ୱପ୍ନ, ଘୋଡ଼ିହୋଇ, ଆଧିକ୍ୟ, ବିଭୀଷିକା, ମୁହୂର୍ତ୍ତ, ସ୍ୱାଧୀନତା-ଏ ଶବ୍ଦଗୁଡ଼ିକ ସରୁ, ପରିକ୍ଷା, ଦୋଶ, ଘଟଣାରୁ, ଆଜୀ, କୌତୁହଳୀ, ଶକ୍ତିଶାଳି, ଯସ୍ତ୍ର, ସାହାହ୍ୟରେ, ଗଭିର, ସ୍ୱାମି, ରାଜୀ, ସ୍ୱୋପ୍ନ, ଘୋଡ଼ିହୋଇ, ଆଧୁକ୍ୟ, ବିଭିଷୀକା, ମୂହୁର୍ତ୍ତ, ସ୍ୱାଧିନତା ରୂପେ ସେଥିରେ ଛପା ଯାଇଛି । ଏ ପୁଣି ଶିଶୁଙ୍କ ପାଇଁ ! ଭାଷାର ଶୁଦ୍ଧତା ରକ୍ଷା ଦିଗରେ ଆମର ଉଦାସୀନତା ଆଉ କେତେଦୂର ଯାଇପାରେ ? ଏହାହିଁ କ’ଣ ଶିଶୁସାହିତ୍ୟର ବିକାଶପାଇଁ ଆମ ବ୍ୟାକୁଳତାର ନମୁନା ! (୩) ଏହି ପ୍ରସଙ୍ଗରେ ଲୋକକଥାର ଯମଙ୍କ ଦରକାରୀ ନ୍ୟାୟକଥା ମନେପଡ଼େ । ଏକଦା ଜଣେ ଡକାୟତ ଅପେକ୍ଷା, ସାହିତ୍ୟିକକୁ କଠୋର ଦଣ୍ଡ ବିଧାନ କଲେ ଯମ-। କାରଣ ଜିଜ୍ଞାସା କରାଯିବାରୁ, ସେ କହିଲେ-ଡକାୟତର ସାମାଜିକ କ୍ଷତି ଗୋଟିଏ ପୀଢ଼ିରେ ଭୁଲିଯାଇ ହେବ; କିନ୍ତୁ ସାହିତ୍ୟିକର ତ୍ରୁଟି ପୀଢ଼ି ପୀଢ଼ି ଧରି ବିପଥଗାମୀ କରାଇବା । ତେବେ ପୂର୍ବୋକ୍ତ ସମ୍ପାଦକଙ୍କ କାର୍ଯ୍ୟାବଳୀ କେତେ ମାରାତ୍ମକ ତାହା ଅନୁମେୟ ।

 

୩.

ନନ୍ଦ, ରାମକୃଷ୍ଣ-ଓଡ଼ିଆ ଭାଷାରେ ଅଶୁଦ୍ଧ ପ୍ରୟୋଗ-ସୃଷ୍ଟି ଓ ସମୀକ୍ଷା, ୧୯୭୯-୮୦,ପୃ.୧୬୧, ୧୬୨ ।

 

କେବଳ ଭାଷାର ଶୁଦ୍ଧତା କାହିଁକି-ଶିଶୁ ଅନୁକୂଳ ସାହିତ୍ୟିକ ରୂଚି ଉପରେ ମଧ୍ୟ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ଶିଶୁ-ସାହିତ୍ୟର ସମୁନ୍ନତି ପ୍ରତି ସେ ଧ୍ୟାନଶୀଳ ଥିଲେ । ପାଶ୍ଚାତ୍ୟ ଜଗତରେ ଉପାଧ୍ୟୁତ୍ତର ଗବେଷଣା କରି ତାଙ୍କ ପୂର୍ବତନ ଛାତ୍ର ଡକ୍ଟର ବସନ୍ତକୁମାର ବେହୁରା ଓଡ଼ିଶାକୁ ଫେରିବାକ୍ଷଣି; ଶ୍ରୀଯୁକ୍ତ ନନ୍ଦ ତାଙ୍କୁ ଯାହା କହିଥିଲେ, ତହିଁରୁ ତାଙ୍କର ଶିଶୁ ଓ ଶିଶୁ-ସାହିତ୍ୟ ପ୍ରତି ଥିବା ଏକନିଷ୍ଠତା ଉପଲବ୍‌ଧ ହୁଏ-

 

‘‘Well Basanta, you have returned from foreign lands after completing your higher studies. You are now an eminent college teacher. But let not your knowledge be used for the benefit of College students. Do something for the children. (୪)

 

୪.

Nanda, Ramakrushna-Dr. B. K. Behura- As I know him-Pranikee-Vol-lll 1982, p-43.

 

ପ୍ରାସଙ୍ଗିକ ଭାବେ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ‘ଗାଥାସପ୍ତସତୀ’ର ଶ୍ଳୋକଟିକୁ ସ୍ମରଣ କରିହେବ–

 

ଆସ୍ୱାଦିତ ଦୟିତାଧର ସୁଧାରସୈବ ସୂକ୍ତୟୋ ମଧୁରାଃ

ଅକୁଳିତ ରସାଳ ମୃକୁଳୋ ନ କୋକିଳଃ କଳମୁଦଞ୍ଚୟତି ।

 

ଅର୍ଥାତ୍‌ ଯିଏ ପ୍ରିୟାର ଅଧର ସୁଧାରସ ଆସ୍ୱାଦନ କରିଥାଏ, ସିଏ କେବଳ ମଧୁର କବିତା ଲେଖିପାରେ । ଯେଉଁ କୋକିଳ ରସାଳ ଆମ୍ର ମଞ୍ଜରୀ ଆସ୍ୱାଦନ କରିନାହିଁ, ସେ ବା ମଧୁର ଧ୍ୱନି କରିବ କିପରି ? ସେହିପରି ଶିଶୁର ହାସ, ଭାଷ, କଳରୋଳ ଓ ମନସ୍ତତ୍ତ୍ୱ ସମ୍ୱନ୍ଧରେ ପ୍ରତ୍ୟକ୍ଷ ଅଭିଜ୍ଞତା ନଥିଲେ ଶିଶୁସାହିତ୍ୟ ରଚନା ସମ୍ଭବ ହେବ କିପରି ? ତେଣୁ ରାମକୃଷ୍ଣଙ୍କ ଶିଶୁସାହିତ୍ୟିକ କୃତିତ୍ୱ ସମ୍ପର୍କରେ ଅବହିତ ହେବା ପୂର୍ବରୁ ତାଙ୍କ ଜୀବନୀ ଅନୁଶୀଳନ ପ୍ରାସଙ୍ଗିକ ବୋଧହୁଏ । କାରଣ ତାଙ୍କ ଜୀବନ ଓ ସାହିତ୍ୟ; ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ; ପରସ୍ପର ପରିପୂରକ ।

 

(୩)

 

୧୯୦୬ ମସିହା ଫେବୃୟାରୀ ୧୫ ତାରିଖରେ ଶ୍ରୀ ରାମକୃଷ୍ଣ ନନ୍ଦ ଜନ୍ମଗ୍ରହଣ କରନ୍ତି, ଅବିଭକ୍ତ କଟକ ଜିଲ୍ଲାର ବାଇରୋଇ ଗାଁରେ । ପିତା-ମଧୁସୂଦନ ନନ୍ଦ ଓ ମାତା-ଲକ୍ଷ୍ମୀଦେବୀ । ଫୁଲନଖରାଠାରୁ ନିଆଳି ରାସ୍ତାରେ ୧୭ କିଲୋମିଟର ଗଲେ ବାଇରୋଇ ଗାଁ ପଡ଼େ । ପାରିବାରିକ ମର୍ଯ୍ୟାଦା ଦୃଷ୍ଟିରୁ ନନ୍ଦ ପରିବାର ସେ ଅଞ୍ଚଳରେ ସୁପରିଚିତ । ରାମକୃଷ୍ଣଙ୍କ ପିତା ମଧୁସୂଦନ ଥିଲେ ଶିକ୍ଷକ । ସେବେକାର ଗ୍ରାମାଞ୍ଚଳୀୟ ଶିକ୍ଷାନୁଯାୟୀ ରାମକୃଷ୍ଣ ଗାଁ ଚାଟଶାଳୀର ଶିକ୍ଷା ସମାପ୍ତ କରି କଣ୍ଟାପଡ଼ା, ନିମାପଡ଼ା ଓ ଭିଙ୍ଗାରପୁରରେ ନିମ୍ନପ୍ରାଥମିକ ଏବଂ ମାଇନର ଶିକ୍ଷା ସମାପ୍ତ କରନ୍ତି । ମାଇନର ପରୀକ୍ଷାରେ ବୃତ୍ତି (ମାସିକ ପାଞ୍ଚ ଟଙ୍କା) ଲାଭକରି କଟକର ରେଭେନ୍‌ସା କଲେଜିଏଟ ସ୍କୁଲରେ ନାମ ଲେଖାନ୍ତି । ଠିକ୍‌ ସେତିକିବେଳେ ପିତୃ ବିୟୋଗ ଘଟେ । ଆର୍ଥିକ ଦୁଃସ୍ଥିତିର କଳା-ପରଦା ନଇଁ ଆସେ । ପଢ଼ାପଢ଼ିରେ ବ୍ୟାଘାତ ସୃଷ୍ଟି ହୁଏ । ୧୯୨୧ ମସିହା କଥା । ଅସହଯୋଗ ଆନ୍ଦୋଳନ ପାଇଁ ଗାନ୍ଧିଙ୍କ ଡାକରାରେ ସାମାଜିକ ଜୀବନ ଚଳଚଞ୍ଚଳ ହୋଇ ଉଠିଥାଏ । ଗାନ୍ଧି ଆସିଥାନ୍ତି କଟକ, ତିନିକୋଣିଆ ବଗିଚାରେ ସଭା ଚାଲିଥାଏ । ରାମକୃଷ୍ଣ ତାଙ୍କୁ ଦେଖନ୍ତି, ତାଙ୍କ ଭାଷଣ ଶୁଣନ୍ତି । ଲକ୍ଷ୍ୟରେ ପରିବର୍ତ୍ତନ ଆସେ । ପାଠପଢ଼ା ଛାଡ଼ି ସ୍ୱରାଜ୍ୟାଶ୍ରମରେ ପହଞ୍ଚନ୍ତି । ସ୍ୱେଚ୍ଛାସେବୀ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହ ବଡ଼ଘୁମୁରି ଗାଁକୁ ଯା’ନ୍ତି । ସେଠାରେ ସ୍ୱରାଜରେ ବାର୍ତ୍ତା ଓ ଗାନ୍ଧିଙ୍କ ଉପଦେଶକୁ ପ୍ରଚାର କରନ୍ତି । ତା’ପରେ କୁଦାନଗରୀ, ସ୍ୱରାଜ୍ୟାଶ୍ରମ ଓ ଅଳକାଶ୍ରମାଦିରେ ସ୍ୱେଚ୍ଛାସେବକଭାବେ କାର୍ଯ୍ୟକରି ସାଙ୍ଗମାନଙ୍କ ସହ ପୃଥିବୀ ପର୍ଯ୍ୟଟନର ପରିକଳ୍ପନା କରନ୍ତି । ହେଲେ ବିଧିର ବିଚାର ଭିନ୍ନ ପ୍ରକାରର । ସ୍ୱରାଜ୍ୟ ଆଶ୍ରମର ମୁଖ୍ୟ-କାର୍ପଟଦାର ଅଟଳ ବିହାରୀ ଆଚାର୍ଯ୍ୟଙ୍କ ସୁପାରିଶକ୍ରମେ, ସେ ନୀଳକଣ୍ଠଙ୍କ ସାଥିରେ ସତ୍ୟବାଦୀ ଯା’ନ୍ତି । ସେଠିକାର ଜାତୀୟ ବନବିଦ୍ୟାଳୟରେ ଅଧ୍ୟୟନ କରି, କୃତିତ୍ୱ ସହକାରେ ଉତ୍ତୀର୍ଣ୍ଣ ହୁଅନ୍ତି । ହେଲେ ସେ ସାର୍ଟିଫିକେଟର ମୂଲ୍ୟ କ’ଣ ? ଜାତୀୟ ବନ-ବିଦ୍ୟାଳୟ ତଥା ସ୍ୱେଚ୍ଛାସେବୀ ଜୀବନର ସୂତାକଟା ଅଭ୍ୟାସ ତାଙ୍କୁ ପେଟ ପୋଷିବାର ରାହା ଦିଏ । ଇଜର୍ଟନ ଗାର୍ଲସ ହାଇସ୍କୁଲ (ବଡ଼ଚଣା ନିକଟ)ରେ ସୂତା-କଟା ଶିକ୍ଷକ ପଦରେ ଯୋଗ ଦିଅନ୍ତି, ୧୯୨୫ ମସିହାରେ । ମାସକୁ ଦରମା କୋଡ଼ିଏ ଟଙ୍କା । ସେହିବର୍ଷ ତାଙ୍କର ବିବାହ ହୁଏ ସୁନ୍ଦର ଗ୍ରାମର ବଳରାମ ମିଶ୍ରଙ୍କ କନ୍ୟା ସୌଦାମିନୀ ସହ । କେତେଜଣ ଶୁଭାକାଙ୍‌କ୍ଷୀଙ୍କ ପରାମର୍ଶକ୍ରମେ ସେ ପରବର୍ଷ ପ୍ରାଇଭେଟ ଛାତ୍ରଭାବେ ମାଟ୍ରିକ ପରୀକ୍ଷା ଦେଇ ଦ୍ୱିତୀୟ-ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଅନ୍ତି । ରେଭେନ୍‌ସା କଲେଜରେ ଆଇ. ଏ. ପଢ଼ନ୍ତି । ସେତିକିବେଳେ ପୂର୍ବତନ ବନ୍ଧୁ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପରାମର୍ଶରେ ମଧୁ ରାଓଙ୍କ ‘ବାଳବୋଧ’ ଓ ‘ସାହିତ୍ୟ ପ୍ରସଙ୍ଗ’ର ଟୀକା ଲେଖି ଏକଶତ ଟଙ୍କା ପାଆନ୍ତି ଓ ହରକ୍ୟୁଲସ ସାଇକେଲ କିଣନ୍ତି । ନିଜସ୍ୱ ଉପାର୍ଜନ ଭିତ୍ତିରେ ସେ ବି. ଏ. ପଢ଼ା ଶେଷ କରନ୍ତି । ନାଁ ଲେଖାନ୍ତି ଇଂରାଜୀ ଏମ୍‌. ଏ. ରେ । ଅର୍ଥାଭାବ, ଅନ୍ତରାୟ ସୃଷ୍ଟି କରେ । ଏଥର ଜୀବିକାନ୍ୱେଷଣରେ ବାହାରି ପଡ଼ନ୍ତି । ଏଠି ସ୍ମରଣ ରଖିବାକୁ ହେବ ଯେ; ଆଲୋଚ୍ୟ ସମୟକୁ (୧୯୩୦) ତାଙ୍କ ରଚିତ ‘ତୁଳସୀ ଦାସ’ ଗ୍ରନ୍ଥଟି ପ୍ରକାଶ ପାଇଛି । ସାହିତ୍ୟିକ ଦିନର ସକାଳ ଜଣାପଡ଼ିଛି ।

 

ବାଙ୍କୀ ହାଇସ୍କୁଲରେ ମାତ୍ର ଗୋଟିଏ ବର୍ଷ ଶିକ୍ଷକତା କରି, ସେ ବାରିପଦା ଚାଲିଯାନ୍ତି । ରାଜାଙ୍କଦ୍ୱାରା ପରିଚାଳିତ ହାଇସ୍କୁଲରେ କଟାଇ ଦିଅନ୍ତି ଦୀର୍ଘ ଏଗାର ବର୍ଷ (୧୯୩୧-୧୯୪୨) ଶିକ୍ଷାପ୍ରତି ଆନୁଗତ୍ୟ ଓ ଛାତ୍ର-ବାତ୍ସଲ୍ୟ; ତାଙ୍କ ସାହିତ୍ୟିକ ପ୍ରାଣରେ ନୂତନ ସାହିତ୍ୟ-ରୁଚି ଉଦ୍ରିକ୍ତ କରାଏ । ତେଣୁ ଶିଶୁ-ଶିକ୍ଷା ଉପଯୋଗୀ ପାଠ୍ୟପୁସ୍ତକ ଓ ଜ୍ଞାନ-ବିଜ୍ଞାନ ସମ୍ୱନ୍ଧୀୟ ଗ୍ରନ୍ଥମାନ ପ୍ରଣୟନ କରି, ସେ ନିଜର ସାରସ୍ୱତ-ସ୍ଥିତିକୁ କ୍ରମଶଃ ସୁଦୃଢ଼ କରନ୍ତି । ଆଲୋଚ୍ୟ କାଳରେ ରଚନା କରିଥିବା ପାଠ୍ୟପୁସ୍ତକଗୁଡ଼ିକ ହେଲା- ‘ସାହିତ୍ୟସୋପାନ’ (୧ମଭା)-୧୯୩୪, ୨ୟଭାଗ (୧୯୩୪), ୩ୟଭା (୧୯୩୭), ୪ର୍ଥଭା (୧୯୩୭) ସାହିତ୍ୟ ବୋଧ ୧ମଭା (୧୯୩୮), ୨ୟଭା (୧୯୩୮), ବାସୁଦେବ ମହାପାତ୍ରଙ୍କ ସହ ‘ରଚନା-ଦର୍ପଣ (୧୯୪୦, ବ୍ୟାକାରଣ ଗ୍ରନ୍ଥ) ପୁସ୍ତକ । ଏତଦ୍‌ବ୍ୟତୀତ ଜ୍ଞାନ-ବିଜ୍ଞାନ ସମ୍ୱନ୍ଧୀ ବୀରତ୍ୱ-ବ୍ୟଞ୍ଜକ କାହଣୀର ସଂକଳନ ଭାବେ ‘ସଂଗ୍ରାମ ଓ ସାଧନା-୧ମଭା (୧୯୩୬) ଓ ଓଡ଼ିଆ ସାହିତ୍ୟର ଜନପ୍ରିୟ ଉଦ୍ଧୃତିର ସଂକଳନ, ‘ପ୍ରତିଧ୍ୱନି’ (୧୯୩୩) ପ୍ରକାଶିତ । ଅଧିକନ୍ତୁ ଶ୍ରୀଯୁକ୍ତ ନନ୍ଦଙ୍କଦ୍ୱାରା ରଚିତ, ଜନପ୍ରିୟ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ୱବିହାରୀ’, ଆଲୋଚ୍ୟକାଳରେ ପ୍ରକାଶ ପାଇଥିବା ‘ସାହିତ୍ୟ-ସୋପାନ’ ୩ୟଭାଗ, ପାଠ୍ୟପୁସ୍ତକରେ ସଂକଳିତ । ପୁନଶ୍ଚ ଏହି ସମୟରେ ସେ ଡି.ଇଡି.ଟ୍ରେନିଂ ସମାପ୍ତ କରନ୍ତି । କିନ୍ତୁ ସେଠିକାର ପରିବେଶ ତାଙ୍କ ରୁଚିର ପ୍ରତିକୂଳ ହୁଏ । ଚାକିରିରୁ ଇସ୍ତଫା ଦେଇ ଗାଁକୁ ଚାଲି ଆସନ୍ତି (ଜୁଲାଇ, ୧୯୪୨) । ଢିଙ୍କୀ ସ୍ୱର୍ଗକୁ ଗଲେ ବି ଧାନ କୁଟିବ । ତିନୋଟି ସ୍କୁଲରୁ ଡାକରା ଆସେ । ସେ କିନ୍ତୁ ଭିଙ୍ଗାରପୁର ହାଇସ୍କୁଲରେ ପ୍ରଧାନଶିକ୍ଷକ ହୁଅନ୍ତି । ସ୍କୁଲଟି ନୂଆ । ତେଣୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼େ । ସେ କିପରି ପରିଶ୍ରମ କରୁଥିଲେ ତାହା ତାଙ୍କରି ଭାଷାରୁ ଜଣା ପଡ଼େ–‘‘ମୁଁ ସାଢ଼େ ଦଶଟା ପୂର୍ବରୁ ସ୍କୁଲରେ ଉପସ୍ଥିତ ହେଉଥିଲି । ଦିନକର କଥା ମନେ ପଡ଼ୁଛି, ଘରେ ରୋଷାଇ ସରି ନଥିବାରୁ ନଖାଇ ସେଦିନ ସ୍କୁଲକୁ ଯିବାକୁ ପଡ଼ିଥିଲା । ଗଲାବେଳେ ଘରେ ସ୍ତ୍ରୀଙ୍କୁ କହି ଯାଇଥିଲି,‘‘ଦ୍ୱିତୀୟ ପିରିୟଡ଼ ପରେ ଆସି ଖାଇଯିବି ।’ କିନ୍ତୁ ସ୍କୁଲ କାର୍ଯ୍ୟରେ ଏପରି ବ୍ୟସ୍ତ ରହିଲି ଯେ ଖାଇବା କଥା ସମ୍ପୂର୍ଣ୍ଣ ଭୁଲିଗଲି । ଚାରିଟାପରେ ଘରକୁ ଆସିବାମାତ୍ରେ ମୋ ସ୍ତ୍ରୀ ଯେତେବେଳେ ନ ଆସିବାର କାରଣ ପଚାରିଲେ, ସେତେବେଳେ ମୋର ଖାଇ ନଥିବା କଥା ମନେ ପଡ଼ିଲା’’ (୫) ବସ୍ତୁତଃ ସେ ଥିଲେ କର୍ମାନୁରାଗୀ ଛାତ୍ର-ବତ୍ସଳ ଶିକ୍ଷକ । ଅଧିକନ୍ତୁ ଶିଶୁ-ପ୍ରାଣ-ସଂବୁଧ ସାରସ୍ୱତ ସମ୍ପଦର ନିର୍ମାପକ । ଭିଙ୍ଗାରପୁର ହାଇସ୍କୁଲରେ ଥିବାବେଳେ, ସେ ସଂଗ୍ରାମ ଓ ସାଧନା,’ ‘ଦ୍ୱିତୀୟ ଭାଗର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ଲୋକ-ଶିକ୍ଷକ ହେବାରେ ଯାହାର ପ୍ରବୃତ୍ତି, ଶିକ୍ଷକ-ବୃତ୍ତିରେ ସେ କେତେଦିନ ବାନ୍ଧି ହୁଅନ୍ତେ ! ସ୍ୱାଧିନଚେତା ସ୍ୱାଭିମାନୀ ପୁରୁଷ ପକ୍ଷେ ଚାକିରି ତ ବେଡ଼ି ତୁଲ୍ୟ । ୧୯୪୬ ମସିହାର ଶେଷାଶେଷିକୁ ସମ୍ପାଦକଙ୍କ ସହ ମନ ଫଟାଫଟିରୁ ଇସ୍ତଫା ଦେଇ, କଟକ ଚାଲି ଆସନ୍ତି । ଯତ୍‌ସାମାନ୍ୟ ସଞ୍ଚିତ ଅର୍ଥରେ ଆରମ୍ଭ କରନ୍ତି ପ୍ରେସ ବ୍ୟବସାୟ । ପ୍ରେସର ନାମ ରଖନ୍ତି ‘ପାରିଜାତ ପ୍ରେସ’ । ଶିଶୁ-ଉପଯୋଗୀ ପୁସ୍ତକ ପ୍ରଣୟନର ନିଶା ଓ ନିଷ୍ଠାକୁ, ‘ସଂସାର’ ପତ୍ରିକାର ପ୍ରକାଶନ ଜରିଆରେ ବିସ୍ତାର କରନ୍ତି । ପତ୍ରିକାର ପ୍ରଥମ ସଂଖ୍ୟା ପ୍ରକାଶ ପାଏ ଅଗଷ୍ଟ, ୧୯୫୧ମସିହାରେ । ପ୍ରଥମ ସଂଖ୍ୟାର ‘ଆମ ନିଜକଥା ’ ଶୀର୍ଷକ ସମ୍ପାଦକୀୟରୁ ତାଙ୍କ ସାହିତ୍ୟ-ରୁଚି, ପ୍ରଣିଧେୟ-‘‘ଆମ ‘ସଂସାର’ର ଆକାର ଛୋଟ ହେଲେ ହେଁ , ଏହାର ପରିସର ଖୁବ୍‌ବଡ଼; ଯେହେତୁ ଅନ୍ୟାନ୍ୟ ପତ୍ରିକାପରି ଏହା କୌଣସି ଗୋଟିଏ ଦୁଇଟି ବିଷୟକୁ ଅବଲମ୍ୱନ କରି ଚାଲିବ ନାହିଁ- ନିତ୍ୟ ପରିବର୍ତ୍ତନଶୀଳ ଏଇ ବିରାଟ ଜଗତର ବିଭିନ୍ନ ଅଂଶରେ ଘଟୁଥିବା ବିଶିଷ୍ଟ ଘଟଣାବଳୀ ସମ୍ୱନ୍ଧରେ ତଥ୍ୟ ଓ ସମାଚାର ସଂଗ୍ରହ କରି ଜିଜ୍ଞାସୁ ପାଠକ ପାଠିକାମାନଙ୍କ ନିକଟରେ ସେଗୁଡ଼ିକୁ ସଂକ୍ଷେପରେ ପରିବେଷଣ କରିବା ଆମର ଲକ୍ଷ୍ୟ । ଏହାକୁ ସାଧାରଣ ଜ୍ଞାନ ଆହରଣର ସହାୟକ ବୋଲି ମନେ କଲେ ଭୁଲ ହେବ ନାହିଁ । x x x ଓଡ଼ିଆରେ ଇଅରବୁକ୍‌ ନାଇଁ । ଆମ୍ଭେମାନେ ଏଇ ପତ୍ରିକାରେ ଯେତେଦୂର ସମ୍ଭବ, ପ୍ରଧାନ ଘଟଣାଗୁଡ଼ିକ ତାରିଖ ସହ ପ୍ରକାଶ କରିବୁ; ଯଦ୍ୱାରା ଏହା ଭବିଷ୍ୟତରେ ରେଫରେନ୍‌ସ ପାଇଁ ସାହାଯ୍ୟ କରିବ । ଏହାଛଡ଼ା ନାନାବିଧ ଜ୍ଞାତବ୍ୟ ତଥ୍ୟମୂଳକ ଲେଖା ଓ ଟିପ୍‌ପଣୀ ଏଥିରେ ପ୍ରକାଶ କରି ଛାତ୍ର ଓ ସାଧାରଣଙ୍କ ସେବା କରିପାରିବୁ ବୋଲି ଭରସା ରଖିଚୁ ।’’ (୬)‘ସଂସାର’ ପତ୍ରିକା ପରିପ୍ରେକ୍ଷୀରେ; ମୃତ୍ୟୁ ପର୍ଯ୍ୟନ୍ତ ସେ ପୂର୍ବୋକ୍ତ ଘୋଷଣାନାମାକୁ କଡ଼ାକଡ଼ି ଭାବେ ପାଳନ କରିଛନ୍ତି-। ଶାରୀରିକ ଅସୁସ୍ଥତାରୁ ପତ୍ରିକାର ପ୍ରକାଶନ ବନ୍ଦ ରହେ, ଅଗଷ୍ଟ୧୯୭୦ରେ । ଦ୍ୱିତୀୟପ୍ରସ୍ଥ ଭାବେ ଏହାର ପୁନଃ ମାସିକ ପ୍ରକାଶନ ଅଗଷ୍ଟ, ୧୯୮୨ରୁ ହେଉଅଛି ।

 

୫.

ନନ୍ଦ, ରାମକୃଷ୍ଣ-‘ଜୀବନ-ତରଙ୍ଗ’ ୧୯୮୨, ପୃ-୧୧୪ ।

୬.

‘ସଂସାର’-୧/୧ ଅଗଷ୍ଟ, ୧୯୫୧ ।

 

ଗୃହସ୍ଥ ହିସାବରେ ସେ ଥିଲେ ଆଠଟି କନ୍ୟା ଓ ଗୋଟିଏ ପୁତ୍ରର ପିତା । ଏଭଳି ଗୁରୁଭାବ ବହନ କରି ଚାଲିବାରେ ବି ତାଙ୍କର କ୍ଳାନ୍ତି ନଥିଲା । ସେ ବୁଝୁଥିଲେ, ‘ଖଟି ଖାଇବାରେ ଆନନ୍ଦ’ ଅଛି । ତେଣୁ ଜୀବନର ବହୁବିଧ ଉଠାଣି ଗଡ଼ାଣିକୁ ସେ ସଙ୍ଗୀନ ଖେଳଓ୍ୱାଡ଼ର ବେପରୁଓ୍ୱା ମନୋବୃତ୍ତିରେ ସାମ୍ନା କରିଛନ୍ତି । ସବୁଭିତରେ ତାଙ୍କର ଶିଳ୍ପୀଆତ୍ମାଟି ନିତ୍ୟ-ନିୟତ କିଛି ନା କିଛି ଶିଶୁ-ଉପଯୋଗୀ ସାହିତ୍ୟ-ସଂଚନାରେ ପ୍ରଯୁକ୍ତ ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ତାଙ୍କ ସାଧନାପ୍ରତି ସାମ୍ୱର୍ଦ୍ଧନିକ ସ୍ୱୀକୃତି ଜ୍ଞାପନ କରାଯାଏ । ୧୯୭୫ରେ ଓ ‘ଝୁମୁକା’ ଗ୍ରନ୍ଥପାଇଁ ଶ୍ରେଷ୍ଠ ଶିଶୁସାହିତ୍ୟିକ ରୂପେ ପୁରସ୍କୃତ ହୁଅନ୍ତି ୧୯୮୦ରେ । ତା୨୮-୧୦-୯୪ରିଖରେ ତାଙ୍କ ମରଶରୀରର ଅବସାନ ଘଟେ ।

 

।।୪।।

 

ସଠିକ ଓଡ଼ିଆ ଭାଷା ଓ ଲିପି ପ୍ରତି ସତତ ଧ୍ୟାନଶୀଳ, ରାମକୃଷ୍ଣ ନନ୍ଦ ଓଡ଼ିଆ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ । ତାଙ୍କ ରଚିତ ଅର୍ଦ୍ଦ-ଶତାଧିକ ପୁସ୍ତକ ଓଡ଼ିଆ ବାଣୀ-ଭଣ୍ଡାରକୁ ସମୃଦ୍ଧ କରିଛି । ଗଦ୍ୟ ଓ ପଦ୍ୟ ଭେଦରେ, ସେଗୁଡ଼ିକୁ ଦ୍ୱିଧା ବିଭକ୍ତ କରିହେବ । କିନ୍ତୁ ପ୍ରକରଣ ଦୃଷ୍ଟିରୁ ତାଙ୍କ ସାହିତ୍ୟ-କୃତିକୁ ଆଠଟି ଭାଗରେ ଆଲୋଚନା କରାଯାଇ ପାରିବ । ଯଥା :- (କ) ଶିଶୁ-କବିତା (ଖ) ଶିଶୁ-ଗଳ୍ପ (ଗ) ବିଜ୍ଞାନ ଭିତ୍ତିକ ଗଳ୍ପ (ଘ) ଜୀବନୀ (ଙ) ଆତ୍ମଜୀବନୀ, (ଚ) ଭାଷା ଓ ଲିପି ସମ୍ୱନ୍ଧୀୟ ପ୍ରବନ୍ଧ ଓ କୋଷଗ୍ରନ୍ଥ (ଛ) ସଂକଳନ ଓ ସଂପାଦନା (ଜ) ପାରିପାର୍ଶ୍ୱିକ ସମସ୍ୟା ସଂପର୍କିତ ପ୍ରବନ୍ଧ ।

 

ରାମକୃଷ୍ଣ ରଚିତ ୧୦୭ଟି ଶିଶୁ-କବିତା, ତାଙ୍କ ‘ଝୁମୁକା’ (୧୯୮୦) ପୁସ୍ତକରେ ସ୍ଥାନିତ । ଏତଦ୍‍ଭିନ୍ନ ଆଉ କେତେକ କବିତା ଭିନ୍ନ ଭିନ୍ନ ଶିଶୁ-ପତ୍ରିକାରେ ପ୍ରକାଶିତ । ‘ଝୁମୁକା’ରେ ସନ୍ନିବେଶିତ ହୋଇଥିବା ଅଧିକାଂଶ କବିତା ପ୍ରାଥମିକ ଶ୍ରେଣୀର ପାଠ୍ୟପୁସ୍ତକ ମାନଙ୍କରେ ପ୍ରକାଶିତ ହୋଇଥିଲା । କବିତାର ଆବେଦନ ଦୃଷ୍ଟିରୁ, ସେ ଆଠଟି ଶୀର୍ଷକରେ ତା’ର ବିଭାଗୀକରଣ କରିଛନ୍ତି । ସେଗୁଡ଼ିକ ହେଲା-କୌତୁହଳୋଦ୍ଦୀପକ, ଗଳ୍ପାଶ୍ରୟୀ, ପ୍ରକୃତି ବର୍ଣ୍ଣନାତ୍ମକ, ଦେଶାତ୍ମବୋଧକ, ଭକ୍ତିମୂଳକ, ନୀତିଗର୍ଭକ, ବିବିଧ ଓ ଶିଶୁ-ସଙ୍ଗୀତ ।

 

ଶିଶୁପକ୍ଷେ ସ୍ମରଣୀୟ ହେବାଭଳି କଥାଶ୍ରୟୀ କବିତା ରଚନା କରିବାରେ ତାଙ୍କ କୃତିତ୍ୱ ସର୍ବବିଦିତ । ‘ଠକ ବଗ’ ‘ସାରଥିର ଜନ୍ମଦିନ’, ବିଚିତ୍ର ବିଚାର, ସନାତନ, ଧର୍ମପଦ ଆଦି କବିତାର କାହାଣୀ, ସେକାଳେ ପଢ଼ିଥିବା ଲୋକଙ୍କ ସ୍ମୃତିରେ, ଏବେ ବି ଅବିସ୍ମରଣୀୟ ହୋଇ ରହିଛି । ତା’ର ମୁଖ୍ୟ କାରଣ ହେଉଛି କବିତାର ସହଜ ଛନ୍ଦ ଓ ସରଳ ଭାଷା । ଅଧିକନ୍ତୁ ପରିଣତିରେ ନିହିତଥିବା ନୀତିଶିକ୍ଷା ମଧ୍ୟ ସଂସ୍କରଣର ଅନ୍ୟତମ ହେତୁ । ‘ସାରଥିର ଜନ୍ମଦିନ’ କବିତାକୁ ବିଚାର କରାଯାଉ । ଏଥିରେ ସାରଥିର ଦୁଷ୍ଟାମି ଓ ପରିଣତିରେ ଅନୁଶୋଚନାର କଥା ବର୍ଣ୍ଣିତ । ଜନ୍ମଦିନ ପାଳନପାଇଁ, ମନଇଚ୍ଛା ବୁଲିବାକୁ ସେ ବାପାଙ୍କ ଅନୁମତି ପାଇଛି । ଏଭଳି ସ୍ୱାଧୀନତାର ପରିଣତି ଭୟାବହ ହୋଇଛି । ନଈକୂଳର ଜାମୁ ଡାଳରେ ଦୋଳି ଖେଳୁ ଖେଳୁ, ଡାଳ ଭାଙ୍ଗିଛି । କଂସ କଚଡ଼ା ଖାଇ, ଝାଡ଼ିଝୁଡ଼ି ହୋଇ ଉଠିଛି । ଭାବିଛି -‘ଏ ଯେଉଁ କୁକୁର ଆସୁଛି ତାକୁ ମାରିବି ଟେକା ।’ ପରିଣତିରେ କୁକୁର କାମୁଡ଼ାର ଶିକାର ହୋଇଛି ସାରଥି । ପରମୁହୂର୍ତ୍ତରେ ନେଉଳ ଛୁଆକୁ ଧରିବାକୁ ଦୌଡ଼ୁ ଦୌଡ଼ୁ ବେତକଣ୍ଟାରେ ଗାମୁଚ୍ଛା ଚିରିଛି । ଏଥର, ମନରେ ଚେତନା ପଶିଛି । ଶିଶୁସାହିତ୍ୟିକ ମାତ୍ରେହିଁ ଶିଶୁ-ଚରିତ୍ରର ସଂଶୋଧକ । ତେଣୁ ସାରଥି ମୁହଁରେ ଆତ୍ମ-ସଂଶୋଧନର ସଂଳାପ ଶୁଣାନ୍ତି ରାମକୃଷ୍ଣ–

 

ତହୁଁ ସେ ମନରେ ବିଚାରେ,‘‘ଏବେ ପାଇଲି ଦଶା

ଖାଇଲି କଚଡ଼ା, କାମୁଡ଼ା, ଚିରିଗଲା ମୋ ଲୁଗା ।

x      x      x

ଆଉ ନ ହୁଡ଼ିବି ,ଏଣିକି ଗୁରୁଜନ ବଚନ,

ହୁଡ଼ିଲେ ନିଶ୍ଚେ ମୁଁ ଭୋଗିବି ପଦେ ପଦେ କଷଣ ।

(ଝୁମୁକା-ପୃ-୫୫)

 

ଭକ୍ତିମୂଳକତା ଦୃଷ୍ଟିରୁ ‘ଆହେ ଦୟାମୟ ବିଶ୍ୱ ବିହାରୀ’ ଶିଶୁ-କବିତାଟି ଏବେ ବି ଅନତିକ୍ରମଣୀୟ ହୋଇ ରହିଛି । ୧୯୩୪ ମସିହାଠାରୁ ଆଜିପର୍ଯ୍ୟନ୍ତ, ଗ୍ରାମାଞ୍ଚଳର ସ୍କୁଲମାନଙ୍କରେ ଏହା ପ୍ରାର୍ଥନାଭାବେ ଗୀତ ହେଉଅଛି । ଏହାର ଜନପ୍ରିୟତା, କବି-ପ୍ରତିଭା ନିର୍ଣ୍ଣୟର ପରିମାପକ କହିଲେ ଅତ୍ୟୁକ୍ତି ହେବ ନାହିଁ । କବିଙ୍କ ଆତ୍ମ-ପ୍ରତ୍ୟୟର ପଦ୍ୟାତ୍ମକ ସ୍ୱୀକାରୋକ୍ତି ପ୍ରତ୍ୟେକଟି ଶିଶୁକଣ୍ଠରେ ସତ୍ୟପାଠଭଳି ପୁନଃଉଚ୍ଚାରିତ ହୁଏ । ଯେପରି–

 

ସତ କହିବାକ କିଆଁ ଡରିବି ?

ସତ କହିପଛେ ମଲେ ମରିବି ।

ମୋତେ ଏତିକି ଶିଖାଅ ସାଇଁ ହେ

ମୋର ଧନ ଜନ ଲୋଡ଼ା ନାହିଁ ହେ ।

 

ଏହି ଭକ୍ତି-ଗୀତିକାଟି ଏକାଦଶାକ୍ଷର ନିୟମରେ ଲିଖିତ । ଯତିପାତର ନିୟମ (ଦୁଇ, ଆଠ ଓ ଶେଷଅକ୍ଷର) ଦୃଷ୍ଟିରୁ ଏହା ଚକ୍ରକେଳି ରାଗର ନମୁନା ଅଟେ । ମଧୁସୂଦନଙ୍କ ବର୍ଣ୍ଣବୋଧର ସନ୍ଧ୍ୟା’, ଚାଟଶାଳୀ–ପାଠରେ ସନ୍ନିବିଷ୍ଟ ଥିବା ପରୀଦାସଙ୍କ ‘ଶ୍ରୀକୃଷ୍ଣଙ୍କ ମାତାକୁ ଉକ୍ତି’ କବିତା, ଏକାଦଶାକ୍ଷରୀ ନିୟମରେ ରଚିତ । ବସ୍ତୁତଃ ଶିଶୁ-କବିତା ରଚନା ପରିପ୍ରେକ୍ଷୀରେ, ଏକାଦଶାକ୍ଷରୀ ଛନ୍ଦର ସଫଳ ପ୍ରୟୋଗ–‘ଆହେ ଦୟାମୟ ବିଶ୍ୱ ବିହାରୀ’ କବିତାକୁ ସ୍ମରଣୀୟ କରି ରଖିଛି ।

 

ଶିଶୁ-ପ୍ରାଣରେ ଜାତୀୟତାବୋଧ ସଂଚାର କରାଇବାପାଇଁ ସେ ଅନେକ ଶିଶୁ-କବିତା ରଚନା କରିଛନ୍ତି । ତନ୍ମଧ୍ୟରୁ ଓଡ଼ିଶା ମୋର ଦେଶ’ କବିତାକୁ ସ୍ମରଣ କରିହେବ । ସପ୍ତଦଶ ଅକ୍ଷର ବିଶିଷ୍ଟ ପାରମ୍ପରିକ ଛନ୍ଦରେ ଏହା ରଚିତ । ପାଞ୍ଚ, ପାଞ୍ଚ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ପୂର୍ବ ପରିଚିତ ରାଗର ନାଁ କାଳୀ । କିନ୍ତୁ; ଶ୍ରୀଯୁକ୍ତ ନନ୍ଦ ଯତିପାତର ନିୟମକୁ ଗ୍ରହଣ କରିଥିଲେ ହେଁ ଯତିପାତଗତ ଛେଦରେ ସ୍ୱରୀୟ ମେଳକୁ ପରିହାର କରିଛନ୍ତି । ତଦ୍ୱାରା ଅକୃତ୍ରିମ ଭାବୋଚ୍ଛ୍ୱାସରେ କବିତାଟି ଶିଶୁର ମନଛୁଆଁ ହୋଇ ପାରିଛି । କବିତାର କିୟଦଂଶ ଉଦ୍ଧାର କରାଯାଉଛି–

 

ଓଡ଼ିଆ ମୁହିଁ ଓଡ଼ିଆ ମୁହିଁ ଓଡ଼ିଶା ମୋର ଦେଶ,

ଏହି ଦେଶରେ ଜନମ ମୋର ଏହି ଦେଶରେ ବାସ ।

X      X      X

ଏଇ ଦେଶରେ ପାଣି ପବନେ ଶରୀର ହେଲା ଗଢ଼ା,

ଏଇ ଦେଶର ଚାଟଶାଳୀରେ ଶିଖିଲୁ ପାଠ ପଢ଼ା

ଏଇ ଦେଶର ସେବାରେ ଆମ ଜୀବନ ହେଉ ଶେଷ

ଓଡ଼ିଆ ଆମେ ଓଡ଼ିଆ ଆମେ ଓଡ଼ିଶା ଆମ ଦେଶ ।

(ଓଡ଼ିଶା ମୋର ଦେଶ-ଝୁମୁକା-ପୃ-୧୦୦)

 

ଆଲୋଚ୍ୟ ପରିପ୍ରେକ୍ଷୀରେ ‘‘ମୋ ଗାଆଁ’’, ‘‘ଏହି ମୋ ଜନମ ଭୁଇଁ’’, ‘‘ଏଇ ଆମ ଦେଶରେ’’ କବିତାକୁ ସ୍ମରଣ କରିହେବ ।

 

କେତେକ କବିତା ଜରିଆରେ ସେ ଶିଶୁମାନଙ୍କୁ ନୀତି-ଉପଦେଶ ପ୍ରଦାନ କରିଛନ୍ତି । ଫୁଲର ମୃତ୍ୟୁ ଅଛି । କିନ୍ତୁ ତାର ମନମତାଣିଆ ସୌରଭ ଅଭୁଲା । ସେମିତି ମଣିଷ ଜୀବନ ସୌରଭପୂର୍ଣ୍ଣ ହେବା ଉଚିତ୍‌ । କବିଙ୍କ ଭାଷାରେ–

 

ଯେଡ଼େ ବଡ଼ଲୋକ ହେଉ ମରିବ

ସବୁ ତାର ଯିବ ମାଟି ତଳକୁ

ଯେତିକି ସେ ଭଲ କାମ କରିବ

ସେତିକି ରହିବ କାଳ କାଳକୁ ।

(ସେତିକି ରହିବ କାଳ କାଳକୁ-ଝୁମୁକା-ପୃ-୧୧୬)

 

‘‘ସହଜେ କିଏ ପରତେ ଯିବ’’, ‘‘କ୍ରୋଧ’’ କବିତାରେ ବି ନୀତିବାଣୀ ପ୍ରତିଫଳିତ । ଏଭଳି ରୀତିରେ ସେ ଶିଶୁକୁ ନୀତିନିଷ୍ଠ ଓ ଚରିତ୍ରବାନ କରିବାକୁ ପ୍ରଯତ୍ନ କରିଛନ୍ତି । ଏହା-ବ୍ୟତୀତ ସେ ନିସର୍ଗଶ୍ରୀକୁ ଶିଶୁ-କବିତାରେ ଭାସ୍ୱର କରିଅଛନ୍ତି । ବେଳେବେଳେ ନିସର୍ଗ-ବସ୍ତୁର ଆକୃତି ଓ ପ୍ରକୃତି ଅନୁରୂପ ଛନ୍ଦର ସଂଯୋଜନା, କବିତାକୁ କେବଳ ପାଠକୀୟ ଶ୍ରଦ୍ଧା ଭାଜନ କରାଏ ନାହିଁ; ପରନ୍ତୁ କବି-ପ୍ରତିଭାର ବୈଶିଷ୍ଟ୍ୟକୁ ପ୍ରତିପାଦନ କରେ । ‘ଝରଣା’ କବିତାର ପ୍ରଥମ ପଙ୍‌କ୍ତିକୁ ଲକ୍ଷ୍ୟ କରଯାଉ –

 

ପାହାଡ଼ରୁ ନାଚି ନାଚି ଝରଣାଟି ଅଇଲା

କୁଳୁ କୁଳୁ ଗୀତ ଗାଇ ଆଗେ ଆଗେ ଧାଇଁଲା ;

ସମତଳ ମାଟି ଛୁଇଁ

ଚଉଦିଗେ ଚାହିଁ ଚାହିଁ

ଥକାମାରି ରହି ରହି ଧୀରେ ଧୀରେ ବହିଲା

ପାହାଡ଼ରୁ ନାଚି ନାଚି ଝରଣାଟି ଅଇଲା ।

 

ଏଥିରେ ‘ନାଚି ନାଚି’, ‘କୁଳୁ କୁଳୁ’, ‘ରହି ରହି’, ‘ଧୀରେ ଧୀରେ’, ଭଳି ସମୋଚ୍ଚାରିତ ଯୁଗ୍ମ ଶବ୍ଦ ବ୍ୟବହୃତ । ଏ ଧରଣର ସମଧ୍ୱନି-ବିଶିଷ୍ଟ ଶବ୍ଦର ପୁନରାବୃତ୍ତିରୁ ଝରଣାର ଗତି ଓ ପ୍ରକୃତି ପାଠକର ଆଖିରେ ଚିତ୍ରରୂପେ ଝଲସେ । ଏତଦଭିନ୍ନ ସେ ‘ଟୁଉକୁମୂଷି’, ‘ଚକା ଚକା ଭଉଁରୀ’, ‘ଟିକି କୁନା’ ଆଦି କୌତୁହଳୋଦ୍ଦୀପକ ଶିଶୁ-କବିତାରେ ଧ୍ୱନ୍ୟାନୁରଣନକାରୀ, ସମୋଚ୍ଚାରିତ ଯୁଗ୍ମ ଶବ୍ଦର ବ୍ୟବହାର କରିଛନ୍ତି । ତେଣୁ ଆଲୋଚ୍ୟ କବିତା ସବୁ ଶିଶୁର ପ୍ରାଣକୁ ସ୍ପର୍ଶ କରିବା ସହ ତାର ସ୍ମୃତିରେ ବହୁ କାଳ ଧରି ସଞ୍ଚିତ ରହନ୍ତି ।

 

ସେ ଶିଶୁର ମନକୁ ଛୁଇଁବା ଭଳି ଶତାଧିକ ଗଳ୍ପ ରଚନା କରିଛନ୍ତି । ପ୍ରତ୍ୟେକ କାହାଣୀର ଅନ୍ତରାଳରେ ନୀତିଶିକ୍ଷା ବର୍ତ୍ତମାନ । ‘ସାହିତ୍ୟ-ସୋପାନ’, ତୃତୀୟ ଭାଗରେ ସନ୍ନିବିଷ୍ଟ ଥିବା ‘ସିଂହ ଓ ଶୃଗାଳ’ ଗଳ୍ପକୁ ସ୍ମରଣ କରାଯାଉ । କୌଣସି ଏକ ଜଙ୍ଗଲରେ ଜଳାଭାବ ଦେଖା ଦେବାରୁ, ବିଲୁଆ ବ୍ୟତୀତ ଅନ୍ୟ ସମସ୍ତ ପ୍ରାଣୀ ଝରଣା ଖୋଳିଲେ । ଏଥିରେ ପଶୁରାଜ ସିଂହ ଶୃଗାଳ ଉପରେ ବିରକ୍ତ ହୋଇ କହିଲେ–‘‘ସେ ଧୂର୍ତ୍ତ ଶୃଗାଳ ଏଠାକୁ ପାଣି ପିଇବାକୁ ଆସିଲେ ତାକୁ ଟିକି ଟିକି କରି ଖାଇବି ।’’ ଏକଥା ଶୁଣି ଦିନେ ଶୃଗାଳ ସେହି ଝରଣା କୂଳକୁ ଡେଇଁ ଡେଇଁ ଆସିଲା । ପାଣି ନ ପିଇ ଖଣ୍ଡେ ମହୁଫେଣା ଚୋବାଇବାକୁ ଲାଗିଲା । ସିଂହ ଆଡ଼କୁ ସାମାନ୍ୟ ଚାହିଁକରି କହିଲା–‘‘ଏ ମହୁ ଭାରି ସୁଆଦିଆ, ଟିକିଏ ଖାଇଦେଲେ ଭୋକ ଶୋଷ ସବୁ ମରିଯାଉଛି ।’’ ସିଂହ ଖଣ୍ଡେ ମହୁଫେଣା ଚାଖିବାକୁ ମାଗିଲା । ଶୃଗାଳ ତ୍‌କ୍ଷଣାତ୍‌ ଖଣ୍ଡେ ସିଂହ ଆଡ଼କୁ ଫୋପାଡ଼ି ଦେଲା । ମହୁଫେଣା ଖାଇ ସିଂହ ଆନନ୍ଦିତ ହେଲା । ଆଉ ଖଣ୍ଡେ ମାଗିବାରୁ, ଧୂର୍ତ୍ତ ଶୃଗାଳ କହିଲା–‘‘ଆଁ କରି ଶୋଇପଡ଼; ମୁଁ ତମ ପାଟିରେ ଏତକ ଚିପୁଡ଼ି ଦିଏ; ଏହାଦ୍ୱାରା ତୁମେ ପୂର୍ଣ୍ଣ ଆନନ୍ଦ ପାଇ ପାରିବ । ସିଂହ ସେପରି କଲା ।’’ ଶୃଗାଳ କହିଲା; ‘‘ତୁମ ଗୋଡ଼ର ନଖକୁ ଦେଖିଲେ ଭୟ ଲାଗୁଛି । ସିଂହର ଇଚ୍ଛାରେ ତାର ଗୋଡ଼କୁ ଶୃଗାଳ ଲଇଲେ ବାନ୍ଧିଦେଲା । ଏଥର ଶୃଗାଳ ଯାଇ ଝରଣା ପାଣି ପିଇଲା । ଘରକୁ ଫେରିବାବେଳେ ସିଂହ ତାକୁ ଡାକି କହିଲା–‘‘ହେ ଭାଇ, ମୋତେ କ’ଣ ଏହିପରି ଅସହାୟ ଅବସ୍ଥାରେ ପକାଇ ଦେଇ ଚାଲିଯିବୁ ? ବନର ପଶୁମାନେ ମୋର ଏକଥା ଦେଖିଲେ କଅଣ ଭାବିବେ ? ମୁଁ କ’ଣ ସେମାନଙ୍କୁ ଆଉ ଶାସନ କରିପାରିବି ? ମୁଁ ପ୍ରତିଜ୍ଞା କରୁଛି ମୋତେ ଏଥିରୁ ମୁକ୍ତ କରିଦେଲେ ମୁଁ ତୋତେ ଇଚ୍ଛାମତେ ଜଳପାନ କରିବାକୁ ଛାଡ଼ିଦେବି ।’’ ଶୃଗାଳ ତାହା କଲା । ସେହିଦିନ-ଠାରୁ ତାକୁ କେହି ପାଣି ପିଇବାକୁ ମନାକଲେ ନାହିଁ । ତେବେ ଏହି ଗଳ୍ପରେ ଶାରୀରିକ ବଳ ଅପେକ୍ଷା ବୁଦ୍ଧିର କୌଶଳକୁ ତାରିଫ୍‌ କରାଯାଇଛି । ଗଳ୍ପର ଭାଷା ସରଳ, ସୁବୋଧ୍ୟ ଓ ଶିଶୁର ମନ-ସ୍ପର୍ଶୀ । ପୁଣି ଅଭିବ୍ୟକ୍ତିରେ ସଂଳାପଧର୍ମୀ ନାଟକୀୟତା ଓ ଧ୍ୱନ୍ୟାନୁରଣନଗତ ଗତିଶୀଳତା, ଗଳ୍ପକୁ ସୁଖ-ସ୍ମୃତ କରାଏ ।

 

୧୯୭୭ ମସିହାରୁ ୧୯୮୪ମଧ୍ୟରେ, ଶ୍ରୀ ନନ୍ଦ ଛଅଟି ଗଛ ସିରିଜରେ ନଅଟି ପୁସ୍ତକ ରଚନା କରିଛନ୍ତି । ସେଗୁଡ଼ିକ ହେଲା, ସତର ଫୁଲ, ଅଠର ଫୁଲ, କୋଡ଼ିଏ ଫୁଲ, ବାଇଶ ଫୁଲ, ଚବିଶ ଫୁଲ, ସୁବର୍ଣ୍ଣ ସେଉ, ମରଣ ଦୋଳି ଓ ସାଗର କନ୍ୟା । ପୌରାଣିକ ଗଳ୍ପଠାରୁ ଦେଶ ବିଦେଶର ଲୋକକଥା ପର୍ଯ୍ୟନ୍ତ, ଅନେକ ପ୍ରସଙ୍ଗକୁ ନିଜ ଭାଷା ଓ ପ୍ରକାଶ ଠାଣିରେ ଶିଶୁ-ଉପଯୋଗୀ ଗଳ୍ପ-ରୂପ ଦେଇଛନ୍ତି ସେ । ପୌରାଣିକ ଗଳ୍ପ ଦୃଷ୍ଟିରୁ ‘କୌଶିକ ତାଙ୍କ ଭୁଲ ବୁଝିଲେ’ ଗଳ୍ପର ସରଳଭାଷା, ସଂକ୍ଷିପ୍ତ ବାକ୍ୟ-ବିନ୍ୟାସ ଓ ନାଟକୀୟ ପ୍ରକାଶ ରୀତି ଶ୍ରୀଯୁକ୍ତ ନନ୍ଦଙ୍କର ସ୍ୱକୀୟ ନିର୍ମାଣ ଶୈଳୀର ଅପୂର୍ବ ନମୁନା । ଶିଶୁ-ଉପଯୋଗୀ ଗଳ୍ପର କଳା-କୌଶଳଗତ ଆଲେଖ୍ୟକୁ ‘ତାଙ୍କ ସୁବର୍ଣ୍ଣବୀଣା, ମୁକୁଟର ସଙ୍ଗୀତ, ସମୁଦ୍ରପରୀ ଓ ଚନ୍ଦ୍ର, ଜୀଅନ୍ତା କଣ୍ଢେଇ, ପିଠାଗଛ, ବୋତଲେ ବୁଦ୍ଧିର ମୂଲ୍ୟ, ବଗୁଲିର ମାୟା ଆଦି ଗଳ୍ପରୁ ଲକ୍ଷ୍ୟ କରିହୁଏ । ପ୍ରତ୍ୟେକଟି ଗଳ୍ପର ଆରମ୍ଭରେ ଜଣେ କାହାଣୀ ବର୍ଣ୍ଣନାକାରୀର କଥନ-ଶୈଳୀ ଅନୁସୃତ । ‘ଶୋଭା ଓ ଶାର୍ଦ୍ଦୁଳ’’ ଗଳ୍ପର ପ୍ରାରମ୍ଭିକ ପ୍ରକାଶରୀତି; କିପରି ଶିଶୁର ମନଉପଯୋଗୀ, ତାହା ଲକ୍ଷ୍ୟ କରାଯାଉ- ‘‘ଅନେକଦିନ ତଳେ ଗୋଟିଏ ଗାଆଁର ଜଣେ ସୌଦାଗର ବାସ କରୁଥିଲା । ତାର ତିନି ଝିଅ ଥିଲେ । ବଡ଼ଝିଅ ଦୁହେଁ ଭାରି ଗର୍ବୀ ଓ ଅଳସୁଆ ଥିଲେ; ମାତ୍ର ସାନଝିଅର ସ୍ୱଭାବ ଥିଲା ଖୁବ୍‌ଭଲ । ସେ ଘରର କାମଦାମ କରି ବାପ-ମାଆଙ୍କୁ ସାହାଯ୍ୟ କରୁଥିଲା । ତା’ଛଡ଼ା ତା ରୂପଟି ମଧ୍ୟ ଥିଲା ସୁନ୍ଦର । ତେଣୁ ବାପ ତା ନା ଦେଇଥିଲା ଶୋଭା ।’’ (ଛଅଟି ଗଛ ସତରଫୁଲ ପୃ -୨୭) ମୌଳିକ ଶିଶୁ-ଗଳ୍ପ ବ୍ୟତୀତ, ଲୋକକଥା ଅବଲମ୍ବନରେ ଅନେକ କାହାଣୀ ରଚନା କରିଛନ୍ତି, ଶ୍ରୀ ନନ୍ଦ । ପୁନଶ୍ଚ ଇଉରୋପୀୟ ସାହିତ୍ୟର ମିଥୁଏଲ ଡି: ସରଭେଣ୍ଟିସଙ୍କ Don Ouixoteର ମର୍ମାନୁବାଦ କରିଛନ୍ତି ସେ । ପୁସ୍ତକର ନାମ ରଖିଛନ୍ତି ‘ଡନ୍‌କୁସ୍ତି’ (୧୯୪୮) । ଏହି ପରମ୍ପରାର ସୃଷ୍ଟିଭାବେ ‘ଆମ ବଣ ଜଙ୍ଗଲର କଥା’ (୧୯୮୩), ଇନ୍ଦ୍ରଧନୁ (୧୯୮୨) ପୁସ୍ତକକୁ ସ୍ମରଣ କରିହେବ ।

 

ବିଜ୍ଞାନର ଜଟିଳ-ପ୍ରସଙ୍ଗକୁ ଶିଶୁ-ଉପଯୋଗୀ ସରଳ ଓ ରସସିକ୍ତ ଭାଷାରେ ପ୍ରକାଶ କରିବାରେ ତାଙ୍କ କୃତିତ୍ୱ ଅବିସମ୍ବାଦିତ । ‘ପ୍ରଦୂଷଣ’ ଓ ‘ଆମ ଶରୀର’ ଭଳି ଅନୂଦିତ ଗ୍ରନ୍ଥଦ୍ୱୟରୁ ତାଙ୍କର ସରସ ଶୈଳୀକୁ ଅନୁଭବ କରିହେବ । ମୌଳିକ କୃତିର ସ୍ମାରକୀ ହେଉଛି–‘ବିଜ୍ଞାନର କୁହୁକ (୧୯୪୯) ପୁସ୍ତକ । ଏଥିରେ ପାଞ୍ଚଟି ପ୍ରବନ୍ଧ ସନ୍ନିବିଷ୍ଟ । ‘ଗଗନଭେଦୀ ଅଟ୍ଟାଳିକା,’ ଆମୋଦଦାୟକ ରେଳଯାତ୍ରା’, ‘ବେତାର ଓ ଟେଲିଭିଜନ’, ‘ପରମାଣୁ ବୋମା’, ‘ଗ୍ରହଜଗତରେ ଗସ୍ତ’ ପ୍ରବନ୍ଧରୁ ପ୍ରବନ୍ଧକଙ୍କ ସୁବୋଧ୍ୟ ତଥା ବିଶ୍ଳେଷଣଧର୍ମୀ ସୃଷ୍ଟି, ଚାକ୍ଷୁଷ ହୁଏ । ‘ପରମାଣୁ-ବୋମାର’ ତଥ୍ୟନିଷ୍ଠ ପରିବେଷଣ ରୀତି ମନୋମୁଗ୍‌ଧ କର । ଅଗଷ୍ଟ ୬ରେ ହିରୋସୀମା ଓ ୯ରେ ନାଗାସାକୀ ଉପରେ ବୋମା ପଡ଼ିବାକ୍ଷଣି ଅଗଷ୍ଟ ୧୦ରେ ଯୁକ୍ତରାଷ୍ଟ୍ରର ସଭାପତି ଟ୍ରୁମାନ ବେତାରଦ୍ୱାରା ଜାପାନକୁ ସତର୍କବାଣୀ ଶୁଣାଇଥିଲେ । ଶୁଣାଯାଏ, ଜର୍ମାନ ବୈଜ୍ଞାନିକ ଅଟୋହ୍ୟାନ ଏହି ବୋମା ଆବିଷ୍କାର କରି ଏହାର ଗୁପ୍ତ ତଥ୍ୟ ଆମେରିକାକୁ ଦେଇଥିଲେ । ‘‘ଏହି ପରମାଣୁ ବୋମାର ପ୍ରଚଣ୍ଡ ଶକ୍ତି ଉତ୍ସ ହେଉଛି ଅଣୁ (atom) । ବୈଜ୍ଞାନିକମାନେ ଜଗତର ବସ୍ତୁର ଅନ୍ତିମ ବିଭାଜ୍ୟକୁ ଅଣୁ (atom) କହନ୍ତି । ସେମାନେ ୯୨ଟି ମୌଳିକ ପଦାର୍ଥ (element) ଆବିଷ୍କାର କରିଛନ୍ତି । ପ୍ରତ୍ୟେକ ଅଣୁର କେନ୍ଦ୍ରରେ ଗୋଟିଏ positive ବିଦ୍ୟୁତ୍‌କଣା (Nucleus) ଏବଂ ତାର ଚତୁର୍ଦ୍ଦିଗରେ ପ୍ରଚଣ୍ଡ ବେଗରେ ଘୂର୍ଣ୍ଣାୟମାନ ଏକ ବା ଏକାଧିକ Negative ବିଦ୍ୟୁତ୍‌କଣା (electron) ରହି ଅଛନ୍ତି ।’’ ‘ବେତାର ଓ ଟେଲିଭିଜନ’ ପ୍ରବନ୍ଧରେ ସରସ-ଗଳ୍ପଶୈଳୀ ଅନୁସୃତ । ଖଣ୍ଡ ଖଣ୍ଡ ବାକ୍ୟର ଉପାନ୍ତବର୍ଣ୍ଣଗତ ଧ୍ୱନିମେଳ; ଶିଶୁର ପ୍ରାଣକୁ ସ୍ପର୍ଶ କରିବାରେ ଅନୁପନ୍ଥୀ । ଯେପରି ‘‘ରେଡ଼ିଓ ଗୋଟିଏ ଅଦ୍ଭୁତ ଯନ୍ତ୍ର । ଏହା ଶୂନ୍ୟରୂ ଶବ୍ଦ ବାହାର କରେ । ତୁମେ ଯେକୌଣସି ସ୍ଥାନରେ ଥାଅ ରେଡ଼ିଓ ସାହାଯ୍ୟରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ କଥା କହୁଥିବା ମନୁଷ୍ୟର କଣ୍ଠସ୍ୱର ଶୁଣିପାରିବ । ମଫସଲ ଧାନକ୍ଷେତରେ, ବାଉଁଶ ବଣରେ, ପୋଖରୀ କୂଳରେ, ଘୋର ବର୍ଷାବେଳେ ଗଭୀର ରାତ୍ରିରେ ମଧ୍ୟ ରେଡ଼ିଓ କଥା କହେ, ବତ୍କୃତା କରେ, ଏବଂ ବାଜା ବଜେଇ ଗୀତ ବୋଲେ ।’’ ଏହି ପରିପ୍ରେକ୍ଷୀରେ ‘ସଂଗ୍ରାମ ଓ ସାଧନା’ ପୁସ୍ତକଦ୍ୱୟ ବିଚାର୍ଯ୍ୟ । ବିଜ୍ଞାନ, ବୈଜ୍ଞାନିକ ଓ ସାହସୀ ବ୍ୟକ୍ତିତ୍ୱଙ୍କ ଜୀବନକୁ ଆଧାରକରି ଚମତ୍କାର ଶିଶୁ-ଗଳ୍ପ ରଚନା କରିବାର ଦୃଷ୍ଟାନ୍ତ ଭାବେ ପୁସ୍ତକ ଦୁଇଟିର ଉପଯୋଗିତା ସ୍ୱୀକାର୍ଯ୍ୟ । ପ୍ରଥମ-ଭାଗର ଭୂମିକାରେ ଶ୍ରୀନନ୍ଦ ଲେଖିଛନ୍ତି–‘‘କେବଳ ପାଠକର ମନୋରଞ୍ଜନ କରିବା ଏ ପୁସ୍ତକର ଉଦ୍ଦେଶ୍ୟ ନୁହେଁ । ବୀରତ୍ୱର କାହାଣୀ ଶୁଣି ସେ ଅନୁପ୍ରାଣିତ ହେଉ, ଅସାଧ୍ୟ ସାଧନା କରିବାକୁ ତା ମନରେ ଅଧିକତର ଆଗ୍ରହ ଜାତ ହେଉ, ଜଗତର ହିତସାଧନ କରିବାକୁ ତା ପ୍ରାଣରେ ବ୍ୟାକୁଳତା ଆସୁ–ଏହାହିଁ ଓଡ଼ିଆରେ ଏ ଗଳ୍ପଗୁଡ଼ିକ ପ୍ରକାଶ କରିବାର ଅଭିପ୍ରାୟ ।’’ ଆଲୋଚ୍ୟ ପୁସ୍ତକରେ ସେ ଅନେକ ବୈଜ୍ଞାନିକ ଶବ୍ଦକୁ ଓଡ଼ିଆ ପରିଭାଷାରେ ପ୍ରକାଶ କରିଛନ୍ତି; ଯଥା;- Strcatosphere-ଲଘୁବାତ ମଣ୍ଡଳ, Boardcasting-ବେତାର-ବିକ୍ଷେପ, Radio-ବେତାରଯନ୍ତ୍ର, Parachute-ବିମାନ ଛତା, Rocket-ship-ହାବେଳି ପୋତ ଇତ୍ୟାଦି । ‘ମେରୁ ପଥର ଯାତ୍ରୀ’, ‘ଅସୀମର ସୀମା ନିର୍ଣ୍ଣୟ’, ‘ଅଗ୍ନି ପରୀକ୍ଷା’, ‘ହିମାର୍ଣ୍ଣବରେ ବିପତ୍ତି’ ଆଦି ରଚନାରେ ବୀରତ୍ୱବ୍ୟଞ୍ଜକ ଦୁଃସାହସ ଯାତ୍ରାର କାହାଣୀ ବିବୃତ ।

 

ରାମକୃଷ୍ଣ ନନ୍ଦ ଇଂରାଜୀରେ ଏମ. ଏ ପଢ଼ୁଥିବାବେଳେ ତୁଳସୀ ଦାସଙ୍କ ଜୀବନୀ ରଚନା କରିଥିଲେ । ଏହା ‘ତୁଳସୀ ଦାସ’ (୧୯୩୦) ନାମରେ ପ୍ରକାଶ ପାଇଥିଲା । ତାଙ୍କ ସାରସ୍ୱତ ଜୀବନର ଆଦି ପ୍ରତିଶ୍ରୁତିର ଆଦ୍ୟଗ୍ରନ୍ଥ ରୂପେ ‘ତୁଳସୀଦାସ’ର ଉପଯୋଗିତା ବିଚାର୍ଯ୍ୟ । ସେ ଇଂରାଜୀ ଭାଷା ଓ ସାହିତ୍ୟର ଗ୍ରନ୍ଥ ଥିବାରୁ Long Fellowଙ୍କ ‘A Psalm of life’ କବିତା ଅଧ୍ୟୟନ କରିଥିବା ସ୍ୱାଭାବିକ । ତହିଁର ନିମ୍ନୋକ୍ତ ପଙ୍‌କ୍ତି ସମ୍ପର୍କରେ ସେ ଅବହିତ ଥିବେ –

 

Lives of greatmen all remind us

we can make our lives sublime

And departing, leaves behind us

Foot prints on the sands of time.

 

ଅର୍ଥାତ୍‌ ‘ମହାଜନ ଯେନ ଗତ ସଃ ପନ୍ଥା ।’ ‘ମହତେ ଯାହା ଆଚରନ୍ତି । ଇତରେ ତାହାହିଁ କରନ୍ତି ।’ ତେଣୁ ଶିଶୁପକ୍ଷେ ମହତ ବ୍ୟକ୍ତିଙ୍କ ଜୀବନୀ ଅନୁଶୀଳନ ଓ ଅଧ୍ୟୟନ କେତେ ଜରୁରୀ, ତାହା ଅନୁମେୟ । ସେଦୃଷ୍ଟିରୁ ଭାରତର ଦ୍ୱିତୀୟ ବାଲ୍ମୀକି ତୁଳସୀ ଦାସଙ୍କ ଜୀବନକୁ ସଂକ୍ଷୀପ୍ତ ଭାବ ଉପନ୍ୟାସର ଆଭରଣ ଦେଇ ସରସ ଓ ମନୋହର କରିବାକୁ ଶ୍ରୀଯୁକ୍ତ ନନ୍ଦ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ ଶିବାନନ୍ଦ ସହାୟଙ୍କ ‘ଗୋସ୍ୱାମୀ ତୁଳସୀ ଦାସଜୀ’ (ହିନ୍ଦି) ଓ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ନାଥ ଚଟ୍ଟୋପାଧ୍ୟାୟଙ୍କ ‘ତୁଳସୀଦାସ’ (ବଙ୍ଗଳା) ଗ୍ରନ୍ଥରୁ ପ୍ରେରଣା ଲାଭ କରିଥିଲେ । ଆଲୋଚ୍ୟ ଜୀବନୀଗ୍ରନ୍ଥରେ ତୁଳସୀଦାସଙ୍କ ସାଂସାରିକ ଓ ସନ୍ନ୍ୟାସ ଜୀବନକୁ ଉପନ୍ୟାସୋପମ ଭାଷାରେ ବ୍ୟକ୍ତି କରାଯାଇଛି । ଅଧିକନ୍ତୁ ତୁଳସୀଦାସଙ୍କର କେତେକ ଦୋହାକୁ ମଧ୍ୟ ଓଡ଼ିଆରେ ଅନୁବାଦ କରାଯାଇଛି । ଉଦାହରଣ ସ୍ୱରୁପ –

 

ବଡା ବଡା ସବକଇ କଓ୍ୱା, ବଡମେ ତାଲ ଔର ଖଜ୍ଜୁର

ବୈଠନେକୋ ଛାୟା ନହିଁ ମିଲ୍‌ତୋ ଫଲ ତ ବଡ଼ି ଦୂର ।

 

ଅର୍ଥାତ୍‌- ‘ଏ ସଂସାରରେ ଅନେକ ବଡ଼ଲୋକ ବୋଲି ବଡ଼େଇ କରନ୍ତି; କିନ୍ତୁ ପ୍ରକୃତରେ ସେମାନେ କ’ଣ ବଡ ? ସେମାନେ ତାଳ ଓ ଖଜୁରୀ ଗଛ ପରି ବଡ଼ । ବସିବାକୁ ତ ଟିକିଏ ଛାଇ ମିଳେ ନାହିଁ, ଫଳ ଆଶା କରିବା ତ ବହୁ ଦୂରର କଥା ।’ ଦିନ କିପରି ହେବ, ତାହା ସକାଳୁ ଜଣାପଡ଼େ । ‘ତୁଳସୀ ଦାସ’ଙ୍କ ଜୀବନୀ ରଚନାରୁ ସାହିତ୍ୟିକ ଜୀବନ ଆରମ୍ଭ କରିଥିବା ଶ୍ରୀଯୁକ୍ତ ନନ୍ଦଙ୍କ ସମଗ୍ର ସାରସ୍ୱତ ଜୀବନ ହୋଇଛି ପବିତ୍ରତା, ନିଷ୍ଠା ଓ ସତ୍ୟପରାୟଣତାର ଇତିବୃତ୍ତ । ଆଉ ଏକକ ଜୀବନୀ ଗ୍ରଂଥ ରଚନା କରି ନଥିଲେ ହେଁ, ପରବର୍ତ୍ତୀ କାଳରେ ଶିଶୁ-ଉପଯୋଗୀ ଜୀବନୀମାନ ପ୍ରଣୟନ କରିଛନ୍ତି । ତନ୍ମଧ୍ୟରୁ ‘ଟମାସ ଏଡ଼ିସନ’ (ଗ୍ରାମ୍ଫୋନ ଯନ୍ତ୍ରର ଉଦ୍ଭାବକ । ଜଣେ ଆମେରିକୀୟ), ‘କବିସୂର୍ଯ୍ୟ ବଳଦେବ ରଥ’ (କିଶୋର ଚନ୍ଦ୍ରାନନ ଚମ୍ପୂର ରଚୟିତା), ‘ଜୟହିନ୍ଦ୍’ (ସୁବାଷ ଚନ୍ଦ୍ର ବୋଷଙ୍କ କଥା ।) ଆଦି ଉଲ୍ଲେଖଯୋଗ୍ୟ ।

 

ସେହି ସ୍ୱଭାବ ସୁଲଭ କାହାଣୀ-ଧର୍ମୀ ରୀତିରେ ସେ ତାଙ୍କ ଆତ୍ମଜୀବନୀ ରଚନା କରିଛନ୍ତି-। ନାଁ ରଖିଛନ୍ତି ‘ଜୀବନ ତରଙ୍ଗ’ (ପ୍ରଥମ ସଂସ୍କରଣ ୧୯୬୯ ଓ ନୂତନ ସଂସ୍କରଣ ୧୯୮୯) । ଜୀବନର ବହୁବିଧ ଘାତ ପ୍ରତିଘାତକୁ ସେ ଏଭଳି ରସସିକ୍ତ ଭାଷାରେ ବର୍ଣ୍ଣନା କରିଛନ୍ତି ଯେ ତାକୁ ଏକାଥରକେ ଆମୂଳାନ୍ତ ଅଧ୍ୟୟନ ନକରି ରହିହୁଏ ନାହିଁ । ବୋଧହୁଏ ସାହିତ୍ୟିକର ସର୍ବୋଚ୍ଚ ସଫଳତା ପାଠକୀୟ ମିତ୍ରତା ଉପରେ ନିର୍ଭର କରେ । ତାଙ୍କ ସାହିତ୍ୟିକ-ସିଦ୍ଧି; ପ୍ରାଣସ୍ପର୍ଶୀ ଅଭିବ୍ୟକ୍ତିର ଅଭିନବ କଳା-କୌଶଳରୁ ଅବଧାରଣ କରି ହୁଏ । ୧୯୨୧ରେ କଂଗ୍ରେସ କର୍ମୀ ହେବାକୁ ସ୍ୱରାଜ୍ୟାଶ୍ରମରେ ଭିଡ଼ କରୁଥିବା ବ୍ୟକ୍ତି ବିଶେଷାଙ୍କ ସମ୍ବନ୍ଧରେ ଲେଖକୀୟ ଦୃଷ୍ଟିକୋଣର ତିର୍ଯକ-ରସାଳ ଅଭିବ୍ୟକ୍ତିକୁ ଲକ୍ଷ୍ୟ କରାଯାଉ–‘‘କିଏ ମୋରି ପରି ଅଭାବର ତାଡ଼ନାରେ ପାଠ ଛାଡ଼ି ଆସିଛି, କିଏ ବା ବାରମ୍ବାର ପରୀକ୍ଷାରେ ଫେଲ ହୋଇ ଦେଶ ସେବାର ଦୀକ୍ଷା ନେଇଛି, କାହାର ନେତୃତ୍ୱ ଲାଳସା, କାହାର ବା ଲାଭ ଉଠାଇବାର ଇଚ୍ଛା, କିନ୍ତୁ ଅଧିକାଂଶ ଦେଶପ୍ରେମରେ ଉଦ୍‌ବୁଦ୍ଧ ହେଲାପରି ଜଣା ପଡ଼ୁଥାନ୍ତି । ସମସ୍ତେ ଖଦଡ଼ଧାରୀ, କିଏ ଭଦ୍ର, କିଏ ଠକ, ଜାଣିବାର ଉପାୟ ନାହିଁ ମହୁଫେଣାରେ ସବୁପ୍ରକାର ମାଛି ବେଢ଼ି ରହିଲା ପରି ଆଶ୍ରମରେ ଅନବରତ ଗହଳ ଚହଳ ଲଗାଇଥାନ୍ତି ମୁକ୍ତି ସଂଗ୍ରାମର ଏହି ପ୍ରଥମ ସୈନିକମାନେ ।’’ (୭) ଯେଉଁମାନେ ଲକ୍ଷ୍ମୀକାନ୍ତଙ୍କ ‘ଅସହଯୋଗୀର ଆତ୍ମକଥା’ ପଢ଼ିଥିବେ, ପୂର୍ବୋଦ୍ଧୃତ ଅଂଶର ଶାଣିତ ବ୍ୟଙ୍ଗ ଅବୁଝା ରହୁନଥିବ । ତେବେ ଜୀବନରେ ଯାହା କିଛି ଗୌରବାବହ, ଜ୍ଞାତବ୍ୟ ଓ ପାଠ୍ୟ; ସେ ସବୁକୁ ସେ ‘ଜୀବନ ତରଙ୍ଗ’ରେ ରୁପାୟନ କରିଛନ୍ତି ।

 

୭.

ଜୀବନ ତରଙ୍ଗ (୧୯୮୨) ପୃ-୨୧ ।

 

ସେ ସଂସ୍କୃତ ତଥା ଓଡ଼ିଆର ବହୁବିଧ ଉପାଦେୟ ଉଦ୍ଧୃତିକୁ ଭିନ୍ନ ଭିନ୍ନ ଶୀର୍ଷକରେ ସଜେଇ ଉପସ୍ଥାପନ କରିଛନ୍ତି; ‘ପ୍ରତିଧ୍ୱନି’ (୧୯୩୩) ପୁସ୍ତକରେ । ଶୀର୍ଷକ ସବୁର ନାମକରଣ ନିମ୍ନମତେ କରାଯାଇଛି–‘ହରି ମହିମା’, ‘ମହତ ଲୋକର ଗୁଣ ଓ ମହିମା’, ‘ଖଳଲୋକର ଦୁର୍ଗୁଣ’, ‘ଭାଗ୍ୟ’ ‘କାଳ’ ଜନ୍ମ ମୃତ୍ୟୁ’, ‘ଜୀବନ ଓ ଯୌବନ’ ଇତ୍ୟାଦି । ଏଭଳି ପୁସ୍ତକ ପ୍ରଣୟନର ହେତୁକୁ ତାଙ୍କରି ଭାଷାରୁ ହିଁ ବୁଝିହେବ–‘‘ଦିନେ ଇଂରାଜୀ ଭାଷାରେ ‘A Book of Familiar Quotations’ ନାମକ ଖଣ୍ଡେ ପୁସ୍ତକ ଦେଖି ଓଡ଼ିଆରେ ସେହିପରି ଖଣ୍ଡେ ପୁସ୍ତକ ପ୍ରକାଶ କରିବା ପାଇଁ ମୋର ଆଗ୍ରହ ହେଲା । ସେହି ଦିନଠାରୁ ମୁଁ ପ୍ରାଚୀନ ଓ ଆଧୁନିକ ଓଡ଼ିଆ କବିମାନଙ୍କର ଏହି ଅମୂଲ୍ୟ ଉକ୍ତିଚୟ ସଂଗ୍ରହ କରିବାରେ ଲାଗି ପଡ଼ିଲି । ଏଗୁଡ଼ିକ ଭାଷାର ଭୂଷଣ, ତେଣୁ ପ୍ରତ୍ୟେକ ସାହିତ୍ୟସେବୀର ଆଦରର ଧନ ।’’ (୮) ବସ୍ତୁତଃ ଓଡ଼ିଆ କବିତାର ଜନପ୍ରିୟ ଉଦ୍ଧୃତାବଳୀ ଶିଶୁପକ୍ଷେ ଉପାଦେୟ ଓ ସେଗୁଡ଼ିକ ତାହାଦ୍ୱାରା ସ୍ମରଣୀୟ ହୋଇ ରହିବା ସ୍ୱାଭାବିକ ।

 

୮.

ପ୍ରତିଧ୍ୱନି (୧୯୩୩) ‘ଭୂମିକା’

 

ବିଶ୍ୱ, ଦେଶ ତଥା ପ୍ରଦେଶର ଜ୍ଞାନ-ବିଜ୍ଞାନ ସମ୍ୱଳୀ ଜ୍ଞାତବ୍ୟ ପ୍ରସଙ୍ଗକୁ ସଂକ୍ଷିପ୍ତଭାବେ ଜ୍ଞାତ କରାଇବା ପାଇଁ ସେ ‘ବିଶ୍ୱପରିଚୟ’ (୧୯୬୨) ଗ୍ରନ୍ଥ ପ୍ରଣୟନ କରିଛନ୍ତି । ବର୍ଣ୍ଣମାଳା କ୍ରମରେ ସଜ୍ଜିତ ଏବଂ ପାଞ୍ଚଶହରୁ ଅଧିକ ଚିତ୍ର ସମ୍ବଳିତ ବିରାଟ ବିଶ୍ୱର ବିବରଣୀ, ଏଥିରେ ପ୍ରଦତ୍ତ-। ଏହାକୁ ‘A Concise Encyclopaedia in Oriya’ କୁହାଯାଇପାରିବ । ଇତିପୂର୍ବରୁ ବାଳକୃଷ୍ଣ କର, ମାୟାଧର ମାନସିଂହ ଓ ବିନୋଦ କାନୁନ୍‌ଗୋ ଯଥାକ୍ରମେ ‘ଶିଶୁ-ସଂଖାଳି,’ ‘ଜ୍ଞାନକୋଷ’ ଓ ‘ଜ୍ଞାନମଣ୍ଡଳ’ ଜରିଆରେ ପୁର୍ବୋକ୍ତ ପ୍ରଚେଷ୍ଟା କରିଥିଲେ । ସେଗୁଡ଼ିକ ବୃହତ୍‌ ଆକାର ବିଶିଷ୍ଟ । ବିସ୍ତାରିତ ବିବରଣୀ ଦୃଷ୍ଟିରୁ ଶିଶୁ-ବ୍ୟବହାର୍ଯ୍ୟ ଉପଯୋଗୀ ନୁହେଁ । କିନ୍ତୁ ‘ବିଶ୍ୱ ପରିଚୟ’ ହେଉଛି ଜ୍ଞାନ ବିଜ୍ଞାନକୁ ସଂକ୍ଷିପ୍ତ ପରିସରରେ ପ୍ରକାଶ କରିବାର ଅଭିଜ୍ଞାନ କୋଷ (Dictionary of Reference) । ଏହା ଶିଶୁର ବ୍ୟବହାର-ଉପଯୋଗୀ । ଓଡ଼ିଆ ସାହିତ୍ୟରେ ଏଭଳି କାର୍ଯ୍ୟ ସମ୍ପାଦନ ଅଭିନବ ନିଶ୍ଚୟ ।

 

ଗାଆଁ ପରିମଳ ଧୋବା ତୁଠରୁ ନ୍ୟାୟରେ ଯେ କୌଣସି ଜାତିର ସଂସ୍କୃତି ଓ ସ୍ୱାଭାବିକ, ତାର ବ୍ୟବହାର୍ଯ୍ୟ ଭାଷାରୁ ହିଁ ଅବଧାରଣ କରିହୁଏ । ଶୁଦ୍ଧ-ଭାଷା ବ୍ୟବହାରରେ ଯେଉଁ ଜାତି ଯେତେ ପରିମାଣରେ ଯତ୍ନଶୀଳ, ସେମାନେ ତେତିକି ପରିମାଣରେ ଉନ୍ନତ । ତେଣୁ ଓଡ଼ିଆ ଭାଷାରେ ନିତ୍ୟ ବ୍ୟବହୃତ ସାଧାରଣ ଅଶୁଦ୍ଧିକୁ ସୁଧାରିବା ପାଇଁ, ସେ ‘ସଂସାର’ ପତ୍ରିକା ଜରିଆରେ ‘ଲେଖନୀର ପାଠଶାଳା’ ଶୀର୍ଷକରେ ଶବ୍ଦ, ବାକ୍ୟ, ଉଚ୍ଚାରଣ ଦୋଷାଦି କଥା ଆଲୋଚନା କରୁଥିଲେ । ପରବର୍ତ୍ତୀକାଳରେ ତାହା ‘ଲେଖନୀର ପାଠଶାଳା’ (୧୯୯୨) ନାମରେ ପୁସ୍ତକ ରୁପ ଘେନିଛି । କେବଳ ଶିଶୁ କାହିଁକି, ଯେକୌଣସି ବୟସର ବ୍ୟକ୍ତିବିଶେଷ ପକ୍ଷେ ଏହା ପାଠ୍ୟ । ଓଡ଼ିଆ ଭାଷାର ଉଚ୍ଚାରଣ ଓ ଲିଖନ ପ୍ରଣାଳୀରେ ସଂଘଟିତ ହେଉଥିବା ତ୍ରୁଟିକୁ ସୁଧାରିବାରେ; ପୁସ୍ତକଟି ନିୟାମକ ତୁଲ୍ୟ ।

 

ସଂପାଦନା ଓ ସଂକଳନରେ ତାଙ୍କ ଅନବଦ୍ୟ କୃତିତ୍ୱର ପ୍ରଚ୍ଛାପ ବର୍ତ୍ତମାନ । ତାଙ୍କଦ୍ୱାରା ସଂକଳିତ ଓ ସଂପାଦିତ ‘ଓଡ଼ିଆ ଶିଶୁ-ସାହିତ୍ୟ ସଂକଳନ’ (୧୯୮୨)ଓ ‘ଓଡ଼ିଆ ଶିଶୁ ସଙ୍ଗୀତ’ ।(୧୯୮୨) ଗ୍ରନ୍ଥଦ୍ୱୟ ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୁକ ପ୍ରକାଶିତ । ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀରେ (୧୯୮୨) ପ୍ରକାଶ ପାଇଥିବା ସୂଚନାପତ୍ର ମଧ୍ୟରେ ରାମକୃଷ୍ଣଙ୍କ ‘ଓଡ଼ିଆ ଶିଶୁସାହିତ୍ୟ ଓ ପତ୍ରିକା’, ତାଙ୍କ ଗବେଷକମନୀଷାର ପରିଚାୟକ । ତହିଁରେ ସେ ଓଡ଼ଆ ଶିଶୁ-ସାହିତ୍ୟର ବିକାଶ କ୍ରମକୁ ପାଞ୍ଚଟି ସୋପାନରେ ଆଲୋଚନା କରିଛନ୍ତି । ପୁନଶ୍ଚ ଶିଶୁ-ସାହିତ୍ୟିକ ଓ ପାଠକଙ୍କ ସଂଖ୍ୟାଭିବୃଦ୍ଧିରେ ଶିଶୁ ପତ୍ରିକାର ଭୂମିକାକୁ କାଳାନୁକ୍ରମିକ ରୀତିରେ ବିବେଚନା କରିଛନ୍ତି ।

 

ଶିଶୁ-ସାହିତ୍ୟଭାବେ ଆମ ଜାତୀୟ ପଶୁ (୧୯୮୪), ଆମ ଜାତୀୟ ପକ୍ଷୀ (୧୯୮୪), ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ (୧୯୮୫), ଆମ ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ (୧୯୮୫) ପୁସ୍ତକର ଉପାଦେୟତା ସ୍ୱୀକାର୍ଯ୍ୟ । ଆମ ଜାତୀୟ ପତାକା ସମ୍ପର୍କରେ ଅବହିତ କରାଇବାକୁ ଯାଇ, ଲେଖକ ଉଲ୍ଲେଖ କରନ୍ତି - ‘‘ସେହି ତ୍ରିରଙ୍ଗ କନା ଖଣ୍ଡକରେ ବହୁ ଲହୁ ଲୁହର କାହାଣୀ ଜଡ଼ିତ ଅଛି । ସେଥିରୁ କିଛି ସଂଗ୍ରହ କରି ମୁଁ ଏହି କ୍ଷୁଦ୍ର ପୁସ୍ତକରେ ଆମ ରାଜ୍ୟର ବାଳକ ବାଳିକାମାନଙ୍କ ଆଗରେ ବାଢ଼ିବାର ଚେଷ୍ଟା କରିଛି । (୯) ସେ ଜାତୀୟ ପଶୁ, ପୁଷ୍ପ, ପକ୍ଷୀ ଓ ପ୍ରତୀକକୁ ଶିଶୁବେଦ୍ୟ କରାଇବାପାଇଁ ତା’ର ଉତ୍ସସମ୍ବନ୍ଧୀୟ ମୂଳ କାହାଣୀ ସମ୍ପର୍କରେ ଅବହିତ କରାଇଛନ୍ତି । ‘ଛାତ୍ର ଛାତ୍ରୀଙ୍କ ବ୍ୟକ୍ତିଗତ ଆଚରଣ ଓ ସେମାନଙ୍କ ପରିବେଷ୍ଟନୀ ଓ ସମାଜ ସଂପର୍କୀୟ ବିଷୟ’, ‘ସଂସାର’ ପତ୍ରିକାର ଭାବିଦେଖନ୍ତୁ’ ଶୀର୍ଷ କରେ ସେ ଆଲୋଚନା କରୁଥିଲେ । ସମସ୍ତ ଆଲୋଚନାକୁ ଏକତ୍ର କରି ‘ଭାବି ଦେଖନ୍ତୁ’ ପୁସ୍ତକ ପ୍ରକାଶ କରିଛନ୍ତି । (୧୦) ତହିଁରେ ଶିଶୁର ଲାଳନ ପାଳନ ସମ୍ବନ୍ଧୀୟ ପ୍ରବନ୍ଧଟିଏ ସ୍ଥାନିତ । ତା’ର ଶୀର୍ଷକ ହେଉଛି ‘ଲାଳେୟତ୍ ପଞ୍ଚ ବର୍ଷାଣି’ । ଶିଶୁକୁ ଅବାଧ ସ୍ୱାଧୀନତା ଦେବା ଯେତିକି ବିପଜ୍ଜନକ, କଠୋରଭାବେ ଦମନ କରିବା ମଧ୍ୟ ସେତିକି ଭୟାବହ ବୋଲି ସେ ଉଲ୍ଲେଖ କରିଅଛନ୍ତି । ଏ ଧରଣର ଅଭିମତ ଅନ୍ତରାଳରେ ଲେଖକଙ୍କ ଶୈକ୍ଷିକ-ମାନସର ଉପସ୍ଥିତ ବର୍ତ୍ତମାନ । ‘ପଦ ଓ କ୍ଷମତା’ ‘ଆଖି ଥାଇ ଅନ୍ଧ ହୁଅନା’, ‘ଅବହେଳା ଓ ଅସାବଧାନତା’ ପ୍ରବନ୍ଧରେ, ଦେଶର ଭାବୀ ନାଗରିକ ରୂପୀ ଶିଶୁପ୍ରତି ସତର୍କମୂଳକ ସାବଧାନତାର ବାଣୀ ପ୍ରମୂର୍ତ୍ତ । ତାଙ୍କ ପ୍ରଦତ୍ତ ସାବଧାନ ବାଣୀରୁ ଗୋଟିଏ ଉଦାହରଣ ଦିଆଯାଉଛି-। ‘‘ଥରେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ କିରାଣି ହାଇଫେନ୍ (-) ଜାଗାରେ କମା, (,) ରଖି ଦେଇଥିବାରୁ ସରକାରଙ୍କର ନବେଲକ୍ଷ ଟଙ୍କା କ୍ଷତି ହୋଇଯାଇଥିଲା । ଘଟଣାଟି ଏହିପରି । ସରକାରଙ୍କ ପ୍ରସ୍ତାବ ଥିଲା ‘ସମସ୍ତ ବିଦେଶୀ ଫଳ-ଚାରାଗଛ’ ଉପରୁ ଆମଦାନ ଶୁଳ୍‌କ ଛାଡ଼ କରାଯିବ; ମାତ୍ର କିରାଣିଙ୍କ ଦୋଷରୁତ ତାହା ହୋଇଗଲା ‘ସମସ୍ତ ବିଦେଶୀଫଳ, ଚାର ଗଛ ।’ ଏହି ଆଦେଶନାମା ପ୍ରକାଶ ପାଇବା ପରେ ସବୁ ବିଦେଶୀ ଫଳ ଓ ଚାରଗଛ ଆମଦାନୀକାରୀ ଶୁଳ୍‌କରୁ ଛାଡ଼ ପାଇଗଲେ । ବର୍ଷକ ପରେ ଏ ଭୁଲ ଧରା ପଡ଼ିଗଲା ସତ, ମାତ୍ର ସେତେବେଳକୁ ସରକାରଙ୍କର ପ୍ରଭୃତ କ୍ଷତି ହୋଇ ସାରିଥିଲା ।’’ (୧୧) ଏତଦ୍‌ଭିନ୍ନ ସେ ‘ସମୟାନୁବର୍ତ୍ତିତା’, ‘ସଭାସମିତିରେ ଆଚରଣ’, ‘ଚାନ୍ଦାମଗା’ ‘ପରିବେଶ ସୁରକ୍ଷା’ ସମ୍ପର୍କରେ ସୁଚିନ୍ତିତ ଆଲୋଚନା କରିଛନ୍ତି । ଗଳ୍ପ-ସୁଲଭ ରୀତିରେ ବର୍ଣ୍ଣିତ ଆଲୋଚନାଗୁଡ଼ିକ ରସସିକ୍ତ ଓ ଶିଶୁ-ପ୍ରାଣସ୍ପର୍ଶୀ ହୋଇ ପାରିଛି । ଶିଶୁର ଚାରିତ୍ରିକ ଓ ନୈତିକ ଭିତ୍ତିକୁ ସୁଦୃଢ଼ କରିବାରେ, ଆଲୋଚ୍ୟ ରଚନାବଳୀ ଯେ ଏକାନ୍ତ ଉପଯୋଗୀ-ଏହା ମୁକ୍ତକଣ୍ଠରେ ସ୍ୱୀକାର କରିହେବ ।

 

୯.

ବହି ବିଷୟରେ ପଦେ- ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ-ପୃ-୧

୧୦.

ଭାବି ଦେଖନ୍ତୁ- ୧୯୯୩ ।

୧୧.

ଆଖିଥାଇ ଅନ୍ଧ ହୁଅନା-ଭାବିଦେଖନ୍ତୁ-ପୃ-୭୧ ।

 

।।୫।।

ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ସାହିତ୍ୟ ସାଧନାର ଏକମୁଖୀନତା; ତାଙ୍କ ନୈଷ୍ଠିକ ଶିକ୍ଷକ-ପ୍ରାଣତାର ନମୁନା ମାତ୍ର । ଶିକ୍ଷକ-କବି, ଋଷିପ୍ରାଣ ମଧୁସୂଦନ ରାଓଙ୍କ ଓଡ଼ିଆ ଶିଶୁସାହିତ୍ୟ ରଚନାର ପରମ୍ପରାକୁ, ସ୍ୱାଧୀନତା ପରବର୍ତ୍ତୀ କାଳରେ ବିକଶିତ ଓ ସୁସମୃଦ୍ଧ କରିବାରେ ରାମକୃଷ୍ଣ ନନ୍ଦଙ୍କ ସାଧନା-ତପସ୍ୟାଭିନ୍ନ ଅନ୍ୟ କିଛି ନୁହେଁ । କଥା ଦେଇ କଥା ନ ରଖିବା, ଅଧାବାଟରୁ ବାଟ ବଦଳେଇବା କିମ୍ବା ଶଗଡ଼ରୁ ଓହ୍ଲେଇଯିବା; ତାଙ୍କ ପ୍ରକୃତି ବିରୁଦ୍ଧ । ପ୍ରସଙ୍ଗୋଚିତ ଭାବେ ‘ଚୋରପଞ୍ଚାଶିକାରୁ’ ଗୋଟିଏ ଶ୍ଲୋକ ଉଦ୍ଧାର କରିହେବ–

 

‘ଅଦ୍ୟାପି ନୋଝଜ୍‌ତି ହରଃ କିଳ କାଳକୂଟଂ

କୂର୍ମୋ ବିଭର୍ତି ଧରଣୀଂ ପୃଷ୍ଠଭାଗୈ

ଅଂଭୋନିଧି ର୍ବହତି ଦୁଃସହ ବାଡାବାଗ୍ନି

ମଂଗୀକୃତ୍ୟ ସୁକୃତିନଃ ପରି ପାଳିୟନ୍ତି ।

(ଚୌରପଞ୍ଚାଶିକା-ବିହ୍ଳଣ)

 

ଅର୍ଥାତ୍‌ ଏବେ ସୁଦ୍ଧା ଶିବ ତାଙ୍କ କଣ୍ଠରେ କାଳକୁଟ ବିଷକୁ ଧାରଣ କରିଅଛନ୍ତି, କୂର୍ମ ଧରଣୀର ଭାରାକୁ ପୃଷ୍ଠଦେଶରେ ବହନ କରିଛନ୍ତି ଓ ସମୁଦ୍ର ଦୁଃସହ ବାଡ଼ବାଗ୍ନିକୁ ଗର୍ଭରେ ବହନ କରିଛନ୍ତି–ସମସ୍ତ ଜ୍ୱାଳା ଓ ଯନ୍ତ୍ରଣା ସତ୍ତ୍ୱେ ଶିବ ବିଷକୁ, କୂର୍ମ ଧରଣୀକୁ ସମୁଦ୍ର ବାଡ଼ବାଗ୍ନିକୁ ପରିତ୍ୟାଗ କରିପାରି ନାହାନ୍ତି–କାରଣ ସାଧୁଲୋକମାନେ ଯାହା ଥରେ ଅଙ୍ଗୀକାର କରନ୍ତି, ତାହାକୁ ସର୍ବଦା ପାଳନ କରିଥାନ୍ତି । ଏହି ଶ୍ଳୋକର ଭାବାର୍ଥଟି ରାମକୃଷ୍ଣଙ୍କ ପ୍ରକୃତିର କେତେ ନିକଟବର୍ତ୍ତୀ; ତାହା ବୁଝାଇ କହିବା ନିଷ୍‍ପ୍ରୟୋଜନ । ଶିଶୁ-ସାହିତ୍ୟ ରଚନା କରିବାର ଅଙ୍ଗୀକାର-ବଦ୍ଧତାକୁ ସେ ଆଜୀବନ ପରିପାଳନ କରିଅଛନ୍ତି । ସେ ଦୃଷ୍ଟିରୁ ସେ ସାଧୁ ବ୍ୟକ୍ତିତ୍ୱ । ଓଡ଼ିଆ ଶିଶୁସାହିତ୍ୟ ରଚନାର ତପସ୍ୟାରେ ସିଦ୍ଧିଲାଭ କରିଥିବା ଅନ୍ୟତମ ସାରସ୍ୱତ ପୁରୁଷ ।

 

 

ଅଧ୍ୟାପକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ ।

ରେଭେନ୍‌ସା ମହାବିଦ୍ୟାଳୟ, କଟକ ।

 

***

 

ଓଡ଼ିଆ ଶିଶୁସାହିତ୍ୟକୁ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଦାନ

ଡକ୍‌ଟର ସୁରେନ୍ଦ୍ର କୁମାର ମହାରଣା

 

ଶିଶୁସାହିତ୍ୟ କହିଲେ ଶିଶୁମାନଙ୍କଦ୍ୱାରା ରଚିତ ସାହିତ୍ୟକୁ ବା ସାହିତ୍ୟର ଶୈଶବାବସ୍ଥାକୁ ବୁଝାଏ ନାହିଁ, ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସାହିତ୍ୟ ବା ଶିଶୁ ଉପଯୋଗୀ ସାହିତ୍ୟକୁ ବୁଝାଏ । ସମୟ ଥିଲା, ଓଡ଼ିଆ ସାହିତ୍ୟରେ ଶିଶୁସାହିତ୍ୟକୁ ଯଥାଯୋଗ୍ୟ ସମ୍ମାନ ମିଳୁ ନଥିଲା; ଫଳରେ ଶିଶୁସାହିତ୍ୟ ସ୍ରଷ୍ଟାଗଣ ଥିଲେ ଅବହେଳିତ । ସେମାନଙ୍କୁ ସାହିତ୍ୟିକ ଗୋଷ୍ଠୀଭୁକ୍ତ କରାଯାଉ ନଥିଲା । କିନ୍ତୁ ସେ ସମୟ ଆଉ ନାହିଁ । ଶିଶୁସାହିତ୍ୟର ଗୁରୁତ୍ୱ ଉପଲବ୍‌ଧି କରାଯାଇ ଏହାକୁ ସାହିତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗଭାବେ ସ୍ୱୀକୃତି ମିଳିଲାଣି ଏବଂ କୃତୀ ଶିଶୁସାହିତ୍ୟିକମାନଙ୍କୁ ସମ୍ମାନିତ କରାଗଲାଣି । ବିଶିଷ୍ଟ ଶିଶୁସାହିତ୍ୟିକ ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ମଧ୍ୟ ଏହି ମର୍ମରେ ଗୋଟିଏ ସ୍ଥାନରେ କହିଛନ୍ତି–‘‘ସମୟ ଥିଲା, ଯେତେବେଳେ ଶିଶୁସାହିତ୍ୟ ଲେଖକମାନଙ୍କୁ ଅନେକ ବିଜ୍ଞବ୍ୟକ୍ତି ସାହିତ୍ୟିକ ଗୋଷ୍ଠୀଭୁକ୍ତ କରିବାକୁ କୁଣ୍ଠାବୋଧ କରୁଥିଲେ । ଆମ ସମାଜରେ ଶିଶୁ ଅବହେଳିତ ଓ ଅଳ୍ପାୟୁ ହେଲାଭଳି ଶିଶୁସାହିତ୍ୟ ଲେଖକ ମଧ୍ୟ ସେହି ପର୍ଯ୍ୟାୟ-ଭୁକ୍ତ ବୋଲି ଧରାଯାଉଥିଲା । ଏପରିକି ସରକାର ମଧ୍ୟ ସାହିତ୍ୟିକଙ୍କଠାରୁ ଶିଶୁସାହିତ୍ୟ ସ୍ରଷ୍ଟାମାନଙ୍କୁ ନ୍ୟୂନ ଶ୍ରେଣୀଭୁକ୍ତ କରୁଥିଲେ । ଏବେ ସେ ମତ ବଦଳିଯାଇଛି–ଆନନ୍ଦର କଥା ।’’ (୧) ଫଳରେ ଯେଉଁ ସୁସ୍ଥ ପରମ୍ଫରାଟି ସୃଷ୍ଟି ହୋଇଛି, ତାହା ସର୍ବଥା ସ୍ୱାଗତଯୋଗ୍ୟ ।

 

ଶିଶୁସାହିତ୍ୟର ମୂଳ ଉତ୍ସ ଦୁଇଟି–ଗୋଟିଏ ସ୍ମରଣାତୀତ କାଳରୁ ପ୍ରଚଳିତ ଲୋକ ସାହିତ୍ୟ ବା ମୌଖିକ ସାହିତ୍ୟ ଓ ଅନ୍ୟଟି ଇଂରେଜ ଶାସନକାଳରେ ପ୍ରାଥମିକ ଶ୍ରେଣୀମାନଙ୍କରେ ପଠିତ ହେବା ନିମନ୍ତେ ରଚିତ ପାଠ୍ୟପୁସ୍ତକ । ଓଡ଼ିଶା ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ଶାସନାଧୀନ ହେଲା ଏବଂ ୧୮୩୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ପ୍ରଥମ ମୁଦ୍ରାଯନ୍ତ୍ର ସ୍ଥାପିତ ହେଲା । ଏହାପରେ ଅନ୍ୟ ସାହିତ୍ୟଭଳି ଶିଶୁସାହିତ୍ୟର ମଧ୍ୟଦ୍ରୁତ ପ୍ରଗତି ସାଧିତ ହେଲା । ଏହା ପୂର୍ବରୁ ସମାଜରେ ପ୍ରଚଳିତ ଓ ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବହୁ ଲୋକପ୍ରିୟ ଲୋକଗୀତ ଓ ଲୋକ-କାହାଣୀ ଥିଲା ସେ ସମୟର ଶିଶୁସାହିତ୍ୟ । ବହୁ ପ୍ରାଚୀନ କାଳରୁ ଚାଟଶାଳୀମାନଙ୍କରେ ପଠିତ ଚଉତିଶା, ବାରମାସୀ-ବୋଲି ଇତ୍ୟାଦିକୁ ମଧ୍ୟ ଶିଶୁସାହିତ୍ୟର ଅନ୍ତର୍ଭୁକ୍ତ କରାଯାଇ ପାରେ । ସେଗୁଡ଼ିକର ବଳିଷ୍ଠ ଭାବସମ୍ପଦ ନୁହେଁ, ସାଙ୍ଗୀତିକତା ହିଁ ଶିଶୁମାନଙ୍କୁ ଆକୃଷ୍ଟ କରୁଥିଲା । ଚଉତିଶା ମୁଖସ୍ଥ କରିବା ଫଳରେ ଚାଟମାନଙ୍କର ବର୍ଣ୍ଣମାଳା ମୁଖସ୍ଥ ହେଉଥିଲା ଏବଂ ବାରମାସୀ-ବୋଲି ଗାଇବା ଫଳରେ ସେମାନେ ବାରମାସର ନାମ ମନେରଖି ପାରୁଥିଲେ । ଇଂରେଜମାନଙ୍କଦ୍ୱାରା ଓଡ଼ିଶାରେ ଶିକ୍ଷାର ପ୍ରସାର ହେବା ଫଳରେ ପ୍ରାଥମିକ ଶ୍ରେଣୀମାନଙ୍କରେ ପଠିତ ହେବା ପାଇଁ ପାଠ୍ୟପୁସ୍ତକମାନ ପ୍ରଣୀତ ହୋଇଥିଲା । (୨) କପିଳେଶ୍ୱର ବିଦ୍ୟାଭୂଷଣଙ୍କ ‘ବୋଧାଙ୍କୁର’ (୧୮୭୧) ଓ ପଣ୍ଡିତ ଗୋବିନ୍ଦ ରଥଙ୍କ ‘ବର୍ଣ୍ଣବୋଧ’ (୧୮୭୪) ଏ ଦିଗରେ ପଥିକୃତ ଉଦ୍ୟମ ଭାବରେ ଗୃହୀତ ହୋଇପାରେ । ଏଗୁଡ଼ିକ ଶିଶୁମାନଙ୍କପାଇଁ ଉପାଦେୟ ଥିଲେ ହେଁ ମଧୁସୂଦନ ରାଓ ଓଡ଼ିଆ ଛାତ୍ରମାନଙ୍କପାଇଁ ଯେଉଁ ନୂତନ ଧରଣର ପାଠ୍ୟପୁସ୍ତକମାନ ପ୍ରଣୟନ କଲେ, ସେଗୁଡ଼ିକ ହଁ ପ୍ରକୃତରେ ଆଧୁନିକ ଶିଶୁସାହିତ୍ୟର ଭିତ୍ତିସ୍ଥାପନ କରିଥିଲେ । ‘‘ପିଲାମାନେ ବର୍ଣ୍ଣପରିଚୟ ପରେ ଆଉ ଛାନ୍ଦ, ଚଉତିଶାରେ ଆବଦ୍ଧ ନରହି ନୂତନ ରୀତିରେ ଶିକ୍ଷା ଆରମ୍ଭ କଲେ-। ମଧୁସୂଦନଙ୍କ ପ୍ରଣୀତ, ‘ଛନ୍ଦମାଳା’, ‘କବିତାବଳୀ, ‘ପ୍ରବନ୍ଧମାଳା’ (୧୯୯୦) ଏବଂ ‘ବର୍ଣ୍ଣବୋଧ’ରୁ ଆରମ୍ଭକରି ‘ଶିଶୁବୋଧ’, ‘ବାଳବୋଧ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ’ ପ୍ରଭୃତି ପାଠ୍ୟପୁସ୍ତକଗୁଡ଼ିକ ଦୀର୍ଘକାଳ ପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ପ୍ରଚଳିତ ରହି ଶିଶୁସାହିତ୍ୟିର ଭିତ୍ତି ପକାଇଥିଲା କହିଲେ ଭୁଲ୍‌ ହେବ ନାହିଁ । ଆଧୁନିକ ପ୍ରବନ୍ଧ ସାହିତ୍ୟ ଏବଂ ଶିଶୁଗଳ୍ପର ସେ ମଧ୍ୟ ଜନ୍ନଦାତା ଥିଲେ । ପରବର୍ତ୍ତୀକାଳର ସମସ୍ତ ସାହିତ୍ୟିକ ମଧୁସୂଦନଙ୍କ ପାଠ୍ୟପୁସ୍ତକରୁ ବଳିଷ୍ଠ ପ୍ରେରଣା ପାଇଥିଲେ ।’’ (୩)ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ସ୍ରଷ୍ଟା ଫକୀରମୋହନ ସେନାପତି ଶିଶୁସାହିତ୍ୟକୁ ମଧ୍ୟ ପୁଷ୍ଟ କରିଛନ୍ତି ବହୁ ଗଳ୍ପ ଓ କବିତା ରଚନା କରି । ତାଙ୍କ ‘ପୁଷ୍ପମାଳା’ ଓ ‘ଅବସର ବାସରେ’ ପୁସ୍ତକଦ୍ୱୟ ବହୁ ଶିକ୍ଷାପ୍ରଦ କବିତାରେ ଗର୍ଭିତ ହୋଇ ଶିଶୁ ଓ କିଶୋରମାନଙ୍କ ମନୋରଞ୍ଜନ ହୋଇପାରିଛି ।

 

ପରବର୍ତ୍ତୀ କାଳରେ ନନ୍ଦକିଶୋର ବଳ, ଗୋପାଳଚନ୍ଦ୍ର ପ୍ରହରାଜ, ଚନ୍ଦ୍ରମୋହନ ମହାରଣା, ମୃତ୍ୟୁଞ୍ଜୟ ରଥ, ଗୋଦାବରୀଶ ମିଶ୍ର, ବାସୁଦେବ ମହାପାତ୍ର, ଦାମୋଦର ପଟ୍ଟନାୟକ, ବାଳକୃଷ୍ଣ କର, ଗୋଦାବରୀଶ ମହାପାତ୍ର, ଭଗବାନ ପତି, ଉପେନ୍ଦ୍ର ତ୍ରିପାଠୀ, ଉଦୟନାଥ ଷଡ଼ଙ୍ଗୀ, ରାମକୃଷ୍ଣ ନନ୍ଦ, ଗୋପାଳଚନ୍ଦ୍ର କାନୁନ୍‌ଗୋ, ଚକ୍ରଧର ମହାପାତ୍ର, ଅନନ୍ତ ପଟ୍ଟନାୟକ, ବିନୋକ କାନୁନ୍‌ଗୋ, କୁଞ୍ଜବିହାରୀ ଦାଶ, ଦୁର୍ଗାପ୍ରସାଦ ପଟ୍ଟନାୟକ ପ୍ରଭୃତି ସାହିତ୍ୟିକଗଣ ଶିଶୁ-କିଶୋର ଉପଯୋଗୀ ରଚନାମାନ ସୃଷ୍ଟିକରି ଓଡ଼ିଆ ଶିଶୁସାହିତ୍ୟକୁ ବିକାଶ ପଥରେ ଆଗେଇ ନେଇଛନ୍ତି । ଓଡ଼ିଆ ଶିଶୁସାହିତ୍ୟର ବିକାଶର ଆଦ୍ୟ ପର୍ଯ୍ୟାୟରେ ଏମାନଙ୍କର ସାଧନା ଓ ସିଦ୍ଧି ପରବର୍ତ୍ତୀକାଳୀନ ବହୁ ସାହିତ୍ୟସ୍ରଷ୍ଟାଙ୍କୁ ପ୍ରଚୋଦିତ କରିଅଛି ।

 

ଓଡ଼ିଆ ଶିଶୁସାହିତ୍ୟକୁ ମାର୍ଗ ପ୍ରଦର୍ଶନ କରିଥିବା ଏହି ବରେଣ୍ୟ ସାହିତ୍ୟିକମାନଙ୍କ ମଧ୍ୟରେ ରହିଛନ୍ତି ଆମର ଆଲୋଚ୍ୟ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ (୧୯୦୩-୯୪) । ସେ ଥିଲେ ଜଣେ ନୀରବ ସାଧକ । ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳର କଠୋର ଅଧ୍ୟବସାୟ ବଳରେ ସେ ବିପୁଳକାୟ ଶିଶୁସାହିତ୍ୟ ସୃଷ୍ଟି କରିପାରିଛନ୍ତି । ପଣ୍ଡିତ ତ୍ରିପାଠୀ ଅବିଭାଜିତ କଟକ ଜିଲ୍ଲାର ମୁରାରିପୁରଠାରେ ୧୩୧୧ ସାଲ, ସିଂହ ୨୬ଦିନ, ଗୁରୁବାର ବା ୧୯୦୩, ସେପ୍‌ଟେମ୍ବର ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପିତା ଦାଶରଥି ତ୍ରିପାଠୀ ଓ ମାତା ଚନ୍ଦ୍ରମଣି ଦେବୀଙ୍କର ୨ୟ ସନ୍ତାନ ଭାବରେ । ତାଙ୍କ ବାଲ୍ୟ ଜୀବନ ଥିଲା ଅତି କାରୁଣ୍ୟପୂର୍ଣ୍ଣ । ଏକଦା ଧନଜନରେ ପରିପୂର୍ଣ୍ଣ ତାଙ୍କ ପିତାମହଙ୍କ ପରିବାରଟି ତାଙ୍କ ବାଲ୍ୟକାଳକୁ ଚ୍ଛିନ୍ନଭିନ୍ନ ହୋଇପଡ଼ିଥିଲା । ତାଙ୍କ ପିତାଙ୍କ ଭାଗରେ ପଡ଼ିଥିଲା ସବୁଠାରୁ ନିକୃଷ୍ଟ ଧରଣର ବାସସ୍ଥାନ ଓ କୃଷିକ୍ଷେତ୍ର । ପରିବାରର ପରିପୋଷଣ ନିମନ୍ତେ ଆବଶ୍ୟକ ଅର୍ଥ ଅର୍ଜନ କରିବାକୁ ତାଙ୍କ ପିତା ପ୍ରବାସରେ ରହୁଥିଲେ । ଉପେନ୍ଦ୍ରଙ୍କ ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା ଗ୍ରାମ ଚାଟଶାଳୀରେ । ପିତାଙ୍କଠାରୁ ସେ ସେତେବେଳେ ପ୍ରଚଳିତ କଡ଼ାଗଣ୍ଡା ପଣକିଆ ପାହି ପଣକିଆ. ମହଣା ସେର କଷା, କାଣିନଳ, ଜରିବ ନଳ ପ୍ରଭୃତି ଗଣିତର ନାନା ଜଟିଳପାଠ ଶିକ୍ଷା କରିଥିଲେ । ଏତଦ୍‌ବ୍ୟତୀତ ପିତାଙ୍କଠାରୁ ସେ ବଙ୍ଗଳା ଶିକ୍ଷା କରିଥିଲେ, ଯାହା ପରବର୍ତ୍ତୀକାଳରେ ତାଙ୍କୁ ବହୁ ବଙ୍ଗଳା କାବ୍ୟ, ଉପନ୍ୟାସାଦି ପାଠ କରିବାରେ ସାହାଯ୍ୟ କରିଥିଲା ।

 

ଗ୍ରାମ ବିଦ୍ୟାଳୟରୁ ୩ୟଶ୍ରେଣୀ ପାସ୍‌ କରିବାପରେ ସେ ଅଧିକ ପଢ଼ିବାପାଇଁ ମାମୁଁ ଘର ଗାଁ ମୂଳବସନ୍ତ ଚାଲିଗଲେ । ସେଠାରେ ରହି କୋଠପଦା ବିଦ୍ୟାପୀଠରେ ନାମ ଲେଖାଇଲେ ଏବଂ ଚାରିବର୍ଷ ପରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେଲେ । ଏହି ସମୟରେ ତାଙ୍କୁ ଘୋର ଆର୍ଥିକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯାହା ହେଉ, ମୂଳବସନ୍ତର ଶ୍ରୀ ଦାମୋଦର କର ସେତେବେଳେ କଟକର ଜଣେ ନାମଜାଦା ଓକିଲ ଥିଲେ ଏବଂ ତାଙ୍କ ଦୟାରୁ ପଣ୍ଡିତ ତ୍ରିପାଠୀ କଟକ ଯାଇ ଟ୍ରେନିଂସ୍କୁଲରେ ନାମ ଲେଖାଇଲେ ୧୯୨୦ରେ ଏବଂ ଶିକ୍ଷା ସମାପ୍ତ କଲେ ୧୯୨୨ର ଶେଷଭାଗରେ । ଟ୍ରେନିଂ ସ୍କୁଲରେ ଛାତ୍ର ଥିଲାବେଳେ ତାଙ୍କୁ ବିବାହ ବନ୍ଧନରେ ଛନ୍ଦି ଦିଆଯାଇଥିଲା ଶ୍ରୀମତୀ ହାରାମଣିଙ୍କ ସହିତ । ୧୯୨୩ରେ ସେ ବଡ଼ଚଣା ମଧ୍ୟଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ଓ ପରବର୍ତ୍ତୀକାଳରେ ମଧୂପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ଦୀର୍ଘଦିନଧରି ଶିକ୍ଷକତା କରିବାପରେ ଅବସର ଗ୍ରହଣ କରିଇିଲେ । ୧୯୫୫ରେ ତାଙ୍କ ପତ୍ନୀ-ବିୟୋଗ ଘଟିଥିଲା ଓ ପରେ ସେ ଦ୍ୱିତୀୟ ଦାର ଗ୍ରହଣ କରିଥିଲେ ।

 

ପଣ୍ଡିତ ତ୍ରିପାଠୀ ଛାତ୍ରାବସ୍ଥାରୁ ସାରସ୍ୱତ ସାଧନାରେ ବ୍ରତୀ ଥିଲେ; କିନ୍ତୁ ୧୯୨୪ରେ ତାଙ୍କ କବିତା ‘ନିର୍ଦ୍ଧନ ହେଲେହେଁ ମୁହିଁ ଧନୀକ ସନ୍ତାନ’ ‘ସହକାର’ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହା ଥିଲା ତାଙ୍କର ପ୍ରଥମ ପ୍ରକାଶିତ କବିତା । ବ୍ରହ୍ମପୁରରୁ ପ୍ରକାଶିତ ‘ନବୀନ’ ପତ୍ରିକାରେ ମଧ୍ୟ ତାଙ୍କ କବିତା ପ୍ରକାଶିତ ହୋଇଥିଲା । ଶିଶୁ ଉପଯୋଗୀ ତାଙ୍କର କେତୋଟି କବିତା ଶିଶୁସାହିତ୍ୟ ପତ୍ରିକା ‘ପଞ୍ଚାମୃତ’ରେ ପ୍ରକାଶ ଲାଭ କରି ତାଙ୍କୁ ବେଶ୍‌ ଉତ୍ସାହିତ କରିଥିଲା । ସେ ଶିଶୁସାହିତ୍ୟ ସୃଷ୍ଟି କରିବାରେ ଲାଗିପଡ଼ିଲେ । ଏ ସମ୍ୱନ୍ଧରେ ସେ କହନ୍ତି–‘‘ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ, ଏମ୍‌.ଏ.ବି. ଏଲ୍‌. ଓ ଶ୍ରୀ ଅଗଣି ଦାଶଙ୍କ ସମ୍ୱାଦକତ୍ୱରେ କଟକରୁ ‘ପଞ୍ଚାମୃତ’ ନାମରେ ଖଣ୍ଡିଏ ଶିଶୁସାହିତ୍ୟ ପତ୍ରିକା ପ୍ରକାଶ ପାଇଲା । ମୁଁ ତାହାର ଧାରାବାହିକ ଲେଖକ ହେଲି । ସୌଭାଗ୍ୟବଶତଃ ମୋର କବିତାଗୁଡ଼ିକ ପ୍ରାୟ ପ୍ରତି ସଂଖ୍ୟାର ପ୍ରଥମ ପୃଷ୍ଠାରେ ସ୍ଥାନ ଲାଭ କରିବାରୁ ମୁଁ କ୍ରମେ କ୍ରମେ ଶିଶୁସାହିତ୍ୟ ପ୍ରତି ବିଶେଷ ଆକୃଷ୍ଟ ହେଲି । ମୁଁ ଦେଖିଲି, ଏ ଦିଗଟି ଓଡ଼ିଶାରେ ବଡ଼ ଅବହେଳିତ ଅବସ୍ଥାରେ ଅଛି । ଏଥିପ୍ରତି ଟିକିଏ ନଜର ନଦେଲେ ଭବିଷ୍ୟତ ଅନ୍ଧକାରମୟ ହୋଇ ଉଠିବ । ସେତେବେଳେ ମୋର ସହଲେଖକ ଥିଲେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, କୁଞ୍ଜବିହାରୀ ଦାଶ, ବଂଶୀଧର ସାମନ୍ତରାୟ, ଧନେଶ୍ୱର ଶତପଥୀ, ସତ୍ୟାନନ୍ଦ ବେହୁରା, କୃଷ୍ଣଚନ୍ଦ୍ର କର ଓ ଆଉ କେତେଜଣ ବିଶିଷ୍ଟ ସାହିତ୍ୟିକ ।’’ (୪) ୧୯୫୪ରେ ତାଙ୍କ ଶିଶୁ କବିତାଗୁଚ୍ଛ ‘ଘଣ୍ଟାଘାଘୁଡ଼ି’ ଓ ୧୯୬୩-୬୪ରେ ତାଙ୍କର ଅନ୍ୟ ଏକ ଶିଶୁକବିତା ସଂକଳନ ‘ପିଲାଙ୍କ ପଶୁପକ୍ଷୀ ପୁରାଣ’ ଶ୍ରେଷ୍ଠ ଓଡ଼ିଆ ଶିଶୁସାହିତ୍ୟ ହିସାବରେ ଭାରତ ସରକାରଙ୍କଦ୍ୱାରା ପୁରସ୍କୃତ ହୋଇଥିଲା ।

 

ପଣ୍ଡିତ ତ୍ରିପାଠୀ ଇହଲୀଳା ସମ୍ୱରଣ କଲେ ୧୯୯୪ର ଶେଷ ଭାଗରେ । ନିଜର ଘଟଣା ବହୁଳ ଜୀବନକାଳ ମଧ୍ୟରେ ସେ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ଜଣେ ଆଦର୍ଶ ଶିକ୍ଷକ ଭାବରେ । କଟକ ଜଜ୍‌କୋଟ୍‌ର ଜୁରୀ ଭାବରେ ଓ ନିଖିଳ ଭାରତ ଶିଶୁସାହିତ୍ୟ ସମ୍ମିଳନୀର କାର୍ଯ୍ୟକାରୀ ସଭ୍ୟଭାବେ ସେ ନିଜର ଗୁରୁ ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି । ନିରଳସ ନିୟତ ସୃଷ୍ଟିଶୀଳତାର ସ୍ୱୀକୃତି ସ୍ୱରୁପ ସେ ଓଡ଼ିଆ ଶିଶୁସାହିତ୍ୟ ପରିଷଦ, ଓଡିଶା ସାହିତ୍ୟ ଏକାଡେମୀ, ଭାରତ ସରକାର, ଫକରୀମୋହନ ସାହିତ୍ୟ ପରିଷଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ, ସାରଳା ପୁରସ୍କାର ମଞ୍ଚ ଓ ଏହିପରି ଅନ୍ୟ ବହୁ ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ସେ ବିପୁଳ ସାହିତ୍ୟର ସ୍ରଷ୍ଟା । ବିଭିନ୍ନ ସମୟରେ ରଚିତ ତାଙ୍କର କବିତା ପ୍ରକାଶିତ ହୋଇଛି ବିଭିନ୍ନ ପତ୍ର-ପତ୍ରିକାରେ । ୧୯୬୯ ପର୍ଯ୍ୟନ୍ତ ରଚିତା ତାଙ୍କର ସମସ୍ତ ରଚନା ‘ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ’ରେ ସନ୍ନିବେଶିତ । ଏକ ସହସ୍ରରୁ ଊର୍ଦ୍ଧ୍ୱ (୧୦୨୯) ପୃଷ୍ଠାବିଶିଷ୍ଟ ଏହି ବିରାଟ ଗ୍ରନ୍ଥାବଳୀ ପଣ୍ଡିତ ତ୍ରିପାଠୀଙ୍କ ସାଧନା ଓ ସିଦ୍ଧିର ସ୍ୱାକ୍ଷର ବହନ କରେ ।

 

ସଂଶିତ ଗ୍ରନ୍ଥାବଳୀରେ ପଣ୍ଡିତ ତ୍ରିପାଠୀଙ୍କ ରଚନାବଳୀକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗ ସମୃଦ୍ଧ ହୋଇଛି ଶିଶୁସାହିତ୍ୟରେ ଓ ଦ୍ୱିତୀୟ ଭାଗ ଲୋକସାହିତ୍ୟରେ-। ଦ୍ୱିତୀୟ ଭାଗରେ ଲୋକସାହିତ୍ୟ ସହିତ ଗ୍ରଥିତ ହୋଇଛି ‘ଭୀଷଣ ଷଡ଼ଯନ୍ତ୍ର’, ‘ହେଡ଼ମାଷ୍ଟର’ ଓ ‘ମହାପ୍ରସାଦ’ ନାମରେ ତିନୋଟି ଉପନ୍ୟାସ ଏବଂ ପରିଶିଷ୍ଟ ଆକାରରେ ଦଶଟି କବିତା । ପ୍ରଥମ ଭାଗରେ ଅର୍ଥାତ ଶିଶୁସାହିତ୍ୟ ବିଭାଗରେ ସନ୍ନିବେଶିତ ହୋଇଛି ‘କୁହୁକୁହୁ’, ‘ରୁଣୁଝୁଣୁ’, ‘ଗୁଣୁଗୁଣୁ’, ‘କୁଳୁକୁଳୁ’, ‘ସୁଲୁସୁଲୁ’, କଷିକାକୁଡ଼ି’, ‘ଘଣ୍ଟି-ଘାଗୁଡ଼ି’, ‘ହସଚାଙ୍ଗୁଡ଼ି’, ‘କଳାବଉଦ’, ‘ଶିଶୁ ଶଙ୍ଖାଳି’, ‘ଭାଇଭଉଣୀ’, ‘ବେଙ୍ଗ ବାହାଦୂର’ ‘ମୂଷି ମାଉସୀ,’ ‘କହି ଜାଣିଲେ କଥା ସୁନ୍ଦର’, ‘ହଜିଲା ବଳଦ ଖୋଜିଲାଠେଇଁ’, ‘ଅକଲ ମକଲ ଟକଲ ଟିଆଁ, ‘ଡାଳରେ ମାଙ୍କଡ ମାରଇ ଡିଆଁ, ‘ପିଲାଙ୍କ ପଶୁପକ୍ଷୀ ପୁରାଣ’, ‘ଉଦୟ ଭାନୁ’ ଓ ‘ଶିଶୁତୋଷ ରାମାୟଣ’ କବିତା ସଂକଳନଗୁଡ଼ିକ ପ୍ରସ୍ତୁତ ପ୍ରବନ୍ଧରେ କେବଳ ପଣ୍ଡିତ ତ୍ରିପାଠୀଙ୍କ ଶିଶୁସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇ ଓଡ଼ିଆ ଶିଶୁସାହିତ୍ୟକୁ ତାଙ୍କ ବିପୁଳ ଦାନର ପରିଚୟ ଦିଆଯାଇଛି ।

 

ପଣ୍ଡିତ ତ୍ରିପାଠୀ ଥିଲେ ଶିକ୍ଷକ, ଜଣେ ଆଦର୍ଶ ଶିକ୍ଷକ । ପିଲାଙ୍କୁ ଶିକ୍ଷା ଦାନ କରିବାରେ ତାଙ୍କର ଜୀବନ କଟିଥିଲା । ପିଲାଙ୍କୁ ନୀତି ଶିକ୍ଷା ଦେଇ ସେମାନଙ୍କର ଚରିତ୍ର ଗଢ଼ିବା ଦିଗରେ ତାଙ୍କର ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ସେ ମର୍ମେ ମର୍ମେ ଉପଲବ୍ଧି କରିଥିଲେ ଏବଂ ଏହି ପବିତ୍ର କର୍ତ୍ତବ୍ୟରେ ତ୍ରୁଟିକରି ନଥିଲେ । କେବଳ ଶିକ୍ଷାଦାନ ମାଧ୍ୟମରେ ନୁହେଁ, ସାହିତ୍ୟ ମାଧ୍ୟମରେ ମଧ୍ୟ କୋମଳମତି ଶିଶୁମାନଙ୍କ ନୈତିକ ଜ୍ଞାନ ବୃଦ୍ଧିକରିବା ଉଦ୍ଦେଶ୍ୟରେ ସେ ଲେଖନୀ ଚାଳନା କରିଥିଲେ ଏବଂ ଏଇ ମହତ୍‌ ଉଦ୍ଦେଶ୍ୟର ଫଳଶ୍ରୂତି ସ୍ୱରୂପ ତାଙ୍କ ଲେଖନୀ ରୂପ ଦେଇଥିଲା ଅଜସ୍ର ନୀତିଶିକ୍ଷାମୂଳକ କବିତା । ନିଜ ଆତ୍ମଜୀବନୀରେ ସେ ଏହି ମର୍ମରେ ଲେଖିଛନ୍ତି–‘‘ମୋର ଶତ ଶତ ସୁଧୀ ଛାତ୍ର ଆଜି ନାନା କର୍ମକ୍ଷେତ୍ରରେ ରହି ସୁନାମ ଅର୍ଜନ କରୁଛନ୍ତି, ଏହା ମୋ ପକ୍ଷରେ କମ୍‌ଗୌରବର ବିଷୟ ନୁହେଁ । x x x ଭଗବାନଙ୍କ ଆଶୀର୍ବାଦରୁ ମୁଁ ମୋ କର୍ତ୍ତବ୍ୟରୁ କେବେ ବିଚ୍ୟୁତ ହୋଇ ନାହିଁ । ଏ ଦେଶର ଶିଶୁମାନଙ୍କ ମାନସିକ ତଥା ଚାରିତ୍ରିକ ବିକାଶ ପାଇଁ ମୋର ଯତ୍‌ସାମାନ୍ୟ ସାହିତ୍ୟ ସାଧନା ମଧ୍ୟ ରହିଛି ।’’ (୫) ତାଙ୍କର ବହୁ କବିତା ନୀତିଶିକ୍ଷାଗର୍ଭିତ । ଶିଶୁର ନୈତିକମାନ ବୃଦ୍ଧିରେ ସେଗୁଡ଼ିକ ବେଶ୍‌ ସହାୟକ । କେତୋଟି ଉଦାହରଣଦ୍ୱାରା ଏହା ପ୍ରତିପାଦନ କରାଯାଇପାରେ ।

 

ଅନ୍ୟର ବିପଦ ଦେଖି ଯାହାର ପ୍ରାଣ କାନ୍ଦେ, ସେ ମଣିଷ ରୂପରେ ଦେବତା । ପର-ଆପଣା ଭେଦଭାବ ତାକୁ ଜଣାନଥାଏ । ଯେ ସାଧୁ, ସେ ସମସ୍ତଙ୍କୁ ଈଶ୍ୱରଙ୍କ ସନ୍ତାନ ଜ୍ଞାନ କରେ । ସାଧୁ ଓ ପରୋପକାରୀ ପ୍ରତି ଈଶ୍ୱର ସର୍ବଦା ସଦୟ ଅଟନ୍ତି । ଏଣୁ ସଂସାରର ସାଧୁ ଅତି ଭାଗ୍ୟବାନ । କବିଙ୍କ ଭାଷାରେ–

 

‘‘ଅନ୍ୟର ବିପଦ ଦେଖି

କାନ୍ଦେ ଯା’ର ପ୍ରାଣ

ବିଶ୍ୱଜନ ବନ୍ଧୁ ସେହି

ଦେବତା ସମାନ ।

ପର ଆପଣାର ଭେଦ

ନଥାଏ ତା’ ଜ୍ଞାନ

ପ୍ରାଣୀ ମାତ୍ରେ ସାଧୁନେତ୍ରେ

ଈଶ୍ୱର ସନ୍ତାନ ।

ସଂସାରେ ଦୁର୍ଲ୍ଲଭ ଅତି

ମନୁଷ୍ୟ ଜୀବନ

ମନୁଷ୍ୟ ସଂସାରେ ସାଧୁ

ଅମୂଲ୍ୟ ରତନ ।

ଉପକାରୀ ଜନଠାରେ

ତୁଷ୍ଟ ଭଗବାନ

ତେଣୁ ଏ ସଂସାରେ ସାଧୁ

ଅତି ଭାଗ୍ୟବାନ ।’’

(ସାଧୁ, ଗ୍ରନ୍ଥାବଳୀ, ପୃଷ୍ଠା-୮୭)

 

ଏହି କବିତାଟିର କ୍ଷୁଦ୍ର କଳେବର ମଧ୍ୟରେ କୋମଳମତି ଶିଶୁ ମନରେ ପରୋପକାର ଭାବ ଓ ସାଧୁତା ଜାଗ୍ରତ କରିବା ପାଇଁ ଉଦ୍ୟମ କରାଯାଇଛି ।

 

ରାସବୃତ୍ତରେ ରଚିତ ‘‘କନକଲତା’ ଚଉତିଶାଟି ମଧ୍ୟ ଉପଦେଶାତ୍ମକ । ଶିଶୁଙ୍କୁ ନୀତିଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହାର ପରିକଳ୍ପନା । ଶ୍ରମବଳରେ ଉପଲବ୍‌ଧ ଧନ ହିଁ କାମରେ ଲାଗେ; ପରକୁ ଠକି ଠୁଳ କରିଥିବା ଧନ କାମରେ ଲାଗେ ନାହିଁ, ଝଡ଼ପରି ଉଡ଼ିଯାଏ । ତେଣୁ କବି କହିଛନ୍ତି–

 

‘‘ଝାଳବୁହା ଧନ ରହେ

ଝାମ୍ପମାରି କାହୁଁ ଆଣିଲେ ଶହେ

ଗୋ କନକ ଲତା !

ଝଡ଼ପରି ବହିଯାଏ ।’’

(ଗ୍ରନ୍ଥାବଳୀ, ପୃ-୨୦୭)

 

ଲୋଭ ପତନର ମୂଳ । ତେଣୁ ପତନରୁ ବଞ୍ଚିବାକୁ ହେଲେ ଲୋଭ ତ୍ୟାଗ କରିବାକୁ ହେବ । ଏହି କଥା ମଧ୍ୟ କବି ବୁଝାଇ କହିଛନ୍ତି –

 

‘‘ଲୋଭରେ ମରନ୍ତି ଲୋକେ,

ଲକ୍ଷେ ଟଙ୍କା ପଡ଼ିଥାଉ ପଛକେ

ଗୋ କନକଲତା

ଲୋଭ ନ କରିବୁ ଟିକେ ।’’

(ତତୈବ, ପୃ-୨୦୮)

 

କ୍ଷମା ବଳରେ ଶତ୍ରୁ ମିତ୍ର ହୋଇଯାଏ । ଏଣୁ ସର୍ବଦା କ୍ଷମାଗୁଣ ଆଚରିବା ପାଇଁ କବି ଉପଦେଶ ଦେଇଛନ୍ତି । ଯଥା-

 

‘‘କ୍ଷମାଗୁଣ ଆଚରିବୁ

କ୍ଷମାଦାନେ ଶତ୍ରୁ ମିତ୍ର କରିବୁ

ଗୋ କନକଲତା

କ୍ଷୀର ପିଠା ମୋତେ ଦେବୁ ।’’

(ତତୈବ, ପୃ-୨୦୯)

 

କ୍ଷମା ଦେବା ଫଳରେ ଏକଦା ସିଂହଟିଏ ଶତ୍ରୁତା ଆଚରଣ କରିଥିବା କ୍ଷୁଦ୍ର ମୂଷାଟିକୁ ମିତ୍ରରୂପେ ପାଇଛି । ସମୟ ଆସିଛି, ଯେତେବେଳେ ସିଂହକୁ ମୃତ୍ୟୁ ମୁଖରୁ ରକ୍ଷା କରିଛି ମୂଷା, ସିଂହକୁ ବନ୍ଧନରୁ ମୁକ୍ତକରି । ତେଣୁ ଅନ୍ୟର ଉପକାର କରିଥିଲେ, ଏହାର ପ୍ରତିବଦଳରେ ଦିନେ ନା ଦିନେ ଉପକାର ମିଳିଥାଏ । ଏ କଥାକୁ ଯେ ଏଡ଼େଇ ଦିଏ, ସେ ସଂସାରରୁ ବାହାର; ଅର୍ଥାତ୍‌ ସେ ଦୁର୍ଜନ । ତା’ଠାରୁ ସବୁବେଳେ ଦୂରେଇ ରହିବା ପାଇଁ କବି ଶିକ୍ଷା ଦେଇଛନ୍ତି ‘ଛୋଟ ମୂଷାର ମୋଟ କାମ’ କବିତାରେ ।

 

‘‘କରିଥିଲେ ଉପକାର କାହାର

ଦିନେ ହେଲେ ଫଳ ମିଳେ ତାହାର

ଏ କଥାକୁ ଏଡ଼ି ଦେଇ

ନାଚେ ଯିଏ ଥେଇ ଥେଇ

ଜାଣିବ ସେ ଦୁନିଆରୁ ବାହାର

ପାଦରେ ତା କୋଟି କୋଟି ଜୁହାର ।’’

(ଗ୍ରନ୍ଥାବଳୀ, ପୃ-୨୪୪)

 

କେବଳ ନୀତିଶିକ୍ଷା ନୁହେଁ, ଶିଶୁମାନଙ୍କୁ କବିତା ମାଧ୍ୟମରେ ଗଣିତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପଣ୍ଡିତଜୀ କେତୋଟି କବିତା ମଧ୍ୟ ସୃଷ୍ଟି କରିଛନ୍ତି । ୧୯୫୭ ଖ୍ରୀଷ୍ଟାବ୍ଦ ପୂର୍ବରୁ ନୂଆ ପଇସା (୧ଟଙ୍କା = ୧୦୦ ପଇସା)ର ପ୍ରଚଳନ ନଥିଲା । ସେତେବେଳେ ଯେଉଁ ମୁଦ୍ରା ବ୍ୟବସ୍ଥା ଥିଲା, ତଦନୁସାରେ ଏକଟଙ୍କା ବଦଳରେ ଷୋଳଅଣା ବା ଚଉଷଠି ପଇସା ମିଳୁଥିଲା ଏବଂ ପାହୁଲା, ଅଧଲା, ପଇସା, ଅଣି, ଦୋଅଣି, ଚାରଣି , ବା ସୁକି, ଆଠଣି ବା ଅଧୁଲି, ଟଙ୍କା ଇତ୍ୟାଦି ମୁଦ୍ରାର ପ୍ରଚଳନ ଥିଲା । ସେହି ପ୍ରକାର ମୁଦ୍ରାବ୍ୟବସ୍ଥାରେ ବିଭିନ୍ନ ମୁଦ୍ରାର ପରିମାଣ ଓ ସେସବୁର ପରିଚୟ ପିଲାମାନଙ୍କୁ ଦେବା ପାଇଁ ଶିକ୍ଷକ କବି ତ୍ରିପାଠୀ ମହୋଦୟ ‘ମୁଦ୍ରା ପରିମାଣ’ କବିତାଟି ରଚନା କରିଥିଲେ । ଏହାର କେଉଁ ପଦରେ ସେ ଗପଟିଏ ଖଞ୍ଜି ଦେଇଥିଲେ ତ କେଉଁ ପଦରେ ପିଲାଙ୍କ ପାଇଁ ପ୍ରଶ୍ନଟିଏ । କବିତାଟିର ମନମତାଣିଆ ସ୍ୱର-ସଂଯୋଜନା ଶିଶୁକୁ ଆକୃଷ୍ଟ କରେ ଏବଂ ସେ ଏହାକୁ ସହଜରେ ମୁଖସ୍ଥ କରି ମୁଦ୍ରା ବ୍ୟବସ୍ଥା ସମ୍ବନ୍ଧରେ ସମ୍ୟକ୍‌ ଜ୍ଞାନ ହାସଲ କରିବାର ସହଜ ଉପାୟଟିଏ ପାଇଯାଏ । ‘ଦୋଅଣି’ର ପରିଚୟ କବି ଏହି ପରି ଦେଇଛନ୍ତି ।

 

ଦୋଅଣି ଗୋଟିକ ଦିଅଣ ।

ତଳେ ପିଟିଦେଲେ ବାଜେଣି ନଥିଲେ

ନକଲି ତାହାକୁ ନିଅନା ।

ଅବଧାନେ ବସି କହନ୍ତି ‘ପିଲେ’

ତୁମକୁ ଗୋଟିଏ ଦୋଅଣି ଦେଲେ

କେତୋଟି ପଇସା ଭଙ୍ଗାଇ ଆଣିବ

ମନେ ମନେ ହେଜି କହନା

ଦୋଅଣି ଗୋଟିଏ ଦିଅଣା ।’’

(ଗ୍ରନ୍ଥାବଳୀ, ପୃ-୮୮)

 

ଶିଶୁମାନେ ଶିକ୍ଷାରମ୍ଭରେ ହସ୍ତାକ୍ଷର ଲେଖିଥାନ୍ତି । ପ୍ରତିଦିନ ଅଭ୍ୟାସକରି ହସ୍ତାକ୍ଷର ଲେଖିଲେ, ଅକ୍ଷର ଗୋଲ୍‌ ଓ ସୁନ୍ଦର ହୁଏ । ଯେ ଏଥିରେ ହେଲା କରେ, ସେ ଶେଷରେ ନିଜ ଅକ୍ଷର ପାଇଁ ଲଜ୍ଜିତ ହୁଏ । ତେଣୁ ପ୍ରତିଦିନ ହସ୍ତାକ୍ଷର ଅଭ୍ୟାସ କରିବା ଫଳରେ ହେଉଥିବା ଲାଭ ଓ ନ ଲେଖିବା ହେତୁ ହେଉଥିବା କ୍ଷତି ପ୍ରତି ଶିଶୁକୁ ସଚେତନ କରାଇ ଅଭିଜ୍ଞ ତଥା ଆଦର୍ଶ ଶିକ୍ଷକ ତ୍ରିପାଠୀଜୀ କହିଛନ୍ତି –

 

‘‘କଲମ ଆଉ କାଳି

ପିଲାଟି ବେଳୁଁ ହେଲେଇ ଦେଇ

ଶେଷରେ ହେଉ ଭାଳି ।

ନିତି ଲେଖିଲେ ଅକ୍ଷର ବୁଲେ

ମୁକୁତା ପରି ପୃଷ୍ଠା ଝଳେ

ଲେଖାରେ ଯେତେ ଆନନ୍ଦ ମିଳେ-

      ପାରିବ କିଏ କଳି ? ’’

(କଲମ ଆଉ କାଳି, ଗ୍ରନ୍ଥାବଳୀ, ପୃ-୫୪)

 

ଭକ୍ତିସଙ୍ଗୀତ ଚପଳମତି ଶିଶୁମାନଙ୍କ ମନରେ ଈଶ୍ୱରବିଶ୍ୱାସ ଜାତ କରେ । ଗଭୀର ଈଶ୍ୱରବିଶ୍ୱାସ ହିଁ ଶିଶୁଜୀବନକୁ ପବିତ୍ର କରି ଗଢ଼େ । ସତ୍ୟପଥରେ ଓ ଧର୍ମପଥରେ ଯିବାପାଇଁ ସଂକଳ୍ପବଦ୍ଧ ହେଲେ ଶିଶୁର ଚାରିତ୍ରିକ ଶୁଦ୍ଧତା ଆସିଥାଏ । ସତ୍ୟ କହିବାପାଇଁ ତାକୁ ପିଲାଦିନରୁ ଶିକ୍ଷା ଦେଲେ ସେ ତା’ର ଉତ୍ତର ଜୀବନରେ ସତ୍ୟବାଦୀ ହୁଏ, ସତ୍ୟକୁ ଜୀବନର ବ୍ରତ କରେ । ତେଣୁ ଅନ୍ୟତମ ପ୍ରଖ୍ୟାତନାମା ଶିଶୁସାହିତ୍ୟରେ ସ୍ୱର୍ଗତ ରାମକୃଷ୍ଣ ନନ୍ଦଙ୍କ ବହୁ ଆଦୃତ ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାର ନିର୍ଯ୍ୟାସ ହେଉଛି ‘ସତ କହିବାକୁ କିଆଁ ଡରିବି । ସତ କହି ପଛେ ମଲେ ମରିବି ।’’ ଏ ଦୃଷ୍ଟିରୁ ଶିଶୁମନରେ ପ୍ରଭାବ ବିସ୍ତାର କରିବାପାଇଁ ଭକ୍ତିସଙ୍ଗୀତ ଖୁବ୍‌ ପ୍ରଭାବଶାଳୀ । ପ୍ରଥିତଯଶା ଶିଶୁସାହିତ୍ୟିକ ପଣ୍ତିତ ଉପେନ୍ଦ୍ର ତ୍ରିପାଠୀ ମଧ୍ୟ ନିଜ ବିପୁଳକାୟ ଶିଶୁସାହିତ୍ୟ ମଧ୍ୟରେ କିଛି ଭକ୍ତିସଙ୍ଗୀତ ସ୍ଥାନ ଦେବାକୁ ଭୁଲି ନାହାନ୍ତି । ‘ମାଗୁଛୁଁ’ କବିତାରେ ଶିଶୁଗଣ ଦୟାମୟ ପ୍ରଭୁଙ୍କଠାରେ ଅନ୍ୟ କିଛି ପ୍ରାର୍ଥନା ନକରି କେବଳ ଶକ୍ତି ଓ ସତ କହିବାର ପ୍ରବୃତି ପ୍ରାର୍ଥନା କରିଛନ୍ତି । ଜନହିତରେ ସେମାନଙ୍କ ଜୀବନ ବିତିଯାଉ-ଏହାହିଁ ସେମାନେ କାମନା କରିଛନ୍ତି । ଯେପରି –

 

‘‘ମାଗୁଛୁଁ କେବଳ ହୃଦେ ଦିଅ ବଳ

ସତ କହି ହେଉଁ ସୁଖୀ

ଲୋକ ହିତ ଆମ ନିତି ହେଉ କାମ

ଦେଖୁଥାଉଁ ଦୀନ ଦୁଃଖୀ ।’’

(ଗ୍ରନ୍ଥାବଳୀ, ପୃ-୭୪)

 

ଆଉ ଗୋଟିଏ ଉଦାହରଣ ଦିଆଯାଇପାରେ । ସତ୍ୟକୁ ଜୀବନର ସାଥୀକରି ଓ ସତ୍ୟପଥରେ ଯାତ୍ରୀ ହେବାର କାମନା କରି ଶିଶୁଟିଏ ପ୍ରଭୁଙ୍କ ପାଖରେ ଯେଉଁ ମାଗୁଣି ବାଢ଼ିଛି ସେଇଟିର ସ୍ୱରୂପ ଏହିପରି –

 

‘‘ହେ ପ୍ରଭୁ ପତିତପାବନ

ସତ୍ୟେ ମୋ ରହୁ ବାକ୍ୟ ମନ ।

ହେ ପ୍ରଭୁ ପରମ ସୁନ୍ଦର !

ସତ୍ୟ ମୋ ହେଉ ହୃଦ-ହାର ।

ହେ ପ୍ରଭୁ କମଳା-ରମଣ !.

ସତ୍ୟ ମୋ ହେଉ ଗଣ୍ଠି ଧନ ।

ହେ ପ୍ରଭୁ ଦୁଃଖୀ-ଦୁଃଖହର

ସତ୍ୟରେ ଭରୁ ମୋ ଅନ୍ତର ।

ହେ ପ୍ରଭୁ ଅଗତିର ଗତି !

ସତ୍ୟ ମୋ ହେଉ ଚିରସାଥୀ ।

ହେ ପ୍ରଭୁ ଅନାଥର ନାଥ !

ମୋ ପଥ ହେଉ ସତ୍ୟପଥ ।’’

(ଗ୍ରନ୍ଥାବଳୀ, ପୃ-୧୬୮)

 

ସାହିତ୍ୟ ମାଧ୍ୟମରେ ଶିଶୁର ସ୍ପର୍ଶକାତର ମନରେ ବିଭୁଚେତନା ଜାତ କରାଇବା ସଙ୍ଗେ ସଙ୍ଗେ ତାକୁ ସତ୍ୟ, ନ୍ୟାୟ ତଥା ପରୋପକାର ପ୍ରତି ଆକୃଷ୍ଟ କରାଇବାରେ ଯେଉଁ କୃତିତ୍ୱ କବି ଅର୍ଜନ କରିପାରିଛନ୍ତି, ତାହା ତାଙ୍କୁ ଜଣେ ନିଷ୍ଠାବାନ ଶିଶୁସାହିତ୍ୟିକର ମର୍ଯ୍ୟାଦା ପ୍ରଦାନ କରେ । କେବଳ ସେତିକି ନୁହେଁ, ଶିଶୁର କୋମଳ ମନରେ ସ୍ୱଦେଶପ୍ରୀତି ଜାଗ୍ରତ କରିବା ନିମନ୍ତେ କବିଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ । ଅତୀତ ଉତ୍କଳ ଇତିହାସର ଗୌରବୋଜ୍ଜ୍ୱଳ, ଅଧ୍ୟାୟମାନ ଶିଶୁମାନଙ୍କ ସମ୍ମୁଖରେ ଉନ୍ମୋଚନ କରି ସେ ସେମାନଙ୍କୁ ଐତିହ୍ୟ-ସଚେତନ କରାଇଛନ୍ତି ଏବଂ ସେମାନଙ୍କ ମନରେ ଜାତିପ୍ରୀତି ଉଦ୍ରେକ କରାଇଛନ୍ତି । ଏହିଭଳି ରାଶି ରାଶି ଉଦାହରଣ ତାଙ୍କ ରଚନାବଳୀରେ ପରିଦୃଷ୍ଟ ହୁଏ । ମାତ୍ର ଅଳ୍ପ କେତୋଟି ପଦ ଏଠାରେ ଉଦ୍ଧାର କରାଯାଇପାରେ ।

 

‘‘ପଡ଼ିଆ ଆମର ବାରବାଟି

ବୀର ରକତରେ ଗଢ଼ାମାଟି

ଓଡ଼ିଆ ବୀରର ରଣ କଉଶଳ

ଥିଲା ଆହା କିବା ପରିପାଟି

ପଡ଼ିଆ ଆମର ବାରବାଟି ।

ଗଜପତି ଆମ ମହାରାଜା

ଦେଶେ ଦେଶେ ତାଙ୍କ ଜୟଧ୍ୱଜା-

ଉଡୁଥିଲା ଯେବେ ଓଡ଼ିଆ ପାଇଲେ-

ନାଚୁଥିଲେ ବାଇ ବୀରବାଜା

ଗଜପତି ଆମ ମହାରାଜା ।’’

(ବଡ଼ ଆମର ସବୁ, ଗ୍ରନ୍ଥାବଳୀ, ପୃ-୭୭)

 

ଯୁଗେ ଯୁଗେ ବୀରଜାତି ରୂପେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ଜାତିର ବିଳାସପୂର୍ଣ୍ଣ କାଳଯାପନ ଦେଖି କବି ଖେଦ ପ୍ରକାଶ କରିଛନ୍ତି । ତେଣୁ ତାଙ୍କ ମୁଖରୁ ସ୍ୱତଃ ବାହାରି ଆସିଛି –

 

‘‘ବିଶାଳ ଓଡ଼ିଆ ଜାତି

ବୀର ବୋଲି ଯାର କାଳକ ଖ୍ୟାତି

ମୋ ସୁନାଭାଇ !

ବିଳାସରେ ସେ କି ମାତି ?’’

(ମୋ ସୁନାଭାଇ, ଗ୍ରନ୍ଥାବଳୀ, ପୃ-୨୦୩)

 

‘ଦେଶ ଓ ଦଶ’ କବିତାଟି ସେ ଓଡ଼ିଶାର ଶ୍ରେଷ୍ଠତ୍ୱ ଓ ମହତ୍ୱ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ରଚନା କରିଥିବା ମନେହୁଏ । ନିଜ ଜନ୍ମଭୁମିର ବୀରଗାଥା ସେ ଶୁଣାଇଛନ୍ତି ଜଗତବାସୀଙ୍କୁ । ଶିଶୁମାନଙ୍କ କଣ୍ଠରେ ସେ ଖଞ୍ଜିଦେଇଛନ୍ତି–

 

‘‘ମୋ ଦେଶଟି ଓଡ଼ିଶା

ତୁଳିଲେ ପାଖ ପଡ଼ିଶା

ମୋ ଦେଶଟି       ଶେଭଳ ହେଲେ

ଆଉ ଗୁଡ଼ିକ ଗଡ଼ିଶା ।

X      X      X

ମୋ’ ଭାଇଟି ଓଡ଼ିଆ

ଥିଲାରେ ଦିନେ ବଢ଼ିଆ

ମଣୁଥିଲା ସେ       ରଣ ଭୁଇଁକୁ

ପିଲାଙ୍କ ଖେଳ ପଡ଼ିଆ ।

ବୀର ମନରେ       ଗାଇଲା ଗୀତି

ଯେବେ ମୋ’ ଭାଇ ଫୁଲାଇ ଛାତି

ଥରାଇ ଦେଲା କୋଟି ଅରାତି

କରାଇ ହଡ଼ବଡ଼ିଆ

ମୋ’ ଭାଇଟି ଓଡ଼ିଆ ।

X      X      X

ରୂପରେ ସିନା କାଳିଆ

ମାଳ ମାଳ       ଦେଉଳ କିଏ

ତୋଳିଛି ତାହା ଭଳିଆ ?

କାଳିଆ ମୋର       ଜଗତନାଥ

ସବୁଠିଁ ତା’ର ରହିଛି ହାତ

ସବୁଠିଁ ତା’ର ଲାଗିଛି ଯାତ

ଚିହ୍ନିଛି ତା’କୁ ଓଡ଼ିଆ

(ସେଇ) ମୋ’ ଭାଇଟି ଓଡ଼ିଆ ।’’

(ଗ୍ରନ୍ଥବଳୀ, ପୃ-୧-୨)

 

ଏହିପରି ବହୁ କବିତା ସେ ରଚନା କରିଛନ୍ତି ଉତ୍କଳଜନନୀର ପ୍ରଶସ୍ତି ଗାନକରି । ଏଗୁଡ଼ିକ ସ୍ଥାନ ପାଇଛି ତାଙ୍କ ‘କୁହୁକୁହୁ’, ‘ସୁଲୁସୁଲୁ’ ଇତ୍ୟାଦି ପୁସ୍ତକରେ । ସେ କେବଳ ଉତ୍କଳୀୟ ମହାଭାବନାରେ ଉଦ୍‌ବୁଦ୍ଧ ହୋଇଥିଲେ ବୋଲି ଏଗୁଡ଼ିକୁ ପାଠକରି କେହି କେହି କହିପାରନ୍ତି; କିନ୍ତୁ ଏହା ସମ୍ପୂର୍ଣ୍ଣତଃ ସତ୍ୟ ନୁହେଁ । ତାଙ୍କର ଭାରତୀୟ ପ୍ରୀତି ମଧ୍ୟ ଅନେକତ୍ର ପ୍ରକାଶିତ ହୋଇଛି । ପିଲାମାନଙ୍କୁ ମହାଭାରତୀୟ ଭାବରେ ଉଦ୍‌ବୁଦ୍ଧ କରାଇବା ଉଦ୍ଦେଶ୍ୟରେ ସେ ମହାତ୍ମାଗାନ୍ଧିଙ୍କ ମହାପ୍ରୟାଣ ଜନିତ ବ୍ୟଥାକୁ ‘ଗାନ୍ଧିକୋଇଲି’ରେ ଅତି ମର୍ମସ୍ପର୍ଶୀ ରୂପେ ଦେଇଛନ୍ତି । ୧୮୮୫ରେ କଂଗ୍ରେସ ଅନୁଷ୍ଠାନ ଗଠନ ହେବାଠାରୁ ୧୯୩୨ ପର୍ଯ୍ୟନ୍ତ ଦୀର୍ଘ ୪୭ ବର୍ଷର ଇତିହାସକୁ ସେ ଅତି ଚମତ୍କାର ଭାବେ ବର୍ଣ୍ଣନ କରିଛନ୍ତି । ୧୯୪୨ର ଜାତୀୟ ଆନ୍ଦୋଳନ ପରିପ୍ରେକ୍ଷୀରେ ସେ ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏକତାର ଆବଶ୍ୟକତା ଅନୁଭବ କରିଛନ୍ତି । ତେଣୁ ସେ ହିନ୍ଦୁ-ମୁସଲମାନ ଉଭୟଙ୍କୁ ଆହ୍ୱାନ ଜଣାଇ ଗାଇଛନ୍ତି–

 

‘‘ଭାଇ, ହିନ୍ଦୁ-ମୁସଲମାନ

ଭାରତମାତା            ପୁତ୍ର ହୋଇ

ହୋଇବ କିରେ ସାନ ?

ଦାଣ୍ତେ ଯା’ର             ଶତ୍ରୁଛିଡ଼ା

ଖୋଲେ କି କେବେ ଶକ୍ତି-ବିଡ଼ା ?

ଘାସରେ ଘାସ ହୋଇବ ଯୋଡ଼ା

ହାତୀର ଭାଜେ ଟାଣ’’

(ହିନ୍ଦୁ-ମୁସଲମାନ, ଗ୍ରନ୍ଥାବଳୀ, ପୃ-୬୧୨)

 

ଶିଶୁମାନଙ୍କ ହୃଦୟରେ ଜାତୀୟ-ଚେତନାର ଉଦ୍ରେକ ନିମନ୍ତେ ଉଦ୍ଦିଷ୍ଟ ଏହି କବିତାର ଅନ୍ତରାଳରେ କବିଙ୍କ ତୀବ୍ର ସ୍ଵଦେଶପ୍ରୀତିର ପରିଚୟ ମଧ୍ୟ ମିଳିଥାଏ ।

 

୧୯୪୭ ଅଗଷ୍ଟ ୧୫ ତାରିଖ, ଭାରତର ସ୍ୱାଧୀନତା ଦିବସ । ଦୀର୍ଘ ଦିନର ପରାଧୀନତା ପରେ ଭାରତ ଏହି ଦିନ ସ୍ୱାଧୀନତା ଲାଭ କଲା । ସାରା ଦେଶରେ ଆନନ୍ଦ ଓ ଉଦ୍ଦୀପନା ଖେଳିଗଲା । ଜାତୀୟ ପତାକା ଫରଫର ଉଡ଼ିଲା । ଜାତୀୟ ପତାକା ସ୍ୱାଧୀନତାର ପ୍ରତୀକ । ଏହାର ଟେକ ରଖିପାରିଲେ, ସ୍ୱାଧୀନତା ଅତୁଟ ରହିବ । ଏହି ଉଦ୍ଦେଶ୍ୟରେ ସ୍ୱାଧୀନତାର ପ୍ରଥମ ଦିବସରେ ଅର୍ଥାତ୍‌ ସ୍ୱାଧୀନ ଭାରତର ଜନ୍ମ ଦିବସରେ ପଣ୍ତିତ ତ୍ରିପାଠୀ ‘ଜାତୀୟ ପତାକା’ ଶୀର୍ଷକ କବିତାଟିଏ ରଚନାକରି ଶିଶୁମାନଙ୍କ କଣ୍ଠରେ ରୂପ ଦେଇଥିଲେ । ଶିଶୁମାନେ ସମବେତ କଣ୍ଠରେ ଗାଇଉଠିଥିଲେ –

 

‘‘ଆମ

ଜାତିର ପତାକା ଏଇରେ

ଆମେ

ରଖିକୁ ଜୀବନ ଦେଇରେ ।

କେହି

ଅପମାନ କଲେ ଏହାର

ତା’କୁ

ଦେଶୁ କରିଦେବୁ ବାହାର ।

ରଙ୍ଗ

ତିନିଗୋଟି ଦେହେ ବହିଛି

ଚକ

ଛବିଟି ମଝିରେ ରହିଛି ।

ଏ ଯେ

ଭାରତର ମାନ ମହତ

ୟାକୁ

ଭୁଲିବ କିଏ ସେ କହତ ?

ବଡ଼

କିଏ ଅଛି ଏହା କଛରେ ?

ଧନ

ଦରବ ସବୁ ୟା ପଛରେ ।

ଏହା

ପାଇଁ କେତେ ଭାଇଭଉଣୀ

ଲଢ଼ି

ଖାଇଲେ ଗୋଇଠା କହୁଣୀ ।

ପୁଣି

ମଲେ କେତେ ଗୁଳି ଚୋଟରେ

ଭାବି

ଜୀବନଟା ଅତି ଛୋଟରେ ।

ଆମେ

ସେହି ବାଟ ଆଜି ଧରିବୁ

ଆମ

ପତକାର ପୂଜା କରିବୁ ।’’

(ଗ୍ରନ୍ଥାବଳୀ, ପୃ-୧)

 

ଜାତୀୟ-ଚେତନାରେ ଉଦ୍‌ବୁଦ୍ଧ କବି ନିଜର ଭାବାବେଗକୁ ଏହିଭଳି ପ୍ରକାଶ କରିଛନ୍ତି । ଲକ୍ଷ୍ୟ କରିବାର କଥା, ଉତ୍କଳୀୟ-ପ୍ରୀତିର ଆଧିକ୍ୟ ତାଙ୍କ ଦେଶପ୍ରୀତିମୂଳକ ରଚନାଗୁଡ଼ିକୁ ଭାରାକ୍ରାନ୍ତ କରିଛି ।

 

ଶିଶୁ-ମନସ୍ତତ୍ତ୍ୱ ବିଶ୍ଲେଷଣରେ ପଣ୍ତିତ ତ୍ରିପାଠୀ ଦକ୍ଷ ଥିଲେ । ବସ୍ତୁତଃ ଜଣେ ନିଷ୍ଠାପର ଶିକ୍ଷକର ଏହା ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଶିଶୁ-ମନସ୍ତତ୍ତ୍ୱକୁ ଅନୁଶୀଳନ କରି ଅନେକତ୍ର ସେ କଲମ ମୁନରେ ରୁପ-ଦେଇଛନ୍ତି । ‘ଖୀରିପିଠା’ କବିତାରେ ଶିଶୁ-ମନସ୍ତତ୍ତ୍ୱର ଏକ ନିର୍ଭୁଲ ଚିତ୍ର ଫୁଟିଉଠିଛି । ଉଦାହରଣ ଭାବରେ ଏଥିରୁ ଅଳ୍ପ କେତୋଟି ପଙ୍‌କ୍ତି –

 

‘‘ଭାଇରେ, ଖୀରି ପିଠା କି ମଜା

ଘରେ ହେଲେ ମାଆ କହନ୍ତି

‘ସ୍କୁଲକୁ ଆଜି ନ ଯା’ ।

X      X      X

ଭାଇରେ, ଖୀରି ପିଠା କି ମଜା

ଖୀରି ପିଠା ମିଳିଲା ଦିନ

ପଚାରେ କିଏ ଖଜା ।

ସେଦିନ ଆମେ ଆନନ୍ଦେ ବୁଡ଼ି

ଗୋଡ଼ରେ ଦଳି ଉଖୁଡ଼ା ମୁଢ଼ି

ଫୋପାଡ଼ି ଦେଉଁ ଖେଳନା ଗୁଡ଼ି

ଭୋଜିକି ଚାଲୁଁ ସୋଜା ।’’

(ଗ୍ରନ୍ଥାବଳୀ’ପୃ-୭୮)

 

ଆଉ ଗୋଟିଏ ଉଦାହାରଣ ‘ଚାଲିଲି ଇସ୍‌କୁଲ’ କବିତାରୁ । ଜଣେ ସାଙ୍ଗ ସହିତ ମାରପିଟ୍‌ କରି ପିଲାଟିଏ ଘରକୁ ଆସିବାପରେ ତା’ମାଆ ତାକୁ ସେହି ବିଷୟରେ ପଚାରିଛନ୍ତି । କିନ୍ତୁ ସେ ଆଦୌ ମାନି ନାହିଁ । ମାଆ ଯେତେବେଳେ ତାକୁ ପିଟିବା ପାଇଁ ବାହାରିଛନ୍ତି, ପିଲାଟି ସ୍କୁଲ ଯିବା ନାଁରେ ଖସିଯାଇଛି । ପ୍ରଶ୍ନୋତ୍ତର ଛଳଙ୍କର ମାଆ-ପୁଅଙ୍କ ମଧ୍ୟରେ ଯେଉଁ କଥୋପକଥନ ଚାଲିଛି, କବି ତାହାକୁ ଅତି ସୁନ୍ଦର ଭାବେ ଫୁଟାଇବାରେ ସମର୍ଥ ହୋଇଛନ୍ତି । ଯଥା –

 

‘‘ଯାହା ପଚାରିବି             କହିବୁ ସତ ?

            କହିବି ନାହିଁ କିଆଁ ?

ବିଶିଆ ପୁଅକୁ             ମାଇଲା କିଏ ?

            କାଶିଆ ପୁଅ ଟିଆଁ ।

ତୁଉ କାଳେ ତାକୁ             ଘୋଷାରି ନେଲୁ ?

            ଦେଖିଛି କିଏ କହୁ ।’’

 

ଯେଉଁମାନେ ଦେଖିଥିଲେ,       ସେମାନଙ୍କ ନାମ ପ୍ରକାଶ କରି ମାଆ ପଚାରିଛନ୍ତି –

 

‘‘ମନେକର ତୋର       ହେଲେ ସେ ଦୋଷ

            ଜୀବନେ ରହିବେ ନା ?

ତୁଉ ତେବେ କ’ଣ             ମାରିବୁ ତାଙ୍କୁ ?

            ଏଥିରେ ଅଛି ଭୁଲ୍‌ ?

ଜାଣିଲି ତୁଉଟା             ଅସଲ ପାଜି

            (ହଉ ମା) ଚାଲିଲି ଇସ୍‌କୁଲ.....’’

(ଗ୍ରନ୍ଥାବଳୀ, ପୃ-୬୮୦)

 

ଏଥିରେ ଶିଶୁ-ମନସ୍ତତ୍ତ୍ୱର ଏକ ସ୍ପଷ୍ଟ ତଥା ନିର୍ଭୁଲ ନକ୍‌ସାଟିଏ ଅଙ୍କିତ । ଏହି ଦୁଇଟି କବିତାରେ କେବଳ ନୁହେଁ, ଅନ୍ୟାନ୍ୟ ବହୁ କବିତାରେ ପଣ୍ତିତ ତ୍ରିପାଠୀ ଶିଶୁ-ମନସ୍ତତ୍ତ୍ୱର ସୁନ୍ଦର ବିଶ୍ଳେଷଣ କରି ଏ ଦିଗରେ ନିଜର ସିଦ୍ଧହସ୍ତତା ପ୍ରତିପାଦନ କରିପାରିଛନ୍ତି ।

 

ହାସ୍ୟରସ ଶିଶୁସାହିତ୍ୟର ନିର୍ଯ୍ୟାସ ସ୍ୱରୂପ । ହସିବାପାଇଁ ଉପାଦାନ ନଥିଲେ ଶିଶୁପାଠକ ସାଧାରଣତଃ ଆକୃଷ୍ଟ ହୁଏ ନାହିଁ । ତେଣୁ ଶିଶୁସାହିତ୍ୟକୁ ସରସ ସୁନ୍ଦର କରିବା ନିମନ୍ତେ ଏଥିରେ ହାସ୍ୟରସର ସ୍ପର୍ଶ ରହିବା ଏକାନ୍ତ ଜରୁରୀ । କେବଳ ନୀତିଗର୍ଭିତ ପାଠ ଶିଶୁକୁ ଶୁଷ୍କ ବୋଧହୁଏ । ନୀତିକଥାକୁ ହାସ୍ୟରସ ମାଧ୍ୟମରେ ଉପସ୍ଥାପନ କରିପାରିଲେ ଶିଶୁ ଆମୋଦିତ ହୁଏ ଏବଂ ନୀତିଶିକ୍ଷା ମଧ୍ୟ ଗ୍ରହଣ କରିପାରେ । ‘ହସ ଚାଙ୍ଗୁଡ଼ି’, ‘କଷିକାକୁଡ଼ି’ ଓ ‘କହି ଜାଣିଲେ କଥା ସୁନ୍ଦର’ କବିତା ସଂକଳନପ୍ରୟର ବହୁ କବିତା ହାସ୍ୟୋଦ୍ଦୀପକ । ବଇଦ ପୁଅର ଦୁର୍ଦ୍ଦଶା କବିଙ୍କ ଲେଖନୀରେ ଏକାନ୍ତ ହାସ୍ୟୋଦ୍ଦୀପକ ହୋଇଛି । ବଇଦ ପୁଅ ଧନ ଆଶାରେ ରାଜାଙ୍କ ପାଖକୁ ଯାଇ ତାଙ୍କ ନାଡ଼ି ପରୀକ୍ଷା କରିଛି ଏବଂ ରାଜାଙ୍କ ପଲଙ୍କ ତଳେ ବିରାଡ଼ିଟିଏ ଦେଖି ‘ରାଜା ବିରାଡ଼ି ହଳେ ଖାଇଛନ୍ତି’ ବୋଲି ପ୍ରକାଶ କରିଛି । ରାଜା ରାଗିଯାଇ ତାକୁ ଚପଲରେ ପ୍ରହାର କରିଛନ୍ତି । କବିଙ୍କ ଭାଷାରେ –

 

‘‘ପରଖିଲା ଧରି ରାଜାଙ୍କ ନାଡ଼ି

ଦେଖିଲା ଗୋଟାଏ ଭୁଆ ବିରାଡ଼ି–

ଶୋଇଛି ରାଜାଙ୍କ ପଲଙ୍କ ତଳେ

ଏତିକେ ବୋଇଲା ‘ବିରାଡ଼ି ହଳେ–

ଗିଳିଛନ୍ତି ଛାମୁ ସକାଳେ ଆଜି

ନାଡ଼ିରୁ ତାହା ମୁଁ ପାରୁଛି ବୁଝି’ ।

‘କଅଣ କହିଲୁ ହଇରେ ପାଜି

ବିରାଡ଼ି ହଳେ ମୁଁ ଗିଳିଛି ଆଜି ?

ଏହା କହି ରାଜା କାଢ଼ିଲେ ଚଟି

‘ମଲି-ମଲି’ ଖାଲି ଶୁଭିଲା ପାଟି.......’’

(ଗ୍ରନ୍ଥାବଳୀ, ପୃ-୧୦୮)

 

କବିତାଗୁଚ୍ଛ ‘ହସ-ଚାଙ୍ଗୁଡ଼ି’ରୁ ଉଦାହରଣଟିଏ ଗ୍ରହଣ କରାଯାଇପାରେ । ଦିନେ ପଶୁମାନେ ଆନନ୍ଦରେ ମାତିଉଠିଲେ । ମାଙ୍କଡ଼ ନାଟୁଆ ସାଜି ନାଚିଲା ଓ ସମସ୍ତଙ୍କୁ ହସାଇଲା । ମାଙ୍କଡ଼କୁ ସମସ୍ତେ ‘ସାବାସ’ ‘ସାବାସ’ କହିଲେ । ମାଙ୍କଡ଼ର ଛାତି କୁଣ୍ଢେ ମୋଟ ହୋଇଗଲା । ଏହା ଦେଖି ସେଠାରେ ଉପସ୍ଥିତ ଓଟ ପ୍ରଶଂସା ପାଇବା ଉଦ୍ଦେଶ୍ୟରେ ନାଚିବାକୁ ଆରମ୍ଭ କଲା । ତା’ର କୁତ୍ସିତ ରୁପ ଓ ତାଳହୀନ ନାଚ ଦେଖି ପଶୁଗଣ ବିରକ୍ତ ହୋଇଗଲେ । ହାତୀ ସମେତ ଅନ୍ୟ ପଶୁମାନେ ତାକୁ ପ୍ରହାର କରିବାକୁ ଲାଗିଲେ । ଓଟର ପ୍ରଶଂସା ନେବା ନିଶା ଛାଡ଼ିଗଲା । କବିଙ୍କ ସରଳ ତରଳ ଭାଷାରେ –

 

‘‘ଓଟ ବସିଥିଲା ବେକକୁ ଟେକି ନାଟୁଆ ଗିରିରେ ଛୋଟିଆ ସେ କି ?

ଏତେ ଖ୍ୟାତି କିଆଁ ମାଙ୍କଡ଼ ନେବ ? ତା ନାଚ ଟିକିଏ ଦେଖାଇ ଦେବ ।

ଏହା ଭାବି ଓଟ ଉଠିଲା ଡେଇଁ......ସଭିଏଁ କହିଲେ ‘କିଏରେ ଏଇ ।

ନଳିଗୋଡ଼ ଚାରି ପିଠିରେ କୁଜ ଭାଙ୍କି ଦେଲା ଆସି ଆମ ମଉଜ ?’

ରାଗରେ ସମସ୍ତେ ଉଠିଲେ ଜଳି ହାତୀ ଦେଲା ଆଗେ ଗୋଡ଼ରେ ଦଳି ।

ତେଣିକି ବର୍ଷିଲା ବିଧା ଚାପୁଡ଼ା ........ଆଉ କି ଉଠଇ ଓଟ ବାପୁଡ଼ା ?

କାହିଁ ଏ ନାଟ କଲୁରେ ?

ସାବାସ ନେବାକୁ ଗଲୁ ସିନା, ମାଡ଼ ଖାଇ ଖାଇ ମଲୁରେ !’’

(ନାଟୁଆ ଓଠ, ଗ୍ରନ୍ଥାବଳୀ, ପୃ-୧୩୭)

 

ଏହିଭଳି ବିମଳ ହାସ୍ୟରସର ବହୁ ଉଦାହରଣ କବିଙ୍କ ରଚନାବଳୀରୁ ମିଳିଥାଏ । ପଣ୍ତିତ ତ୍ରିପାଠୀ ପଲ୍ଲୀର କବି । ପଲ୍ଲୀ ତାଙ୍କର ଜନ୍ମଭୁମି, ପଲ୍ଲୀ ତାଙ୍କର କର୍ମ ଭୁମି । ତାଙ୍କଦ୍ୱାରା ରଚିତ ଶତ ଶତ କବିତା ମଧ୍ୟ ପଲ୍ଲୀର ଶିଶୁମାନଙ୍କ ନିମନ୍ତେ ରଚିତ । ତେଣୁ ପଲ୍ଲୀପ୍ରକୃତି ସ୍ୱତଃ ତାଙ୍କ ସାହିତ୍ୟର ଅଙ୍ଗୀଭୁତ ହୋଇଯାଇଛି । ଫଗୁଣ ମାସରେ ପଲ୍ଲୀ-ପ୍ରକୃତି କିପରି ମନୋହର ଓ ଚିତ୍ତାକର୍ଷକ ହୋଇଉଠିଛି, ତା’ର ଏକ ମନୋଜ୍ଞ ଚିତ୍ର କବି ଅଙ୍କନ କରିଛନ୍ତି ଫଗୁଣ କବିତାରେ । ତହିଁରୁ କେତୋଟି ପଙ୍‌କ୍ତି ମାତ୍ର ଏଠାରେ ଉଦ୍ଧାର କରାଯାଇ ପାରେ ।

 

‘‘ଫଗୁଣ ଆସିଛି ମାଘକୁ ଟପି ଶୀତ ରହି ଗଲା ପଛରେ ଛପି ।

X            X            X

ହସଇ ଆକାଶ ହସଇ ଧରା ଚଉଦିଗ ଧରେ ଶୋଭା ପସରା ।

ପିକ କୁହୁକୁହୁ ମଧୁରେ ଗାଇ ଗିରି ବନଭୁମି ଦିଏ ମଜ୍ଜାଇ ।

 

ଆଳି ଗୁଣୁ ଗୁଣୁ ଆହା କି ମିଠା ! ପାଟିକୁ ଯେସନ କାକରା ପିଠା ।

ଫୁଲେ ଫୁଲେ ଉଡ଼ି ପରଜାପତି ଫୁଲରେ ଶରଧା କରଇ ଅତି ।’’

(ଗ୍ରନ୍ଥାବଳୀ, ପୃ-୧୬)

 

ସେହିପରି ପହିଲି ଆଷାଢ଼ର ପଲ୍ଲୀ-ପ୍ରକୃତି ଅତୀବ ରମଣୀୟ ହୋଇଉଠେ । ବର୍ଷା ହେବା ଫଳରେ ବେଙ୍ଗ-ବେଙ୍ଗୁଲୀ ଆନନ୍ଦିତ ହୁଅନ୍ତି । ସାପଛୁଆସବୁ ଏଣେତେଣେ ବୁଲନ୍ତି । ନାଲି ଗୁଲୁଗୁଲୁ ସାଧବବୋହୂ ସବୁଜ ଘାସ ଉପରେ ମନ୍ଦ ଛନ୍ଦତୋଳି ଚାଲିଯାଉଥିବାବେଳେ ଏକ ଅବର୍ଣ୍ଣନୀୟ ଶୋଭା ଖେଳିଯାଏ । ଏହି ଦୃଶ୍ୟର ଚିତ୍ରାଙ୍କନ କବି ଏହିପରି କରିଛନ୍ତି-

 

ଟପର୍‌ ଟପର୍‌ ଟପର୍‌

ଦେଖିବ ଯେବେରେ ଧାଇଁ ଆସ ପିଲେ

ଧୀର ଚାଲି ଇନ୍ଦ୍ରଗୋପର ।

ସାଧବାଣୀବୋହୁ ଏହାକୁ କହି

 

ନାଲି ଟହ ଟହ କୋମଲ ଦେହୀ

ମଣ୍ତି ଚାଲୁଥିଲେ ଶ୍ୟାମଳ ମହୀ

ସକଳ ଶୋଭାର ଉପର ।’’

(ପହିଲି ଆଷାଢ଼, ଗ୍ରନ୍ଥାବଳୀ, ପୃ-୯)

 

କବି ପଣ୍ତିତ ତ୍ରିପାଠୀ ସ୍ୱତୂଳିକାରେ ଆଙ୍କିଥିବା ପଲ୍ଲୀ-ପ୍ରକୃତିର ବହୁ ଚିତ୍ର ମଧ୍ୟରୁ ଆଉ ଗୋଟିଏର ଉଦାହରଣ ଦିଆଯାଇପାରେ । ଏଥିରେ ସନ୍ଧ୍ୟାକାଳୀନ ପଲ୍ଲୀ-ଶୋଭାର ଏକ ବିଶେଷ ଦିଗ ଉନ୍ମୋଚିତ ।

 

ଆସ ଗୋ ସଞ୍ଜରାଣି,

ଚାଳ ଉପରୁ ରୋଷେଇ ଧୂଆଁ

ବଙ୍କେଇ ଉଠିଲାଣି ।

ଉଡ଼ି ଗଲେଣି କୋଇଲି କୁଆ

ବଗ ବଗୁଲି ଟେଣ୍ଟେଇ ଶୁଆ

କେହି ବା ଡ଼ିମ୍ବ କେହି ବା ଛୁଆ

ଆବୁରି ବସିଲେଣି ।

ଆସ ଗୋ ସଞ୍ଜରାଣି ।’’

(ଗ୍ରନ୍ଥାବଳୀ, ପୃ-୪୭)

 

କେବଳ ପଲ୍ଲୀ-ପ୍ରକୃତିର ମନୋରମ ଚିତ୍ର ନୁହେଁ, ପଲ୍ଲୀଜୀବନର ବହୁବିଧ ବିଭାଗ ଆଧାରିତ ବର୍ଣ୍ଣନା ମଧ୍ୟ ତାଙ୍କ କବିତାଗୁଡ଼ିକରେ ଫୁଟିଉଠିଛି । ପଲ୍ଲୀଜୀବନରେ ଭାଇ-ଭଗାରୀଭାବ ସବୁବେଳେ ଲାଗିରହିଥାଏ । ସାମାନ୍ୟ କଥାରେ ଦୁଇ ପରିବାର ମଧ୍ୟରେ କଳହର ସୂତ୍ରପାତ ହୁଏ । ଶେଷରେ ଏପରି ପରିସ୍ଥିତି ଉପୁଜେ, ଜଣେ ଅନ୍ୟର ଦୁଆର ମାଡ଼େ ନାହିଁ ଏବଂ ନିଜ ପିଲାଙ୍କୁ ମଧ୍ୟ ଅନୁରୁପ ଉପଦେଶ ଦିଏ । ସରଳ ତଥା ନିଷ୍ପାପ ଶିଶୁ ଏ ଉପଦେଶ ପାଳନ କରିପାରେ ନାହିଁ । ତେଣୁ ତା’ର ମାଆ ତାକୁ ଆକଟ କରି ଆଉଥରେ କହେ–

 

‘‘ଭଗାରୀ ଦୁଆରକୁ କାହିଁକି ଯାଉଛୁରେ

ମୋଠଉଁ ମାଡ଼ଗାଳି ଏତେ ତୁ ଖାଉଛୁରେ ?

ତତେ ତ ମନାକଲି ଯିବୁନି ତାଙ୍କ ଘର

ସେ ଆମ କେହି ନୁହ ପରଠୁଁ ସାତ ପର ।’’

(ଗ୍ରନ୍ଥାବଳୀ , ପୃ-୨୨)

 

ଶୀତ ଦିନର ହାଡ଼ଭଙ୍ଗା ଶୀତ । ତାହା ସବୁଠାରୁ ବେଶି ବାଧେ ଦୁଃଖୀଙ୍କୁ । ସେମାନଙ୍କ ପାଖରେ ଶୀତବସ୍ତ୍ରର ଅଭାବ ଥାଏ । ସେମାନେ ଶୀତରେ ଥର ଥର ହୁଅନ୍ତି । କବିଙ୍କ ଭାଷାରେ–

 

‘‘ଶୀତ ସେ–ଦୀନ ପରାଣ ନିଏ

ପଶି ତାର୍‌ କୁଟୀରେ ।’’

(ଗ୍ରନ୍ଥାବଳୀ, ପୃ-୧୯୫)

 

ପଲ୍ଲୀର ମୂଲିଆ ଦରିଦ୍ର । ପଉଷ ମାସର ସୁଲୁସୁଲିଆ ଶୀତଳ ପବନ ତାକୁ ଶୀତରେ ଥରାଏ । କବି ପଲ୍ଲୀ-ସମାଜର ଏହି ଚିତ୍ରଟି ଦେବାକୁ ଯାଇ କହିଛନ୍ତି–

 

‘‘ପଉଷେ ସୁଲୁସୁଲିଆ

ବାଆ ବହି ଅଙ୍ଗ କରେ ହାଲିଆ

ଶୀତରେ ଥରେ ମୂଲିଆ ।’’

(ଗ୍ରନ୍ଥାବଳୀ, ପୃ-୭)

 

ମହାପୁରୁଷମାନଙ୍କ ଜୀବନୀ ଶିଶୁ ଉପରେ ବେଶ୍‌ ପ୍ରଭାବ ବିସ୍ତାର କରିଥାଏ । ମହାପୁରୁଷମାନଙ୍କ ସୁଗୁଣାବଳୀ ଓ ଚରିତ୍ରବତ୍ତାରେ ଉଦ୍‌ବୁଦ୍ଧ ହେବାଦ୍ୱାରା ଶିଶୁର ଭବିଷ୍ୟତ ଉଜ୍ଜ୍ୱଳମୟ ହୁଏ । ‘ନେତାଜୀ ସୁଭାଷଚନ୍ଦ୍ର’ କବିତାରେ ନେତାଜୀଙ୍କର ବୀରତ୍ୱପୂର୍ଣ୍ଣ ତଥା ଦେଶପ୍ରେମମୂଳକ କାର୍ଯ୍ୟାବଳୀର ସୂଚନା ଦିଆଯାଇଛି ଏବଂ ‘ଗାନ୍ଧି କୋଇଲି’ରେ ଗାନ୍ଧିଜୀଙ୍କ ମହାପ୍ରୟାଣରେ ବ୍ୟଥିତ ହୋଇ କବି ତାଙ୍କ ଗୁଣାବଳୀ ରୋମନ୍ଥନ କରିଛନ୍ତି । ଏ କବିତା ଦ୍ୱୟରେ ସୂଚିତ ଦେଶପ୍ରେମ ଓ ବଳିଦାନ ଶିଶୁମାନସରେ ରେଖାପାତ କରେ ।

 

ଆଧୁନିକ ଶିକ୍ଷାର ପ୍ରଚଳନ ହେବାରୁ ଶିଶୁଙ୍କୁ ବିଜ୍ଞାନ ଶିକ୍ଷା ଦିଆଗଲା । ଶିକ୍ଷକ-କବି ପଣ୍ତିତ ତ୍ରିପାଠୀ ତେଣୁ ବିଜ୍ଞାନର ବାଣୀକୁ ସ୍ଥଳବିଶେଷରେ କବିତାର ଅଙ୍ଗୀଭୁତ କରାଇଲେ । ନିର୍ଦ୍ଦିଷ୍ଟଭାବେ ବିଜ୍ଞାନ ସମ୍ବନ୍ଧୀୟ କବିତା ସେ ଲେଖି ନଥିଲେ ହେଁ ଅଳ୍ପ କେତୋଟି କବିତାରେ ବିଜ୍ଞାନ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ‘ପହଲି ଆଷାଢ଼’ କବିତାରୁ ଇନ୍ଦ୍ରଧନୁର ସୃଷ୍ଟି ସମ୍ପର୍କୀୟ ସୂଚନାଟିକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ । ଇନ୍ଦ୍ରଧନୁର ସୃଷ୍ଟି ସମ୍ବନ୍ଧରେ ଯେଉଁ ବୈଜ୍ଞାନିକ କାରଣ ରହିଛି, ତାକୁ ସେ ଅତି ମନୋରମ ଢଙ୍ଗରେ କବିତାରେ ପ୍ରକାଶ କରିଛନ୍ତି । କବିତା ଆବୃତ୍ତି କରିବା ସଙ୍ଗେ ସଙ୍ଗେ ଶିଶୁ ଇନ୍ଦ୍ରଧନୁ ସୃଷ୍ଟିର ବିଜ୍ଞାନସମ୍ମତ କାରଣ ମଧ୍ୟ ଅବଗତ ହୁଏ । କବିତାର ସଂପୁକ୍ତ ପଦଟି ଏହିପରି –

 

ଟପର୍‌ ଟପର୍‌ ଟପର୍‌

କି ସୁନ୍ଦର ଆହା ବଙ୍କେଇ ଯାଇଛି

ଦୁଇ ମୁଣ୍ତ ଇନ୍ଦ୍ରଧନୁର !

ଭାନୁ ପରଶିଲେ ବରଷା ତନୁ

ପୂରୁବ ପଶ୍ଚିମେ ପଡ଼େ ଏ ଧନୁ

ଏ ଶୋଭା ଦେଖିଲେ ନଯାଏ ମନୁ

ସାର ଏ ଯେ କୋଟି ରୁପର ।’’

(ଗ୍ରନ୍ଥାବଳୀ, ପୃ-୯)

 

ଲୋକବିଶ୍ୱାସ ଲୋକସାହିତ୍ୟର ଏକ ମୁଖ୍ୟ ବିଭାବ; ଲୋକବିଶ୍ୱାସଦ୍ୱାରା ଶିଶୁସାହିତ୍ୟ ବହୁଭାବରେ ପ୍ରଭାବିତ । ଓଡ଼ିଶାର ଶିଶୁସମାଜ ପ୍ରଭାବିତ ହୋଇଥିବା ଏକ ଲୋକବିଶ୍ୱାସ ହେଉଛି–ଏକ ସମୟରେ ଖରା ଓ ବର୍ଷା ହେଲେ ବିଲୁଆ ନନାର ବାହାଘର ହୁଏ । ଏହି ଲୋକବିଶ୍ୱାସକୁ ପଣ୍ତିତ ତ୍ରିପାଠୀ ଅତି ସୁନ୍ଦର ଭାବରେ କେତେକ କବିତାରେ ଫୁଟାଇ ପାରିଛନ୍ତି । ଅବଶ୍ୟ ବିଲୁଆ ନନାକୁ ସେ ବିଲୁଆ ପୁଅ ଭାବରେ ଗ୍ରହଣ କରିଛନ୍ତି । ଯଥା-

 

‘‘ଗା-ଲୋ ବେଙ୍ଗୁଲୀ, ଗା–

ଝିପିଝିପି ମେଘ ଟାଇଁ ଟାଇଁ ଖରା

ଶିଆଳ ପୁଅର ବାହା ।’’

(ଗ୍ରନ୍ଥାବଳୀ, ପୃ-୧୧)

 

ସେହିପରି ଅନ୍ୟତ୍ର-

‘‘ଆ-ବଉଦ, ଦେ ପାଣି

ଖେଳିବ ମୋର ଧନମଣି

‘ବିଲୁଆ ପୁଅର ବାହା’ ଗାଇବ ଗୀତ

ଖରା ସଙ୍ଗେ ବରଷାର ହୋଇଲେ ମିତ ।’’

(ଗ୍ରନ୍ଥାବଳୀ, ପୃ-୧୦)

 

ଶିଶୁମାନଙ୍କ ମନୋରଞ୍ଜନ ନିମନ୍ତେ ପଣ୍ତିତଜୀ ରଚନୀ କରିଥିଲେ ‘ପିଲାଙ୍କ ପଶୁପକ୍ଷୀ ପୁରାଣ’ । ପଶୁପକ୍ଷୀଙ୍କ ପ୍ରତି ଶିଶୁମନ ସର୍ବଦା ଆକୃଷ୍ଟ ହୁଏ । କେତେକ ପଶୁଙ୍କ ସହିତ ପୌରାଣିକ ସଂପୃକ୍ତିକୁ ସେ ସରଳ ଭାଷା ଓ ସରସ ଶୈଳୀ ବଳରେ ସୁନ୍ଦର କବିତାରେ ପରିଣତ କରି ଓଡ଼ିଆ ଶିଶୁଗୋଷ୍ଠୀକୁ ଭେଟି ଦେଇଛନ୍ତି । ପୌରାଣିକ ଆଖ୍ୟାନ ସହିତ ଶିଶୁସୁଲଭ କାଳ୍ପନିକ ଚିନ୍ତନର ସଂମିଶ୍ରଣରେ ଏହି ରଚନାଗୁଡ଼ିକ ମଧ୍ୟରୁ କେତୋଟି ଅପୂର୍ବ ରୂପ ପରିଗ୍ରହ କରିଛନ୍ତି । ଆଲୋଚ୍ୟ ପୁସ୍ତକର ପ୍ରଥମ କବିତା ‘ଗାଈ’ । ଗାଈ ସମ୍ବନ୍ଧରେ କବି କହିଛନ୍ତି ଯେ ବ୍ରହ୍ମ ସୃଷ୍ଟିକର୍ତ୍ତା । ସେ ବିଶ୍ୱ ସୃଷ୍ଟି କରିବା ପରେ ବିଶ୍ୱର ମଣିଷ ଆହାର ନପାଇ ଭୋକରେ ଛଟପଟ ହେଲେ । ବ୍ରହ୍ମାଙ୍କ ନିକଟକୁ ଯାଇ ସେମାନେ ଖାଦ୍ୟ ପ୍ରାର୍ଥନା କଲେ । ଦେବତାଙ୍କ ଖାଦ୍ୟ ମର୍ତ୍ତ୍ୟ ମଣିଷ ଖାଇ ହଜମ କରିପାରିବେ ନାହିଁ । ଏଣୁ ବ୍ରହ୍ମା ସ୍ୱର୍ଗ ଖାଦ୍ୟରୁ କିଛି ମଣିଷକୁ ଦେଇ ପାରିଲେ ନାହିଁ । ମଣିଷ ସମାଜକୁ ବଞ୍ଚାଇ ରଖିବାପାଇଁ ବି ଖାଦ୍ୟ ଦେବାକୁ ହେବ, ସେ ବିଷୟରେ ସେ ଭାବିବାକୁ ଲାଗିଲେ-। କବିଙ୍କ ଭାଷାରେ –

 

‘‘ବହୁକ୍ଷଣ ଭାବି ଭାବି

ଖାଇଦେଇ ନିଜେ ଅମୃତ ବିନ୍ଦୁଏ

ତକ୍ଷଣେ ହୋଇଲେ ଗାଭୀ ।

ତହିଁରୁ ଝରିଲା କ୍ଷୀର

ମଣିଷ ତାହାକୁ ସୁଖରେ ଖାଇଣ

ଜଗତେ ହୋଇଲା ବୀର ।’’

(ପୃ-୨୯୩)

 

ବ୍ରହ୍ମା ଗାଈରେ ରୁପାନ୍ତରିତ ହୋଇଥିବାରୁ ମଣିଷ ଗାଈକୁ ଦେବତା ଦେବତା ଜ୍ଞାନକରି ତା’ର ପୂଜାରେ ଲାଗିପଡ଼ିଲା । କବିଙ୍କ ଭାଷାରେ –

 

‘‘ବ୍ରହ୍ମା ଯେଣୁ ହେଲେ ଗାଈ

ପୂଜା କରୁଥାଇଁ ଦେବତା ଭଳିଆ

କହୁଥିଲା ଦିନେ ଆଈ ।’’

(ଗ୍ରନ୍ଥାବଳୀ, ପୃ-୨୯୩)

 

ଗାଈକୁ ହିନ୍ଦୁମାନେ ଗୋମାତା କହନ୍ତି ଏବଂ ଏକ ପବିତ୍ର ପଶୁଭାବରେ ପୂଜା କରନ୍ତି । ଗାଈକୁ କେନ୍ଦ୍ରକରି ବହୁ ପୌରାଣିକ ଆଖ୍ୟାନ ମଧ୍ୟ ରହିଛି । କବି ବହୁ ଚିନ୍ତାକରି ଶିଶୁ ଉପଯୋଗୀ ହେଲାଭଳି ବିଷୟବସ୍ତୁ ଚୟନ କରି ଏହି କବିତାଟି ରୂପ ଦେଇଛନ୍ତି; ଯାହା ହୋଇଉଠିଛି ଏକାନ୍ତ ସୁଖପାଠ୍ୟ ଓ ମନୋରଞ୍ଜକ । ସେହିପରି ‘ହାତୀ’ କବିତାରେ ସେ ଗଣେଶଙ୍କ ସହିତ ହାତୀର ସମ୍ପର୍କ ଦେଖାଇଛନ୍ତି । ଏହା ବ୍ୟତୀତ ଏହି ପୁସ୍ତକରେ ବଉଳା ଗାଈ, ଷଣ୍ଢ, ମାଙ୍କଡ଼, ଭାଲୁ, ବିରାଡ଼ି, ଠେକୁଆ, କୁକୁର, ଛେଳି, କୋଇଲି, ହଂସ, ଘୁଷୁରିଛୁଆ ଇତ୍ୟାଦି ପଶୁପକ୍ଷୀଙ୍କ ବିଷୟରେ ବହୁ ମଜା ମଜା କାହାଣୀ ସୃଷ୍ଟି କରି ମନମତାଣିଆ ପଦ୍ୟରେ ପ୍ରକାଶ କରିଛନ୍ତି ।

 

ରାମାୟଣର ବିଷୟବସ୍ତୁକୁ ନେଇ ଶିକ୍ଷକ-କବି ପଣ୍ତିତ ତ୍ରିପାଠୀ ମନୋରମ ଢଙ୍ଗରେ ଏବଂ ମନଛୁଆଁ ଛନ୍ଦରେ ‘‘ଶିଶୁତୋଷ ରାମାୟଣ’ ରଚନା କରିଛନ୍ତି । ରାମାୟଣର ପ୍ରତ୍ୟେକ କାଣ୍ତକୁ ସେ ଛୋଟ ଛୋଟ ଭାଗରେ ବିଭକ୍ତ କରି ପରିବେଷଣ କରିଛନ୍ତି । ଶିଶୁମାନଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ ଥିବାରୁ ଏଥିରେ ଶିଶୁମାନଙ୍କ ମନରେ ଭୟ ଓ ଉଦ୍‌ବେଗ ଜାତ ହେଲାଭଳି ଘଟଣାବଳୀଠାରୁ ସେ ଦୂରେଇ ଯାଇଛନ୍ତି । ସେହିପରି ଶିଶୁର ଅବୁଝା ରହିଯିବା ଅଂଶଗୁଡ଼ିକୁ ସେ ଚତୁରତାର ସହିତ ପରିହାର କରିଛନ୍ତି ।

 

ଆଧୁନିକ ଶିକ୍ଷାର ପ୍ରଚଳନ ପୂର୍ବରୁ ଚାଟଶାଳୀମାନଙ୍କରେ ଚଉତିଶା, ବାରମାସି ବୋଲି ଇତ୍ୟାଦି ଶିଶୁମାନଙ୍କ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିବା କଥା ପୂର୍ବରୁ କୁହାଯାଇଛି । ସେଗୁଡ଼ିକ ମୁଖସ୍ଥ କରିବା ଫଳରେ ଚାଟମାନଙ୍କର ବର୍ଣ୍ଣମାଳା ସ୍ୱତଃ ମୁଖସ୍ଥ ହେଉଥିଲା ଏବଂ ସେମାନେ ମାସ, ଋତୁ ଇତ୍ୟାଦିର ନାମ ମଧ୍ୟ ମନେରଖୁଥିଲେ । କିନ୍ତୁ ସେହି ଗୀତଗୁଡ଼ିକର ଅର୍ଥ ବୁଝିବା ସେମାନଙ୍କ ପକ୍ଷରେ ସବୁବେଳେ ସମ୍ଭବ ନଥିଲେ ବି ଛନ୍ଦୋବଦ୍ଧ ହେତୁ ସେଗୁଡ଼ିକ ସେମାନଙ୍କର ସହଜରେ କଣ୍ଠସ୍ଥ ହୋଇପାରୁଥିଲା । ଜଣେ ଆଦର୍ଶ ଶିକ୍ଷକ ଭାବରେ ଶିଶୁମାନଙ୍କପାଇଁ ପଣ୍ତିତ ତ୍ରିପାଠୀ ଏହି ରୀତିର ଅନୁସରଣ କାରି ‘ଭାଇ ଭଉଣୀ’, ‘ଭଗିନୀ ଗୋ’, ‘କନକଲତା’ ଆଦି କେତେକ ଚଉତିଶା ରଚନା କରିଛନ୍ତି । ସେହିପରି ‘ସେ କିଆଁ ଆସେ’ କବିତାରେ ବାରମାସର ପରିଚୟ ଦେଇଛନ୍ତି, ପ୍ରତ୍ୟେକ ମାସ ସହିତ ସଂଶ୍ଳିଷ୍ଟ ବିଶେଷ ପ୍ରାକୃତିକ ପରିବେଶର ବର୍ଣ୍ଣନା ଦେଇ । ଯେପରି –

 

‘‘ବଇଶାଖେ ଟାଣ ଖରା

ଖରା ତାପ ପାଇ ତାତଇ ଧରା

ଶୁଖିଯାଏ ପାଣି ଝରା ।

X      X      X

ଆସିଗଲେ ଭାଦ୍ର ମାସ

ଛୁଟିଯାଏ ଗଙ୍ଗ-ଶିଉଳି ବାସ

ନିରିମଳ ନୀଳାକାଶ ।’’

(ଗ୍ରନ୍ଥାବଳୀ, ପୃ-୭)

 

‘ଗଲାବର୍ଷ (ପୃ-୧୯୭) କବିତାରେ ସେହିଭଳି ଗତ ବାରମାସରେ ପରିଲକ୍ଷିତ ହୋଇଥିବା ପ୍ରାକୃତିକ ଚିତ୍ରର ସଂକ୍ଷିପ୍ତ ବର୍ଣ୍ଣନା ରହିଛି । ଲକ୍ଷ୍ୟ କରିବାର କଥା, ପ୍ରାଚୀନ ଚଉତିଶା ଓ ବାରମାସି ବୋଲିଠାରୁ ପଣ୍ତିତ ତ୍ରିପାଠୀଙ୍କ ଅନୁରୂପ କବିତାଗୁଡ଼ିକ ସହଜ-ବୋଧ୍ୟ ଓ ସମପରିମାଣରେ ସାଙ୍ଗୀତିକ ମାନର ଅଧିକାରୀ ।

 

କେତେକ ଶିଶୁରଚନାର ଶିରୋନାମାକୁ ପଣ୍ତିତ ତ୍ରିପାଠୀ କେତୋଟି ବହୁପ୍ରଚଳିତ ପ୍ରବାଦ ପ୍ରବଚନରେ ମଣ୍ତିତ କରି ମନୋରମ ଓ ମନଛୁଆଁ କରିପାରିଛନ୍ତି । ଯେପରି–‘ତିନି ତୁଣ୍ତରେ ଛେଳି କୁକୁର’ (ପୃ-୧୨୭), ‘ଯେସାକୁ ତେସା’ (ପୃ-୧୪୩), ‘ଯୋର ଯା’ର ମୁଲକ ତା’ର, (ପୃ-୧୪୫), ‘ଦୁଃଖ ସହିଥିଲେ ସୁଖ ମିଳେ’ (ପୃ-୧୯୨), ପ୍ରଭୃତି । ସେହିପରି ସେ ନିଜର କେତୋଟି କବିତା ସଂକଳନର ନାମକରଣ କରିଛନ୍ତି ଅତି ପରିଚିତ ପ୍ରବାଦ/ପ୍ରବଚନକୁ ଗ୍ରହଣ କରି । ଯଥା- ‘କହି ଜାଣିଲେ କଥା ସୁନ୍ଦର’, ‘ହଜିଲା ବଳଦ ଖୋଜିଲାଠେଇଁ, ଇତ୍ୟାଦି । ପୂର୍ବରୁ ପ୍ରଚଳିତ ଓ ବହୁଆଦୃତ କେତେକ ଶିଶୁଗୀତିର ପ୍ରଥମ ପଙ୍‌କ୍ତିକୁ ସେ କେତେକ ରଚନାର ଶୀର୍ଷକଭାବେ ବା ପ୍ରଥମ ପଙ୍‌କ୍ତିଭାବେ ଗ୍ରହଣ କରିଛନ୍ତି । ଯେପରି–‘‘ଟୁଉକୁମୂଷୀ, ତୁଉ ଥା ମୁଁ ଯାଉଛି ଋଷି’’ (ପୃ-୩୭)/‘‘ବାଇ ଚଡ଼େଇରେ ବାଇ ଚଡ଼େଇ (ପୃ-୪୪)/ ଶଙ୍ଖଚିଲ ଭାଇ ନମସ୍କାର, ମାଟିଆ ଚିଲକୁ ଗୋଇଠା ମାର’’ ପୃ-୨୮୩) ‘‘ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ (ପୃ-୨୭୯) । ଏହା ଫଳରେ ତାଙ୍କ ଶିଶୁଗୀତଗୁଡ଼ିକ ରସାଳ ତଥା ଆକର୍ଷଣୀୟ ହୋଇପାରିଛି ।

 

ପଣ୍ତିତ ତ୍ରିପାଠୀ ଥିଲେ ଶିକ୍ଷକ, ତାହା ପୁଣି କୋମଳମତି ଶିଶୁମାନଙ୍କର ଶିକ୍ଷକ । କୋମଳମତି ଶିଶୁଙ୍କ ମନସ୍ତତ୍ତ୍ୱ ଅନୁଧ୍ୟାନ ଓ ଅନୁଶୀଳନ କରି ସେମାନଙ୍କପାଇଁ ଉପଯୋଗୀ ହେବାଭଳି ସାହିତ୍ୟ ସୃଷ୍ଟି ସେ କରିଛନ୍ତି । ପିଲାଙ୍କପାଇଁ ଗଦ୍ୟ ଅପେକ୍ଷା ପଦ୍ୟ ଅଧିକ ଆକର୍ଷଣୀୟ-। ନୀତିକଥା, ଉତ୍ତମ ଶିକ୍ଷା ଇତ୍ୟାଦି ଗଦ୍ୟରେ ପ୍ରକାଶ କଲେ ତାହା ଯେ ଶିଶୁମନରେ ସ୍ଥାୟୀ ପ୍ରଭାବ ପକାଏ ନାହିଁ, ଏହା ତାଙ୍କୁ ଭଲଭାବରେ ଜଣାଥିଲା । ତେଣୁ ସେ ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ନିଜର ବିପୁଳ ସାହିତ୍ୟକୃତିର ମାଧ୍ୟମରୁପେ ପଦ୍ୟକୁ ଗ୍ରହଣ କରିନେଇଥିଲେ । ନିଜ ସାହିତ୍ୟକୁ ମନମତାଣିଆ କରିବା ନିମନ୍ତେ ସେ ଅଜା ଓ ଆଈଙ୍କୁ ଅନେକ କବିତାରେ ଗ୍ରହଣ କରିଛନ୍ତି କାହାଣୀର ବର୍ଣ୍ଣନାକାରୀ ଭାବରେ । ‘କଷିକାକୁଡ଼ି’, ‘କଳାବଉଦ’, ‘ପିଲାଙ୍କ ପଶୁପକ୍ଷୀ ପୁରାଣ’ ଇତ୍ୟାଦି କବିତା ଗ୍ରନ୍ଥରେ ସ୍ଥାନ ପାଇଥିବା କବିତା ଗୁଡ଼ିକର ଆରମ୍ଭରେ ଆଈ ବା ଅଜା ନାତି-ନାତୁଣୀଙ୍କୁ ଗପ ଶୁଣାଇଛନ୍ତି । ଯେପରି –

 

‘‘ହଇରେ ନାତି

ଗପୁଥିଲେ ବସି ପାହିବ ରାତି

ଅଳପ କେତୋଟି କହିବି ତୋତେ

କଅଣ ଦବୁ ତୁ କହିଲୁ ମୋତେ ।’’

(ଗ୍ରନ୍ଥାବଳୀ, ପୃ-୧୦୫)

‘‘ହଇରେ ନାତି

ବାଘମାମୁଁ ତୋର ବିଲେଇ ଜାତି

ବିଲେଇ ପରାଏ ଫୁଲାଏ ନିଶ

ବଣେ ମାରୁଥାଏ ଗୋରୁ ମଣିଷ ।’’

(ଗ୍ରନ୍ଥାବଳୀ, ପୃ-୧୫୬)

 

‘‘ଆଉଦିନେ ସଞ୍ଜବେଳେ ବସି ଆଈବୁଢ଼ୀ

ନାତିମେଳେ ଚୁଡ଼ୁମୁଡ଼ୁ କରୁଥିଲା ମୁଢ଼ି ।

ନାତିଏ ବୋଇଲେ ‘ଆଈ ପଶୁପକ୍ଷୀ ଗପ

ନ କହିଲେ ଆଜି ତୋର ଚିରିଦବୁ ସପ ।’

ହସିଣ ବୋଲଇ ଆଈ ‘ଆରେ ମୋର ଧନ

ଛେଳି କୋଇଲିର ଗପ ଶୁଣ ଦେଇ ମନ ।’’

(ଗ୍ରନ୍ଥାବଳୀ, ପୃ-୨୯୯)

 

ପଦ୍ୟାକାରରେ ବର୍ଣ୍ଣିତ କାହାଣୀଗୁଡ଼ିକର ଆରମ୍ଭ ଯେପରି ଚିତ୍ତାକର୍ଷକ, ଶେଷ ବା ଉପସଂହାର ମଧ୍ୟ ସେହିପରି ମନଛୁଆଁ । ଗପ ଶେଷରେ କେଉଁଠି ନାତି ଶୋଇପଡ଼ିଛି ତ କେଉଁଠି ଢ଼ୁଳାଉଥିବାରୁ ଅଜା ବା ଆଈ ତାକୁ ଶୋଇବାକୁ ଯିବା ପାଇଁ ଉପଦେଶ ଦେଇଛନ୍ତି । ଯଥା-

 

‘‘ଏ ରୂପେ ଏହି ଗପ ସରିଲା ନାତି

ଶୋଇବୁ ବେଗେ ଯାଆ ହେଲାଣି ରାତି ।’’

(ଗ୍ରନ୍ଥାବଳୀ, ପୃ-୨୯୭)

 

‘‘ହାତୀ ବୁଢ଼ିଆଣୀ ଗପ ସରିଲା

ନାତି ଢୋଳେଇ ବିଛଣା ଧରିଲା ।’’

(ଗ୍ରନ୍ଥାବଳୀ, ପୃ-୨୯୮)

 

‘‘କହି ଅଜା ଦେଲେ ହସି ଯେ

ଏତିକେ ସେଦିନ ଗପ ସରିଗଲା

ଗୋଟି ଗୋଟି ଗଲେ ଖସି ଯେ ।’’

(ଗ୍ରନ୍ଥାବଳୀ, ପୃ-୩୦୧)

 

ଏ ପ୍ରକାର ଅନନ୍ୟ ଉପସ୍ଥାପନା ଶୈଳୀ ତାଙ୍କ ଗଳ୍ପଗୁଡ଼ିକୁ ଲୋକପ୍ରିୟ କରିବାର ଅନ୍ୟତମ ହେତୁ ।

 

ମନୋଜ୍ଞ ବର୍ଣ୍ଣନା ବିଳାସ ମଧ୍ୟ ଆଲୋଚ୍ୟ ଶିଶୁସାହିତ୍ୟର ଏକ ଲକ୍ଷ୍ୟଣୀୟ ବୈଶିଷ୍ଟ୍ୟ । ସାଧାରଣ ଆଖିରେ ଯାହା ଅତି ନଗଣ୍ୟ, ତାହା ପଣ୍ତିତ ତ୍ରିପାଠୀଙ୍କ ଆଖିରେ ସ୍ୱର୍ଗର ନନ୍ଦନକାନନ । ଯେକୌଣସି ଦୃଶ୍ୟର ବର୍ଣ୍ଣନାରେ ସେ ଚମତ୍କାରିତା ସୃଷ୍ଟି କରିପାରିଛନ୍ତି । କେବଳ ସରଳ ଶିଶୁ ମନକୁ ନୁହେଁ, ତାହା ବୟସ୍କ ପାଠକକୁ ମଧ୍ୟ ମୁଗ୍‌ଧ କରେ । ଉଦାହରଣଟିଏ ନିଆଯାଉ । ପଲ୍ଲୀରେ ସନ୍ଧ୍ୟାର ଆଗମନୀ ଶୋଭାକୁ କବି ମାତ୍ର ଛଅଟି ପଦରେ କୃତିତ୍ୱର ସହିତ ଅଙ୍କନ କରିଛନ୍ତି । ସେଥି ମଧ୍ୟରୁ ଦୁଇଟି ପଦ –

 

‘‘ଆସ ଗୋ ସଞ୍ଜରାଣି,

ଘରେ ଦେଉଳେ            ଚଉରା ମୂଳେ

ପ୍ରଦୀପ ଜଳିଲାଣି ।

ଶଙ୍ଖ ଶବଦେ             କମ୍ପଇ ଧରା

ଗଗନେ ଉଇଁ            ଧୂଳିଆ ତରା

ସବୁରି ହୋଇ             ମାନସ ହରା

ଆକାଶ ମଣ୍ତିଲାଣି

ଆସ ଗୋ ସଞ୍ଜରାଣି ।

X      X      X

ଆସ ଗୋ ସଞ୍ଜରାଣି,

ସବୁ ଦିନିଆ             ତୁମରି ସେହି

କଳର ଓଢ଼ଣା ଟାଣି ।

ଦାଣ୍ତ ପିଣ୍ତାରେ             ଅଜାଏ ବସି

ନାତିଙ୍କୁ ଗପ             କହିବେ ହସି

ପଛରୁ ଆସି             ନିଦ ମାଉସୀ

କୋଳକୁ ନେବ ଟାଣି

ଆସ ଗୋ ସଞ୍ଜରାଣି ।’’

(ଗ୍ରନ୍ଥାବଳୀ, ପୃ-୪୭-୪୮)

 

ଏହି ବର୍ଣ୍ଣନା ଅତି ଜୀବନ୍ତ, ଅତି ରମଣୀୟ । ଏହା କାନରେ ପଡ଼ିବାମାତ୍ରେ ଆଖି ଆଗରେ ନାଚିଯାଏ ଏକ ସୁନ୍ଦର ପଲ୍ଲୀର ଚିତ୍ତାକର୍ଷକ ସନ୍ଧ୍ୟାକାଳୀନ ଦୃଶ୍ୟ । ଏହି ଅପୂର୍ବ ବର୍ଣ୍ଣନାଶୈଳୀ ଶିଶୁ ମନରେ ଏକ ସ୍ଥାୟୀଭାବ ଜାତ କରିବାରେ ସମର୍ଥ ହୁଏ । ଏହାହିଁ କବିଙ୍କ ସାର୍ଥକ ତୁଳିକାର ଯଥାର୍ଥ ଦୃଶ୍ୟାଙ୍କନ ।

 

ଭାଷାର ଯାଦୁକରୀ ସ୍ପର୍ଶରେ ପଣ୍ତିତ ତ୍ରିପାଠୀଙ୍କ ଶିଶୁରୀତିଗୁଡ଼ିକ ମଧୁମୟ ହୋଇଉଠିଛନ୍ତି-। ତାଙ୍କର ଭାଷା ସରଳ, ତରଳ, ରସ ଢଳ ଢଳ । ଶିଶୁମାନଙ୍କ ସହିତ ତାଙ୍କର ଦୀର୍ଘ ଦିନର ସଂପୃକ୍ତି ତାଙ୍କୁ ଶିଶୁ-ମନଲାଖି ସରଳ ତଥା ଆଟୋପହୀନ ଶବ୍ଦଚୟନ ଓ ଭାଷା ପ୍ରୟୋଗ ପାଇଁ ସୁଯୋଗ ଦେଇଛି । ତାଙ୍କ ନିର୍ବାଚିତ ବିଷୟ ଯେତେ ପୁରୁଣା ହେଉପଛେ, ଭାଷା ପ୍ରୟୋଗର ମଧୁସ୍ପର୍ଶରେ ସେ ତାହାକୁ ଅପୂର୍ବ ସୁଷମାରେ ମଣ୍ତିତ କରିପାରନ୍ତି । ଯତିପାତ ଓ ଉପଧାମିଳନର ଚମତ୍କାରିତା ମଧ୍ୟ ସେସବୁର କାବ୍ୟିକ ମୂଲ୍ୟକୁ ବହୁଗୁଣିତ କରେ । ଶିଶୁମାନଙ୍କ ମନକୁ ତାହା ଏପରି ଛୁଏଁ ଯେ, ଆବୃତ୍ତି କରୁ କରୁ ସେସବୁ ସେମାନଙ୍କର ମୁଖସ୍ଥ ହୋଇଯାଏ । ଉଦାହରଣଟିଏ ଦିଆଯାଇପାରେ ।

 

‘‘ଅନ୍ଧାର କିଟି କିଟି

ତରାଏ ମିଟି ମିଟି

କାନ୍ଥରୁ ଝିଟିପିଟି କହିଲା ଆଜି ପରା ଉଆଁସ,

ଉଠିବ ନାହିଁ ଚାନ୍ଦ

ପାତିବ ନାହିଁ ଫାନ୍ଦ

ନାହିଁ ସେ ଶିଶୁ କାନ୍ଦ ଧରିବା ପାଇଁ କରି ମୁହାଁସ ।’’

(ଏ ମାସ କାରତିକ, ଗ୍ରନ୍ଥାବଳୀ, ପୃ-୯୯)

 

‘ରୁଣୁଝୁଣୁ’ କବିତାଗୁଚ୍ଛ ଅନ୍ତର୍ଗତ ‘ବାଣୁଆ ଝିଅ’ କବିତାଟି ମଧ୍ୟ ଉପଧାମିଳନର ଏକ ଉତ୍କୃଷ୍ଟ ଉଦାହରଣ ।

 

‘‘ଥିଲା ଏକ ବାଣୁଆ

ହାତ ତା’ର ଟାଣୁଆ ।

ଉଡ଼ିଗଲା ଚଡ଼େଇ

ତଳେ ଦିଏ ଝଡ଼େଇ ।

ଶର ଯୋଖେ ଯାହାକୁ

କିଏ ରଖେ ତାହାକୁ ?

ବାଘ ହେଲେ ହଟିବ

ମଲି ମଲି ରଟିବ ।

ପକ୍ଷୀଟିଏ ଗଛରେ

ବସି ଫୁଲ ପଛରେ

ଦିନେ ଗୀତ ଗାଉଛି

ଗୁଲୁ ଗୁଲୁ ଚାହୁଁଛି ।

ଆସିଗଲା ଶିକାରୀ

ଧନୁ ତା’ର ଟଙ୍କାରି

ମାରିଦେଲା ଶରଟା

ଛିଡ଼ିଗଲା ପରଟା ।

ପଡ଼ିଗଲା ଗଛରୁ

କିଏ ଆସି ପଛରୁ ।

ନେଇଗଲା ଘରକୁ

ଯୋଡ଼ିଦେଲା ପରକୁ

ବୋଲିଦେଲା ମଲମ

ଆଣି ନିଆଁ ପଲମ

ସେକି ଦେଲା ହାତରେ

ଦୁଧ ଗୋଳି ଭାତରେ

ଖୋଇ ଦେଲା ଯତନେ

ପାଇଛି କି ରତନେ ?

ଭଲ ହେଲା ଚଡ଼େଇ

ଦେଲା ତାକୁ ଉଡ଼େଇ

ଜାଣି ପିଲେ କିଏ ସେ ?

ବାଣୁଆର ଝିଅ ସେ ।’’

(ଗ୍ରନ୍ଥାବଳୀ, ପୃ-୨୨-୨୩)

 

ଶିଶୁ-ମନସ୍ତତ୍ତ୍ୱ ସହିତ ଗଭୀର ପରିଚିତ ଥିବାରୁ ପଣ୍ତିତଜୀ ଏପରି ଶବ୍ଦମାନ ପ୍ରୟୋଗ କରିଛନ୍ତି, ଯେଉଁଗୁଡ଼ିକ ସହିତ ଶିଶୁ ଭଲଭାବରେ ପରିଚିତ । ଏତଦ୍‍ବ୍ୟତୀତ ଧ୍ୱନ୍ୟାତ୍ମକ ଶବ୍ଦ ବେଶ୍‌ କର୍ଣ୍ଣପ୍ରୀତିପ୍ରଦ ହୋଇଥିବାରୁ ଏଗୁଡ଼ିକର ବହୁଳ ପ୍ରୟୋଗରେ ସେ ନିଜ ସୃଷ୍ଟି ସମ୍ଭାରକୁ ରସାଳ ଓ ସୁଖପାଠ୍ୟ କରିଛନ୍ତି । ପାଇଁ ପାଇଁ (ବେତର ଶବ୍ଦ), ଦୁଲୁ ଦୁଲୁ, ସିରି ସିରି, ଫର ଫର, କୁହୁ କୁହୁ, ଗୁଣୁଗୁଣୁ, କୁଳୁକୁଳୁ, କୁଆଁ କୁଆଁ, କଳ କଳ, ଥେଇ ଥେଇ, ଝିପିଝିପି ଇତ୍ୟାଦି ଧ୍ୱନ୍ୟାତ୍ମକ ଶବ୍ଦ; ଖୁସିପୁସି, ଘୋଟିଘାଟି, ଖିଆ ପିଆ, ଦିଆନିଆ ଇତ୍ୟାଦି ଆପେକ୍ଷିକ ଶବ୍ଦ; କୁହାକୁହି, ତୁନିତାନି, କଳିକଜିଆ, ସେକାସେକି, ଗପସପ, କଲବଲ ଆଦି ଯୁଗ୍ମଶବ୍ଦ ଏବଂ ଟିକି ଟିକି, ଚିକି ଚିକି, ଢଳ ଢଳ, ଛଳ ଛଳ, କିଟି କିଟି, ମିଟି ମିଟି ଆଦି ଦ୍ୱିରୁକ୍ତ ଶବ୍ଦମାନ ବ୍ୟବହୃତ ହେବା ଫଳରେ ତାଙ୍କ ରଚନାବଳୀ ସରସ ସୁନ୍ଦର ତଥା ଲାଳିତ୍ୟପୂର୍ଣ୍ଣ ହୋଇଛି । ଅଳ୍ପ କେତୋଟି ଉଦାହରଣ ବଳରେ ଏହା ପ୍ରତିପାଦନ କରାଯାଇପାରେ ।

 

ପାଇଁ ପାଇଁ ଯେତେବେଳେ ବସିଯିବ ପାହାର (ପୃ-୨୩)/ ପାଇଁ ପାଇଁ ବସିଯିବ ବେତ ଖାଲି ପଛୁଆ (ପୃ-୨୪)/କାନ୍ଦିଲି ପାଟିକରି କୁଆଁ କୁଆଁ (ପୃ-୯୭)/ ତୁମେ ଢଳ ଢଳ କରି ତଟିନୀ ଜଳରୁ କଳ କଳ ଗୀତ ତୋଳ ଗୋ (ପୃ-୧୮୬)/ଚର ଚର କାଟୁଥିବେ ଥରୁଥିବ ହାତ (ପୃ-୧୩)/ କୁଳୁ କୁଳୁ ଗୀତ ଗାଇ ଦୂରେ ଯାଏ ନଈ ବହି (ପୃ-୩୮)/ଚାରିଆଡ଼ୁ ଘୋଟିଘାଟି ଆସିଗଲା ବରଷା (ପୃ-୨୩)/ସିରିସିରି ପବନରେ ଦେହ ଉଠେ ଶୀତେଇ (ପୃ-୨୩)/ଗପସପ ମେଲିଦେଲେ ପିଲା ଆସି ବହୁତ (ପୃ-୯୮)/ଖିଆପିଆ ଦିଆନିଆ ସେଦିନ ବି ହୋଇଲା (ପୃ-୯୮)/ଶୁଣିଲେ ଛପି ଥରେ ହୁଅନ୍ତି କୁହାକୁହି (ପୃ-୨୨)/ ଏଇ କଥା ସିଏ କହିଲା, ତୁନିତାନି ହୋଇ ରହିଲା (ପୃ-୩୭) କନାରେ କରି ବହେ ସେକାସେକି (ପୃ-୯୭)/ଅନ୍ଧାର କିଟିକିଟି, ତରାଏ ମିଟିମିଟି (ପୃ-୯୯)/ ଛଳ ଛଳ ନେତ୍ରେ ଭାଷଇ ଜନନୀ ଦେଖୁଛୁ ଏହି ବ୍ରହ୍ମାଣ୍ତ (ପୃ-୧୯୮) ।

 

କେବଳ ଏତିକି ନୁହେଁ, ସେ ନିଜର ପାଞ୍ଚଗୋଟି ଶିଶୁସୁଲଭ କବିତାଗୁଚ୍ଛର ନାମକରଣକୁ ଶ୍ରୁତିମଧୁର କରିବା ଉଦ୍ଦେଶ୍ୟରେ ଏହିପରି ଶବ୍ଦସମୂହର ପ୍ରୟୋଗ ମଧ୍ୟ କରିଛନ୍ତି । ସେଗୁଡ଼ିକ ହେଲେ–‘‘କୁହୁକୁକୁ’, ‘ରୁଣୁଝୁଣୁ’, ‘ଗୁଣୁଗୁଣୁ’, ‘କୁଳୁକୁଳୁ’ ଓ ସୁଲୁସୁଲୁ ।

 

ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଥିଲେ ଜଣେ ଆଦର୍ଶ ଶିକ୍ଷକ । କୋଡ଼ିଏ ବର୍ଷ ବୟସରୁ ବାର୍ଦ୍ଧକ୍ୟଦ୍ୱାରା କବଳିତ ହେବା ପର୍ଯ୍ୟନ୍ତ ସେ ଶିକ୍ଷାଦାନ ଭଳି ପବିତ୍ର କାର୍ଯ୍ୟରେ ଲିପ୍ତ ଥିଲେ । ସେହିପରି ପନ୍ଦର ବର୍ଷ ବୟସରୁ ଜୀବନର ଦୀପଶିଖା ଲିଭିବା ପର୍ଯ୍ୟନ୍ତ ସେ ସାହିତ୍ୟ–ସୃଷ୍ଟିରୁ ନିବୃତ ନଥିଲେ । ଜଣେ ଶିକ୍ଷକର ଛାତ୍ରପ୍ରତି ଯେଉଁ ପବିତ୍ର କର୍ତ୍ତବ୍ୟ ରହିଛି, ତାହା ସେ ଭଲ ଭାବରେ ହୃଦୟଙ୍ଗମ କରିଥିଲେ ଏବଂ ତଦନୁସାରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହୋଇଥିଲେ । ନୀତିଶିକ୍ଷା ମାଧ୍ୟମରେ କୋମଳମତି ଶିଶୁମାନଙ୍କର ନୈତିକମାନ ସୁଦୃଢ କରିବାର ଓ ସେମାନଙ୍କୁ ସୁଯୋଗ୍ୟ ନାଗରିକ ଭାବେ ଗଢ଼ିବାର ମହତ୍‌ ସଂକଳ୍ପ ସେ ଗ୍ରହଣ କରିଥିଲେ । ଏହି ଉଦ୍ଦେଶ୍ୟର ଚରିତାର୍ଥ ପାଇଁ ତାଙ୍କ ଅଜସ୍ରସ୍ରାବୀ ଲେଖନୀ ସୃଷ୍ଟି କରି ଚାଲିଥିଲା କବିତା ପରେ କବିତା, ରାଶି ରାଶି କବିତା । ତାଙ୍କ କବିତା ଉତ୍ସରିତ ହୋଇଥିଲା ହୃଦୟରୁ ଓ ସେ ଶିଶୁର ଅତି ପରିଚିତ ପରିବେଶ ଓ ଆଦରର ସାମଗ୍ରୀକୁ ହିଁ କବିତାର ହୃତ୍‌ପିଣ୍ଡ ଭାବରେ ଗ୍ରହଣ କରିଥିଲେ । ସୁତରାଂ ତାଙ୍କ କବିତାବଳୀ ସାର୍ଥକ ଶିଶୁସାହିତ୍ୟର ମର୍ଯ୍ୟାଦା ଲାଭ କରେ ।

 

ତାଙ୍କ କବିତାରେ ସେ ବହୁ ନୀତିଶିକ୍ଷାକୁ ସ୍ଥାନ ଦେଇଥିଲେ । ସେହିପରି ସାହିତ୍ୟ ମାଧ୍ୟମରେ ଶିଶୁ ମନରେ ଜାତୀୟ ଚେତନା ଉଦ୍ରେକ କରିବା, ବିଭୁଚେତନା ଜାଗ୍ରତ କରିବା ଏବଂ ହାସ୍ୟରସ ମାଧ୍ୟମରେ ଶିକ୍ଷାପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି କରିବା ନିମନ୍ତେ ପଣ୍ଡିତଜୀ ଯତ୍‌ପରୋନାସ୍ତି ଚେଷ୍ଟା କରିଥିଲେ । ଶିଶୁଙ୍କ ମନୋରଞ୍ଜନ କେବଳ ନୁହେଁ ସେମାନଙ୍କ ଚରିତ୍ର ଗଠନ ଏବଂ ସେମାନଙ୍କୁ ସୁନାଗରିକ କରି ଗଢ଼ିବାର ପ୍ରୟାସରୁ ତାଙ୍କ ସାହିତ୍ୟର ସୃଷ୍ଟି ହୋଇଥିବାରୁ କାଳେ କାଳେ ଏହାର ଶିଶୁ-ଉପଯୋଗିତା ଅକ୍ଷୁଣ୍ଣ ରହିଛି । ଓଡ଼ିଆ ଶିଶୁସାହିତ୍ୟକୁ ତାଙ୍କର ଦାନ ଓ ଅବଦାନ ତୁଳନାରହିତ । ତାଙ୍କ ମରଶରୀର ଆଜି କାଳବକ୍ଷରେ ଲୀନ ହୋଇଗଲେ ହେଁ,ଏହି ଅମଳିନ କୀର୍ତ୍ତି ପାଇଁ ସେ ଚିର ଅମର ।

 

ସଂକେତ ସୂଚୀ:

କୋଣାର୍କ (୧୯୮୫),୫୫ଶ ସଂଖ୍ୟା, ପୃ-୪୪।

ସୁରେନ୍ଦ୍ର କୁମାର ମହାରଣା, ଓଡ଼ିଆ ସାହିତ୍ୟର ଇତିହାସ (୧୯୮୮), ପୃ-୬୬୧।

ରାମକୃଷ୍ଣ ନନ୍ଦ, ଓଡ଼ିଆ ଶିଶୁସାହିତ୍ୟ ଓ ପତ୍ରିକା (୧୯୮୨) । ଓଡ଼ିଶା ସାହିତ୍ୟ ଏକାଡେମୀ, ପୃ-୩।

ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ (୧୯୬୯)ରେ ସନ୍ନିବେଶିତ ଆତ୍ମଜୀବନୀ ‘ଗୋଟାଏ କଲମ ଟୋପାଏ କାଳି’, ପୃ-୪୪

୫.

ତତ୍ରୈବ, ପୃ-୭୯

 

 

ଅର୍ଥବିଭାଗ,

ଓଡ଼ିଶା ସଚିବାଳୟ,

ଭୁବନେଶ୍ୱର-୭୫୧୦୦୧।

 

***

 

ଏକାଡେମୀ ସମାଚାର

ଗଙ୍ଗାଧର ମେହେର ଜୟନ୍ତୀ

ତା ୧୦-୮-୯୫ରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବରପାଲିସ୍ଥ ଗଙ୍ଗାଧର ମେହେର କ୍ଳବଙ୍କ ମିଳିତ ଆନୁକୂଲ୍ୟରେ କବିଙ୍କ ୧୩୩ ତମ ଜୟନ୍ତୀ ଉପଲକ୍ଷେ ଜୟନ୍ତୀପୀଠ ବରପାଲି ଠାରେ ଏକ ସାରସ୍ୱତ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ମନୋଜ୍ଞ ଉତ୍ସବରେ ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଅଧିକ୍ଷତା କରିଥିଲେ । ଗ୍ରାମ୍ୟ ଉନ୍ମୟନ ମନ୍ତ୍ରୀ ଶେଖ୍‌ ମତଲୁବ୍‌ ଅଲ୍ଲୀ ମୁଖ୍ୟ ଅତିଥି, ଉଚ୍ଚଶିକ୍ଷା ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଶ୍ରୀ ଭାଗବତ ପ୍ରସାଦ ମହାନ୍ତି ଉଦ୍‌ଘାଟକ, ମତ୍ସ୍ୟ ଓ ପଶୁ, ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶଚନ୍ଦ୍ର ଦେବତା ବିଶିଷ୍ଟ ଅତିଥି, ବିଧାୟକ ଶ୍ରୀ ମୋହନ ନାଗ ଓ ବିଧାୟକ ଶ୍ରୀ ଶ୍ରୀରିପୁନାଥ ସେଠ ସମ୍ମାନିତ ଅତିଥି, ପଣ୍ଡିତ ଘନଶ୍ୟାମ ମିଶ୍ର ମୁଖ୍ୟବକ୍ତା ଏବଂ ଜବାହାର କଲେଜ ପାଟଣାଗଡ଼ର ଅଧ୍ୟକ୍ଷ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶ୍ରୀ ନାରାୟଣ ପୃଷେଠ୍‌ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ସଂଧ୍ୟା ଛ’ ଘଣ୍ଟା ସମୟରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅତିଥି ବୃନ୍ଦ ସ୍ୱଭାବ କବିଙ୍କ ପ୍ରତ୍ତିମୂର୍ତ୍ତି ଓ ପ୍ରତିଛବିରେ ମାଲ୍ୟାର୍ପଣ ପରେ ଶ୍ରୀ ଅଲ୍ଲୀ ଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥଲେ । କ୍ଲବର ସମ୍ପାଦକ ଶ୍ରୀ ଦେବେନ୍ଦ୍ର ମୋହନ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇ ମେହେରଙ୍କ ଜନ୍ମ ଓ ଶ୍ରାଦ୍ଧଦିବସ ପାଳନ ତଥା ଅନ୍ୟାନ୍ୟ ସ୍ମୃତିରକ୍ଷା ଦିଗରେ କ୍ଳବର ଭୂମିକା ସଂପର୍କରେ ସୂଚନା ଦେଇ ଏକ ଅଡ଼ିଟୋରିଅମ୍‌ ନିର୍ମାଣର ଆବଶ୍ୟକତା ସମ୍ପର୍କରେ ପ୍ରସ୍ତାବ ଉତ୍‌ଥାପନ କରିଥିଲେ । ପ୍ରଫେସର ଶ୍ରୀ ପୃଷେଠ୍‌ ମେହେର ସାହିତ୍ୟ ଆଲୋଚନାର ନୂତନ ଦିଗନ୍ତ ସମ୍ପର୍କରେ ଆଲୋଚନା କରି ମହାକବି ଥିରୁଉଲୁଭର ଓ ସ୍ୱଭାବ କବିଙ୍କ ଜୀବନ, ଜୀବିକା ଓ କାବ୍ୟ- ଦର୍ଶନର ଏକ ସାରଗର୍ଭକ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ଦେବତା ଓଡ଼ିଆ ଭାଷା ସଂଗ୍ରାମରେ ଗଙ୍ଗାଧରଙ୍କ ଭୂମିକା ତଥା ଗଙ୍ଗାଧରଙ୍କ ଓଡ଼ିଆ ପ୍ରୀତି ସମ୍ଫର୍କରେ ଆଲୋଚନା କରି ସ୍ୱଭାବ କବିଙ୍କ ଜନ୍ମ ଦିବସକୁ ‘ଓଡ଼ିଆ ଭାଷା ଦିବସ’ ଭାବେ ପାଳନ ପାଇଁ ନିବେଦନ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଅଲ୍ଲୀ ଏକ ଆବେଗମୟ ଭାଷଣରେ ଗଙ୍ଗାଧରଙ୍କ ସମସାମୟିକ ଓଡ଼ିଶାର ସାମାଜିକ ଓ ସାରସ୍ୱତ ପରିବେଶ ସମ୍ପର୍କରେ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ପଣ୍ଡିତ ମିଶ୍ର ତାଙ୍କର ସ୍ୱଭାବ ସୁଲଭ ଶୈଳୀରେ ସୁଲଳିତ କଣ୍ଠରେ ସଂସ୍କୃତ, ହିନ୍ଦୀ ଓ ଗଙ୍ଗାଧରଙ୍କ କାବ୍ୟ କବିତାରୁ ଅନେକ ପଂକ୍ତି ଗାନକରି ମେହେର ସାହିତ୍ୟରେ ରୀତି, ନୀତି ଓ ପ୍ରୀତିର ଶାସ୍ତ୍ରୀୟନିୟମରେ ଅପୂର୍ବ ସମନ୍ୱୟ ଘଟିଛି ବୋଲି ମତ ବ୍ୟକ୍ତ କରିଥିଲେ । ସଭାପତି ଶ୍ରୀଉଦ୍‌ଗାତା ମେହେର ସାହିତ୍ୟର ମୌଳିକତା ଉପରେ ଆଲୋଚନା କରି ଏହାର ହିନ୍ଦୀ ଅନୁବାଦ ସମ୍ଫର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।

 

ଅତିବଡ଼ୀ ଜଗନ୍ନାଥଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅତିବଡ଼ି ଜଗନ୍ନାଥଦାସ ସ୍ମୃତିରକ୍ଷା କମିଟିର ମିଳିତ ଆନୁକୂଲ୍ୟରେ ତା୨-୯-୯୫ରିଖରେ ଅତିବଡ଼ୀ ଜଗନ୍ନାଥଦାସ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଶ୍ୱାତ୍ମ ଚେତନା ପରିଷଦର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଭାଗବତକୁ ଏକ ପ୍ରତୀକାତ୍ମକ ପରମ ଶାସ୍ତ୍ରଭାବେ ବର୍ଣ୍ଣନା କରି ଜୀବର କଲ୍ୟାଣ ପାଇଁ ଭାଗବତରେ ଉଲ୍ଲିଖିତ ମାର୍ଗର ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରାସଙ୍ଗିକତା ରହିଛି ବୋଲି ଉଲ୍ଲେଖକରି ସଂସ୍କୃତ ଓ ଓଡ଼ିଆ ଭାଗବତର ତୁଳନାତ୍ମକ ବିବେଚନା କ୍ରମେ ଭାଗବତରେ ଥିବା ମୌଳିକତା ଉପରେ ଭିତ୍ତିକରି ଓଡ଼ିଆ ସଂସ୍କୃତ ଓ ସାହିତ୍ୟ ବିଶାଳତା ପ୍ରତିପାଦନ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଶିଷ୍ଟ ଚିନ୍ତାନାୟକ ଶ୍ରୀ ଚିତ୍ତରଞ୍ଜନ ଦାସ ଜଗନ୍ନାଥ ଦାସଙ୍କୁ ଜଣେ ବିଦ୍ରୋହୀ ସଂସ୍କାରକ ଭାବେ ବର୍ଣ୍ଣନାକରି ଅତିବଡ଼ୀ ରକ୍ଷଣଶୀଳତାକୁ ଅତିକ୍ରମ କରି କଥିତ ଭାଷାରେ ବ୍ରହ୍ମସାହିତ୍ୟ ରଚନାକରି ସର୍ବଭାରତୀୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ସ୍ମୃତି କମିଟି ସଦସ୍ୟ ଆଡ଼ଭକେଟ ହରିହର ବାହିନୀପତି ଅତିବଡ଼ୀଙ୍କ ସଂଘର୍ଷ, ସାଧନା ଓ ସିଦ୍ଧିର ଅବତାରଣା କରି ଅତିବଡ଼ୀଙ୍କ ସହିତ ଓଡ଼ିଆ ଜାତିର ଆତ୍ମିକ ସମ୍ପର୍କ ବ୍ୟାଖ୍ୟା କରିଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ କରୁଣାକର ପଟ୍ଟନାୟକ ଭାଗବତର ମାହାତ୍ମ୍ୟ ଓ ଉତ୍କଳୀୟ ଜୀବନ ଉପରେ ଏହାର ପ୍ରଭାବ ସମ୍ପର୍କ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନନ୍ଦ ଭାଗବତ ଅତିବଡ଼ୀଙ୍କର ଏକ ଅନନ୍ୟ ଶାସ୍ତ୍ର ବୋଲି କହିଥିଲେ । ପୁରୀ ସଙ୍ଗୀତକଳା ପ୍ରତିଷ୍ଠାନ ଭାଗବତ ପାରାୟଣ କରିଥିଲେ, ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ସ୍ୱାଗତ ଭାଷଣ, ସଚିବ ରାଜକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପୁରୀର ବହୁ ବିଶିଷ୍ଟ ସାଧୁ ସନ୍ଥ ଓ ସାହିତ୍ୟକ ଯୋଗ ଦେଇଥିଲେ ।

 

ଅପରାହ୍ନରେ ଅତିବଡ଼ୀଙ୍କର ଜନ୍ମପୀଠ କପିଳେଶ୍ୱରପୁର ଶାସନରେ ସ୍ୱାମୀ ଶ୍ରୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ସଚିବ ଶ୍ରୀ ରାଜକିଶୋର ମିଶ୍ର ପ୍ରମୁଖ ଅତିବଡ଼ୀଙ୍କର ସ୍ମୃତିମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।

 

ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ

ତା ୧୫-୯-୯୫ରିଖ ସଂଧ୍ୟାରେ ଭୁବନେଶ୍ୱରସ୍ଥ ସୂଚନାଭବନଠାରେ ଆୟୋଜିତ ଏକ ମନୋଜ୍ଞ ସାରସ୍ୱତ ସମାରୋହରେ ୧୯୯୨ ମସିହାପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସଂସ୍ମୃତି ଓ ପଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ସିଂହ ଏହି ଉତ୍ସବରେ ମୃଖ୍ୟ ଅତିଥିରୂପେ ଯୋଗଦେଇ ସାତଗୋଟି ବିଭାଗର କୃତୀ ସାହିତ୍ୟକଙ୍କୁ ତାମ୍ରଲେଖ ଉପାୟନ ଓ ପୁରସ୍କାର ବାବଦ ନଗଦ ଦଶହଜାର ଟଙ୍କା ପ୍ରଦାନ କରି ସମ୍ମାନିତ କରିଥିଲେ ।

 

ଏହି ସ୍ୱତନ୍ତ୍ର କାର୍ଯକ୍ରମରେ ବଙ୍ଗଳା ସାହିତ୍ୟର ସ୍ୱନାମଧନ୍ୟ କବି ତଥା ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧକ ଶ୍ରୀ ସୁଭାଷ ମୁଖୋପାଧ୍ୟାୟ ବରେଣ୍ୟ ଅତିଥି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ:ଗୌର କିଶୋର ଦାସ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ ଉତ୍ସବରେ ପୌରୋହିତ୍ୟ କରିଥିଲେ ।

 

ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ରାଜକିଶୋର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ରାଜ୍ୟର ବହୁ ପ୍ରତିଷ୍ଠିତ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇଥିଲେ । ବରେଶ୍ୟ ଅତିଥି କବି ସୁଭାଷ ମୁଖୋପାଧ୍ୟାୟ ତାଙ୍କର ସଂକ୍ଷିପ୍ତ ଭାଷଣରେ ବଙ୍ଗଳା ସହିତ ଓଡ଼ିଶାର ଦୀର୍ଘଦିନର ସମ୍ପର୍କ ବିଷୟ ଉଲ୍ଲେଖକରି କହିଲେ ଯେ ଏହି ସମ୍ପର୍କ କେବଳ ସାଂସ୍ମୃତିକ କ୍ଷେତ୍ରରେ ସୀମାବଦ୍ଧ ନୁହେଁ, ଉଭୟ ରାଜ୍ୟର ଦୈନନ୍ଦିନ ଜୀବନରେ ଏହା ପ୍ରତିଫଳିତ । ସମ୍ମାନିତ ଅତିଥି କୁଳପତି ଡକ୍ଟର ଗୌରକିଶୋର ଦାସ କ୍ଷମତାସୀନ ରାଜନୀତିଜ୍ଞ ନୀତିନିର୍ଦ୍ଧାରଣକାରୀ ଓ ବୈଜ୍ଞାନିକଙ୍କ ସମେତ ସବୁ ଶ୍ରେଣୀର ନାଗରିକ ଲେଖକମାନଙ୍କୁ ଉପଯୁକ୍ତ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ପୁରସ୍କୃତ ସାହିତ୍ୟିକମାନେ ସମ୍ବର୍ଦ୍ଧନାର ଉତ୍ତର ଦେଇଥିଲେ । ଏହି ଅବକାଶରେ ବିଭିନ୍ନ ବିଭାଗ ପାଇଁ ନିମ୍ନମତେ ପୁରସ୍କାର ସମର୍ପିତ ହୋଇଥିଲା –

 

ଶିଶୁ-ସାହିତ୍ୟ ବିଭାଗ

ଶ୍ରୀ ନନ୍ଦକିଶୋର ସାମଲ,

ମୋତେ ଯେତେବେଳେ

ଦଶବରଷ

ଜୀବନ ମନୁବାଦ ଓ ଭ୍ରମଣ

ସାହିତ୍ୟ ବିଭାଗ,

ଡ: ଧନେଶ୍ୱର ମହାପାତ୍ର

ବୁଦ୍ଧଚରିତମ୍‌

ପ୍ରବନ୍ଧ ଓ ସମାଲୋଚନା

ବିଭାଗ,

ଶ୍ରୀ ଅଶୋକ କୁମାର ରଥ

ଜୈନଧର୍ମ ଓ ସଂସ୍ମୃତି

ନାଟକ ଓ ଏକାଙ୍କିକା ବିଭାଗ,

ଶ୍ରୀ କୁଞ୍ଜ ରାଏ

ନାୟକ ଚନ୍ଦ୍ରସେଣ

କାବ୍ୟକବିତା ବିଭାଗ,

ଡଃ; ପ୍ରସନ୍ନ କୁମାର

ପାଟଶାଣୀ

ଦେଖାହେବେ କହିବି ସେକଥା

ସଂସ୍ମୃତ ସାହିତ୍ୟ ବିଭାଗ,

ଡଃ:କ୍ଷୀରୋଦାଚନ୍ଦ୍ର ଦାଶ

ତାରୁଣ୍ୟ ଶତକମ୍‌

ଗଳ୍ପ ବିଭାଗ,

ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ

ଆକାଶ ଯେଉଁଠି କଥା କହେ

 

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ତା ୧୬-୯-୯୫ରିଖରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଆୟୋଜିତ ଏକ ସାରସ୍ୱତ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର ବିଶିଷ୍ଟ ସାହିତ୍ୟ ସମାଲୋଚକ ତଥା ଗବେଷକ ଡକ୍ଟର ନଟବର ସାମନ୍ତରାୟଙ୍କୁ ପ୍ରଦାନ କରାଯାଇଛି । ଏହି ସାରସ୍ୱତ ସମାରୋହରେ ମହାମହିମ ରାଜ୍ୟପାଳ ଶ୍ରୀ ଗୋପାଳ ରାମାନୁଜମ୍‌ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ସ୍ୱରୁପ ଡ: ସାମନ୍ତରାୟଙ୍କୁ ତାମ୍ର ଫଳକ ସହ ନଗଦ ପଚିଶହଜାର ଟଙ୍କା ପ୍ରଦାନ କରିଥିଲେ । ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗମନ୍ତ୍ରୀ ଶ୍ରୀ ଭୂପିନ୍ଦର ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ରାଜକିଶୋର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।

 

ରାଜ୍ୟପାଳ ଶ୍ରୀ ରାମାନୁଜମ୍‌ ପୁରସ୍କାର ପ୍ରଦାନ କରି କହିଲେ ଯେ ନିଜର ଗବେଷଣା ଓ ପ୍ରଜ୍ଞାବଳରେ ଭାଗବତର ଅମାୟିକ ଭାବଧାରାକୁ ଅବ୍ୟାହତ ରଖିବା ସହିତ ସେ ଦିଗରେ ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀକୁ ଅଧିକ ଋଦ୍ଧିମନ୍ତ କରିବାରେ ବର୍ଷୀୟାନ ଗବେଷକ ଡ: ନଟବର ସାମନ୍ତରାୟଙ୍କ ଅବଦାନ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ସଂସ୍ମୃତି ମନ୍ତ୍ରୀ ଶ୍ରୀ ସିଂହ ତାଙ୍କ ଭାଷଣରେ ଡ: ସାମନ୍ତରାୟଙ୍କ ସାଧନା ଓ ନିଷ୍ଠା ଯୁବ ସମାଜକୁ ଉଦ୍‌ବୁଦ୍ଧ କରିବ ବୋଲି ଆଶା ପ୍ରକାଶ କରିଥିଲେ । ସମ୍ୱର୍ଦ୍ଧନାର ଉତ୍ତର ଦେଇ ଡ:ସାମନ୍ତରାୟ କହିଲେ ଯେ ବର୍ତ୍ତମାନ କେତେକ ସାହିତ୍ୟ ଗବେଷକ ଅତୀତ ସ୍ରୋତରୁ ବହୁବିଧ ନୂତନ ତଥ୍ୟ ଆବିଷ୍କାର କରି ଯେପରି ବିଭିନ୍ନ ଦୃଷ୍ଟିରୁ ସେଗୁଡ଼ିକର ବିଶ୍ଳେଷଣାତ୍ମକ ପର୍ଯ୍ୟାଲୋଚନା କରିଛନ୍ତି, ତାହା ଦେଖିଲେ ମନରେ ଗର୍ବ ହୁଏ । ସେମାନଙ୍କ ଅନୁସଦ୍ଧାନ ଓ ଅନୁଶୀଳନ ପାଇଁ ଏ ଦେଶ ସେମାନଙ୍କୁ ସବୁ ପ୍ରକାର ଉତ୍ସାହ ଦେବା ଆବଶ୍ୟକ । ଶେଷରେ ଏକାଡେମୀର ଉପ-ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ ।

 

କବିବର ରାଧାନାଥ ଜୟନ୍ତୀ

ତା ୨୮-୯-୯୫ରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କବିବର ରାଧାନାଥ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ରାଧାନାଥଙ୍କର ୧୪୮ତମ ଜୟନ୍ତୀ ବାଲେଶ୍ୱରସ୍ଥ କବିଙ୍କ ଜନ୍ମପୀଠ କେଦାରପୁରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭାତରେ ସଂସଦର ସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ନାୟକଙ୍କ ପୌରୋହିତ୍ୟରେ ଜୟନ୍ତୀ ଉତ୍ସବକୁ ବାଲେଶ୍ୱରର ଏସ୍‌ ପି ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ଉଦ୍‌ଘାଟନ କରିବାପରେ ମୁଖ୍ୟବକ୍ତା ରୂପେ ସ୍ଥାନୀୟ ତହସିଲଦାର ଶ୍ରୀ ବିନୋଦ ବିହାରୀ ନାୟକ କବିଙ୍କ ଗୃଣାବଳୀ ଆଲୋଚନା କରିଥିଲେ । ପରେ କବିତା ପାଠୋତ୍ସବରେ ବିଶିଷ୍ଟ ସାହିତ୍ୟକ ଅଧ୍ୟାପକ ଡ: ରମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଏକ କବି ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଅଧ୍ୟାପିକା ସଂଯୁକ୍ତା ରାଉତ, ଅଧ୍ୟାପକ ଚେମେଇ ଦାସ, ପ୍ରଦ୍ୟୁମ୍ନ ମହନୀ, ଏସ୍‌ ପି କୃଷ୍ଣ ମହାନ୍ତି ଆଦି ସ୍ୱରଚିତ କବିତାମାନ ପାଠ କରିଥିଲେ।

 

ଅପରାହ୍ନ ସଂଧ୍ୟା ଛ’ଟାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସଙ୍କ ପୌରୋହିତ୍ୟରେ ଜୟନ୍ତୀସଭା କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଡ: ବୈରାଗୀ ଚରଣ ଜେନା କବିଙ୍କର ଅଗାଧ ପାଣ୍ଡିତ୍ୟ ଓ କଳାଚାତୁରୀର ବର୍ଣ୍ଣନା କରିବାକୁ ଯାଇ ତାଙ୍କୁ ଏକ ଯୁଗପୁରୁଷ ରୁପେ ଆଖ୍ୟାୟିତ କରିଥିଲେ । ସାହିତ୍ୟ ଏକାଡେମୀର ସହାୟକ ସଚିବ ଶ୍ରୀ ମହେନ୍ଦ୍ର କୁମାର ଛୁଆଳସିଂହ କବିବରଙ୍କୁ ଶ୍ରେଷ୍ଠ ଭୌଗୋଳିକ ଭାବେ ଅଭିହିତ କରିଥିଲେ । ଇତ୍ୟବସରରେ ଏକାଡେମୀ ତରଫରୁ ଏକ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

 

***